STORYMIRROR

Sambit Srikumar

Drama Classics Inspirational

3  

Sambit Srikumar

Drama Classics Inspirational

ମାଉସୀ

ମାଉସୀ

5 mins
182


କଥାରେ ଲୋକେ କହନ୍ତି, "ମାଆ ନଦେଖିଲେ ମାଉସୀ ଦେଖ!" କିନ୍ତୁ କାହାକୁ ମାଉସୀ ଡାକିବା ଯେ କେତେ ବିପଦଜନକ ତାହା ନିଜେ ଅଙ୍ଗେ ନ ନିଭାଇଲେ କେହି ଜାଣି ପାରିବ ନାହିଁ। ଭାବନାତ୍ମକ ଭାବେ ଯେକୌଣସି ବୟସ୍କା ମହିଳାଙ୍କୁ ଆମେ ଗାଁ ଗହଳିରେ ମାଉସୀ ବୋଲି ଡାକିଥାଉ। ସହପାଠୀ ଓ ସାଙ୍ଗସାଥି ମାନଙ୍କ ମାଆଙ୍କୁ ମଧ୍ୟ ମାଉସୀ ବୋଲି ଡାକୁ ସଭିଏଁ। ଏହା ସହଜ ଓ ସୁବିଧାଜନକ ଆଣ୍ଟି କଲଚର୍ ଆସିବା ପୂର୍ବରୁ ବହୁଳ ପ୍ରଚଳିତ ଥିଲା! ଅବଶ୍ଯ ଏବେ ଏଥିରେ ବହୁତ ପରିବର୍ତ୍ତନ ଆସିଛି।

ମୋର ମାଟ୍ରିକ୍ ପରୀକ୍ଷା ସରି ଯାଇଥାଏ। ଖରାଛୁଟିରେ ମୁଁ ଆସିଥାଏ ଭୁବନେଶ୍ବର ଦାଦାଙ୍କ ବସାକୁ ବୁଲିବା ପାଇଁକି । ଏଇଟା ମୋର ପହିଲି ବାର ଭୁବନେଶ୍ବରକୁ ଆସିବା। ରାଜ୍ୟ ରାଜଧାନୀ ଭୁବନେଶ୍ଵର! ହଜାର ହଜାର ବର୍ଷର ଐତିହ୍ୟପୂର୍ଣ୍ଣ ମନ୍ଦିର ମାଳିନୀ ସହର କେତେ କଣ ଆମେ ସବୁ ପଢିଥିଲୁ ଆମ ପାଠ ବହିରେ। ଇତିହାସ ବହିର ମହାମେଘବାହାନ ଐର ଖାରବେଳ, ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଧଉଳିଗିରି ଶାନ୍ତିସ୍ତୂପ, ଶିଶୁପାଳଗଡ଼, ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧ, ଖଣ୍ଡଗିରି ଗୁମ୍ଫା ଇତ୍ୟାଦି ଇତ୍ୟାଦି! ପୁଣି ସାହିତ୍ୟ ବହିର ଲାଲମାଟିର ଖୋର୍ଦ୍ଧା ଗଡ଼, ପାଇକପୁଅଙ୍କ ଅସୀମ ବୀରତ୍ୱର ଗାଥା! ନଗର ବିଜ୍ଞାନ ବହିର ବିଧାନସଭା ସୌଧ ଓ ସଚିବାଳୟ। ସବୁ କିଛି ଝାପସା ଝାପସା ମନେ ଅଛି ଆଜିବି।

ନଦୀ ନାଳ ଘେରା ଅପାଣ୍ଡବା ଗାଁକୁ ଆମର ଟ୍ରେନ୍ ଲାଇନ୍ ନାହିଁ। ତେଣୁ ଆମେ ଆଗରୁ ଟ୍ରେନ୍ ଦେଖି ନଥିଲୁ ସ୍ବଚକ୍ଷୁରେ। ଯାହା ଦୂରଦର୍ଶନରେ ଦେଖିବାକୁ ମିଳୁଥିଲା। ସେବେ ଯାଏଁ ମୁଁ ଟ୍ରେନ୍ ରେ ବସି ନଥାଏ। ବଡ଼ ଉତ୍କଣ୍ଠା ଥାଏ ରେଳ ଷ୍ଟେସନ ଟିକେ ଦେଖିବାକୁ ଆଉ ଟ୍ରେନ୍ ରେ ବସିବାକୁ। ହେଲେ ଏକଥା କହିବି ବା କାହାକୁ? ଯିଏ ବି ଶୁଣିବ ମୋ କଥା, ହସି କରି ଉଡାଇଦେବ, ଗମାତ କରିବ ମୋ ସହିତ। ମଫସଲିଆ ବୋଲି ଚିଡାଇବେ ମୋତେ। ଏପରି ଭାବି ଭାବି ମୁଁ ମୋର ମନ କଥାକୁ ମନରେ ମାରେ ସିନା କେବେ ବି କାହାକୁ କହି ପାରେ ନାହିଁ। ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ।

ଦାଦାଙ୍କ ବସା ଠାରୁ ଅନତି ଦୂରରେ ଆମରି ଗାଁର ଦାମ ଅଜାଙ୍କ ବସା। ସେ ବି ଚାକିରି କରନ୍ତି ଏଠି ସେକ୍ରେଟାରିୟେଟ୍ ରେ। ତାଙ୍କ ସାନ ପୁଅ ଟୁଟୁ ଦାଦା ମୋଠୁ ବୟସରେ ଵର୍ଷେ ମାତ୍ର ବଡ଼। କିନ୍ତୁ ଦେଖିବାକୁ ମୋ ଠାରୁ ଛୋଟ, ନିଶ ଦାଢ଼ି ବି ଉଠି ନଥିଲା ସେବେ ତାଙ୍କର ଠିକ୍ ଭାବେ। ରାଜଧାନୀ କଲେଜରେ ଆଇ. ଏ. ପଢୁଥିଲେ ସେ। ପିଲାଟି ଦିନରୁ ସେ ଏଇ ଭୁବନେଶ୍ଵରରେ। ତାଙ୍କ ଭାଷାରେ ତାଙ୍କୁ ଏଇ ଗୋଲାମ ନଗରୀର ଗଳି କନ୍ଦି ସବୁ ମାଲୁମ୍। ଫନ୍ଦି ଫିକର୍ ବି। କଥା କୁହାରେ ବାଟୁଳି ବାଜେନି। ବହକାଲିଆ କହିବାଟା ଆଦୌ ଠିକ୍ ହେବ ନାହିଁ! ଭାରି ଫରଓ୍ବାର୍ଡ୍ ପିଲାଟେ ସେ!

ଦିନେ ସନ୍ଧ୍ୟାରେ ଆମେ ରୁପାଲି ଛକରେ ପାପୁଡି ଚାଟ୍ ଖାଉଥିବା ବେଳେ କେଜାଣି କାହିଁକି ମୋର ରେଳ ଷ୍ଟେସନ୍ ଦେଖିବା ଇଚ୍ଛାଟା ଜାଗି ଉଠିଲା ହଠାତ୍। ମୁଁ ଏକଥା ପାଖରେ ଥିବା ଟୁଟୁ ଦାଦାଙ୍କୁ କହିବାରୁ ସେ କହିଲେ, "ଆରେ ଏଇଟା ଗୋଟେ କଥା! କାଲି ନେଇକି ତୋତେ ଦେଖେଇ ଦେବି ମାଷ୍ଟର କ୍ୟାଣ୍ଟିନ୍ ଷ୍ଟେସନ୍..." ମନ ମୋର ଖୁସି ହୋଇଗଲା ଗୋଟିଏ ଅଭୀଷ୍ଟ ସିଦ୍ଧି ହେଲା ପରି। ଲୋକେ ବେଷ୍ଟ୍ ଟେନ୍ଥ ପାଇଲେ ବି ଏମିତି ଖୁସି ହେବେ ନାହିଁ!

ପର ଦିନ ଅତି ସକାଳୁ ଆମେ ଦିଜଣ ଯାକ ବାହାରି ଗଲୁ ଷ୍ଟେସନ୍ ଦେଖିବାକୁ କାହାରିକୁ କିଛି ନକହି। ମୁଁ ଦାଦାଙ୍କ ସାଇକେଲ ନେଇ କରି ଯାଇଥିଲି ଆଉ ଟୁଟୁ ଦାଦା ତାଙ୍କ ନିଜର। ନ' ନମ୍ବର ଫ୍ଲାଟ୍ ରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପାଖାପାଖି ଦଶ ପନ୍ଦର ମିନିଟ୍ ର ବାଟ। ସକାଳର ଫାଙ୍କା ରାଜପଥରେ ସାଇକେଲ ପେଡାଲ୍ ମାରି ମାରି କେତେ ବେଳେ ପହଞ୍ଚିଗଲୁ ଜଣା ପଡିଲା ନାହିଁ। ଟୁଟୁ ଦାଦା ଆଉ ମୁଁ ସାଇକେଲ୍ ଦିଟାକୁ ଷ୍ଟାଣ୍ଡରେ ରଖି ଆସିଲୁ। ମୁଖ୍ୟ ପ୍ରବେଶ ପଥରେ ମୁଁ ଅଗ୍ରସର ହେବାକୁ ଯାଉଥିବା ବେଳେ ମୋତେ ସେ ବାରଣ କରି କହିଲେ, "ଆରେ ବୋକା... ଏପଟେ ନୁହେଁ। ମୋ ସାଙ୍ଗରେ ଆସ।" ମୁଁ ଧାଇଁଲି ତାଙ୍କ ପଛେ ପଛେ ବାଧ୍ୟ ଛାତ୍ରଟିଏ ପରି । କିଛି ବାଟ ଗଲା ପରେ ଆମେ ଅନୁଚ୍ଚ ପାଚେରୀ ଡେଇଁ ପଶିଲୁ ଷ୍ଟେସନ୍ ଭିତରେ। ଦୁଇ ତିନୋଟି ଟ୍ରେନ୍ ଠିଆହୋଇଥିଲେ ପ୍ଲାଟଫର୍ମରେ। ନାନା ପ୍ରକାରର ଷ୍ଟଲ୍ ସବୁ ପ୍ଲାଟଫର୍ମରେ। ବହି ଠାରୁ ଆରମ୍ଭ କରି ଚାହା କଫି ଯାଏଁ।

ବଡ଼ କୌତୁହଳର ସହ ମୁଁ ଦେଖୁଥାଏ ରେଳ ଷ୍ଟେସନକୁ। ମୋର ଭାବନା ରାଇଜରେ କେତେ କଣ ମୁଁ ଚିନ୍ତା କରୁଥାଏ। ଏତିକିବେଳେ ମୁଁ ଲକ୍ଷ୍ଯ କଲି ଟୁଟୁ ଦାଦା ବହି ଷ୍ଟଲ୍ ରୁ ଷ୍ଟାରଡଷ୍ଟ୍ ମାଗାଜିନ୍ ଖଣ୍ଡିଏ କିଣିଲେ। ପ୍ରଚ୍ଛଦ ପଟ୍ଟରେ ଲାସ୍ୟମୟୀ ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍। ଆମେ ଦୁହେଁ ଇତସ୍ତତଃ ବୁଲୁଥାଉଁ ଷ୍ଟେସନ ସାରା, ଏ ପ୍ଲାଟଫର୍ମରୁ ସେ ପ୍ଲାଟଫର୍ମ। ଠିଆ ହୋଇଥିବା ଟ୍ରେନଟିଏରେ ବି ବସିଲୁ ପୁଣି ଛାଡିବା ପୂର୍ବରୁ ଓହ୍ଲାଇ ଗଲୁ। ସେତେବେଳକୁ ସମୟ ପ୍ରାୟ ସାଢ଼େ ଆଠଟା ହେବ ବୋଧେ। ମୋର ମନେ ପଡିଲା ଦାଦା ତାଙ୍କର ଅଫିସ୍ ଯିବେ ସାଇକେଲ୍ ନେଇ। ଆଉ କିଏ ମୋତେ ସମ୍ଭାଳେ? ମୁଁ ଟୁଟୁ ଦାଦାଙ୍କୁ ଡାକିଲି ବସାକୁ ଫେରିବା ପାଇଁ। ସେ ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲେ କିନ୍ତୁ ମାନିଲେ ପରେ ବସାକୁ ଫେରିବାକୁ।

ଆମେ ଷ୍ଟେସନରୁ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦୁଇ ଜଣ ଷ୍ଟେସନ୍ କର୍ମଚାରୀ ଆମ ପାଖକୁ ଆସି ପଚାରିଲେ, "ପ୍ଲାଟଫର୍ମ ଟିକଟ ଦେଖାଅ..." ମୁଁ ଜଳକା ହୋଇ ଚାହିଁ ରହିଥିଲା ବେଳେ ଟୁଟୁ ଦାଦା ଗଭୀର ଆତ୍ମବିଶ୍ୱାସ ସହକାରେ କହିଲେ, "ନାହିଁ, କିଣିଥିଲୁ ଯେ କେଉଁଠି ହଜିଗଲା!"

ସେମାନେ କହିଲେ, "ତାହେଲେ ଭିତରକୁ ଚାଲ!" ମୁଁ କିଛି ବୁଝିବା ପୂର୍ବରୁ ଟୁଟୁ ଦାଦା ମୋତେ କହିଲେ, "ଆରେ କିଛି ନାହିଁ, ମୁଁ ସମ୍ଭାଳି ନେବି, ହେଲେ ତୁ କିଛି ବି କହିବୁ ନାହିଁ। ଏକଥା ଘରେ ବି କାହାକୁ କିଛି କହିବୁ ନାହିଁ।" ମୁଁ ମୁଣ୍ଡ ଟୁଙ୍ଗାରି ହଁ ଭରିଲି।

ଦୁହେଁ ଚାଲିଲୁ ସହକାରୀ ଷ୍ଟେସନ ମାଷ୍ଟରଙ୍କ ଅଫିସ୍ ଭିତରକୁ। ଜନୈକା ମଧ୍ଯ ବୟସ୍କା ମହିଳା ଅଫିସର ଥିଲେ ସେଠାରେ। ବେଶ୍ ମାର୍ଜିତ ଏବଂ ସଂଭ୍ରାନ୍ତ ପରିପାଟି ତାଙ୍କର। ମୁଖମଣ୍ଡଳରେ ଅବିଶ୍ୱସନୀୟ ଦିପ୍ତି। ଆମକୁ ଦେଖି ଖୁବ୍ ଭଲ ଭାବରେ ଅତ୍ୟନ୍ତ କୋମଳ ସ୍ଵରରେ ପଚାରିଲେ, "କଣ କରୁଛ ତମେମାନେ?"

"ମୁଁ ଆଇ.ଏ. ପଢୁଛି ଆଉ ଇଏ ମାଟ୍ରିକ୍ ପରୀକ୍ଷା ଦେଇଛି ଏଥର।" ଟୁଟୁ ଦାଦା କହିଲେ। ମୋତେ ତ ଚୁପ୍ ଚାପ୍ ରହିବା ପାଇଁ କହିଥିଲେ ଆଗରୁ। ମୁଁ ତୁନି ହୋଇ ଠିଆ ହୋଇଥାଏ।

: ବିନା ପ୍ଲାଟଫର୍ମ୍ ଟିକେଟରେ ଷ୍ଟେସନ୍ ଭିତରେ ପଶିବାକୁ ସାହାସ କେମିତି ହେଲା?

: ନାଇଁ ମାଉସୀ! ଏମିତି ଟିକେ ବୁଲି ଆସିଥିଲୁ ଷ୍ଟେସନ ଆଡ଼କୁ। ଇଏ ଗାଁରୁ ଆସିଚି ତ...

ଏତକିରେ ଗର୍ଜି ଉଠିଲେ ମହିଳା ଅଧିକାରୀ ଜଣକ। ଅତ୍ୟନ୍ତ ଅମାୟିକ ବ୍ୟବହାର ପ୍ରଦର୍ଶନ କରୁଥିବା ଭଦ୍ର ମହିଳା କ୍ଷଣିକରେ ବେଶ୍ କଠୋର ହୋଇପଡିଲେ। ଆଉ କହିଲେ, "ଠିକ୍ ଠିକ୍ କୁହ। କୁଆଡ଼େ ଦିଜଣ ଯାକ ଆସିଛ? ଘର ଛାଡ଼ି ପଳେଇ ଯିବାକୁ ବସି ନାହଁ ତ? ତମ ପରି ବହୁତ ପିଲା ଘର ଛାଡି ପଳାଉଛନ୍ତି ଏଇ ବୟସରେ ପାଠ ପଢ଼ା ଡରରେ। ପରୀକ୍ଷାରେ ଫେଲ୍ ହେଲେ ଟ୍ରେନ ଆଗରେ ମୁଣ୍ଡ ଦେଖେଇ ଶୋଇ ପଡୁଛନ୍ତି। ଯାହା ବଦନାମ ହେଉଛୁ ଆମେ ଆଉ ଆମ ଡିପାର୍ଟମେଣ୍ଟ୍। ତମ ଦିଟାକୁ ପୋଲିସ୍ ରେ ଦେବି। ଉତ୍ତମ ମଧ୍ଯମ ଦରକାର ତୁମ ଦୁହିଁଙ୍କୁ। ତାହେଲେ ଯାଇ ବୁଦ୍ଧି ପଶିବ ମୁଣ୍ଡରେ... "

ଟୁଟୁ ଦାଦାଙ୍କର କାନ୍ଦୁଣି ମାନ୍ଦୁଣି ଅବସ୍ଥା, ଅବର୍ଣ୍ଣନୀୟ! ଆତଙ୍କ ଖେଳି ଯାଇଥାଏ ତାଙ୍କର ମନରେ ମହିଳା ଅଧିକାରୀଙ୍କ କଥା ଶୁଣି। ତାଙ୍କର ସବୁ ହୁସିୟାରୀ ଫେଲ୍ ମାରିଥିଲା। ମୁଁ ଆଗରୁ କେଉଁଠି ପଢିଥିଲି ଅବା ଶୁଣିଥିଲି ଅପରିଚିତା ମହିଳାଙ୍କୁ କେବେ ବି ଭୁଲ୍ ରେ ମଧ୍ୟ ମାଉସୀ ନଡାକି 'ମ୍ଯାଡାମ୍' ସମ୍ବୋଧନ କରିବା ପାଇଁ। ଏଣୁ ମୁଁ ନିର୍ଭିକ ଭାବରେ କହିଲି,"ସେମିତି କିଛି ନାହିଁ ମ୍ଯାଡାମ୍। ଆମ ପାଖରେ ପଇସା ନଥିବାରୁ ପ୍ଲାଟଫର୍ମ୍ ଟିକେଟ୍ କରିନୁ। ଘର ଛାଡ଼ି କେଉଁ ଆଡକୁ ଯିବାକୁ ଆମର କୌଣସି ପ୍ଲାନ୍ ପ୍ରୋଗ୍ରାମ୍ ନାହିଁ କିମ୍ବା ଆବଶ୍ୟକତା ମଧ୍ୟ ନାହିଁ... "

ମୋ କଥା ସରିବା ଆଗରୁ ଆମ ଦୁହିଁଙ୍କର ପକେଟ୍ ତଲାସି କରାଗଲା। ମୋ ପକେଟ୍ ରୁ ଦଶ ଟଙ୍କିଆ ନୋଟ୍ ଖଣ୍ଡେ ବାହାରିଲା। ଆଉ ଟୁଟୁ ଦାଦାଙ୍କ ଠାରୁ କିଛି ଖୁଚୁରା ପଇସା। ଅଗତ୍ୟା ଫୋନ୍ କରାଗଲା ଦାଦାଙ୍କ ବସାକୁ। ଦାଦା ଆଉ ଦାମ ଅଜା ଆସି ପହଞ୍ଚିଲେ ଷ୍ଟେସନରେ। ଆମେ ଦୁହେଁ ସେମାନଙ୍କ ମୁହଁକୁ ସିଧାସଳଖ ଚାହିଁ ପାରୁ ନଥିଲୁ ଲଜ୍ଜା ଅନୁଭବ କରି। କିଛି ସମୟର ଆଲୋଚନା ପରେ ମୁକୁଳିଲୁ ଆମେ ସେଠାରୁ।

ଆମକୁ ଘରେ କେହି ବି କିଛି କହିଲେ ନାହିଁ। ବଡ଼ ଅସ୍ବସ୍ତି ବୋଧ ହେଉଥିଲା । ସେଦିନ ଅପରାହ୍ନ ଚାରିଟା ବେଳର ଗାଁ ବସ୍ ରେ ବସି ମୁଁ ବାହାରି ଗଲି ଘରକୁ। ବାପାଙ୍କ ଆଖିରେ ଆଖି ମିଶାଇ ପାରୁ ନଥାଏ। ସମସ୍ତେ ଏପରି ବ୍ଯବହାର କରୁଥାନ୍ତି ଯେମିତିକି କିଛି ବି ଘଟିନାହିଁ। ମୁଁ ବି ଭୁଲିଗଲି ଏକଥାକୁ ରେଜଲ୍ଟ୍ ବାହାରିବାର ଖୁସିରେ। କିନ୍ତୁ ସେହି "ମାଉସୀ - ମ୍ଯାଡାମ୍" ପାର୍ଥକ୍ୟଟା ଭୁଲିନାହିଁ ଆଜି ଯାଏଁ । ପୁଣି ଯେବେ ଏହି ଘଟଣାର କିଛି ଦିନ ପରେ ଫେରିଲି ଭୁବନେଶ୍ବର ବିଜେବି କଲେଜରେ ପଢିବାକୁ ସେତେବେଳକୁ ଆଉ ଗାଉଁଲି ମଫ କି ପଛୁଆ ହୋଇ ରହି ନଥିଲି ମୁଁ, ବରଂ ପାଲୋଟି ଯାଇଥିଲି ଫୁଲ୍ ବାବୁ ପୂର୍ବରୁ ପ୍ରାପ୍ତ ହୋଇଥିବା ଅଭିଜ୍ଞତାର ଆଧାରରେ !!!



Rate this content
Log in

Similar oriya story from Drama