STORYMIRROR

Satyabati Swain

Classics

2  

Satyabati Swain

Classics

ଲୁହ କୋହ

ଲୁହ କୋହ

3 mins
454

ସବୁ ଠିକ୍ ଠାକ୍ ହୋଇଗଲା। ଧାର୍ଯ୍ୟ ହୋଇଗଲା ଦିନ। ନିମନ୍ତ୍ରଣ ପତ୍ର ଛପା ହୋଇଗଲା। ଡିସେମ୍ବର ଛଅ ମୋର ବିବାହ ହେବ। ଧାଁ ଦଉଡ଼ ଲାଗିଲା ଘର ଲୋକଙ୍କର। ଆଗ ପରି ଆକଟ କି କାଇଦା କଟକଣା ମୋ ପାଇଁ କିଛି ରହିଲା ନାହିଁ। ସମସ୍ତେ ମୋତେ ବହୁତି ଭଲ ପାଇଲେ। ଭଲ ପାଇଲେ କି ଦୟା କଲେ ବୋଧେ। ଏଇ ଦୟା ନାମକ ଶବ୍ଦ ପ୍ରତି ମୋର ଭାରି ଆଲର୍ଜି। ମୋଟେ ହଜମ ହୁଏନି। ଘୃଣା କରେ କାହା ଦୟା କି ଅନୁଗ୍ରହ ମୁଁ। ବନ୍ଧୁ ବାନ୍ଧବ ବି ଉଛୁଳି ଉଠିଲେ। ପ୍ରାୟତଃ କେହି ନା କେହି ନିମନ୍ତ୍ରଣ କଲେ ଖାଇବା ପାଇଁ। ମୁଁ ଚକିତ ହେଲି ଘୋଡା ମୁହିଁ,ଫାଜିଲ୍,ବଡ଼ମାସୀ ଶବ୍ଦ ଗୁଡିକ ମୋ କଅଁ ଆଉ ଶୁଣିଲା ନାହିଁ। ଆଲୋ ମା ଯା ଲୋ ମା କହିଲେ ସମସ୍ତେ। ରାଣୀ,କଣ୍ଢେଇ,ସୁନା ଏମିତି କେତେ ଶବ୍ଦ କାନକୁ ମୋର ଟିକେ ଅଡୁଆ ଶୁଭିଲା। କାଟିଲା ବି ଢେର।

     ମୋର ସେଇ ଫାଜିଲ୍,ବଡ଼ମାସୀ,ଫୁଲେଇ ପରି ଶବ୍ଦ ମାନେ ଆବଶ୍ୟକ ହେଉଥିଲେ। କାହିଁକି ନା ଏ ଶବ୍ଦ ଭିତରେ ମୁଁ ପୁଳାପୁଳା ସ୍ନେହ ମମତା ଗୋଲ ହୋଇଥିବାର ଅନୁଭବ କରୁଥିଲି। ଯେଉଁ ଶବ୍ଦ ମାନଙ୍କୁ ପ୍ରେମ କରିବାକୁ ମନ ଚାହୁଁଥିଲା ସେତେବେଳେ ଏ ସବୁ ମୋତେ ମିଳି ନଥିଲା। ଏବେ ବଡ଼ ହେଲା ପରେ ଏପରି ବ୍ୟବହାର ଘର ବାହାର ଲୋକଙ୍କ ମୋର ହଜମ ହେଉନି। ମୁଁ ଅଣ୍ଡାଳୁଛି ହେଉ ପଛେ ଶ୍ରୁତିକଟୁ ମୋର ଅଭ୍ୟସ୍ତ ଶବ୍ଦ ଓ ସ୍ନେହ ଲୋଡା ପଡୁଥିଲା। କିନ୍ତୁ ସେଇ ଶବ୍ଦ ମାନେ ମୋତେ ପର କରି ଦେଇଥିଲେ ଅଭିମାନରେ। ଗୋଟେ କୌତୁହଳ ବି ଥିଲା ମନରେ। ହଠାତ୍ ଆତ୍ମୀୟ ସ୍ଵଜନଙ୍କ ବ୍ୟବହାରରେ ପରିବର୍ତ୍ତନକୁ ଦେଖି। ବେଶୀ କରୁଣ ଲାଗୁଥିଲା ମା ଓ ବାପା ମୁହଁ।

     ମୋତେ ଲାଗୁଥିଲା କେଉଁ ଗୋଟେ ଅମୁହାଁ ଅନ୍ଧାରକୁ ଠେଲି ଦେଉଛନ୍ତି ବୋଲି ଏ ଅଚାନକ ପରିବର୍ତ୍ତନ ସଭିଙ୍କର। କଣ କି ମୁଁ କଣ ମରଣ ମୁହଁକୁ ଯାଉଛି କି ଏତେ ସରାଗ,ଶ୍ରଦ୍ଧା ସହ ସମ୍ମାନ ବି ପଚାରିଲି ମା ଘର ଲୋକଙ୍କ ଏ ବିଚିତ୍ର ବ୍ୟବହାର କାହିଁକି ମୁଁ କୁଆଡେ ମରି ହଜି ଯିବି ନା କଣ ମା କୋଳକୁ ଆଉଜାଇ ନେଇ କହିଲା ଧନ ଲୋ ଏଣିକି ତୋ ଗେଲ ବସର ଦିନ ସରିଯିବ। ବହୁତ ଝଡ଼ ଜଂଜା ଆସିବ ସମସ୍ୟା ଘେର ତୋତେ ଆଉ ଦୁଲୁଦୁଲୁ,ଧୁମୁସୁମୁ ହେବାକୁ ସୁଜିଗ ଦେବନି। ଅନେକ ଅଚିହ୍ନା ଲୋକଙ୍କୁ ତୁ ବୁଝିବୁ ଯଦିଓ ତୁ ଅବୁଝା। ସମସ୍ତଙ୍କ ସହ ସାଲିସ ମାଲିସ୍ କରି ଦିନ ବଞ୍ଚିବୁ। ତୋ ରାଗ, ଋଷା,ମାନ,ଅଭିମାନ ବୁଝିବାକୁ କେହି ରହିବେ ନାହିଁ। ତୁ କେବଳ ବୁଝିବୁ,ଭଲ ପାଇବୁ ସଭିଙ୍କୁ। ତୋତେ ବୁଝିବାକୁ କାହାରି ମାନସିକତା ନଥିବ।

     ମୁଁ ମା କୁ କୁଣ୍ଢାଇ ପକେଇ କହିଲି ତେବେ ଏସବୁ ଜାଣିଲା ପରେ ବି ତୁମେମାନେ ମୋତେ ସେମିତି ଜାଗାକୁ କାହିଁକି ପଠାଉଛ

     ମା ମୋତେ ତା ଛାତିରେ ଜାକି ନେଇ କହିଲା" ମା ରେ ଏଇଟା ହିଁ ସଂସାର ପ୍ରତ୍ୟେକ ଝିଅର ଏ ଜନ୍ମ ଜାତକ।"

     ତେବେ ତ ମୁଁ ଆଦୌ ଯିବିନି ସେମିତି ଜାଗାକୁ ମୁ କହିଲି।

 ଆହୁରି ଜୋରେ ମା ମୋତେ ଭିଡି ନେଇ କହିଲା ଛିଃ ଏମିତି କୁହନ୍ତି ସେଠି ଖାଲି କଣ ଏଇ ବୁଝା ମଣା ଥିବ କି ଧନ। ସେଠି ଗୋଟେ ସଂସାର ଥିବ ତୋ ଅପେକ୍ଷାରେ। ପ୍ରେମ ଥିବ ତୋତେ କୋଳେଇ ନେବାକୁ। ସୃଷ୍ଟି ତୋତେ ଅଧୀରେ ଅନେଇଁ ଥିବ ତୋ ବାଟକୁ। ଖୁସି ତୋତେ ବତାବରଣୀ କରିବାକୁ ଉଦବିଗ୍ନ ହେଉଥିବ। ତୁ କଣ ଏକା। ସବୁ ଝିଅଙ୍କ ଜନ୍ମ ଏପରି ମା। ଖେଳିବେ,ବଢ଼ିବେ ମା ବାପା କୋଳେ;ଗଢିବେ ବଢ଼ିବେ ଆଉ ଗୋଟେ ଘରେ। ଏ ବିଧିର ବିଧାନ। ପ୍ରଥା ପରମ୍ପରା ଓ ସାମାଜିକତା।

    କାଇଁ ଆମେ କଣ ଭାଙ୍ଗି ପାରିବା ନାହିଁ ଏ ପ୍ରଥା ପରମ୍ପରା। ଆମେ କାହିଁକି ବାଧ୍ୟ ହେବୁ ଏପରି ଶଗଡ଼ ଗୁଳାରେ ଚାଲିବାକୁ

    ଦେଖ୍ ମା ଭାଙ୍ଗିବା ନିମିଷେକର କାମ। ଘଢ଼ିବା ପାଇଁ କିନ୍ତୁ ବର୍ଷ ବର୍ଷ ଲାଗିଯାଏ। ପ୍ରଥା ପରମ୍ପରା ଜୀବନ ଓ ସମାଜକୁ ଶୃଙ୍ଖଳିତ କରେ। ବନ୍ଧନ,ସମ୍ପର୍କ ଅଛି ବୋଲି ତ ଜୀବନଟି ସୁନ୍ଦର। ମୋହ ଆସକ୍ତି ନଥିଲେ କିଏ କାହିଁକି କାହା ପାଇଁ କିଛି କରନ୍ତା। ତୁ ଯେଉଁଠିକୁ ଯିବୁ ସେଠି ସବୁ ଠିକ୍ ଠାକ୍ ତୁଲାଇ ପାରିଲେ ତୁ ପ୍ରଶଂସା ପାଇବୁ। ଏଥିପାଇଁ ମାନସିକ ସ୍ଥରରେ ପ୍ରସ୍ତୁତ ହେବାକୁ ପଡେ। ଏଇଟା ହିଁ ଝିଅ ଜନ୍ମର ସତ୍ୟ। ଏଇଟିକୁ ଆମେ ଇଛା ଥାଉ ନ ଥାଉ ମାନିବାକୁ ପଡେ।

    ମୋତେ କିନ୍ତୁ ଗୋଟେ ଆଦେଖା ଭୟ ଜାବୁଡି ଧରିଲା। ଘର ଲୋକଙ୍କ ବ୍ୟବହାର ପୁଣି ଆଦେଖା ଘର ଓ ଅଚିହ୍ନା ଲୋକଙ୍କ କଥା ଭାବି ମୁଁ ସମ୍ପୂର୍ଣ୍ଣ ଭୟଭୀତ ହୋଇଗଲି। ଏଇ ବିବାହ ନାମକ ପରମ୍ପରା ମାନିବାକୁ ମୋ ସ୍ୱୀକୃତି ଦେଉ ନଥିଲା। ମୁଁ ମାଧବୀ,ମେଧା କାହିଁକି ପୁଅ ଘରକୁ ବିବାହ ପରେ ଯିବି ପୁଅ କାହିଁକି ଆସିବେନି ଝିଅ ଘରକୁ। ଅନେକ କାହିଁକି ପ୍ରଶ୍ନ ସହ ମୋର ବିବାହ ହୋଇଗଲା।

    କନକ ଆଞ୍ଜୁଳି ତିନି ଥର ପଛକୁ ଫିଙ୍ଗି ମୁଁ ମୋ ଅଳିଅଳି ବାପଘର,ସାଙ୍ଗ ସାଥୀ ଓ ପଚିଶି ବର୍ଷ ଜୀବନକୁ ପଛରେ ଛାଡି ଆଉ ଏକ ଦେଖା ହାତ ଧରି ବିଦା ହେଲି। ଉଜେଇଁ ଦେଲି କୁଆଁରୀ ଜୀବନ। "ଲୁହ କୋହ"ରେ ବୁଡି ଥିଲି ମୁଁ ଓ ମୋ ପରିବାର। ଆଜିଯାଏ ଯିଏ ମୋର ନିହାତି ନିଜର ଥିଲେ କେହି ମୋ ସାଙ୍ଗରେ ଯିବେନି। ମୁଁ ବିଦା ହେଲି ଏକ ଏକା। ଆଉ ଜଣଙ୍କ ଏରୁଣ୍ଡି ଏପଟେ ଠିଆ ହୋଇ ଯେତେବେଳେ ବନ୍ଦାପନା ହୋଇ ଅନ୍ୟ ଏକ ଘରକୁ ଗୃହ ପ୍ରବେଶ କଲି ସେଦିନର ଭୟ ମୋତେ ସମ୍ପୂର୍ଣ୍ଣ ଏକା କରିଦେଲା। ଏଇଠୁ ଆରମ୍ଭ ହେଲା ମୋ ପ୍ରକୃତ ଜୀବନ। ଗୋଟେ ନୂଆ ଜୀବନର ସକାଳକୁ ଆପେଣେଇ ନେବାକୁ ପ୍ରସ୍ତୁତ କରୁଥିଲି ନିଜକୁ।

 


Rate this content
Log in

Similar oriya story from Classics