Lopamudra Parida

Drama Action Inspirational

3  

Lopamudra Parida

Drama Action Inspirational

ଲଜେନ୍ସ

ଲଜେନ୍ସ

8 mins
243



ମୁଁ ପୁରୀରୁ ଆସି ଗାଁ ଠି ପହଞ୍ଚି ଆମ ଉଚ୍ଚ ପଥର ପିଣ୍ଢା ଉଠୁଛି ସହସ୍ରଫଣା ସର୍ପ ପରି ଫଁ ଫଁ ଫୁତ୍କାର ଶୁଣି ଅଟକିଗଲି ।


'ଘୋର କଳିକାଳ ଘୋର କଳିକାଳ ।ଆଜି କାଲି ହୋ ଭଲ କହିଲେ ମନ୍ଦ ।କହିବ କାଇଁ ପଛକୁ ମୁହଁ ମୋଡା ସହିବ କାଇଁ ।ଆଲୋ ସଖି ଆପଣା ମହତ୍ତ ଆପେ ରଖି ।ଜାଣିଲ ଟି ।ଘୋଡସବାର ହେଇ କାଳେ ଶଙ୍ଖମହୁରୀ ବଜେଇ ଦାଣ୍ଡ ଦୁଲୁକେଇ ଉଆସକୁ ଘେନିଯିବେ , ରାଜରାଣୀ କରି ପୋଇଲି ଖଞେଇ ରଖିବେ ଗୋ ,.... ଦୋଅଣାକର ମୁହଁ ନୁହେଁ ଦଶଭରିକୁ ମନ ଗୋ ।ରଖିଥ ରଖିଥ ।ଝିଅ ଘିଅ ,ବାସିବ ମହମହ ।ତେଣିକି ବୁଦ୍ଧି ପଶିବନିକି ,ତହୁଁ ମତେ ଖୋଜାପଡିବନିକି ... ତମର ସବୁଦିନକୁ ମୋର ଦିନେ ,ଶହେ ସୁନାରୀର ହେଲେ ମୁଁ ବି କମାର ।"


ଏମନ୍ତ ବଚନ ଉଦ୍ଗାରି ନୀରମା ' ଆମ ଦାଣ୍ଡରୁ ଆମ ବାରିପଟ ଦେଇ ତାଙ୍କ ବାରିପଟକୁ ବେହାଲ ହେଲା ଘଟୋତ୍କଚ ଗାର୍ଜନ ସମ ।


ବାପା କପାଳରେ ହାତ ଦେଇ ବସିଲେ ଆଉ ବୋଉ ମୁହଁ ଶୁଖେଇ ।ମତେ ଆସିବା ଦେଖି ମୋ ସାନଭଉଣୀ ଦଉଡି ଆସି ମୋ ପାଖରେ ଅଳି କଲା ପରି କାନ୍ଦକାନ୍ଦ ହୋଇ କହିଲା, ଭାଇ ଦେଖିଲୁ ସେ ବୁଢୀ କେମିତି ସମ୍ପି ହଉଛି । "


ମୁଁ ତାକୁ ବୋଉ ପାଖକୁ ଡେରୀ ଦେଇ ବାପାଙ୍କ ପାଖରେ ବସିଲି ।ବାପା ମୋ ମୁହଁକୁ ସଳଖେଇ ଚାହିଁ କହିଲେ, ' ଆଠ ଦିନ ସମୟ ଦେଲି, ଭଉଣୀ ପାଇଁ ଯୋଗ୍ୟ ବର ଖୋଜି ଆଜକୁ ପନ୍ଦର ଦିନେ କନ୍ଯାଦାନ କର । ..... ..... ।" ମୁଁ ବୋଉ ମୁହଁକୁ ଚାହିଁଲି ଯେଉଁଠି ଅଭୟର ଭାଷା ଅସଂଖ୍ୟ ବାହୁ ପ୍ରସାରିତ କରି ଆଶ୍ବସ୍ତ କରେ ,ସେ ଖାଲି ମୁଣ୍ଡ ଟୁଙ୍ଗାରିଲା ।


ମତେ ରୋଷଚାଳିଆ ତଳୁକୁ ଡାକିନେଇ କହିଲା," ସେ ବୁଢୀ ଝୁନୀକୁ ଗୋଟେ ସପ୍ତମ ଫେଲେ କେମ୍ପା ସାଙ୍ଗେ ଖଞ୍ଜି ଯତିପାତ ପକଉଥିଲା ।କହିଲା କଣ ନା ଆଗପଟ ଆଜବେଷ୍ଟସ ଘର ଆଉ ଦି ହଳ ବଳଦ ଅଛନ୍ତି ତାର ,ପୁରୁଣା ଖାନଦାନିଆ ଘର ଆଉ କଣ ଖୋଜାଲୋଡା ତମର ।ପୁରୁଷପିଲାଠି ଖୁଣା ଦେଖୁଛ ? ସେଇଠୁ ବାପା ଫିଡିକିଛନ୍ତି ।ତୁ ପୁରୀରେ ମାମୁଁ ପାଖକୁ ଯା ,ତାକୁ ଏଇଟା ଦବୁ ,ସିଏ ସବୁ ବୁଝିବ ।"


ମୁଁ ଝୁନୀ ପାଖକୁ ଯାଇ କହିଲି, ବାପା କଣ କହନ୍ତି ମନେଥିବ ତୋର 

ଜନ୍ମ ହେବ ଯଥାକଥା 

କର୍ମ ଥିବ ଭଲ 

କର୍ମ ଯଦି ବାଟ ହୁଡିଲା 

ଜୀଁ ଥାଉ ଥାଉ ମଲ ।।

ତୁ ବ୍ଯସ୍ତ ହନି ,ସବୁ ଠିକ୍ ହବ ।

ଆରେ କାକର ସାଉଁଟି ଘଡି ପୁରେଇଲେ ବି ଶୁଦ୍ଧଜଳ ହି ଭରିବ ।ବିଷବିନ୍ଦୁ ତ ହେବନି ନା ।ରଃ ତୁ ଦେଖ ତୋ ଭାଇ କଣ କରୁଛି ।ପାଞ୍ଚ ଖଣ୍ଡି ଗାଁ ଭସେଇ ମାଛଭୋଜି ଦେବି ର ।


କହିସିନା ଦେଲି ବଡ ଟାଣରେ, ଯୋଗାଡିବି କାହୁଁ ।ସମୟ ଚକରେ ମଣିଷ ଗାଈ ।ବାହାରିଗଲି ସେଇ ଉଚ୍ଚ ପିଣ୍ଢା ର ପଥର ପାହାଚ ଓଲ୍ହେଇ ।ବାଟରେ ସୁମନ୍ତ ଦେଖାହେଲା, ତା ' ସହ କଥା ହେଇ ଜାଣିଲି ପାଖ ରୁଆପଡା ଗାଁ ବଡ ପୋଖରୀରେ କିଏ ମାଛ ଜାଆଁଳ ଚାଷ କରିଥିଲେ, ସେଠି ଏବେ ପ୍ରଚୁର ମାଛ ।ସିଏ ନିଲାମ ଡାକିଛନ୍ତି ।ସୁମନ୍ତକୁ ଆଗୁଆ ନିଲାମ ଧରିନେଇ ପଇଠ ପାଇଁ କିଛି ଟଙ୍କା ଧରେଇ ବାହାରିଗଲି ।ସେ ପଛରୁ ଦଉଡି ଆସି ତା ଚିରୁଣୀରେ ମୁଣ୍ଡରେ ବଳିଥିବ ଦି'ପୁଳା ପରଚୁଳିଆ କେଶକୁ ସାଉଁଳୁ ସାଉଁଳୁ ଦାନ୍ତ ନିକୁଟିଲା ଆଉ ଖଡିକାରେ ଖୋଳିଲା ।ମୁଁ ଆଉ ଅଧିକାକି ପାଆଁଶ ଗେଞିଲି ଆଉ କହିଲି ,କାମ ବଢୁ ।


ଯେତେ ତମେ ଏ ସବୁ କରିବନି ରୋକିହବ, ଏମାନେ ସେତେ ନାଟ ଭିଆଇବେ ।


ସେ ଯାହା ହେଉ ଆଠ ଦିନେ ଇଂଜିନିୟର ପୁଅବାଲା ଠିକଣା ହେଇ ଦଶଦିନେ ଝିଅ ଦେଖା ସାରି ମୁଦିପିନ୍ଧେଇ ଗଲେ ।ସଜମଗନ, ସଜବାହା ଉଠିଲା ।ବାପା ମୁଣ୍ଡ ଟେକି ଦୁଇହାତ ପଛକୁ ଛନ୍ଦି ଛାତିଫୁଲେଇ ଧଳାଧୋତିରେ ମୁରବୀପଣିଆଟିରେ ଦମ୍ଭ ଭରି ଠାଣି ବଦଳେଇ ଚାଲିଲେ ।ବୋଉ ମଙ୍ଗଳାଙ୍କୁ ମଜଣା ବାଢିଲା ।ସୁନାନାକୀ ଝୁନୀର ନାକ ଅଗ ପଳାସ ପରି ଲଜ୍ଜାରୁଣା ରଙ୍ଗରେ ଝଲସିଲା ।ସେ କସ୍ତୁରୀମୃଗ ପ୍ରାୟ ଆପଣାଗନ୍ଧେ ପୁଲକିତ ହୋଇ ହଜିଥିଲା ନୂଆ ଅଭିଜ୍ଞତାକୁ ଆପଣେଇବାକୁ ।


ଭୋଜିଦିନ ସକାଳପହରୁ ନିଲାମଧରା ପୋଖରୀର ମାଛତକ ଧରା ହେଇ ଆମ ଅଗଣାରେ ଠୁ ହେବାକଥା ଆଉ କେଳିଆ କେଳେଇ ହେଇ ଛଣା ହେବା କଥା ।ହେଲେ ସୁମନ୍ତ ଟା କାହିଁକି ଏ ଯାଏ ଦେଖାନାହିଁ? କାଲି ରାତିରେ କହୁଥିଲା ଭୋରୁ ଯିବା ସାଙ୍ଗ ହୋଇ ବୋଲି । ଦାଣ୍ଡ ରେ ମୁଁ ପଇଁତରା ମାରୁଛି ତା 'ଅପେକ୍ଷା ରେ ।ଛ 'ବାଜିବ, ଗଲାକୁଆଡେ । ଧାଇଁ ଆସିଲା ସାଇକେଲ ମାରି,ଧଇଁ ପେଲୁଥାଏ ।ଆରେ କଥା କ'ଣ ? କ'ଣ ହେଇଛି? ଦଣ୍ଡେ ପବନ ଟାଣି କହିଲା, ଦେବଭାଇ ସବୁ ଯାକ ମାଛ କେମିତି କେଜାଣି ରାତାରାତି ଗେଣ୍ଡା ପାଲଟିଛନ୍ତି ରେ ।କିଛି ବୁଝିହଉନି ।କ'ଣ କରିବା ଇଲେ? "


ମୋ କାନ ଝାଇଁ ମାରିଗଲା ।ବାପାଙ୍କ ସସମ୍ମାନ ଭରା ନାକଟି କଥା ଭାବି ଚିନ୍ତାଶୂନ୍ଯ ପରି ଭାଁ ଭାଁ ଲାଗିଲା ।ସିଏ ଏବେ ଶୁଣିଲେ ଆକାଶର ଅସୀମତା ଭିତରୁ ତଳେ ଆସି କଚଡା ଖାଇବା ଭଳି ଅନୁଭୁତ କରିବେ ।ପକ୍କା ।ବାହାଘର ବେଳେ ବାଇଗଣ କାହୁଁ ରୁଆ ହେଇ ପାରିବ ଭଲା?

ବାପା ଙ୍କ କାନକୁ କଥା ଯିବା ଆଗରୁ ମାମୁଁଙ୍କର ଉପସ୍ଥିତ ବୁଦ୍ଧି ଓ ସହରରେ ଥିବା ଚିହ୍ନା ଭାଇ ମାନଙ୍କ ଅକୁଣ୍ଠ ସହଯୋଗେ ପୁରୀରୁ ମାଛଚୁଙ୍ଗୁଡି ବୁହା ହେଇ ଆସିଲେ ଆଉ ଭୋଜି କାମ ବି ସୁରୁଖୁରେ ବଢିଲା ।ମନକୁ କୁହନ୍ତି ମା' ପରି ମାମୁଁ ବୋଲି! 

ଝିଅ ବିଦା ସରିଲା ।ଛାଇ ଆସୁଥିବା ବିଷର୍ଣ୍ଣଭାବ କୁ ରେଜେଇ ପୁରେଇ ଛାତି ଟାଣି କରି ତାକୁ ଗାଡିରେ ବସେଇଲି ।ବାପାଙ୍କ ହାତକୁ ଜାବୁଡି ଧରିଲି, ନହେଲେ ବୋଧେ ଚଟ୍କି ଯାଇ ପଡିଥାନ୍ତେ ତଳେ ।ଏଇଠି ଦେଖିଲି ବୋଉ ମାନେ ବାପାଙ୍କଠୁ ଦମ୍ଭ, ଟାଣପଣ ଭିତରୁ ତାର ।


ମୋ ମନ କିନ୍ତୁ ଲାଗିଲା ।ହେଲା କଣ ,ରାତାରାତି ମାଛ ସବୁ ଗେଣ୍ଡା କେମିତି ହେଇଗଲେ?ବିପରୀତ ରିତି ବିଧାତା କେମନ୍ତ ବିହିଲା?ସାଇକେଲ ମାରି ରୁଆରେ ମାଛଚାଷୀମାଲିକ ଘରେ ପହଞ୍ଚିଲି ସତ ଜାଣିବାକୁ ।ସିଏ ମତେ ଦେଖି ଅପରାଧ କଲା ପରି ଦୋଷ ମୁଣ୍ଡେଇ ଠିଆ ହେଲା ଆଉ ମୋ ହାତକୁ ବଇନିବିଡା ଟା ବଢେଇଲା ।କହିଲା, କଣ ହେଲା ଭାଇ ମୁଁ ତ ବୁଡିଗଲି ।କାହାର ତ ଦିନେ ମନ୍ଦ ଚିନ୍ତିନି, କିଏ କାଇଁ ମୋଠି ଓଷଧ କରି ଦାଉସାଧିଲା ଜଣାନାହିଁ ।ମାଛ ହାଉଯାଉ ଦେଇ କା'ମନତଳେ ନିଆଁ ଫୁଟିଲା କିଏ ଜାଣେ?

ମଣିଷ ହାଇ 

ଗଛର ଛାଇ ।।କେହି ଉଧେଇବେନି ପରା ।ହଜାରେ ବାରଶ କମ ଅଛି ,ସୁବିଧା କରି ଦେଇଦେବି ।


ମୋ ପାଖରେ କହିବାକୁ କିଛି ନଥିଲା ।ବୁଡିଗଲା ଲୋକକୁ କୁଟାଖିଅ ସାହା ।ଖାଲି କହିଲି ହଉ ଛାଡ ଆଉ ଦବା ଦରକାର ନାହିଁ ।ଫେରିଆସିଲି ।


ବାଟ ଯାକ ଭାବି ଭାବି ଗାଁ ମୁଣ୍ଡରେ ହେଇଛି ଶିବୁନା ଦେଖାହେଲା ।ନୀରମା' ର ସାନ ପୁଅ ।କହିଲା, କଣ ଦେବଭାଇ ଭଲରେ ଭଲରେ ତୁଟେଇଦେଲ ତାହେଲେ ଭଉଣୀ କାମଟା ।


ତା କହିବା ଶୈଳୀ ଆଉ ମୁହଁ ର ଢଙ୍ଗ ଟି ମତେ କାଇଁ ଅବାଗିଆ ଲାଗିଲା ।ଆଉ ବେଶୀ କିଛି ଖୋଳତାଡ କରିବା ଆଗରୁ ମୋ ଦପ୍ତର ରୁ ନୋଟିସ୍ କାଗଜ ଡକରାରେ ମତେ ଯିବାକୁ ହେଲା ଚାକିରି ଯାଗାକୁ ।ଚିଠିପତ୍ର ଆନୁଗତ୍ଯ ରୁ ଘରେ ଓ ଭଉଣୀ ଘରେ ସବୁ କୁଶଳମଙ୍ଗଳ ବୋଲି ପୁଛ୍ଛା କରୁଥିଲି ଯାହା ।


ବାପା ଦିନେ ଆସିଥାନ୍ତି ମୋ ରହିବା ବସାକୁ ।ଗାଁ ଖବର ଗପସପବେଳେ ଜାଣିଲି ଗାଁ ରେ କଣ ଗୋଟେ ଅଡୁଆ ହଉଛି ଦିନୁଦିନ ।କାହାର ଫଳନ୍ତି ବିଲ ଶୁଖି ଠ ମାରୁଛି, ତ କାହାର ଦୁହାଁଳିଆ ଗାଇଟା ଚିର ଶୁଖେଇ ଲୁହ ଝରଉଛି ,କାହାର ଛନଛନ ଗଛ ସବୁ ବାନ୍ଝେଇ ଗଲେଣି ।ଲୋକ ସବୁ କୁହାକୁହି ହେଲେଣି କି କିଏ ଗୋଟେ ବେତାଳ ସାଧୁଛି ।କୋଚିଲାଖାଇ ଙ୍କୁ ଜାଗୁଳେଇଙ୍କୁ ବି କାଳେ ଶୂନ୍ୟରସିରେ ବନ୍ଧନ କରିଦେଇଛି ଯେ ଆଉ ଠାକୁରାଣୀ ଆଲୁଅ ସଂଜକୁ ବୁଲୁନି ।ଝୁଣା ଅଗୁରୁ ବାସୁନି ।ମଣିଷ ସବୁ ମେଣ୍ଢା ପରି ଆଢି ପାତି ଲଢିଯାଉଛନ୍ତି, ରକ୍ତମୁଖା ହଉଛନ୍ତି ।ଇଏ ସବୁ କାଳେ ମନ୍ତୁରାତନ୍ତୁରା କଣ ସବୁର କାରାମାତି ।ଗାଁ ଲୋକଙ୍କ ସନ୍ଦେହ ଘେରରେ ନୀରମା ଆଉ ତା ପୁଅ ଶିବୁ ।କିଏ କିଏ ତାକୁ ଦୁଆର ମୁଜି ଗାରୁଡି କରିବାର ପ୍ରତ୍ୟକ୍ଷ କରିଛନ୍ତି କହୁଛନ୍ତି ।କିଏ କିଏ ତାରି ଭରସାରେ ତାରି ଦୁଆରେ ନିଜ ନିଜର ସମସ୍ଯା ହେଇ ଅଧିଆ ପଡୁଛନ୍ତି ।


ଏ ସବୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲା ।କି ଆଜିକାଲି ସମୟ ରେ ବି ଲୋକେ ଏ ସବୁ ବିଶ୍ବାସ କରନ୍ତି ଏବଂ କରେଇବାକୁ ବି ଯାନ୍ତି ।ମୁଁ ଏକଥା କହୁନି ଯେ ଏ ସବୁ ମିଛ ବା ୟାର କୌଣସି ପ୍ରଭାବ ନାହିଁ । କିନ୍ତୁ ପ୍ରଶ୍ନ ହେଲା କାହିଁକି ଏ ସବୁ ?


ଗୋଟେ ରବିବାର ଗାଁ ରେ ଥାଏ ।ନୀରୁ ସହ ଦେଖା ହେଲା ।ତା' କୋଳରେ ତିନି ଚାରି ବରଷର ଗୁଲୁଗୁଲିଆ ପୁଅଟିଏ ।ମତେ ଦେଖି ଖୁସି ହେଇ କହିଲା, ହେଇ ସହରୀମାମୁଁ କୁ ଜୁହାର ହ ।ମୁଁ ମୋ ସାଟ ପକେଟରୁ ଲଜେନ୍ସ ଟେ କାଢି ତା କୁନିପାପୁଲିରେ ଥାମିଦେଲି ଯୋଉଟା ଖୁଚୁରା ନଥିଲା ବୋଲି ବସବାଲା ମୋ ହାତରେ ଥାପିଥିଲା ।

ପିଲାଟି ତା କୋଳରୁ ଓହ୍ଲାଇ ପଡି ବହେ ଡେଇଁ ନାଚି ଗଲା ମୋ ଚାରିପଟେ । ତା ପରେ ଦି ଗୋଡ ଆଗପଛ ଡିଏଁଇ ଡିଏଁଇ ଢିପ ଢାଲ ଅତିକ୍ରମ କରି ଉଡିଚାଲିଲା ,ଯେମିତି ସିଏ ପବନକୁ ଗୁଡି କରି ଡେଣାରେ ବାନ୍ଧିଛି ।ତା ପଛେ ପଛେ ନୀରୁ 'ମୁଁ ଆସେ ଭାଇ, ଚଗଲାଟା ବା ।ପଡିଯିବ କୋଉଠି ପୁଣି ବୋବେଇବ ।' କହି ଆଗେଇଗଲା ।ତାଙ୍କୁ ଦୁହିଁଙ୍କୁ ବାଟେଇଦେଇ ,ମୁଁ କିଛି ସମୟ ପାଇଁ ଆଛ୍ଛନ୍ନ ରହିଲି ଶିଶୁଟିର ଚପଳମତି ଓ ସୁକୋମଳ ଆଚରଣ ନେଇ ।ତା ପ୍ରତି ଏକ ଦୁରନ୍ତ ଆକର୍ଷଣ କେଜାଣି କେମିତି ଅଦୃଶ୍ୟ ରେ ତିଆରି ହେଇଗଲା ।ଗୋଟେ ଖୁସି ର ଅଭିବ୍ଯକ୍ତି ପରି ମୁହଁ ଟି ତାର ।ମୋର ଦୁଇଚାରିଦିନ ରହଣୀ ଭିତରେ ତା ସହ ଭେଟଟି ଅକସ୍ମାତ୍ ନ ଥିଲା, ଥିଲା ଯେମିତି ବିଧି ନିର୍ଦିଷ୍ଟ ।ଧିରେ ଧିରେ ଭାରି ଭଲ ଲାଗିଆସୁଥିଲା ସେ ।ଫେରିବା ଦିନ ତା ହାତ ମୁଠାରେ ଆଉ ପ୍ଯାଣ୍ଟ ସାଟ ପକେଟସବୁରେ ଯେତେ ଜାଗା ହବ ସେତେଟା ଲଜେନ୍ସ ପୁରେଇ ତା ଠୁ ଗୋଟେ ମିଠା ଗେଲା ନେଇ ବିଦାୟ ନେଲି ।ପୁଣି ଦେଖା ହବ ଆଉ ତା ପାଇଁ ଆହୁରି ଲଜେନ୍ସ ର ପ୍ରତିଶ୍ରୁତି ସେ ନିଜ ଆଡୁ ଟାଣ କରି ମାଗିନେଲା ।


ମୁଁ ଏଥର ହରେକପ୍ରକାର ଲଜେନ୍ସ ପକେଟରେ ରଖୁଥିଲି ।ଖଟା,ମିଠା, ଲୁଣିରାଗ, କମଳାମିଠେଇ, କଳାଲୁଣପକା ମିଠେଇ, ଚୁରଣମିଠେଇ, ଓଠଲାଲିକରା ମିଠେଇ ସବୁ ।ଯା ଖୋଜିବ ତାହା ।ଆଠ ଦିନ ଯାଇନି ପୁଣି ଗାଁ କୁ ଗଲି ।ବୋଉ ବ୍ଯସ୍ତ ହେଲା ଦେହ ପା ନେଇ ,ଯେତେବେଳେ ଜାଣିଲା ମୁଁ ସେ କୁନି ମୁହଁଟିର ମାୟାରେ ଟାଣିହେଇ ଆସିଛି ବହେ ଚିଡିଲା ।କହିଲା," ପର ପିଲାକୁ ଏତେ ମୋହ କ'ଣ ରେ ?ସେମିତି ବି ତାଙ୍କର ଆମର ଅପଡ ସେଇ କଥା ଦିନୁ ତୁ କଣ ଜାଣିନୁ? ବାପା ଜାଣିଲେ ଏଇନେ ମହାଭାରତ ।"


ଆରେ ପିଲାଙ୍କର କଣ ଅଛି ତମ ଅପଡ ସପଡରୁ, ହଉ ମୁଁ ଆସେ ଦାଣ୍ଡ ଆଡୁ ।କହି ବାହାରି ଯାଉଥିଲି, ବୋଉ କହିଲା ଆଉଟିକାକେରେ ସଂଜ ବୁଡିବ, ଏ ଗାଁ ରେ ଏଇନା ବେଳକାଳ ଯା ହେଲାଣି ।ଯା ନା ସେ ଝାମେଲାକୁ ।


ମୁଁ ହସିଦେଇ ବାହାରିଗଲି ।ପୁନେଇଁ ଜହ୍ନ ହସିବେ ହସିବେ ବୋଲି ଘଡିମାରି ଉଁଇବେ ।ତା ଆଗରୁ ମୁଁ ଆସିଯିବି ।


ସୁମନ୍ତ, ହରି ଆଉ ମୁକୁନ୍ଦ ଦେଖାହେଲେ ।କହିଲେ ଚାଲ୍ ବନ୍ଧରେ ବସିବା ।ସହରୀଗପ ତୁ କହିବୁ ଆମେ ଶୁଣିବା ।ସାଇକେଲ ତେଣିକି ଗଡିଲା ।ଏକାଠି ବସି ମଉଜ କରୁଛୁ, ଟିକେ ବାହାରୁ ଆସେ କହି ମୁଁ ଉଠିଆସିଲି ।ଏକା ଚାଲି ଚାଲି ମଶାଣିପଦା ପଟକୁ ଯାଉଛି ପଛରୁ ମୁକୁନ୍ଦ କହିଲା, ହେ ଆଉ ସେଣିକି ଜା ନି ।


ଅଟକି ଗଲି ।ନଈର ଆଉ ପବନର ମିଶି ଶୀତଳ ତରଙ୍ଗାୟିତ ସମୀର ତିଆରିଥିଲେ ।ମୁଁ ଭାବୁଥିଲି ଆଜି ଦିନଯାକ ସେ କୁନିଟା ସାଙ୍ଗେ ଦେଖାହେଇନି ।ପିଲାଟିର ସ୍ମୃତି ବାରମ୍ବାର ପ୍ରତିଫଳିତ ହେଉଥିଲା ।ତା ନିରୀହ ଆଖି ଦୋଟି ଦିଶିଯାଉଥିଲା ।ମଣିଷ ମନ ତଳେ ଏମିତି ଏକ ଗହନ ସତ୍ତା ଲୁଚିଥାଏ ଯାହାର ସାନିଧ୍ଯ ତୁମକୁ ଦୋହଲାଇଦେଇପାରେ ।କେତେ ବେଳେ କିଏ କେଉଁ କାରଣେ ମନରେ ରହିଯାଏ ତାର କୌଣସି ନିର୍ଦ୍ଦିଷ୍ଟ କାରଣ ଅବା କିଏ ଦବ !


ହଠାତ୍ ବୁଦା ମୂଳେ କିଛି ଗୋଟେ ଦିଶିଲା ।କଅଁଳ ହରିଣ ର କାନପରି ଗୋଲାପି ଓ କୋମଳ ।ସାଙ୍ଗ ଦିହିଁଙ୍କି ଡକା ପକେଇଲି ।ସମସ୍ତେ ମିଶି କିଆ ବୁଦାଟା ତଳକୁ ଓଲ୍ହାଇଯାଇ ଯାହା ଦେଖିଲୁ ତା ପରେ ଶବ୍ଦ ସ୍ପୁରିବା ଭୁଲିଗଲେ ସଭିଁଙ୍କ ଓଠରୁ ।ଖାଲି ଉହାଡରୁ ତାକୁ କୋଳେଇଆଣି ନାକ ଆଗରେ ହାତ ବୁଲେଇ ଟିକି ଛାତିରେ କାନ ପାରି ନିଜ ନିଜ ଭିତରେ ମୁହଁ ଚୁହାଁ ଚୁହିଁ ହେଇ ସେଠୁ ତାକୁ ନେଇ ଖସିଆସିଲୁ ।ମୁକୁନ୍ଦ ଘର ଗାଁ ଶେଷ ମୁଣ୍ଡ କୁ ହେଇଥିବାରୁ ଆଉ ଆଗେ ପଡିବାରୁ ସେଇଠିକି ନେଇ ତା ମୁହଁ ରେ ପାଣି ସିଞି ହାତପାଦ ଘସିଲୁ । କେତେ ବାଗ ପରେ ସେ ସିଏ ସାଷ୍ଠାମ ହେଲା ପରି ହାତ ଗୋଡ ହଲେଇଲାରୁ ଜୀବନ ପଶିଲା ।ଆଖି ମଳି ମଳି ଚାହିଁଲା ଚାରି ପଟକୁ । ମତେ ଦେଖି ତା ଆଖି ରେ ଚମକଟିଏ ହସିଲା ।ଆମେ ତାକୁ ଉଷୁମ ଖିର ଟିକେ ପିଏଇଲୁ ।ସେ ଆରାମରେ ବସିଲା ।


ବାହାରେ ହୋହାଲ୍ଲା ଶୁଣି ମୁକୁନ୍ଦ ଆଉ ସୁମନ୍ତ ବାହାରିଗଲେ ଦାଣ୍ଡ କୁ ।ମୁଁ ତା ପାଖରେ ଜଗି ବସିଲି ।ସେ ମତେ ମିଠେଇଟେ ବଢେଇ କହିଲା ଖାଇବୁ? ମିଠେଇ, ମାମୁଁ ଦେଇଚି ।


ସେମାନେ ଫେରିଆସି କହିଲେ, ନୀରୁ ତା ପୁଅକୁ ସକାଳୁ ଖୋଜୁଛି ।ପାଉନି ବୋଲି ରଡି ପକେଇ କାନ୍ଦୁଛି ।ତା ଭାଇ ଶିବୁ ଦାଣ୍ଡ ଫଟଉଛି, କହୁଛି ମନ୍ତ୍ରଶକ୍ତି ବଳରେ ଜାଳିପୋଡି ଦବ,ଛାରଖାର କରିଦବ ଯିଏ ଚୋରେଇଛି ତାଙ୍କ ପୁଅକୁ ।ଆଉ ନୀରୁ ଓଲଟା ତାକୁ ସମ୍ପୁଛି କହୁଛି, ତୁ ନେଇଛୁ ତୁ ।ଆଜି ପୁନେଇ ।ତୁ ଖୋଜୁଥିଲୁ କଅଁଳ ପିଲାଟେ ।କାହିଁକି କହ ?କହ ?


ବାହାରେ ତାଣ୍ଡବ ବଢୁଥିଲା ।ମୁଁ ପୁଅଟିକୁ କାଖେଇ ବାହାରିଗଲି ।ମୋ କୋଳରେ ପୁଅକୁ ଦେଖି ସମସ୍ତେ ଥପ୍ ହେଇଗଲେ ।ନୀରୁ ବାୟାଣୀ ପରି ଦଉଡି ଆସି କୋଳେଇ ନେଇଗେଲ କରି ପକେଇଲା ଆଉ ମତେ ସନ୍ଦେହ ଦୃଷ୍ଟିରେ ଘୃଣା ମୁଠେ ମିଶେଇ ଫିଙ୍ଗିଲା ।


ତା ପୁଅକୁ ପଚାରିଲା କୁଆଡେ ଯାଇଥିଲୁ ଲ ଧନ ? ସେ ତା ଦରୋଟି କଥା ନେଇ ଈଶ୍ବର ବାଣୀ ଶୁଣେଇଲା ।ପକେଟରୁ କାଢିଲା ଗୋଟେ ଲଜେନ୍ସ ଆଉ କହିଲା ଶିବୁମାମୁଁ କହିଲା,ଏଇଟା ଖାଇଲେ ବଢିଆ ଲାଗିବ ଆଉ ନଈକୂଳ ଦେଖେଇନେବି ।ମତେ ବସେଇ କହିଲା ତୁ ବସିଥା ମୁଁ ଏଇ ଗଲି ଆଉ ଆସିଲି ।ମିଠେଇ ଖାଉଥା ।ମୁଁ ଯେମିତି ଖାଇଲି ମତେ ନିଦ ଲାଗିଲା ମୁଁ ଶୋଇପଡିଲି ।


ତା ପର ଗୁମର ମୁଁ ଫିଟେଇଲା ପରେ ନୀରୁ ଆଖି ରେ ଲୁହ ସହ କୃତଜ୍ଞତା ଓ କ୍ଷମାପ୍ରାର୍ଥନା ସ୍ପଷ୍ଟ ଥିଲା ।


ଗାଁ ଲୋକେ ଶିବୁକୁ ଘେରିଗଲେ ।


ବୋଉ ମତେ ଭିଡ ପେଲି ଟାଣି ଟାଣି ଘରକୁ ନେଇଗଲା ।




Rate this content
Log in

Similar oriya story from Drama