Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Binay Mohapatra

Romance

3  

Binay Mohapatra

Romance

କଥାତ ନଥିଲା

କଥାତ ନଥିଲା

8 mins
373


ସେ ଆସିବ ବୋଲି କଥାତ ଦେଇନଥିଲା । ମନ କିନ୍ତୁ ତାକୁଇ ଖୋଜୁଥିଲା । ଏଇ ଛୁଟି ଦିନ ଗୁଡିକ ସତରେ ପ୍ରେମିକମାନଙ୍କ ପାଇଁ ଭିଲିଆନର କାମ କରନ୍ତି । ସେକେଣ୍ଡ ସଟର-ଡେ ସନ-ଡେ ଦୁଇଦିନ ଛୁଟି, ଦୁଇ ବର୍ଷ ପରି ଲାଗେ । ଦୁଇଦିନ ଆଗରୁ ଶୁକ୍ରବାର ଦିନ ଦେଖା ହୋଇଥିଲା ବସଷ୍ଟପ୍ ପାଖରେ, ମୋତେ ଦେଖି କଣେଇ ଚାହିଁଥିଲା । ତା ଓଠର ସେଇ ମୃଦୁ ସ୍ମିତହସଟା ଏବେ ବି ଆଖି ଆଗରେ ନାଚି ଯାଉଛି । ସବୁ ଦିନ ସଂଧ୍ୟାବେଳେ ସେଇଠି ଦେଖାହୁଏ, କେବେ କିଛି କଥା ହୋଇନି ତା ସାଥିରେ । କେହି କାହାକୁ ଠିକ୍ ଭାବେ ଜାଣିନୁ ଏଯାଏ, ନାଆଁ ଗାଆଁ ଠିକଣା କିଛିବିତ ଜଣାନାହିଁ । ଖାଲି ଏଇଠି ଏମିତି ଦେଖାଚାହା, ଏଇ ବସ ଷ୍ଟପରେ । ମୋ ଅଫିସ୍ ସରିଲା ପରେ ମୁଁ ଏଇଠି ବସ ଧରେ, ସିଏ ବି । ବୋଧହୁଏ କୋଉ ଅଫିସରେ କାମ କରୁଛି । ବସ ଆସିବା ଭିତରେ ଯେତିକି ସମୟ ଆମ ପାଖରେ ଥାଏ, ସେତିକି ସମୟ ଏମିତି ସମସ୍ତଙ୍କ ନଜରକୁ ଲୁଚେଇ ଲୁଚେଇ ଜଣେ ଆଉ ଜଣକୁ କଣେଇ କଣେଇ ଦେଖୁଥିଲୁ । କେବେ କେବେ ଆଖିରେ ଆଖି ଲାଖି ଯାଆନ୍ତି । ସିଏ ଟିକେ ହସି ଦିଏ, ମୁଁ ବି । ବାସ୍ ଏତିକି ଚିହ୍ନା ଜଣା । ତାର ବସ ଆସେ, ସେ ଚାଲିଯାଏ । ବସରେ ଚଢିବା ପର୍ଯ୍ୟନ୍ତ ବୁଲି ବୁଲି ମୋ ଆଡକୁ ଦେଖେ । ତା ମୁହଁରେ ଏକ ବିରକ୍ତିର ଭାବ ସ୍ପଷ୍ଟ ଦିଶିଯାଏ । ସତେ ଯେପରି ବଡ ଅନିଚ୍ଛା ସତ୍ତ୍ୱେ ତାକୁ ଯିବାକୁ ହେଉଛି । ତା ଆଖିରେ କରୁଣତାର ଭାବ ଉଙ୍କି ମାରେ ତା'ଛଡା ଆଉକିଛି ବି ଦିଶେ ସେ ଆଖି ଦୁଇଟିରେ, ହେଲେ ସେ ଏକ ନିବେଦନ ଅବା ଆମନ୍ତ୍ରଣ ସ୍ପଷ୍ଟ ବାରି ହୁଏନି । ମୋତେ ଲାଗେ, ସେ ନିରିହ ଆଖି ଦୁଇଟି ଯେପରି କହୁଛନ୍ତି, ଏଇ.. କେତେ ଦିନ ଏମିତି ଲୁଚିଲୁଚି ଜଣେ ଆଉ ଜଣକୁ ଏମିତି ଦେଖୁଥିବା ? କେତେ ଦିନ ଏମିତି ଦୂରେଇ ଦୁରେଇ ରହିବ ? ପାଖକୁ ନେଇ ଯାଅନା ! ମୁଁ ବି ମନ ମନେ ବସ ଡ୍ରାଇଭରକୁ ବହୁତ ଗାଳି ବକିଯାଏ । ସବୁଦିନ ଠିକ୍ ଟାଇମରେ ଏମିତି ଚାଲି ଆସିବା କଣ ଜରୁରୀ ? ଆଉ ଘଡିଏ ଡେରିରେ ଆସି ନଥାନ୍ତା ?


ତା କଥା ଭାବିବାକୁ ବେଶ ଭଲଲାଗେ, ଖୁବ୍ ଚିହ୍ନା ଚିହ୍ନା ଲାଗେ ସିଏ । କିନ୍ତୁ ମନେପଡେନା, ତାକୁ ମୁଁ କେବେଠୁ ଚିହ୍ନିଛି ? ଆଗରୁ କେଉଁଠି କେବେ ଦେଖିଥିଲି କି ନାହିଁ ? ତଥାପି ସେ ବହୁତ ଚିହ୍ନା ଚିହ୍ନା ଲାଗେ, ଖୁବ୍ ଆପଣାର ଲାଗେ । ଜାଣେନା, ସିଏବି କଣ ଏମିତି ଭାବୁଥିବ ମୋ କଥା, ଯେମିତି ତା ଭାବନା ମୋ ମନଭିତରେ କେଉଁ ଏକ ଅଜଣା ଅତରର ମହକ ଭରିଦେଉଛି । ବହୁତ ଆପଣାର ଆପଣାର ଲାଗୁଥିଲା ସିଏ, କିନ୍ତୁ କାହିଁକି ? ମୁଁ ଜାଣି ପାରେନା, ଭାଭେ ସବୁ ପ୍ରଶ୍ନର କଣ ଉତ୍ତର ଥାଏ ? ଯେବେ ବି ଦେଖା ହୋଇଯାଏ ହଠାତ୍ ଛାତି ଭିତରେ ଅତଡା ଖସିଗଲା ପରି ଲାଗେ । ଦେହର ସବୁଯାକ ରକ୍ତ ଆସି ମୁଁହରେ ଜମା ହୋଇଯାଆନ୍ତି ଯେପରା । ତା ମୁହଁ ବି ହୋଲି ଖେଳିଲା ପରି ଲାଲ ହୋଇଯାଏ । ତା ଛାତିରେ ବି କଣ ସେଇ ଅତଡା ଖସେ ? ମୋ ପରି ତା ଦେହର ସବୁଜାକ ରକ୍ତ କଣ ତା ମୁହଁରେ ଜମା ହୋଇଯାଏ ? କେଜାଣି, ହୋଇଥିବ ! ତାହାହେଲେ ସେଇଠି ବି କଣ ଏମିତି ନିଆଁ ଜଳୁଥିବ, ଯେମିତି ମୋ ଛାତି ଭିତରେ ଜଳୁଛି !


ବେଳେ ବେଳେ ପଚାରି ଦେବାକୁ ମନ ହୁଏ । ମନ ହୁଏ ତା ସାମ୍ନାରେ ଯାଇ ଠିଆ ହୋଇଯିବାକୁ । ତା ମୁହଁକୁ ଚାହିଁ, ତା ଆଖରେ ଆଖି ମିଳେଇ ପଚାରି ଦେବାକୁ । କି ମନ୍ତର ଜାଣିଛି ସିଏ ? ଅବା କେଉଁ ଯାଦୁ ଅଛି ତା ଆଖିରେ ? ଥରଟିଏ ଦେଖାରେ ମୋତେ ଏମିତି ପୁରା କିଣିନେଲା । ମୋ ମନ ମୋ ହୃଦୟ ଆଉ ମୋ କାବୁରେ ନାହାଁନ୍ତି । ମୋ ଆଖି ମୋ କଥା ମାନୁନି । ବାରମ୍ବାର ତାକୁ ଦେଖିବାକୁ ତାଆରି ଆଡକୁ ବୁଲି ପଡୁଛନ୍ତି । ମୋ ମନ, ମୋ କଥା ମାନୁନି । ସବୁବେଳେ ତାରି ଭାବନା ଡୁବି ରହୁଛି । ବସ ଷ୍ଟପରେ ଠିଆ ହୋଇ ବସ କଥା ନଭାବି ମୁଁ ତାରି କଥା ଭାବୁଛି । ତାକୁ ଭୁଲିବା ପାଇଁ ଗାୟତ୍ରୀମନ୍ତ୍ର ଜପକରିବାକୁ ଚେଷ୍ଟାକରେ, ହେଲେ କଣ ହେବ, ଭୁର୍ଭୂବଃ ସ୍ୱଃ ପାଖରେ ଅଟକିଯାଏ ମୋ ମନ୍ତ୍ରପାଠ, ସେଇଠି ତାରି ଭାବନା ମାଡିବସେ ଗାୟତ୍ରୀମନ୍ତ୍ରର ଜପ ଉପରେ ଆଉ ମୁଁ ହଜିଯାଏ ତାରି ଭାବନା ଭିତରେ ।


××××


ଏମିତି ଭାବୁଭାବୁ କେତେବେଳେ ଯେ ମୁଁ ନଦୀକୂଳର ସେଇ ଝଙ୍କା ବରଗଛ ତଳେ ପହଞ୍ଚି ଯାଇଥିଲି ଜାଣେନା । ବରଗଛ ତଳର ସେଇ ଚବୁତରାଟାରେ ବସିପଡିଲି, ସଂଧ୍ୟାହୋଇ ଆସୁଥାଏ, କେହି କୁଆଡେ ନାହିଁ, ଶୁନଶାନ୍ ନଦୀ କୂଳଟା । ନଦୀଟା ଏବେ ଶୁଖି ଆସିଲାଣି, କେବଳ ଦୁଇ ତିନୋଟି ଜଲଧାରା ବୋହି ଯାଉଥାଏ । ଏପଟ କୂଳକୁ ଲାଗି ଗୋଟିଏ ଧାରା, ସେପଟ କୂଳକୁ ଲାଗି ଗୋଟିଏ ଆଉ, ମଝିରେ ଗୋଟେ ଦୁଇଟା ପତଳା ଜଳଧାରା । ଏପଟ ଧାରାଟି ଟିକ ଅଧିକ ଚଉଡା, ଗଭୀର ମଧ୍ୟ, ବିନା ଡଙ୍ଗାରେ ମଝି ପଠାଯାଏ ପହଞ୍ଚି ହେବନି । ପଠାଟା କିନ୍ତୁ ବହୁତ ସୁନ୍ଦର ଦିଶୁଛି, କାଶତଣ୍ଡି ଫୁଲରେ ଖୁନ୍ଦି ହୋଇଯାଇଛି, ସତେ ଲାଗୁଛି ପଠାଟାକୁ କିଏ ଧଳା ଶାଢୀ ପିନ୍ଧେଇ ଦେଇଛି । ପଶ୍ଚିମ ଆକାଶଟାରେ ଲାଲ ରଙ୍ଗ ବୋଳି କିଏ ଯେପରି ସୁନ୍ଦର ପେଣ୍ଟିଙ୍ଗଟିଏ ତିଆରି କରି ଦେଇଛି । ଶରତ ରୁତୁର କଳାଧଳା ମିଶା ନିର୍ଜଳା ବାଦଲ, ତା ଉପରେ ଅସ୍ତ ସୂର୍ଯ୍ୟର ନାଳିଆ ମୁରୁଜ ବୁଣି କେତେ ସୁନ୍ଦର ଝୋଟି ତିଆରି କରିଦେଇଛି । ପଶ୍ଚିମ ଆକାଶଟା ପୁରା ଲାଲ ଦେଖାଯାଉଛି । ଆଖିରେ ଆଖି ମିଶିଗଲେ ସେ ଝିଅଟା ଯେତେବେଳେ ଲାଜେଇ ଯାଏ ଆଉ ତାର ମୁହଁ ଲାଜରେ ଲାଲ୍ ହୋଇଯାଏ, ଠିକ୍ ସେମିତି ଲାଲ ଦିଶୁଥିଲା ପଶ୍ଚିମ ଆକାଶ । 


ଅସ୍ତ ସୂର୍ଯ୍ୟ ଲାଲ ବିନ୍ଦୁଟିଏ ପରି ଦେଖା ଯାଉଛି, ସତେ ଯେମିତି ନୁଆ ବୋହୁ ମଥାର ବଡ ସିନ୍ଦୁର ଟୋପାଟିଏ । ମୁଁ ସେଇ ଲାଲ ସୂର୍ଯ୍ୟର ଚାରିପାଖରେ ମୋ ଆଖିର ତୁଳି ନେଇ ଆକାଶର କାନଭାସରେ ମନର ରଙ୍ଗ ବୋଳି ବୋଳି ମୋର ସେଇ ଅଜଣା ପ୍ରେମିକାର ମୁହଁଟିକୁ ଆଙ୍କିବାକୁ ଚେଷ୍ଟା କରୁଥିଲି । ଆଉ ସେଇ ସୂର୍ଯ୍ୟର ସିନ୍ଦୁର ବିନ୍ଦୁକୁ ଠିକ ତାର ମଥାର ସୁନ୍ଥାଣୀତଳେ ସେଟ କରିବାକୁ ଚାହୁଁଥିଲି । ତାକୁ ନୁଆ ବୋହୁଟିର ରୂପରେ ଦେଖିବାକୁ କଳ୍ପନା କରୁଥିଲି । ନାଲି ଓଢଣୀରେ ଢଙ୍କା ଚାନ୍ଦ ପରି ତାର ସୁଢୋଳ ମୁହଁଟା ଚମକୁଥିବ । ଟୋପି ଟୋପି ଚନ୍ଦନ ବିନ୍ଦୁ ମଝିରେ ନାଲିଆ ସିନ୍ଦୁର ଟୋପାଟି ଝଟକୁଥିବ, ମଥାଉପରକୁ ଝୁଲିପଡିଥିବ ତାର କେରା କେରା ଚୁର୍ଣ୍ଣକୁନ୍ତଳ । ଗୋଲାପି ଗୋଲାପି ତାର ଓଠରେ ଲାଜରେ ଗାଧୁଆ ସ୍ମିତହସର ପତଳା ରେଖାଟିଏ ଚମକି ଯାଉଥିବ ।


ହଠାତ୍ ଲାଗିଲା କିଏ ଯେପରି ମୋ ପଛରେ ଠିଆହୋଇଛି, ମୋ ସାଥିରେ ମୋ ପ୍ରିୟା ମଥାର ସେଇ ସିନ୍ଦୂର ବିନ୍ଦୁଟିକୁ ନିରେଖି ଦେଖୁଛି । ଆକାଶର କାନଭାସରେ ଆଙ୍କିଥିବା କଳ୍ପନାର ମୋ ପ୍ରିୟାକୁ ଦେଖୁଛି । ଚମକି ପଡିଲି ମୁଁ ।


ପଛକୁ ଫେର ଚାହିଁଲି । ଆରେ......, ତୁମେ ଏଠି ? କଥାତ ନଥିଲା ଏଇଠି ଭେଟିବା ବୋଲି । ସେ ଟିକେ ହସିଲା, ସେଇ ଏକା ପ୍ରକାରର ହସ, ମୋତେ ଦେଖିଲେ ସବୁବେଳେ ଯେମିତି ହସେ ! ସେଇ ନଈକୂଳରେ ମୋ ଉପସ୍ଥିତିଟା ସତେ ଯେପରି ତାପାଇଁ ଅସ୍ୱାଭାବିକ ନଥିଲା ! ସେ କଣ ଜାଣିଥିଲା, ମୁଁ ଏଇଠି ତାକୁ ଅପେକ୍ଷା କରିଛି ବୋଲି ? ତଥାପି ତା ମନର ଭାବନାକୁ ଲୁଚେଇ ସେ ତାର ମିଠା ମିଠା ସ୍ୱରରେ କହିଲା, ନାଇଁ... ଏମିତି ତୁମକଥା ଭାବୁ ଭାବୁ ମୁଁ କେମିତି ଏତେବାଟ ଚାଲି ଆସିଲି ଜାଣିନି । ହେଲେ ତୁମେ ଏଇଠି କେମିତି ?? ପ୍ରଥମ ଥର ପାଇଁ ଶୁଣିଲି ତା କୋକିଳକଣ୍ଠର କୁହୁ କୁହୁ ରାଗିଣୀ, ବୀଣା କଣ ଏମିତି ମଧୂର ସ୍ୱରରେ ବାଜେ ? କବିମାନେ ସେଇଥି ପାଇଁ ବୋଧହୁଏ ଉପମା ଦିଅନ୍ତି ବୀଣାଜିଣା ସ୍ୱର ।


ମୁଁ ତା ପ୍ରଶ୍ନର ଜବାବ ଖୋଜୁଥିଲି । ତାରି କଥାକୁ କେମିତି ତାକୁ ଶୁଣେଇଦେବି, କହିଦେବି ଯେ ତୁମ କଥା ଭାବୁ ଭାବୁ ଅଜଣାରେ ମୁଁ ବି ଏତେବାଟ ଚାଲି ଆସିଥିଲି ! ତା କଥା ଶୁଣି ମୋ ଦେହରେ ରୋମାଞ୍ଚ ଖେଳିଗଲା । ଏ କଥା ଜାଣି ଖୁସିବି ଲାଗିଲା, ସିଏ ବି ମୋ କଥା ଭାବୁଛି, ଠିକ୍ ଯେମିତି ତାରି କଥା ମୁଁ ସବୁବେଳେ ଭାବୁଛି । ନିଆଁ ଏଠିବି ଜଳୁଛି ଏଇ ହୃଦୟରେ, ନିଆଁ ସେଇଠି ବି ଜଳୁଛି ତାରି ହୃଦୟରେ । ପ୍ରେମର ଛୁଆଁ କଣ ସମସ୍ତଙ୍କ ଅଜାଣତରେ ଏମିତି ଏକାବେଳେ ଦୁଇଟି ହୃଦୟରେ ଏକା ପ୍ରକାରର ପ୍ରଣୟର ନିଆଁ ଲଗାଇଦିଏ ?


ଆମେ ଜଣେ ଆଉ ଜଣଙ୍କ ମୁହଁକୁ ସେମିତି ଦେଖୁଥିଲୁ । ଦୁଇଯୋଡା ଆଖି ଦେଇ ଜଣେ ଆଉ ଜଣକ ଭିତରେ ହଜି ଯାଇଥିଲୁ ଯେପରି । ସୂର୍ଯ୍ୟର ଲୋହିତ ଆଭାରେ ମୁହଁଟା ତାର ଚମକି ଉଠୁଥିଲା । ମୃଦୁ ପବନରେ ଉଡିଯାଉଥିଲା ତାର କେରା କେରା ଚୁର୍ଣ୍ଣ କୁନ୍ତଳ । ଓଠ ତାର ନିର୍ବାକ୍ ଥିଲା, କିନ୍ତୁ ତାର ଆଖି ଶୁଣେଇ ଯାଉଥିଲା ତା ହୃଦୟର ଅକୁହା କଥାସବୁ । ମନ ହେଉଥିଲା ବାହୁ ମେଲାଇ ଆଲିଙ୍ଗନର ଆମନ୍ତ୍ରଣ ଦେବାପାଇଁ । ସାଉଣ୍ଟି ନେବାକୁ ନିଜର ଛାତିଉପରେ, ଚାପି ଧରିବାକୁ ନିବିଡ ବାହୁ ବନ୍ଧନରେ ଆଉ ହଜିଯିବାକୁ ତାର ସେଇ ଭସା ଭସା ଚାହାଣୀରେ, ଭିଜିଯିବାକୁ ତାର ପ୍ରେମର ସମୁଦ୍ରରେ ।


ତାର ଆଖି ସତେ କଥାକହୁଥିଲା, ଏଇ... ଏମିତି ଚାହିଁ ରହିଛ କ'ଣ ଯେ ? ଏମିତି କଣ ଦେଖୁଚ ମୋତେ । ମୁଁ ଯେ ତୁମର, ମୋତେ ଆପଣାର କରିନିଅ, ଏ ବିରହ ଆଉ ସହି ହେଉନି । ସେତିକି ବେଳେ ନୀଡବାହୁଡା ମରାଳ ଯୁଥଟିଏ କଳରବ ଉଡିଗଲେ । ସେମାନଙ୍କର କଳରବରେ ବିଶ୍ୱାମିତ୍ରଙ୍କ ତପସ୍ୟା ସତେ ଭାଙ୍ଗିଦେଲା । ହଠାତ୍ ଚମକି ପଡିଲା ସିଏ । ଆମେ ଜଣେ ଆଉ ଜଣଙ୍କ ଭିତରେ ହଜି ଯାଇଥିଲୁ, ଏମିତି ଠିଆହୋଇ ସତେ ଅବା ଆମେ ଦିଜଣ ସପନ ଦେଖୁଥିଲୁ । ସେ ତାର ହାତ ବଢାଇ ମୋ ମୁହଁକୁ ତା ହାତରେ ଛୁଇଁଲା, କହିଲା ସ୍ୱପ୍ନ ଦେଖୁନି ତ ! ତାପରେ ତନ୍ଦ୍ରାଚ୍ଛନ ଆଖିରେ ମୋତେ ଦେଖି କହିଲା "ମୋତେ ଟିକ ଚିମୁଟି ଦିଅନା' ପଚାରିଲି କାହିଁକି ? ସେ ଟିକେ ଲାଜେଇ ଗଲା । କହିଲା ମୋର ବିଶ୍ୱାସ ହେଉନି ତୁମେ ମୋ ପାଖରେ ଅଛ, ମୋ ସାଥିରେ ଅଛ, ମୋର ଏତେ ପାଖରେ ଠିଆ ହୋଇଛ ! ମୁଁ ହାତ ବଢାଇ ତାର ନାକକୁ ଚିପି ଧରିଲି, ସେ ମୋ ହାତକୁ ଖପ୍ କରି ଧରିପକେଇ କହିଲା, ଉଃ.. ଏତେ ଜୋରରେ ଚିପିବାକୁ ତ କହି ନଥିଲି ତୁମକୁ ।


ହଠାତ୍ ସେ ଚମକି ପଡିଲା, ଦିପାଦ ପଛକୁ ଘୁଞ୍ଚିଯାଇ ମୋ ମୁହଁରୁ ଆଖି ଫେରାଇନେଲା । ତଳକୁ ମୁହଁକରି ଭୂଇଁକୁ ଦେଖିଲା । ସେଇ ବାଲି ଉପରେ ତାର ଗୋଡ ଆଙ୍ଗୁଠିରେ ବୃତ୍ତ ଆଙ୍କିବାକୁ ଚେଷ୍ଟା କରୁଥିଲା । ସେମିତି ତଳକୁ ଚାହିଁ ପଚାରିଲା, କିଛି କହିଲେନି ଯେ, ଆପଣ ଏଇଠି କେମିତି ? ତାର ଏଇ ଆପଣ ଡାକଟା ମୋତେ ମୋଟେ ଭଲ ଲାଗିଲାନି, ମୋତେ ଲାଗିଲା, ସତେ ଯେପରି ଆପଣ କହି ସେ ମୋତେ ପଛକୁ ଧକ୍କା ଦେଇଦେଲା । କହିଲି ଆଉ ଆପଣ କାହିଁକି, ତୁମେ ବୋଲି ଡାକ, ଭଲ ଲାଗୁଛି ତୁମର ସେ ତୁମ ଡାକଟା । ସେ ସନ୍ତର୍ପଣରେ ମୁହଁ ଉଠାଇ ମୋ ମୁହଁକୁ ଚାହିଁଲା, ଆମ ଆଖି ପୁଣି ଏକାଠି ହୋଇଗଲେ । ସତେ ସେ ମୋ ଆଖିରେ ମୋ ପ୍ରେମର ଗଭୀରତା ମାପିବାକୁ ଚେଷ୍ଟା କରୁଥିଲା । ସେମିତି ମୋ ଆଖିକୁ ଚାହିଁ ଆଉଥରେ ପଚାରିଲା, ତୁମେ କଣ ଜାଣିଥିଲ ମୁଁ ଏଠିକି ଆସିବି ବୋଲି ? ଆମେ ସେମିତି ଜଣେ ଆଉ ଜଣକ ଆଖି ଭିତରେ ହଜିଯାଉଥିଲୁ, ମୁଁ କହିଲି, ମୁଁ ଯଦି ତୁମକୁ ସେଇ ଏକା ପ୍ରଶ୍ନ ପଚାରେ, ତୁମେ କଣ ଜାଣିଥିଲ ମୁଁ ତୁମକୁ ଏଇଠି ଅପେକ୍ଷା କରିଥିବି ବୋଲି ?? ସେ ଫିକ୍ କରି ହସିଦେଲା ଆଉ ମୁହଁ ବୁଲେଇ ନେଲା ନଈର ପାଣି ଆଡକୁ, ପଚାରିଲା, ତେବେ ଆମେ ଦିଜଣ ଏଇଠି ହଠାତ୍ କେମିତି, କିଏ ଡାକିଆଣିଲା ଆମ ଦିଜଣଙ୍କୁ ଏଇଠିକି, ବିନା କିଛି ପୂର୍ବାଭାଷରେ ହଠାତ୍ ଆମେ ଦିଜଣ ଏଇଠି ଏମିତି ଏକାଠି ହୋଇଗଲେ କିପରି ? ଏଇଟା କଣ ସଂଯୋଗ ?


ହଠାତ୍ ମୋ ପାଟିରୁ ବାହାରି ପଡିଲା, ଆରେ ସେତ ଭକତ ଡୋରୀରେ ବନ୍ଧା । ଜଗନ୍ନାଥଙ୍କୁ ଭକ୍ତ ଯେପରି ଖୋଜେ, ଜଗନ୍ନାଥେ ଭକ୍ତକୁ ବି ସେମିତି ଖୋଜୁଥାନ୍ତି, ଆଉ ଏକଥା ଉଭୟ ଜାଣନ୍ତି । ଜଣେ ଯେଉଁ ଦିଗରେ ଯାଏ ଆଉ ଜଣେ ତା ପଛେ ପଛେ ଟାଣି ହୋଇଯାଏ । ଏଇଟାକୁ ବୋଧେ intuitions କହନ୍ତି, ପ୍ରତ୍ୟେକ ଜୀବ ଭିତରେ ଥାଏ ଏଇ ଗୁଣଟା । ତୁମେ ଯାହାକୁ ଚାହଁ, ତୁମ ଅଜାଣତରେ ତାରି ଆଡକୁ ଟାଣି ହୋଇଯାଅ, ଚୁମ୍ବକର ବିପରିତ pole ପରସ୍ପରକୁ ଟାଣିଲା ପରି, ରାଧାବି ଏମିତି କୃଷ୍ଣ ପ୍ରେମରେ ଟାଣିହୋଇ ଦଉଡି ଆସୁଥିଲେ ଜମୁନା କୂଳକୁ । ଲୋକେ ତ ମିଛରେ ମୂରଲୀକୁ ବଦନାମ କରୁଥିଲେ, ଦୋଷ ଦେଉଥିଲେ । କିନ୍ତୁ ସିଏତ ପ୍ରେମର ଏକ ଅଦୃଶ୍ୟ ଶକ୍ତିଥିଲା ଯାହା ରାଧା-ମାଧବଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଥିଲା । ପ୍ରେମ ଅଦୃଶ୍ୟ କିନ୍ତୁ ଅତି ଶକ୍ତିଶାଳୀ, ପ୍ରେମୀଯୁଗଳଙ୍କୁ ଟାଣିଆଣେ ଗୋଟିଏ ବିନ୍ଦୁ ଉପରକୁ, ଯେମିତି ଚୁମ୍ବକ ଟାଣେ । ତୁମେ ଯାହାକୁ ଖୋଜୁଛ ସିଏବି ତୁମକୁ ଖୋଛୁଛି । ତୁମେ ଯେମିତି ଏକ ଅଜଣା ଡୋରିରେ ଏଠିକି ଟାଣି ହୋଇ ଆସିଛ, ଠିକ୍ ସେଇ ଡୋରୀ ମୋତେ ବି ଟାଣି ଆଣିଥିଲା ଏଇଠିକି ।


ସେ ଡୁବିଲା ସୂର୍ଯ୍ୟକୁ ଚାହିଁ ପଚାରିଲା, ମୁଁ ଆସିବା ପୂର୍ବରୁ ତୁମେ ସଂଧ୍ୟାର ଏଇ ସୂର୍ଯ୍ୟକୁ ଦେଖୁଥିଲନା' ? ହଁ, ସୂର୍ଯ୍ୟକୁ ଦେଖୁଥିଲି, ନଦୀକୂଳରେ ଏଇ ସଂଧ୍ୟାଦୃଶ୍ୟ ଖୁବ୍ ସୁନ୍ଦର ନା? ନଈ ଆର ପାଖର ସେଇ ପାହାଡ ସନ୍ଧିରେ ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହୋଇଯିବ । ସେ କହିଲା, ହଁ ଖୁବ୍ ସୁନ୍ଦର, ପିଲାଦିନେ ସୂର୍ଯ୍ୟାସ୍ତର ଅନେକ ଚିତ୍ର ଆଙ୍କିଛି, ମୋତେ ବହୁତ ଭଲ ଲାଗେ । ହେଲେ ତୁମେ ଆଉ କିଛି ଦେଖୁଥିଲ ସୂର୍ଯ୍ୟରେ, ଭାବନାରେ ହଜିଯାଇଥିଲ ସେଇ ସୂର୍ଯ୍ୟକୁ ଦେଖି, କଣ ଭାବୁଥିଲ ? ମୁଁ ତା ପାଖକୁ ଚାଲିଗଲି, ସେ ସେପର୍ଯ୍ୟନ୍ତ ସିଏ ମୋତେ ପଛକରି ନଦୀ ଆଡକୁ ମୁହଁ ବୁଲାଇ ଠିଆ ହୋଇଥିଲା । ମୁଁ ଦୁଇ ହାତ ତା କାନ୍ଧ ଉପରେ ରଖି ତାକୁ ବୁଲେଇ ଦେଲି ମୋ ଆଡକୁ, ଆମେ ସାମ୍ନା ସାମ୍ନି ହୋଇଗଲୁ । ତା ମୁହଁକୁ ଚାହିଁ କହିଲି, ସେଇ ଅସ୍ତସୂର୍ଯ୍ୟ ସତେ ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଛି । ଆଉ ମୁଁ ସେଇ ସିନ୍ଦୂର ବିନ୍ଦୁର ଚାରିପାଖରେ ମୋ ପ୍ରିୟାର ମୁହଁଟା ଆଙ୍କୁଥିଲି । ମୁଁ ଚାହୁଁଛି ସେଇ ସିନ୍ଦୂର ବିନ୍ଦୁ ମୋ ପ୍ରିୟାର ମଥାରେ ପିନ୍ଧେଇ ଦେବାକୁ, ମୋ ହାତର ଟିପ ତାର ମଥାଛୁଇଁ ସିନ୍ଦୂର ବିନ୍ଦୁ ପିନ୍ଧାଇ ଦେଉଥିଲା ତାର ଶୁନ୍ୟମଥାରେ । ସେ ଆଉଜି ପଡିଲା ମୋ ଛାତି ଉପରକୁ, ଆଉ ମୋର ବାହୁ ସାଉଣ୍ଟି ନେଉଥିଲା ପ୍ରିୟାକୁ ନିଜର ନିବିଡ ବନ୍ଧନରେ ।


*** ×***


Rate this content
Log in

More oriya story from Binay Mohapatra

Similar oriya story from Romance