Dr Ganeswar Jena

Drama Tragedy

4.5  

Dr Ganeswar Jena

Drama Tragedy

ଚାରିଶଅଶୀ

ଚାରିଶଅଶୀ

8 mins
376



୧୯୭୧ ମସିହା ବାତ୍ୟାର ସେ କରାଳ ରୂପ ଯେବେ ସ୍ମରଣ ହୁଏ, ବିଜୟ ମଧ୍ୟରେ ସୃଷ୍ଟି ହୁଏ ହୃତ କମ୍ପନ, ଯେମିତି କମ୍ପନ ସୃଷ୍ଟି ହୁଏ ଧରିତ୍ରୀ ମାତା ବକ୍ଷରେ ଅବାଂଛିତ ଭୂମିକମ୍ପକୁ ସାମ୍ନା କରି। ବିଜୟକୁ ସେତେବେଳେ ପ୍ରାୟ ନଅ କି ଦଶ ବର୍ଷ। 


ଦିନ ଚାରିଟାଠାରୁ ବଳ ଗୋଟାଉଥିବା ବାତ୍ୟା ରାତି ଦଶଟା ବେଳକୁ ଉଗ୍ର ରୂପ ଧାରଣ କରି ଯେପରି ମାଡି ଆସୁଥିଲା ରଚିବାକୁ ଧ୍ବଂସର ତାଣ୍ଡବ ଲୀଳା। ପବନ ବି ଏଭଳି ଘୋର ଗର୍ଜନ କରିପାରେ, ସେ କଥା ହେତୁ ହେଇଥିଲା ବିଜୟକୁ ସେଇଦିନ। ତୁହାକୁ ତୁହା ଅନବରତ ବର୍ଷା ସହିତ ପବନର ସୁ ସୁ ଭୟାନକ ଶବ୍ଦ ଯେମିତି ଜଣେଇ ଦେଉଥିଲା ଆକାଶ,ବାୟୁ ଓ ପୃଥିବୀ ଏକାକାର ହେଇ ଯାଇଛନ୍ତି ଏ ସୃଷ୍ଟିକୁ ବିଲୟ କରିବା ପାଇଁ।


ବିଜୟ ବାପାଙ୍କର ତିନି ବଖରା ଚାଳ ଛପର ଘରର ମଥାନ ଯେ ଏଇ ବାତ୍ୟାର ଖିଆଲି ଆନ୍ଦାଜରେ ଭସା ବାଦଲ ପରି ଭାସି ନ ଯିବ ସେ ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ। ବର୍ଷା ଓ ପବନ ତାଙ୍କ ଦାୟିତ୍ୱ ତୁଲେଇବାରେ ପ୍ରାୟ ହେଳା କରୁ ନଥାନ୍ତି, ଛପରର କିଛି ଅଂଶ ବୋଧହୁଏ ପବନର ନିର୍ଦ୍ଦେଶ ମାନି ମଥାନର ସାଙ୍ଗ ଛାଡି ଦେଇ ଉଡି ଗଲାଣି । ବର୍ଷାର ଧାର ଟପ୍ ଟପ୍ ହେଇ ଗୋଟିଏ ବଖରାରେ ପ୍ରବେଶ କରି ଆସନ୍ନ ବିପଦର ସୂଚନା ପ୍ରଦାନ କରି ସାରିଲାଣି । ଏକ ଅନାହୁତ ବିପଦକୁ ସାମ୍ନା କରିବାର ଆଶା ଓ ଆଶଙ୍କା ଭିତରେ ବିଜୟ ତା ମା କୋଳରେ ସାଙ୍କୁଡ଼ି ଯାଉଥାଏ।  


ବିଜୟ ମା କୁ ଲାଗିଲା ଯେମିତି କେହି ତାଙ୍କୁ ଡାକୁଛି ଦାଣ୍ଡ ପାଖରୁ। ଏ ବର୍ଷା ଓ ପବନରେ କିଏ ଅବା ଆସି ପାରିବ ଯେ, ତାଙ୍କୁ ଆସି ଡାକିବ ! ଦାଣ୍ଡ କବାଟ ଆଢୁଆଳରୁ କାନେଇ ଶୁଣିଲେ ବାତ୍ୟାର ଘୋ ଘୋ ଗର୍ଜନ ଭିତରେ


ସର,ଲୋ ସର, ପବନ ଆହୁରି ବଢିବ, କୁନାକୁ ଧରି ପଳେଇ ଆ ଆମ ଘରକୁ। ରାତିରେ କଣ ଘଟିବ କିଛି କହି ହେବନି।


ଦାଣ୍ଡ ସେ ପାଖ ପଡିଶା ଘରୁ ଲଷ୍ମୀ ଦେବୀ ଡାକ ପକଉଥିଲେ ବିଜୟର ମା ସରସ୍ଵତୀକୁ । ଲଷ୍ମୀ ଦେବୀଙ୍କର ଖଞ୍ଜା ଘର, ଯାହା ସରସ୍ବତୀଙ୍କ ଛପର ଘର ଅପେକ୍ଷା ବହୁ ଗୁଣରେ ମଜଭୁତ । ତା ସାଙ୍ଗକୁ ଏଇ ସାଲ ତାଙ୍କର ଦୁଇ ବଖରା ପକ୍କା ଛାତ ଘର ବି ବନେଇଛନ୍ତି। ପୁରା ଗାଁଟିରେ ପାଖାପାଖି ଶହେ ଘର ମଧ୍ୟରୁ କେବଳ ଚାରି ପାଂଚଟି ପକ୍କା ଘରକୁ ଛାଡିଦେଲେ ଆଉ ସାମସ୍ତଙ୍କର କଚ୍ଚା ଚାଳ ଘର।  ଏ ଭଳି ବିପଦରେ ଯଦି ନିରାପଦରେ ମୁଣ୍ଡ ଗୁଞ୍ଜିବାକୁ କିଏ ପ୍ରଶୟ ଦେଉଛି ତାକୁ ଏଡେଇଦେବା ମୂର୍ଖାମୀର ପରିଚୟ ହେବ। ସରସ୍ୱତୀଙ୍କ ସପରିବାର ଉଠି ଯାଇଥିଲେ ଲଷ୍ମୀ ଦେବୀଙ୍କ ଛାତ ତଳକୁ। ବଂଚି ଯାଇଥିଲା ଜୀବନ, କିନ୍ତୁ ଉଜୁଡି ଯାଇଥିଲା ସମ୍ବଳ । ଚାଳ ଛପର ଘରଟିର ଦୁଇ ବଖରା ଭୁଶୁଡି ପଡିଥିଲା ଆଉ କଙ୍କାଳ ହେଇ ମୁକ ସାକ୍ଷୀ ପରି ପଡି ରହିଥିଲା ଗୋଟିଏ ବଖରା। ଚାରି ପାଂଚ ଦିନ ପର୍ଯ୍ୟନ୍ତ ଭଗ୍ନ ଗୃହର ପୁନରୁଦ୍ଧାର ହେବାଯାଏଁ ସରସ୍ୱତୀଙ୍କ ପରିବାରର ଖାଲି ଆଶ୍ରୟ ସ୍ଥଳୀ ହୋଇ ନଥିଲା ଲଷ୍ମୀ ଦେବୀଙ୍କ ଗୃହ, ବରଂ ଲଷ୍ମୀଙ୍କ ଭଣ୍ଡାର ଯେମିତି ଖୋଲା ହୋଇ ଯାଇଥିଲା ଖୋଲା ହୃଦୟରେ ଗୋଟିଏ ପରିବାରର ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାରେ। 


ଲଷ୍ମୀ ଦେବୀଙ୍କ ସ୍ୱାମୀ ଗୋଲକଙ୍କ ଠାରୁ ବୟସରେ ସାନ ଥିବାରୁ ସରସ୍ବତୀଙ୍କ ସ୍ୱାମୀ ବିଶ୍ୱନାଥ ତାଙ୍କୁ ମାନ୍ୟରେ ଭାଇ ବୋଲି ସମ୍ବୋଧନ କରନ୍ତି ଆଉ ବିଜୟର ସେମାନେ ହୋଇ ଯାଆନ୍ତି ବଡ ବାପା ଓ ବଡ ମା। କିଛି ରକ୍ତଗତ ସମ୍ପର୍କ ନାହିଁ, କିନ୍ତୁ ସମ୍ପର୍କ ଥାଏ ଗାଢ଼ ଓ ନିବିଡ଼। ରକ୍ତ ସମ୍ପର୍କ ତ ବେଳେ ବେଳେ ପାଣିଚିଆ ହେଇଯାଏ, କେତେବେଳେ ଭାଇ ହେଇଯାଏ ଭଗାରୀ ତ ପୁଅ ହେଇଯାଏ ବଇରୀ। କୁହାଯାଏ ଲଷ୍ମୀ ଆଉ ସରସ୍ୱତୀ କାଳେ କାଳେ କଳହ ରତ । କିନ୍ତୁ ଏ ଲଷ୍ମୀ ଓ ସରସ୍ୱତୀ ଥିଲେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଜଣେ ଅନ୍ୟର ପରିପୂରକ। ଦାରିଦ୍ର୍ୟର କଷଣରେ ଜର୍ଜରିତ ସରସ୍ୱତୀ ଚାରି ପୁଅଙ୍କ ଭବିଷ୍ୟତ ନେଇ ଥିଲେ ସବୁବେଳେ ବିଷାଦଗ୍ରସ୍ତ ଓ ଉଦାସ। ପରିସ୍ଥିତି ତାଙ୍କୁ ବନେଇ ଦେଇଥିଲା ମୁକ ଓ ଗମ୍ଭୀର। ଅନ୍ନ ଚିନ୍ତା ଚମତ୍କାର। ବିଶ୍ୱନାଥଙ୍କ ଜମିରୁ ଯେଉଁ ଫସଲ ହୁଏ ସେଥିରେ ବର୍ଷକ ପାଇଁ ଖାଦ୍ୟକୁ ନିଅଁଣ୍ଟ। ବର୍ଷର ଶେଷ ମାସ ପାଇଁ ଗାଁର ତଥା କଥିତ ଅମୀର ବସନ୍ତ ସାହୁ ପାଖରୁ କିଛି ଧାନ କରଜ ଆଣିଲେ ହିଁ ତାଙ୍କର ଚୁଲି ଜଳେ। ନୂଆ ଫସଲ ଅମଳ ହେଲେ ସେଇ ଧାନ ପୁଣି ସୁଧ ସହ ସୁଝିବାକୁ ପଡେ। ପରବର୍ତ୍ତୀ ବର୍ଷ ପୁଣି ସେଇ ନିଅଣ୍ଟିଆର ପୁନରାବୃତ୍ତି। କରଜ ଓ ସୁଧର ଗୋଲକ ଧନ୍ଦାରେ ବାର୍ଷିକ ନିଅଁଣ୍ଟ ଦିନ ବଢି ବଢି ଯାଏ ସିନା, କମିବାର ନାଁ ଧରେ ନାହିଁ। ଯଦି ବର୍ଷଟିଏ କରଜ ସୁଝିବାକୁ ନ ପଡ଼ନ୍ତା,ହୁଏ ତ ଆଉ ଅଭାବୀ ରୁହନ୍ତା ନାହିଁ । କିନ୍ତୁ ସେ ସୌଭାଗ୍ୟ ପଦ୍ମ ଘୁଂଚି ଗଲା ପରି ହାତ ପାହାନ୍ତାରୁ ବହୁ ଦୂରକୁ ଚାଲି ଯାଉଥାଏ। 


ଲଷ୍ମୀ ଦେବୀଙ୍କର କିନ୍ତୁ ସେ ଚିନ୍ତା ନ ଥାଏ । ଚାଷ ଜମିରୁ ଆମଦାନୀରେ ବର୍ଷକ ଚଳି କିଛି ବଳକା ହୁଏ ଓ ସେଥିରୁ ବିକ୍ରି ଲବ୍ଧ ଅର୍ଥରେ ହାତରେ କିଛି ପୁଞ୍ଜି ସଞ୍ଚୟ ଭାବରେ ଥାଏ। ଗ୍ରାମର କିଛି ହାତ ଗଣତି ସ୍ୱଚ୍ଛଳ ପରିବାର ଭିତରେ ଲଷ୍ମୀ ଦେବୀଙ୍କ ପରିବାର ଗଣାହୁଏ । ଧନରେ ନ ହେଲେ ମଧ୍ୟ ଅଭାବଟା ଆଉ କୋଉଠି ଭଗବାନ ଖଞ୍ଜି ଦେଇ ଥାଆନ୍ତି। ବିବାହର ବହୁ ବର୍ଷ ପରେ ଲଷ୍ମୀ ଦେବୀଙ୍କ କୋଳ ଶୂନ୍ୟ। ସରସ୍ୱତୀ, ଲଷ୍ମୀଦେବୀଙ୍କ ସ୍ୱଚ୍ଛଳତାକୁ ତାଙ୍କର ଭାଗ୍ୟ ବୋଲି ଭାବୁଥିଲା ବେଳେ ଲଷ୍ମୀଦେବୀଙ୍କୁ ଲାଗୁଥିଲା ଚାରି ପୁତ୍ରର ଜନନୀ ସରସ୍ୱତୀଠାରୁ ଅଧିକ ଭାଗ୍ୟବାନ ଆଉ କିଏ ନାହାନ୍ତି। ପୁତ୍ର ସନ୍ତାନଟିଏ ପାଇଁ ଲଷ୍ମୀ ଦେବୀଙ୍କର ସବୁ ଠାକୁରଙ୍କଠାରେ ଆକୁଳ ନିବେଦନ ନିଷ୍ଫଳ ହେଇ ଯାଉଥାଏ। ନିଜକୁ ଦୁଃଖୀ ବୋଲି ବିଚାରୁଥିବା ଦୁଇଟି ପ୍ରାଣୀ କିନ୍ତୁ ପରସ୍ପର ସହ ଦୈନିକ ଘଣ୍ଟା ଘଣ୍ଟା ଗପି ସୁଖ ପାଆନ୍ତି ବୋଲି ଅନୁଭବ କରନ୍ତି ।


ବାତ୍ୟା ପର ବର୍ଷ ଲଷ୍ମୀ ଦେବୀଙ୍କ କୋଳ ମଣ୍ଡନ କଲା ଏକ କନ୍ୟା ସନ୍ତାନ। ବିଜୟ କହିଲା,

"ବଡ଼ ମା ମୋ ନାଁ କୁନା, ଟିକି ଝିଅ ନାଁ ଦେବା କୁନି।"ଲଷ୍ମୀ ଦେବୀ କୁନାର ଅନୁରୋଧ ଆଡେଇ ପାରି ନଥିଲେ । 


ଦାରିଦ୍ର୍ୟର କଷଣ କିନ୍ତୁ ବିଜୟର ପଥରୋଧ କରି ପାରି ନ ଥିଲା ଏକ ବିଦ୍ୱାନ ଛାତ୍ର ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ। ମେଟ୍ରିକ ଓ ଆଇ.ଏସ.ସି. ରେ ଉଚ୍ଚ ନମ୍ୱର ରଖିବା ସହିତ ମେଡିକାଲ ଏଣ୍ଟ୍ରାନ୍ସରେ ସଫଳ ହୋଇ କଟକ ବଡ଼ ମେଡିକାଲରେ ନାମ ଲେଖାଇବା ପାଇଁ ମନୋନୀତ ହୋଇ ଯାଇଥିଲା ବିଜୟ। କିନ୍ତୁ ନାଁ ଲେଖା ପାଇଁ ପାଖା ପାଖି ଆଠ ଶହ ଟଙ୍କା ଯୋଗାଡ କରିବା ବିଜୟର ବାପା ଓ ମାଙ୍କ ପାଇଁ ଥିଲା ଦୁରୁହ ବ୍ୟାପାର। ଜମି ଖଣ୍ଡେ ବିକ୍ରୟ ପାଇଁ ମନସ୍ତ କଲେ ମଧ୍ୟ ତତକ୍ଷଣାତ୍ ଗରାଖ ଯୋଗାଡ଼ କରିବା ସମ୍ଭବ ନ ଥିଲା । ଗାଁର ଅମୀର ବସନ୍ତ ସାହୁ ପାଖରେ ନେହୁରା ହୋଇଥିଲେ ବିଜୟର ମା ଓ ବାପା ଜମି ବନ୍ଧକ ରଖି ଲୋନ ଦେବାପାଇଁ। ବସନ୍ତ ସାହୁ ପାଖରେ ଅଭାବ ନ ଥିଲା ଟଙ୍କାର । ଅଭାବ ଥିଲା ଭାବର। ସନ୍ଦେହ ଥିଲା ବିଜୟର ବାପା ମାଙ୍କର କରଜ ସୁଝିବା ଦକ୍ଷତା ଉପରେ । ବିଭିନ୍ନ ବାହାନା ଦେଖାଇ ସେ ଦେଇଥିଲେ କେବଳ ତିନି ଶହ ଟଙ୍କା।ହତାଶର ବୁଢୀଆଣି ଜାଲରେ ଛନ୍ଦି ହୋଇ ଯାଇଥିଲେ ବିଶ୍ୱନାଥ ଓ ସରସ୍ୱତୀ। ପୁଅକୁ ଡାକ୍ତର କରିବାର ଆଶାଟି ତାଙ୍କର ଯେମିତି ଡୁବି ଯାଉଥିଲା ପଶ୍ଚିମ ଆକାଶରେ ଅସ୍ତଗାମୀ ସୂର୍ଯ୍ୟ ସହିତ ଅନିଶ୍ଚିତତାର ଅନ୍ଧାର ଭିତରେ ।


ଅସ୍ତଗାମୀ ସୂର୍ଯ୍ୟ କିନ୍ତୁ ହଜି ଯାଏ ନାହିଁ ଚିରକାଳ ପାଇଁ। ନୂତନ ଆଶାର କିରଣ ନେଇ ନୂଆ ପୁଲକରେ ପୁଣି ପୂର୍ବ ଦିଗରେ ଉଦିତ ସୂର୍ଯ୍ୟ ଉଭା ହେଲା ପରି ଲଷ୍ମୀ ପ୍ରତିମା ଲଷ୍ମୀ ଦେବୀ ନିଜର ସଞ୍ଚିତ ସମ୍ବଳ ଚାରିଶହ ଟଙ୍କା ଓ ଟଙ୍କେ ଆଠଣା କରି ମାଟି କୁମ୍ପିରେ ଗଛିତ ଖୁଚୁରା ଅଶୀ ଟଙ୍କା ପ୍ରଦାନ କରିଥିଲେ ବିଜୟର ଆଡ଼ମିଶନ ପାଇଁ। ଏଇ ଚାରିଶତ ଅଶୀ ଟଙ୍କା ବିଜୟ ଓ ତା ବାପା ମାଙ୍କ ଜୀବନରେ କେତେ ମାନେ ରଖେ ତାହା କହିବା ନିଷ୍ପ୍ରୟୋଜନ। ଆଜି ବିଜୟ କଟକ ବଡ ଡାକ୍ତରଖାନାର ଜଣେ ନାମକରା ସର୍ଜରି ସ୍ପେସାଲିଷ୍ଟ ଓ ତାର ସହ ପାଠୀନି ତଥା ଧର୍ମ ପତ୍ନୀ ଲିପିକା ସ୍ତ୍ରୀ ଓ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର।


କୁନିକୁ ଷୋଳ ବର୍ଷ ବେଳେ ଲଷ୍ମୀଦେବୀଙ୍କୁ ନିଃସହାୟ କରି ଗୋଲକବାବୁ ଚାଲିଗଲେ ଆର ପାରିକୁ। ଚାଷ ବାସ ସବୁ ଉଜୁଡି ଗଲା। ଜମି ସବୁ ଭାଗ ଚାଷକୁ ଲଗେଇ ଦେଲେ ଲଷ୍ମୀଦେବୀ। ଭାଗ ଚାଷରୁ ଆୟ ବର୍ଷକୁ ବର୍ଷ କମିବାକୁ ଲାଗିଲା ଭାଗଚାଷୀର କୃପଣତା ଓ କପଟତାର ସୌଜନ୍ୟରୁ। ଗ୍ରାମର ହସ୍ତ ଗଣତି ସ୍ଵଛଳ ପରିବାରରେ ଗଣା ହେଉଥିବା ପରିବାରଟିରେ ଏବେ ବର୍ଷକ ଚଳିବା ପାଇଁ ରୋଜଗାରର ମାଧ୍ୟମ ମିଳିବାରେ କଷ୍ଟ ହେଲା। ଧୀରେ ଧୀରେ ଅଭାବ ଭିତରକୁ ଠେଲି ହୋଇ ଯାଉଥିବା ଦେଖି ଲଷ୍ମୀ ଦେବୀ କୁନିର ବାଇଶି ବର୍ଷ ବେଳେ ପଡୋଶୀ ଗ୍ରାମର ବାପା ମା ଛେଉଣ୍ଡ ଯୁବକ ଅବନୀକୁ ନିଜର ଘର ଜ୍ବାଇଁ କରିଦେଲେ। ସେ କେବଳ ଘରଜ୍ୱାଇଁ ନୁହେଁ, ବନି ଯାଇଥିଲା ଘରର ପୁଅ । ଗୋଲକ ବାବୁଙ୍କ ଅବର୍ତ୍ତମାନରେ ଘରର ମାଲିକ ବି ବନିଗଲା। ବିଗତ ତିନି ବର୍ଷ ଭିତରେ ଉଜୁଡା ଚାଷକୁ ସଜାଡି ଦେଇ ଘରେ ପୁଣି ଖୁସିର ଲହଡ଼ି ଫେରେଇ ଆଣିବା ସହିତ ସେଇ ଖୁସିକୁ ଶହେ ଗୁଣ ବଢ଼େଇ ଦେଇଥିଲା ଯେତେବେଳେ ଲଷ୍ମୀ ଦେବୀ ଜାଣିଲେ କୁନି ମା ହେବାକୁ ଯାଉଛି।


ସରସ୍ୱତୀଙ୍କ ଚାରି ପୁତ୍ରକୁ ଦେଖି ନିଜକୁ ସବୁବେଳେ ଅଭାଗିନୀ ମଣୁଥିବା ଲଷ୍ମୀ ଦେବୀଙ୍କ ମନରେ କିନ୍ତୁ ଆଶା ଅସୁମାରୀ ଢେଉ କାଟୁଥିଲା, ଭଗବାନ ଏଥର ତାଙ୍କୁ ନିରାଶ କରିବେ ନାହିଁ। କୁନିର କୋଳରେ ନାତି ଟୋକାର ଛବି ତାଙ୍କ ମାନସ ପଟରେ ଭାସି ଆସୁ ଥାଏ । ଏ ଘର ,ବାଡ଼ି,ଅଗଣା,ଚାଷ ଜମିର ଦେଖାଶୁଣା କରିବା ପାଇଁ ପୁତ୍ର ସନ୍ତାନଟିଏର ଆବଶ୍ୟକତାଟା ନିହାତି ଜରୁରୀ। ନ ହେଲେ ପୁଣି କଣ ତାଙ୍କ ପରି ତାଙ୍କ ଝିଅ ଘର ଜ୍ବାଇଁ ଖୋଜିବ ! ନା, ଭଗବାନ ଏତେ ନିର୍ଦୟ ହେବେ ନାହିଁ। କିଂନ୍ତୁ କାହା କପାଳରେ କଣ ଲେଖା ହେଇଛି ,ତାହା କିଏ କହି ପାରିବ । ଲଷ୍ମୀ ଦେବୀ କିନ୍ତୁ ପୁଣି ଦ୍ଵିତୀୟ ବାର ଝଟକା ଖାଇଲେ ଯେତେବେଳେ କୁନି ଗର୍ଭର ଛ ମାସ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଜ ଜ୍ବାଇଁ ଅବନୀକୁ ହରାଇ ବସିଲେ। 


ଗାଡିର ଡ୍ରାଇଭରକୁ ବିଜୟ ତାଗିଦ କରୁଥାଏ ଗାଡିର ସ୍ପୀଡ଼ ବଢାଇବା ପାଇଁ। କଟକରୁ ନିଜ ଗାଁ ପ୍ରାୟ ଦୁଇ ଘଣ୍ଟାର ବାଟ, ଯିବା ଆସିବା ଚାରି ଘଣ୍ଟା।ଅସଜ ମଣିଷଟା କଷ୍ଟ ପାଉଛି, ଗାଁରେ ତ ସେମିତି କିଛି ସୁବିଧା ନାହିଁ। ଯଦି ଏଇ ସମୟରେ କୁନିର କିଛି ହେଇଯାଏ,ତେବେ ସେ ନିଜକୁ ନିଜେ କ୍ଷମା କରି ପାରିବ ନାହିଁ। ନ ବର୍ଷ ତଳେ ଏମିତି ଗାଡି ଚଳେଇ ଆସିଥିଲା ବଡ଼ ବାପାଙ୍କୁ କଟକ ବଡ଼ ମେଡିକାଲକୁ ନେଇ ଯିବା ପାଇଁ। ସେତେବେଳେ ତାଙ୍କୁ ମାଇଲ୍ଡ଼ ହାର୍ଟ ଆଟାକ୍ ହେଇଥାଏ। କିନ୍ତୁ ସେ ଗାଁରେ ପହଁଚିଲା ବେଳକୁ ବଡ ବାପାଙ୍କୁ ଦ୍ବିତୀୟ ଥର ହାର୍ଟ ଆଟାକ୍, ତାହା ପୁଣି ମାସିଭ୍, ସେ ପହଁଚିଲା ବେଳକୁ ବଡ ବାପା ଆଉ ନାହାନ୍ତି। ସେତେବେଳେ ବିଜୟ ଡାକ୍ତର ବନିବାର ବର୍ଷେ କି ଦୁଇ ବର୍ଷ ହୋଇଥାଏ। ଯେଉଁ ବଡ ବାପାଙ୍କ ଚାରିଶହ ଅଶୀ ଟଙ୍କା ନ ପାଇ ଥିଲେ ସେ ଡାକ୍ତରୀ ପାଠ ପାଇଁ ନାମ ଲେଖେଇ ପାରି ନ ଥାନ୍ତା, ସେଇ ବଡ ବାପାଙ୍କୁ ସେ କିନ୍ତୁ ମୃତ୍ୟୁ ମୁଖରୁ ଫେରେଇ ଆଣିପାରିଲା ନାହିଁ। ଲିପିକାକୁ କହି ଯାଇଛି ଓ.ଟି.ସହିତ ସବୁ ସପୋର୍ଟ ଷ୍ଟାଫଙ୍କୁ ରେଡି କରି ରଖିଥିବ। ଯଦି ଆବଶ୍ୟକ ହୁଏ ତେବେ ସିଜରିଆନ କରି କୁନି ଗର୍ଭରୁ ପିଲାକୁ ଜନ୍ମ ଦେବାକୁ ପଡିବ।


ଜଣେ ଗାଇନୋକଲୋଜିଷ୍ଟ ଭାବରେ ଲିପିକା ଗତ ଦଶ ବର୍ଷର ଚାକିରୀ ଭିତରେ ଅର୍ଜନ କରିଛି ଅନେକ ଖ୍ୟାତି ଓ ସୁନାମ। କେତେ ଗର୍ଭବତୀ ମହିଳାଙ୍କୁ ସହଜ ଉପାୟରେ ପ୍ରସବ କରିବାରେ ସାହାଯ୍ୟ କରି ସାଉଁଟିଛି ଅଜଶ୍ର ଆଶୀର୍ବାଦ ଓ ଶୁଭ କାମନା। ମାତୃତ୍ୱର ଖୁସି ବାଣ୍ଟୁଥିବା ନାରୀଟି କିନ୍ତୁ ନିଜେ ମା ହେବାର ବିରଳ ଖୁସିରୁ ବଂଚିତ। ବିବାହର ଦଶ ବର୍ଷ ପରେ ମଧ୍ୟ ଲିପିର କୋଳ ଶୁନ୍ୟ । ଡାକ୍ତରୀ ବିଦ୍ୟାର ସମସ୍ତ ଅବଲମ୍ବନର ପ୍ରୟୋଗ ସତ୍ତ୍ୱେ ସେମାନଙ୍କ ଭାଗ୍ୟରେ ଯେ ସନ୍ତାନ ସୁଖ ନାହିଁ ଏଥିରେ ସେମାନେ ସ୍ଥିର ନିଶ୍ଚିତ ହେଇ ଯାଇଛନ୍ତି । କେବେ କେବେ ବିଚାର ବି କରିଛନ୍ତି ଅନାଥାଶ୍ରମରୁ ଛୁଆଟିଏ ଗ୍ରହଣ କରିବା ପାଇଁ।


କୁନି ଓ ବଡ ମାଙ୍କ ସହିତ ନିଜ ମାଆଙ୍କୁ ଗାଡିରେ ଧରି ଗାଁରୁ କଟକ ମୁଁହା ହେଲାପରେ ବିଜୟର ମନର ଗତି ସହିତ ଗାଡିର ବେଗ ତାଳ ଦେଉ ପାରୁ ନ ଥାଏ । କୁନିର ଅବସ୍ଥା ଆସ୍ତେ ଆସ୍ତେ ବିଗିଡି ଯାଉଥିବାର ଲକ୍ଷ କରି ବିଜୟ ବ୍ୟସ୍ତ ହେଇ ପଡୁଥାଏ । ତାର ଦେହ ଆସ୍ତେ ଆସ୍ତେ ଅବଶ ହୋଇ ଯାଉଥାଏ, ଲାଗୁଥାଏ ଯେପରି ସେ ବେହୋସ ହୋଇଯିବ । ବିଜୟ ତାର ହୋଶ ଓ ମନୋବଳ ବଢାଇବା ପାଇଁ ଜତପରୋନାସ୍ତି ଉଦ୍ୟମ ଜାରି ରଖିଥାଏ ,କାରଣ ସେ ଭଲ ଭାବରେ ଜାଣିଛି ଯଦି ଏଇ ସମୟରେ ଗର୍ଭବତୀ ବେହୋସ ହୋଇଯାଏ, ତେବେ ଉଭୟ ମା ଓ ଛୁଆ ପାଇଁ ତାହା ଅତ୍ୟନ୍ତ ବିପଜ୍ଜନକ । ଗାଁରୁ ବାହାରିଲା ବେଳେ ବଡ଼ ମା ଙ୍କ ଗୋଟିଏ ପଦ ବାରମ୍ବାର ତାର ମନକୁ ଆନ୍ଦୋଳିତ କରୁଥାଏ 


"କୁନାରେ, ମୋ ବଂଶ ରକ୍ଷା ତୋ ହାତରେ "


ବାରମ୍ବାର ଡ୍ରାଇଭରକୁ ତାଗିଦ ସତ୍ତ୍ୱେ ଗାଡିର ବେଗ ତା ମନର ବେଗ ସହିତ ତାଳ ଦେଇ ନ ପାରିବାରୁ ବିଜୟ ନିଜେ ଡ୍ରାଇଭର ବନିଗଲା ଆଉ ସେ କେମିତି ନେଇ କୁନିକୁ ବଡ଼ ମେଡିକାଲର ଓ.ଟି.ପାଖରେ ପହଞ୍ଚେଇଲା,ତାହା ଭଗବାନଙ୍କୁ ଜଣା । ଆଗରୁ ଓ.ଟି. ପ୍ରସ୍ତୁତ କରି ରଖିଥିବା ଲିପି ଓ ବିଜୟ ନିଜର ଡାକ୍ତରୀ ବିଦ୍ୟାର ସମସ୍ତ ଅବଲମ୍ବନ ଓ ଅନୁଭୂତିକୁ ପାଥେୟ କରି ଲାଗି ପଡ଼ିଥିଲେ ଏକ ନୂଆ ପିଢ଼ିକୁ ସ୍ୱାଗତ କରିବା ପାଇଁ।


ଓ.ଟି. ଭିତରୁ ଏକ ଦିବ୍ୟ ସୁନ୍ଦର ପୁତ୍ର ସନ୍ତାନକୁ ଧରି ବଡ଼ ମାକୁ ଅର୍ପଣ କରିଥିଲେ ବିଜୟ ଓ ଲିପି । କୋହଭରା କଣ୍ଠରେ ଲିପି କହିଥିଲା,


ମା ଏଇ ନିଅନ୍ତୁ, ଆପଣଙ୍କ ବଂଶର ସନ୍ତକ। ଆମକୁ କ୍ଷମା କରି ଦିଅନ୍ତୁ ଆମର ସକଳ ଚେଷ୍ଟା ସତ୍ତ୍ୱେ କୁନିକୁ ବଞ୍ଚେଇ ପାରିଲୁ ନାହିଁ, ଆଉ ଯଦି ଅଧା ଘଣ୍ଟା ବିଳମ୍ବ ହେଇଥାନ୍ତା ..... 


କଣ୍ଠ ତାର ବାଷ୍ପାରୁଦ୍ଧ ହୋଇ ଯାଇଥିଲା 


ଲଷ୍ମୀଦେବୀ ହେଇ ଯାଇଥିଲେ ନିର୍ବାକ, ନିଶ୍ଚଳ ଓ ନିଥର। ଆଖିରୁ ତାଙ୍କର ବହି ଯାଉଥିଲା ଧାର ଧାର ଲୁହ। ସେ ଲୁହ ନିଜର ସମସ୍ତଙ୍କୁ ହରେଇଥିବା ଦୁଃଖର କି ବଂଶ ରକ୍ଷା କରିଥିବା ନୂତନ ପିଢ଼ିକୁ ଦର୍ଶନ ସୁଖର ତାହା ବୁଝିବା ଦୁର୍ବୋଧ୍ୟ ।


ଲଷ୍ମୀ ଦେବୀ କହୁଥିବାର ଶୁଣାଗଲା,


"ସର ଲୋ, ତୁ କେଡେ ଭାଗ୍ୟବାନ, ଭଗବାନ ତୋତେ ଚାରି ଚାରି ପୁଅର ମା କରିଛନ୍ତି, କେତେ ତପସ୍ୟା କରି ଝିଅଟିଏ ପାଇଥିଲି, ଜ୍ବାଇଁଟିଏ ପୁଅ ପରି ମିଳିଥିଲା । ଭଗବାନ ସ୍ୱାମୀ ସହ ଜ୍ୱାଇଁଙ୍କୁ ମୋ ପାଖରୁ ଛଡେଇ ନେଲେ। ପିଲାଟିଏ ନ ପାଇବାର ଦୁଃଖ କେତେ ଦାରୁଣ ତାହା ମୁଁ ଅଙ୍ଗେ ଅଙ୍ଗେ ନିଭେଇଛି। କୁନା ଓ ଲିପିର ଦୁଃଖ ମୁଁ ହିଁ ବୁଝି ପାରିଛି। ମୋ ବଂଶକୁ ସେମାନେ ଦୁଇ ଜଣ ରକ୍ଷା କରିଛନ୍ତି, ଏଇ ପୁଅଟିକୁ ମୁଁ ତାଙ୍କୁ ଅର୍ପଣ କରୁଛି।"


ବିଜୟ ଓ ଲିପି ବଡ ମାଙ୍କ କୋଳରେ ଟିକି ପୁଅ ଟିକୁ ଧରେଇ ଦେଇ ତାଙ୍କ ଗୋଡ ଧରି କଇଁ କଇଁ ହୋଇ କାନ୍ଦୁଥିଲେ । ରକ୍ତ ସମ୍ପର୍କ ତ ନ ଥିଲା । କିନ୍ତୁ ସମ୍ପର୍କ ହେଇଯାଇଥିଲା ରକ୍ତଠାରୁ ଅଧିକ ଗାଢ଼ ଓ ନିବିଡ଼ । 


କଟକରେ ସେମାନଙ୍କ ପାଖରେ ନାତି ସହିତ ରହିବା ପାଇଁ ବିଜୟ ଓ ଲିପିର ଅନୁରୋଧକୁ ଲଷ୍ମୀଦେବୀ ଏଡାଇ ଯାଇ କହିଥିଲେ, "କୁନାରେ ମୁଁ କଟକରେ ରହିଲେ ତୋ ବଡ଼ ବାପାଙ୍କ ସମାଧିରେ ଆଉ ଚଉରା ମୂଳେ ସବୁଦିନେ କିଏ ଦୀପ ଜାଳିବ ? ମୋ ରାଧାମାଧବକୁ କିଏ ପୂଜା କରିବ ? ସେଇ ଭିଟା ମାଟିରେ ହିଁ ମୋ ଶେଷ ଜୀବନ କଟିବ । ଖାଲି ମୁଁ ବଂଚି ଥିବାଯାଏ ଛୁଆଟାକୁ ଟିକେ ମଝିରେ ମଝିରେ ମୋତେ ଆଣି ଦେଖେଇ ଦେଉଥିବ ।"


ଋଣ ସୁଝିବା ପାଇଁ ପଣ କରିଥିବା ବିଜୟ କିନ୍ତୁ ଭାବୁଥିଲା ଚିରକାଳ ପାଇଁ ସେ ଋଣୀ ହୋଇ ଯାଇଛି ରକ୍ତ ସମ୍ପର୍କ ନଥିବା ଲୋକଟି ପାଖରେ ଯାହା ସହିତ ସମ୍ପର୍କ ବୋଧହୁଏ ଯୋଡି ହୋଇ ଯାଇଛି ଅନ୍ୟ କୋଉ ଜନ୍ମରୁ ।




Rate this content
Log in

Similar oriya story from Drama