KRUTIBAS NAYAK

Children

3  

KRUTIBAS NAYAK

Children

ମାମୁନିର ପଦକ

ମାମୁନିର ପଦକ

3 mins
175



ମାମୁନି ଦ୍ଵିତୀୟ ଶ୍ରେଣୀରେ ପାଠପଢେ । ସବୁ ପଣକିଆ ତା'ର ମୁହେଁ-ମୁହେଁ ଥାଏ । ଘରେ ସବୁପଢା ସାରିଦେଇ ଆସୁଥିବାରୁ ତାକୁ ସବୁ ଶିକ୍ଷକ ଭଲ ପାଆନ୍ତି । ଖୁବ କମଦିନ ଭିତରେ ସେ ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ଶବ୍ଦଗୁଡ଼ିକୁ ଶିଖି ନେଇଥିଲା । ତା' ପଢାବହିକୁ ଧରି ସେ ଡଗଡଗ କରି ପଢି ପକାଏ ।


ପ୍ରତିଦିନ ମା’ଙ୍କ ପାଖରେ ବସି ପ୍ରାର୍ଥନା ଗାଉ ଗାଉ ସେ କେତେଟା ଭଲ ଭଜନ, ଜଣାଣ ବି ଶିଖି ଯାଇଥାଏ । ସ୍କୁଲର ବାର୍ଷିକ ଉତ୍ସବରେ ନାଚକରି ସେ ଦର୍ଶକମାନଙ୍କୁ ଖୁସି କରିଦେଇଥିଲା । ତାକୁ ସେହି ମଞ୍ଚରେ ମୁଖ୍ୟ ଅତିଥି ଶ୍ରେଷ୍ଠ କୁନିଛାତ୍ରୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ ।

ସେହି ପାଦକକୁ ମାମୁନି ବେକରେ ଝୁଲେଇ ସବୁବେଳେ ବୁଲେ । ବାଟରେ, ଘାଟରେ ତାକୁ ଯିଏ ଦେଖେ, ସେ ପଦକ ବିଷୟରେ ତାକୁ ପଛରେ । ମାନୁନି କେମିତି କାହିଁକି ଏ' ପଦକ ପାଇଛି, ସେକଥା ବର୍ଣ୍ଣନା କରି ନିଜେ ବହୁତ ଗର୍ବ ଅନୁଭବ କରେ । ଶେଷରେ କହିଦିଏ-"ଏଇ ପଦକଟା ସୁନାରେ ତିଆରି ହେଇଛି ।"


ସେଦିନ ରବିବାର ସ୍କୁଲ ଛୁଟିଥାଏ । ମାମୁନି ଘରେ କାହାରିକୁ କିଛି ନ ଜଣାଇ ତା' ସାଙ୍ଗ ଝୁମୁରି ସହିତ ଖେଳିବାକୁ ବାହାରିଗଲା । ଦୁହେଁ ଖେଳୁ ଖେଳୁ ଦୂରରେ ଥିବା ବଡ଼ପାର୍କକୁ ଚାଲିଗଲେ ।ସେଇଠି କେତେ ଛୋଟ-ବଡ଼ ଫୁଲବଗିଚା, ଉଠାପକା ଖେଳ ଚୌକି, ଖୋଲା ପଡ଼ିଆ, ତଳକୁ ଖସିବା ଚଢିବା ଶିଡ଼ି, ବଡବଡ଼ ଦୋଳି ଆଉ ଅନେକ ଗୁଡ଼ିଏ ପିଲାଙ୍କୁ ଦେଖି ସେମାନେ ଘରକଥା ଭୁଲିଗଲେ ।


ଏଣେ ମାମୁନିର ବାପା-ମାଆ ଝିଅକୁ ଖୋଜି ଖୋଜି ବ୍ୟସ୍ତ ହେଇପଡ଼ିଲେ । ଆଖ-ପାଖ, ସହି-ପଡ଼ିଶା ଘରେ ଖୋଜିଲେ । ଶେଷରେ ଜାଣିଲେ-ସେ ଝୁମୁରି ସହିତ ମିଶି ବାହାରକୁ ଖେଳିବାକୁ ଯାଇଛି । ସେମାନେ କୋଉଠି ଖେଳୁଛନ୍ତି କି କୁଆଡ଼େ ଗଲେ, କେହି ଠିକ ଭାବରେ କହିପାରିଲେ ନାହିଁ ।


ଝୁମୁରିର ମାଆ ଆଉ ମାମୁନିର ମାଆ ପରସ୍ପରକୁ ଦୋଷ ଦେଲେ । ସେମାନେ ଭାବିଲେ- ଦୁଇଟାଯାକ ଛୁଆଙ୍କୁ ନିଶ୍ଚୟ ପିଲାଚୋର ନେଇଯାଇଥିବେ । ଦୁଇଟି ପରିବାରର ଲୋକେ ଵ୍ୟସ୍ତହେଇ କନ୍ଦାକଟା କରୁଥିଲେ । ପିଲା ଚୋରକୁ ଧରିବା ପାଇଁ କେତେଜଣ ଯୁବକ ମୋଟର ସାଇକେଲ ଧରି ଏଣେତେଣେ ଘାଣ୍ଟି ପକେଇଲେ । କିନ୍ତୁ ସମସ୍ତେ ଖାଲି ହାତରେ ଘରକୁ ଫେରିଲେ ।ମାମୁନିର ବାପା ଥାନାରେ ପିଲାଚୋରି ଖବର ଦେଇ କାନ୍ଦିକାନ୍ଦି ଘରକୁ ଫେରିଲେ ।


ଏହି ପିଲାଚୋରି ଖବରଟା ଅଳ୍ପ ସମୟ ଭିତରେ ଚାରିଆଡେ ପ୍ରଘଟ ହେଇଗଲା । ଛୋଟପିଲାଙ୍କୁ ମାଆମାନେ କାନି ଘୋଡ଼େଇ ଘର ଭିତରେ ଲୁଚାଇ ରଖିଲେ । ପିଲାଚୋର ଆତଙ୍କରେ ସମସ୍ତେ ଭୟଭୀତ ହେଇଗଲେ । ମୁହଁ ଅନ୍ଧାର ସଞ୍ଜବେଳକୁ ଏକୁଟିଆ ଝୁମୁରି କାନ୍ଦି କାନ୍ଦି ଆସି ଦାଣ୍ଡ ଦୁଆରେ ପହଞ୍ଚିଲା । ତାକୁଦେଖି ତା' ମାଆ ଦଉଡ଼ି ଯାଇ ତାକୁ କୁଣ୍ଢେଇ ପକେଇ ପଚାରିଲେ- "ପିଲାଚୋର କବଳରୁ ତୁ କେମିତି ଖସି ଆସି ପାରିଲୁ ? ଏତେବେଳଯାଏ ତୁ ଥିଲୁ କୋଉଠି ? ମାମୁନି ଗଲା କୁଆଡ଼େ .?"


ଝୁମୁରି କାନ୍ଦିକାନ୍ଦି କହିଲା- " ନାଇଁ ମାଆ ! ମୁଁ ମାମୁନି ସହିତ ମିଶି ବଡ଼ପାର୍କକୁ ଖେଳିବାକୁ ଯାଇଥିଲି । ଖେଳୁ ଖେଳୁ ମାମୁନି ପାର୍କର ପଛପଟକୁ ଚାଲି ଯାଇଥିଲା । ସେତିକିବେଳେ ଖୁବ ଜୋରରେ ବର୍ଷ ଆସିଲା । ବର୍ଷା ପରେ ମୁଁ ଖୋଜି ଖୋଜି ଆଉ ମାମୁନିଙ୍କୁ ପାଇଲି ନାହିଁ । ତାକୁ ଖୋଜୁ ଖୋଜୁ ଅନ୍ଧାର ହେଇଗଲା । ମୁଁ ଭାବିଲି, ସେ ଘରକୁ ଫେରି ଆସିଥିବ । ତେଣୁ ମୁଁ ବି ଫେରି ଆସିଲି ।"


ଝୁମୁରିର ବାପା ତରବର ହେଇ ମାମୁନିଙ୍କୁ ଖୋଜିବା ପାଇଁ ବଡ଼ପାର୍କ ଆଡ଼କୁ ଧାଇଁଲେ । ଆହୁରି କେତେଜଣ ଲୋକ ବି ପାର୍କକୁ ଗଲେ । ପାର୍କରେ ଥିବା ଝରଣା, କୃତ୍ରିମ ପାହାଡ଼, ପୋଖରୀ, ନାଳ ସବୁଆଡ଼େ ଖୋଜିଲେ । କେଉଁଠିହେଲେ ମାମୁନିଙ୍କୁ ପାଇଲେ ନାହିଁ । କେତେ ସମୟ ପରେ ପାର୍କ ପଛରେ ଥିବା ବଡ଼ଖାଲ ଭିତରେ ମାମୁନି ଠିଆ ହେଇଥିବାର ଦେଖି ଜଣେ ପିଲା ଚିତ୍କାର କଲା । ସମସ୍ତେ ସେଇଠିକି ଧାଇଁଗଲେ । ତାକୁ ସେ ଖାଲରୁ ଉଦ୍ଧାର କରାଗଲା । ସେତେବେଳକୁ ମାମୁନିର ବାପା ସେଇଠି ପହଞ୍ଚି ଯାଇଥିଲା । ସେ ମାମୁନିକୁ କୁଣ୍ଢେଇ ପକେଇ ପଚାରିଲେ-" ତୁ ଏଠିକି କେମିତି ଆସିଲୁ, ଏ' ଖାଲ ଭିତରକୁ କେମିତି ଗଲୁ ?"


ମାମୁନି କହିଲା- "ବାପା ! ଦେଖ ମୋ ବେକରେ ସେ ସ୍ୱର୍ଣ୍ଣ-ପଦକ ନାହିଁ । ଦୁଇଜଣ ଅଙ୍କଲ ପାର୍କରେ ବୁଲୁଥିଲେ । ସେମାନେ ମୋତେ ସେ ପଦକଟାକୁ ଦେବାକୁ କହିଲେ । ମୁଁ ତାଙ୍କୁ କିଛି ନ କହି ଦୌଡ଼ି ପଳାଇ ଆସୁଥିଲି । ସେମାନେ ମୋତେ ଗୋଡ଼େଇ ଗୋଡ଼େଇ ଏଇ ଖାଲ ପାଖରେ ଧରିନେଲେ । ପଦକଟାକୁ ଛଡ଼େଇନେଇ ମୋତେ ଖାଲକୁ ପେଲିଦେଲେ । ମୁଁ ଆଉ ଏତେବଡ଼ ଖାଲରୁ ବାହାରି ନପାରି ଖାଲି କାନ୍ଦୁଥିଲି । ଝୁମୁରିକୁ ଦେଖିବାକୁ ପାଇଲି ନାହିଁ । ସାହାଯ୍ୟ ପାଇଁ ବଡ଼ପାଟିରେ ଡାକୁଥିଲି ସିନା, ମୋ ଡାକ କେହି ଶୁଣି ପାରିଲେ ନାହିଁ ।"


ମାମୁନି ଘରକୁ ଫେରିଲା । ସେ ମାଆଙ୍କ କାନିକୁ ଧରି ବହୁତ କାନ୍ଦିଲା । ନିଜର ଭୁଲପାଇଁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହେଇଛି ବୋଲି କହିଲା ।

"-ତମକୁ ନକହି ମୁଁ ଆଉ କୁଆଡ଼େ ଏକା ଯିବିନାହିଁ । ସେଇ ପଦକ ପାଇଁ ମୁଁ ଆଜି ଏମିତି ବିପଦରେ ପଡ଼ିଗଲି । ମୁଁ ଯଦି ପଦକଟାକୁ ଘରେ ରଖିଦେଇ ଯାଇଥା'ନ୍ତି, ତେବେ ଏମିତି ଅସୁବିଧା ହେଇ ନ ଥା'ନ୍ତା । ସତରେ ମାଆ ସେଇ ପଦକ ପାଇଁ ମୋ ମନରେ ଗର୍ବ ଆସି ଯାଇଥିଲା ।"

ମାମୁନିର ବାପା ସେଇଠି ଠିଆହେଇ ସବୁକଥା ଶୁଣୁଥିଲେ । ସେ କହିଲେ-" ଛାଡ଼ ସେ ପଦକ କଥା । ତୁ ତ ତୋର ଭୁଲକୁ ଭୁଜହିଁ ପାରିଛୁ । ତୋର ଏହି ସାମାନ୍ୟ ଭୁଲପାଇଁ ଆଜି ଆହୁରି କ'ଣ ହେଇ ଯାଇଥା'ନ୍ତା, ଭଗବାନ ସେଥିରୁ ରକ୍ଷା କରିଦେଇଛନ୍ତି । ଚାଲ, ହାତଗୋଡ଼ ଧୋଇପକା, ସମସ୍ତେ ମିଶି ଖାଇବା ।"


Rate this content
Log in

Similar oriya story from Children