Banabihari Mishra

Drama Tragedy

4.4  

Banabihari Mishra

Drama Tragedy

ମାଡାମ୍ ମାଆ

ମାଡାମ୍ ମାଆ

4 mins
393


ତିନି ଦିନ ହେଲା ଝଡି ଲାଗିଛି ଯେ ଲାଗିଛି। ଦଣ୍ଡେ ବି ବନ୍ଦ ହୋଉନି। ମୂଲିଆ ମଜୁରିଆ କାମକୁ ଯିବା ତ ଦୂର, ଚଢେଇ ଚିରୁଗୁଣି ବି ଏ ଝଡିରେ ପଦାକୁ ବାହାରୁ ନାହାନ୍ତି। ଏଥିରେ ଗୋଲାପ କାମକୁ ଯିବ କେମିତି? ଗିରସ୍ତ ଥିଲା ଯେ ଗୋଟେ ସାହସ ଥିଲା। ସିଏ ଯାହା ଯେମିତି ମୂଲପାଣି କରି ଆଣେ। ଗୋଲାପ ଦୁଇଜଣଙ୍କ ଘରେ କାମ କରେ। ସେଇଥିରେ ଦି'ଟା ପେଟ ଅପୁରା ରହେନି। ଏଇ ଛୁଆଟା କୋଳକୁ ଆସିଲା ପରଠୁ ସବୁକିଛି ବଦଳି ଗଲା। ଦି'ଜଣଯାକ ଏଇ ଛୁଆଟା ପାଇଁ କେତେ ସପନ ଦେଖିଥିଲେ। ହେଲେ ଦଇବ କ'ଣ ସହିଲା! ଦିନେ ଲୋକଟା କାମ କରିବାକୁ ଯାଇଥିଲା ଯେ ଆଉ ଫେରିଲାନି। ଫେରିଲା ତା ମଡା। କୁଆଡେ ଗୋଟେ ଗାଡି ଚପେଇ ଦେଲା। ମଡାଟା ଏତେ ବିକୃତ ହେଇଯାଇଥିଲା, ଆଉ ତା ଉପରେ ପୋଲିସର ପୋଷ୍ଟମର୍ଟମ, ଚିହ୍ନି ହେଉନଥିଲା। ଖାଲି ପିନ୍ଧା କାମିଜ ଖଣ୍ଡକରୁ ଗୋଲାପ ଜାଣିଲା ଯେ ତା ଛୁଆର ବାପ ଆଉ ନାହିଁ। ଯେତେ ଅଭାବ ଥାଉ, ଏ ଜାତିଭାଇଏ କ'ଣ ଛାଡିଲେ। ଜବରଦସ୍ତି ଛୁଆଟା ପାଇଁ ସଞ୍ଚିଥିବା ପଇସାରେ ଫଳେପୁଷ୍ପେ ଶୁଦ୍ଧି ଆଉ ଭୋଜି ସାରିଲା ପରେ ହାତ ପୁରାପୁରି ଶୂନ। ଏକଲା ମାଇପିଟା, କେମିତି ସୁଝିବ, ସେଇ ଡରରେ ଥାଇକି ବି ଧାରଉଧାର ଦେବାକୁ ସମସ୍ତେ ମନାକରିଦେଲେ। ତା'ଛଡା ଧାରଉଧାର କରି କେତେଦିନ ବା ଚଳିଥାନ୍ତା? ଅଣ୍ଟା ଭିଡିଲା ଗୋଲାପ। ଦି'ଟା ଘର ଧରିଛି। ଆଉ ଦି'ଟା ଘର ମିଳିଗଲେ ଯାହାଯେମିତି ଚଳିଯିବ।


ବହୁତ ଚେଷ୍ଟା କଲା। ହେଲେ ଏଇ ଦି'ବର୍ଷର ଛୁଆଟାକୁ ଛାଡି ଯାଇ ହବନି କି ତାକୁ ସାଙ୍ଗରେ ନେଲେ କାମ ମିଳିବା କାଠିକର ପାଠ। ସମସ୍ତଙ୍କର ସେଇ ଗୋଟିଏ କଥା, 'ତୁ ତ କାମ କରିବାକୁ ଆସିବୁ, ଏ ଛୁଆଟାକୁ ଲାଞ୍ଜ ପରି ଧରିକି କାହିଁକି ଆସୁଛୁ? କେଡେ ଅସନା ହେଇଛି ଏ ଛୁଆଟା। ଘରଦ୍ଵାର ଅସନା କରିବ। ତୁ ତାକୁ ଘରେ ଛାଡିକି ଆସିବୁ ଯଦି କାମକୁ ଆସିବୁ।' ଗୋଲାପ ଭାବୁଥାଏ ଏ ଗରିବଗୁରୁବାଙ୍କ ଛୁଆଗୁଡାଙ୍କ ପ୍ରତି ଏମାନଙ୍କର ଏମିତି ଘୃଣା କାହିଁକି? ସିଏ ତ ମାଆଟିଏ, ଛୋଟିଆ ଛୁଆଟାକୁ ଏକୁଟିଆ ଘରେ ଛାଡି ଆସିବ କେମିତି? ପୁଣି ବେଳେବେଳେ ରାଗ ଆସେ ନିଜର ଭାଗ୍ୟ ଉପରେ ଯାହା ବୁଲିବାଲି କେନ୍ଦ୍ରିତ ହୁଏ ମୃତ ଗିରସ୍ତ ଉପରେ। 'ତୋର ଯଦି ମରିବାର ଥିଲା, ଏ ଛୁଆଟାକୁ ଦୁନିଆକୁ ଆଣୁଥିଲୁ କାହିଁକି? ଖାଲି ମତେ ହନ୍ତସନ୍ତ କରିବାକୁ ନା ଆଉ କିଛି।'


ବହୁତ କଷ୍ଟରେ ଗୋଲାପ ଗୋଟିଏ ଘର ଠିକ୍ କଲା। ଆଗରୁ ଯୋଉ ଦୁଇଟି ଘରେ କାମ କରୁଥିଲା, ସେମାନେ ଭାରି ଭଲ ଲୋକ। ଛୋଟିଆ ଛୁଆଟାକୁ ଧରିକି ଗଲେ କିଛି କୁହନ୍ତିନି। ଗୋଲାପ ଘର ବାରଣ୍ଡାରେ ପୁଅକୁ ବସେଇ କାମକରେ। କାମ ସାରିବା ପରେ ଯାହା ଯେମିତି ଦି'ମୁଠା ମିଳିଯାଏ। ତାକୁ ଛୁଆଟା ପାଟିରେ ଦେଇଦେଲେ ସିଏ ଚୁପଚାପ ବସେ। ଆଉ ଛୁଆଙ୍କ ପରି କେଁ କେଁ ହୁଏନି କି ମାଆ କାନିରେ ଓହଳେନି। କିନ୍ତୁ ଏଇ ଯୋଉ ନୂଆ ଘରଟି ଧରିଛି, ସେ ବାବୁଆଣୀ ଭାରି କଡା ମିଜାଜର। ପାନରୁ ଚୁନ ଖସିଲେ କଥା ସରିଲା। କେତେ ନାହିଁ କେତେ ବକିଯିବେ। ସେଇଥିପାଇଁ ଗୋଲାପ ଭାରି ଜାଗତିଆର ଥାଏ। ପୁଅକୁ ବାରଣ୍ଡାରେ ନବସେଇ ବସେଇ ଦିଏ ପାଚେରୀ ପାଖ ସିମେଣ୍ଟ ବେଞ୍ଚରେ। ସେଇଠି ବଉଳ ଗଛର ଛାଇରେ ନିରିମାଖି ହେଇ ଛୁଆଟା ବସିରହେ। ହେଲେ ମାଆ ମନ କୋଉ ସମ୍ଭାଳି ହୁଏ, କୁକୁର, ମାଙ୍କଡ଼ କି ଆଉ କିଏ ପିଲାଟାର କିଛି ନକରୁ, ସେଥିପାଇଁ ଗୋଲାପ ତରକି ତରକି ମଝିରେ ମଝିରେ ଆସି ଦେଖିନିଏ। ସେତିକିରେ ବି ବାବୁଆଣୀ ଗରଗର ହୁଅନ୍ତି।


ସେଦିନ ବାବୁଆଣୀ କହିଥିଲେ ଆଜି ତାଙ୍କ ଘରକୁ କିଏ ବଡବଡିଆ ଜଣେ ଆସିବେ। ସେଥିପାଇଁ ତାକୁ ତାଗିଦ କରି କହିଥିଲେ ଯେମିତି ନିଶ୍ଚିତ ଆସେ। ହେଲେ ଏ ଝଡି କ'ଣ ଛାଡୁଛି! ତଥାପି ଭଙ୍ଗା କାଠବେଣ୍ଟିଆ ଛତା ଖଣ୍ଡକ ଧରି ପୁଅକୁ କାଖେଇ ଗୋଲାପ ବାହାରି ପଡିଲା। ଘରେ ବସିଲେ ଖାଇବ କ'ଣ? ତା'ଛଡା ବାବୁଆଣୀ ଭାରି ଖପା ହେବେ। ଦରମା କାଟିଦେବେ। ସଅଳ ସଅଳ ବାହାରି ପୁରୁଣା ଦି'ଘରର କାମ ସାରିଦେଇ ବାବୁଆଣୀଙ୍କ ଘରେ ପହଞ୍ଚିଲେ ଭଲ।


ସେଇମିତି ହେଲା। ସକାଳୁ ଚାଳରୁ ପାଣି ଯାହା ଗଳିଥିଲା ତାକୁ ପୋଛାପୋଛି କରି ଆସିଲା ବେଳକୁ ଡେରି ହେଇଗଲା ଯେ ଛୁଆଟାକୁ ଦି'ଟା ଖାଇବା ପାଇଁ ଦେଇପାରିନି। ଟୁପୁରୁ ଟୁପୁରୁ ବର୍ଷାରେ କଣା ଛତା ତଳେ ପୁଅକୁ ବଉଳ ଗଛମୂଳେ ବସେଇ ଦେଇ ଗୋଲାପ କାମରେ ଲାଗିଗଲା। ଆଜି ଟିକେ ଅଧିକ କାମ। କିନ୍ତୁ ଶୀଘ୍ର ଶୀଘ୍ର କାମ ସାରିଦେଲେ ପୁଅଟା ପାଇଁ କ'ଣ ଦି'ଟା ମାଗିବ। ସକାଳ ପହରୁ ଛୁଆଟା କିଛି ଖାଇନି। ହେଲେ କାମ କୋଉ ସରୁଛି, ଗୋଟାକ ପରେ ଗୋଟେ ଲାଗିଛି ଯେ କେତେବେଳେ ଦିନ ମୁଣ୍ଡ ଉପରେ ହେଲାଣି, ଗୋଲାପର ଖିଆଲ ନାହିଁ। କେତେବେଳେ ଯାଇ ଛୁଆଟା କଥା ମନେପଡିଲା। ଡରି ଡରି ବାବୁଆଣୀଙ୍କି କିଛି ଖାଇବା ପାଇଁ ମାଗିଲା। ବାବୁଆଣୀ ତ ଗର୍ଜି ଉଠିଲେ। "ତୁମ ସମସ୍ତେ ଏଇଭଳିଆ। ଏଣେ ଗେଷ୍ଟ ଆସିନାହାନ୍ତି। ଆମେ କେହି ଖାଇନୁ। ଇଏ ମାଗିଲା ଖାଇବାକୁ। ୟା ପେଟ ତ ପୋଡିଯାଉଚି। ଯା, ଯା, ସେଇ ବାରଣ୍ଡାରେ ବସିଥା। ସେମାନେ ଯାଇ ସାରିବା ପରେ ଖାଇବାକୁ ମିଳିବ।" 

-- ନାଇଁ ମ ମାଡାମ୍, ପୁଅଟାକୁ ସେଇ ପାଚେରୀ ପାଖରେ ବସେଇ ଦେଇଚି। ସକାଳୁ କିଛି ଖାଇନି। ତା'ରି ପାଇଁ କ'ଣ ଦି....ଟା...."


-- ଆଲୋ ତୋର ଛୁଆଟିଏ ଅଛି? କାଇଁ ଏକଥା ତ ମୋତେ ଆଗରୁ କେବେ କହିନୁ। କେମିତିକା ମାଆ ଲୋ, ଝଡି ବର୍ଷାରେ ଛୁଆଟାକୁ ଏକୁଟିଆ ବାହାରେ ବସେଇ ଦେଇଛୁ। କୁକୁର, ମାଙ୍କଡ଼, ସାପ, ବେଙ୍ଗ ଦେଖି ଛୁଆଟା ଡରିବନି?

-- ନାଇଁ ମାଡାମ୍, ଆମ ଗରିବଙ୍କୁ ଦଇବ ସାହା। ତାକୁ ମୁଁ ନିଇତି ଆଣେ। କାଳେ ଘରେ ଅସନା କରିବ ଆଉ ତମକୁ ଭଲ ଲାଗିବନି, ସେଇଥିପାଇଁ ତାକୁ ସେଇଠି ବସେଇ ଦିଏ।


-- କ'ଣ, ଛୋଟ ଛୁଆଟା। ଅସନା କରିବ ବୋଲି ତାକୁ ଦାଣ୍ଡରେ ବସେଇ ଦେଇଛୁ। ଯା, ଯା, ଆଗ ତାକୁ ଆଣ। ମୁଁ ବାଢିଦିଏ। ତାକୁ ଦି'ଟା ଖୁଏଇ ଦେ।

ଗୋଲାପ ତାଜୁବ ହେଇ ଯାଉଥିଲା। ଏଡେ କଠୋର ବାବୁଆଣୀ ପୁଣି ଏତେ କଅଁଳ। ନିଜକୁ ବିଶ୍ୱାସ କରିପାରୁ ନଥିଲା। ପୁଅକୁ ଆଣି ଆସିଲା ବେଳକୁ ବାବୁଆଣୀ ଖାଇବା ପାଇଁ ପତରରେ ବାଢି ଦେଇଥିଲେ। ପୁଅକୁ ଗୋଲାପ କାଖରୁ ଏକରକମ ଛଡେଇ ନେଇ ନିଜ କୋଳରେ ବସେଇ ଖୋଇବାକୁ ଲାଗିଲେ। ଗୋଲାପ ଲକ୍ଷ୍ୟ କରୁଥିଲା, ବାବୁଆଣୀଙ୍କ ଆଖିରୁ ବୋହି ଯାଉଥିବା ଲୁହ କେଇବୁନ୍ଦା ମୋଜାଇକ ଚଟାଣରେ ପଡି ଚକ୍ ଚକ୍ କରୁଛି।


ଏମିତି ପୁଣି ମଣିଷ ଦୁନିଆରେ ଅଛନ୍ତି। ଉପରକୁ ଦେଖାଯାଉଥିବା ନିଷ୍ଠୁର ଚେହେରା ଭିତରେ ଏଡେ କଅଁଳ ହୃଦୟଟିଏ ଅଛି। ଏଠି ଆଗରୁ କାମ କରୁଥିବା ମକରା ମା' କେଡେ କଥାଟେ ବାବୁଆଣୀଙ୍କ ନାଁରେ କହୁଥିଲା। ବାବୁଆଣୀ କୁଆଡେ ଭାରି ରାଗି। ଗୋଟେ ଦୁର୍ଘଟଣାରେ ପୁଅ, ବୋହୂ ଆଉ ଦି'ବର୍ଷର ନାତିକୁ ହରେଇଲା ପରେ ବୁଢୀଟା ଚିଡଚିଡା ହେଇଯାଇଛି। ମକରା ମା'କୁ ମନେ ମନେ ଭାରି ରାଗୁଥିଲା ଗୋଲାପ। ଗୋଲାପ ଜାଣିପାରୁଥିଲା, ଗୋଟିଏ ଶକ୍ତ ଧକ୍କା ପାଇଲା ପରେ ମଣିଷ ନିଜକୁ ଭାରି ଟାଣ କରିଦିଏ। ଆଉ କୌଣସି ଆଘାତ ଯେମିତି ତାକୁ ଦୋହଲାଇ ନପାରେ। ଏଇଟା ତ ତା'ର ନିଜସ୍ୱ ଅଙ୍ଗେନିଭା କଥା। ତା ଜୀବନରେ ଆସିଥିବା ଧକ୍କାରୁ ସିଏ ଜାଣିଛି। 


ସେତେବେଳକୁ ଛୁଆଟାର ଖାଇବା ସରି ଯାଇଥାଏ। ଗୋଲାପ ବାବୁଆଣୀଙ୍କ ଆଡ଼କୁ ନିରେଖି ଚାହିଁ ରହିଥାଏ। ଦେଖୁଥାଏ ପୁରିଲା ପେଟର ଆନନ୍ଦରେ ତା ପୁଅଟା ଯେତିକି ଖୁସି ଲାଗୁଥିଲା, ତା'ଠାରୁ ବେଶୀ ଆନନ୍ଦିତ ସିଏ ନିଜେ ହେଉଥିଲା। କିନ୍ତୁ ସବୁଠୁ ଆହ୍ଲାଦିତା ଲାଗୁଥିଲେ ବାବୁଆଣୀ। ଗୋଲାପ ଆଖିରେ ତାଙ୍କର ସ୍ଥାନ କାହିଁ କେତେ ଉପରକୁ ଉଠି ଯାଇଥିଲା। ଆଜି ବାବୁଆଣୀ ଠାକୁରାଣୀ ମା' ଅନ୍ନପୂର୍ଣ୍ଣା ଭଳି ଲାଗୁଥିଲେ। ଗୋଲାପର ମନ ହେଉଥାଏ, ବାବୁଆଣୀଙ୍କି ମାଡାମ୍ ନଡାକି ମା' ଡାକନ୍ତା। ଏଇମିତି ଭାବୁ ଭାବୁ କେତେବେଳେ ତା ପାଟିରୁ ବାହାରି ଯାଇଛି, "ମା...ଆ"। ବାବୁଆଣୀ ବଡ ଖୁସିଟାଏ ହେଇ କହୁଥିଲେ, 'ହଁ, ଆଜିଠୁଁ ସେଇଆ ହିଁ ଡାକିବୁ।'


Rate this content
Log in

Similar oriya story from Drama