ଲିପ୍ସା ପଣ୍ଡା
ଲିପ୍ସା ପଣ୍ଡା


ନନା ବୋଉ ଫୋନ୍ କରିଛନ୍ତି ବିଭାସ ଆସିଛନ୍ତି।ଆସିଛନ୍ତି ତାଙ୍କ ଜ୍ବାଇଁ ପୁଅ,ବିଭୁ।
କିନ୍ତୁ କାହିଁକି ?
ଝିଅକୁ ଛଅ ମାସ ହୋଇଥିଲା ସେ ଆସିଥିଲା। ଆଜି ଝିଅକୁ ଛଅ ବର୍ଷ ପୁରିଲା। ସେ ଆସିଛି। ଖୁସି ହେବି....,ଅଭିମାନ କରିବି....,ଅଭିଯୋଗ ବାଢିବି....ନା ଜୀବନ ପରିଧିରୁ ସମ୍ପୂର୍ଣ୍ଣ କାଢି ଫିଙ୍ଗି ଦେବି !
ଏଇ ଛଅ ବର୍ଷ ଏକା ଏକା ଚାଲୁ ଚାଲୁ ନିଃସଙ୍ଗତା କେତେ ବେଳେ ମୋତେ ପ୍ରେମ କରି ବସିଗଲା ,ଜାଣି ପାରିଲିନି।କିନ୍ତୁ ଏଇ ଛଅ ବର୍ଷରେ ଗୋଟେ ଯୁଗର ଜୀବନ ବଞ୍ଚି ସାରିଛି ମୁଁ।ଲୋଡ଼ା ନାହିଁ ଆଉ କାହାର ସାହାରା।
ମହମରୁ ପଥର ଖଣ୍ଡେ ହୋଇ ସାରିଲା ପରେ ଆଉ କଣ ଅଛି,ତରଳିବ ଯେ......
ତେଇଶି ବର୍ଷରୁ ଆଜି ଅଣ ତିରିଶି ଟପିଲାଣି।ତୁମେ କଣ ଫେରେଇ ଦେବ ମୋ ତେଇଶି ବର୍ଷର ଖୁସାଲି ଜୀବନ ଜ୍ବାଇଁ ପୁଅ !!
ଯେବେ ତୁମକୁ ଖୋଜୁଥିଲି,ସେତେବେଳେ ତୁମେ ଅହଙ୍କାରୀ ହୋଇ ଦୁରେଇ ରହିଲ।ରାତି ରାତି ଏକା ଏକା ମେଡିକାଲ୍ ଖଟିଆରେ ଲୁହ କୋହ ପିଇ ଝିଅକୁ ଧରି ଯେତେବେଳେ ସଂଘର୍ଷ କରୁଥିଲି,ଭାରି ଖୋଜିଛି ତୁମକୁ।ନିଜ ଭିତର ଅସହାୟତାକୁ ତୁମ ସଙ୍ଗେ ବାଣ୍ଟୁବାକୁ ଆକୁଳ ହୋଇଛି।ନା ଥିଲା ଅର୍ଥ,ନା ଥିଲେ ମଣିଷ ମୋ ପାଖେ।ମୋତେ ସାନ୍ତ୍ୱନା ଦେବାକୁ।"ଡର ନା ମୁଁ ଅଛି କହିବାକୁ।"ଭାରି ଇଚ୍ଛା ହୋଇଛି ମୋ କାନ୍ଧରୁ ଝିଅକୁ ଟିକେ ନେଇ ମୋତେ ନିଃଶ୍ୱାସ ମାରିବାକୁ କେହି ଦିଅନ୍ତା।କୁହନ୍ତା" ଏତେ ଅଖିଆ ଅପିଆ ରାତି ରାତି ଅନିଦ୍ରା ହେଲୁଣି,ଟିକେ ବିଶ୍ରାମ ନେ,ଶୋଇ ପଡ଼,କଣ ଟିକେ ଖା।ତୁ ବି ଗୋଟେ ମଣିଷ ନା।ତୋର ବି ଦେହ ଅଛି,ପେଟ ଅଛି।ଯା ମୁଁ ଅଛି ଝିଅ ପାଖେ।" ଦୀର୍ଘଶ୍ଵାସ ଟିଏ ଟାଣିଲା ଲିପ୍ସା।ବୋଉ ଘନ ଘନ ଫୋନ୍ କରୁଛି ଶୀଘ୍ର ଆ ଜ୍ବାଇଁ ପୁଅ ଆସିଛନ୍ତି।
ଜ୍ବାଇଁ ପୁଅ........ହୋ ହୋ ହୋଇ ହସି ଉଠିଲା ଲିପ୍ସା।ହଁ ହୋଇଥାଇ ପାରନ୍ତି ସେ ବାପବୋଉଙ୍କ ଜ୍ବାଇଁ ପୁଅ।କିନ୍ତୁ ମୋ ସଙ୍ଗେ କି ସମ୍ପର୍କ ତାଙ୍କର!
ଛଅବର୍ଷ ହେଲା କେଉଁଠି ଥିଲେଜ୍ବା....ଇଁ......ପୁ.....ଅ।
କହିଦେ ବୋଉ ଲିପ୍ସା ଓ ତାଙ୍କ ଝିଅ ଖୁସି ମରି ଯାଇଛନ୍ତି ଛଅ ବର୍ଷ ତଳେ।
ଆଉ ହଁ ମୁଁ ଯେ ଏବେ ଯାଇ ପାରିବି ନାହିଁ ଏକଥା ତୁ ଭଲ ଭାବେ ଜାଣୁ ବୋଉ।ତେବେ ବି କହୁଛୁ ଶୀଘ୍ର ଆ।
ତୁ ବୁଝୁ ନାହୁଁ ଲିପ୍ସା।ଆଲୋ ଏତେ ଦିନ ପରେ ଜ୍ବାଇଁ ପୁଅ ମନକୁ ମନ ଆସିଛନ୍ତି।ତୁ ଖୁସି ହେବା କଥା।
ଖୁସି...!କେଉଁଥି ପାଇଁ ବୋଉ।ଖୁସି ହେବାକୁ କଣ ଆଉ ଅଛି।ଦେଖ ମୁଁ ମେଂଟାଲୀ ଷ୍ଟ୍ରଙ୍ଗ ହୋଇ ସାରିଛି।ତୋ ଜ୍ବାଇଁ ଆସିଛି ତୁ ଖୁସି ମନା।କିନ୍ତୁ ମୋତେ ତୋ ଖୁସିରେ ସାମିଲ କରନା ବୋଉ।
ହେଲେ ଲିପ୍ସା! ଦେଖିବୁ ଆ ତୋ ଖୁସିର ଖୁସି।ବାବା ବାବା କହି ସେ କେମିତି ହେଉଛି ଜ୍ବାଇଁ ପୁଅ ସାଙ୍ଗରେ।
ହେଉ ଖୁସି; ଖୁସି।ତା ଖୁସିରେ ମୁଁ କାହିଁକି ପ୍ରତିବନ୍ଧକ ହେବି।ଛଅ ବର୍ଷ କାଳ ସେ ବାବା ବାବା ହେଉଥିଲା। ବାବା ଖୁସି ସେ ପାଉ ବୋଉ।
ଯଦି ଜ୍ବାଇଁ ପୁଅ ଖୁସିକୁ ନେଇ ଚାଲି ଯାଆନ୍ତି;ଆମେ କଣ କରିବୁ?
ଯିବାକୁ ଦେ ଖୁସିକୁ ତାଙ୍କ ସହ।ବାବା ଥାଇ ସେ କାହିଁକି ବାବା ସ୍ନେହରୁ ବଞ୍ଚିତ ହେବ?
ଆଉ ତୁ! କେମିତି ବଞ୍ଚିବୁ ଲିପ୍ସା?
ତୁ ଆଦୌ ବ୍ୟସ୍ତ ହଅନା ବୋଉ।ତୋ ଝିଅ ସମସ୍ତଙ୍କୁ ଛାଡି ବଞ୍ଚି ଶିଖି ଗଲାଣି।ଯଦି ଭଗବାନ ଖୁସିକୁ ମୋଠୁ ଛଡାଇ ନେଇ ତା ବାବାଙ୍କୁ ଦେଇଦିଅନ୍ତି ଏହା ବିଧି ନିର୍ଦ୍ଦିଷ୍ଟ ଭାବି ଚୁପ୍ ରହିବି।ଯେମିତି ଆଜି ପର୍ଯ୍ୟନ୍ତ ରହିଛି।
କହି ପାରିବୁ ବୋଉ ଆଜି ଏ ସବୁ ଝଡ଼ ମୋ ଉପରେ କାହିଁକି ବହୁଛି?କାହିଁକି ଲୁହ ଝାରି ଝାରି ମୁଁ ଶୁଖି ଯାଇଛି?କାହିଁକି କୌଣସି ଭାଵ ମୋ ଉପରେ ପ୍ରଭାବ ପକାଉ ନାହିଁ? କେବଳ ତୁମ ମାନଙ୍କ ପାଇଁ।ତର ବର ହୋଇ କାହିଁକି ମୋତେ ବୋଝ ଭାବି ଏପରି ଗୋଟେ ଜହ୍ଲାଦ ହାତରେ ଛନ୍ଦି ଦେଲ।ଯିଏ କୁକୁର ବିଲେଇ ପରି ସ୍ତ୍ରୀ ସହ ସମ୍ପର୍କ ରଖିବାକୁ ଚାହେଁ।ଯାହାର ଦେହ ଦରକାର,ସ୍ତ୍ରୀ ନୁହେଁ,ଜୀବନ ସାଥୀ ନୁହେଁ।ମୋର କୁକୁର ବିଲେଇ ପରି ସମ୍ପକକୁ ପସନ୍ଦ ନୁହେଁ,ଏଇଟା କଣ ଏପରି ଏକ ଅକ୍ଷମଣୀୟ ଅପାରାଧ !
ମୋର ପୁଅ ନ ହୋଇ ଝିଅଟିଏ ହେବା ଏଇଟା ବି କଣ ମୋର ଦୋଷ ? ଯଦି ଏ ଦୁଇଟି ଅପରାଧ ପାଇଁ ମୁଁ ଦୋଷୀ,ହଁ ମୁଁ ସ୍ୱୀକାର କରୁଛି ମୁଁ ଦୋଷୀ।ମୋତେ ଦଣ୍ଡ ମିଳିବା ଦରକାର।ଭୋଗୁଛି ତ ଛଅ ବର୍ଷ କାଳ ହେଲା ଦଣ୍ଡ।ଆଉ କି ଦଣ୍ଡ ମୋତେ ଦେବ ତୁମେ ମାନେ ?
ଲିପ୍ସା...!ମା ମୋର,ସୁନା,ଧନ,ତୁ ଯେମିତି ଭାବୁଛୁ ଜୀବନ ଠିକ୍ ସେମିତି ନୁହେଁ।
ରଖ ଫୋନ୍ ବୋଉ।ଜୀବନ ଯେମିତି ହେଉ ଆଉ ସାଲିସ କରିବି ନାହିଁ...,ନାହିଁ...,ନାହିଁ।ପ୍ରଳୟ ହୋଇଗକେ ବି।
ଫୋନ୍ କାଟିଦେଲି ମୁଁ।ଦୁଃଖରେ ବି ବଞ୍ଚାଇ ଦେବେନି ଏ ଲୋକେ। ଅଦ୍ଭୁତ ! ମନ ଓ ମାନସିକତା ଏ ବାପା ବୋଉ ନାମୀ ମଣିଷଙ୍କର । ଦୁଃଖ ଭୋଗୁ,ମାଡଗାଳି,ଅପମାନ ଖାଇ ସବୁ ସହୁ ପଛେ; ରହୁ କିନ୍ତୁ ଶାଶୁଘରେ,ଜ୍ବାଇଁ ପୁଅ ପାଖେ। କିନ୍ତୁ କାହିଁକି?
ମନଟି ଗୋଲେଇ ଘାଣ୍ଟି ହେଲା।ସବୁ କଷ୍ଟ ନୀଳକଣ୍ଠ ପରି ପିଇ ସାରି ବଞ୍ଚିବା ପାଇଁ ସାହସ ବାନ୍ଧିଲା ବେଳକୁ ଏ ପୁଣି କି ଦୃଶ୍ୟ ପ୍ରଭୁ।ଯବନିକା ପଡିବା ପରେ ଏ ପୁଣି କି ନାଟକ!
ଅଫିସ୍ କାମରେ ମନ ଲାଗିଲା ନାହିଁ।ଖୁସି ସତରେ କଣ ତା ବାବା ସଂଗେ ମୋତେ ଛାଡି ଚାଲିଯିବ ? ବିଚଳିତ କଲା ଏ ପ୍ରଶ୍ନଟି ବାରମ୍ବାର । ଅସୁସ୍ଥ କାହିଁକି ଲାଗୁଛି । ଦିନେ ଏପରି ହେବାର ଥିଲା । ଖୁସି ଆଜି ନ ହେଲେ କାଲି ତା ବାବା ଖୋଜି ଖୋଜି ଯାଇ ଥାନ୍ତା । ଯାଉ... ଛୋଟ ବେଳୁ ଅନ୍ତତଃ ଅଧିକ ମାୟା ଲାଗିବା ଆଗରୁ ସେ ଚାଲିଯାଉ।
ଓଃ ମୋ ମୁଣ୍ଡଟି କଣ ହୋଇଯାଉଛି । ଘଣ୍ଟା କଣ୍ଟା ଶୀଘ୍ର ଶୀଘ୍ର ଚାଲୁଛି ଯେପରି । ଘଣ୍ଟାକୁ ଅନେଇଁଲା । ଓଃ ଚାରିଟା ହୋଇ ଗଲାଣି କେତେବେଳେ। କେଜାଣି ଘରକୁ ଫେରିବାକୁ ମନ କହୁ ନଥିଲା।ପାଞ୍ଚଟା ଆଜି ବାଜନ୍ତା ନାହିଁ କି ଅଫିସ୍ ଛୁଟି ହୁଅନ୍ତା ନାହିଁ । ଦୁଇ ହାତରେ ମୁଣ୍ଡକୁ ଧରି ଟେବୁଲ ଉପରେ ନିଜ ଶରୀରକୁ ଅଜାଡି ଦେଇଛି। ପିଅନ କହିଲା ମାମ୍ ଛଅ ଟା ବାଜିଲାଣି, ଘରକୁ ଯିବେନି କି?
ଏଁ... ଛଅ ଟା।ତରବର ହୋଇ ଘରକୁ ବାହାରି ଗଲି।ସବୁଦିନ ପରି ମୋ ମୋ ଗାଡି ଶବ୍ଦ ଶୁଣି ମାମା ମାମା କହି ଦଉଡ଼ି ଆସୁଥିଲା ଖୁସି।
ଖୁସିକୁ ସତେକି ବହୁ ଦିନ ହେବ ମୁଁ ଦେଖି ନଥିଲା ପରି ଶୁନ୍ୟେ ଶୁନ୍ୟେ ଉଠାଇ ନେଲି। ବୋଉ କହିଲା ଜାଣିଛୁ; ତୋ ଝିଅ ଆଜି କଣ କଲା ! ବାପାକୁ ଦେଖି ତ ଖୁ ଖୁସି ହୋଇ ଗଲା । ହେଲେ "ଚାଲେ ଆମେ ଆମ ଘରକୁ ଯିବା ବୋଲି ଯେତେବେଳେ ତା ବାପା କହିଲା ତୋ ଝିଅ କଣ କହିଲା?
"ନାଁ ମୁଁ ଯିବିନି।ଏଇଟା ତ ଆମ ଘର।ମୋ ମାମାଙ୍କୁ ଛାଡି କୁଆଡେ ଯିବିନି।ମୁଁ ଚାଲିଗଲେ ମୋ ମାମା ଆସି ମୋତେ ଖୋଜିବ।ତୁମେ ଯାଅ ମୁଁ ଯିବିନି।ତୁମେ ଏଇଠି ରୁହ।ମୋ ମାମା, ମୁଁ ଓ ତୁମେ ସାଙ୍ଗ ହୋଇ ରହିବା ଅଜା ଆଈଙ୍କ ସହ।
ମୁହଁ ଆମ୍ବିଳା କରି ଜ୍ବାଇଁ ପୁଅ ଫେରିଗଲେ।ଓଃ ମୋ ସୁନା ମୋ ଧନ ମୋ ରାଣୀ କହି ଗେଲ କରି ଗଲି ମୋ ଖୁସିକୁ।ମୁଁ ମୋ ଧନର ବାପା ମା ସବୁ କିଛି।
ନାରୀ ଅବଳା,ଦୁର୍ବଳା ନୁହେଁ।ସେ ପୁରୁଷର ଦାସୀ ନୁହେଁ।ସେ ପୋଡ଼ା ହେବା ପାଇଁ,ପୋତା ହେବା ପାଇଁ,କି ଆତ୍ମହତ୍ୟା କରିବାକୁ ଜନ୍ମ ହୋଇନି।ସେ ବଞ୍ଚିବାକୁ,କିଛି କରିବାକୁ ଜନ୍ମ ଏ ବାର୍ତ୍ତା ମୁଁ ଦେବି ଏ ପୁରୁଷ ପ୍ରଧାନ ସମାଜକୁ। ଦେଖେଇ ଦେବି ନାରୀର ଗୋଟେ ଶରୀର ଅଛି,ହୃଦୟଟିଏ ବି ଅଛି।ସେ ବି ଅନୁଭବ କରି ପାରେ ଦୁଃଖ ସୁଖ।ସେ ବି ଜଣେ ମଣିଷ।
ହଁ ମୁଁ ଲିପ୍ସା ପଣ୍ଡା ପାରିବି....