ମାନବିକତାର ସ୍ବର
ମାନବିକତାର ସ୍ବର
ସେଦିନ ପ୍ରଥମ କରି ଗାଡ଼ି ଚାଳନା ତାର, ଯାତ୍ରୀବାହି ବସ୍ ଟି ଯାଉଥାଏ କଟକରୁ ବାରିପଦା। ରବିବାର ଯୋଗୁଁ ବସ୍ ରେ ଅପେକ୍ଷାକୃତ କମ୍ ଭିଡ଼। ପାଣିକୋଇଲି ପାରିହେବା ପରେ ଗୋଟିଏ ବସ୍ ରହଣୀ ପାଖରେ ଦୁଇଟି ଆଶାବାଡି ଧରି ଲୋକଟିଏ ଠିଆ ହୋଇଥାଏ। ବସ୍ ଅଟକେଇବା ପାଇଁ ହାତ ଦେଖେଇଲା ଲୋକଟି। ଚାଳକ ଆସନରେ ବସି ଆଗରେ ଦେଖିଲା ପିଲାଟିକୁ ସୁମନ୍ତ। ବେଶ୍ ଖରାରେ ଲୋକଟି ଠିଆ ହେଇଛି। ଡୋରରେ ଦୁଇଥର ବାଡ଼େଇ, କ୍ଲିନର୍ ବସ୍ ନ ଅଟକେଇବାର ସଂକେତ ଦେଲା। କିନ୍ତୁ ସେ ସଂକେତ ପରେ ମଧ୍ୟ ବ୍ରେକ୍ ଦେଇ ବସଟି ରଖିଦେଲା ଚାଳକ ସୁମନ୍ତ। କଣ୍ଡକ୍ଟର ପଛରୁ କହି ଉଠିଲେ କଣ ଭାଇ ବସ୍ ଅଟକେଇଲ। ଏଠି ବସ୍ ରହିବନି , ନୂଆ ହେଇ ଗାଡ଼ି ଚଲଉଛ ତ ଜାଣିପାରୁନ। କଣ୍ଡକ୍ଟର କଥାର ଉତ୍ତର ନଦେଇ ବାହାରକୁ ଯାଉଛି କହି ଓହ୍ଲେଇ ପଡିଲା ସେ।
ବସ ରହିବା ଦେଖି ଆଶା ବାଡି ଧରି ଚାଲୁଥିବା ଯୁବକଟି ସହଳ ସହଳ ଆଗକୁ ପାଦ ବଢ଼େଇଲା। ସେତ ଶୀଘ୍ର ଚାଲିପାରୁନଥାଏ, ତଥାପି ଯାଇ ଡୋର ପାଖରେ ପହଞ୍ଚିଲା ବେଳକୁ କ୍ଲିନର୍ ପାଟିକରି ଉଠିଲା। ହେ ହେ କୁଆଡେ ଆସୁଛ ବସରେ ସିଟ୍ ନାହିଁ। କଣ୍ଡକ୍ଟର ମହାଶୟ ଗଣୁଗୁଣେଇଲେ "କୁଆଡେ ଆସିଲେ ଏମାନେ, ଆଜି ତ ବେପାର ମାନ୍ଦା, ପୁଣି ତାଉପରେ ଏମାନେ ଟିକେଟରେ ଭିନ୍ନକ୍ଷମ ରିହାତି ମାଗିବେ" । ବସରେ ଉଠିବାକୁ ଚେଷ୍ଟା କରୁଥିଲା ପିଲାଟି ଓ ବସ୍ କ୍ଲିନର ଓ କଣ୍ଡକ୍ଟର ତାକୁ ବାଧାଦେଉଥିଲେ। ଏକେତ , ଆଶା ବାଡି ଧରି ତାକୁ ଉଠିବା କଷ୍ଟ, ତା ଉପରେ ଏମାନଙ୍କ ବାଧା । ତେଣୁ ଉଠିପାରୁନଥିଲା ସେ।
ଲୋକଟି କାକୁତି ମିନତି ହେଇ ବସରେ ଉଠିବାକୁ ଓ ତାକୁ ବସିବାକୁ ସିଟ୍ ଟେ ଦେବାକୁ ଅନୁରୋଧ କରୁଥିଲା।ଏହି ସମୟରେ ଚାଳକ ସୁମନ୍ତ ଆସି ପହଞ୍ଚିଗଲେ ଆଉ କହିଲେ ଛାଡ ଛାଡ,ଭିତରକୁ ଛାଡ। ସେ ପରା ଅନନ୍ତା ଭାଇଙ୍କ ଲୋକ । କାଲି ଏଇଠି କିଛି ସୁବିଧା ଅସୁବିଧା ହେଲେ ବୁଝିବ, ମତେ କିଛି କହିବନି ।
ସେ ଛୋଟା ଲୋକଟି ସୁମନ୍ତକୁ ଆଶ୍ଚର୍ଯ୍ୟ ହେଇ ଟିକେ ଚାହିଁଲା। ସୁମନ୍ତ ତାକୁ ବସ୍ ଭିତରକୁ ଆସିବାକୁ ଇସାରା ଦେଲା। ବସରେ ଚଢି ଗାମୁଛାରେ ଝାଳ ପୋଛିଲା ସେ ଲୋକଟି। ଏଥର ବସ୍ ଷ୍ଟାର୍ଟ କଲା ସୁମନ୍ତ। ମନେ ମନେ ଭାବୁଥାଏ ଟିକିଏ ମିଛ ବେଳେ ବେଳେ କାହାର ଉପକାର ବି କରିପାରେ।
