Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Nityananda Nandi

Classics Inspirational

3  

Nityananda Nandi

Classics Inspirational

ଲେଦର ପର୍ସ

ଲେଦର ପର୍ସ

5 mins
24



ବାପାଙ୍କ ପଞ୍ଚାଅଶୀତମ ଜନ୍ମ ଦିନ ପାଇଁ ଅଜୟ ବାବୁ ଭାରତ କୁ ଆସିଛନ୍ତି ସୁଦୂର ଆମେରିକାରୁ।


ବାହାରୁ ସବୁ ଠିକ୍ ଲାଗିଲେ ବି ଅଜୟ ବାବୁ ନିଜ ଭିତରେ ଜଳୁଥାନ୍ତି ଠିକ ଯେମିତି ବର୍ଷା, ଝଡ ତୋଫାନ ଭିତରେ ଘରଟିଏ ଜଳୁଥାଏ। ମନ ଆଉ ହୃଦୟ ଜଳି ଜଳି ପାଉଁଶ ହେବାକୁ କେତେ ସମୟ ବା ଲାଗେ !


କଳ୍ପନା ଙ୍କ ସହ ବିବାହ, ବର୍ଷେ ପରେ ହଠାତ ଦିନେ ବିଚ୍ଛେଦ ଓ ତା ପରେ ଗୋଟାଏ ଗୋଟାଏ କରି ପଚିଶ ବର୍ଷ ବିତିଯିବା ଟା ଜୀବନର ଧାରାକୁ ବଦଳେଇ ଦେଲା। ଅତି ଅଳ୍ପ ସମୟ ଭିତରେ ବୁଝିଗଲେ ଯେ, ପ୍ରକୃତରେ କେହି କାହାର ନୁହଁ। ଜୀବନର ଏଇ ଭିଡ଼ ଭିତରେ ମଣିଷ ଟା ଏକା ପଡ଼ିଯାଏ। ଅଟକି ଗଲେ ସେ ଜୀବନର ଏଇ ଭିଡ଼ ଭିତରେ ।


ସେମାନଙ୍କ ସମ୍ପର୍କ, ପ୍ରାୟ ବିଛଣାରୁ ଆରମ୍ଭ ହୋଇ ବିଛଣାରେ ଶେଷ ହୋଇଯାଏ। ତା ପରେ, ଦିନ ତମାମ ଯେମିତି କେହି କାହାକୁ ଚିହ୍ନି ନାହାନ୍ତି। 

ହଠାତ୍ ଦିନେ ସକାଳେ ଦେଖିଲେ, କଳ୍ପନା ଘରେ ନାହାନ୍ତି। ଚିଠିଟିଏ ଛାଡି ଯାଇ ସମ୍ପର୍କରେ ପୂର୍ଣ୍ଣଛେଦ ପକେଇବା ସହଜ ହେଲେ ବି ମନ କଣ ବୁଝେ। ମନ କୋଉ ମାଂସପେଶୀ ଯେ କ୍ଷଣିକ କଷ୍ଟକୁ ସହି ଯାଇ ପରେ ପୁଣି ଭୁଲିଯିବ। ମନ ଗୋଟାଏ ସୂକ୍ଷ୍ମ ପରିବେଶ, ଚେଷ୍ଟା କଲେ ବି ଦାଗ ଲିଭେନି ମନ ର ସେଇ ଗଭୀର ତମ ଗୁମ୍ଫା ଭିତରୁ...ଚିଠି ଟି ବହୁତ କଷ୍ଟ ଦେଲା ଅଜୟ ବାବୁଙ୍କୁ।


ଅଜୟ !

ତମେ ତମର ସାହିତ୍ୟ କୁ ନେଇ ବଞ୍ଚିଥାଅ, ଫୁଲାଶଯ୍ୟା ରାତିରେ ତମର ମୋ ପ୍ରତି ବ୍ୟବହାର ଆଉ ତା ପରେ ଆଜି ପର୍ଯ୍ୟନ୍ତ ପ୍ରତିଦିନ ବ୍ୟବହାର ଭିତରେ ଆକାଶ ପାତାଳ ତଫାତ୍। ପ୍ରଥମେ ସାହିତ୍ୟ, ଦ୍ଵିତୀୟରେ ଜବ, ତାପରେ ମୁଁ। 

ମୁଁ ଭୁଲ କରି ବସିଲି, ତମର ସବୁ ସମୟ କେବଳ ମୋର ବୋଲି ଭାବିଲି, କେବଳ ମୋର ! ମୋ ମନ ତୁମେ ମୋହିନେଇ ଥିଲ ପ୍ରଥମ ରାତିରେ। ଡେଣା ଲଗେଇ ଆକାଶରେ ଉଡିଲି ସବୁ ସ୍ବପ୍ନକୁ ଜାବୁଡ଼ି ଧରି। ପରେ ଜାଣିଲି, ସ୍ବପ୍ନ ସବୁ ସତ ହୁଏନି ! 

ଯାଉଛି, ଯଦି କେବେ ଅନୁଭବ କର ତମ ଜୀବନରେ ମୋର ଆବଶ୍ୟକତା ଅଛି ବୋଲି, ଡାକିବ, ନିଶ୍ଚୟ ଆସିବି। ଜାଣିଛ ନା ଜୀବନରେ ମନ ଆଉ ହୃଦୟ ଟା କେବଳ ଜଣଙ୍କ ପାଇଁ।

ଆଇ ଲଭ୍ ୟୁ। ତୁମର କଳ୍ପନା


ଅଭିମାନ ଜମାଟ ବାନ୍ଧି ରକ୍ତକୁ ଏତେ ଶିଥିଳ କରିଦେଲା ଯେ ଅଜୟ ବାବୁଙ୍କ ଭିତରେ ପ୍ରେମର ଉଷ୍ମତା ବି ସବୁ ଉତ୍ତାପ ହରେଇ ବସିଲା। ଚାହିଁ ଥିଲେ ଅନେକ କିଛି ହୋଇ ପାରି ଥାଆନ୍ତା, ସାହିତ୍ୟ ଓ ସମ୍ପର୍କ ଭିତରେ ସମନ୍ବୟ ରକ୍ଷା କରିବା ସେତେ କଷ୍ଟ ନୁହଁ। ଅଜୟ ବାବୁଙ୍କ ଭିତରେ ନିୟନ୍ତ୍ରଣ କରିବାର ଭରପୁର ଦକ୍ଷତା ବି ଥିଲା। ଏମିତି ବି ନୁହଁ ଯେ ସେ କଳ୍ପନା ଙ୍କୁ ଭଲ ପାଉ ନ ଥିଲେ !! ଅଭିମାନ କିନ୍ତୁ ମନ ଭିତରେ ଥରେ ବସା ବାନ୍ଧିଲେ, କାହିଁକି କେଜାଣି ମଣିଷ ଟା ନିଷ୍ଠୁର ହୋଇଉଠେ !!! ଅଜୟ ବାବୁ ପଛକୁ ଆଉ ଅନେଇଲେନି, ଚାଲିଲେ ଆଗକୁ।

କଳ୍ପନା ଙ୍କୁ ଭୁଲି ଗଲେ ସେ ସବୁଦିନ ପାଇଁ। ସେଇଦିନ ଠୁ ସେ ଏକା, କଳ୍ପନାକୁ ଆଉ ଡାକି ନାହାନ୍ତି , ଦ୍ଵିତୀୟ ବିବାହ ମଧ୍ୟ ସେ କରି ନାହାନ୍ତି। ଅଭିମାନ ମଣିଷର ଇଚ୍ଛା ଶକ୍ତିକୁ କାବୁ କରିନିଏ ସମ୍ପୂର୍ଣ୍ଣ ଭାବରେ...


ଅଜୟ ବାବୁଙ୍କ ଜନ୍ମ ସମୟରେ ବୋଉ ଏ ଦୁନିଆ ଛାଡି ଚାଲି ଯାଇଥିଲେ। ବାପା ହିଁ ଥିଲେ ସବୁ କିଛି ତାଙ୍କ ପାଇଁ। ଘରର ଚାକର ଛୁଆ ମନୁଆ ରନ୍ଧା ବଢ଼ା କରେ ବାପାଙ୍କ ପାଇଁ। ସେ ବି ଆଜି ରୁଗଣ, ବୟସ୍କ। ବାପାଙ୍କ ପାଇଁ ଆଉ ପୂର୍ବ ପରି କାମ କରି ପାରୁନି। ଆଜି ଜନ୍ମ ଦିନରେ ଘର ସଫା କରିବା ଠୁ ଆରମ୍ଭ କରି ପିଠା ପଣା ପର୍ଯ୍ୟନ୍ତ ସବୁ ସେ ହିଁ କରିବ।


ଦୀର୍ଘ ପଚିଶ ବର୍ଷ ବିତି ଗଲାଣି ଏଇ ଭିତରେ। ଅବସର ପାଇଁ କେତେଟା ଦିନ ମାତ୍ର। ଷାଠିଏ ଛୁଇଁବେ ଅଜୟ ବାବୁ। ଗୋଟାଏ ଭାରତୀୟ କମ୍ପାନୀ ପାଇଁ କାମ କରନ୍ତି ସେ ଆମେରିକାରେ। ଆଜି ବି ବାପାଙ୍କ ସହିତ କଥା ହେବା ପାଇଁ ସଙ୍କୋଚ ବୋଧ କରନ୍ତିି। 

ବାପାଙ୍କ ସହିତ ବାଲକୋନିରେ ବସି ଗପୁଛନ୍ତି ଅନେକ ଦିନ ପରେ। ଆଜି ଆଉ ସବୁଦିନ ପରି ନିସଂଗତା ନାହିଁ, ଅନେକ ଦିନ ପରେ ବାପାଙ୍କ ସହିତ ପୁଅ, ସକାଳର ଉଷ୍ମ ସୂର୍ଯ୍ୟ ଆଲୋକ ବାଲକୋନିରେ, ପରିବେଶ ଟା ମନୋରମ ହେବନି କାହିଁକି ? ମନୁଆ କଫି ଦେଇଗଲା।


ବାପାଙ୍କ ସହିତ ଗପିବା ଭିତରେ ସାରା ପୃଥିବୀ ଟା ନିଜର ନିଜର ଲାଗେ। ବାପା ହିଁ ତ ପୃଥିବୀ, ଅଜୟ ବାବୁଙ୍କ ପାଇଁ। ଜୀବନର ପ୍ରଥମ ମହିଳା ବୋଉ, ତାଙ୍କୁ ସେ ଦେଖି ନାହାନ୍ତି। ଜୀବନର ଦ୍ଵିତୀୟ ମହିଳା, କଳ୍ପନା ବି ଛାଡି ଚାଲିଗଲେ ତାଙ୍କ ପାଖରୁ। ତେଣୁ ଜୀବନରେ ଜଣେ ମହିଳାଙ୍କ ଆବଶ୍ୟକତାକୁ ସେ ହୃଦୟଙ୍ଗମ କରି ପାରି ନାହାନ୍ତି। ସବୁ ବେଳେ ବୋଉଙ୍କ କଥା ବାପାଙ୍କ ପାଖରୁ ଶୁଣନ୍ତି। ଖାଲି କଥା ଶୁଣି କଣ ବୋଉ କୁ ଅନୁଭବ କରି ହୁଏ, ବୋଉର ସ୍ପର୍ଶ ତ ନିଆରା। ବୋଉ ଥରେ ଛୁଇଁ ଦେଲେ ସାତ ଦରିଆର ଶୀତଳତା ମନରେ ଭରି ଯାଏ। ଅଜୟ ବାବୁ କିଛି ଜାଣି ନାହାନ୍ତି ବୋଉ ଙ୍କ ବାବଦରେ, ନା ବୋଉର ସ୍ପର୍ଶ କୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଛନ୍ତି ସେ। କେତେ ହତଭାଗା ସେ !!!


କଫି ପିଉ ପିଉ ବାପା କହିଲେ ଜାଣିଛୁ ଅଜୟ ! ତୋ ବୋଉ ପାଇଁ ଡାକ୍ତର କହିଥିଲେ କନସିଭ୍ ତ ହେବେ,କିଛି ଅସୁବିଧା ନାହିଁ। କିନ୍ତୁ ପିଲା ଜନ୍ମ ସମୟରେ ସେ ମରି ଯାଇ ପାରନ୍ତି। ତୋ ବୋଉ କଣ କହିଲା ଜାଣିଛୁ "life is full of challenges, let us take a risk. ଜଣଙ୍କ ଠୁ ପୃଥିବୀ ର ଆଲୁଅ ଦେଖିବାର ଅଧିକାର ଛଡେଇ ନେବା କଣ ଠିକ୍ ହେବ !!!

ମୁଁ ଯଦି ମରିଯାଏ ଆମ ସନ୍ତାନ ମୋ ରକ୍ତ ନେଇ ଆଗକୁ ବଢିବ ଆଉ ତାର ପ୍ରତି ଟି ରକ୍ତ କଣିକା ଭିତରେ ମୋତେ ଖୋଜି ନେବ, ମୁଁ ସବୁବେଳେ ତା'ରି ଭିତରେ ଥିବି" 


ତୋ ବୋଉ ମରିଗଲା ତୋ ଜନ୍ମର ଠିକ ଟିକିଏ ପରେ।


ବାପାଙ୍କ ଆଖିରୁ ଦୁଇ ଟୋପା ଲୁହ ବୋହି ଆସିବାର ଦେଖି ଅଜୟ ବାବୁ ନିଜକୁ ସମ୍ଭାଳି ପାରିଲେନି। ବାପା ଜାଣି ପାରି କଥାର ଦିଗ ବଦଳାଇ ଦେଲେ।


ବାପା କହିଲେ ହଁ ଅଜୟ ! ଗୋଟାଏ କଥା କହିବା ପାଇଁ ଭୁଲି ଯାଇଥିଲି। ଗତ ସପ୍ତାହରେ ମେଡିକାଲ କଲେଜ ତରଫରୁ ମୋତେ ସମ୍ମାନିତ କରା ଯାଇଥିଲା। ଅଚାନକ ଭିଡ଼ ଭିତରୁ କଳ୍ପନା ଆସି ପାଦ ଛୁଇଁଲା। ସେ ବର୍ତ୍ତମାନ ମେଡିକାଲ୍ କଲେଜରେ ପ୍ରଫେସର ରୂପେ କାମ କରୁଛି। ପଚାରିଲି କଳ୍ପନା ! ବାହା ସାହା ହୋଇ ଘର ସଂସାର କଲୁଣି ? ମୁଣ୍ଡ ହଲେଇ କହିଲା... ନା 

ଅଜୟ ବାବୁ ଆଲୋଚନାର ଦିଗ ବଦଳେଇ ଦେଲେ, ଅଭିମାନ ର ଚାପରେ ଫସିଲ ଟିଏ ପାଲଟି ଯାଇଛନ୍ତି ସେ। କଳ୍ପନା ର ନାଁ ଶୁଣିଲେ ଏବେ ବି ତାଙ୍କୁ କଷ୍ଟ ହୁଏ।


ଅଜୟ ବାବୁ ବାପା ଙ୍କୁ କହିଲେ ବାପା ! ତମେ ୱାଲେଟ୍ କଥା କହୁଥିଲ ନା, ଆମେରିକାରୁ ବଢିଆ ଲେଦର ପର୍ସ ଆଣିଛି। 

ନିଅ..

ଏଇଟା ତମ ଜନ୍ମଦିନ ପାଇଁ ଉପହାର...

ଲେଦର ପର୍ସ୍ ଧରି ବହୁତ ଖୁସି ହୋଇଗଲେ ବାପା।

ପର୍ସ୍ ଧରି ନିଜ ରୁମ୍ ଭିତରକୁ ପଶି ଗଲେ ସେ। ପାଞ୍ଚ ଦଶ ମିନିଟ ବିତିଗଲା, ବାପା ନ ଆସିବା ଦେଖି ଅଜୟ ବାବୁ ଉଠିଗଲେ । ଝର୍କା ପାଖରେ ଛିଡ଼ା ହୋଇ ଦେଖିଲେ, ବାପା କଣ କରୁଛନ୍ତି !


କୋଡ଼ିଏ ବର୍ଷରୁ ଅଧିକ ହେବ ପୁରୁଣା ଫଟା ପର୍ସ୍ ଭିତରୁ ବାପା ବୋଉଙ୍କର ଫଟୋ ବାହାର କରି ନୂଆ ପର୍ସ୍ ଭିତରେ ରଖୁଛନ୍ତି ଅତି ଆଦରରେ। ପଞ୍ଚାଅଶୀ ବର୍ଷ ବୟସରେ କେହି କଣ ପର୍ସ୍ ଭିତରେ ପଇସା ରଖେ। ଏଇ ବୟସରେ ପର୍ସ୍ ଭିତରେ କିଛି ସ୍ମୃତି, କିଛି ଶ୍ରଦ୍ଧା ଆଉ କିଛି ପ୍ରେମକୁ ସାଇତି ରଖାଯାଏ ବୋଧହୁଏ , ଦୂରରୁ ଥାଇ ବାପାଙ୍କ ଖୁସି କୁ ଅନୁଭବ କରୁଥିଲେ ଅଜୟ ବାବୁ।


ବାପାଙ୍କ ଏଇ ଭାବପ୍ରବଣତା ଭିତରେ କଣ ପ୍ରେମ ଛୁପି ରହିଛି ! ବିବାହର ଷାଠିଏ ବର୍ଷ ପରେ ବି !

 

ବୋଉ ର ଫୋଟୋ କୁ ବାପାଙ୍କ ନୂଆ ଲେଦର୍ ପର୍ସ୍ ଭିତରେ ଦେଖିବା ପରେ, ଅଜୟ ବାବୁଙ୍କ ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଲା। ଲୁହ ଭାରି ଅମାନିଆ, ବୟସ ଦେଖେନି, ଅତିକ୍ରାନ୍ତ ବୟସରେ ବି କହ ଦହ କରେ ମଣିଷ କୁ।


"ମୃତ ବୋଉର ଫୋଟୋ କୁ ଷାଠିଏ ବର୍ଷ ପରେ ଏତେ ଯତ୍ନରେ ରଖିଛନ୍ତି ବାପା !!! ମୁଁ କିନ୍ତୁ ଜୀବନ୍ତ କଳ୍ପନାକୁ ମନ ଦେଇ ପାରିଲିନି। ବର୍ଷେ ଭିତରେ ଘର ଛାଡ଼ି ଚାଲିଗଲେ। ମୁଁ ତ କାହିଁ ମୋ ପର୍ସ ଭିତରେ କଳ୍ପନାଙ୍କ ଫଟୋ ରଖିନି। ଏତେ ବଡ଼ ଅନ୍ତର ବାପା ଓ ମୋ ଭିତରେ। ପ୍ରେମ ମୂଲ୍ୟହୀନ ଯଦି ଶ୍ରଦ୍ଧା ନ ଥାଏ, ମୁଁ ଅଭିମାନରେ ଅନ୍ଧ ହୋଇ କିଛି ଭୁଲ କରିନି ତ !!!"


ମୁକ୍ତ ଆକାଶ ଆଡ଼କୁ ଅନେଇଲେ ଅଜୟ ବାବୁ, ଦୁଃଖ ର ଲାଘବ ପାଇଁ ଅନେକ ଚେଷ୍ଟା କରୁଥିଲେ ସେ, ବାପା ପୁଣି ଥରେ ବାଲକୋନି ଭିତରକୁ ପଶି ଆସିଲେ।


-ବାପା ! କଳ୍ପନା କୁ ଡାକିବି, କହିବି, ଆଜି ବାପାଙ୍କ ଜନ୍ମ ଦିନ, ପ୍ଲିଜ୍ ଆସ !

-ହଁ ଡାକ୍, ନିଶ୍ଚୟ ଆସିବ ! ମୋତେ ଲାଗୁଥିଲା ସେଦିନ କିଛି କହିବ ବୋଲି, ଭିଡ଼ ଭିତରେ ସମ୍ଭବ ହେଲାନି ବୋଧ ହୁଏ... କିଛି କାହିଁ କହିଲାନି ତ !

***

କେତେ ବର୍ଷ ପରେ କିଚେନ୍ ରୁମ ଭିତରୁ ବାସନ କୁସନ ଶବ୍ଦ ସହିତ ଚୁଡିର ଝଣ ଝଣ ଶବ୍ଦ ଶୁଭୁଥିଲା, କଳ୍ପନା ଫେରି ଆସିଛନ୍ତି। ବିଳମ୍ବରେ ହେଉ ପଛକେ, ଘରଟା ସମ୍ପୂର୍ଣ୍ଣ ଲାଗୁଥିଲା ଦୀର୍ଘ ପଚିଶ ବର୍ଷ ପରେ, ସୁନ୍ଦର ସନ୍ଧ୍ୟା। ହସ ଛୁଟି ଆସୁଥିଲା ଘର ଭିତରୁ...

ଶୁଭୁଥିଲା, ହାପି ବାର୍ଥ ଡେ଼ ଟୁ ୟୁ, ହାପି ବାର୍ଥ ଡେ଼ ଟୁ ୟୁ ଡାଡ୍...



Rate this content
Log in

More oriya story from Nityananda Nandi

Similar oriya story from Classics