ମାନବିକତାର ବହୁ ଉର୍ଦ୍ଧରେ
ମାନବିକତାର ବହୁ ଉର୍ଦ୍ଧରେ
ସେଦିନ ମାର୍କେଟ ପ୍ଲେସ୍ ରେ ବେଶ୍ ଭିଡ l କାରଣ ଶନିବାରକୁ, ପାଗ ବି ଭଲ ଥିଲା l ପାଗ ଟିକେ ଭଲ ହେଲା ମାନେ ଲୋକେ ବାହାରକୁ ବାହାରି ଆସନ୍ତି l ଏଠି ସବୁବେଳେ ବର୍ଷା, ପବନ, ନଚେତ ବରଫ ଝଡ l କୋହଲିଆ ପାଗକୁ କୁହୁଡିଆ ପାଗ ବି ଲାଗି ରହିଥାଏ l ଏଠାରେ ପାଗର କେବେ ଠିକ ଠିକଣା ନଥାଏ l ଏପରି ଖରାଳିଆ ପାଗର ଦିନ ଖୁବ କମ୍ ଦେଖିବାକୁ ମିଳେ l ଲୋକ ମାନେ ପରସ୍ପର ସହ ଦେଖା ହେଲେ ଆଗ ପାଣି ପାଗ ବିଷୟରେ ହିଁ ବେଶୀ ଗପନ୍ତି l ଆଜି ପାଗ ଟା ଏମିତି ହୋଇଛି ସେମିତି ହୋଇଛି ଇତ୍ୟାଦି l
ତେଣୁ ଆଜି ଏପରି ସୁନେଲିଆ ଖରା ପାଗ ଦେଖି ସତେକି ସହରର ସମସ୍ତେ ଉଠି ଆସିଛନ୍ତି ମାର୍କେଟ ପ୍ଲେସକୁ, ସେହିପରି ଲାଗୁଥାଏ l ତା ବ୍ୟତୀତ ଆଗକୁ ଇଷ୍ଟର ଆସୁଛି l ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକ ମାନଙ୍କର ଆଉ ଏକ ବଡ଼ ପର୍ବ l ଏହା ଏକ ଧର୍ମ ସମ୍ବନ୍ଧିୟ ପର୍ବ ହୋଇଥିବାରୁ, ସକାଳୁ ଉଠି ନୂଆ ବେଶ ପୋଷାକ ପିନ୍ଧି ଲୋକ ମାନେ ଚର୍ଚ୍ଚ ଯାଆନ୍ତି l
ପିଲା ମାନଙ୍କ ପାଇଁ ଏହା ଏକ କିନ୍ତୁ ମଜାର ଓ ଆନନ୍ଦର ଦିନ lପିଲା ମାନଙ୍କ ପାଇଁ ବାପ ମା ନିଜ ଘରେ ବା ସଂପର୍କୀୟ ଲୋକ ମାନଙ୍କ ଘରେ ସିଝା ଅଣ୍ଡା ଘର ସାରା ଚାରିଆଡେ ଲୁଚେଇ କରି ରଖନ୍ତି l ପିଲା ମାନେ ଖୋଜି ଖୋଜି ଆଣନ୍ତି l ଯିଏ ଯେତେ ପାଇଲା ତାର ସେତେ l ଚୋପା ଛଡା ହୋଇ ନଥିବା, ସିଝା ଅଣ୍ଡା ଉପରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ଚିତ୍ରିତ କରି ସଜାନ୍ତି l ନଚେତ ବଜାରରେ ମିଳୁଥିବା ରଙ୍ଗୀନ ପ୍ଲାଷ୍ଟିକ ଅଣ୍ଡା ଖୋଳ ଭିତରେ ଚକୋଲେଟ ପୁରେଇ ରଖି ଦିଅନ୍ତି l ଏହା ଏପ୍ରିଲର ଏକ ରବିବାରରେ ପାଳନ କରା ଯାଉଥିବାରୁ ଏହା ଜାତୀୟ ଛୁଟି ଦିନ ଭାବେ ଗଣା ଯାଏନା ଯଦିଓ ତଥାପି ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ମାନେ ପାଳନ କରନ୍ତି l ଭୋଜି ଭାତ କରି ପରସ୍ପରକୁ ନିମନ୍ତ୍ରଣ କରି ଖୁସିରେ କଟାନ୍ତି l
ତେଣୁ ଆଜି ମାର୍କେଟରେ ଭିଡ ଟିକେ ଆଗ ଅପେକ୍ଷା ଅଧିକ l ସେ ଅନେକ ଥର ସାଙ୍ଗ ମାନଙ୍କ ସଙ୍ଗେ ହେଉ ବା ଏକୁଟିଆ ହେଉ ଏଠିକି ଆସିଛି l ତାର ଯଦିଓ ସେମିତି କିଛି ଏଠାରୁ କିଣିବାର ନଥାଏ l କିନ୍ତୁ ଜାଗାଟା ଭଲ ଲାଗେ ତେଣୁ ସମୟ ପାଇଲେ ଚାଲିଆସେ l
ପୁରୀ ବଡ଼ଦାଣ୍ଡ ହେଉ ବା ସମୁଦ୍ରକୂଳ ହେଉ ବା କୋଣାର୍କ ପାଖରେ ଯେମିତି ଛୋଟ ଛୋଟ ଦୋକାନ ମାନ ବସିଥାଏ ଏବଂ ଆଞ୍ଚଳିକ ଶିଳ୍ପୀ ମାନଙ୍କ ଦ୍ଵାରା ନିର୍ମିତ ବହୁ ପ୍ରକାର ରଙ୍ଗ ବିରଙ୍ଗର ଜିନିଷ ଦେଖିବାକୁ ମିଳେ ଏଠି ବି ସେହିପରି ସବୁ ଦେଖିବାକୁ ମିଳେ l କେଜାଣି ଘର ମନେ ପଡିଲେ ବା ଏକାକୀ ଲାଗିଲେ ସେ ଏଠିକୁ ଚାଲି ଆସେ l ଲୋକ ମାନେ ବି ଏଠି ବେଶ୍ ସାଧା ସିଧା ବେଶ ପୋଷାକରେ ନିରାଡମ୍ବର ଭାବରେ ଆସନ୍ତି l ବେଶ୍ ହସ ହସ ମୁଁହ ସାଙ୍ଗକୁ ଖୁସି ମିଞ୍ଜାସରେ ବି ଥାଆନ୍ତି l
କିନ୍ତୁ ଆଜି ସେ ଏଠିକି ଏମିତି ଟାଇମ ପାସ୍ କରିବାକୁ ଆସିନାହିଁ କିଛି ଉଦ୍ଦେଶ୍ୟ ନେଇ ଆସିଛି l କାଲି ସକାଳୁ ସେ ନିଜ ଦେଶ ନିଜ ଘର ଓଡ଼ିଶାକୁ ଯିବ, ଦୀର୍ଘ ଚାରି ବର୍ଷ ପରେ l ଗୋଟିଏ ମାତ୍ର ଭଉଣୀର ବିବାହ ଉପଲକ୍ଷେ l ଘରୁ ବାରମ୍ବାର ମେସେଜ ଆସୁଛି ଯିବା ପାଇଁ l କିନ୍ତୁ ଆଉ ଦି ମାସ ପରେ ତାର ଫାଇନାଲ ପରୀକ୍ଷା l ବହୁତ କିଛି ଅଛି ପଢିବା ପାଇଁ l ପରୀକ୍ଷା ପ୍ରସ୍ତୁତି ପାଇଁ ବହୁତ ସମୟ ଦରକାର l ପ୍ରତ୍ୟେକ ଟି ଦିନ ବହୁ ମୂଲ୍ୟବାନ୍ ତା ପାଇଁ ବର୍ତ୍ତମାନ l ଏଇଲେ ଘରକୁ ଯିବାର ଉପଯୁକ୍ତ ସମୟ ଯଦିଓ ନୁହେଁ ତଥାପି ସେ ବାଧ୍ୟ ହେଉଛି ଯିବା ପାଇଁ l
ଆମେରିକା ସେ ଆସିଥିଲା ପାଠ ପଢିବା ପାଇଁ l ଏଇଟା ଶେଷ ବର୍ଷ l ଭଲ ନମ୍ବର ରଖି ପାସ୍ କରି ଭଲ ଚାକିରି ଖଣ୍ଡେ ଯୋଗାଡ଼ କରି ପ୍ରଥମେ ଛାତ୍ର ଲୋନ୍ ସବୁ ଶୁଝି ସାରିଲେ ସେ ଘରକୁ ଯିବ ବୋଲି ଭାବିଥିଲା l ହାତରେ ଟଙ୍କା ପଇସା ବି ଭଲ ମାତ୍ରାରେ ହୋଇ ଯାଇଥିବl କିନ୍ତୁ ହଠାତ୍ ବାହାଘର ଭଉଣୀର ହୋଇଯିବ ବୋଲି ସେ ଭାବି ନଥିଲା l ଭଉଣୀ ଆଗକୁ ପଢିବ ବୋଲି କହୁଥିଲା l ଏବେ ବାହାଘର ପାଇଁ ସେପରି କିଛି ଯୋଜନା ନଥିଲା l ହୁଏତ ଭଲ ପାତ୍ର ଟିଏ ମିଳିଯାଇଛି l
ତେଣୁ ସେ ଆସିଛି ଏଠାରୁ କିଛି ଛୋଟ ଛୋଟ ଜିନିଷ ଘର ଲୋକ ମାନଙ୍କ ପାଇଁ ନବାକୁ l ଆଞ୍ଚଳିକ କାରିଗର ମାନଙ୍କ କାମ ବି ସେମାନଙ୍କୁ ଦେଖେଇବ l ତା ବ୍ୟତୀତ, ବଜାରର ବଡ଼ ବଡ଼ ଷ୍ଟୋର ଅପେକ୍ଷା ଜିନିଷ ସବୁ ଟିକେ ଶସ୍ତା ବି ଏଠି l ଯଦିଓ ସେ ବର୍ତ୍ତମାନ ଘରକୁ ଯିବା ପାଇଁ କିଛି ଯୋଜନା ରଖି ନଥିଲା ଆର୍ଥିକ ସ୍ଵଚ୍ଛଳତା ବିଶେଷ ନଥିବାରୁ, ତଥାପି ତାର ମନ ଖୁସି l ମନକୁ ଜବରଦସ୍ତ ପାଠ ପଢାରେ ଲଗେଇ ସେ ସମସ୍ତଙ୍କ ଠାରୁ ଦୂରରେ ରହିଥିଲା ସତ କିନ୍ତୁ ଏଇଲେ ଯିବା କଥା ଭାବିଲାରୁ ମନ ଖୁସି ହୋଇ ଯାଉଛି l ସମସ୍ତଙ୍କ କଥା ମନେ ପଡି ଯାଉଛି ବାରମ୍ବାର lଏଣେତେଣେ ଇତସ୍ତତଃ ହୋଇ ବୁଲୁଥାଏ ସେ l ହୁଇସିଲ୍ ରେ କିଛି ପୁରୁଣା ଓଡିଆ ସିନେମାର ଗୀତ ତା ଓଠରେ l
ହଠାତ୍ ବହୁତ ପାଖରୁ ଏକ ବଡ଼ ଧରଣର ବିସ୍ଫୋରଣର ଧମାକାରେ ଲୋକ ମାନେ ଚିତ୍କାର କରି ଉଠିଲେ l କଣ କେହି ଜାଣିବା ପୂର୍ବରୁ ସମସ୍ତେ ଯିଏ ଯୁଆଡେ ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ l ସେ ବି l କୁଆଡେ ଯିବ କିଛି ନଜାଣି କିଛି ଲୋକଙ୍କୁ ଅନ୍ଧ ଭାବେ ଅନୁସରଣ କରି ଚାଲିଲା l ଏକ ବଡ଼ ଦଳର ଲୋକେ ଦଉଡି ଦଉଡି ଯାଇ ରାସ୍ତା ଆରକଡେ ଥିବା ଚର୍ଚ୍ଚ ଭିତରକୁ ପଶିଗଲେ l ସେ ବି ପଶିଗଲା l ତାପରେ ଲୋକ ମାନେ ଚର୍ଚ୍ଚର କବାଟ ଭିତରୁ ବନ୍ଦ କରିଦେଲେ l ସମସ୍ତେ ଡରରେ ଥରୁଛନ୍ତି l ସେ ବି l କାହାରି ପାଟିରୁ କିଛି କଥା ବାହାରୁ ନଥାଏ l
କିଛି ସମୟ ପରେ ଲୋକ ମାନେ ଟିକେ ଆଶ୍ଵସ୍ତ ହେଲା ପରେ, ପରସ୍ପର ଭିତରେ କଥାବାର୍ତ୍ତା ଆରମ୍ଭ କରିଦେଲେ ପରିସ୍ଥିତି ବିଷୟରେ l କିଏ କହିଲା ବୋମା ବିସ୍ଫୋରଣ, କିଏ କହିଲା ଦୁର୍ବୃତ୍ତ ମାନଙ୍କ ଗୁଳି ଚାଳନା l କିଏ କହିଲା ଧୁଆଁ ଉଠୁଥିବାର ସେ ଦେଖିଛି l “ଅସୀମ” କିନ୍ତୁ କିଛି ଦେଖି ନଥିଲା ସେ ନିଜ ଭାବନା ଭିତରେ ଏତେ ମଗ୍ନ ହୋଇଯାଇଥିଲା ଯେ ତାକୁ କେବଳ ମଣିଷ ମାନଙ୍କ ଅତର୍କିତ ଦୌଡିବା ଦେଖା ଯାଇଥିଲା l ଏକ ବିରାଟ ଅସ୍ଵାଭାବିକ ପ୍ରଚଣ୍ଡ କାନ ତାବଦା କରିଦେଲା ଭଳି ଶବ୍ଦ ଶୁଭିଥିଲା କେବଳ l ଏପରି କାଣ୍ଡ କାରଖାନା ବିଷୟରେ ସେ ଆଗରୁ ଶୁଣିଛି ଅନେକ, କିନ୍ତୁ ଏତେ ପାଖରେ ବା ପ୍ରତ୍ୟେକ୍ଷରେ କେବେ ଦେଖି ନଥିଲା l
ସମସ୍ତଙ୍କ ଭିତରୁ ସେ ବେଶୀ ଡରି ଯାଇଥିଲା l କାରଣ ସେ ସେଠାରେ ଥିବା ସମସ୍ତ ଲୋକଙ୍କ ଠାରୁ ଅଲଗା ଦିଶୁଥିଲା l ତାର ମୁଁହ ପୁରା ଶ୍ଵେତା ପଡି ଯାଇଥିଲା l ସେ ଆଗରୁ କେବେ ଚର୍ଚ୍ଚ ଭିତରକୁ ଯାଇ ନଥିଲା l ସେଠାକାର ଆଦବ କାଇଦା ବିଷୟରେ ତାକୁ କିଛି ଜଣା ନଥିଲା l ଚାରି ଆଡ ସେ ବିସ୍ମୟ ଦୃଷ୍ଟିରେ ଖାଲି ଆଖି ବୁଲୋଉ ଥାଏ କେବଳ l
ସାମନା କାନ୍ଥରେ ଯୀଶୁଖ୍ରୀଷ୍ଟଙ୍କର ଏକ ବିରାଟ ଧଳା ମୂର୍ତି l କ୍ରସ୍ ଉପରେ ଠିଆ ହୋଇଛନ୍ତି ଦୁଇ ହାତ ପାପୁଲିରେ, ଛାତିରେ ଓ ଦୁଇ ପାଦରେ କଣ୍ଟା ପିଟା ହୋଇଛି l କି ଦୟନୀୟ ଭାବେ ତାଙ୍କୁ ମୃତ୍ୟୁ ବରଣ କରିବାକୁ ବାଧ୍ୟ କରା ଯାଇଛି ! ସେ ଅନେକ ଥର ଯୀଶୁଙ୍କ ଫଟୋ ଏଠି ସେଠି ଦେଖିଛି କିନ୍ତୁ ଏତେ ଗଭୀରତାର ସହ ତାଙ୍କୁ କେବେ ଅନୁଶୀଳନ କରିନଥିଲା l ଏତେ କଷ୍ଟ ସତ୍ଵେ ମୁହଁରେ ତାଙ୍କର ତଥାପି ଏକ ଜ୍ୟୋତି ଏତେ ଉଦାରତା ଭାବ l ଯୁଗେ ଯୁଗେ ଯୀଶୁଙ୍କ ପରି ଲୋକମାନେ ଆସିଛନ୍ତି ଧରା ଧାମକୁ ଅନ୍ୟ ମାନଙ୍କୁ ଭଲ ବାଟ ଦେଖେଇବାକୁ l ପିଶାଚ ମାନ ବି ଆସୁଛନ୍ତି ଅନ୍ୟ ଉପରେ ଅତ୍ୟାଚାର କରି ନିଜର ସ୍ଵାର୍ଥ ସିଦ୍ଧି କରିବାକୁ l ଆଜିର ଘଟଣା ବି ସେହିପରି କିଛି ଅମାନୁଷିକ କାର୍ଯ୍ୟ ମାତ୍ର l ଏଥିରେ କାହାର କଣ ସ୍ଵାର୍ଥ ସିଦ୍ଧି ହୋଇଯିବ ସେ ଭାବି ପାରୁ ନଥିଲା l
ସେ ଚର୍ଚ୍ଚ ଭିତରେ ବସିବା ପାଇଁ ବହୁତ ଲମ୍ବା ଲମ୍ବା ବେଞ୍ଚ ପଡିଥିଲା l ସବୁ ବେଞ୍ଚର ପଛପଟେ କାଠରେ ନିର୍ମିତ ଏକ ବାକ୍ସ ଭଳି ଥିଲା l ତା ଭିତରେ ଛୋଟ ବାଇବେଲ ବହି ସବୁ ରଖା ହୋଇଥିଲା l ଲୋକମାନେ ସବୁ ସେ ବେଞ୍ଚରେ ଯାଇ ଚୁପ ଚାପ୍ ବସି ବାଇବେଲ ପଢିବା ଆରମ୍ଭ କରିଦେଲେ ମଝିରେ ମଝିରେ ଆମେନ ବୋଲି କହୁଥାନ୍ତି l ସେ କିନ୍ତୁ କିଛି ଏସବୁ ବୁଝୁ ନଥାଏ l
ଜଣେ ବୃଦ୍ଧାଙ୍କ ପାଖରେ ଯାଇ ସେ ବସିଗଲା l ସାମନାରେ ଥିବା ବାଇବେଲ୍ କୁ ଆଣି ପୃଷ୍ଠା ଓଲଟାଇବାକୁ ଲାଗିଲା ଡରରେ l ସେମାନେ ଯେପରି ଛାତିରେ କ୍ରସ କରୁଥାନ୍ତି ସେ ବି କରୁଥାଏ l ସେବି ଆମେନ ବୋଲି କହୁଥାଏ l ସେମାନେ ଯାହା ଯାହା କରୁଥାନ୍ତି ସେ ବି ସେଇଆ ସବୁ କରି ଚାଲିଥାଏ l ଡରରେ କୌଣସି ଦେବୀ ଦେବତାଙ୍କ ନାମ ତା ପାଟିକୁ ଆସୁ ନ
ଥାଏ ସେତେବେଳେ କେବଳ ଯୀଶୁଙ୍କ ବ୍ୟତୀତ l
ପାଖରେ ବସିଥିବା ବୃଦ୍ଧା ଜଣଙ୍କ ତା ଅସହାୟତା ବୋଧେ ବୁଝି ପାରିଲେ l ପଚାରିଲେ ପୁତ୍ର ! ତୁମେ କୋଉଠିକାର ବାସିନ୍ଦା l ପୁତ୍ର (son ) ସମ୍ବୋଧନରେ ସେ ବହୁତ ଆଶ୍ଵସ୍ତି ଅନୁଭବ କରି ସେ ଜଣେ ଭାରତୀୟ ବୋଲି କହିଥିଲା l ସେ ଏ ଦେଶକୁ ଉଚ୍ଚ ଶିକ୍ଷା ପାଇଁ ଆସିଛି l ବିଭିନ୍ନ ପ୍ରକାର ବାର୍ତ୍ତାଳାପ ପରେ ସେ ତା ବିଷୟରେ ସବୁ କହିଗଲା ତାର ନାମ ତାର ଠିକଣା ତାର ଏ ମାର୍କେଟ ପ୍ଲେସକୁ ଆସିବାର ଉଦ୍ଦେଶ୍ୟ l କାଲି ସକାଳେ ତାର ଭାରତକୁ ଯିବାର ଅଛି l କେତେ ସମୟ ଏଠି ତାକୁ ଏ ଚର୍ଚ୍ଚ ଭିତରେ ଏପରି ରହିବାକୁ ପଡିବ ତାକୁ ଜଣା ନାହିଁ ଇତ୍ୟାଦି ଇତ୍ୟାଦି l
କିଛି ସମୟ ପରେ ବାହାରେ ପୋଲିସ୍ ଗାଡିର ସାଇରନ୍ ଶୁଣିବା ପରେ ଲୋକ ମାନେ ଟିକେ ପ୍ରକୃସ୍ଥିତ ହେଲେ କିନ୍ତୁ ବାହାରକୁ ବାହାରିବାକୁ କେହି ସାହସ କଲେନି l ଅଳ୍ପ ସମୟ ପରେ ସମସ୍ତେ କବାଟ ଅଳ୍ପ ଖୋଲି ବାହାରେ କଣ ଘଟୁଛି ଜାଣିବାକୁ ଚେଷ୍ଟା କଲେ l ପୋଲିସ୍ ଆସି ସେମାନଙ୍କୁ ସେଠାରୁ ନବାରେ ସାହାଯ୍ୟ କରିବା ପର୍ଯ୍ୟନ୍ତ ସମସ୍ତେ ସେଠାରେ ଠିଆ ହୋଇ ରହିଲେ l ତାପରେ ପୋଲିସ୍ ଆସି ଜଣ ଜଣକୁ ପଚରା ଉଚୁରା କରି ସେମାନଙ୍କ ପରିଚୟ ପତ୍ର ବା ଡ୍ରାଇଭର ଲାଇସେନ୍ସ ବା ପ୍ରାଦେଶିକ ନାଗରିକ ପତ୍ର ଯାଞ୍ଚ କରି ଗୋଟି ଗୋଟି କରି ଛାଡିଲା l
ଯେତେବେଳେ ଅସୀମ୍ ର ପାଳି ପଡିଲା ପୋଲିସ୍ ତାର ପରିଚୟ ପାତ୍ର ମାଗିଲା l ପାସପୋର୍ଟ, ଭିଷା ପ୍ରଭୃତି ସେ ତ ଘରେ ଛାଡି ଦେଇ ଆସିଛି l ନିହାତି ଦରକାର ନହେଲେ ସେ ସେସବୁ ଧରି ବାହାରେ ବୁଲେନି ହଜିଯିବା ଭୟରେ l ତା ପାଖରେ ଡ୍ରାଇଭର ଲାଇସେନ୍ସ ନଥିଲା l ସେ ଗାଡି ଡ୍ରାଇଭ୍ କରେନି କି ତାର ଗାଡି ନାହିଁ l ସେ ମୁଖ୍ୟତ ବସ୍ ରେ ହିଁ ଯିବା ଆସିବା କରେ l ନଚେତ ସାଙ୍ଗସାଥୀ କେତେବେଳେ ରାଇଡ ଦେଇ ଦିଅନ୍ତି l ନିହାତି କିଛି ଦରକାର ଥିଲେ ବା ଅସୁବିଧା ସମୟରେ ଦରକାର ପଡିଲେ l ତାର ଛାତ୍ର ପରିଚୟ ପତ୍ର ଓ କଲେଜ ପ୍ରମାଣ ପତ୍ର କେବଳ ଅଛି l କିନ୍ତୁ ଦୁର୍ଭାଗ୍ୟକୁ ସେ ତାକୁ ଘରେ ଆଜି ଛାଡି ଦେଇ ଆସିଛି l
କଣ କରିବ ଏବେ l ସେ ଯେତେ କହିଲା ସେ ଏଇ ଇଉନିଭର୍ସିଟିରେ ପଢେ l ପୋଲିସ ଶୁଣିବାକୁ ନାରାଜ୍ l ସେ ପରିଚୟ ପତ୍ର ଦେଖିବା ନିହାତି ଦରକାର l ନଚେତ୍ ତାକୁ ପୋଲିସ ଷ୍ଟେସନ ତାଙ୍କ ସାଥିରେ ଯିବାକୁ ପଡିବ l ଅନ୍ୟ ଦିନ ହେଇଥିଲେ ପୋଲିସ୍ ଚବିଶ୍ ଘଣ୍ଟା ସମୟ ଦେଇ ଥାନ୍ତେ ପରିଚୟ ପତ୍ର ଘରୁ ଆଣି ଦେଖେଇବକୁ l କିନ୍ତୁ ଆଜିର ପରିସ୍ଥିତିରେ ନୁହେଁ l
ତାର ମନେ ଅଛି, କ୍ଳାସ ସାଙ୍ଗ “ମାଇକ୍” ଥରେ ତାକୁ ତା ଗାଡିରେ ରାଇଡ୍ ଦେଇଥିଲା l ସେତେବେଳେ ସେମାନେ କଥାବାର୍ତ୍ତା ରେ ଏତେ ବ୍ୟସ୍ତ ଥିଲେ ଯେ ମାଇକ୍ ସ୍ପିଡ ଲିମିଟ୍ ଭୁଲି ଅଧିକ ସ୍ପୀଡ଼ରେ ଗାଡି ଚଳେଇ ଚାଲିଥିଲା l ପୋଲିସ୍ ତାକୁ ସେଦିନ ଧରିଥିଲା l ଦୁର୍ଭାଗ୍ୟକୁ ସେଦିନ ତା ପାଖରେ ତା ଡ୍ରାଇଭର ଲାଇସେନ୍ସ ନଥିଲା l ପୋଲିସ୍ ତାର ଠିକଣା ଫୋନ ନମ୍ବର କ୍ରେଡିଟ କାର୍ଡ କିଛି ଦେଖି ଚବିଶ ଘଣ୍ଟା ସମୟ ଦେଇଥିଲେ ଆଣି ଦେଖେଇବାକୁ l
କିନ୍ତୁ ଆଜିର ଘଟଣା ଅନ୍ୟ ଦିନ ପରି ନଥିଲା l ଏକ ବଡ଼ ଧରଣର ଘଟଣା ଘଟି ଯାଇଛି ତେଣୁ ପୋଲିସ୍ ସହଜରେ ଛାଡିବ ନାହିଁ l ଦିନ ଚାରିଟା ବାଜି ଗଲାଣି l ସେଠାରେ କଣ କାର୍ଯ୍ୟକ୍ରମ ହେବ, କେତେ ସମୟ ଲାଗିବ କେତେବେଳେ ଘରକୁ ଯିବ l ଯଦି ତାକୁ ରାତିରେ ସେଠାରେ ଅଟକାଇ ଦିଅନ୍ତି କୌଣସି ସନ୍ଦେହ ପାଇଁ କାଲି ସେ ତା ଫ୍ଲାଇଟ୍ ମିସ କରିବ ତାର ସୀମିତ ସମ୍ବଳରେ କିଣିଥିବା ଟିକେଟ ବି ଯିବ ସେ ଆଉ ଟିକେଟ କିଣି ପାରିବନି l ଭଉଣୀ ବାହାଘରକୁ ଯାଇ ପାରିବନି l ଗୋଟାଏ ସେକେଣ୍ଡ ଭିତରେ ଆକାଶ ପାତାଳ ଭାବିନେଇ ତା ମୁଣ୍ଡ ଚକ୍କର କାଟିନେଲା l ହଠାତ କରି ମୁଣ୍ଡରେ କୌଣସି ବୁଦ୍ଧି ପଶୁନି l କଣ କହି କିପରି ସେ ଏ ସମସ୍ୟାରୁ ମୁକ୍ତି ପାଇବ l କାହାକୁ ପଚାରିବ କିଏ ତାକୁ ସାହାଯ୍ୟ କରିବ l
ଏକ ଅସହାୟ ଦୃଷ୍ଟିରେ ଚାରିଆଡେ ଆଖି ବୁଲୋଉ ଥିବା ବେଳେ ହଠାତ୍ ଏକ ତାର ସମ ବୟସ୍କର ସୁନ୍ଦରୀ ଝିଅଟେ ସେ ଭିଡ଼ରୁ ବାହାରି ଆସି ତାକୁ “ହାଏ ଅସୀମ୍” କହି ଜାବୁଡି ଧରିଲା l ଆଉ କହିଲା “ମୁଁ ତୁମକୁ କେତେ ଖୋଜୁଛି କୋଉଠି ରହି ଯାଇଥିଲ l” ପୋଲିସ୍ ସେ ଝିଅକୁ ପଚାରିଲା “ତୁମେ ତାଙ୍କୁ ଚିହ୍ନିଛ” l ଝିଅଟି ନିଶଙ୍କୋଚରେ ହଁ କହିଲା l ଏବଂ ସେ କୋଉଠି ରହେ କୋଉ କଲେଜରେ ପଢେ ସବୁ କହିଗଲା l ପୋଲିସ ଝିଅଟିର ଡ୍ରାଇଭର ଲାଇସେନ୍ସ ନମ୍ବର, ଫୋନ ନମ୍ବର ସବୁ ରଖି ତାକୁ ଓ ଅସୀମ୍ କୁ ଛାଡିଦେଲା l କହିଲା “ଦରକାର ପଡିଲେ ତୁମକୁ ଆମେ ଫୋନ କରିବୁ l ତୁମକୁ ବିଶ୍ଵାସ କରି ଆମେ ତାଙ୍କୁ ଛାଡ଼ୁଚୁ l”
ଝିଅଟି ଏକ ରକମ ଅସୀମ୍ ର ହାତ ଧରି ଟାଣି ଟାଣି ସେ ଭିଡ ଭିତରୁ ନେଇ ଅଳ୍ପ ଦୂରରେ ଥିବା ତା ଗାଡିରେ ବସେଇ ଗାଡି ଷ୍ଟାର୍ଟ କରିଦେଲା l ଆଶ୍ଚର୍ଯ୍ୟ ଅବାକ୍ ରେ ଅସୀମ୍ ର ପାଟିରୁ କଥା ବାହାରୁ ନଥାଏ l ସେ କିଂକର୍ତବ୍ୟବିମୁଢ ହୋଇ ତା ସହିତ ସହମତ ହୋଇ ତା ନିର୍ଦ୍ଦେଶ ମାନି ଚାଲିଥାଏ ସତ କିନ୍ତୁ ଆଉ କିଛି ନୂଆ ସମସ୍ୟାରେ ପଡିବାକୁ ଯାଉନି ତ ! ମନ ଭିତରେ ସନ୍ଦେହ ଉଙ୍କି ମାରିଲା lପୋଲିସ୍ କବଳରୁ ମୁକ୍ତି ପାଇଯାଇ ସେ ଏକ ରକମ ଖୁସି ହୋଇଗଲା ସତ କିନ୍ତୁ ଏପରି ନୂଆ ପରିସ୍ଥିତିରେ ଆସି ପଡିବ ଭାବି ନଥିଲା l ସାହସ ସଞ୍ଚୟ କରି ପଚାରିଲା “ଆପଣ ମୋ ବିଷୟରେ ଏତେ କଥା ଜାଣିଲେ କିପରି l ମତେ ଏପରି ସାହାଯ୍ୟ କରିବାର ଉଦ୍ଦେଶ୍ୟ l”
ଝିଅଟି ହସି ହସି କହିଥିଲା “ବ୍ୟସ୍ଥ ହୁଅନ୍ତୁନି ସବୁ କହୁଛି l ପ୍ରଥମେ ଏଠାରୁ ବାହାରି ଯିବାକୁ ଦିଅ l ମୁଁ ତୁମକୁ ତୁମ ଆପାର୍ଟମେଂଟ ରେ ଛାଡିଦେଇ ଆସିବି l ମତେ ରାସ୍ତା ବତେଇ ଦିଅ କେବଳ” l କିଛି ବାଟ ଗଲା ପରେ, ସେ ପରିବେଶରୁ ବାହାରି ଆସିଲା ପରେ ଝିଅଟି କହିଥିଲା “ମୋ ନାଁ ରୋଜାଲିନ୍ l ମୁଁ ତୁମ ବିଷୟରେ କିଛି ଜାଣିନି କି କେବେ ଜାଣିବା ପାଇଁ ଜାସୁସି ବି କରିନି l ତୁମେ ଚର୍ଚ୍ଚରେ ଥିବା ବେଳେ ସେ ବୃଦ୍ଧା ମହିଳାଙ୍କ ସହିତ ବସି ଗପୁଥିଲ l ମୁଁ ତୁମ ପଛ ବେଞ୍ଚରେ ବସି ସବୁ ମନ ଦେଇ ଶୁଣୁଥିଲି l ମୁଁ ବି ବହୁତ ଭୟଭୀତା ହୋଇ ପଡିଥିଲି l ସେତିକି ବେଳେ ତୁମ ଗପ ବେଶ୍ ଆନନ୍ଦ ଦାୟକ ମନେହେଲା ସେଥି ପାଇଁ ଶୁଣୁଥିଲି l ଏବେ ଯେତେବେଳେ ପୋଲିସ୍ ତୁମକୁ ସନ୍ଦେହ ଘେରରେ ରଖି କିଛି ଜେରା କରିବାକୁ ଆରମ୍ଭ କରିଦେଲା, ମୁଁ ଜାଣେ ତୁମେ ନିର୍ଦୋଷ l ଭାବିଲି ମୁଁ କିଛି କରିପାରେ ଏଇ ପରିସ୍ଥିତିରେ, ତେଣୁ ସ୍ଥିର କଲି ସାହାଯ୍ୟ କରିବାକୁ l ସେତେବେଳେ ମୋ ମୁଣ୍ଡରେ ଏଇ ବୁଦ୍ଧି ବ୍ୟତୀତ ଆଉ କିଛି ପଶିଲାନି l କାଲି ସକାଳର ଫ୍ଲାଇଟ୍ ବି ତମେ ମିସ୍ କରି ଯାଇପାର l”
ଆରେ ହଁ ସେ ଡରରେ ବୃଦ୍ଧାଙ୍କ ଆଶ୍ଵାସନା ପୂର୍ଣ କଥାରେ ସବୁ ତା ନିଜ ବିଷୟରେ ଗପିଦେଇଥିଲା l ବହୁତ ବହୁତ ଧନ୍ୟବାଦ ଦେଇଥିଲା ରୋଜାଲିନ୍ ର ପ୍ରତ୍ୟୁତପୂର୍ଣ୍ଣ ବୁଦ୍ଧି ବିଚାରକୁ ଦେଖି l ରୋଜାଲିନ୍ ର ଫୋନ ନମ୍ବର, ଠିକଣା ସବୁ ରଖିଲା ଏବଂ କହିଥିଲା ଭବିଷ୍ୟତରେ ଯଦି କେବେ କିଛି ତା ଦ୍ୱାରା ସାହାଯ୍ୟ ହୋଇପାରେ ତାକୁ ଜଣେଇଲେ ସେ ବହୁତ ଖୁସି ହେବ l ରୋଜାଲିନ୍ ଶୀଘ୍ର ତାକୁ ଛାଡିଦେଇ ତା ନିଜ ଘରକୁ ଫେରିଯିବା ପାଇଁ ତତ୍ପର ହେଉଥିଲା l ସେ ବି ତାକୁ ଅଟକେଇ ନଥିଲା ଘର ଭିତରକୁ ଡାକି ଚା କପେ ଯାଚିବାକୁ ଇଚ୍ଛା ଥିଲେ ବି ତାହା ଉପଯୁକ୍ତ ସମୟ ନଥିଲା ପରେ କେବେ l
ତା ପର ଦିନ ଏୟାରପୋର୍ଟରେ ଖବର କାଗଜରେ ପଢିଥିଲା ସେଇ ମାର୍କେଟ ପ୍ଲେସର ବୋମା ବିସ୍ଫୋରଣର ଖବର l କେହି ଦୁର୍ବୃତ୍ତ ସେଦିନ ତିନିଟି ଜନ ଗହଳି ଜାଗାରେ ଏହି ପରି ବୋମା ବିସ୍ଫୋରଣ କରିଥିଲେ l ଅସୀମ୍ ଫ୍ଲାଇଟ ସାରା କେବଳ ଗୋଟିଏ କଥା ଭାବି ଭାବି ଆସୁଥାଏ l ସଂସାରରେ ଏମିତି ବୋମା ବିସ୍ଫୋରଣକାରି ବି ଅଛନ୍ତି lଲୋକଙ୍କୁ ଡରେଇ ଜନ ଜୀବନ କ୍ଷତି କରି ଆନନ୍ଦ ପାଉଛନ୍ତି ଆଉ ରୋଜାଲିନ୍ ପରି ଦେବୀ ବି ଅଛନ୍ତି l ବିନା ସ୍ଵାର୍ଥରେ ବିନା କିଛି ଆଶାରେ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି l ମଥାନତ କରି ଖାଲି ଜଗନ୍ନାଥଙ୍କୁ ସେ ପ୍ରଣାମ କରି ନଥିଲା ଯୀଶୁଖ୍ରୀଷ୍ଟଙ୍କୁ ବି ଭକ୍ତିପୂତ ପ୍ରଣାମ ଜଣେଇଥିଲା l
ସେ ଏତେ ଧର୍ମବିଶ୍ଵାସୀ ବ୍ୟକ୍ତି ନହେଲେ ବି ତାର ମନେ ହୋଇଥିଲା ଯୀଶୁ କ'ଣ ଜଗନ୍ନାଥ କ'ଣ ସମସ୍ତେ ସେଇ ଗୋଟିଏ ଦେବତାର ବିଭିନ୍ନ ନାମ l ସର୍ବଦା ବିପଦରେ ଡାକିଲେ ସାହାର୍ଯ୍ୟର ହାତ ବଢାନ୍ତି କାହାରି ନା କାହାରି ମାଧ୍ୟମରେ l ବିଶ୍ଵାସ ଭିତରେ ହିଁ ସେ ସର୍ବଦା ଥାଆନ୍ତି l କୌଣସି ନାମ ବାଚକରେ ନୁହେଁ l