Bibhu Samanta

Drama Tragedy

3  

Bibhu Samanta

Drama Tragedy

ଲୁଚକାଳି

ଲୁଚକାଳି

6 mins
133


ଲୁଚକାଳି ଯାହା ହେଉ ! ସବୁ କାମ ଭଲରେ ଭଲରେ ସରିଗଲା। ଆଜି ଡାକ୍ତରଙ୍କ ପାଖରେ ବେଶୀ ଭିଡ଼ ନଥିଲା। ଆଉ ପରୀକ୍ଷା ରିପୋର୍ଟ ବି ଠିକ ସମୟରେ ମିଳିଗଲା। କୋଲକାତା ସହରରେ ଏମିତି ସବୁ ହେଇଯିବା କୋଉ ସହଜ କଥା ଯେ! ଲିନା କହିଲା, "ଭାଇ ଆଜି ରହିଯା କାଲି ଯିବୁ।" ମୁଁ ମନା କଲି, ଫେରିଲେ ମୋର କେତେ କାମ। କାଲି ଗଲେ ଡେରି ହୋଇ ଯିବ। ଯାହା ହେଉ ଯୋଗକୁ କୋରମଣ୍ଡଳ ଏକ୍ସପ୍ରେସରେ ଟିକେଟଟିଏ ମିଳିଗଲା। ଲିନା ମୋତେ ଛାଡିବାକୁ ଆସିଲା ଷ୍ଟେସନ। ଟ୍ରେନରେ ବସେଇ କହିଲା,"ବ୍ୟାଗରେ ଖାଇବା ଦେଇଛି, ଖାଇ ନେବୁ। ବାହାରୁ ଖାଇବୁନି କିଛି। ପାଣି ପିଇବୁ। ଆଉ ଖଡ଼ଗପୁର ପହଞ୍ଚିଲେ ମୋତେ ଫୋନ କରିବୁ।" ଝରକା ପାଖ ସିଟ ଟିଏ ପାଇଥିଲି। ଟ୍ରେନ ଛାଡିବା ସମୟ ହେଲା, ଲିନା କହିଲା,"ରାସ୍ତାରେ ଯଦି କିଛି ହୁଏ ମୋତେ ଫୋନ କରିବୁ। ତୁ ଘରେ ପହଁଚିଲା ଯାଏ ମୋ ଚିନ୍ତା।" ମୁଁ କହିଲି ଜମା ବ୍ୟସ୍ତ ହ ନା, କୋଲକତାରୁ ଯାଜପୁର ରୋଡ କେତେ ଦୂର ଯେ? 5 ଘଣ୍ଟାର ରାସ୍ତା। ସେତିକି ଆୟୁଷ କଣ ନାହିଁ ମୋ ପାଖେ? ଲିନା କହିଲା,"ସେମିତି ହେଲେ ଥାଉ ଯିବା ଦରକାର ନାହିଁ ଏଇଠି ରହ ମୋ ପାଖେ, ଦେହ ଭଲ ହେଲେ ପୁରା ଯିବୁ ଘରକୁ।" ତା ମନକଥା ତା ଆଖି କହୁଥିଲା। ସମୟ ନିଷ୍ଠୁର, ଟ୍ରେନଟି ଛାଡିଲା। ସେ ରହିଗଲା ସେଇଠି। ଝର୍କାରେ ଲଦି ହୋଇ ଯେତେ ଦୂର ସମ୍ଭବ ଦେଖୁଥିଲି ତାକୁ। ସେ ଠିଆ ହୋଇଥିଲା ସେଇଠି, କୋଳାହଳମୟ ପ୍ଲାଟଫୋର୍ମ ଭିତରେ। ଆଉ ମୁଁ ଚାଲିଯାଉଥିଲି ଦୂରକୁ ,ଆହୁରି ଦୂରକୁ। ଟ୍ରେନ ଲାଇନ କଡରେ ବସ୍ତି, ଆଉ ତା ଭିତରେ ଜୀବନ। ସେ ଅସନା ଅପନ୍ତରା ଘରେ ଲୋକ ଟି ସ୍ୱପ୍ନ ଦେଖିପାରେ । ସବୁ ବ୍ୟତିକ ଭିତରେ ଟେ ସମ୍ଭାବନା।ମୋର କଣ ଦରକର ଯେ ଏତେ କଥା ଭାବିବା। ସେ ସବୁ ଅତିକ୍ରମ କରି ମୁଁ ଦେଖୁଛି ଏବେ ସବୁଜ କ୍ଷେତ ଆଉ ଦୂରରୁ ଦିଶୁଥିବା ମନ୍ଦିରର ନେତ। ସତରେ କେତେ ସୁନ୍ଦର ଏଇ ସବୁ। ଯେଉଁଠି ସୃଜନୀ ସେଇଠି ସମର୍ପଣ। ପାଣି ଟିକେ ପି ବ୍ୟାଗ ରୁ ମାଗାଯିନ ଟିଏ ବାହାର କଲି। ଏଯାଏ ମୋ ସାମ୍ନା ସିଟ ଟି ଖାଲି ଥାଏ। ଜୋତା ଖୋଲି ଗୋଡ଼କୁ ଉପରକୁ କରି ଚକା ପରି ବସି ପଡ଼ିଲି ପତ୍ରିକାଟିରେ ମୁହଁ ମାଡି। ଟ୍ରେନ ଚାଲିଥାଏ ଆଉ ଝରକାରୁ ଥଣ୍ଡା ପବନ ମୋତେ ଖୁବ ଭଲ ଲାଗୁଥାଏ। ମୋତେ ଆଉ ମୋ ବହିକୁ ଅସ୍ତବ୍ୟସ୍ତ କରି ପକାଉଥାଏ। ପବନ ବି ଏମିତିକା ସେ ସେତିକି ବେଳେ ତମ ସହ ଖେଳିବ ଯେତେବେଳେ ତମେ ପ୍ରସ୍ତୁତ ନଥିବ। ଆଉ ଯଦି ସେ ରୁସିଯାଏ ତେବେ.... । ସବୁକିଛିରେ ପୂର୍ଣ୍ଣଚ୍ଛେଦ। ଟ୍ରେନ ପହଞ୍ଚିଲା ଖଡ଼ଗପୁର ରେ ବ୍ୟାଗରୁ ଫୋନ କାଢି ଲିନାକୁ କଲ କଲି। ସେ ଉଠେଇଲାନି। ମୁଁ ରଖି ମୁଁ ହଜିଗଲି ପୁଣି ମୋ ଗଳ୍ପ ଭିତରେ। ଟ୍ରେନ ଟି ଏବେ ଭିଡ଼ ପରି ଲାଗିଲା। ସାମ୍ନା ସିଟ ରେ ଏବେ ଜଣେ ସାଲୱାର ପିନ୍ଧା ଯୁବତୀ ବସି ସାରିଥିଲେ। ତାଙ୍କ ଆସିବା ଦ୍ୱାରା ମୋର ଗପ ପଢ଼ାରେ ଟିକେ ବ୍ୟାଘାତ ସୃଷ୍ଟି ହେଲା। ସେ କିନ୍ତୁ ଏଥି ପାଇଁ ବେଶ ସଚେତନ ଥିଲେ। ସେ ନିଜ ଆସନ ଅଳଙ୍କୃତ କରି, ବ୍ୟାଗରୁ ଫୋନ କାଢି କାହାକୁ ଫୋନ କଲେ। ଓ ଅଳ୍ପ ସମୟ ପରେ ରଖିଦେଲେ। ଫୋନ ରଖି ଉପରକୁ ଦେଖିଲା ବେଳେ ତାଙ୍କ ସହ ଆଖି ମିଶିଲା କିଛି କ୍ଷଣ ପାଇଁ। ସେ ସାମାନ୍ୟ ସ୍ମିତହାସ୍ୟ ଟେ ଦେଲେ। ମୁଁ ବି ହସିଦେଇ ନିଜକୁ ହଜେଇ ଦେଲି,ପତ୍ରିକା ଭିତରେ। ଟ୍ରେନ ଛାଡି ସାରିଥିଲା , ମୁଁ ସିଟ ଉପରେ ବହି ରଖି ଟିକେ ବାଥରୁମ ଚାଲିଗଲି। ହାତ ଧୋଇ ଆସି ଦେଖେତ ବହି ଟି ସେ ଯୁବତୀଙ୍କ ହାତରେ। ମତେ ଦେଖି ସାମାନ୍ୟ ହସି କହିଲେ, କ୍ଷମା କରିବେ, ପବନ ରେ ଉଡି ତଳେ ପଡିଯାଇଥିଲା ତ ମୁଁ ଦେଖୁଥିଲି। ଏତିକି କହି ପତ୍ରିକା ଟି ମୋ ହାତକୁ ବଢ଼େଇ ଦେଲେ। ମୁଁ ବି ସହାସ୍ୟ ଧନ୍ୟବାଦ କରି ବହିଟି ନେଲି ଓ ସିଟ ରେ ବସି ପଡ଼ିଲି। ସେ ମତେ ପଚାରିଲେ, କେଉଁଠି କୁ ଯିବେ? ମୁଁ ଟିକେ ଇତସ୍ତତଃ ହୋଇ କହିଲି ,"ଯାଜପୁର ରୋଡ।" ଆପଣ? ସେ ହସି କହିଲେ "ଭଦ୍ରକ"। ସେ କହିଲେ, "ଆପଣ କଣ ଯାଜପୁର ରୋଡରେ ରୁହନ୍ତି?" ମୁଁ କହିଲି ,"ହଁ କେବେକେମିତି।" ଆମ ଘର ଷ୍ଟେସନରୁ 15କିଲୋମିଟର। ଆଶ୍ଚର୍ଯ୍ୟ , ଝିଅଟା କଣ ଏତେ କଥା ପଚାରିଛି ମୋତେ। ଆଉ ମୁଁ ଉତ୍ତର ଦେଇ ଚାଲିଛି। ସେ କହିଲା, "ଆପଣଙ୍କ ଗାଁ ଆମ୍ବ ତୋଟା ଏବେ ସେମିତି ଅଛି। ନା, ବାତ୍ୟା ରେ ଉଜୁଡି ଗଲାଣି।" ମୁଁ ଜାଣିଗଲି ଝିଅଟା ଯେମିତି ହେଲେ ମତେ ଆଉ ମୋ ଗାଁ କୁ ଜାଣେ। ଅଥଚ ମୁଁ ଚିହ୍ନି ପାରୁନି ତାକୁ । ଦ୍ଵନ୍ଦରେ କହିଲି, "ହଁ, କିଛି ଗଛ ନଷ୍ଟ ହେଇ ଯାଇଛି।" ସେ କହିଲା,"ଏବେ ବି ପିଲାଏ ସେଠି ଲୁଚକାଳି ଆଉ ବୋହୁଚୋରି ଖେଳନ୍ତି?" ମୁଁ କହିଲି ,"ମୁଁ ଜାଣିନି।" ସେ ଚଷମା ଖୋଲି ହସି ହସି କହିଲା, "ତମେ ଜାଣିନ ଯଦି କିଏ ଜାଣିଛି, ବିଜୁ ଭାଇ। ମୋ ପାଖେ ଯେତେ ଲୁଚିଲେ ବି ତମେ ଧରାପଡ଼ିଯାଅ। ଚିହ୍ନି ପାରୁନ ନା ଏବେ ମତେ? ମୁଁ କିନ୍ତୁ ତୁମକୁ ଚିହ୍ନି ଦେଲି, ତମ ହସରୁ, ତମ ପତ୍ରିକାରେ ତମ ନାଁ ଲେଖିବା ଶୈଳୀରୁ। ଖୁବ ବଦଳି ଯାଇଛି ନା ମୁଁ। ଏବେ ବି ଜାଣି ପାରୁନ! ଅନୁଜା ଦାସ, ତମ ଅନୁ, ଯାହା ଗପ ତମେ ଏ ଟିକେ ଆଗରୁ ପଢୁଥିଲ!" ମୁଁ ପୁରା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛି ତାକୁ। ତା ଭିତରେ ଖୋଜୁଛି ଆମ ପଡିସା ଘର କୁଳମଣି ଦାଦାଙ୍କ ଫ୍ରକ ପିନ୍ଧା, ରିବନ ବନ୍ଧା ଝିଅକୁ। ହଁ ଚିହ୍ନିବି ବା କେମିତି? ୟା ଭିତରେ ପନ୍ଦର ବର୍ଷ ଚାଲିଗଲାଣି। ଏବେ ସେ ସୁନ୍ଦରୀଟିଏ।ବୟସକୁ ତାଳ ଦେଇ ଆଧୁନିକତାର ଛାପ ତା ବ୍ୟବହାରରେ। କିନ୍ତୁ ମୋ ପାଖେ ସେ ଏବେ ବି ସେମିତି। ମୋ ଖୁସି କହିଲେ ନ ସରେ, ଇଚ୍ଛା ହେଉଥିଲା ପାଖ ଲୋକ ମାନଙ୍କୁ କହିବି ଦେଖ, ମୋ ଅନୁ ଆଜି ମୋ ପାଖେ।ମୁଁ କହିଲି, "ତୁ ସତରେ ଅନୁ! ମୁଁ ବିଶ୍ୱାସ କରିପାରୁନି ଆମର ଦେଖା ହେବ ଆଉ ଏମିତି ଦେଖା ହେବ।" ସେ କହିଲା ,"ହଁ ମୁଁ ତମରି ସେଇ ଫୁଲେଇ ନାକକାନ୍ଦୁରି ଅନୁ। ଯେ ଟିକେ ଟିକେ କଥାରେ ରୁସିଯାଏ ତମ ଉପରେ।" ହଁ... ଆଉ ମୁଁ ତୋ ପଛେ ଧାଇଁଥାଏ, ପିଜୁଳି, ଆମ୍ବ ଆଉ ତେନ୍ତୁଳି ଖଟା ର ଲୋଭ ଦେଖେଇ। ତୋତେ ମନେଇବାକୁ। ପିଲାଦିନ ଗୁଡା ସେମିତି। ଚୁଲବୁଲି ମନୋଇ ଜହ୍ନରାତି ପରି। ଧରିହୁଏନି ଖାଲି ଯାହା । ତମେ କୁହ କୁଆଡେ ଯାଇଥିଲ? କେମିତି ଅଛ, ଆଉ ଦୁଇ ରୁ ୩ ହେଲାଣି ନା ନାଇଁ?" - ତୁ କହ ରହିଗଲୁ କାହିଁ? ଯାହାକୁ ମୁଁ ବହି ରେ ପଢୁଛି ସେ ଆଜି ସାମ୍ନାରେ, ଏମିତି ସୁଯୋଗ କଣ ଛାଡି ହୁଏ? ପିଲାଦିନ ଟା ଫାଯିଲ ମନୁଆ ଦିପହର ଟିଏ। ଯେ ସରିଯାଏ ମା ପଣତରେ ନହେଲେ ସାଙ୍ଗ ମେଳରେ। କୋଲକତାରୁ ଫେରୁଛି ଲିନା ପାଖରୁ। ହଁ ଦୁଇ ତିନି ସବୁ ହେଇଗଲିଣି ମୁଁ। ତୁ କୁଆଡେ ଯାଇଥିଲୁ? - ସେ କହିଲା ମୁଁ ଏଇ ଖଡ଼ଗପୁର ରେ ଗୋଟେ ବ୍ୟାଙ୍କ ରେ ମ୍ୟାନେଜର ଅଛି। ଫାଙ୍କା ସମୟରେ ଗପ ଲେଖେ। ଏବେ ଘରକୁ ଯାଉଛି। ପୁଣି ଫେରିବି ଦୁଇ ଦିନ ପରେ। ଏତିକି ବେଳେ ମୋ ଫୋନଟି ବାଜି ଉଠିଲା, ଲିନାର କଲ ଥିଲା। ସେ କହିଲା, ବ୍ୟାଗର ଉପର ଚେନରେ ଔଷଧ ଅଛି ଖାଇଦେ। ମୁଁ ଦୁଇଟା ଟାଵଲେଟ ଖାଇ ପାଣି ପିଇଲି । ଅନୁ ଦେଖୁଥିଲା ମତେ ଆଶ୍ଚର୍ଯ୍ୟ ହୋଇ। ସେ ପ୍ରଶ୍ନବାଚୀ ଆଖିରେ ମତେ ଦେଖୁଥିଲା। ମୁଁ ହସି କହିଲି, "ଅନୁ ତୋର ମନେ ଅଛି ଆମ ସେ ପିଲାଦିନ ଲୁଚକାଳି ଖେଳ। କହିଲୁ, ଯଦି ଲୁଚିବା ଲୋକଟି ଆଉ ଯଦି ନ ବାହାରେ, ଖେଳ ସରିଲା ଯାଏ କଣ ହୁଏ? ଗୋଟେ ଦୁଷ୍ଟାମୀର ହସ ହସି ସେ କହିଲା କଣ ଆଉ ହୁଏ? ସେ ଯେତେବେଳେ ହେଲେ ବି ଧରା ପଡେ, ତୁମେ ଯେମିତି ଆଜି ଧରା ପଡିଲ। ମୁଁ ଦେଖୁଥିଲି ତା ଖୁସି କୁ। ସେଇ ପୁରୁଣା ଅନୁକୁ ପାଇଛି ମୁଁ। ଯେ ଚୁଲବୁଲି ପ୍ରଜାପତି ଟିଏ। ତାକୁ କଣ କହିଥାନ୍ତି, ମୋ ଦେହ ଖରାପ ର କଥା? ନା, ତା ଖୁସି ଆଗେ ମୋ ଏଇ ଛୋଟ କଥାଟା କିଛି ନୁହେଁ। -ଗାଁ କଥା କୁହ ବିଜୁ ଭାଇ, ମାଧବୀ, ମୁନା, ଆକାଶ ଆଉ ଭିମା ଦାଦା ପୁଅ ସୁଦାମ ଯେମିତି ଅଛନ୍ତି ସବୁ? -ଗାଁ ଏବେ ଢେର ବଦଳି ଯାଇଛି। ଯେ ଯାହା କାମରେ ଲାଗି ଯାଇଛନ୍ତି। ତୁ କହି ଯାଇଥିଲୁ ଫେରିବୁ ବୋଲି , ତୋତେ ଅପେକ୍ଷା କେତେ ମୁଁ ନ କରିଛି। କୋଉଠି ନ ଖୋଜିଛି ତୋତେ। କେତେ ଚିଠି ଲେଖିଛି। ହେଲେ ଉତ୍ତର ପାଇନି। ହଁ ବାପାଙ୍କ ବ୍ୟାଙ୍କ ଚାକିରୀ। ବଦଳି ହେଲା। ଦେହ ତ ସିନା ବୁଲୁଛି। ହେଲେ ମନ ଏବେ ବି ସେଇ ଆମ୍ବ ତୋଟାରେ ଗଛ ପଛେ ରହିି ତମ ଲୁଚକାଳି ଦେଖେ। ଚିଠି ପାଇନି ମୁଁ।  -ତୋର ମନେ ଅଛି? ତୋର ମୋର ସାଙ୍ଗ ହେଇ ଲୁଚିଲା ବେଳେ ତୁ ମତେ ଲୁଚେଇ ଦେଉ ତୋ ପଛପଟେ। ମୁଁ ତୋ ପିଠିରେ ଲାଖିଯାଏ ମୁହଁ ଲୁଚେଇ। ସତ କହୁଛି, ସେତେବେଳେ ଲାଗେ ଏଇଟା ଦୁନିଆର ସବୁଠୁ ନିରାପଦ ଜାଗା। ଏବେ ବି ମନେ ଅଛି ମୋର ତୋ ଦେହର ବାସ୍ନା। - ହଁ ବିଜୁ ଭାଇ ସବୁ ମନେ ଅଛି। ମୁଁ ଚୋର ହେଲେ, ସବୁଠୁ ଆଗ ତୁମକୁ ପାଏ। ତମେ କିନ୍ତୁ ମତେ କେବେ ଖୋଜି ପାଇନ। ପାଇଛ, ସେଇ ମାଧବୀକୁ। ଆଉ ମାଧବୀଟା, ବୋକିଟା ଆମକୁ କେବେ ପାଏନି। ସେ ଜାଣି ପାରେନି ଯେଉଁଠି ତମେ ସେଇଠି ମୁଁ। - ତୁ ଗଲା ପରେ ମତେ ଆଉ କେହି ଲୁଚେଇବାକୁ ନଥିଲେ। ମାଧବୀ ମତେ ପାଇଗଲା। ଆଉ ମାଧବୀ ଦିନେ ଏମିତି ଲୁଚିଗଲା ଯେ ଆଜି ଯାଏ ବାହାରିଲାନି ସେ। - ହଁ ଶୁଣିଛି, ତମ ବାହାଘର କଥା। -ମାଧବୀ ର କଣ ହୋଇଥିଲା? - ଦିନେ ସୋମୁର ସ୍କୁଲ ଯିବା ରାସ୍ତାରେ... ଦୋହଲି ଗଲା ଅନୁ।ବିଜୁ ଭାଇ ଏତେ ସବୁ ହୋଇଗଲା, ଆଉ ମୁଁ କିଛି ଜାଣିପାରିଲିନି। ଆମ ଭିତରେ ଗୋଟେ ଅସହ୍ୟ ନୀରବତା।ବାହାରେ ଅନ୍ଧାର ହୋଇ ଆସୁଥିଲା। ଟ୍ରେନ ଲାଇଟ ଜଳି ସାରିଥିଲା, ଚା ବାଲା ଠୁ ଦୁଇ କପ ଚ ପିଇଲୁ। ସେ ଥିଲା ଅନ୍ୟମନସ୍କ ଆଉ ମୁଁ ପଢ଼ୁଥିଲି ତାକୁ। ତା ଆଖିରୁ। ଏତିକି ବେଳେ ଲିନା ଫୋନ କଲା। ମୁଁ କହିଲି ତାକୁ ଅନୁ କଥା। ସେ କଥା ହେଲା। ଲିନା ତାକୁ କହିଛି ମୋ ଗଳା ଇଂଫେକ୍ସନ କଥା। ତ ଆଖିରେ ଦି ଧାର ଲୁହ। ମୁଁ ତା ହାତ ପାପୁଲିକୁ ଧରି ନେଲି ମୋ ହାତ ପାପୁଲି ଭିତରେ। ଆଉ ସେ ଜୋର ରେ ଚାପି ଧରିଲା ତାକୁ। ଭଦ୍ରକ ଆସୁଥାଏ। ସେ ଉଠି ଠିଆ ହେଲା। ଆଉ କହିଲା , ଲୁଚକାଳି ସରିନି ଏ ଯାଏ ବିଜୁ ଭାଇ। ଆଉ ଚାଲି ଯାଇ ଠିଆ ହେଲା ଡୋର ପାଖେ। ସେ ଓହ୍ଲେଇଗଲା। ମୁଁ ତା ସହିତ କଟିଥିବା ସମୟ ସବୁକୁ ସାଉଁଟି ଚାଲି ଆସିଲି ଘରକୁ। ଦିନେ ଲିନା ସାଙ୍ଗେ ଫୋନ ରେ ଛାତ ଉପରେ କଥା ହେଲା ବେଳେ ସୋମୁ ଆସି କହିଲା, "ପାପା ତମେ ଏଇଠି! ଏଇ ଆଣ୍ଟି ତମକୁ କେତେବେଳୁ ଅପେକ୍ଷା କରିଛନ୍ତି। ମୁଁ କେତେ ଖୋଜିଲିଣି ତମକୁ ଘର ସାରା। ଶେଷରେ ସେ କହିଲେ," ତୋ ପାପା, ଛାତ ଉପରେ ଥିବେ, ଚାଲ ଆମେ ତାଙ୍କୁ ସେଇଠି ଖୋଜିବା। ସେ ପାଇଗଲେ ତମକୁ।" ମୁଁ ଦେଖିଲି ତା ପଛରେ ଅନୁ ଠିଆ ହୋଇ ହସୁଛି, ଲୁଚକାଳି ଖେଳରେ ମତେ ପାଇଗଲା ପରି। ଆଉ ମୁଁ ଲୁଚି ଯାଉଥିଲି ତା ଆଖି ଭିତରେ ବାଦଲ କୋଳରେ ସୂର୍ଯ୍ୟ ପରି। ସୋମୁ କହୁଥିଲା, "ଜାଣିଛ ପାପା, ଆଣ୍ଟି କହୁଥିଲେ ଆମ ସାଙ୍ଗେ ରହିବେ। ସେ ମୋତେ ଗପ କହିବେ ସବୁଦିନ। ଆଉ ମୋ ସାଙ୍ଗେ ଖେଳିବେ। " ମୁଁ ଦେଖୁଥିଲି ଅନୁକୁ, ସେ ସ୍ନେହରେ ପୁଅକୁ ଗେଲ କରୁଥିଲା। ସୋମୁ ତାକୁ କହୁଥିଲା, "ଆଣ୍ଟି ମୋ ସାଙ୍ଗେ ଲୁଚକାଳି ଖେଳିବ? ।।ବିଭୁ।।


Rate this content
Log in

Similar oriya story from Drama