Dr Ganeswar Jena

Drama Tragedy

4.6  

Dr Ganeswar Jena

Drama Tragedy

ସଂସ୍କାର

ସଂସ୍କାର

9 mins
801



   ଅଫିସ ଯିବା ପାଇଁ ତରତର ହେଇ ଜୋତାର ଲେସ ବାନ୍ଧୁଥିବା ବେଳେ ମୀରା ଝପଟି ଆସି କହିଲେ,


   ହେଇଟି ଶୁଣୁଛ, ଆସ ଟିକେ ଦେଖି ଯାଅ ମା କିପରି ମୁଣ୍ଡ ତଳକୁ କରି ବସିଛନ୍ତି, ପଚାରିଲେ କିଛି କହୁ ନାହାନ୍ତି,ସମୟେ ସମୟେ ମନକୁ ମନ କଣ ବିଳି ବିଳି ହେଉଛନ୍ତି,କଣ କରୁଛନ୍ତି କି କହୁଛନ୍ତି ପୁଣି ସାଙ୍ଗେ ସାଙ୍ଗେ ଭୁଲି ଯାଉଛନ୍ତି, ତମେ ଆଜି ଛୁଟି ନେଇ ଯାଅ, ମାଆଙ୍କୁ ଟିକେ ଡାକ୍ତରଙ୍କ ପାଖକୁ ନେଇ ଚେକ୍ କରେଇଦେବା।


    କୃଷ୍ଣ ଯାଇ ଦେଖିଲେ ମା ବସିଛି ତଳକୁ ମୁଣ୍ଡ ହାଣି ଢୋଳେଇଲା ପରି ଯେପରି କୁକୁଡାକୁ ହଇଜା ହେଲେ ସେମାନେ ଢୋଳେଇ ପଡନ୍ତି ଚେତାଶୂନ୍ୟ ଭାବେ । ମାଆକୁ ଯେତେ ପଚାରିଲେ ବି କିଛି ଉତ୍ତର ବାହାରୁ ନାହିଁ। କିଛି ଦିନ ହେବ ସେ ଲକ୍ଷ କରୁଛନ୍ତି ମାଆଙ୍କ ମୁହଁରେ ସରସତା ନାହିଁ। ସବୁ ବେଳେ ବିଷର୍ଣ୍ଣ ବଦନ, ଯେମିତି କିଛି ଗୋଟିଏ ହଜେଇ ଦେଇଛନ୍ତି କି ନିଜ ଭିତରେ କେଉଁ ଦୁଃଖକୁ ନେଇ ଝୁରି ହେଉଛନ୍ତି ।


   ମାଆ ତୋତେ ଭଲ ଲାଗୁ ନାହିଁକି ? ଚାଲ୍ ଡାକ୍ତର ଖାନା ଯିବା। ମାଆର କାଖ ଦେଇ ପଛ ପଟରୁ ନିଜର ଦୁଇ ହସ୍ତରେ ମାଆକୁ ଟେକିବାରୁ ସରଳା ଚିଇଁକି ପଡି କହି ଉଠିଲେ,ଆରେ ମୋର କିଛି ହେଇନି,ମୁଁ କିଆଁ ଡାକ୍ତର ଖାନା ଯିବି । ତୁ ଅଫିସ ଯା। 


   କୃଷ୍ଣ ଭାବିଲେ ମାଆର ସୋଡିଅମ ବୋଧହୁଏ କମି ଯାଇଛି, ଟେଷ୍ଟ କରିଦେବା ନିହାତି ଆବଶ୍ୟକ। ମୀରାକୁ କହି ଦେଇଗଲେ ମୁଁ ଅଫିସ ଯାଉଛି ଛୁଟି ଦରଖାସ୍ତ ଦେଇ ଦେଇ ଆସିବି । ତମେ ରେଡି ହେଇଯାଅ, ମାଆକୁ ନେଇ ଡାକ୍ତରଖାନା ଯିବା । ଅଫିସରେ ପହଞ୍ଚିଛନ୍ତି ମୀରାଙ୍କ ଫୋନ,


ମାଆ ବସିବା ଜାଗାରୁ ଗଡି ପଡିଲେ,ତୁମେ ଶୀଘ୍ର ଆସ।


   ତଡିତ୍ ବେଗରେ କୃଷ୍ଣ ଘର ମୁହାଁ ହେଲେ ।

ପନ୍ଦର ଦିନ ତଳେ ମାଆ ତାଙ୍କର ଏମିତି ଗଡି ପଡିଲେ ବସିବା ଜାଗାରୁ ନିଜ ଗାଁରେ । ସୁଦୂର ମୟୁରଭଞ୍ଜର ଯଶୀପୁର ବ୍ଲକର ଏକ ଉପାନ୍ତ ଗ୍ରାମରୁ ମାଆକୁ ଆଣି ନିଜ ଚାକିରୀ ସ୍ଥାନ କଟକ ବଡ଼ ଡାକ୍ତରଖାନାରେ ମାଆର ଚିକିତ୍ସା କରେଇଥିଲେ କୃଷ୍ଣ । ଡାକ୍ତର ମିଶ୍ର କହିଲେ, 

ମାଆଙ୍କୁ ମାଇଲଡ଼ ହାର୍ଟ ଆଟାକ୍ ହେଇଥିଲା। ଔଷଧ ଲେଖି ଦେଉଛି, ନିୟମିତ ଖାଇବେ । ଆଉ ସବୁବେଳେ ତାଙ୍କୁ ଖୁସି ମିଜାଜ୍ ରେ ରଖିବାକୁ ଚେଷ୍ଟା କରିବେ । ନ ହେଲେ ଯଦି ଆଉ ଥରେ ହାର୍ଟ ଆଟାକ୍ ହେବ, ତାହା ଘାତକ ହେଇ ପାରେ । ସେବେଠାରୁ କୃଷ୍ଣ ଓ ମୀରା ମାଆଙ୍କର ଯତ୍ନ ନେବାରେ କେବେ ହେଳା କରି ନାହାନ୍ତି । କୃଷ୍ଣ ମନକୁ ପାପ ଛୁଇଁଲା। ମାଆର ଆଉ ଥରେ ହାର୍ଟ ଆଟାକ୍ ହେଇ ଗଲାକି? 


ତତକ୍ଷଣାତ ବଡ଼ ଡାକ୍ତରଖାନା ନେଇ, ଛାତି,ହାର୍ଟ,ବ୍ରେନ,ରକ୍ତର ସମସ୍ତ ପ୍ରକାର ପରୀକ୍ଷା କରି ରିପୋର୍ଟ ନେଇ ଡାକ୍ତର ମିଶ୍ରଙ୍କୁ ଦେଖାନ୍ତେ କୌଣସିଟିରେ କିଛି ଅସ୍ୱାଭାବିକତା ଥିବା ପରି ନିରୀକ୍ଷଣ କରି ପାଇଲେ ନାହିଁ ଡାକ୍ତର ବାବୁ। ଆଚମ୍ବିତ ହେଲେ ଡାକ୍ତର ମିଶ୍ର। ରୋଗୀ ସହିତ ଏକାନ୍ତରେ କଥା ହେଲା ପରେ ଡାକ୍ତର ବାବୁ ନିଦାନ ବତେଇଲେ କୃଷ୍ଣଙ୍କୁ, 


    ମାଉସୀଙ୍କୁ ଯେଉଁ ଜାଗା ଭଲ ଲାଗୁଛି ସେଇଠି ରଖନ୍ତୁ। ପାହାଡ଼,ପର୍ବତ ଓ ଜଙ୍ଗଲର ପ୍ରାକୃତିକ ପରିବେଶ ଛାଡି ସହରର କଂକ୍ରିଟ ଜଙ୍ଗଲ ଭିତରେ ସେ ଶ୍ୱାସରୁଦ୍ଧ ହେଇ ଯାଉଛନ୍ତି। କିଛି ଗୋଟିଏ ତାଙ୍କର ପ୍ରିୟ ଜିନିଷ ଗାଁରେ ଛାଡି ବିଷାଦ ଭିତରେ ରହୁଛନ୍ତି। ଯଦି ବେଶୀ ଦିନ ଏମିତି ରୁହନ୍ତି ତେବେ ସେ ମାନସିକ ଅବସାଦ ଭିତରକୁ ଚାଲିଯିବେ ଓ ମାସିଭ ହାର୍ଟ ଆଟାକ୍ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇ ନ ପାରେ ।


    ଅଗତ୍ୟା ଡାକ୍ତରଙ୍କ ପରାମର୍ଶକୁ ଟାଳିବାର ଯୁ ନ ଥିଲା କୃଷ୍ଣଙ୍କ ପାଖରେ । ତା ପରଦିନ ରବିବାର । ମାଆକୁ ସାଥିରେ ଧରି ନିଜ ଗାଁ ଅଭିମୁଖେ ବାହାରି ପଡିଲେ କୃଷ୍ଣ ଓ ମୀରା। ଗାଡ଼ିରେ ବସିଲା ପରେ ଆଶ୍ଚର୍ଯ୍ୟ ଜନକ ଭାବେ ଅସ୍ତଗାମୀ ସୂର୍ଯ୍ୟ ପରି କିଛି ଦିନ ହେବ ଝାଉଁଳି ପଡିଥିବା ମାଆଙ୍କ ମୁଖ ମଣ୍ଡଳରୁ କିନ୍ତୁ ଝରିପଡୁଥିଲା ଉଦୟ ସୂର୍ଯ୍ୟର ଆଭା। ଶୀତ ସକାଳର କାକର ବିନ୍ଦୁ ପରି ମୁଖ ତାଙ୍କର ଥିଲା ପ୍ରଶାନ୍ତ ଓ କୋମଳ। ଉଲ୍ଲସିତ ମୁହଁରୁ ଝରି ପଡୁଥିଲା ଖିଲି ଖିଲି ହସ ଯେମିତି ପାହାଡ଼ ଧାରରୁ କୁଳୁ କୁଳୁ ଶବ୍ଦ କରି ବହି ଯାଏ ଝରଣା। ପାହାଡ଼ର ପାଦ ଦେଶରେ ଜଙ୍ଗଲର ବେଷ୍ଟନୀ ଭିତରେ ଗଛବୃଛର ସବୁଜିମା ଭିତରେ ବଢିଥିବା ଆଦିବାସୀ ମହିଳା ଜଣକ କଣ କେବେ ଇଟା ସିମେଣ୍ଟର ଆବଦ୍ଧ ଭିତରେ ବନ୍ଦୀ ହେଇ ରହି ପାରିବେ । 


    ମାଆର ଖୁସି ଦେଖି କୃଷ୍ଣ ବି ବିଭୋର। ପିଲାଟି ଦିନରୁ ସେ ବାପ ଛେଉଣ୍ଡ । ଏଇ ମା ତାଙ୍କୁ କେତେ କଷ୍ଟ କରି ପାଠ ପଢ଼େଇ ମଣିଷ କରିଛି। ଜଗନ୍ନାଥଙ୍କୁ ପୂଜା କରି ପୁଅଟିଏ ପାଇ ଥିବାରୁ ନାଁ ଦେଇଥିଲେ କୃଷ୍ଣ, ଶ୍ରଦ୍ଧାରେ ଡାକନ୍ତି କାହ୍ନା। ସରଳାଙ୍କ ଦ୍ଵିତୀୟ ଗର୍ଭ ବେଳେ ସ୍ୱାମୀ ପର କରି ଚାଲିଗଲେ ଆର ପାରିକି । କୃଷ୍ଣର ସାନ ଭାଇର ନାଁ ଦେଇ ଦେଲେ ବଳରାମ, ଶ୍ରଦ୍ଧାରେ ଡାକନ୍ତି ବଳି । ଏଠି କୃଷ୍ଣ ଓ ବଳରାମ କିନ୍ତୁ ମାନ୍ୟରେ ବନିଗଲେ ପୁରାଣ ବର୍ଣ୍ଣିତ କୃଷ୍ଣ ବଳରାମଙ୍କ ବିପରୀତ। ପଙ୍କରୁ ପଦ୍ମ ଫୁଟିଲା ପରି କାହିଁ କେଉଁ ଅପନ୍ତରା ଅଂଚଳରୁ ଆସି ଆଇନରେ ସ୍ନାତକ ପାସ କଲା ପରେ କୃଷ୍ଣ ଓଡିଶା ହାଇକୋର୍ଟର ସହକାରୀ ବିଧି ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଆଜକୁ ପାଞ୍ଚ ବର୍ଷ ତଳେ । ପଙ୍କରୁ କିନ୍ତୁ ବଳରାମ ଉଠି ପାରିଲେ ନାହିଁ। ପାଠ ପଢା ଅଧାରୁ ବନ୍ଦ। ନିଜ ନାମକୁ ସାର୍ଥକ କରିବା ପାଇଁ ଧରିଲେ ଲଙ୍ଗଳ ,କରିବେ ଚାଷ। ଭଲ କଥା । ଜଣେ ପୁଅ ବାହାରେ ଚାକିରୀ କଲେ କିଏ ଜଣେ ତ ପୁଣି ଚାଷ କାମ ବୁଝିବ। କଥାରେ ଅଛି ଚାଷ ନାହିଁ ଯାହାର ,ବାସ ନାହିଁ ତାହାର ।


  ବାବୁ ବଳରାମଙ୍କର କିନ୍ତୁ ଚାଷରେ ନ ଲାଗିଲା ମନ। ସାଙ୍ଗ ସାଥି ମେଳରେ ମନ ହେଲା ଅଥୟ। ମହୁଲି, ହାଣ୍ଡିଆ ସହିତ ବିଦେଶୀ ବି ମିଳିଲା ଗାଁରେ ,ପଡ଼ାରେ, ତେଜରାତି ଦୋକାନରେ, ପରିବା ହାଟରେ । ଟିକେ ଉପର ପାଣି ପକେଇ ଦେଇ ମଟର ସାଇକେଲ ଧରି ଖଣ୍ଡେ ବୁଲି ଆସିବା ହେଲା ନିତି ଦିନିଆ ସଉକ । ଅତି ସର୍ବତ୍ର ଗହୀର୍ତଂ। ଅତି ଲେମ୍ବୁ ଚିପିଡ଼ିଲେ ପିତା। ବାବୁ ବଳରାମଙ୍କ ଏମିତି ଦିନେ ଅତି ମାତ୍ରାରେ ସେବନର ପରିଣାମ ହେଲା ଶୁଖିଲାରେ ଏକ କଲଭର୍ଟ ଉପରେ ମଟର ସାଇକେଲ ମାଡ଼ କରିବା ସହିତ ଛିଟିକି ପଡି କ୍ଷତ ବିକ୍ଷତ ହେବା ଓ ନିଜ ମୁଣ୍ଡ ଫଟାକୁ ଆମନ୍ତ୍ରଣ କରିବା। ଜିଲ୍ଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ନିଆଗଲା ତାଙ୍କୁ କଟକ ବଡ଼ ଡାକ୍ତର ଖାନା। ସରଳା ଦେବୀ ପୁଅ ଅଚେତ ହେବା ଦେଖି ନିଜେ ଯାଉଥାନ୍ତି ବାରମ୍ବାର ମୂର୍ଚ୍ଛା। ମା କାଳୀଙ୍କୁ ସୁମରଣ କରି ମାନସିକ କରି କହୁଥାଆନ୍ତି ,ମା ଲୋ ମା ,ମୋ ପୁଅକୁ ବଞ୍ଚେଇ ଦେ, ତୋତେ ଗଞ୍ଜା ବଳି ଦେବି।


ତାଙ୍କ ଆଦିବାସୀ ପଡାର ଲୋକ ମାନଙ୍କର ଚିକିତ୍ସା ଶାସ୍ତ୍ର ଅପେକ୍ଷା ମା କାଳୀଙ୍କ ପାଖରେ ବୋଦା କି କୁକୁଡ଼ା ବଳି ମାନସିକ ଉପରେ ଥାଏ ଅଧିକ ବିଶ୍ୱାସ। କଟକ ବଡ଼ ଡ଼ାକ୍ତରଖାନାର ନାମକରା ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ସଫଳ ଅସ୍ତ୍ରୋପଚାର ଯୋଗୁଁ କିଛି ଦିନ ପରେ ବଳରାମ ସୁସ୍ଥ ହେଇ ଫେରିଲା ଘରକୁ। ସରଳା ଦେବୀ ଆସନ୍ତା କାଳି ପୂଜାରେ ନିଜ ଘରେ ଜନ୍ମ ହୋଇ ବଢିଥିବା ଗୋଟେ ଗଞ୍ଜାକୁ ମା କାଳୀଙ୍କ ପାଖରେ ବଳି ପକେଇବା ପାଇଁ ମନ ସ୍ଥିର କରି ଜଣେଇ ଦେଲେ ସମସ୍ତଙ୍କୁ।


  କୃଷ୍ଣ ଭାବୁଥାନ୍ତି ଭଗବାନଙ୍କ ଅଶେଷ କରୁଣାରୁ ସେ ଆଜି ଆଦିବାସୀ ପଡାର କୁସଂସ୍କାର ଭିତରୁ ବାହାରି ଉଚ୍ଚ ନ୍ୟାୟାଳୟ ପରି ଏକ ମର୍ଯ୍ୟାଦା ଜନକ ଅନୁଷ୍ଠାନରେ ଅବସ୍ଥାପିତ ହେଇ ପାରିଛନ୍ତି। ତେଣୁ ତାଙ୍କ ଉପରେ ମଧ୍ୟ ଅଛି ନୈତିକ ଦାୟିତ୍ୱବୋଧ, ନିଜ ମାଟିର ଅନ୍ଧାରି ମୂଲକରେ ଆଲୋକ ବର୍ତ୍ତିକା ବାଣ୍ଟିବାର। ଆଦିବାସୀ ମାନଙ୍କର ମଦ ପିଇବା ଯେପରି ଏକ ସହଜାତ ପ୍ରବୃତ୍ତି। ଘରେ ଘରେ ,ବାଟରେ ଘାଟରେ,ସାହିରେ ବସ୍ତିରେ ଏଠି ଦେଶୀ ବିଦେଶୀର ରାଜୁତି। ପାଠ ପଢା ଏଠି ଚୁଲିକି ଯାଏ । ଯୋଉଠି ଶୈକ୍ଷିକ ବାତାବରଣ ନାହିଁ ସେଠି ବୌଦ୍ଧିକ ବିକାଶ ଆଶା କରିବା ଅନ୍ଧ ଦେଶରେ ଦର୍ପଣ ବିକିବା ପରି। ଡାକ୍ତରୀ ଚିକିତ୍ସା ଏଠି କୋଣ ଠେସା ହେଇ ପଛକୁ ଯାଏ । ଗୁଣି ଗାରେଡି,ଡାଆଣି, ଚିରୁଗୁଣି ,ମାନସିକ ବଳି ଆଦି ଉପାସନା ଏଠି ପରମ୍ପରା। ବିପଦ ଆପଦରେ କିମ୍ବା ଦେହ ଖରାପ ହେଲେ ମା କାଳିଙ୍କୁ ବଳି ମାନସିକ କଲେ ତାହା କୁଆଡେ ଉଭେଇ ଯିବ ବୋଲି ଗାଁରେ ଗୋଟେ ଡାକ ଅଛି। ପ୍ରତିବର୍ଷ କାଳୀ ପୂଜାରେ ମାଆଙ୍କ ପିଠ ହୁଏ ରକ୍ତ ରଞ୍ଜିତ ଅସଂଖ୍ୟ ଗଞ୍ଜା ଓ ବୋଦା ମାନଙ୍କର ବଳିରେ।


    କୃଷ୍ଣ ଶପଥ ନେଲେ ଏ କୁସଂସ୍କାରକୁ ଲୋପ କରିବାକୁ ପଡିବ । 'ସଂସ୍କାର' ନାମରେ ଗୋଟିଏ ସ୍ବେଛାସେବୀ ଅନୁଷ୍ଠାନଟିଏ ଗଢିଲେ ନିଜ ଗାଁରେ । ଅଧକ୍ଷା କଲେ ନିଜ ପତ୍ନୀ ମୀରାଙ୍କୁ। ରାଜ୍ୟ ସ୍ତରୀୟ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ,ସ୍ଥାନୀୟ ପ୍ରଶାସନିକ ଅଧିକାରୀ ,ଥାନା ଅଧିକାରୀଙ୍କୁ ନେଇ ସଚେତନତା ଶିବିର କଲେ ନିଜ ଗାଁରେ । ବଳି ବନ୍ଦ କରିବା ପାଇଁ ପ୍ରବର୍ତ୍ତେଇଲେ ନିଜ ଗ୍ରାମବାସୀଙ୍କୁ । କିନ୍ତୁ ଫଳ ହେଲା ଶୁନ। ଆଦିବାସୀ ମାନଙ୍କୁ ନିଜ ବିଶ୍ୱାସରେ ପରିବର୍ତ୍ତନ କରିବା ପାଇଁ ପ୍ରବର୍ତ୍ତେଇବା ସ୍ୱର୍ଗକୁ ନିଶୁଣି ପକେଇବା ସହିତ ସମାନ। କୃଷ୍ଣ ଭାବିଲେ ସଂସ୍କାର ଆଗେ ନିଜ ଘରୁ ଆରମ୍ଭ ହେବା ଦରକାର । ନିଜ ମା ତ ଘରେ ପାଳିଥିବା ଗଞ୍ଜାଟିକୁ ବଳି ଦେବା ପାଇଁ ମାନସିକ କରିଛନ୍ତି । ଅନ୍ୟ ମାନଙ୍କ କଥା ଛାଡ । ମାଆକୁ ବୁଝେଇଲେ, ଦେଖ୍ ମା, ବଳି ଦେବା ମହା ପାପ । ଆମର ଯେମିତି ଜୀବନ ଅଛି,ସବୁ ଜୀବ ଜନ୍ତୁ ମାନଙ୍କର ସେମିତି ଜୀବନ ଅଛି। ଆମେ ମଣିଷ ମାନେ ଯେପରି ମା କାଳୀଙ୍କ ସନ୍ତାନ, ସବୁ ଜୀବ ଜନ୍ତୁ ମଧ୍ୟ ତାଙ୍କ ସନ୍ତାନ । କୋଉ ମା କେବେ ଚାହିଁବ ତା ସନ୍ତାନର ରକ୍ତ ପିଇବାକୁ। ଗଞ୍ଜାଟିକୁ ମା କାଳୀଙ୍କ ପାଖରେ ବଳି ପକେଇ ଆମେ ତାକୁ ମାଂସ ତରକାରୀ କରି ଖାଇବା। ମାଆ କାଳୀଙ୍କ ନାଁ ରେ ଆମେ ତ ପାପ କରୁଛନ୍ତି । ତାଙ୍କ ଅଭିଶାପ ଆମ ଉପରେ ପଡିବ ।


    କୃଷ୍ଣ ଓ ମୀରା ଆଲୋଚନା କରି ସିଦ୍ଧାନ୍ତରେ ପହଂଚିଲେ ଏଇ ଗ୍ରାମବାସୀଙ୍କ ବିଶ୍ୱାସରେ ପରିବର୍ତ୍ତନ ହେଇ ପାରିବ ଯଦି ମାଆ କାଳୀଙ୍କ ପୀଠର ପୂଜକ ସୁମାରୁ ଭାଇନା ବଳି ବିଷୟରେ ତାଙ୍କ ନିଷ୍ପତ୍ତି ବଦଳେଇବେ। କୃଷ୍ଣ, ମୀରା ସ୍ଥାନୀୟ ଉପଜିଲ୍ଲାପାଳ, ଥାନା ଅଧିକାରୀ ଓ ସୁମାରୁକୁ ନେଇ ହେଲା ରୁଦ୍ଧଦ୍ବାର ବୈଠକ। ସୁମାରୁକୁ ଏକ ରକମ ଘୁଶ୍ ଦେବା ଭଳି ପ୍ରସ୍ଥାବ ଦେଲେ ମୀରା। "ସଂସ୍କାର" ସଂସ୍ଥାରୁ ସୁମାରୁକୁ ଗୋପନୀୟ ଭାବରେ ମାସିକ ବେତନ ଦିଆଯିବ। ତେଣୁ ତାକୁ ନିୟମିତ ଆୟର ପନ୍ଥା ମିଳିଯିବ । ବଳି ବନ୍ଦ କରିବା ପାଇଁ ସେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତେଇବ । ନହେଲେ ତାକୁ ଗିରଫ କରି ଜେଲ ପଠେଇ ଦିଆଯିବ। କଥାରେ ଅଛି ସିଧା ଆଙ୍ଗୁଳିରେ ଘିଅ ବାହାରିବ ନାହିଁ । ଆଙ୍ଗୁଳିକୁ ଟିକେ ତେଢ଼ା କରିବାକୁ ପଡିବ। ସୁମାରୁ ତେଢ଼ା ଆଙ୍ଗୁଳିରେ ହିଁ ଡରି ଯାଇଥିଲା । କାରଣ ପ୍ରଶାସନ,ଥାନା ଓ କୋର୍ଟର ଧମକକୁ ସାମନା କରିବା ଅପେକ୍ଷା "ସଂସ୍କାର" ଅନୁଷ୍ଠାନରୁ ନିୟମିତ ଦରମା ପାଇବା ବୁଦ୍ଧିମାନର କାମ ହେବ । ସୁମାରୁ ଦେଖେଇଲା ତା କରିସ୍ମା ସନ୍ଧ୍ୟାରେ। ତା ଦେହରେ ଆସିଲା କାଳିସି । ଆଗେ ଥରିବାକୁ ଲାଗିଲା,ତା ପରେ କୁହାଟ । କୁହାଟ ପରେ ଉଦଣ୍ଡ ନାଚ। ଲୋକଙ୍କ ଜୁଆର ଫିଟିଲା ମା କାଳୀଙ୍କ ପୀଠକୁ। ସୁମାରୁର ଡିଆଁ ପର୍ବ ସରିଲା ପରେ ତଳେ କଚାଡି ହେଇପଡି ମାଟିକୁ ଡାହାଣ ହାତରେ ବାଡେଇବାକୁ ଲାଗିଲା। ଗାଁ ଲୋକ ପଣସ ପତ୍ର ଠୋଲାରେ ଲାଲ ମନ୍ଦାର ଫୁଲ, ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳ ରଖି ହାତ ଯୋଡି ବସି ଥାଆନ୍ତି ସୁମାରୁ ପାଖରୁ ନିର୍ଦ୍ଦେଶ ଶୁଣିବା ପାଇଁ । ବିଶ୍ୱାସ ତାଙ୍କର, ମା କାଳୀ ବର୍ତ୍ତମାନ ସୁମାରୁ ଭାଇନା ଦେହରେ ସବାର ହେଇଛନ୍ତି ।


   ତୁମେ ମାନେ ମହା ପାପୀ। ମୋ ପାଖରେ ବଳି ପକେଇବାର ବାହାନା କରି ବୋଦା ଓ ଗଞ୍ଜାକୁ ମାଉଁସ କରି ଖାଉଛ। ତୁମ ସମସ୍ତଙ୍କୁ ମୁଁ ଧ୍ବଂସ କରିଦେବି । 


  ଗାଁ ଲୋକମାନେ ଥରିବାକୁ ଲାଗିଲେ। ପରସ୍ପର ମୁହଁ ଚୁହାଁ ଚୁହିଁ ହେଲେ ।


ସେ ବୋଦା ଓ ଗଞ୍ଜା ସବୁ ମୋର । ସେମାନଙ୍କ ଉପରେ ମୁଁ ସବାର ହେଉଛି। ତାକୁ ଯିଏ ଖାଇବ ମୁଁ ତା ବଂଶ ଖାଇ ଦେବି । ମାନସିକ ବୋଦା ଓ ଗଞ୍ଜାକୁ ବଳି ନ ଦେଇ ଆଜି ପାଖରୁ ପୂଜା କର ।


   କୃଷ୍ଣ ଓ ମୀରା ନିଜ ହସକୁ ଯଥା ସାଧ୍ୟ ଚେଷ୍ଟା କରିଥିଲେ ଲୁଚେଇବା ପାଇଁ। ମାଙ୍କ ନିର୍ଦ୍ଦେଶ ଅମାନ୍ୟ କରିବାର ଦୁଃସାହସ ନ ଥିଲା କୋଉ ଗ୍ରାମବାସୀଙ୍କ ପାଖରେ । ତା ପରଠାରୁ ବଳି ବନ୍ଦ ହେଇ ଯାଇଥିଲା ମା କାଳୀଙ୍କ ପୀଠରେ। ମାନସିକ ଗଞ୍ଜା ଓ ବୋଦା ସବୁ ପୂଜା ପାଇଥିଲେ ନିଜ ନିଜ ମାଲିକଙ୍କ ଘରେ । ସରଳା ଦେବୀ ବା ସେଥିରୁ କିପରି ହୁଅନ୍ତେ ବ୍ୟତିକ୍ରମ । ପାଳିତ ଗଞ୍ଜାଟି ତାଙ୍କୁ ଦେଖା ଯାଉଥିଲା ମା କାଳୀ ରୂପେ । 


   ତା ପର ଠାରୁ ସେ ଗଞ୍ଜାଟି ସହିତ ସରଳାଙ୍କ ସମ୍ପର୍କ ହେଇଯାଇଥିଲା ମା ଛୁଆର ସମ୍ପର୍କ ପରି। ମା ବୋଲି ଭକ୍ତି କରୁ କରୁ ଗଞ୍ଜାଟି କେତେବେଳେ ନିଜର ଆଉ ଗୋଟିଏ ଛୁଆ ବନି ଯାଇଥିଲା ସେ କଥା ସରଳା ଜାଣି ପାରି ନ ଥିଲେ । ସ୍ନେହରେ ସରଳା ତାକୁ ଡାକୁଥାନ୍ତି ଗୁଂଜୁରୁ ବୋଲି । ସରଳାଙ୍କ ପଛେ ପଛେ ଗୁଂଜୁରୁ କାୟା ସହିତ ଛାୟା ପରି ଘୁରି ବୁଲୁଥାଏ । ଗୁହାଳ ଘରକୁ ସରଳା ଗାଈ ମାନଙ୍କୁ ଖାଇବାକୁ ଦେବାକୁ ଗଲେ ପାଖରେ ଥାଏ ଗୁଂଜୁରୁ। ଶାଗ କିଆରୀରୁ ଶାଗ ତୋଳିଲା ବେଳେ ସେଇଠି ପୋକ ଆଦି ଖାଉଥାଏ ଗୁଂଜୁରୁ। ବଗିଚାରୁ ପରିବା ତୋଳିଲା ବେଳେ ସରଳାଙ୍କ ଚାରି ପାଖରେ କକ୍ କକ୍ ହେଇ ଚକ୍କର କାଟୁଥାଏ ଗୁଂଜୁରୁ । 'ଗୁଂଜୁରୁ କୁଆଡେ ଗଲୁରେ, ଆ ଖାଇବୁ ଆ', ଡାକ ଛାଡିଲେ କାହିଁ କେତେ ଦୂରରେ ଥିଲେ ବି ଗୁଂଜୁରୁ କକ୍ କକ୍ କରି ଦଉଡି ଆସେ । ସରଳା ନିଜ ବାଡ଼ିରେ ବସି କଂସାରେ ପଖାଳ ଖାଉଥିବାବେଳେ ଗୁଂଜୁରୁ ପାଇଁ ଗୋଟେ ଗିନାରେ ଭାତ ବାଢି ଦିଅନ୍ତି। ଗୁଂଜୁରୁ ସାଙ୍ଗରେ ନ ଥିଲେ ପାଟିକୁ ଖାଦ୍ୟ ରୁଚେ ନାହିଁ ସରଳାଙ୍କର । ଥରେ ଖଳାରେ ବସି ଶାଗ ବାଛୁ ଥିବା ବେଳେ ଗୋଟେ ତେନ୍ତୁଳିଆ ବିଛା ସାଇଁ କରି ମାଡି ଆସିଲା ସରଳାଙ୍କୁ କାମୁଡିବା ପାଇଁ । କିଛି ଦୂରରେ ନିଜ ଖାଦ୍ୟ ଅନ୍ୱେଷଣରେ ବୁଲୁଥୁଲା ଗୁଂଜୁରୁ। ବିଜୁଳି ବେଗରେ ଉଡିଆସି ସେ ବିଛାକୁ ଉଠେଇନେଲା ନିଜ ଲମ୍ବା ଥଂଟରେ ଆଉ ଖଣ୍ଡ ଖଣ୍ଡ କରି ତାକୁ ନିପାତ କରିଦେଲା । ସ୍ନେହରେ ସରଳା ତାକୁ ଗେଲ କରି ଆଉଁସି ଦେଉ ଦେଉ କହି ପକେଇଲେ, ତୋ ଋଣ ମୁଁ ଶୁଝି ପାରିବି ନାହିଁରେ ଗୁଂଜୁରୁ। ଏଇ ଭିତରେ ଗୁଂଜୁରୁ ଶରୀରରେ ଖୁବ ବୃଦ୍ଧି ଘଟି ଥିଲା । ପାଖା ପାଖି ଦେଢ଼ ଫୁଟ ରୁ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ତା ପୃଥୁଳକାୟ ଶରୀର ସହିତ ମଥାରେ ତାର ଲାଲ ରଙ୍ଗର ଲମ୍ବା ଚୁଳ ଦେଖା ଯାଉଥିଲା ଜଣେ ସମ୍ରାଟର ମୁକୁଟ ପରି । ସେ ଯେତେବେକେ ନିଜ ଡୋଳାକୁ କଡେଇ ମୁହଁକୁ ବଙ୍କେଇ ତିର୍ଯ୍ୟକ ଦୃଷ୍ଟିରେ ଅନାଏ ,ତାହା କୋଉ ରାଜାଙ୍କର ବେଖାତିର ଦୃଷ୍ଟିରୁ କମ ନ ଥାଏ । ଢଳି ଢଳି ସେ ଚାଲୁଥାଏ ରାଜକୀୟ ଠାଣିରେ। ସରଳାଙ୍କର ରାତି ପାଏ ଗୁଂଜୁରୁର କକ୍ କକ୍ କୁହାଟରେ ଓ ସେ ବିଛଣାକୁ ଯାଆନ୍ତି ଗୁଂଜୁରୁକୁ କୋଳରେ ଧରି ।ସେ ଯେମିତି ବନି ଯାଇଥିଲା ସରଳାଙ୍କ ସତ୍ତାର ଏକ ପରିବର୍ଦ୍ଧିତ ଅଂଶ।


*****************


   ଗତ ପନ୍ଦର ଦିନ ହେବ ଗୁଂଜୁରୁକୁ ଛାଡି ସରଳା ହେଇଥାନ୍ତି ଅଧା ପ୍ରାଣ । ଗାଡି ଭିତରେ ଖାଲି ଗୁଂଜୁରୁ କଥା ଭାଳି ହେଉ ଥାଆନ୍ତି।' ମୋ ଗୁଂଜୁରୁ କେମିତି ଥିବ ! କଣ ଖାଉଥିବ ,ଏ ବଳି ଟା କଣ ତାର ଯତ୍ନ ନେଉଥିବ ଠିକରେ । ଗୁଂଜୁରୁଟା ମୋର ଶୁଖି ଯାଇଥିବ '! ଗାଁ ତାଙ୍କର ଯେତେ ପାଖେଇ ଆସୁଥାଏ ସରଳାଙ୍କ ମନ ସେତେ ଉତ୍ତଫୁଲିତ୍ତ ହେଉଥାଏ । ମନ ତାଙ୍କର ମନ ପବନ ଘୋଡ଼ା ପରି ଗଗନରେ ଉଡୁଥାଏ,ଗାଡିର ଗତି ତା ସହିତ ତାଳ ଦେଇ ପାରୁ ନ ଥାଏ । କୃଷ୍ଣ ଓ ମୀରା ଚକିତ ହେଉଥାନ୍ତି ଗତକାଲି ନିର୍ଜୀବ ପରି ଢୋଳୋଉଥିବା ଲୋକଟି ଆଜି ଖୁସିରେ ଫାଟି ପଡୁଛି କିପରି। ହଉ, ମାଆଙ୍କ ଖୁସିରେ ତ ପୁଅ ବୋହୁଙ୍କ ଆନନ୍ଦ ।


   ଘରେ ପହଂଚି ଗାଡିରୁ ଓହ୍ଲୋଉ ଓହ୍ଲୋଉ ସରଳା ଗୁଂଜୁରୁ ଗୁଂଜୁରୁ ଡାକ ଛାଡି ଦୌଡ଼ିଲେ ଘର ଭିତରକୁ । ବଳିକୁ ଦେଖି ପଚାରିଲେ ମୋ ଗୁଂଜୁରୁ କାହିଁକିରେ ! ଘର ଅଗଣା ବୁଲି ଆସିଲେ ଗୁଂଜୁରୁ ନାହିଁ। ଅଗଣାରେ ଏ କଣ ଦେଖୁଛନ୍ତି ସରଳା ! କୁକୁଡ଼ାର ଧଳା ନାଲି ପର ସବୁ ଇତଃ ତସ୍ତ ହେଇ ପଡିଛି । ଗୋଡ଼ ଦିଟା କିଛି ଦୁରରେ ଛିଟିକି ପଡିଛି। ଆଉ ଚୁଳ ଲଗା ମୁଣ୍ଡଟି ଝାଉଁଳି ପଡି ଡୋଳା ଓଲଟି ପଡିଛି । କିନ୍ତୁ ସେଇ ତିର୍ଯ୍ୟକ ଦୃଷ୍ଟିରେ ସରଳାକୁ ଚାହିଁ ସେ ଯେପରି କହୁଛି 'ମା ତୁ ମୋତେ ଛାଡ଼ି କୁଆଡେ ଯାଇଥିଲୁ ଏତେଦିନ । ମୁଁ ବି ତତେ ଛାଡି ଚାଲି ଯାଉଛି ସବୁଦିନ '। ଗୁଂଜୁରୁର ସେଇ କଟା ମୁଣ୍ଡ ପାଖରେ ଗଡୁଛି ବାଗ୍ ପାଇପର ମଦ ବୋତଲ। ଲଥ୍ କିନା ବସି ପଡ଼ି ସରଳା ସେଇ କଟା ମୁଣ୍ଡକୁ ଧରି ବାହୁନି ହେଲେ, 'ବଳି ତୁ କଣ କଲୁରେ, ତୋତେ ବଞ୍ଚେଇବା ପାଇଁ ମା କାଳୀ ପାଖରେ ମାନସିକ କରିଥିଲି। ମା ତୋ ଜୀବନ ବଞ୍ଚେଇଲେ ଆଉ ଗୁଂଜୁରୁକୁ ମୋ ସନ୍ତାନ କରିଦେଲେ । ଆଜି ତୁ ପାପିଷ୍ଟ ମୋ ସନ୍ତାନକୁ ତୋ ନିଜ ପାଇଁ ବଳି ପକେଇ ଦେଲୁ । ହାଇ ରେ ମୋ ଗୁଂଜୁରୁ ,ମୋ ଗୁଂଜୁରୁ ମତେ କାହିଁ ଛାଡି ଚାଲି ଗଲୁରେ .... '


   କୋହ ଉଠୁଥାଏ ତୁହାକୁ ତୁହା ସରଳାଙ୍କର । ଅପରାଧୀ ପରି ପାଖରେ ମୁଣ୍ଡ ତଳକୁ କରି ଠିଆ ହେଇଥାଏ ବଳି ଓରଫ ବଳରାମ। ଗୁଂଜୁରୁର କଟା ମୁଣ୍ଡକୁ ଛାତିରେ ଧରି ଟଳି ପଡିଲେ ସରଳା। ଗୁଂଜୁରୁ ବୋଧହୁଏ ଡାକିନେଇଥିଲା ସରଳାଙ୍କୁ ତା ନିଜ ପାଖକୁ । ମାଆର ଗୋଡ଼ ପାଖରେ ମୁଣ୍ଡ ପିଟି କାନ୍ଦୁଥାଏ ବଳରାମ। 'ମା ମୋତେ କ୍ଷମା କରିଦେ । ତୋ ଦେହ ଛୁଇଁ ଶପଥ କରୁଛି ମୁଁ ଆଉ କେବେ ମଦ ପିଇବି ନାହିଁ। ମା ମୋ ସହିତ କଥା ହୋ, ମା ତୋ ବିନା ମୁଁ ବଂଚି ପାରିବି ନାହିଁ'। ସରଳାଙ୍କର ଆଉ କିଛି ଶୁଣିବାର ନ ଥିଲା । ତାଙ୍କ ନିଶ୍ଚଳ, ନିଥର ଶରୀରଟା ପଡିଥିଲା ଗୁଂଜୁରୁର କଟାମୁଣ୍ଡକୁ ଛାତିରେ ଜାବୋଡି ଧରି। 




Rate this content
Log in

Similar oriya story from Drama