STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

କୁକୁର...ମଣିଷ...କୁକୁର

କୁକୁର...ମଣିଷ...କୁକୁର

3 mins
181

ଗାଡି ଚାଲିଯିବା ପରେ ଲୋକେ ରୁଣ୍ଡ ହୋଇଥିବା ଜାଗାକୁ ଜହ୍ନ ଚାଲି ଚାଲି ଗଲା। କିଏ ହୋଇଥାଇ ପାରେ କେଜାଣି।ଖାଲି ଘୋ ଘା ହେଉଛନ୍ତି ଲୋକେ। ଜନଗହଳି ଭିତରୁ ଝାଙ୍କି ଦେଖିଲା ଜହ୍ନ।ତଳେ ମେଞ୍ଚା ମେଞ୍ଚା ରକ୍ତ ପଡ଼ିଛି।କିଏ ବୋଧେ ଗାଡ଼ିରେ କଟିଯାଇ ରେଳ ଧାରଣା ଉପରେ ପଡି ଯାଇଛି !ହେଲେ କିଏ ?


ଦୁଇ ମିନିଟ ଭିତରେ ଭିଡ ଭାଙ୍ଗିଗଲା।ଯେ ଯା' ବାଟରେ ନିଜ କାମରେ ଆଗେଇ ଗଲେ।ରାତି ଅଧଟାରେ କେହି ମଧ୍ୟ ନିଜ ସମୟ ନଷ୍ଟ କରିବାକୁ ଚାହିଁଲେ ନାହିଁ।ତା ଛଡା ବୋଧେ ଯାହାର ଶରୀରଟା ସାମ୍ନାରେ ଖଣ୍ଡ ଖଣ୍ଡ ହୋଇ ପଡ଼ି ରହିଛି ସେ ଏତେ ଦରକାରିଆ ଜୀବନଟା ନୁହେଁ। ତା ଜୀବନଠୁଁ ବି ଅନେକ ବେଶୀ ମହତ୍ତ୍ୱପୂର୍ଣ୍ଣ କାମ ଅଛି ସମସ୍ତଙ୍କ ପାଖରେ।ହେଲେ ଏମିତି କିଏ ଗାଡି ତଳେ ପଡ଼ି ଚାଲିଗଲା ଯାହାର ଯିବାଟା ଏତେ ବେପରୁଆ ଭାବେ ସମସ୍ତେ ନେଇଗଲେ ? ଜହ୍ନର ମନଟା କେମିତି ଗୋଳେଇ ଘାଣ୍ଟି ହେଉଥାଏ। ଧିରେ ଧିରେ ଆଗକୁ ଯାଇ ଦେଖିଲା ।


ଜହ୍ନ ପିଲାଦିନରୁ ଏଇ ପ୍ଲାଟଫର୍ମ ଉପରେ ବଡ ହୋଇଛି।ତାର ମା ବାପ କିଏ ସେକଥା ଜାଣିନି।ହେଲେ ରହିମ ଚାଚା କୁହନ୍ତି ସିଏ କୁଆଡେ ତାକୁ ରେଳ ଧାରଣା ଉପରୁ ପାଇଥିଲେ।ରାତି ସମୟ ତୋଫା ଜହ୍ନ ଆଲୁଅରେ ତାକୁ ପ୍ରଥମେ ସେ ଦେଖି ଥିବାରୁ ତା ନାଆଁ ଜହ୍ନ ବୋଲି ରଖିଦେଲେ।ଠିକ୍ ସେହିପରି ତାରା ମଧ୍ୟ ଜହ୍ନକୁ ଏଇ ପ୍ଲାଟଫର୍ମ କଡ଼ରେ ହିଁ ମିଳିଥିଲା।ଅମାବାସ୍ୟା ରାତିରେ ସେ ଯେତେବେଳେ ଶୋଇବାକୁ ଚେଷ୍ଟା କରୁଥିଲା ତାରା ତା ଆଡ଼କୁ ନିରୀହ ଆଖିରେ ଚାହିଁ ରହିଥିଲା ସେଦିନ।ଆକାଶରେ ଅନ୍ଧକାର ଢାଙ୍କି ହୋଇ ରହିଥିଲା।ତାରାଗୁଡ଼ିକ କେବଳ ମିଞ୍ଜି ମିଞ୍ଜି ଦିଶୁଥିଲା ବୋଲି ଜହ୍ନ ତା ନାଁ ତାରା ରଖି ଦେଇଥିଲା।ତାକୁ ପାଖକୁ ଆଣି ନିଜ ପାଖରେ ସାଇତି ରଖିଥିବା ଅଧାଖିଆ ବ୍ରେଡ ଖଣ୍ଡିକ ଦେଲାରୁ ତାରା ଖୁସିରେ ଖାଇ ଦେଇଥିଲା।ତା ପାଖରେ ଜାକିଜୁକି ଶୋଇ ପଡ଼ିଥିଲା। ଆଉ ତା ପରେ ବୋଧେ ଦୁଇଜଣଙ୍କ ଭିତରେ ଏକ ରକମ ବନ୍ଧୁତା ବି ହୋଇ ଯାଇଥିଲା।


ଦିଜଣଙ୍କ କାହାଣୀ ପ୍ରାୟ ଏକା ପରି। କେହି ନାହାନ୍ତି ଆଗକୁ କି ପଛକୁ।ନା ଅତୀତ ସ୍ମୃତି ନା ଭବିଷ୍ୟ ଚିନ୍ତା !ହେଲେ ପେଟ ଜ୍ଵାଳାଟା ତ ଅଛି ନା ? ସକାଳୁ ଦୁହେଁ ଉଠି ଖାଦ୍ୟ ଯୋଗାଡ଼ରେ ଲାଗି ପଡ଼ନ୍ତି।ଦିନସାରା ଯେମିତି ସେମିତି କାଟିଦେଇ ରାତି ହେଲେ ଚିରା କମ୍ବଳଟିଏ ଘୋଡେ଼ଇ ହୋଇ ଶୋଇ ଶୋଇ ପଡ଼ନ୍ତି।ଆଗକୁ କଣ ହେବ ସେ ଚିନ୍ତା ସେମାନଙ୍କ ପାଖେ ନଥାଏ।ବର୍ଷା ଖରା ଶୀତ ସବୁ ସହି ସେହି ପ୍ଲାଟଫର୍ମକୁ ହିଁ ନିଜ ଘର ଭାବି ପଡିଥାନ୍ତି ଦୁହେଁ।


ସବୁଦିନ ପରି କିନ୍ତୁ ସେଦିନ ନଥିଲା।ଜହ୍ନକୁ ସଞ୍ଜ ନଇଁଲା ପରେ କେଜାଣି କେମିତି ଭାରି ଭାରି ଲାଗୁଥିଲା। ଶେଷ ଟ୍ରେନ ଆସିବା ସମୟ ଡେରି ଥିବାରୁ କିଛି ମଦ୍ୟପ ରେଳ ଲାଇନ କଡ଼ରେ ବସି ତାସ ଖେଳୁଥିଲେ।ସେଦିନ ଜହ୍ନକୁ ମିଳିଥିବା କିଛି ଖାଦ୍ୟ ସେ ନିଜେ ଖାଇ ତାରାକୁ ଖୁଏଇବା ପରେ କମ୍ବଳ ସଜାଡି ରଖିଲା ଆଉ ରେଳ ଲାଇନ୍ କଡକୁ ଶୌଚ କରିବାକୁ ଗଲା। ହଠାତ୍ ତା ଉପରକୁ ଝାଂପ ଦେଇଥିବା ମଣିଷ ରୂପୀ କୁକୁର ମାନଂକ ନିକଟରୁ ନିଜକୁ ବଞ୍ଚାଇବାକୁ ସେ ଚିତ୍କାର କରିବାରୁ ତାରା ଝପଟି ଆସିଥିଲା ଆଉ ନିଜ ସମସ୍ତ ଶକ୍ତି ଲଗେଇ ସେମାନଙ୍କୁ ଲହୁ ଲୁହାଣ କରି ପକେଇଥିଲା।ଜହ୍ନ ଖୁସି ହୋଇ ତାକୁ କୁଂଢ଼େଇ ଧରିଲା।ହେଲେ ତାରାର ଆଖି ସେହି ବଦମାସ୍ ମାନଂକ ଭିତରୁ ଜଣକୁ ରେଳ ଲାଇନ୍ ଉପରେ ଦୌଡିବାଟା ଦେଖି ପକେଇଲା ଆଉ ସେ ଦୌଡ଼ି ଚାଲିଲା ସେହି ଦୁଷ୍ଟଲୋକ ଆଡ଼କୁ।ଠିକ୍ ସେତିକି ବେଳେ ଆରପଟୁ ଆସୁଥିବା ଟ୍ରେନ ଧକ୍କାରେ ମାଂସ ପିଣ୍ଡୁଳାଟିଏ ହୋଇ ଆଖି ବୁଜି ଦେଇଥିଲା ସେହି ରେଳ ଲାଇନ୍ ଉପରେ !


ହଠାତ୍ କଣ ସବୁ ହୋଇଗଲା ବୁଝି ନ ପାରି ଜହ୍ନ କାଠଟା ପରି ଠିଆ ହୋଇଥିଲା ଯାହା।


"କୁକୁରଟାର ଶବ ଜଲଦି ଉଠାଅ ଟ୍ରେନ ଆସିବା ସମୟ ହେଲାଣି"କେହି ଜଣେ କହୁଥିବା ଶୁଣି ଜହ୍ନ ସଙ୍ଗେ ସଙ୍ଗେ ପାଟି କରି ଉଠିଲା "ସେ କୁକୁର ନୁହଁ ସେ ମୋ ତାରା ଯାହା ଭିତରେ ମଣିଷ ପଣିଆ ଭର୍ତ୍ତି ହୋଇଛି କିନ୍ତୁ ତମ ମଣିଷ ଭିତରର କୁକୁର ପଣିଆ ପାଇଁ ମୋତେ ଘୃଣା ଆସୁଛି ଛିଃ ବଞ୍ଚେଇ ଦେଉନ କି ଏବେ ମରେଇ ଦେଉନ ଧିକ ତମ ଜୀବନ । ଦୂରେଇ ଯାଅ ସବୁ।ମୋ ତାରାକୁ କେହି ହାତ ଲଗେଇବନି " କହି ସେହି ଖିନ୍ ଭିନ୍ ହୋଇ ପଡିଥିବା ମାଂସ ଟୁକୁରା ସବୁକୁ ଏକାଠି କରି କାନ୍ଦି କାନ୍ଦି ଜହ୍ନ ରାତିର ଅନ୍ଧକାରରେ କେଜାଣି କୁଆଡେ ଉଭେଇଗଲା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics