ମଧୁ ଚନ୍ଦ୍ରିକା
ମଧୁ ଚନ୍ଦ୍ରିକା
ଜଣକୁ ବିବାହ କରିବା ର ନିଷ୍ପତି କ'ଣ କେବଳ ପରିବାର ଉପରେ ନିର୍ଭର କରେ ;ବାହା ହେଉ ଥିବା ଝିଅ କି ପୁଅର ଅଧିକାର ନାହିଁ ନିଜର ମତ ସାବ୍ୟସ୍ତ କରିବା ପାଇଁ ? ଅନ୍ୟ ଜଣକୁ ସ୍ତ୍ରୀର ଅଧିକାର
ଦେବା, ପିଲାଦିନ ର ଷଢେ଼ଇ ଖେଳ ନୁହେଁ ।ବିବାହ ପୂର୍ବ ରୁ କେହି କାହାକୁ ଜାଣିବେନି !! ଶୁଣିଲେ ତ ଆଶ୍ଚର୍ଯ୍ୟ ଲାଗୁଛି ।ତାହେଲେ ଏଇୟା ହେଉ ,ଗୋଟିଏ ବେଦି ରେ ଭିନ୍ନ ସମୟ ରେ ଦୁଇଜଣ କୁ ଜଣେ ବିବାହ କରିବା ପାଇଁ ନୂଆ ହିନ୍ଦୁ କୋଡ ଟିଏ ତିଆରି ହେଉ ! ଆଉ ସବୁ ଧର୍ମ ରେ ହୋଇ ପାରୁଛି _ ଯେମିତି କା କି ମୁସଲିମଙ୍କ ତିନି ଥର ତଲାକ (ଯାହା ଏବେ ବଦଳି ଯାଇଛି) କିନ୍ତୁ ଅତି କମ୍ ରେ ଜଣେ ତିନି ଥର ବିବାହ କରି ପାରିବ; ଅନ୍ୟ ସବୁ ଧର୍ମ ରେ ବି ବିବାହ ର ଏତେ କଡାକଡି ନିୟମ ନାହିଁ। କାହା ଉପରେ ବିବାହ ଲଦି ଦିଆ ଯାଏ ନାହିଁ।
କତିପୟ ଶିକ୍ଷିତ ପରିବାର ର,ଝିଅ ପୁଅ କୁ ଏଇ ସୁବିଧା ଦିଆଯାଏ।ପ୍ରେମ ବିବାହ କୁ ଏକ ଗର୍ହିତ ଅପରାଧ ବୋଲି ପରିଗଣିତ କରୁଥିବା ସମାଜ ବିବାହ ପରେ ଡାଇଭୋର୍ସ ପାଇଁ ଅନେକ ପରିମାଣରେ ଦାୟୀ।
"ତେରୀ ମେରୀ ରାଜି ତ କିଆ କରେଗା କାଜି" ର ଏକ ବହୁ ପ୍ରାଚୀନ କଥା ରହିଛି ।
ପ୍ରେମ କରିବା ସହିତ ଚରିତ୍ର ସ୍ଖଳନ ର ଘନିଷ୍ଠ ସମ୍ପର୍କ ଅଛି ବୋଲି ମାନୁଥିବା ସମାଜ ପରିବର୍ତ୍ତିତ ପରିସ୍ଥିତି ଠାରୁ ଦୂରେଇ ଯାଇ ଯେଉଁ ଭୁଲ କରେ ତା'ର ଫଳ ଭୋଗ କରନ୍ତି ପ୍ରେମୀ ଯୁଗଳ।
ଏ ବାହାଘରରେ, ଅନୁରାଗ ଅନୁପ୍ରେରିତ ନୁହେଁ। ଏକାଠି ତୀର୍ଥ ଯାତ୍ରାରେ ଯାଇଥିବା ଅନ୍ୟ ଏକ ପରିବାର ସହିତ ଘନିଷ୍ଠତା ର ଶେଷ ପାହାଚ ରେ ପହଞ୍ଚି ଦୁଇ ପରିବାର ର ଦୁଇ ବୟୋଜ୍ୟୋଷ୍ଠ ମହିଳା ଙ୍କ ନିର୍ମାଲ୍ୟ ଶପଥ ନିଅନ୍ତି କି ଜଣକର ନାତୁଣୀ (ରୀତା) ଅନ୍ୟ ଜଣକର (ରଜତ) ସହିତ ବିବାହ ଅନୁଷ୍ଠିତ କରିବେ ।
ଚକବନ୍ଦୀ ଅଫିସର୍ ଭାବେ ରଜତ ,ଚାକିରି କରିବାର ମାତ୍ର କେତେ ମାସ ଭିତରେ ତା' ଜେଜେମା ଅଡି ବସନ୍ତି ପ୍ରୋକ୍ତ ମହିଳାଙ୍କ ନାତୁଣୀ ଙ୍କ ସହିତ ଶୁଭ ପରିଣୟ ପାଇଁ।
ରୀନା କୁ ସେ ଫୋନ୍ କରି କୁହେ,"ଜାଣିଚ, ଖୁବ ଶୀଘ୍ର ମୋର ବାହାଘର ହେବାକୁ ଯାଉଛି?"
"ବାହା ହେଇ ପଡିବ ଆଉ କ'ଣ ?"
"ମୁଁ କ'ଣ ଆଉ ଜଣକୁ ବାହା ହୋଇ ପାରିବି?"
"ବକବାଜ୍ କରନି।"
"ତୁମେ ଏକଥା କହୁଚ?
"ହଁ ,ମୁଁ କହୁଚି। ତମ ବାହାଘର କଥା।କେତେବେଳେ ବି ଭାବିବନି ପରିବାର କୁ ଛାଡି ରହିବ। ଏଇଟା ଗୋଟେ ଆତ୍ମଘାତୀ କାମ ।"
"ଠିକ୍ ଅଛି ; ମୁଁ ରୀତା କୁ ବି ବାହାହେବିନି , ରୀନା କୁ ବି...."
"ଏଇଟା ପିଲାଳିଆମୀ । ମୁଁ ତୁମକୁ ଯେତିକି ଜାଣେ ତମ ଜନ୍ମଦାତ୍ରୀ ବି ଜାଣି ନ ଥିବେ। ତମେ କୌଣସି ନିଷ୍ପତି ନିଜେ ନେଇ ପାର ନାହିଁ ।"
"ଏକଥା କହିବାର ମାନେ କ'ଣ ?"
"ତମକୁ ସମସ୍ତେ ହାଡେ ହାଡେ ଜାଣନ୍ତି।ପାଠ ରେ ତୁମକୁ କେହି ଟପି ଯାଇ ପାରି ନାହାନ୍ତି; ଖୁବ୍ ହ୍ୟାଣ୍ଡ ସମ ବି କିନ୍ତୁ....."
"କିନ୍ତୁ?"
"ପ୍ରେମ କରିବାପାଇଁ କେବଳ ଇମୋସନ ନୁହେଁ ବୁଦ୍ଧି ଦରକାର। ସାହସ ଦରକାର। କେବଳ ସାହସ ନୁହେଁ ସଂଗ୍ରାମ କରିବା ପାଇଁ ସଦା ପ୍ରସ୍ତୁତ ରହିବା ସତ୍ ପ୍ରେମ ର ଅନ୍ୟ ଏକ ଦିଗ । ତମେ ଏ ସବୁ ସବଜେକ୍ଟ ରେ ଜିରୋ ରଖିବ।" ଫୋନ୍ ରଖିଦେଲା ରୀନା।
ଚକବନ୍ଦୀ ଅଫିସର୍ ରଜତ ଫାଇଲ୍ ଖୋଲି ଦେଖି ସାଇନ୍ କରିବା ପାଇଁ ପେନ୍ ଟି ହାତରେ ଧରି ଦୂର ଦିଗବଳୟ କୁ ଚାହିଁ ରହୁଥିଲେ। ଫାଇଲ୍ ର ପାହାଡ ଫାଙ୍କରେ କେବଳ ଜଣକ ମୁହଁ ଦେଖି ପାରୁଥିଲେ,ସିଏ ହିଁ ନିଶ୍ଚୟ ରୀନା ।ଆଉ ଜଣଙ୍କର କଳ୍ପିତ ଚେହେରା ତାଙ୍କ ଦୃଷ୍ଟି ପଥ କୁ ଆସୁ ଆସୁ ଫେରି ଯାଉଥିଲା। ସିଏ ହୁଏତ ରୀତା ହୋଇପାରେ । ଯାହା କୁ କେବେ ସେ ଦେଖିନି।କେମିତିକା ହେଇଥିବ ସେ! ଲମ୍ବା,ଗେଡା,ଛୋଟୀ, କେମ୍ପୀ ,କିଷ୍କିନ୍ଦା ସୁନ୍ଦରୀ,ବିଶ୍ଵ ସୁନ୍ଦରୀ..ଆଉ ପାଠ ଘର ?
ଅସ୍ଵସ୍ତି ଵୋଧ କରୁଥିଲା ସେ। ବହଳିଆ ଅନ୍ଧାର ଭିତରେ ଚାଲୁ ଚାଲୁ ଝିଣ୍ଟି ପଡି ଲହୁ ଲୁହାଣ ହେଉଥିଲା ।ଅଜବ ଖିଆଲ ପଛରେ ଅନ୍ଧାଧୂନିଆ ଦଉଡି ଦଉଡି ଥକି ପଡୁଥିଲା। ତଥାପି କହି ପାରୁନଥିଲା ଯିଏ ଏ ବାହାଘର ଠିକ୍ କରିଛି ତାକୁ ସିଏ ବାହା ହେଇ ପଡୁ। ବାହାଘର ଗୋଟେ ମଜାକ ନୁହେଁ।ଯେଉଁ ରୀତା ସାଙ୍ଗରେ ମୁହୂର୍ତ୍ତ ଟିଏ କଟେଇନି ନି଼ଃଶ୍ଵାସ ପ୍ରଶ୍ଵାସ ର ଦୂରତା ମାପି ନାହିଁ ସେ ପୁଣି ତା' ହାତ ମାଗିବ !
ଚକ ବନ୍ଦୀ କ୍ୟାମ୍ପ ରେ ସନ୍ନାଟା ମାଡି ବସିଥିଲା।କିଛି କାମ ହୋଇ ପାରୁନଥିବାରୁ ପବ୍ଲିକ କ୍ଷୁବ୍ଧ ହେଉଥିଲେ। ଧାରଣା ରେ ବସି ରହିଥିଲେ ଚକବନ୍ଦୀ ଅଫିସର ରଜତ ର ବଦଳି ପାଇଁ।ନିକଟତମ ପ୍ରତିଦ୍ବନ୍ଦୀ ଏଇ 'ଦଧି ମାଛ ଗଡିଆ' କୁ ଆସିବା ସୁଯୋଗ କୁ ଟାକି ବସିଥିଲେ।
ରଜତ ଭାବୁଥିଲା ଏଇଠି କେବଳ ଛେନା ଅଛି ଆଉ କୋଉଠି ନାହିଁ? ଆଉ ଝାମେଲା ଆଗକୁ ବଢିବାକୁ ନ ଦେଇ ନିଜ ତରଫରୁ ଟ୍ରାନ୍ସଫାର ପାଇଁ ଆବେଦନ କରିଥିଲା ରଜତ। ସେଇ ଜାଗାଟି ରୀନା ରହିଥିବା ସହର ରୁ ଅଳ୍ପ ଦୂରରେ। ଡିଉଟି ଆଉଆର ଭିଡ କମ୍ ଦେଖି ରୀନା କୁ କଣ୍ଟାକ୍ଟ କରି କହିଲା," ତମ ଇଟାମାଟି ପାଖ ବାଉ଼ଁଶିଆପଡା ଚକଵନ୍ଦୀ କ୍ୟାମ୍ପ କୁ ବଦଳି ହୋଇଆସିଛି; ଯେତେବେଳେ ଚାହିଁଲେ ଦେଖା ହୋଇ ପାରିବ।"
"ସସ୍ତ୍ରୀକ ଆସିଛ ତ ?"
"ସସ୍ତ୍ରୀକ! ଟିକେ ଖୋଲି କରି କୁହ।"
"ଇନଭାଇଟେସନ କାର୍ଡ କୋରିଆର ରେ ଆସିଥିଲା...କିଏ ଜଣେ କହୁଥିଲା ...."
"ନିଜେ ଦେଖିନ?"
"ଅବଶ୍ୟ ମୁଁ ନିଜେ ଦେଖିନି।"
"ହ୍ବାଟ୍ ନନସେନସ! ମୁଁ ବାହା ହେବି ତମେ ଜାଣିବନି !"
ରୀନା ଓଠ ଫାଙ୍କରୁ ହସର ବିଦ୍ୟୂତ୍ ରେଖା କ୍ଷଣକ ପାଇଁ ଉଇଁ ଆସି ପୁଣି ଉଭେଇ ଯାଇଥିଲା। ସେ କହିଲା,"ଇନଭାଇଟେସନ ବାଧ୍ୟ ନୁହେଁ; ବନ୍ଧୁ ନିମନ୍ତ୍ରଣ ଗୁଆ ନ ଦେଲେ ବନ୍ଧୁ କଟି ଯାଏ। ହଳଦୀ ପାଣିରେ ବୁଡେଇ ହଳଦୀଆ କନାରେ ବାନ୍ଧି ଗୁଆ ଦଶଟା କି କୋଡିଏ ଟା ହେଉ ଦେଇ ଦେଲେ ଜାଣ ନିମନ୍ତ୍ରିତ ପରିବାର ଭିତରୁ କେହିଜଣେ ଆସିବା ନିଶ୍ଚିତ ନହେଲେ ସେଇ ପର୍ବ ପରେ ତୁମେ କାହାର ,ଭିଣୋଇ,ପିଉସା,ମଉସା ,ଦଦେଇ କି ଖୁଡୀ ନୁହେଁ।ଏବେ ଏ ପ୍ରଥା ର ସାମନ୍ୟ କୋହଳ ହେଇଥିଲେ ବି ଗାଁ ଗହଳି ମାନଙ୍କର ଏବେବି
ତାହା କଡାକଡି ମାନୁଛନ୍ତି।"
"ତମ ଶ୍ରଦ୍ଧା ଓ ବିଶ୍ଵାସ ର ମୂଲ୍ୟ ମୁଁ ନିଶ୍ଚୟ ଦେବି କାରଣ ତମ କଥାର କଠୋରତା ଅନ୍ତରାଳ ରେ ଏକ ସୁନ୍ଦର ହୃଦୟ କୁ ମୁଁ ଦେଖି ପାରୁଛି ଯେଉଁ ହୃଦୟ କନ୍ଦର ଭିତରେ ମୁଁ ନିଜକୁ ଦେଖି ପାରୁଛି ।" କହିଲା ରଜତ।
"ଖଳି ସାହି ର ବିଚାରୀ ରୀତା କଥା କଣ ହେବ?"
"ରୀତା?ଯିଏ ଏ ପରିସ୍ଥିତି ସୃଷ୍ଟି କରିଛି ସିଏ ବୁଝିବ।"
"ତା'ର ଅବା ଦୋଷ କ'ଣ?" ଗମ୍ଭୀର ହୋଇଗଲା ରୀନା।
"ମୁଁ ବି ତ ନିରୁପାୟ। ଯୋଉ ମାନେ ମନ ମାନି କରିଛନ୍ତି ସେମାନେ ଏ କଥା ବୁଝିବେ ।ମୋ ଜେଜେମା' ର ନାକ ଭୂଇଁ ରେ ବାଜିଲାଣି । ରୀତା ଜେଜେମା'ର ବି ସେଇ ଦୁରବସ୍ତା ଭୋଗୁଛନ୍ତି ।ଦୁଇ ଜଣ ଯାକ ପୁରୁଣା ପିଢୀ ର । ରାସ୍ତା ଛାଡୁ ନାହାନ୍ତି କାହିଁକି ନୂଆ ପିଢୀ ର ଯୁବକ ଯୁବତୀଙ୍କୁ?"
"ତମେ ବହୁତ ଚାଲାକ ହେଇଗଲଣି !"
"ଚାଲାକ କ'ଣ ; ଯାହା ଠିକ୍ ତାହା କହୁଚି ?"
"ତମେ ତାହେଲେ ମତେ ନିହାତି ବାହା ହବ ନା !! ତାହେଲେ ରୀତା ତମ ଜୀବନ କୁ ଆସିବା ପୂର୍ବ ରୁ କୋର୍ଟ ମେରେଜ୍ କରିନେବା.... କାରଣ କେତେବେଳେ କୋଉ କଥା.....
ଏଇ ସମୟରେ ଅମିନ ଟିଏ ଆସି କହିଲା,"ଜଣେ ଚାଷୀ ବାହାରେ ପାଟି କରୁଚି ନକସା୍ ରେ ତା ଜମି ଆଉ କାହା ଜମିରେ ମିଶି ରହିଚି ।ସିଏ...."
"ମୁଁ ଫୋନ୍ ରଖୁଛି ରୀନା । ଫୁରସତ ପାଇଲେ ଫୋନ୍ କରିବି।"
ରୀନା ଖୁସି ରେ ଡେଇଁ ପଡୁଥିଲା ।ସତେ ଯେମିତି କିଏ ଗାଉଥିଲା ,"ଚାନ୍ଦ ନା ତୁମେ ତାରା...",ଚାନ୍ଦିନୀ ଓ ମେରୀ ଚାନ୍ଦିନୀ।" ଏକ ମଧୁର ସ୍ବପ୍ନ ର ବିଭୋରିତ ହୋଇପଡୁଥିଲା ସେ। କୋର୍ଟ ମ୍ୟାରେଜ ହେବା ର ଖବର ଖୁବ୍ ଗୋପନ ରଖାଯାଇଥିଲା।
ରୀତା କୁ ସେ ଚିହ୍ନି ନାହିଁ କି ତାଠାରୁ ସେ ସୁନ୍ଦରୀ କି ନୁହେଁ ଜାଣିନି କିନ୍ତୁ ଏତିକି ଜାଣିଚି , ତାକୁ ପାଇବା ପାଇଁ ସେ ପାଗଳ । ଏତେ ଶସ୍ତା ରେ ଗୋଟେ ଦୁଇ କେଜିଆ ଭାକୁଡ_ ବିଶ୍ଵାସ ହେଉନି ତା'ର। ରଜତ ଜାତିରେ ବ୍ରାହ୍ମଣ଼ ,ରୀନା କରଣ। ଗୋଟିଏ ପାହାଚ ତଳେ ଥାଇ ପାରେ କିନ୍ତୁ ଜଣେ ଓ.ଏ.ସ. କୁ ପାଇବା ଏତେ ସହଜ ନୁହେଁ।
ଏଇ ଭିତରେ ଅସଂଖ୍ୟ ତରଙ୍ଗ ବାଲୁକା ଛାତିରେ ଧକ୍କା ଖାଇ ଫେରି ଗଲେଣି।ଅନେକ ଫଗୁଣ ରାଜତ୍ଵ କରି ଚାଲି ଗଲେଣି। ସମୟ ଆଗରେ ତୁଚ୍ଛ ମଣିଷ ର ଗର୍ବ ଭୁଲୁଣ୍ଠିତ ହୋଇ ଗଲାଣି ।ରଜତ ର ଜେଜେମା' ରୀତା ର ଜେଜେମା'ନାତି ନାତୁଣୀ ବାହାଘର ଦେଖିବେ ଦେଖିବେ ଭାବି ଭାବି ଚାଲି ଗଲେଣି କେଉଁ ଅଜଣା ଅଶୁଣା ରାଜ୍ୟ କୁ।
ରାସ୍ତାରୁ କଣ୍ଟା ସଫା ।
ରଜତ ସହିତ ରୀନା ର ବାହାଘର ହେବ। ଏଇ ଖୁସିରେ ରଜତ ମିଠା ବାଣ୍ଟି ସାରିଲାଣି। ଦ୍ଵନ୍ଦ ଓ ଆଶଙ୍କା ର ପୂର୍ଣ୍ଣଚ୍ଛେଦ ପଡିଛି।
ବିଚାରୀ ରୀତା କୁ ତା' ଜେଜେମା' ବାହା ହେବାକୁ ଦେଲେନି। ରୂପରେ,ଗୁଣରେ, ବିଦ୍ୟାରେ କୋଉଥିରେ ରୀନା ଠାରୁ ସିଏ କମ୍ ନ ଥିଲା।
ରୀତା ଯୁକ୍ତି କରୁଥିଲା,"ତମେ କାହିଁକି ମତେ ବାହା ହେବାପାଇଁ ଦେଉନାହଁ ; ମୁଁ କ'ଣ ଅଭିଆଡି ରହିବି? ଯେଉଁ ରଜତ କୁ କେବେ ଦେଖି ନାହିଁ ତା'ସହିତ ପଦେ କଥା ହେଇ ପାରିନି ତମେ କାହିଁକି ଜିଦ ଧରି ବସିଛ ତା' ସହିତ ବାହାଘର କରିବା ପାଇଁ ? ସେ ମତେ ନିଶ୍ଚୟ ବାହା ହେବେ ତା'ର ଗ୍ୟାରେଣ୍ଟି ମତେ ଦେଇପାରିବ?"
"ହଁ ସିଏ ତତେ ବାହା ହେବ, ନିଶ୍ଚୟ ବାହା ହେବ । ସତ୍ୟପାଠ ହୋଇଛି କୋର୍ଟ ରେ ।ତୁ ନିଶ୍ଚିତ ରହ।"
ରଜତ ସହିତ କଥା ନ ହେଲେବି ତାର ଇତିବୃତି ତା'ପାଖରେ ଥିଲା।
ରୀନା ପରିବାର ଏବଂ ରଜତ ର ପରିବାର ର ଗୁଆ ମଙ୍ଗୁଳା ସରି ଯାଇଥିଲା ,ନିମନ୍ତ୍ରଣ ପତ୍ର ଛପା ହୋଇ ଯାଇଥିଲା। ଚାରିଆଡେ ଖୁସିର ମାହୋଲ। ଆଉ କେତେଟା ଦିନ ପରେ ବାହାଘର।ଗୁଆ ବନ୍ଧୁ ମାନେ ଜଣେ ଜଣେ ଆସିବା ଆରମ୍ଭ କରିଦେଲେଣି ।ମେଢ ବନ୍ଧା ଚାଲିଛି। ବିଭାଗ ବଣ୍ଟନ ଚାଲିଛି। ବଇଣା ଦିଆ ଚାଲିଛି ; ପେଣ୍ଟ ବାଲା,ଭୋଜି ପାଇଁ ଆଡଭାନାସ୍ ,ବାଜା,ବ୍ୟାଣ୍ଡ,ବ୍ରାହ୍ମଣ,ବାରିକ....
ଉଭୟ ପକ୍ଷ ର ନିଃଶ୍ବାସ ନେବାରେ ତର ନାହିଁ।
ବିବାହ ଭେରି,ତୂରୀ ବାଜିଲାଣି।ରଜତ ଆଉ ରୀତା ମନରେ ଉତ୍କଣ୍ଠା ବଢି ଚାଲିଥିଲା। ରୀନା କୁ ଶୁଭି ଯାଉଥିଲା ଅଦୂରରେ ଲାଉଡଷ୍ପିକର ଗୀତ। ବାଣ,ରୋସଣି, କଲର ଲାଇଟ୍ ଆଉ ବର ଯାତ୍ରୀ ମାନଙ୍କର ନାଚ।
ସବୁ ଉତ୍କଣ୍ଠା ର ଶେଷ ପର୍ଯ୍ୟାୟ। ବର କନିଆଁ ଦୁଇଜଣଙ୍କର ସାତ ଫେରା ହେବ....! ହଠାତ ଅନ୍ୟ କିଛି ଘଟିଲା ।
"ଏ ବାହାଘର ବନ୍ଦ କର। ରୀନା ରଜତ କୁ ବାହା ହେଇ ପାରିବନି।" ସମସ୍ତେ ସ୍ତବ୍ଧ ।
"କିଏ ତମେ?"
"ମୁଁ ରୀତା ର ବାପା । କୋର୍ଟ ରେ ସତ୍ୟ ପାଠ ହୋଇଛି, ରୀତା ର ବାହାଘର ରଜତ ସହିତ ହେବ। ଏଇ ଦେଖନ୍ତୁ ସେଇ ଦଲିଲ।"
ରୀତା ତରଫ ଗୁଣ୍ଡା ମାନେ ମାର ଧର କରିବା ଦେଖି ରୀନା ପକ୍ଷ ବନ୍ଧୁମାନ ବି ଉପଯୁକ୍ତ ଜବାବ ଦେଇଥିଲେ।ବିବାହ କ୍ଷେତ୍ର, ରଣଭୂମି ରେ ପରିଣତ ହୋଇଯାଇଥିଲା।ପୁଲିସ ର ଅନୁପ୍ରବେଶ ପରିସ୍ଥିତି କୁ କିଛି ପରିମାଣ ରେ ଶାନ୍ତ କରିଥିଲା।
ରୀତା ର ବାପା ଉଭୟ ପକ୍ଷ ର ଦସ୍ତଖତ ସମ୍ବଳିତ କୋର୍ଟ ଅର୍ଡର ପୁଲିସ କୁ ହସ୍ତାନ୍ତର କରି ରୀତା ସହିତ ରଜତ ର ବାହାଘର ର ବୈଧତା ଘୋଷଣା କରିଥିଲେ।ରୀନା ବଦଳରେ ରୀତା ବେଦି ରେ ବସି ଥିଲା। .
ପୁଲିସ ଉଭୟ ପକ୍ଷର କୋର୍ଟ ଅର୍ଡର ଯାଞ୍ଚ କରି ଦେଖି କହିଥିଲା ରୀତା ସହିତ ରଜତ ର ସତ୍ୟପାଠ ର କୋର୍ଟ ଅର୍ଡର ଆଗ।
ଦୁଇଟି ବେଦିରେ ଗୋଟିଏ ପରେ ଆଉ ଗୋଟିଏର ବିବାହ ହୋଇ ଥିଲା।
ଦୁଇ ପତ୍ନୀ ଙ୍କ ମଧ୍ୟରେ ଠିଆ ହୋଇ ଭାବୁଥିଲା ରଜତ ଇଏ ଯୋଉ ଅସମ୍ଭବ ସମ୍ଭବ ହେଲା ତାହା ବିଧି ନିର୍ଦ୍ଧାରିତ ! ସରକାର କିନ୍ତୁ ଦୈତ୍ୟ ପତ୍ନୀ ସ୍ବୀକାର କରିବେନି।
ଚାକିରି ଚାଲିଗଲେ
କେହି ତା'ପିଠିରେ ପଡି ବେନି।ଏଇ କ୍ଷେତ୍ରରେ ରୀନା ହିଁ ଉପଯୁକ୍ତ କାରଣ ଏହିଯେ ସେ ଏକ କଲେଜ୍ ରେ ଅଧ୍ୟାପିକା ।ସେ ରୀତା ବିରୁଦ୍ଧରେ ଚରିତ୍ର ସ୍ଖଳନ ର ଆରୋପ ଲଗେଇ ଡିଭୋର୍ସ ପାଇଁ କୋର୍ଟ ରେ ପ୍ରାର୍ଥନା କରିଛି । ସେଇ ଦିନ ଟିକୁ ଉତ୍କଣ୍ଠା ର ସହିତ ରୀନା ଓ ରୀତା କରିଛନ୍ତି। ରୀତା ଓ ରୀନା ଦୁଇଜଣ ଯାକ ଏବେ ମିଠା ସ୍ଵପ୍ନ ରେ ମଗ୍ନ ହୋଇ ସାଙ୍ଗ ସାଥୀ ମାନଙ୍କୁ କହୁଛନ୍ତି ,"ମୋର ହିଁ ରଜତ ଙ୍କ ସହିତ ମଧୁ ଚନ୍ଦ୍ରିକା ପାଳନ ହେବ ।"
............ ..........
