ଲେଖାଚିଠି
ଲେଖାଚିଠି
ଆଇକମ୍ ବାଇକମ୍ ତାରାତୁରି
ଚାଲ ଯିବା ପିଲାଏ ଘୋଡ଼ା ଚଢ଼ି
ଘୋଡ଼ା ଯିବ ଉଡ଼ି ଖରେ
ହିମାଳୟର ଆରପାରେ...............
_ କୁହ ନା ,କୁହ ନା ତା ' ପରେ ।
_ ରଃ ମନେ ପଡୁନି ବା ,ଆଉ ଥରେ ଚାଲ ମୂଳରୁ ଖେଳିବା ।
_ ନା ।ନୂଆ ଗୋଟେ ଖେଳ ଖେଳିବା?
_ ହଉ ।କହ ,କଣ ଖେଳିବା ତୁ କହ ।
_ ମୁଁ ଗୋଟେ ଗପ କହିବି, ତୁମେ ଗୋଟେ କହିବ ପୁଣି ମୁଁ ଗୋଟେ ,ହେଲା ।
_ ହଁ ରେ ମୋ ଗପପେଡି, ଆଗେ ତୁ କହ ।
_ ଗୋଟେ ଦିନ ଗୋଟେ ଗାଁ ରେ ଗୋଟେ ତୁ ଥିଲୁ, ଗୋଟେ ମୁଁ ଥିଲି ।ତୁ ମୋର ପୁଅ ଥିଲୁ ଆଉ ......
_ ଆଉ ତୁ ମୋର ବାପା , ଏୟା ତ ।
_ ନା ରେ ମା ଥିଲି....... ବୁଦ୍ଧୁ , ଏବେ ସିନା ତୋର ବାପା ।
ତୋତେ ଖୋଜିକି ଆସିଲି ପା ।ଆଉ ମତେ ଛାଡି କୁଆଡେ ଯିବୁନି ନା ।ପ୍ରମିସ୍ ।
ତା' କୁନି ହାତରେ ଟାଣିନେଇ ମୋ ହାତକୁ ତା ମୁଣ୍ଡ ରେ ରଖେ ।
ମୁଁ ହାତ ଟାଣି ଆଣି କାଖେଇ ନେଇ କହେ ,
_ ନା ରେ ।କୁଆଡେ ଯିବି ତତେ ଛାଡିକି ? ।
ବିହ୍ବଳିତ କରେ କଥା ପଦଟିରେ ।ପୁଲକପ୍ରଦ ମୂହୁର୍ତ୍ତ ,ସତେ ଯେମିତି ଗଭୀର ଆବେଗ ନେଇ ଗପୁଥିଏ ସେ ।କେମିତି ବୁଝେ ଏତେ କଥା ଯେ କହେ ?
ହସ ଯେ ହସ, ମହୁଲି ହସ
ଝରି ପଡୁଥିଲା ହୀରାର ହସ ।
ହସଟିଏ ଯେମିତି ପ୍ରଜାପତି ଭଳି ମୋ ଓଠରୁ ତା ଓଠକୁ ଉଡିବୁଲୁଛି ।
ସବୁଦିନେ ଆମର ଗପକୁହା ସେତିକିରେ ସରେ ।ପିଲାଳିଆମୀ ଭିତର ଦେଇ ଜୀଁ ହୁଏ ପିଲାଦିନକୁ କିଛି କ୍ଷଣ ।
ସେ ରହୁଥିଲା ମୋ ପଡିଶାରେ ।ସେ ଜନ୍ମ ହେଇ ନଥିଲା ମୁଁ ଏଇ ଘର ଭଡାରେ ନେଲା ବେଳେ ।ସେ ତା ' ଏବେକାର ବାପ ମା ଙ୍କ କୋଳ ପୁରେଇ ଆସିଥିଲା ଷୋହଳ ବର୍ଷ ପରେ ।ସେମାନେ ଦକ୍ଷିଣୀବ୍ରାହ୍ମଣ, .... ଆଉ ମୁଁ ଓଡିଆ ବ୍ଯାଚଲର ଟେ ।ଚାକିରି ଅଭିଳାଷୀ ।ତପସ୍ୟାରତ୍ତ କମ୍ପାନୀ ଦୁଆରେ ଛତା ,ବୋକଚା ଧରି ।
ନିତି ମୁଁ ଥକିହାରି ଅସ୍ତରାଗ ସୂର୍ଯ୍ୟ ସହ ବସା ଲେଉଟାଣି ବେଳାରେ ସେ ଟବୁସାଇକେଲ ପେଁ ପେଁ ଚଲଉଥାଏ ବାହାର ମେଲାରେ, ଗଙ୍ଗଶିଉଳି ଛାଇରେ ।ମତେ ଦେଖି ଅପେକ୍ଷା କଲାପରି ଧାଇଁ ଆସି କାଖ ହୋଇପଡେ, ମୁଣ୍ଡ ଆଉଁସି ଦିଏ ତା ' ଟିକି ପାପୁଲିରେ ।ଅର୍ଦ୍ଧବୋଧ ଦରୋଟି ଶବ୍ଦ ରେ ଠାରି କହେ ,ଆ ଆ ହାମୁ ଖାଇ ।ହାମୁ ଖାଇ ।ଆ ।
ମୋରି କୋଳରେ ତାର ସଂଧ୍ୟା ସରେ ଆଉ ସେ ସ୍ବପ୍ନମୟତା ଭିତର ଦେଇ ଆଉଜିପଡେ ।ତା ' ମା ଅତି ସଂତର୍ପଣରେ କ୍ଷମା ମାଗନ୍ତି ଆଉ ମୋ କାଖରୁ ଓଲ୍ହାଇନେଇଯାନ୍ତି ତା ପତଳା ନିଦଟି ଚହଲି ନ ଯାଉ ଯେମିତି ।ପ୍ରତିଦିନ ଏଇ ଦୃଶ୍ୟର ପୁନରାବୃତ୍ତି ଭିତରେ ମତେ ପ୍ରତିଥର ଲାଗେ ,ସେ ନ ଯାନ୍ତା କି ! ସେ ମୋ ପାଖରେ ଶୋଇପାରନ୍ତା କି ! ଖେଳୁଥାନ୍ତା କି ସେମିତି, ଦିନରାତି ।
ମାୟାର ଆବରଣ ଶକ୍ତି ବିକ୍ଷେପ ଶକ୍ତି ଦ୍ବାରା କଳ୍ପନା କୁ ସତ୍ଯ କରି ଦେଖାଏ ।ସେଥିରେ ସେ ନିପୁଣା ।ଚାରିବର୍ଷର ଶିଶୁପୁତ୍ର ଟି ଅଳି କରେ ଯେ ସେ ମୋର ମା' ଥିଲା ଆରଜନ୍ମରେ ।ମୋ ମନ ବି ଆଦରି ନିଏ ଏ କଳ୍ପନା କି ସତକୁ ? କିଏ ଜାଣେ ?ହେଇଥାଇପାରେ ସତ ।ଆତ୍ମା ତ ସବୁଦିନେ ସେଇ ନା ,ଦେହଟା ଯାହା ଖାଲି ବଦଳୁଥାଏ ନା ପାଲଟାବସ୍ତ୍ର ପରି ।
ସେ ଚାଲିଲା, କଥା ସ୍ପଷ୍ଟ କହିଲା, ଖଡି ଧରି ଗାରେଇଲା ।ମୋ ଚାକିରି ବଦଳ ହେଲା ମୁଁ ଇଛ୍ଛା ନଥାଇ ବି ଘର ବଦଳିଲି ।ସେ ବହୁତ କାନ୍ଦିଲା, ଟାଣିହେଲା ।ମୁଁ ଭାବିଲି ପିଲାମଣିଷ ଭୁଲିଯିବ ଅଳ୍ପ ଦିନେ, ସମୟ ତ ଭୁଲାଇଦିଏ କେତେ କଥା ମହଷୌଧୀ ପରି ।ସେମିତି ବି ମୁଁ କୋଉ ନିଜର ଯେ ?
ତରକୁଥିଲେ ମୋ ପାଦହଳକ, ଠେଲିହେଉଥିଲେ ସତେ।ତୀବ୍ର ବିଷାଦ ଘେରୁଥିଲା ଗାଢ ରଙ୍ଗର କଳା ପରି ।ତଥାପି ନିଜକୁ ପେଲିନେଇ ପାରିଲି, ମୋ ନୂଆ ଧୁନ୍ ରେ ହଜିଗଲି, ମଜ୍ଜିଗଲି ଆଉ ତାକୁ ଭୁଲି ବି ଗଲି ସେ କଥା ନୁହେଁ କିନ୍ତୁ ସମୟ ପାଉନିର ବାହାନାଟେ ପାଇଗଲି ।କିଲୋମିଟରରେ ଦୂରତା ମାପି ହେଲା ପରି ଥିଲେ ବି ମନଟା କୋହଳି ଯାଇଥିଲା ।
ଦିନେ ସକାଳୁ ମନ ଅକାରଣେ ଏତେ ଭାରି ଲାଗିଲା ଯେମିତି ଆଜିହି ସ୍କନ୍ଧଚ୍ଯୁତ ହୋଇ ଖସିପଡି ଭୂପତିତ ହେବ ।ଅଫିସ୍ ଗଲିନି ।ବ୍ଲାକ ଟି ଅଧା ପିଆ ପଡିରହିଲା ଟି_ ପୟ ଉପରେ ।ଅନ୍ୟମନସ୍କ ହେବାର ସବୁ ଚେଷ୍ଟା ଧୂଳିସାତ ହେଲା ।ତକିଆଟି ମୁହଁ ରେ ମାଡି ଓଲଟା ପଡିରହିଲି ।ଫୋନ୍ ଟି ବାଜି ବାଜି ଡାକବାଜି ଯନ୍ତ୍ର ପରି ପଡିରହିଲା ବିପର୍ଯ୍ୟସ୍ତ ଭାବେ ମୋ ହାତପାହାନ୍ତାରେ ।କେତେବେଳେ ବୋଧେ ଆଖି ଲାଗିଯାଇଛି ଜାଣେନି ।ସମୟ ଅତିବାହିତ, କିନ୍ତୁ ଅସମାପ୍ତ ନୁହେଁ ।
ସେ ଦିଶିଲା ଅବଚେତନେ ।ହସିଦେଲା, ଶାନ୍ତ, ନିର୍ଲିପ୍ତ ।ହାତ ହଲେଇ ଚାଲିଗଲା ।ଉଠିବସିଲି ।ମନଟା ଘାଣ୍ଟିଚକଟି ହେଲା ।
ଆପେ ଚାବି ଧରି ଗାଡି ଷ୍ଟାର୍ଟ କଲି, ପହଞ୍ଚି ସାରିଥିଲି ତା ଦୁଆରେ ..... ରାସ୍ତା କଥା ଜାଣେନି, ସରିସାରିଥିଲା ବୋଧେ ।ସେ ଗେଟ୍ ପେଲି ଦଉଡି ଆସୁନଥିଲା ।ଘର ତାର ମାଟି ଫାଟି ଆଁ କଲା ପରି ଶୁଷ୍କ ଲାଗୁଥିଲା ।ସମସ୍ତେ ଦିଶୁଥିଲେ ନୀରବ ,ସ୍ଥିର ତା'ମା,ବାପା, ଦାଦା, ଖୁଡୀ, ଜେଜ, ଜେଜୀ ...... ତା'ଝୁମକା, ଟବୁସାଇକେଲ, ମୋ ହାତ ତିଆରି ଦୋଳି, ସବୁ ।ସତେ ଯେମିତି ରାଣ ଖାଇଛନ୍ତି ହଲିବେନି ।ସେ ଦିଶିଲା, କିନ୍ତୁ ହସିଲାନି ।......କାଚର ଚାରିକୋଣିଆ ଲମ୍ବା ବାକ୍ସ ଭିତରେ ,ମୁଣ୍ଡ ପାଖକୁ ଧୂପକାଠିର ଧୂଆଁ ପଛରୁ ସେ ଦିଶୁଥିଲା ।ତା ପାଦ ପାଖରେ ଭଗ୍ନସ୍ତୁପଟେ ଓଜାଡି ହେଲାପରି ତା ମା ନିଶ୍ଚଳ ।ଆଖି ହଳକ ଚଳମାନତା କୁ ଧୋକା ଦେଇପାରୁଥିଲା ।
ନିଃଶବ୍ଦ ରେ ଛୁଇଁ ଦେଲି ସେ ସ୍ତୁପକୁ ।ଚୁନା ଚୁନା ହେଇ ଖସିପଡିଲା ।ଶୂନ୍ୟ ରୁ ଆଖି ଫେରାଇ ମତେ ଚାହିଁ ଥରେ ପୁଣି ଫେରିଗଲା ଶୂନ୍ୟ କୁ ।ମୁଁ ବୁଝିପାରୁନଥିଲି କଣ କୁହାଯାଏ? କଣ କରାଯାଏ? ଏମିତି ସମୟ ରେ ।ହେଇଛି କଣ ବୁଝଉଥିଲା ଭିତରୁ କିଏ ହେଲେ ? କେମିତି ?
ତାଙ୍କ ହାତକୁ ମୋ ପାପୁଲିରେ ରଖି କହିଲି, ଭାଉଜ ।
ବାସ୍ ।ମୁଁ ଯଦି ଜାଣିଥାନ୍ତି ସେଠି ଶବ୍ଦ ଟେ ଉଚ୍ଚାରିବା ଅର୍ଥ ଭାଙ୍ଗିଦବା ପୃଥିବୀ ମୁଁ ଜଡ ପାଲଟିଥାନ୍ତି ।ମୌନ କଣ କି,ମନ,ଜିଭ ଖାଲି ନୁହେଁ ଚେତନ ବି ଚୁପ୍ ।
ତା'ଜେଜୀ ଉଠିଆସି ମୋ ହାତ ଧରି ନେଇଗଲେ ଆଉ ମୋ ହାତରେ ଚିତ୍ର ଖାତାଟେ ଦେଇ ଠାରିଦେଲେ ବାହାରକୁ ।
ଫେରିଆସି ଗଦାଏ ଫୁଲ ନେଇ ପୁଣି ଢାଳିଆସିଲି ତାଠି ।ସେ ସେଠି ନଥିଲା ।କିନ୍ତୁ ଥିଲା ତ ,କୋଉଠି ?ମୁଁ ଜାଣେନା ।
ବସାରେ ପହଞ୍ଚିପାରିଲିନି ।ରାସ୍ତାରେ ଅଣନିଶ୍ବାସୀ ହେଲି ବହେ ।ବସିଗଲି ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ।ଧିରେ କି ଖୋଲିଲି ପ୍ରଥମ ପୃଷ୍ଠା ।ଅଙ୍କା ବଙ୍କା ହାତ ଅଙ୍କା ଛବି ତା ପରି କୁନିଟିଏ ହାତ ଧରିଛି ମୋ ପରି ଗୋଟେ ଚରିତ୍ରର, ତୀର ମାରି ଲେଖିଛି ଲଫାପା ଟେ ଆଙ୍କି " ମାଇଁ ସନ୍ ଆଇ ମିସ୍ ଇୟୁ " କେବେ ଫେରିବୁ ?
ମୂହୁର୍ତ୍ତକ ସକାଶେ ଝଟକି ଉଠିଲା ଦିଗ୍ ବଳୟ ।ପ୍ରବଳ ଅନ୍ଧାକାରର ହୃଦୟ କୁ ଶତେକ ଆଙ୍ଗୁଳି ରେ ବିଦାରି ପକଉଥିଲା ବିଜୁଳି ।ଚହଟି ଉଠିଲା ଆକାଶ ।
ବହିଯାଉଥିଲି ମୁଁ ଅନୁତାପରେ କିନ୍ତୁ ସିଏ ହସୁଥିଲା ଆକାଶର ଉଜ୍ବଳତାରେ ।
ଦଲକାଏ ଥଣ୍ଡା ପବନ ମୋ ମଥା ସାଉଁଳେଇନେଲା କୋଉ ଗୋଟେ ଅଜଣା ଦିଗରୁ ଠିକ୍ ତାରି ହାତ ପରି ।
