KRUTIBAS NAYAK

Children

3  

KRUTIBAS NAYAK

Children

ମାମାର ଫୁଲ ବଗିଚା

ମାମାର ଫୁଲ ବଗିଚା

5 mins
191



ମାମା ଭାରି ଫୁଲପ୍ରିୟ । ସ୍କୁଲରୁ ଫେରିଲେ ପ୍ରଥମେ ସେ ଦଉଡ଼ିଯାଏ ତା' ଫୁଲ ବଗିଚାକୁ । ବଗିଚାରେ ଫୁଟିଥିବା ବଡ଼ବଡ଼ ସୁନ୍ଦର ଫୁଲମାନଙ୍କୁ ଧରି ଗେଲ କରିସାରିବା ପରେ ଘର ଭିତରକୁ ପଶେ । ମାଆ ଯାହା ବାଢି ଦିଅନ୍ତି ତାକୁ ଖାଇଦେଇ ପୁଣିଥରେ ବଗିଚାକୁ ଚାଲିଯାଏ । ଯେଉଁ ଗଛଟା ନଇଁ ପଡ଼ିଛି ଯାହାର ଡାଳ ଓ଼ହଳି ପଡ଼ିଛି ତାକୁ ସଜାଡ଼ି ଦିଏ । ଯେଉଁଗଛର ମୂଳରୁ ମାଟି ବାହାରି ଯାଇଛି, ତା'ମୂଳେ ଖତ-ମାଟି ଥାପିଦିଏ ।

ବଗିଚା ଗେଟରେ ସେ ଖଣ୍ଡିଏ ବୋର୍ଡ଼ ଲଗେଇ ସେଥିରେ ଲେଖି ଦେଇଛି-"ଫୁଲକୁ ଦେଖି ଆନନ୍ଦ ପାଆନ୍ତୁ କିନ୍ତୁ ଗଛରୁ ଫୁଲ ଛିଡ଼େଇବାକୁ ଇଚ୍ଛା କରନ୍ତୁ ନାହିଁ । ଫୁଲ ଛିଡ଼ିଲେ ଗଛମାନେ କାନ୍ଦିବେ, ମୁଁ ବି କାନ୍ଦିବି ।"

ମାମାର ମାଆ ଦିନେ ଠାକୁର ପୂଜାକରିବା ପାଇଁ ଦୁଇ-ଚାରିଟା ଫୁଲ ତୋଳି ଆଣିଥିଲେ, ସେଦିନ ମାମା କାନ୍ଦି କାନ୍ଦି କିଛି ଖାଇଲା ନାହିଁ । ତାକୁ ବହୁତ କଷ୍ଟ ହେଇଥିଲା । ମାଆ ତାକୁ କଥାଦେଲେ-" ମୁଁ ଆଉ କେବେ ସେ ବଗିଚାରୁ ଫୁଲ ଛିଡ଼େଇବି ନାହିଁ । ଧୂପ-ଦୀପ, ଚନ୍ଦନଦେଇ ମୋ ଠାକୁରଙ୍କୁ ପୂଜା କରିବି ।" 

ମାମା ଖିଆ-ପିଆ ସାରି ତା" ମାଆଙ୍କୁ ବୁଝେଇଦେଲା-"ଗଛରେ ଫୁଲଥିଲେ ,ମୋତେ ତ ବହୁତ ଖୁସିଲାଗେ । ତମକୁ ବି ଭଲ ଲାଗୁଥିବ ନିଶ୍ଚୟ । ଯେଉଁ ଜିନିଷ ଯେଉଁଠି ରହିବା କଥା ତାକୁ ସେଇଠି ଭଗବାନ ରଖିଛନ୍ତି । ଫଳ ପାଚିଗଲେ, ଫୁଲ ମଉଳି ଗଲେ, ତଳକୁ ଖସି ପଡ଼ନ୍ତି । କିନ୍ତୁ ଆମେ ଫୁଲକୁ ଗଛଠାରୁ ଛଡ଼େଇ ନେଇ ଠାକୁରଙ୍କ ଆଗରେ ରଖି ଶୁଖେଇ ଦେଲେ, ଭଗବାନ କ'ଣ କେବେ ଖୁସିହେବେ ?"

ସେଦିନ ମାମାର କଥାଶୁଣି ମାଆ ଅସ୍ଥିର ହେଇପଡ଼ି ଭାବିଲେ- 'ଏଡ଼େ ବକଟେ ଛୁଆଟା କେଡ଼େ କଥାଟା କହିଦେଲା ! ସିଏ ତ ଯାହା କହୁଛି, ତାହା ଅତ୍ୟନ୍ତ ଯୁକ୍ତିଯୁକ୍ତ । ଆଜି ମୋ ଝିଅ ମୋର ଗୁରୁ ହେଇଯାଇଛି । ସେହିଦିନରୁ ମାଆ ଆଉକେବେ ବଗିଚାର ଫୁଲରେ ହାତଦେଇ ନାହାନ୍ତି । କାଳେ କିଏ ଲୁଚେଇ ବଗିଚାରୁ ଫୁଲ ତୋଳି ନେଇଯିବ ସେଥିପାଇଁ ସେ ବଡ଼ିଭୋରୁ ଉଠି ବଗିଚା ଆଡ଼େ ଚାହିଁ ବସିଥା'ନ୍ତି । ବଗିଚାରେ ନାନା ଜାତିର ଫୁଲ ଫୁଟି ଦୁଇ-ତିନିଦିନ ପର୍ଯ୍ୟନ୍ତ ତାଜା ଦିଶନ୍ତି । ତାକୁ ଦେଖି ପରିବାର ଲୋକେ ତ ଖୁସି ହୁଅନ୍ତି, ତା' ସଂଗେ ସଂଗେ ସେଇ ବାଟଦେଇ ଯାଉଥିବା ଲୋକମାନେ ବି ଖୁସିହେଇ ଯାଆନ୍ତି । ତାଙ୍କ ଘରକୁ ଆସୁଥିବା ଅତିଥିମାନେ ଆଗ ବଗିଚା ଭିତରେ ବୁଲି ଆନନ୍ଦ ପାଆନ୍ତି । ମାମାକୁ ପ୍ରଶଂସା କରି ଆହୁରି କିଛି କିଛି ନୂଆଗଛ ଲଗାଇବାକୁ ପରାମର୍ଶ ଦିଅନ୍ତି ।

ମାମାର ବାପା ଯେତେବେଳେ ବଜାରକୁ ଯାଆନ୍ତି ବିଭିନ୍ନ ପ୍ରକାର ନୂଆ ନୂଆ ଫୁଲଚାରା ଆଉ ମଞ୍ଜି ସଂଗ୍ରହକରି ଆଣନ୍ତି । ବଗିଚାରେ ମାଟି ହାଣି, ଖତ ବି ଦେଇଦିଅନ୍ତି । ମାଆ ବଗିଚାରରୁ ଅନାବନା ଘାସକୁ ଉପାଡ଼ି ସଫା କରିଦିଅନ୍ତି । ମାମା ମଞ୍ଜି ଆଉ ଚାରା ଲଗାଇ ତା'ର ଯତ୍ନନିଏ । ସବୁଦିନ ଦ୍ୱିପହରେ ଗଛରେ ପାଣିଦିଏ । ନୂଆଗଛରେ ଫୁଲ ଫୁଟିଲେ ମାମା ନାଚିଉଠେ । ବାପା-ମାଆଙ୍କୁ ଡାକି ଦେଖାଏ । ଗଛକୁ କୁଣ୍ଢେଇ ଧରି କେତେକଥା କହିପକାଏ । ସେ ଜାଣିଛି- 'ଗଛମାନେ ସିନା କଥା କହିପାରନ୍ତି ନାହିଁ କିନ୍ତୁ ସେମାନେ ମଣିଷର କଥାକୁ ବୁଝନ୍ତି । ତାଙ୍କ ପ୍ରତି ଆମର ବ୍ୟବହାର ଭଲହେଲେ, ଆମେ ତାଙ୍କୁ ଭଲ ପାଇଲେ, ସେମାନେ ବି ଖୁସି ହୁଅନ୍ତି । ଅଧିକରୁ ଅଧିକ ଫୁଲ ଫୁଟେଇ ଆମକୁ ଆନନ୍ଦ ଦିଅନ୍ତି ।'

ବାଟରେ ଯାଉଥିବା ଲୋକେ ଦୂରରୁ ଠିଆହେଇ ବଗିଚା ଫୁଲକୁ ଚାହିଁ କିଛି ସମୟ ଆନନ୍ଦ ପାଆନ୍ତି । କେତେଜଣ ଫୁଲ ଗୋଟେ ଦୁଇଟା ମାଗନ୍ତି । କିନ୍ତୁ ମାମାର ମାଆ କେବେ କାହାକୁ ଗୋଟାଏ ବି ଫୁଲ ଦିଅନ୍ତି ନାହିଁ । ବରଂ ଝୁଲୁଥିବା ବୋର୍ଡ଼ର ଲେଖାକୁ ପଢିବାକୁ କହିଦିଅନ୍ତି ।

ମାମାର ସାଙ୍ଗମାନେ କେବେ ତାଙ୍କ ଘରକୁ ବୁଲି ଆସିଲେ, ତା' ବଗିଚାକୁ ଦେଖି ଖୁସିହେଇ ବାଃ-ବାଃ-କହନ୍ତି । ମାମା ବଗିଚା ଭଳି ସେମାନେ ଗୋଟାଏ ବଗିଚା ତିଆରି କରିବାକୁ ମନେମନେ ଭାବନ୍ତି । ସତରେ କି' ସୁନ୍ଦର ଦିଶୁଚି, କେତେ ଆନନ୍ଦ ଦେଉଛି ଏ' ଫୁଲ ବଗିଚା !

ସେମାନଙ୍କ ଘରକୁ ମାମା ଗଲେ, କେମିତି କେଉଁଠି ସୁନ୍ଦର ବଗିଚା ତିଆରି ହେଇପାରିବ, ସେକଥା କହିଦେଇ ଆସେ । କେତେଜଣ ସାଙ୍ଗ ମନଦୁଃଖ କରି କହନ୍ତି ମୋତେ ବି ଫୁଲଗଛ ଲଗେଇବାକୁ ଇଛା ଯେ କିନ୍ତୁ ଆମର ଜାଗା ନାହିଁ । ମାମା ତାଙ୍କୁ କହିଦେଇଥିଲା- "ଯାହାର ଗଛ ଲଗେଇବାକୁ ଜାଗାନାହିଁ ସେମାନେ ନିଜ ଛାତ ଉପରେ କୁଣ୍ଡରେ ବହୁତ ଭଲଫୁଲ ଫୁଟେଇ ପାରିବ । ଫୁଲ ହେଉଛି- ଭଗବାନଙ୍କର ସୁନ୍ଦରତମ ସୃଷ୍ଟି । ଝିପିଝିପି ବର୍ଷାଆଉ ଧୀର ପବନରେ ଏମାନେ ଦୋଳି ଖେଳିବାକୁ ଭଲ ପାଆନ୍ତି । ପ୍ରଜାପତି, ମହୁମାଛି ଆସି ତାଙ୍କ ସହିତ ଖେଳନ୍ତି । ଗୋଟିଏ କଥା ମନେ ରଖିଥିବ- କେବେ ବି ଗଛରୁ ଫୁଲକୁ ଛିଡେ଼ଇବା ନାହିଁ । ଗଛରେ ଥିଲେ ଫୁଲ ଯେତେ ସୁନ୍ଦର ଦିଶେ, ଆଉ କୋଉଠି ବି ସେମିତି ଦେଖାଯାଇ ପାରିବ ନାହିଁ । ମାମା କଥାକୁ ବୁଝିପାରି କେତେଜଣ ସାଙ୍ଗ ତାଙ୍କ ବାଡ଼ିକୁ ବଗିଚାରେ ପରିଣତ କରିଦେଲେ ।"

ମାମା ଫୁଲ ବଗିଚାକୁ ଦେଖିଥିବା ଲୋକମାନେ ଚାରିଆଡ଼େ ଚର୍ଚ୍ଚାକଲେ । ଥରେ ଜଣେ କୃଷି ଅଧିକାରୀ ଆସି ମାମା ବଗିଚାକୁ ଦେଖି କହିଲେ- "ଆମ ବ୍ଲକ ପଡ଼ିଆରେ ଫୁଲ ପ୍ରଦର୍ଶନୀ ହେବ । ସରକାର ଭଲ ଫୁଲ ଫୁଟେଇଥିବା ପିଲାଙ୍କୁ ପୁରସ୍କାର ବି ଦେବେ । ଏତେ ସୁନ୍ଦର ଫୁଲ ତମେ ଫୁଟେଇ ପାରିଛି, ସେ ପ୍ରଦର୍ଶନୀକୁ ତମର ଫୁଲ ନେଇଯିବ , ନିଶ୍ଚୟ ତମେ ପୁରସ୍କାର ପାଇବ । କୃଷିମନ୍ତ୍ରୀ ସେ ପୁରସ୍କାର ଦେବେ । ତମେ ନିଶ୍ଚୟ ଅଂଶ ଗ୍ରହଣ କରିବ ।"

ମାମା ଏ' ଖବର ପାଇଁ ଖୁସିହେଇ ଯାଇ ତା'ର ସାଙ୍ଗମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ କହିଲା । ଖୁସିହେଇ ସାଙ୍ଗମାନେ ନିଜ ନିଜର ଫୁଲକୁଣ୍ଡକୁ ନେଇ ପ୍ରଦର୍ଶନୀରେ ପହଁଚିଲେ । କିନ୍ତୁ ପ୍ରଦର୍ଶନୀ ବା ପ୍ରତିଯୋଗିତାରେ ମାମା ଅଂଶ ଗ୍ରହଣ କରିଲା ନାହଁ । ପୁରସ୍କାର ପ୍ରଦାନ ଉତ୍ସବ ଦେଖିବାକୁ ସେ ତା' ବାପା-ମାଆଙ୍କ ସାଙ୍ଗରେ ଯାଇଥିଲା । ମାମାର ଅନ୍ତରଙ୍ଗ ସାଙ୍ଗ ତିନିଜଣ ପ୍ରଥମ, ଦ୍ଵିତୀୟ, ଆଉ ତୃତୀୟ ହେଇଥିଲେ । ସେମାନେ ମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରି ମାମାକୁ ଦେଖିପଚାରିଲେ- " ତୁ ଆମକୁ ପ୍ରଦର୍ଶନୀକୁ ପଠେଇଦେଇ ନିଜେ ଚୁପ ରହିଗଲୁ କାହିଁକି ? ତମ ବଗିଚାର ଫୁଲ ତ ଆମ ସମସ୍ତଙ୍କଠାରୁ ଭଲ ହେଇଥିଲା । ତୋ'ପାଇଁ ପ୍ରଥମ ପୁରସ୍କାର ଥୁଆହେଇ ରହିଥିଲା । ଏମିତି ଚୁପ ରହିଗଲୁ କାହିଁକି ?"

ସାଙ୍ଗମାନଙ୍କ କଥାଶୁଣି ମାମା କହିଲା-" ଆରେ, ମୁଁ ତ ବହୁତ ଦିନହେଲା-ବଗିଚା କରି ଫୁଲଗଛ ଲଗେଇଛି । ଏମିତି କରିବାକୁ ମୋତେ କେହି କେବେ କହି ନଥିଲେ । ମୁଁ ଫୁଲକୁ ବହୁତ ଭଲ ପାଏ । ବଂଚିଥିବା ଯାଏ ଫୁଲକୁ ଭଲ ପାଉଥିବି, ଏକଥା ମୁଁ ଶପଥ ନେଇ ସାରିଛି । କିନ୍ତୁ ମୁଁ ତୁମମାନଙ୍କୁ ଉତ୍ସାହିତ କରି ଫୁଲ ଲଗାଇବାକୁ କହିଥିଲି । ତମେ ମୋ କଥା ମାନି ଫୁଲ ଫୁଟେଇଛ । ଆଜି ତମେ ପୁରସ୍କାର ପାଇନାହଁ ଯେ ମୁଁ ତୁମ ମାଧ୍ୟ୍ୟମରେ ପାଇ ପାରିଛି । ପୁରସ୍କାର ତମେ ପାଇଲ ମୁଁ ସବୁଠାରୁ ବେଶୀ ଖୁସିହେଲି । ମୁଁ ଜାଣିଥିଲି, ଯଦି ମୁଁ ମୋର ଫୁଲକୁ ପ୍ରଦର୍ଶନୀକୁ ଆଣିବି ତେବେ ସବୁଯାକ ପୁରସ୍କାର ମୋତେ ମିଳିଯିବ । କିନ୍ତୁ ଯେଉଁମାନଙ୍କୁ ଉତ୍ସାହିତ କରି ମୁଁ ଫୁଲ ବଗିଚା କରେଇଲି ସେମାନେ କେମିତ ଖୁସିହେବେ, ଉତ୍ସାହିତ ହେବେ: ଆଉ ଭବିଷ୍ୟତରେ ଆହୁରି ଭଲଫୁଲ ବଗିଚା କରିବେ ? ସରକାରଙ୍କ ଇଚ୍ଛା ଅଧିକରୁ ଅଧିକ ଲୋକେ ଫୁଲର ମୂଲ ବୁଝନ୍ତୁ । ସମସ୍ତେ ବଗିଚା ପ୍ରତିଯତ୍ନ ନିଅନ୍ତୁ । ନୂଆକରି ବଗିଚା କରୁଥିବା ପିଲାମାନେ ସିନା ଉତ୍ସାହିତ ହେଲେ, ସେମାନେ ଆହୁରି ଅଧିକ ଫୁଲଗଛ ଲଗେଇବେ । ମୋତେ ଆଉ କାହାରିକୁ କହିବାକୁ ପଡ଼ିବ ନାହିଁ । ମୁଁ ତ ନିଜେ ବୁଝିଯାଇଛି । ମୋର ପ୍ରତିଯୋଗିତାରୁ ପୁରସ୍କାର ନେବା କ'ଣ ଦରକାର । ସେଇଥିପାଇଁ ମୁଁ ଏଥିରେ ଅଂଶ ଗ୍ରହଣ କରି ନଥିଲି ବୁଝିଲ ?"

ସାଙ୍ଗମାନେ ଏକ ସଙ୍ଗରେ କହି ଉଠିଲେ-"ବଡ଼ମଣିଷଙ୍କ ଭଳି କ’ଣ କଥା କହୁଛୁ ? ବୁଝିଗଲୁ ବୁଝିଗଲୁ ! ତୋର ନିଜସ୍ୱାର୍ଥକୁ ପଛରେ ରଖି ଆମକୁ ପୁରସ୍କାର ଦେବାପାଇଁ ତୁ ଏଠିକି ଆସିଲୁ ନାହିଁ । ଏ' ସବୁ ପୁରସ୍କାର ଆମେ ତୋ' ପାଇଁ ପାଇଛୁ । ତୋଭଳି ସାଙ୍ଗଟି ଥିଲେ ତ ଆଉ କାହାର କିଛି ଅସୁବିଧା ରହିବ ନାହିଁ ।"



Rate this content
Log in

Similar oriya story from Children