Dr Ganeswar Jena

Classics

4.8  

Dr Ganeswar Jena

Classics

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

13 mins
678



ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ମିଟିଂରେ ଯୋଗ ଦେଇ ସଦର ମହକୁମାରୁ ଅଫିସକୁ ଫେରିଲା ବେଳକୁ ସନ୍ଧ୍ୟା ରତ ରତ। ମୁଣ୍ଡଟା ଭାରି ଭାରି ଲାଗୁଛି। ଅଫିସ ଚପରାସିକୁ ଚା ଟିକେ ଆଣିବାକୁ ବରାଦ ଦେବା ଭିତରେ ଡାକ ପିଅନ ଡାକ ଧରି ଅପେକ୍ଷା କରିଛି ବୋଲି ସେ ଖବରଟା ଦେଇ ଦେଲା। ଅଫିସରେ କାହାକୁ ସେ ଚିଠି ନ ଦେଇ ଅପେକ୍ଷା କରିଛି କାରଣ ରେଜିଷ୍ଟ୍ରି ଚିଠି ଉପରେ 'ବ୍ୟକ୍ତିଗତ ଓ ଗୋପନୀୟ' ଲେଖା ଯାଇଛି ବୋଲି । ଅନୁସନ୍ଧିତ୍ସୁ ହୋଇ ଡାକବାଲା ହାତରୁ ଖାମ୍ ଟି ନେଇ ବାମ ପାର୍ଶ୍ୱରେ ପ୍ରେରକଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ଦେଖିଲି ଲେଖା ଅଛି ମହାଦେବ(ଦେଵ) ସାର୍ । ମୁକ୍ତା ମଞ୍ଜି ପରି ହସ୍ତାକ୍ଷରରେ ମୋ ନାଁ, ଠିକଣା ଓ ବାମ ପଟରେ ମହାଦେବ ସାର୍ ଙ୍କ ନାଁ ପଢି ମୋତେ ଆଉ ଅଧିକ ଶ୍ରମ କରିବାକୁ ପଡିଲା ନାହିଁ ଚିଠିଟି କୋଉଠୁ ଆସିଛି ବୋଲି ଜାଣିବାକୁ। ଦେଵ ସାର୍ ଙ୍କ ପାଖରୁ ଇଏ ବୋଧହୁଏ ପ୍ରଥମ ଚିଠି । ଚିଠିଟି କିନ୍ତୁ ସମୟର ଚକକୁ ଓଲଟା ବୁଲେଇ ଦେଇଥିଲା ଦୀର୍ଘ ତିରିଶ ବର୍ଷ ପଛକୁ।


ମହାଦେବ ସାର୍ ଙ୍କର ଚାକିରୀ ଜୀବନ ଆରମ୍ଭ ଆମ ଗାଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ । ଆମ ଗାଆଁର ପୂର୍ବଦିଗରେ ପାଖା ପାଖି ତିନି କିଲୋମିଟର ଦୂରରେ ତାଙ୍କର ଗାଆଁ। ମୁଗୁନି ପଥର ପରି ଚିକ୍କଣ କଳା ଦେଖା ଯାଉଥିବା ମହାଦେବ ସାର୍ ଙ୍କ ତେଲିଆ ମୁଖ ମଣ୍ଡଳରୁ ସବୁବେଳେ ବିଛାଡି ହେଇ ପଡୁଥାଏ ଖିଲି ଖିଲି ହସ। ସର୍ବଦା ଶୁଭ୍ର ବସ୍ତ୍ର ଯଥା ଧୋତି, ହାଫ୍ ସାର୍ଟ ଓ ବାଟା ସ୍ପଞ୍ଜ ଚପଲ ପରିହିତ ମହାଦେବ ସାର୍ ତାଙ୍କର ଶାନ୍ତ,ସୌମ୍ୟ ଓ ଆମାୟିକ ବ୍ୟବହାର ସହିତ ଆଦର୍ଶଗତ ବିଚାର ଧାରା ପାଇଁ ଜଣେ ଦେବ ପ୍ରତିମ ବ୍ୟକ୍ତି ଭାବରେ ସମସ୍ତ ଗ୍ରାମବାସୀଙ୍କ ପାଖରେ ଥାଆନ୍ତି ପରିଚିତ । ଗ୍ରାମବାସୀ ମାନେ ତାଙ୍କୁ ଶ୍ରଦ୍ଧାରେ ଦେବ ସାର୍ ବୋଲି ସମ୍ବୋଧନ କରନ୍ତି। ତାଙ୍କ ଗାଆଁରୁ ଆଟଲାସ ସାଇକେଲ ଚଢି କେନାଲ ବନ୍ଧରେ ଆସି ଗ୍ରାମର ପୂର୍ବ ମୁଣ୍ଡରୁ ସାଇକେଲ୍ ଗଡେଇ ଗଡେଇ ପଶ୍ଚିମ ଦିଗରେ ଥିବା ବିଦ୍ୟାଳୟକୁ ଗାଆଁ ଦାଣ୍ଡରେ ସେ ଚାଲି ଚାଲି ଗଲାବେଳେ ତାଙ୍କ ଉପରେ ଅଜାଡି ହେଇପଡେ ଅଜସ୍ର ନମସ୍କାର ଓ ଆଶୀର୍ବାଦ। ବୟସ୍କ ମାନଙ୍କୁ ମାନ୍ୟ ଅନୁସାରେ ସମ୍ଭାଷଣ ସହିତ ମର୍ଯ୍ୟଦା ଦେବାକୁ କେବେ ହେଳା କରନ୍ତି ନାହିଁ ଦେଵ ସାର୍।


ମୋତେ ପ୍ରାୟ ପାଞ୍ଚ ବର୍ଷ ହେଇଥିବା ବେଳେ ଗାଆଁ ଦାଣ୍ଡରେ ବାଟି ଖେଳୁ ଥିବାର ଦେଖି ମୋ ମାକୁ ଡାକି କହିଲେ, "ଖୁଡି ଏଇଟା ବାଳୁଙ୍ଗା ହେଉଛି ଦାଣ୍ଡରେ,ଏଇ ଗଣେଶ ପୂଜାରେ ଏକୁ ସ୍କୁଲକୁ ପଠାନ୍ତୁ, ୟାର ଖଡ଼ି ଛୁଆଁ କରେଇ ଦେବା" । ସାତ ଦିନ ପରେ ଗଣେଶ ପୂଜାରେ ଦେବ ସାର୍ ଖଡ଼ି ଛୁଆଁଇ ମୋତେ ପ୍ରଥମେ ସିଲଟରେ ମୁଣ୍ଡୁଳା ବୁଲେଇବା ଶିଖେଇଲେ ଓ ବନିଗଲେ ମୋର ଆଦ୍ୟ ଗୁରୁ । ନେତାଜୀ ସୁବାଷ ବୋଷଙ୍କ ଦ୍ଵାରା ବୋଧହୁଏ ଉଦ୍ ବୁଦ୍ଧ ହୋଇ ମୋର ଜନ୍ମ ତାରିଖ ବି ଜାନୁଆରୀ ୨୩ ରଖିଦେଲେ ଯଦିଓ ମୁଁ ମଇ ମାସରେ ଜନ୍ମ ଗ୍ରହଣ କରିଥିଲି । ଦେବ ସାର୍ ଭଲ ସାହିତ୍ୟ ପଢ଼ାଉଥିଲେ,କିନ୍ତୁ ଗଣିତରେ ସେ ଥିଲେ ଦୁର୍ବଳ । ପ୍ରତିଦିନ ସାର୍ ଗଣିତରେ ଦେଇଥିବା ଟାସ୍କ ଅପେକ୍ଷା ବାପାଙ୍କ ସହାୟତାରେ କିଛି ଅଧିକ ଅଙ୍କ କରି ଦେଇ ମୁଁ ବନି ଯାଉଥାଏ ସାର୍ ଙ୍କର ପ୍ରିୟ ଛାତ୍ର । 

ଗଣିତରେ ମୋର ମେଧାକୁ ଦେଖି ତାଙ୍କ ମନରେ ଗୋଟେ ଧାରଣା ଦୃଢ଼ୀଭୂତ ହେଉଥାଏ ତୃତୀୟ ଶ୍ରେଣୀରେ ମୁଁ ନିଶ୍ଚୟ ସ୍କଲାରସିପ ପାଇବି। ସ୍କଲାରସିପ ସେଣ୍ଟର ପଡିଥାଏ ଆମ ଗାଆଁରୁ ଛ କିଲୋମିଟର ଦୂର ଏକ ବିଦ୍ୟାଳୟରେ ଯାହା ସାର୍ ଙ୍କ ଘରଠାରୁ ତିନି କିଲୋମିଟର। ପରୀକ୍ଷା ପୂର୍ବଦିନ ସାର୍ ମୋତେ ସାଇକେଲରେ ବସେଇ ତାଙ୍କ ଘରକୁ ନେଇଗଲେ, କାରଣ ତା ପର ଦିନ ତାଙ୍କ ଘର ପାଖରୁ ସେଣ୍ଟର ଯିବାକୁ ପାଖ ହେବ । ସେଇଟି ଥିଲା ମୋର ସାର୍ ଙ୍କ ଘରକୁ ପ୍ରଥମ ଗମନ। ସାର୍ ଙ୍କ ସ୍ତ୍ରୀଙ୍କୁ ମୁଁ ଗୁରୁମା ଡାକିବା ଆରମ୍ଭ କଲି । ସାର୍ ଙ୍କର ପୁଅ ଗଣପତି ମୋ ଠାରୁ ବର୍ଷେରୁ କମ ବଡ଼ ଥିଲେ ମଧ୍ୟ ତାଙ୍କ ଗାଁ ସ୍କୁଲରେ ମୋ ଶ୍ରେଣୀରେ ପଢୁଥିଲା । 


ତା ପରଦିନ ସ୍କଲାରସିପ୍ ପରୀକ୍ଷାରେ ଏମିତି ଗୋଟେ ଘଟଣା ଘଟିଲା ଯାହା ମୋର ବାଳୁତ ମନକୁ କରି ଦେଇଥିଲା ହଲଚଲ। "ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମେୟୀ ଶ୍ରୀ ଗୁରବେ ନମଃ"- ଏ ଶ୍ଳୋକ ସବୁ ଦିନେ ପ୍ରାର୍ଥନା ସଭାରେ ଗାଇ ଗାଇ ଗୁରୁଙ୍କୁ ଆମେ ସାକ୍ଷାତ ଈଶ୍ୱରଙ୍କ ଅବତାର ବୋଲି ଭାବୁଥିଲୁ । କିନ୍ତୁ ସେଇ ଗୁରୁ ପୁଣି ଏତେ ଈର୍ଷାଳୁ, ପରଶ୍ରୀ କାତର ଓ ନିଚମନା ହେଇ ପାରନ୍ତି ସେ ଭାବନା କେବେ ମନକୁ ଆସେ ନାହିଁ। ସ୍କଲାରସିପ ପରୀକ୍ଷାରେ କେବଳ ଗୋଟିଏ ବିଷୟରେ ପରୀକ୍ଷା ହୁଏ,ତାହା ହେଲା ଗଣିତ। ଗଣିତରେ ମୋର ପାରଦର୍ଶିତାକୁ ଦୃଷ୍ଟିରେ ରଖି ଦେଵ ସାର୍ ଖାଲି ଦୃଢ଼ ନିଶ୍ଚିତ ନ ଥିଲେ ଯେ ମୁଁ ସ୍କଲାରସିପଟାକୁ ପକେଟସ୍ଥ କରୁଛି ବୋଲି ବରଂ ମୁଁ ପରୀକ୍ଷା ହଲକୁ ପଶିବା ପରେ ଡାହୁକ ଭଳି ଗୋଟେ ପ୍ରଚାର କରିଦେଲେ ଯେ ପରୀକ୍ଷାରେ କେହି ମୋର ପାସଙ୍ଗରେ ପଡିବେ ନାହିଁ। କହିବା ଅନାବଶ୍ୟକ ଯେ ସାର୍ ଙ୍କର ମୋ ପ୍ରତି ଥିବା ଅତ୍ୟଧିକ ଆସକ୍ତି ଅନ୍ୟ ବିଦ୍ୟାଳୟର ଶିକ୍ଷକଙ୍କ ପାଇଁ ଗାତ୍ରଦାହର ସୁରାକ୍ ଯୋଗେଇ ଦେଇଥିଲା। ମୋର କିନ୍ତୁ ଥିଲା ଗୋଟେ ଆଳୁ ଦୋଷ। ପରୀକ୍ଷା ସରିବାର ବହୁ ଆଗରୁ ଖାତା ଦେଇ ଆସି ବାହାଦୁରୀ ଦେଖେଇ ହେବା ଥିଲା ମୋର ବଡ ବଦଭ୍ୟାସ। ସେଦିନ ମଧ୍ୟ ପରୀକ୍ଷା ସମୟ ଏକ ଘଣ୍ଟା ଥିବା ସତ୍ତ୍ୱେ ଅଧ ଘଣ୍ଟାରେ ପରୀକ୍ଷା ହଲରୁ ବାହାରି ସବୁ ଠିକ୍ କରି ଦେଇଛି ବୋଲି ସାରଙ୍କ ପାଖରେ ପ୍ରକାଶ କରିବା ଉପରାନ୍ତେ ସାର୍ ମାଇକ୍ ଲଗେଇ ପ୍ରଚାର କଲାଭଳି ଛାତି ଫୁଲେଇ ବୁଲି ବୁଲି ଘୋଷଣା କରି ଦେଲେ ଯେ ମୁଁ ପ୍ରଥମ ହଉଛି ବୋଲି । 

ଏତେ ଶୀଘ୍ର ସବୁ ଅଙ୍କ ଠିକ୍ କରି ଦେଇ ମୋର ପରୀକ୍ଷା ହଲରୁ ବାହାରି ଆସିବାଟା ଅନ୍ୟ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ କରି ଦେଇଥିଲା ହତଚକିତ। ତାଙ୍କ ମଧ୍ୟରୁ ଜଣେ ଶିକ୍ଷକ ମୋତେ ପ୍ରଶ୍ନ ପତ୍ରର ସବୁ ଅଙ୍କ ଉପରେ ଗୁଡେଇ ତୁଡେଇ ପଚାରି ଚାଲିଲେ ଅସଂଖ୍ୟ ପ୍ରଶ୍ନ ଯେମିତି ପୋଲିସ ଜେରା କରେ ଅପରାଧୀକୁ ତା ଭୁଲ୍ ର ସୁରାକ୍ ଟିଏ ବାହାର କରିବା ପାଇଁ। ଆଉ ଯେତେବେଳେ ସେ ଆବିଷ୍କାର କଲେ ଯେ ମୋର ତୁର୍ ତୁରିଆ ଗୁଣ ପାଇଁ ଗୋଟେ ପ୍ରଶ୍ନର ଉତ୍ତର ଭୁଲ କରିଦେଇଛି, ସେ ତାଙ୍କ ବକ୍ଷକୁ ବାଡେଇ ଏମିତି ଖୁସି ଜାହିର କଲେ ଯାହା କଲମ୍ବସ ଆମେରିକା ଆବିଷ୍କାର କରି ବୋଧହୁଏ ସେତିକି ଖୁସି ହେଇ ନଥିବେ। 

"ଅଙ୍କ କେମିତି କରାଯାଏ ଗଣିତ ଶିକ୍ଷକଙ୍କୁ ପଚାର। ସାହିତ୍ୟ ଶିକ୍ଷକ ଯଦି ଗଣିତ ପଢେଇବେ ତେବେ ଏଇଭଳି ଗୁରୁ ଚଣ୍ଡାଳ ଦୋଷ ହବ। ଅପେକ୍ଷା କର ମୋ ଛାତ୍ର ଆସୁ ଦେଖିବ ସେ କେମିତି କରିଛି । ଆଉ ମୁଁ ଗଣିତ ଶିକ୍ଷକ ହିସାବରେ ଛାତିରେ ହାତ ବାଡେଇ କହୁଛି ମୋ ଛାତ୍ର ଯଦି ସ୍କଲାରସିପ୍ ନ ପାଇବ ତେବେ ମୁଁ ନିଶ କାଟି ଦେବି।" ସେ ଶିକ୍ଷକଙ୍କୁ ଚ୍ୟାଲେଞ୍ଜ କରିବା ଦେବ ସାର୍ ଙ୍କ ପକ୍ଷେ ମାଛ ହେଇ ଗଗନରେ ଉଡିବା ପରି ଥାଏ ଅସମ୍ଭବ , କାରଣ ଗଣିତ ବିଷୟରେ ତର୍ଜମା କରିବା ଦେବ ସାର୍ ଙ୍କ ପାଇଁ ବାମନ ହେଇ ଚନ୍ଦ୍ରକୁ ହାତ ବଢ଼େଇବା ସଦୃଶ୍ୟ। ଆଉ ତା ପରେ ଦେବ ସାର୍ ଙ୍କର ତ ମୂଳରୁ ନିଶ ନଥାଏ ସେ ପୁଣି ନିଶ କାଟିବେ କିପରି। ସେ ଶିକ୍ଷକଙ୍କ ସମ୍ମୁଖ ଯୁଦ୍ଧକୁ ଆହ୍ୱାନ ପାଖରେ ସାର୍ ଦେଖା ଯାଉଥାନ୍ତି ଜଣେ ପରାଜିତ ସୈନିକ ପରି ବିପର୍ଯ୍ୟସ୍ତ ଓ ଭୁଲୁଣ୍ଠିତ । ଜଣେ ତୃତୀୟ ଶ୍ରେଣୀ ଛାତ୍ରର ଅସାବଧାନତା ବଶତଃ ଭୁଲ ପାଇଁ ଆଉ ଜଣେ ଶିକ୍ଷକ ଏତେ ମାତ୍ରାରେ ଉତ୍ତଫୁଲ୍ଲିତ ହେବେ, ମୋ ପାଇଁ ଯେତିକି ଦୁଃଖ ଦାୟକ ଥିଲା ତା ଠାରୁ ଅଧିକ କଷ୍ଟ ଦାୟକ ଥିଲା ଦେବ ସାର୍ ଙ୍କ ନିରସ,ଶୁଷ୍କ ଓ ମଳିନ ବଦନକୁ ଦେଖି । ମୋର ଭୁଲ ପାଇଁ ଦେବ ସାର୍ ଅପମାନିତ ହେବେ, ତାକୁ ମୁଁ ହଜମ କରି ପାରି ନଥିଲି ସେଇଦିନ, ଯାହା ପରବର୍ତ୍ତୀ ଜୀବନରେ ମୋ ମନ ମଧ୍ୟରେ ରହିଯାଇଥିଲା ଏକ ଅଲିଭା ଗାର ହେଇ । 


ସାର୍ କିନ୍ତୁ ସାଇକେଲରେ ମୋତେ ବସେଇ ତାଙ୍କ ଘରକୁ ଫେରୁଥିଲା ବେଳେ ସାନ୍ତ୍ୱନା ଦେଉଥିଲେ "ତୁ ମନ ଦେଇ ପାଠ ପଢ଼ ଯେପରି ପଞ୍ଚମ ଶ୍ରେଣୀ ପରୀକ୍ଷାରେ ସ୍କଲାରସିପ୍ ନିଶ୍ଚୟ ପାଇବୁ।" ତା ପର ଠାରୁ ସାର୍ ମୋତେ କେତେ ଥର ତାଙ୍କ ଘରକୁ ନେଇ ଯାଇଛନ୍ତି ତାର ହିସାବ ମୁଁ ରଖିନାହିଁ। ତାଙ୍କ ପୁଅ ଗଣପତି ଓ ମୁଁ ସମୟ କ୍ରମେ ବନି ଯାଇଥିଲୁ ଅନ୍ତରଙ୍ଗ ସାଙ୍ଗ ଓ ପରସ୍ପରକୁ ନାଁ ଧରି ନୁହେଁ ବରଂ ସଙ୍ଗାତ ବୋଲି ସମ୍ଭାଷଣ କରୁଥିଲୁ । ଗୁରୁମା ଆମ ଦୁଇ ଜଣଙ୍କୁ ଯାଆଁଳା ପୁଅ ଭାବରେ ସ୍ନେହ କରୁଥିଲେ, ମୁଁ ପୋଡ଼ ପିଠା ଖାଇବାକୁ ଭଲ ପାଏ ଵୋଲି ନଡ଼ିଆ ଓ ବାଦାମ ପକେଇ ମୋ ପାଇଁ ପୋଡ଼ ପିଠା ପ୍ରସ୍ତୁତ କରି ବହୁ ବାର ସାର୍ ଙ୍କ ହାତରେ ପଠାନ୍ତି। ସାର୍ ଙ୍କ ଘରକୁ ଗଲେ ସଙ୍ଗାତ ଓ ମୁଁ ଗୁରୁମାଙ୍କ ସହିତ ଗୋଟିଏ ବିଛଣାରେ ଶୋଉଥିଲୁ ଓ ଗୁରୁମାଙ୍କ ଅସରନ୍ତି ପେଡିରୁ ଗପ ଶୁଣି ଶୁଣି ନିଦରେ ଡୁବି ଯାଉଥିଲୁ। ସଙ୍ଗାତ ଓ ମୁଁ ଆମ୍ବ ତୋଟାରେ ଆମ୍ବ ପାରିବା,ମୁଗ ବିଲରୁ ଛୁଇଁ ଖାଇବା,ଆଖୁ ବାଡ଼ିରେ ପଶି ଆଖୁ ଖାଉ ଖାଉ ହାତ ଖଣ୍ଡିଆ କରିବା,ସାଇକେଲ ଟାୟାରକୁ ଚକ କରି ଖେଳୁ ଖେଳୁ ବିଳମ୍ବିତ ସନ୍ଧ୍ୟାରେ ଫେରିଲା ପରେ ସାର୍ ଙ୍କ ପାଖରୁ ବେତ ମାଡ଼ ଖାଇବା ଓ ଗୁରୁମା ଆମକୁ ଆକଟ କରି ଆର ଘରକୁ ନେଇ ଖିର ପିଇବାକୁ ଦେବା ଆଦି ଘଟଣା ମୋ ସ୍ମୃତି ପଟରେ ଲିପିବଦ୍ଧ ହେଇ ଯାଉଥାଏ । ଗଣପତି ଟିକେ ପାଠରେ ଥିଲା ଦୁର୍ବଳ ।ସେଥିପାଇଁ ସାର୍ ସବୁ ବେଳେ ଗଣପତିକୁ ତାଗିଦ କରନ୍ତି, ତୁ ତ ନଷ୍ଟ ହେଇ ଗଲୁଣି, ସେ ଭଲ ପିଲାଟାକୁ କାହିଁକି ବର୍ବାଦ କରିବାକୁ ଚେଷ୍ଟା କରୁଛୁ। ତା ପାଖରୁ ଟିକେ ପାଠ ଶିଖ୍, ବଡ ହେଲେ ଚାକିରୀ ଖଣ୍ଡେ ମିଳିବ । ସାର୍ ଙ୍କର ଅଖଣ୍ଡ ବିଶ୍ୱାସ ମୁଁ ପଞ୍ଚମ ଶ୍ରେଣୀରେ ସ୍କଲାରସିପ ପାଇବି, ପୁଣି ଥରେ ଭୁଲ ପ୍ରମାଣିତ ହେଲା ମୋର ଅସଫଳତାରେ । କିନ୍ତୁ ସେଇ ବର୍ଷ ସାର୍ ଆମ ଗାଆଁ ସ୍କୁଲରୁ ଚାକିରୀ ଛାଡି କିଛି ଦୂରରେ ଥିବା ହାଇସ୍କୁଲରେ ଶିକ୍ଷକ ଭାବେ ଯୋଗ ଦେବା ପରେ ମୋତେ ଲାଗିଲା ଯେପରି ମୁଁ ଅନାଥ ହେଇଗଲି ।


ଦେଵ ସାର୍ ଙ୍କର ସମସ୍ତ ଉଦ୍ୟମ ଓ ମୋର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ମୁଁ ସାର୍ ଙ୍କୁ ନିରାଶ କରିଥିଲି ଦୁଇ ଦୁଇ ଥର ସ୍କଲାରସିପ୍ ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇ। ମୋତେ କିନ୍ତୁ ସଫଳତା ମିଳିଥିଲା ସପ୍ତମ ଶ୍ରେଣୀରେ ଯେତେବେଳେ ଜିଲ୍ଲା ସ୍ତରରେ ପ୍ରଥମ ହୋଇ ମୁଁ ସ୍କଲାରସିପ ପାଇଥିଲି। ଆଉ ମୋର ଖୁସି ଦ୍ବିଗୁଣିତ ହୋଇ ଯାଇଥିଲା ଯେତେବେଳେ ମୁଁ ଦେବ ସାର୍ ଯୋଗ ଦେଇଥିବା ହାଇସ୍କୁଲରେ ନାଁ ଲେଖେଇଥିଲି। 


ମୋ ଆଚାର,ବିଚାର, ଓ ସଂସ୍କାରର ଭିତ୍ତିପ୍ରସ୍ତର ପଡିଥିଲା ହାଇସ୍କୁଲରେ ପଢିଥିବା ଚାରି ବର୍ଷରେ ଦେବତୁଲ୍ୟ ଦେବ ସାର୍ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। ସେ ମୋ ପାଇଁ କେବଳ ଗୁରୁ ନ ଥିଲେ , ସେ ଥିଲେ ମୋର ପିତୃ ପ୍ରତିମ, ଅନାବିଳ ସ୍ନେହର ଗନ୍ତାଘର,ମମତା ଓ କରୁଣାର ଅସରନ୍ତି ଭଣ୍ଡାର। ହାଇସ୍କୁଲ ଚାରି ବର୍ଷରେ ସାର୍ ଙ୍କ ଘରକୁ କେତେ ଥର ଯାଇଛି ତାର ହିସାବ ନାହିଁ। ସାର୍ ଙ୍କର ସ୍ନେହ,ଗୁରୁମାଙ୍କ ଆଦର ଓ ସର୍ବୋପରି ସଙ୍ଗାତ ଗଣପତି ସହ ଅନ୍ତରଙ୍ଗ ସମ୍ପର୍କ ମୋତେ ବନେଇ ଦେଇ ଥିଲା ସାର୍ ଙ୍କ ଘରର ଏକ ଅବିଛେଦ୍ୟ ଅଙ୍ଗ। ସାର୍ ଙ୍କର ଦୃଢ଼ ବିଶ୍ୱାସ ଥିଲା ଯଦି ସବୁ ସାର୍ ଙ୍କ ତତ୍ତ୍ଵାବଧାନରେ ମୁଁ ରହେ ତେବେ ମେଟ୍ରିକ ପରୀକ୍ଷାରେ ନିଶ୍ଚୟ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଆସିବି। ସାର୍ ଙ୍କ ଆବାହକତ୍ଵରେ ଓ ହେଡ୍ ସାର୍ ଙ୍କ ପୌରହିତ୍ୟରେ ଏକ ମିଟିଂରେ ନିଷ୍ପତ୍ତି ହେଲା ଅଦଶମ ଶ୍ରେଣୀରେ ମୋତେ ହଷ୍ଟେଲରେ ରଖାଯିବ ଓ ମୋର ସମସ୍ତ ହଷ୍ଟେଲ ଖର୍ଚ୍ଚ ସ୍କୁଲ ବହନ କରିବ। ସବୁ ସାର୍ ଙ୍କ ପାଖରେ ମୋର ମାଗଣା ଟିଉସନର ବ୍ୟବସ୍ଥା ମଧ୍ୟ କରିଦେଲେ ଦେଵ ସାର୍ ଓ ମୋ ସହିତ ଛାଇ ପରି ଲାଗି ରହିଲେ ମୋତେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରଖିବା ପାଇଁ। ସାର୍ ଙ୍କର ଏ ଋଣ କେବେ ଭୁଲିବାର ନୁହେଁ ।କିନ୍ତୁ ତୃତୀୟ ଥର ସାର୍ ଙ୍କୁ ପୁଣି ନିରାଶ ହେବାକୁ ପଡିଲା ଯେତେବେଳେ ମେଟ୍ରିକ ପରୀକ୍ଷାରେ କିଛି କମ୍ ନମ୍ବର ପାଇଁ ମୁଁ ଦଶ ଜଣଙ୍କ ମଧ୍ୟରେ ରହିବାରେ ବିଫଳ ହେଲି । ସାର୍ ଙ୍କର କିନ୍ତୁ ସବୁ ଦିନ ପାଇଁ ଅବଶୋଷ ରହିଗଲା ଯେ ତାଙ୍କର ଛାତ୍ର ଥିଲା ବେଳେ ମୁଁ ଦୁଇ ଥର ସ୍କଲାରସିପ ପରୀକ୍ଷାରେ ଓ ଥରେ ମେଟ୍ରିକ ପରୀକ୍ଷାରେ ବିଫଳ ହେଲି ,କିନ୍ତୁ ଯେଉଁ ଦୁଇ ବର୍ଷ ସେ ଆମ ଗାଁ ସ୍କୁଲ ଛାଡି ବଦଳି ହୋଇ ଯାଇଥିଲେ ସେଇ ବର୍ଷ ମୁଁ ସ୍କଲାରସିପ୍ ପାଇଲି। 


ସେତେବେଳେ ଜେରକ୍ସ ମେସିନ ଉଦ୍ଭାବନ ହେଇଥିଲା କି ନାହିଁ ଜଣାନାହିଁ, କିନ୍ତୁ ଏଭଳି ଗୋଟେ ଯନ୍ତ୍ର ଅଛି ବୋଲି ମଧ୍ୟ ସଚରାଚରେ କାହା ଗୋଚରରେ ନ ଥିଲା । କଲେଜରେ ଆଡ଼ମିଶନ ପାଇଁ ମାର୍କସିଟକୁ ଟାଇପ୍ କରି ଗେଜେଟେଡ଼ ଅଫିସର ପାଖରେ ଆଟେଷ୍ଟେଡ଼ କରିବାକୁ ପଡୁଥିଲା। ସେଇ ଟାଇପ୍ ମେସିନଟି ମଧ୍ୟ ଥିଲା ଦୁର୍ଲ୍ଲଭ। ଆମ ହାଇସ୍କୁଲଠାରୁ ପନ୍ଦର କିଲୋମିଟର ଦୂର ସବଡିଭିଜନ ସ୍ତରରେ ଥିବା କଚେରି ପାଖରେ କେବଳ ଟାଇପ୍ ମେସିନ ଉପଲବ୍ଧ ଥିବାରୁ ଦେଵ ସାରେ ମତେ ସାଇକେଲରେ ବସାଇ ନେଇଥିଲେ ମୋର ସବୁ କାଗଜାତକୁ ଟାଇପ୍ କରିବା ପାଇଁ। ମଥାରୁ ଛପର ଉଡି ଯାଇଥିବା,ଠାକରା ଗାଲୁଆ ସହିତ କଳା ମୋଟା ଚଷମା ପିନ୍ଧି ଟାଇପ୍ ମେସିନ ପାଖରେ ବସିଥିବା ଶ୍ୟାମଳ ବର୍ଣ୍ଣର ଲୋକଟି ଉସ୍ତାଦ ଜାକିର ହୁସେନ ତବଲା ଉପରେ ହସ୍ତ ଚାଳନା କଲା ପରି ଟାଇପ୍ ମେସିନର କି ବୋର୍ଡ ଉପରେ ଯେପରି ନିଜର ଅଙ୍ଗୁଷ୍ଟି ପ୍ରହାର କରୁଥିଲେ ତାହା ଖୁବ ଦର୍ଶନୀୟ। କି ବୋର୍ଡକୁ ନ ଅନାଇ ଟାଇପ୍ କରିବାକୁ ଥିବା କାଗଜ ଉପରେ ଆଖି ରଖି ସେ ଯେଭଳି ବିଦ୍ୟୁତ୍ ବେଗରେ ଓ ନିର୍ଭୁଲ ଭାବରେ ଟାଇପ୍ କରୁଥିଲେ ସେଥିରୁ ତାଙ୍କ ପାରଙ୍ଗମତା ଅନୁମେୟ। ସାରେ ମୋତେ ତାଙ୍କ ପାଖରେ ଦଣ୍ଡାୟମାନ ହେବାକୁ କହି ନିକଟସ୍ତ ଦୋକାନକୁ ଚାଲିଲେ ତାଙ୍କର ଅତି ପ୍ରିୟ ଡିଲକ୍ସ ପାନ ଆଣିବାକୁ। ଏହି ସମୟରେ ଗୋଟେ ଅଭାବନୀୟ ଘଟଣା ଘଟିଲା। ମୋର ମାର୍କସିଟ୍ ଟି ଟାଇପ୍ କରିବାକୁ ଆରମ୍ଭ କଲାବେଳେ ପାଖରେ ଅପେକ୍ଷା କରିଥିବା ସବ୍ ଡିଭିଜନ ସ୍ତରୀୟ ହାଇସ୍କୁଲର ଜଣେ ଶିକ୍ଷକ ଆଗକୁ ଝୁଂକିପଡି ନିରୀକ୍ଷଣ କରି ବିଶ୍ୱାସ କରି ପାରିଲେ ନାହିଁ ଯେ ବ୍ଲକ ସ୍ତରରେ ଥିବା ଏକ ବିଦ୍ୟାଳୟର ଛାତ୍ର ତାଙ୍କ ବିଦ୍ୟାଳୟର ଛାତ୍ର ଅପେକ୍ଷା ଅଧିକ ନମ୍ବର ରଖିବ। କାରଣ ତାଙ୍କ ବିଦ୍ୟାଳୟର ଛାତ୍ରମାନେ ବିଗତ ବର୍ଷରେ ରାଜ୍ୟର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ବହୁବାର ସ୍ଥାନ ପାଇଥିବାର ନଜିର ଥିଲା ବେଳେ ସେ ସୌଭାଗ୍ୟ ଆମ ବିଦ୍ୟାଳୟକୁ କେବେ ମିଳି ନାହିଁ। ଗଣିତରେ ମୋର ୯୯ ନମ୍ବର ଥିବା ଦେଖି ସେ ବିଦ୍ରୁପ କରିବା ଠାଣିରେ ଟିପ୍ପଣୀ ଦେଇ ପଚାରିଲେ , "ଏ ବାବୁ ତମେ ସେ ସ୍କୁଲରେ ପଢି କିଭଳି ୯୯ ରଖିଲ ? କପି କରିଥିବ ନିଶ୍ଚୟ ।" ନିର୍ବାକ ହୋଇଯାଇଥିଲି ମୁଁ ଏ ଅପ୍ରତ୍ୟାଶିତ ପ୍ରଶ୍ନ ଶୁଣି । ତୃତୀୟ ଶ୍ରେଣୀ ସ୍କଲାରସିପ୍ ପରୀକ୍ଷାରେ ମୋ ତ୍ରୁଟିରେ ଉତ୍ତଫୁଲ୍ଲିତ ହୋଇଥିବା ଶିକ୍ଷକଙ୍କ ଛବି ଭାସି ଉଠିଥିଲା ମୋ ମାନସ ପଟରେ । ଗୋଟେ ଛାତ୍ରର କୃତିତ୍ୱରେ ଖୁସି ନ ହୋଇ ସେଥିରେ ଛିଦ୍ର ବାହାର କରିବା କଥାଟାକୁ ମୁଁ ହଜମ କରି ପାରି ନ ଥିଲି, କିନ୍ତୁ ଜଣେ ଶିକ୍ଷକଙ୍କ ମୁହଁରେ ଜବାବ ଦେବା ମୋ ସଂସ୍କାରର ବାହାରେ ଥିଲା। ମୋ ଆଖିରୁ କେବଳ ବହି ଯାଇଥିଲା ଅମାନିଆ ଲୁହର ଧାର । ସେତେବେଳକୁ ଫେରି ଆସିଥିଲେ ସାରେ ଓ ଟାଇପ ରାଇଟର ପାଖରୁ ମୋ ବିଷାଦ ବଦନର ରହସ୍ୟ ଜାଣି ଆଉ ଚୁପ ରହି ପାରି ନଥିଲେ । ଯେଭଳି ସେ ବନି ଯାଇଥିଲେ ଋଷି ଦୁର୍ବାସା ଏବଂ ସେ ଶିକ୍ଷକଙ୍କୁ କଡା ଭାଷାରେ ଜବାବ ଦେଇଥିଲେ , "ଆଜ୍ଞା ଆମ ଦୁଇ ସ୍କୁଲର ପ୍ରତିଯୋଗିତାରେ ଜଣେ ବିଦ୍ୱାନ ଛାତ୍ର ପ୍ରତି ଅସୂୟା ଭାବ ପ୍ରକାଶ କରିବା ଲୋକ ଶିକ୍ଷକ ପଦବାଚ୍ଯ ହୋଇ ପାରିବେ ନାହିଁ। 'ଗୁରୁଙ୍କୁ ନ ମଣିବ ନର , ଗୁରୁ ହିଁ ସାକ୍ଷାତ ଈଶ୍ୱର।' ଈଶ୍ୱର କଣ ଏଭଳି ଈର୍ଷ୍ୟାଳୁ ଆଉ ପରଶ୍ରୀକାତର ? ଏଭଳି ଅବାଂଛିତ ମନ୍ତବ୍ୟ ପାଇଁ ଆପଣ ନିଜକୁ ଲଜ୍ଜିତ ମନେ କରିବା ଉଚିତ। ଶିକ୍ଷକ ପଦର ଗାରିମା ଓ ପଦ ମର୍ଯ୍ୟଦା ଦୟାକରି କ୍ଷୁର୍ଣ୍ଣ କରନ୍ତୁ ନାହିଁ ।" ଆଉ ମୋ ମନର କଷ୍ଟକୁ ଲାଘବ କରିବା ସହିତ ସାନ୍ତ୍ୱନା ଦେବା ପାଇଁ ସାରେ ମୋତେ ସେଇ ବଜାରରେ ଥିବା ପ୍ରସିଦ୍ଧ ମିଠା ଦୋକାନୀ ବାବାଜୀ ସାହୁ ଦୋକାନରୁ ଛେନା ମୁଡୁକି ଖାଇବାକୁ ଦେଇଥିଲେ ଯାହା ମୋ ମାନସ ପଟରେ ଛାପା ହୋଇ ରହି ଯାଇଛି। 


ସମୟର ଚକ୍ର ଘୁରିବା ସହିତ ଦୂର ସହରରେ ରହି କଲେଜ ପାଠ ପଢିବା ଓ ଚାକିରୀ ଅନ୍ୱେଷଣର ସଂଘର୍ଷ ଭିତରେ ସାର୍ ଙ୍କ ସହ ଆଉ ଦେଖା ହେବାର ସୁଯୋଗ ମିଳିନାହିଁ। ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ସାର୍ ଙ୍କୁ ତାଙ୍କର ବଦଳି ହୋଇ ଯାଇଥିବା ନୂତନ ସ୍କୁଲକୁ ଯାଇ ମୁଣ୍ଡିଆ ମାରିବା ଅବସରରେ ତାଙ୍କ ଛାତି ଯେଭଳି କୁଂଢ଼େ ମୋଟ ହୋଇ ଯାଇଥିଲା ତାହା କେବଳ ଅନୁଭବି ହିଁ ଅନୁଭବ କରିପାରିବ। ସବୁ ଶ୍ରେଣୀକୁ ନେଇ ଛୋଟ ଛୋଟ ପିଲାମାନଙ୍କ ପାଖରେ ମୋର ପରିଚୟ କରେଇବା ସହିତ ବୁଲା ବିକାଳୀ ପାଖରୁ ଆଣି ଯେତେବେଳେ ଚିନା ବାଦାମ ଖାଇବାକୁ ଦେଲେ ମୋତେ ଲାଗୁଥିଲା ମୁଁ ସାର୍ ଙ୍କର ସେଇ ତୃତୀୟ ଶ୍ରେଣୀ ଛାତ୍ର ହେଇ ରହି ଯାଇଛି । ଇତି ମଧ୍ୟରେ ଦଶ ବର୍ଷ ବିତି ଗଲାଣି । କଳାହାଣ୍ଡି ପରି ଉପାନ୍ତ ଅଂଚଳରେ ମୋର ନିଯୁକ୍ତି। କର୍ମ କ୍ଷେତ୍ରରେ ବ୍ୟସ୍ତତା ଭିତରେ ଆଉ ସାର୍ ଙ୍କ ସହ ସମ୍ପର୍କ କି ଯୋଗାଯୋଗ ରଖିପାରି ନାହିଁ। ସାର୍ କିନ୍ତୁ ମୋର ଠିକଣା ଯୋଗାଡ଼ କରି ଏଇ ଚିଠି ଲେଖିଛନ୍ତି। 


" ଶ୍ରଦ୍ଧେୟ ବୁଲୁ,

           ମୋର ଶୁଭାର୍ଶୀବାଦ ନେବୁ। ଆଶା ସର୍ବେ କୁଶଳରେ ଥିବ।ଗୋଟେ ଜରୁରୀ କାମ ପାଇଁ ଏ ଚିଠି ଲେଖିଲି। ତୁ ଜାଣିଛୁ କି ନାହିଁ ସାତ ବର୍ଷ ତଳେ ଗଣପତି ଜିଲ୍ଲା କୃଷି କାର୍ଯ୍ୟାଳୟରେ ଅସ୍ଥାୟୀ କିରାଣୀ ଭାବରେ ଯୋଗ ଦେଇଥିଲା। କିନ୍ତୁ ଜିଲ୍ଲା କାର୍ଯ୍ୟାଳୟର ଆଉ ଜଣେ କିରାଣୀର ଚଞ୍ଚକତା ଯୋଗୁଁ ଜିଲ୍ଲା କୃଷି ଅଧିକାରୀ ତାର ଚାକିରି ନିୟମିତ କରିବା ପରିବର୍ତ୍ତେ ତାକୁ ଛଟେଇ କରି ଦେଇଛନ୍ତି। ଚାକିରି ଚାଲିଯିବାପରେ ନିଜର ସ୍ତ୍ରୀ ଓ ଦୁଇ ବର୍ଷର ଝିଅର ଭବିଷ୍ୟତକୁ ନେଇ ଗଣପତି ଏବେ ଖୁବ୍ ବିଷାଦ ଗ୍ରସ୍ତ। ମୋର ଆଶଙ୍କା ଯଦି ଅବସାଦ ରେ ରହି ଗଣପତି କିଛି ଅଘଟଣ କରିଦିଏ ,ତେବେ ମୋ ସଂସାରଟି ଉଜୁଡି ଯିବ। ଗୁରୁମା ପୁଅର ଏ ଅବସ୍ଥା ଦେଖି ପାଗିଳି ପ୍ରାୟ ହେଇ ଗଲେଣି। ଅବସର ପରେ ଭଗ୍ନ ସ୍ୱାସ୍ଥ୍ୟକୁ ନେଇ ମୁଁ ଆଉ ବାହାରକୁ ଚଳ ପ୍ରଚଳ କରିପାରୁନାହିଁ। ସବୁ ଆଡୁ ନିରାଶ ହେବା ପରେ ଭାବିଲି ତୁ ହିଁ ମୋର ଏକା ସମ୍ବଳ। ଯଦି ଉପର ମହଲରେ କହି ଗଣପତିର ଛଟେଇକୁ ରଦ୍ଦ କରି ତାର ଚାକିରୀଟିକୁ ନିୟମିତ କରି ପାରନ୍ତୁ ତେବେ ସୁଅ ମୁହଁରେ ଥିବା ଏ ପରିବାର ପ୍ରତି ତୋର ଅଶେଷ କୃପା ହୁଅନ୍ତା। ଭଗବାନ ତୋର ମଙ୍ଗଳ କରନ୍ତୁ। 

ଇତି ତୋର ଶୁଭାକାଂକ୍ଷୀ ।"

ଦେଵ ସାର୍  


ମୋର ଆଦ୍ୟ ଗୁରୁ ଦେଵ ସାର୍,ଅତ୍ୟନ୍ତ ପ୍ରିୟ ଗୁରୁମା ଓ ଅନ୍ତରଙ୍ଗ ସାଙ୍ଗ ଗଣପତିର ଏଭଳି ଦୁର୍ଦ୍ଦିନରେ ଯଦି ସାହାଯ୍ୟ ନ କରି ପାରିଲି ତେବେ ମୁଁ ନିଜକୁ କ୍ଷମା କରି ପାରିବି ନାହିଁ। ନିୟମ ଅନୁସାରେ ଛଅ ବର୍ଷ କଣ୍ଟ୍ରାକଚୁଆଲ ଚାକିରୀ ପରେ ତାହା ନିୟମିତ ହୋଇ ଯିବା ପରିବର୍ତ୍ତେ ଛଟେଇ କରିବା ଏକ ନିୟମ ବିରୋଧୀ କାର୍ଯ୍ୟ । କିନ୍ତୁ ଜିଲ୍ଲା ସ୍ତରରେ ଥିବା ମନ୍ଦ ବୁଦ୍ଧି କିରାଣୀର ପେଞ୍ଚକୁ ପ୍ରତିହତ କରିବା ପାଇଁ ଉପର ମହଲରୁ କଡା ନିର୍ଦ୍ଦେଶର ଆବଶ୍ୟକତା ଥିବାବେଳେ ତାହା କିପରି ସମ୍ଭବ ହେଇ ପାରିବ ଏଇ ଚିନ୍ତାରେ ଡୁବିଥିବା ବେଳେ ହଠାତ ଏକ ଆଶାର କିରଣ ଝଲସି ଉଠିଲା ମନ ମଧ୍ୟରେ। ମୋର ପୂର୍ବତନ ଜିଲ୍ଲାପାଳ ଯିଏ କି ଜଣେ ନୀତିନିଷ୍ଟ ଦକ୍ଷ ପ୍ରଶାସକ ଭାବେ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ ଏବେ କୃଷି ନିର୍ଦ୍ଦେଶକ ।


ସାତ ଦିନ ପାଇଁ ଛୁଟି ଦରଖାସ୍ତ ଦେଇ ରାତି ବସରେ ଚାଲିଲି ଭୁବନେଶ୍ୱର କୃଷି ନିର୍ଦ୍ଦେଶକଙ୍କୁ ଭେଟିବା ପାଇଁ। ମୋର ପରମ ଆଧ୍ୟାୟ ଆଦ୍ୟ ଗୁରୁ ଓ ତାଙ୍କ ପରିବାର ସହିତ ଥିବା ଆବେଗିକ ସମ୍ପର୍କର ବିସ୍ତୃତ ବିବରଣୀ ଦେବା ସହିତ ସରକାରୀ କଳରେ ଥିବା ଜଣେ ଅପାଙ୍କତେୟ ବ୍ୟକ୍ତିଙ୍କ ମାର୍ ପେଂଚ ନୀତି ଯୋଗୁଁ ଗୋଟିଏ ପରିବାର କିପରି ସୁଅ ମୁହଁକୁ ଠେଲି ହେଇ ଯାଇଛି ପ୍ରକାଶ କରି ସାରିବା ପରେ ଦେଖିଲି ନିର୍ଦ୍ଦେଶକ ଭାବ ପ୍ରବଣ ହୋଇ ନିଜର ଆଖିରେ ଜକେଇ ହୋଇ ଆସିଥିବା ଲୁହକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି ନିଜର ରୁମାଲ୍ ସାହାଯ୍ୟରେ। ମହାରାଷ୍ଟ୍ରର ଏକ ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରି ଜଣେ ଶିକ୍ଷକଙ୍କ ସହାୟତାରେ ସେ କିଭଳି ଆ.ଇ.ଏସ. ପାଇଲେ ସେ ବିଷୟରେ ଅବଶ୍ୟ ମୁଁ ପରେ ଜାଣିଲି। ଗରିବ ପରିବାରରୁ ଆସିଥିବା ଏଇ ପ୍ରଶାସକ ଜଣକ କିନ୍ତୁ ଗରିବ ମାନଙ୍କ ସେବାକୁ ନିଜ ଜୀବନର ବ୍ରତ କରିଥିଲେ ଓ ଶିକ୍ଷକ ମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦେବାରେ କେବେ ହେଳା କରୁ ନଥିଲେ । ମୋ କାହାଣୀ ଓ ବିବରଣୀ ଶୁଣି ତତକ୍ଷଣାତ ଜିଲ୍ଲା କୃଷି ଅଧିକାରୀଙ୍କୁ ସେଇ ନିର୍ଦ୍ଧିଷ୍ଟ ଫାଇଲ ଧରି ଆସିବାକୁ ନିର୍ଦ୍ଦେଶ ଦେଲେ ଫୋନରେ । ଆଉ ତା ପରଦିନ ଫାଇଲକୁ ତନ୍ନ ତନ୍ନ ତର୍ଜମା କରି ଛଟେଇ ଆଦେଶକୁ ବାତିଲ କରି ଚାକିରୀ ନିୟମିତ ହେବାର ନିର୍ଦ୍ଦେଶ ଜାରିକଲେ। ସେଇ କାଗଜାତ୍ ଟି ଧରି ଅପୂର୍ବ ଉଲ୍ଲାସରେ ଚାଲିଲି ସାର୍ ଙ୍କ ଗ୍ରାମକୁ ଯାହା ପ୍ରାୟ ତିନି ଘଣ୍ଟାର ବାଟ ରାଜ୍ୟ ରାଜଧାନୀରୁ ।


ଯିବା ବାଟରେ ବାବାଜି ସାହୁ ଦୋକାନରୁ ସାର୍ ଙ୍କର ଅତି ପ୍ରିୟ ଛେନା ମୁଡୁକି ନେବାକୁ ଭୁଲି ନ ଥିଲି ,ଯେଉଁ ଦୋକାନରୁ ସାରେ ମତେ ମୁଡୁକି ଖୁଆଇ ସାନ୍ତ୍ୱନା ଦେଇଥିଲେ, ଯେତେବେଳେ ମୋତେ ଅପମାନିତ ଓ ବିଦ୍ରୁପ କରିଥିଲେ ସେଇ ସବ୍ ଡିଭିଜନ ସ୍ତରୀୟ ବିଦ୍ୟାଳୟର ଶିକ୍ଷକ ମୋ ମେଟ୍ରିକ ମାର୍କ ସିଟ୍ କୁ ଦେଖି। ସାର୍ ଙ୍କ ଘରେ ପହଂଚି ଦେଖିଲି ଯେପରି ସେଇଟି ଏକ ମହା ବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ। ସାର୍ ଶଯ୍ୟାଶାୟୀ । ସଙ୍ଗାତ ଗଣପତି ଓ ଗୁରୁମା ଅବସାଦ ଓ ବିଷାଦର ଚକ୍ରବ୍ୟୁହରେ ବିପର୍ଯ୍ୟସ୍ତ। ଗଣପତି ସ୍ତ୍ରୀର ବିରସ ବଦନଟି ଦେଖା ଯାଉଥାଏ ଶୁଷ୍କ ଓ ମଳିନ, ଦିଅଁ ଙ୍କ ଉପରୁ ପୂଜା ପର ଦିନ ଖସି ପଡିଥିବା ବାସୀ ମଉଳା ଫୁଲ ପରି । ମୋ ଠାରୁ ଚାକିରୀ ନିୟମିତ ହୋଇଥିବା ଖବର୍ ଶୁଣି ଯେପରି ବିଜୁଳିର ଚମକ ଖେଳି ଯାଇଥିଲା ସାରା ଗୃହରେ। ସାତ ଦିନ ହେଲା ଶେଜରୁ ଉଠି ପାରୁ ନଥିବା ସାର୍ ଯେତେବେଳେ ଧଡ୍ ପଡ୍ ହୋଇ ଉଠି ପଡି ମୋ ହାତରୁ ମୁଡୁକି ଖାଇଲେ, ମୋତେ ଲାଗୁଥିଲା ଯେପରି ସ୍ୱର୍ଗୀୟ ସୁଖ ମିଳି ଯାଇଛି। ଚଳତ୍ ଶକ୍ତି ହୀନ ହୋଇ ପଡି ରହିଥିବା ଗୁରୁମାଙ୍କ ଦେହରେ ଯେପରି ଶତ ସିଂହର ବଳ ଲାଗି ଯାଇଥିଲା । ଗଣପତିକୁ କୋଳାଗ୍ରତ କରିବା ବେଳେ ମୁଁ ଖୋଜୁଥାଏ ଆମର ସେଇ ହଜିଲା ପିଲା ଦିନକୁ । ସେ ଦିନ ରାତିରେ ଗୁରୁମା ମୋ ପାଇଁ ନଡ଼ିଆ ଦିଆ ପୋଡ଼ ପିଠା ତିଆରି କରିଥିଲେ ଅପୂର୍ବ ପୁଲକରେ । ରାତ୍ରି ଭୋଜନରେ ତିନୋଟି ଆସନ ପକେଇ ସାର୍ ,ସଙ୍ଗାତ ଆଉ ମୁଁ ଭୋଜନ ପାଇଁ ବସିଯିବା ପରେ ଗୁରୁମା ପୋଡ଼ ପିଠା ସହିତ ବୁଟ ଡାଲି ତରକାରୀ ଓ ଛେନା ମୁଡୁକି ଯେତେବେଳେ ପରସି ଦେଉଥାନ୍ତି, ମୁଁ ପୁଣି ଫେରି ଯାଉଥାଏ ସାର୍ ଙ୍କ ଘରେ ବିତାଇଥିବା ମୋର ସେଇ ପ୍ରାଥମିକ ବିଦ୍ୟାଳୟର ଦିନକୁ। ସେ ଭୋଜନର ନିଆରା ଅନୁଭୂତି କେବେ ଭୁଲିବାର ନୁହେଁ। ବିଗତ ଦିନର ଅନୁଭୂତି ପୃଷ୍ଠା ପରେ ପୃଷ୍ଠା କଡ଼ ଲେଉଟେଉଥାଏ,ଯେତେବେଳେ ସାର୍ ମୋର ଖଡି ଛୁଆଁ ଠାରୁ ମେଟ୍ରିକ ପରୀକ୍ଷା ପର୍ଯ୍ୟନ୍ତ ବିତି ଯାଇ ଥିବା ଦିନର ଧାରା ବିବରଣୀ ପ୍ରଦାନ କରୁଥାନ୍ତି ଅନର୍ଗଳ ଭାବରେ। ଗୁରୁମା ମଝିରେ ମଝିରେ ମୃଦୁ ତାଗିଦ୍ କରୁ ଥାଆନ୍ତି, "ତୁମର ପା ଦେହ ଭଲ ନାହିଁ। ଖାଇଲା ବେଳେ ଏତେ ଗପ ନାହିଁ,ତାଳୁକୁ ଉଠିଯିବ।" ସେ ଆଶ୍ଚର୍ଯ୍ୟ ହେଉ ଥାଆନ୍ତି ସାତ ଦିନ ହେବ ନିର୍ବାକ୍ ହେଇ ଶଯ୍ୟାଶାୟୀ ହୋଇଥିବା ଲୋକଟି ଏମିତି ଅବିରତ ଗପି ପାରୁଛି କିପରି। ଗୁରୁମାଙ୍କ ଶଙ୍କା ଓ ଆଶଙ୍କା ଭିତରେ ପୋଡ଼ ପିଠା ଖଣ୍ଡେ ଚୋବେଇ ଢ଼ୋକିଲା ବେଳେ ସାର୍ ଖୁବ୍ ଜୋର୍ ରେ କାଶି ଉଠିଲେ। ଆଉ ସେ କାଶ ବଢି ବଢ଼ି ଚାଲିଲା। ମୁଁ ସାର୍ ଙ୍କ ତାଳୁକୁ ଆଉଁସି ଦେଇ ପାଣି ଢୋକେ ପେଇ ଦେଉଛି,ସାର୍ ମୋ ହାତ ଉପରେ ଢଳି ପଡିଲେ । ସାର୍ ଙ୍କ ବଦନରୁ ଏକ ପରିତୃପ୍ତିର ଆଭା ଝଟକି ଆସୁଥିବାର ପ୍ରତୀୟମାନ ହେଲାବେକେ ଗୃହ ମଧ୍ୟରେ କିନ୍ତୁ ଉଝାଡ଼ି ହେଇ ପଡିଥିଲା ବିଷାଦର ଘନ କଳା ବାଦଲ। କିଛି ସମୟ ପୂର୍ବରୁ ଅନର୍ଗଳ ଗପୁଥିବା ଲୋକଟି ହେଇ ଯାଇଥିଲେ ନିର୍ବାକ୍ । ତାଙ୍କର ବୋଧହୁଏ ଆଉ କାହାକୁ କିଛି କହିବାର ନ ଥିଲା । ଲୁହ ଓ ଲହୁର ଜମାଟ ଭିତରେ ଗୁରୁମା ହେଇ ଯାଇଥିଲେ ନିଶ୍ଚଳ ,ନିଥର ଓ ନିର୍ଜୀବ, ଅଚଳ ଘଣ୍ଟା ପରି । ମୋତେ ଲାଗୁଥାଏ ଯେପରି ମୋ ଛାତି ଭିତରେ କିଏ ହାତୁଡି ପ୍ରହାର କରୁଛି ଆଉ ମୋ ହୃତପିଣ୍ଡଟା ଛେଚି ହେଇଯାଉଛି । ଗୁରୁମାଙ୍କ ଅନୁରୋଧରେ ସାର୍ ଙ୍କ ଜୁଇରେ ମୁଁ ମୁଖାଗ୍ନି ଦେଲାବେଳେ ମୋତେ ଲାଗୁଥିଲା ଯେପରି ସାର୍ ଙ୍କ ମୁଖରୁ ଏବେ ବି ବିଛୁରିତ ହେଉଛି ସେଇ ଅସୀମ ପରିତୃପ୍ତିର ଜ୍ୟୋତି । 



Rate this content
Log in

Similar oriya story from Classics