ସାଗରିକାର ସନ୍ଧାନରେ
ସାଗରିକାର ସନ୍ଧାନରେ
ପୂର୍ବ ଛାତ୍ରାବାସର ଆମ ଷାଠିଏ ନମ୍ବର କୋଠରୀ ଭିତରକୁ ପଶି ଆସୁ ଆସୁ ଦେଖିଲି ବନ୍ଧୁ ଆମର ଦେଖା ଯାଉଛନ୍ତି କିଛି ମାତ୍ରାରେ ଉତ୍ତେଜିତ। କିଛି ପ୍ରକାଶ ନ କଲେ ମଧ୍ୟ ତାଙ୍କ ନୀରବତାର ଭାଷା ଇଙ୍ଗିତ କରୁଥିଲା କିଛି ଗୋଟିଏ ଅଘଟଣକୁ। ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବା ଉପରାନ୍ତେ ବନ୍ଧୁ ଆମ୍ଭର ଫିଟିପଡିଲେ ଉଛୁଳା ନଈ ବନ୍ଧ ଭାଙ୍ଗିଲା ପରି ।
ବୁଝିଲ ବନ୍ଧୁ,ସେ ସ୍ମରଣର ଫୁଟାଣି କମ ନୁହେଁ। ଆଜି ଦମ୍ଭିଲା ସ୍ୱରରେ କହିଲା ଯେ ତାର ସ୍ତ୍ରୀର ନାମ ସ୍ମରଣୀକା ହେବ। ସ୍ମରଣୀକା ନାମ୍ନୀ ଝିଅଟିଏ ହିଁ ତାର ପ୍ରେମ ଫାଶରେ ପଡିବ।ସେ ପ୍ରେମ କରି ବାହା ହେବ ,ଆଉ ତା ପ୍ରେମିକା ଯିଏ କି ପରବର୍ତ୍ତୀ ପର୍ଯ୍ୟାୟରେ ତା ଧର୍ମ ପତ୍ନୀ ହେବ,ତାର ନାଁ ଥିବ ସ୍ମରଣୀକା ।
ଏଇ ବିଷୟକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ତର୍କ ହେଉ ହେଉ କଥା ଜିଦା ଜିଦ୍ ପର୍ଯ୍ୟନ୍ତ ଯାଇଛି।
ହଉ ଏଥିରେ ଅସୁବିଧା କୋଉଠି ରହିଲା।ଏଇ ସାମାନ୍ୟ କଥାକୁ ନେଇ ତୁମେ ଏତେ ବିମର୍ଷ କାହିଁକି ?
ମୋର ପ୍ରଶ୍ନିଳ ଜବାବ।
ଆରେ ଭାଇ ସେ ଫୁଟାଣିଆକୁ କୋଉ ଝିଅ ଭଲ ପାଇବ ?ଆଉ ଧରାଯାଉ ଯଦି ବା ସିଏ ଫନ୍ଦି ଫିକର କରି କାହାକୁ ଫସେଇ ଦେଲା ତା ନାଁ ସ୍ମରଣୀକା ହେଇଥିବ ବୋଲି କୋଉ ଗ୍ୟାରେଣ୍ଟି ? ଫିର ଭି ଯଦି ତା ନାଁ ସ୍ମରଣୀକା ହେଇଥିବ ସିଏ ଏ ଭାଡୁଆକୁ ବାହା ହବ ବୋଲି କୋଉଠି ଲେଖା ହେଇଛି ? ଆଉ ଏ ସବୁ ବାଧାକୁ ପାର ହେଇ ଯଦି ସେ ସ୍ମରଣୀକା ନାମ୍ନୀ ଝିଅକୁ ବାହା ହୁଏ,ତେବେ ବର୍ଷକରେ ସେ ଝିଅ ଏକୁ ଛାଡି ଅନ୍ୟ ରାସ୍ତା ଦେଖିବା ଥୟ ।
ବନ୍ଧୁ ସ୍ମରଣଙ୍କର ପ୍ରେମ ଓ ଦାମ୍ପତ୍ୟ ଜୀବନକୁ ନେଇ ବନ୍ଧୁ ସାଗରଙ୍କ ଭବିଷ୍ୟବାଣୀ ଆମକୁ ଇନ୍ଦିରା ଗାନ୍ଧୀ ପାର୍କ ଆଗରେ ବ୍ରାହ୍ମ ମୁହୂର୍ତ୍ତରୁ ଉପସ୍ଥିତ ରହି ପାର୍କକୁ ପ୍ରାତଃ ଭ୍ରମଣରେ ଆସୁଥିବା ଲୋକ ମାନଙ୍କର ଭାଗ୍ୟ ଓ ଭବିତବ୍ୟ ଉପରେ ମୋହର ମାରୁଥିବା ଜ୍ୟୋତିଷରତ୍ନ ଉପାଧିଧାରୀ ପଣ୍ଡିତଙ୍କ ଆକଳନ ପରି ପ୍ରତୀୟ ହେଲା। ବନ୍ଧୁ ଯୁକ୍ତିରେ ଆମ୍ଭେ ପ୍ରଭାବିତ ହେଉନାହୁଁ ବୋଲି ବୋଧହୁଏ ସେ ଆମ ମୁଖ ଦର୍ଶନରୁ ମନର ଭାଷା ପଢ଼ିନେଲେ। ଆଉ ଟିକେ ଉତ୍ସାହିତ ହୋଇ ସେ ବଖାଣି ଗଲେ,
ବୁଝିଲ ବନ୍ଧୁ, ମୁଁ ତାକୁ ଚ୍ୟାଲେଞ୍ଜ କରିଛି, 'ତୁ ଯଦି ସ୍ମରଣୀକା ନାମ୍ନୀ ଝିଅଟିଏ କୁ ଖୋଜି ପ୍ରେମ ବିବାହ କରୁ, ତେବେ ମୁଁ ମୋ ନିଶ କାଟିଦେବି। ଆଉ ଦେଖ୍ ତତେ ଯଦି ସ୍ମରଣୀକା ନାମ୍ନୀ ଝିଅ ମିଳିଯିବ, ମୋ ପାଇଁ ବି ସାଗରିକା ନାମ୍ନୀ ଝିଅ ସ୍ୱର୍ଗରୁ ଓହ୍ଲେଇ ଆସିବ । ଏଇଟା ମୋର ତୋତେ ଓପନ ଚ୍ୟାଲେଞ୍ଜ।'
ଆରେ ଇଏ କି ଅଦ୍ଭୁତ ଯୁକ୍ତି ଆଉ ପାଗଳାମି ! ହଉ ଭଲ କଥା, ଏବେ ସିଏ ଭାସ୍କୋଡାଗାମା ଓ ତୁମେ କଲମ୍ବସ ପରି ନିଜର ଅମୂଲ୍ୟ ରତ୍ନ ଆବିଷ୍କାର ପାଇଁ ପରିଭ୍ରମଣରେ ବାହାରି ପଡ ।
ସ୍ନାତକ ପଢା ସରିଗଲା। ବନ୍ଧୁ ସ୍ମରଣକୁ ସ୍ମରଣୀକା ମିଳିଲା ନା ବନ୍ଧୁ ସାଗରକୁ ସାଗରିକା ! ସେ ପୁରୁଣା ଚ୍ୟାଲେଞ୍ଜ ହୁଏତ ବିସ୍ମରଣର ଅତଳ ଗର୍ଭକୁ ଚାଲି ଯାଇଥାନ୍ତା ଧୀରେ ଧୀରେ ସମୟ ଚକ୍ରର ଘୁର୍ଣ୍ଣାୟମାନରେ। କିନ୍ତୁ ସେମିତି ଘଟିଲା ନାହିଁ। ସ୍ନାତକୋତ୍ତର ପଢ଼ିଲୁ ଆମେ ବାଣୀ ବିହାରରେ ।ସାଗର ଓ ମୋର ରାଜନୀତି ବିଜ୍ଞାନ ଥିବା ବେଳେ ସ୍ମରଣର ହେଉଛି ସମାଜ ତତ୍ତ୍ୱ ।ଉପର ତଳ ହେଇ ଗୋଟିଏ କୋଠାରେ ଆମରି ବିଭାଗ। ବିଲେଇ ଭାଗ୍ୟକୁ ଶିକା ଛିଡିଲା ପରି ସମାଜ ତତ୍ତ୍ୱ ବିଭାଗରେ ନାଁ ଲେଖେଇ ଥିଲା ଜଣେ ସୁନ୍ଦରୀ ଝିଅ,ନାଁ ଯାହାର ଥିଲା ସ୍ମରଣୀକା ।
ସ୍ମରଣ କହି ବୁଲିଲା ସାଗର ଆଗରେ, ଯନ୍ତା ବସେଇଛି, ଦେଖ୍ ମୂଷା ଆସି କେମିତି ପଶିବ। ସାଗର ସ୍ଥିର ନିଶ୍ଚିତ ଥିଲା ଏ ଗର୍ବୀ, ଅହଙ୍କାରୀ ଓ ଫୁଟାଣିଆକୁ ସ୍ମରଣୀକା ପାଖ ପୁରେଇ ଦେବ ନାହିଁ, ପ୍ରେମ କରିବା ବହୁ ଦୂର କଥା, ଆକାଶ କଇଁଆ ଚିଲିକା ମାଛ ପରି। କିନ୍ତୁ ଘଟଣା ଘଟିଲା ଓଲଟା। ଫୁଟାଣିଆ, ଷ୍ଟାଇଲ ମାରୁଥିବା ଓ ଛଟକ ଦେଖୋଉଥିବା ପିଲାମାନେ ହିଁ ଝିଅ ମାନଙ୍କର ପ୍ରଥମ ପସନ୍ଦ ବୋଧହୁଏ । ଧୀର, ସ୍ଥିର, ଶାନ୍ତ ସୁଧାର ପିଲାଟିଏ କୁ ଦେଖିଲେ ସେମାନେ ନାକ ଟେକନ୍ତି ଓ ସମୟେ ସମୟେ ତାକୁ ନେଇ ଟାହି ଟାପରା ମଧ୍ୟ କରିବାକୁ ପଛାନ୍ତି ନାହିଁ। ଚୁମ୍ବକ ଲୁହାକୁ ଆକର୍ଷଣ କଲା ପରି ସ୍ମରଣୀକା ଟାଣି ହେଇ ଯାଉଥିଲା ସ୍ମରଣ ଆଡକୁ।
ରୋମିଓ-ଜୁଲିଏଟ କି ଲଇଲା- ମଜନୁ ପରି ଘୁରି ବୁଲୁଥିଲେ ସେମାନେ କ୍ୟାମ୍ପସରେ, କେତେବେଳେ ଅଳକା ମାର୍କେଟରେ, କେତେବେଳେ ପୋଷ୍ଟ ଅଫିସ ପାଖ ଗଛମୂଳେ କିମ୍ବା ପାଣି ଟାଙ୍କି ପାଖରେ । ସେମାନଙ୍କର କେତେବେଳେ ଲୁଚା ଛୁପା ତ କେତେବେଳେ ଖୁଲମ ଖୁଲା ମିଳାମିଶାର ଦୃଶ୍ୟ ସାଗର ଦେହରେ ଛୁଞ୍ଚି ପରି ଫୋଡି ହେଇ ଯାଉଥାଏ । ସେମାନଙ୍କ ଠାରୁ ଦୂରେଇ ରହିବ ବୋଲି ମନସ୍ତ କଲା। ସାଗର ଏବେ ପଢ଼ାରେ ମନ ଦେଲା । ପରିଜା ଲାଇବ୍ରେରୀରେ ତାର କଟିଲା ବହୁ ସମୟ । ନା, ସେ ପଢ଼ାରେ ମନ ଦେଇ ପାରିଲା ନାହିଁ ,କାରଣ ଏଇ ରଙ୍ଗୀନ ଯୋଡି ଏବେ ପରିଜା ଲାଇବ୍ରେରୀକୁ ବାଛି ଥିଲେ ପ୍ରକୃତ କ୍ଷେତ୍ର ଭାବେ ତାଙ୍କ ପ୍ରେମ ବୃକ୍ଷର ବୀଜ ବପନ ପାଇଁ। ସ୍ମରଣ ସ୍ମରଣୀକାର ନେଲ୍ ପଲିସ ବୋଳା ଆଙ୍ଗୁଠିକୁ ଧରି କିଛି କହୁ ଥିବାର ଦୃଶ୍ୟ କିମ୍ବା ସ୍ମରଣୀକାର ଅମାନିଆ ସାମ୍ପୁକରା କେଶ ସ୍ମରଣର ଚିବୁକ ଉପରେ ଲହଡି ଭାଙ୍ଗିବାର ଅସ୍ପଷ୍ଟ ଚିତ୍ର ସାଗର ଦୃଷ୍ଟିରେ ଯେତେବେଳେ ପଡେ ସେ ହୁଏ ଆନମନା। ତା ଦେହରେ ଶିହରଣ ହେଉଥିଲା କି ଅସୁୟା ଭାବ ଯୋଗୁ ଉତ୍ତେଜନା ସୃଷ୍ଟି ହେଉଥିଲା ତାହା ସାଗର ଜାଣି ପାରୁ ନ ଥିଲା । ସେ ପରିଜା ଲାଇବ୍ରେରୀ ଯିବା ବନ୍ଦ କରି ଦେଲା। ମନରେ ତାର ପୁଣି ଜାଗିଲା ଦୁର୍ବାର ଲାଳସା ସାଗରିକାକୁ ସନ୍ଧାନ କରିବାରେ । ବୁଲିଲା ସେ ସବୁ ଡିପାର୍ଟମେଣ୍ଟ , ସେ ବିଭାଗର କିରାଣୀକୁ କିଛି ହାତ ଗୁଂଜା ଦେଇ ନାମ ଲେଖା ରେଜିଷ୍ଟରର ତନ୍ନ ତନ୍ନ କରି ପୋଷ୍ଟ ମର୍ଟମ କଲା। ଆଶା କାଳେ କୋଉଁଠି ସାଗରିକା ନାମ୍ନୀ ଝିଅଟିଏ ନାମ ଲେଖେଇଥିବ ।
ନା, ସାଗରିକା ମିଳୁ ନ ଥାଏ । ନିରାଶ ହେଉଥାଏ ସାଗର ।କିନ୍ତୁ ଛାଡି ନ ଥାଏ ଆଶା। ଇତି ମଧ୍ୟରେ ପରିଜା ଲାଇବ୍ରେରୀରେ ସ୍ମରଣ ଓ ସ୍ମରଣୀକା ଯେଉଁ ପ୍ରେମ ବୃକ୍ଷର ବୀଜ ବପନ କରିଥିଲେ ସେଥିରେ ଅଙ୍କୁରୋଦ୍ଗମ ହେଇ କଅଁଳିଆ ପତ୍ର ସହିତ ଶାଖା ପ୍ରଶାଖା ମଧ୍ୟ ବାହାରିଲାଣି।ବର୍ଷେ ବିତିଗଲା , କିନ୍ତୁ ସାଗରିକା ମିଳିଲା ନାହିଁ।
ସାଗରକୁ ଦେଖି କେହି କେହି ସାଙ୍ଗ ଗୀତ ଗାଉଥିଲେ, ସାଗର କୂଳେ ଦିନେ ଦେଖିଲି ଝିଅ ଟିଏ.... ,କିବା ସାଗର କିନାରେ ଦିଲ ଏ ପୁକାରେ...। ସାଗର କିନ୍ତୁ ନିରବ ରହୁଥିଲା।
ସ୍ନାତକୋତ୍ତର ଦ୍ଵିତୀୟ ବର୍ଷରେ ଘଟିଲା ଏକ ଚମକ ପ୍ରଦ ଘଟଣା। ଜ୍ୟୋତି ବିହାରରୁ ଟ୍ରାନ୍ସଫର ହେଇ ଆସିଲା ଝିଅଟିଏ,ନାଁ ଯାହାର ଥିଲା ସାଗରିକା। ସେ ଥିଲା ଭିନ୍ନ କିସମର ଝିଅ, ଗୋଠରୁ ବାହାର । ମାନେ ସବୁ ଝିଅ ପ୍ରାୟତଃ ଡ୍ରେସ ପିନ୍ଧି ଆସୁଥିବା ବେଳେ ସେ କେବଳ ପିନ୍ଧୁଥିଲା ଶାଢ଼ୀ । ଚମ୍ପା କଢି ପରି ତା ଦିହର ରଙ୍ଗ । ସରୁ ପାନ ପତ୍ର ପରି ଗୋରା ମୁହଁରେ ହରିଣୀର ଆଖି ପରି ଦୁଇଟି ଢଳ ଢଳ ଆଖିରେ କଜ୍ଜଳର ଧାର ତାକୁ ବନେଇ ଦେଇଥାଏ ଗୋଟିଏ ଚାଉଳରେ ଗଢ଼ା ଅପରୁପା ସୁନ୍ଦରୀ ଟିଏ ଭଳି। ପୃଷ୍ଟ ଭାଗ ପର୍ଯ୍ୟନ୍ତ ଲମ୍ବିଥିବା ବେଣୀ ସହିତ ତାର ମଦ ମତ୍ତ ଛନ୍ଦାୟିତ ଗଜ ଗମନୀ ଚାଲି ଆମ ବିଭାଗର କିଛି ଅଦିନିଆ ରସିକ ପ୍ରବରଙ୍କୁ ଆକୃଷ୍ଟ କରିଥିବା ବେଳେ ଆଉ କିଛିଙ୍କୁ କରିଥିଲା ବାଇଆ । ଆଉ ସାଗର ଆମର ସେଥିରୁ ବାଦ୍ ପଡ଼ନ୍ତା କିପରି। ସାଗରିକାର ଯୋଉ ଗୁଣଟା ସାଗରକୁ ବେଶୀ ଆକର୍ଷିତ କରିଥିଲା ତାହା ହେଲା ତାର ଅସମ୍ଭବ ପ୍ରକାର ନୀରବତା ଓ ଲାଜକୁଳୀ ଭାବ। ଯେଉଁଦିନ ସିଏ ବିଭାଗକୁ ପ୍ରଥମେ ଆସିଲା ବନ୍ଧୁ ସାଗର ତାଙ୍କର ବହୁ ଇପସିତ ଜିନିଷ ଟି ମିଳିଗଲା ବୋଲି ଭାବି ଉତ୍ତଫୁଲିତ୍ତ ହୋଇ ଉଠିଲେ । ଆର୍କମେଡିସ ଗାଧୁଆ କୁଣ୍ଡରେ ନିଜ ବସ୍ତ୍ର ଛାଡି 'ୟୁରେକା' 'ୟୁରେକା' କହି ବଜାର ମଧ୍ୟରେ ଦୌଡ଼ିବା ଭଳି ବନ୍ଧୁ ସାଗର ଦ୍ରୁତ ପଦରେ ବିଭାଗରୁ ଝପଟି ଆସି ଆମ ପ୍ରଥମ ଛାତ୍ରାବାସର କୋଠରୀରେ ପହଂଚି ଘୋଷଣା କରିଦେଲେ , 'ବନ୍ଧୁ ପାଇଗଲି' ।
କଣ ମଣି ନା ମୁକ୍ତା ପାଇଲ ବନ୍ଧୁ ?
ମୋର ପ୍ରଶ୍ନଟି ବୋଧହୁଏ ତାଙ୍କୁ ବିଦ୍ରୁପ କିମ୍ବା ତାଛଲ୍ୟ ପରି ଲାଗିଥିବ ।
କିନ୍ତୁ ସେଥିରେ ସେ ଭାଙ୍ଗି ନ ପଡି ଉତ୍ସାହିତ ହେଇ କହି ପକେଇଲେ, 'ସାଗରିକା ମିଳିଗଲା'
ତାହେଲେ ତୁମକୁ ଆଉ ମୁଛ ଛେଦନ କରିବାକୁ ପଡିବ ନାହିଁ।
ସାର୍ଟ କଲରକୁ ଅମୀର ଖାନଙ୍କ 'ରଙ୍ଗିଲା' ଫିଲ୍ମ ଷ୍ଟାଇଲ ପରି ଟେକିଦେଇ ସେ ଭବିଷ୍ୟ ବାଣୀ ଶୁଣେଇ ଦେଲେ,
ଆଗେ ଆଗେ ଦେଖୋ ୟାର ହୋତା ହେ କ୍ୟା ।
ସାଗରିକା ବହୁତ କମ୍ କଥା କହୁଥିଲା, ଆଉ ଯେତେବେଳେ କହୁଥିଲା ତା କଣ୍ଠରୁ ଯେପରି ମହୁ ଝରୁଥିଲା। ସାଗରିକା ପାଖରେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଓ ସାଗର ନାମରେ ଜଣେ ଛାତ୍ର ବି ସେଇ ବିଭାଗରେ ଅଛି ବୋଲି ପ୍ରତି ପାଦନ କରିବା ପାଇଁ ସାଗର ପରବର୍ତ୍ତୀ ସେମିନାରରେ ମହିଳା ସଶକ୍ତିକରଣ ଉପରେ ଏକ ସନ୍ଦର୍ଭ ପାଠ କଲା।ସେମିନାର ପରେ ସାଗରିକା ତାକୁ ଯେତେବେଳେ କହିଲା 'ଆପଣଙ୍କ ସନ୍ଦର୍ଭଟି ବହୁତ ଉଚ୍ଚ କୋଟିର ଥିଲା', ସାଗରକୁ ଲାଗିଲା ଆକାଶରୁ ଚାନ୍ଦ ଖସି ପଡିଛି ତା ହାତରେ। ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ବିଜୟ ଲାଭ କରି ଫେରିଲା ପରି ସାଗର ଆମ ପ୍ରକୋଷ୍ଟ ଭିତରକୁ ପଶି ଆସି ମୃଦୁ ହସ ଟେ ଫୋଫାଡ଼ି ଦେଇ କହି ଉଠିଲା
"ଗୁରୁ ଦେବ,ପଡ଼ିଗଲି "
ପଡିଗଲ ! କୋଉଠି ପଡିଲ ? ଗୋଡ ହାତ ଖଣ୍ଡିଆ ହେଇ ନାହିଁ ତ !
ଆମ ଉତ୍ତରଟା ସମବେଦନା ଥିଲା କି ପରିହାସ ଥିଲା ଠଉରେଇ ନ ପାରି ସେ ଦାର୍ଶନିକ ଠାଣିରେ କହିଲା,
ବନ୍ଧୁ, ପ୍ରେମରେ ପଡ଼ିଗଲି..... ସାଗରିକାର ପ୍ରେମରେ ।
ତୁମ ଫାଶରେ ସେ ପଡିଲା, ନା ତମେ ତା ଫାଶରେ ପଡିଲ ?
ଏକା କଥା ବନ୍ଧୁ।
ତା ପର ଠାରୁ ସାଗର ବନି ଯାଇଥିଲା ଏକ ଭିନ୍ନ ମଣିଷ। ସାଗରିକାର ପ୍ରେମରେ ସେ ଉବୁଟୁବୁ ହେଉଥିଲା। ସାଗରିକା ବନି ଯାଇଥିଲା ସାଗର ପାଇଁ କେତେ ବିନିଦ୍ର ରଜନୀରେ ଅନ୍ତଃହୀନ ଭାବନାର ଶେଷ ଠିକଣା, ତନ୍ଦ୍ରାୟିତ ରାତ୍ରୀର ସ୍ବପ୍ନର ନାୟିକା, ତା ପ୍ରେମ ଓ ବିରହ କବିତାର ଅସରନ୍ତି ପାଖୁଡା। ସାଗର କବିତା ଲେଖୁଥିଲା,କବିତାର ଥିଲା କେବଳ ଗୋଟିଏ ନାୟିକା-ସାଗରିକା। ଔପଚାରିକ ଭାବେ ସାଗରିକା ପାଖରେ ପ୍ରସ୍ତାବ ଟିଏ ରଖିବା ପାଇଁ କିନ୍ତୁ ସାଗର ସାହସ ଜୁଟେଇ ପାରୁ ନ ଥାଏ କାରଣ ତାକୁ ଏକୁଟିଆ ପାଇବା ଥିଲା ଏକ ଦୁରୁହ ବ୍ୟାପାର। ଲୁଚି ଲୁଚି ସେ ନିରୀକ୍ଷଣ କରୁଥିଲା ତା ମନର ପ୍ରେୟସୀକୁ। ତାକୁ ବି ଲାଗୁଥିଲା ସାଗରିକା ବୋଧହୁଏ ସେମିତି ଲୁଚି ଲୁଚି ଚାହୁଁଚି ତାକୁ । ହୁଏତ ଏଇଟା ତା ମନର ଭ୍ରମ ହେଇପାରେ, ପ୍ରେମରେ ପଡିଲେ ଲୋକଙ୍କୁ ସେମିତି ମରୀଚିକା ଟା ମଧୁର ଜଳ ହ୍ରଦର ଭ୍ରମ ସୃଷ୍ଟି କରେ ।କିନ୍ତୁ ଅକସ୍ମାତ ଯଦି ଚାରି ଆଖିର ମିଳନ ହେଇ ଯାଉଥିଲା ସାଗର ଲାଜେଇ ଯାଇ ଦୃଷ୍ଟି ବୁଲେଇ ନେଉଥିଲା ।ଏ ଲୁଚା ଛପା ଖେଳ କିନ୍ତୁ ବେଶୀ ଦିନ ଚାଲିଲା ନାହିଁ। ସ୍ନାତ୍ତକୋତ୍ତର ଶେଷ ପରୀକ୍ଷାର ଚାରି ମାସ ପୂର୍ବରୁ ଅଚାନକ ପନ୍ଦର ଦିନ ପାଇଁ ସାଗରିକାର ଅନ୍ତର୍ଦ୍ଧାନ ଓ ଫେରିବା ପରେ ତା ସିଂଥିରେ ସିନ୍ଦୁର ପ୍ରମାଣ କରିଦେଲା ସେ ବିବାହ କରି ଫେରିଛି।
ସ୍ମରଣ- ସ୍ମରଣୀକାଙ୍କର ପ୍ରେମର ବୃକ୍ଷଟି ହୃଷ୍ଟ ପୃଷ୍ଟ ହେଇ ଶାଖା ପ୍ରଶାଖା ମେଲେଇ ମହାଦ୍ରୁମରେ ପରିଣତ ହେବାକୁ ବସିଥିବା ବେଳେ ସାଗରର ପ୍ରେମ ମଞ୍ଜିଟି ପକେଟ ଭିତରେ ରହି ରହି ଗଜା ମରୁଡି ହେଇଗଲା। ସାଗରର ଏହି ଅକୁହା ପ୍ରେମ ଗାଥା ସାଗରିକା ସିଂଥିରେ ସିନ୍ଦୁର ଟୋପା ପାଖରେ ଅକାଳ ସମାଧି ନେଇଗଲା।
ବିରହର ଜ୍ବାଳାରେ କିଛି ଦିନ ଜଳିଲା ସାଗର। ପ୍ରେମ ଓ ବିରହକୁ ନେଇ ଲେଖିଲା ଅନେକ କବିତା ।ପ୍ରକାଶ ପାଇଲା ସେ ସବୁ ସମକାଳୀନ ସାହିତ୍ୟ ପତ୍ରିକାରେ । ମିଳିଲା ପାଠକୀୟ ସ୍ୱୀକୃତି ଚିଠି ମାଧ୍ୟମରେ । ବିଶେଷ କରି ଯୁବତୀ ମାନଙ୍କ ପାଖରୁ ଆସିଲା ଅନେକ ଚିଠି । କେହି କେହି ମଧ୍ୟ ଚିଠିରେ ପ୍ରେମ ନିବେଦନ କରିବାର ଦେଖାଗଲା। ଚିଠି ଆସୁଥିଲା ସ୍ବାତୀ,ସୁନନ୍ଦା,ଦୀପ୍ତି, ବର୍ଷା,ଲିତା,ମିତା ଆଦି ନାମ୍ନୀ ଯୁବତୀ କିମ୍ବା ନାରୀ ମାନଙ୍କ ଠାରୁ ଯେଉଁ ମାନେ ଥିଲେ ତା କବିତାର ଅସଂଖ୍ୟ ପ୍ରଶଂସିକା। ସାଗର କିନ୍ତୁ ଖୋଜୁଥିଲା କେବେ ସାଗରିକା ନାମ୍ନୀ ଝିଅଟିଏ ଠାରୁ ପ୍ରଶଂସା ସୂଚକ ପତ୍ର ଖଣ୍ଡେ ଆସନ୍ତା ନାହିଁ !
ସାଗର ଭାଙ୍ଗିପଡ଼ିଥିଲା ତାର ପରାଜୟରେ ,କିନ୍ତୁ ଆଶା ଛାଡି ନ ଥିଲା। ଭୀମ ପ୍ରଥମେ ହାରେ,ଦ୍ବିତୀୟ ଯୁଦ୍ଧରେ ତାର ଜିତାପଟ ଥୟ ନ୍ୟାୟରେ ସାଗର ଥିଲା ଆଶାବାଦୀ । ସେ ସମୟର ଏକ ଜନପ୍ରିୟ ସାହିତ୍ୟ ପତ୍ରିକାରେ ସାଗରର ଏକ କବିତା 'ନିରବ ଯାତ୍ରା' ପଢିଲା ପରେ ତା ପାଖକୁ ଆସିଥିଲା ଅନେକ ଚିଠି। ପ୍ରେମରେ ଧକ୍କା ଖାଇ ସେ ପୁଣି ନିରବି ଯିବ ବା ଏ ଦୁନିଆ ଛାଡ଼ିଦେଵ ବୋଲି ଯେଉଁ କଳନା କରିଥିଲା ତାହା ତାର ବହୁ ଯୁବତୀ ପ୍ରଶଂସକଙ୍କୁ ନିରାଶ କରିଥିଲା । କିନ୍ତୁ ପ୍ରଥମ ଥର ପାଇଁ ସାଗରିକା ନାମ୍ନୀ ଯୁବତୀଠାରୁ ପ୍ରଶଂସା ସୂଚକ ପତ୍ର ପାଇ ସାଗର ଉଲ୍ଲସିତ ହେଇଥିଲା। ସେ ସାଗରିକା କାଳେ ସାଗରର ସବୁ ପ୍ରକାଶିତ ପ୍ରେମ କବିତାକୁ ସାଇତି ରଖିଛି ଓ ବାରମ୍ବାର ପଢ଼ିବା ସହିତ, ସେ ସାଗରର ଜଣେ ଗୁଣମୁଗ୍ଧା ନିୟମିତ ପାଠିକା ବୋଲି ଚିଠିରେ ଲେଖିଥିଲା । ସାଗର ଭଳି ଜଣେ ନିର୍ମଳ ହୃଦୟ ଆଦର୍ଶ ପୁରୁଷ ପ୍ରତି ଯୋଉ ଯୁବତୀ ବିଶ୍ବାସ ଘାତକତା କରିଛି ତାକୁ ଗାଳି ବର୍ଷଣ କରିବାରେ ମଧ୍ୟ ସେ ପଛେଇ ନ ଥିଲା। ବିଭୋର ହେଲା ସେ ଚିଠି ପଢି ସାଗର । ଖୋଜିଲା ତାର ଠିକଣା । କିନ୍ତୁ ଚିଠିରେ ନ ଥିଲା ଠିକଣା। ତା ପର କୁ ପର ତିନି ଚାରୋଟି ଚିଠି ଆସିଲା ସାଗରିକା ପାଖରୁ କିନ୍ତୁ ନ ଥିଲା ଠିକଣା କୋଉଥିରେ। କେବଳ ଡାକ୍ତରଙ୍କ ପ୍ରେସକ୍ରିପ୍ସନ କିମ୍ବା ବସ କଣ୍ଡକ୍ଟରଙ୍କ ଲେଖା ପରି ଅତ୍ୟନ୍ତ ଅସ୍ପଷ୍ଟ ପୋଷ୍ଟ ଅଫିସ ଷ୍ଟାମ୍ପରୁ କେବଳ B, L ଓ R ଇଂରାଜୀ ଅକ୍ଷର ଗୁଡିକ ଦେଖାଗଲା। ହୁଏତ ସାଗରିକା ବଲାଙ୍ଗୀର କିମ୍ବା ବାଲେଶ୍ଵର କିମ୍ବା ବାଙ୍ଗାଲୋରରେ ରହୁଥାଇ ପାରେ ବୋଲି ଅନୁମାନ କରି ନିଜର କିଛି ସାହିତ୍ୟିକ ବନ୍ଧୁଙ୍କ ସହାୟତାରେ ବଲାଙ୍ଗୀର ଓ ବାଲେଶ୍ୱରରେ ବହୁଳ ପ୍ରଚାରିତ ସାହିତ୍ୟ ସଭାମାନ ଆୟୋଜନ କଲା। କିନ୍ତୁ କୌଣସି ସଭାରେ ସାଗରିକା ନାମ୍ନୀ କବିତା ପ୍ରେମୀ ଝିଅଟିଏର ଉପସ୍ଥିତି ନ ଥିଲା। ସାଗରିକା, ସାଗର ପାଇଁ ଏକ ମୃଗତୃଷ୍ଣା ଯେପରି ବନି ଯାଉଥାଏ । ଇତ୍ୟବସରରେ ସ୍ମରଣ -ସ୍ମରଣୀକାଙ୍କ ପ୍ରେମ ବୃକ୍ଷଟି ବର୍ତ୍ତମାନ ଦାମ୍ପତ୍ୟ ବୃକ୍ଷରେ ପରିଣତ ହୋଇ କଦଳୀ ଗଛ ମୂଳରୁ ପୁଆ ବାହାରିବା ପରି ତାଙ୍କର ପାଞ୍ଚ ବର୍ଷର ସୌମ୍ୟଦର୍ଶନ ପୁତ୍ର ସହିତ ସୁଖ ସଂସାରର ଯାନ କେବଳ ଗଡୁ ନଥାଏ ଦ୍ରୁତ ବେଗରେ ଧାଵମାନ ହେଉଥାଏ । ସାଗରର ଏକ ଚକିଆ ଯାନଟି କିନ୍ତୁ ପଙ୍ଗୁ ପ୍ରାୟ ଚଳତ୍ ଶକ୍ତି ହୀନ ହୋଇ ପଡି ରହିଥାଏ ।
ଜୀବନ ଜୀବିକା ସନ୍ଧାନ ପ୍ରକ୍ରିୟାରେ ଏକ ଜାତୀୟ କରଣ ବ୍ୟାଙ୍କରେ କିରାଣୀ ଭାବରେ ଯୋଗ ଦେଲା ସାଗର ଓ ଅବସ୍ଥା ଚକ୍ରରେ ମୁଁ ଚାକିରୀ କରୁଥିବା ସହରରେ ତାର ପୋଷ୍ଟିଂଗ ହେଲା। ମୋ ପତ୍ନୀଙ୍କ ଅନିୟମିତ ଅନୁରୋଧ, 'ସାଗର ଭାଇ ଏବେ ହାତକୁ ଦୁଇ ହାତ ହୋଇ ଯାଆନ୍ତୁ' ଅନୁରୋଧକୁ କିନ୍ତୁ ଏଡେଇ ଯାଉଥିଲା ସାଗର ।
ନୂଆ ଏକାଉଣ୍ଟ ଖୋଲିବା ଓ ଜମା ବୃଦ୍ଧି କରିବା ପାଇଁ ବ୍ୟାଙ୍କ ତରଫରୁ ଥାଏ ଚାପ । ସାଗର ପାଖକୁ ଆସିଲା ଏକ ଫୋନ
"ସାର୍ ମୋର ଆକ୍ସିଡେଣ୍ଟ ହୋଇଯାଇଛି ,ଚାଲି ପାରୁନାହିଁ,କିନ୍ତୁ ମୋର ଜରୁରୀ ଏକ ଏକାଉଣ୍ଟ ଖୋଲିବା ଦରକାର । କାରଣ ମୋ ପ୍ରଥମ ମାସର ଦରମା ଆସିବ ସେଇ ଏକାଉଣ୍ଟରେ । ମୁଁ ସବୁ ଡକୁମେଣ୍ଟ ମେଲ୍ କରି ଦେଉଛି ,ପ୍ଲିଜ ମୋର ଗୋଟେ ଏକାଉଣ୍ଟ ଖୋଲି ଦିଅନ୍ତୁ ,ପ୍ଲିଜ ସାର୍।"
କି ମଧୁର ଏ ସ୍ୱର, କିଏ ଏଇ କୋକିଳ କଣ୍ଠି ଯୁବତୀ !ତାର ବୀଣା ଜିଣା ସ୍ୱର ସାଗରକୁ କଲା ମତୁଆଲା। କାଗଜାତ୍ ଯଥା ପ୍ୟାନ କାର୍ଡ ଓ ଆଧାର କାର୍ଡ ପରିଖିଲା ସାଗର। ନାଁ ତାର ସାଗରିକା। ସେଇ କାର୍ଡ ରେ ସ୍ବାମୀଙ୍କ ବିଷୟରେ କିଛି ସୂଚନା ନାହିଁ,କେବଳ ପିତାଙ୍କ ନାମ ଲେଖା ହୋଇଛି।ଅବିବାହିତ ନିଶ୍ଚୟ । ବୟସ ସତେଇଶି ,ଚାକିରିର ପ୍ରଥମ ମାସ। ସାଗରକୁ ପଇଁତିରିଶ । ଏ ସୁଯୋଗ ହାତ ଛଡା କରିବାର ନୁହେଁ । କିଛି ସମୟ ମଧ୍ୟରେ ଏକାଉଣ୍ଟ ଖୋଲି ଦେଇ ସାଗର ପହଞ୍ଚିଲା ମୋ ଅଫିସରେ । ଆଜି ସେ ଆଉଥରେ ପାଇଛି ଆଉ ଏକ ସାଗରିକାକୁ । ତାର ନୀରବତା ପାଇଁ ସେ ହରେଇ ଥିଲା ସହପାଠିନୀ ସାଗରିକାକୁ। ମୋର ସାହାଚାର୍ଯ୍ୟ ଲୋଡୁଛି କଥାକୁ ଆଗେଇ ନେବା ପାଇଁ। ନୂଆ ବ୍ୟାଙ୍କ ପାସ ବୁକ ଧରି ଦୁଇ ବନ୍ଧୁ ଚାଲିଲୁ ସାଗରିକାର ବାସସ୍ଥାନ ଅଭିମୁଖେ । କାର୍ଯ୍ୟଟି କେଡେ ସଅଳ ଓ ସରଳ ଭାବେ କରିଥିବାରୁ ସାଗରିକାକୁ ଇଂପ୍ରେସ କରିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜାପତି ଘଟସୂତ୍ରର କାର୍ଯ୍ୟଟି ମୁଁ ସମାପନ କରିବି ବୋଲି ବନ୍ଧୁଙ୍କର ମୋ ଉପରେ ଥାଏ ଅଗାଧ ବିଶ୍ବାସ ।
ଗ୍ରାହକଙ୍କ ଦ୍ୱାର ପାଖରେ ସେବା ପାଇଁ ବ୍ୟାଙ୍କ କିପରି ତତ୍ପର ସେ କଥା ବୁଝେଇବା ଅଭିଯାନରେ ବାହାରି ଥିବା ଦୁଇ ବନ୍ଧୁଙ୍କର ଅଭିଳଷିତ ଆଶା ଟି କିନ୍ତୁ ନିରାଶାରେ ପରିଣତ ହୋଇଥିଲା ଗ୍ରାହକ ଈଶ୍ୱର ସାଗରିକା ଦେବୀଙ୍କୁ ଦର୍ଶନ କରି। ସାଗରିକାଙ୍କର ମଥାରେ ଏକ ଲାଲ ସିନ୍ଦୁର ଟୋପା ଆମକୁ ଟ୍ରାଫିକ ଲାଇଟର ରେଡ୍ ସିଗନାଲ୍ ପରି ପ୍ରତୀୟ ମାନ ହେବା ସହିତ ଆଗକୁ ଖତରା ଅଛି ବୋଲି ଭାବି ୟୁ ଟର୍ନ ନେବା ବ୍ୟତୀତ ଅନ୍ୟ ଗତ୍ୟନ୍ତର ନ ଥିଲା। ସାଗରିକା କୁ ଭୁଲି ଅନ୍ୟ ପନ୍ଥା କି ପଥ ଅନୁସରଣ କରିବା ପାଇଁ ବନ୍ଧୁଙ୍କୁ ମୋ ପରାମର୍ଶର ଉତ୍ତରରେ ସେ ମୋତେ ମନେ ପକେଇ ଦେଲେ ସ୍କୁଲରେ ଆମେ ପଠନ କରିଥିବା ଏକ ଅଧ୍ୟାୟ 'ଲାଗି ଲାଗି ପାଇଲେ' ଯେଉଁଥିରେ ସାର୍ ରୋନାଲଡ଼ ରସ କିପରି ନିରବଛିନ୍ନ ପ୍ରୟାସ ଜାରି ରଖି ମାଈ ଏନୋଫିଲିସ ମଶା ମ୍ୟାଲେରିଆ ରୋଗର ବାହକ ବୋଲି ଉଦ୍ଭାବନ କରିଥିବାର ବର୍ଣ୍ଣନା ହେଇଥିଲା। ମୁଁ କିନ୍ତୁ ଭାବୁଥିଲି ବନ୍ଧୁ ଆମର ସାର୍ ରୋନାଲଡ଼ ରସ ହେବେ କି କଲମ୍ବସ ହେବେ ଜଣା ନାହିଁ, କିନ୍ତୁ କବିତା ଲେଖା ଛାଡି ଯଦି ସେ "ସାଗରିକାର ସନ୍ଧାନରେ" ଶୀର୍ଷକ ଉପନ୍ୟାସଟିଏ ଲେଖନ୍ତେ ତେବେ ତାହା ଜାତୀୟ କି ରାଜ୍ୟ ସ୍ତରରେ ନହେଲା ନାହିଁ ପାଠକୀୟ ସ୍ତରରେ ନିଶ୍ଚୟ ପୁରସ୍କାର ଟିଏ ପାଆନ୍ତା ।

