STORYMIRROR

MADHU MITA

Classics Inspirational

4  

MADHU MITA

Classics Inspirational

କସ୍ତୁରୀ

କସ୍ତୁରୀ

9 mins
568

ଜାନୁଆରୀର ଏଇ ଫେରନ୍ତା ଶୀତରେ ବି ଏତେ ଶିହରଣ ଏତେ ଉନ୍ମାଦନା ପୂର୍ବ ନିର୍ଦ୍ଧାରିତ ପାର୍କର ସାମ୍ନା ଗେଟ୍ ଅତିକ୍ରମ କରିବା ପରେ ଚାରିଆଡ଼େ ଆଖି ବୁଲେଇ ଆଣିଲା ଅବିକା ଦେଖୁଥିଲା ଗତ ଦୁଇବର୍ଷ ତଳେ ଅନେକ ସମୟ ବିତେଇ ଥିବା ସେଇ ସିମେଣ୍ଟ ବେଞ୍ଚ ଆଉ ସେ ପାଖରେ ମୁକସାକ୍ଷୀ ହୋଇ ଠିଆ ହୋଇଥିବା ସେ କୃଷ୍ଣଚୂଡ଼ା ଗଛଟିକୁ।


ଏତେ ଭିଡ଼ ନ ଥିଲେ ବି କିଛି ଲୋକ ଓ ପ୍ରେମୀଯୁଗଳ ଏପଟ ସେପଟ ହେଉଥିଲେ।ସେ ଏ ସହରରେ ମାତ୍ର ଦୁଇବର୍ଷ ହେଲା ରହିଛି ସତ କିନ୍ତୁ ସମସ୍ତେ ପ୍ରାୟ ଅପରିଚିତ ଏଇଠି।ତାର ସେଇ ପୂର୍ବ ପରିଚିତ ସିମେଣ୍ଟ ବେଞ୍ଚ ଉପରେ ବସି ଭ୍ୟାନିଟିରୁ ସ୍କାର୍ଫଟିକୁ ଆଣି ମୁଣ୍ଡରେ ଭିଡ଼ି ଦେଇ ହାତ ଘଣ୍ଟାକୁ ଚାହିଁଲା।ଆହୁରି କୋଡ଼ିଏ ମିନିଟ ବାକି।


କାଳେ କିଛି ମେସେଜ ଥିବ ଭାବି ମୋବାଇଲରେ ହ୍ୱାଟସଆପ୍ ଅନ କଲା ଅବିକା

ନା କିଛି ମେସେଜ ନାହିଁ ! ଆଜି ମଧ୍ୟ ସେ ତା ଆଡୁ କିଛି ମେସେଜ ଦେବା ପରେ କାଁ ଭାଁ ରିପ୍ଲାଇ ଆସେ ସିନା କିନ୍ତୁ ନିହାର ନିଜ ତରଫରୁ କେବେ ମଧ୍ୟ ପ୍ରଥମ କରି ମେସେଜ ଦିଅନ୍ତନି।ତାର ମନ ମଧ୍ୟ ପଡୁନି କେବେ ସେମାନେ ଫୋନରେ ଶେଷଥର କଥା ହୋଇଥିଲେ।ଗତ ଦୁଇବର୍ଷ ଭିତରେ ଦେଖା ହେବାର କୌଣସି ଆବଶ୍ୟକତା ମଧ୍ୟ କାହା ନିକଟରେ ନ ଥିଲା ହଁ..ଏମିତି ହିଁ ବଦଳି ଯାଇଥାଏ କିଛି ସମ୍ପର୍କ ଦୀର୍ଘଶ୍ୱାସ ନେଇ ନିଜ ଦୁଇ ହାତକୁ ଛନ୍ଦି ଦେଇ ଟିକେ ଆଖି ବନ୍ଦ କରି ଦେଇଥିଲା ଅବିକା । ଏଇ ସେଇ ବେଞ୍ଚ ଯାହା ଉପରେ ସେ ତାକୁ ପାଇଥିଲା ସେଦିନ ଆଉ ତା ଜୀବନ ବଦଳି ଯାଇଥିଲା ପୁରାପୁରି।ବଞ୍ଚିବାର ଏକ ଦୁର୍ବାର ମୋହ ଏକ ଅଦମ୍ୟ ଆଗ୍ରହ ତା ମନରେ ଉଙ୍କି ମାରି ସାରିଥିଲା।ଏଇ ତ ସେଇ ସ୍ଥାନ ଯେଉଁ ସ୍ଥାନରେ ତା ସହ ତାର ନୂଆ ପରିଚୟ ଆରମ୍ଭ ହୋଇ ଯାଇଥିଲା ଆଉ ତା ପରେ ତା ଜୀବନ ମହକି ଉଠିଥିଲା ଅଚାନକ ଆଜି ସବୁକିଛି ଆଖି ଆଗରେ ଏକ ଫିଚର ଫିଲ୍ମର କାହାଣୀ ପରି ସଫା ସଫା ଦେଖା ଯାଉଥିଲା ଆଉ ଅବିକା ଆଖି ବନ୍ଦ କରି ମଧ୍ୟ ସବୁ ସ୍ପଷ୍ଟ ଦେଖି ପାରୁଥିଲା

ଦେଖୁଥିଲା ସେହି ଦିନକୁ ଯେଉଁ ଦିନ ନିହାରଙ୍କ ହାତ ଧରି ସେ ଗୋଟିଏ ନୂଆ ଦୁନିଆକୁ ଆସିଥିଲା ସେହି ଦୁନିଆକୁ ଯାହାକୁ ଲୋକେ ସାତଜନ୍ମର ବନ୍ଧନ ବୋଲି କୁହନ୍ତି।ଆଉ ସେ ମଧ୍ୟ କିଛି କମ୍ ରଖି ନ ଥିଲା ସେହି ବନ୍ଧନର ଉଷ୍ମତା ବଜାୟ ରଖିବାକୁ।ଦାମ୍ପତ୍ୟ ପ୍ରେମର ଜୁଆରରେ ଭାସି ଯାଉ ଯାଉ ନିଜ କ୍ୟାରିଅର ବିଷୟ ଏକ ରକମ ଭୁଲି ଯାଇଥିଲା ଆଉ ବିତି ଯାଇଥିଲା ଦିନ ପରେ ଦିନ ମାସ ପରେ ମାସ ବର୍ଷ ପରେ ବର୍ଷ "ଆଠ ବର୍ଷ ହେଲାଣି ବାହାଘର ହେଇ। ଆଉ କଣ ପାଚିଲା ବୟସରେ ଛୁଆ ପିଲା କରିବ ନା କଣ ?ଷବୋହୂର ଚେକ୍ ଅପ୍ କରିଲୁ ନା ନାହିଁ ଗୋଟେ ଡାକ୍ତର ନ ହେଲେ ଆଉ ଗୋଟେ ଡାକ୍ତର ଦେଖାଉନୁ କେତେ କହିବାକୁ ହେବ ଏ ବିଷୟ"ଶାଶୁ ଦିନରାତି ପାଟି କରି କହୁଥିଲେ।ଆଉ କେତେ ଚେକ୍ଅପ୍ କରିବ ଅବିକା ?ବିଗତ ଚାରି ବର୍ଷ ହେଲାଣି ଖାଇବା ପିଇବା ପରି ଡାକ୍ତର ପାଖକୁ ଯିବା ମଧ୍ୟ ଏକରକମ ଦୈନନ୍ଦିନ ଅଭ୍ୟାସ ହେଇ ଯାଇଥିଲା।କିନ୍ତୁ ତାର ଯେ ସବୁ ରିପୋର୍ଟ ନର୍ମାଲ ଥିଲା।କୌଣସି ଡ଼ାକ୍ତର କେବେ କିଛି ଅସୁବିଧା ଥିବା କଥା କହି ନ ଥିଲେ।ତେବେ କେତେଥର କହିବାକୁ ଚେଷ୍ଟା କରିଛି ନିହାରଙ୍କୁ।ଥରେ ସେ ମଧ୍ୟ ତାଙ୍କର ଚେକ୍ ଅପ୍ କଲେ ଅସୁବିଧା କଣ କିନ୍ତୁ ନା ନିଜ ପୌରୁଷତ୍ବ ଉପରେ ଏତେ ବଡ ପ୍ରଶ୍ନ ଲଗେଇବା ପାଇଁ ନିହାର ଭଲା କେମିତି ରାଜି ହୁଅନ୍ତେ ଆଉ ସମାଧାନ ରହିଥାନ୍ତା ଭଲା କେଉଁଠି କେମିତି ଅସହ୍ୟ ଯନ୍ତ୍ରଣା ଭରିଗଲା ଜୀବନରେ ସ୍ପୃହାହୀନ ହୋଇ ଉଠିଲା ସବୁ ସମ୍ପର୍କ।ଶାଶୁ କହିଦେଲେ ପିଲା ଛୁଆ ନ ହେଲେ ପୁଅର ଦ୍ଵିତୀୟ ବିବାହ କରିଦେବେ।ଅବିକା ଘରଲୋକେ ମଧ୍ୟ କଣ କହିଥାନ୍ତେ ଆଉ ?ବିବାହ ବନ୍ଧନର ସାର୍ଥକତା ତ କେବଳ ସନ୍ତାନ ପ୍ରାପ୍ତିରେ ଥାଏ ନା ଏହି ସତ୍ୟକୁ କଣ କେବେ ଅସ୍ୱୀକାର କରା ଯାଇପାରେ ବଞ୍ଚିବାକୁ କଷ୍ଟ ହେଲା ନିହାରଙ୍କ ସହିତ।ନିଜେ କିଛି ନ କହିଲେ ମଧ୍ୟ ନିଜ ମା କହୁଥିବା ଶୃତିକଟୁ ଅଶ୍ରାବ୍ୟ ଭାଷାସବୁ ଶୁଣି ମଧ୍ୟ ଚୁପ୍ ରହୁଥିଲେ ସେ।ଅସ୍ତବ୍ୟସ୍ତ ଜୀବନର ସମୟ କାଟିବାକୁ ପାଖ ସ୍କୁଲରେ ପିଲାଂକୁ ପଢେଇବାକୁ ଆରମ୍ଭ କଲା ଅବିକା।ଆଉ ଜାତୀୟ ସ୍ତରର ଏକ ପ୍ରବେଶିକା ପରୀକ୍ଷା ଦେଇ ସେଥିରେ କୃତକାର୍ଯ୍ୟ ମଧ୍ୟ ହେଲା।କିନ୍ତୁ ତାଙ୍କ ସହରଠାରୁ ଢେର୍ ଦୂରରେ ଏହି ସହରରେ ଏକ କଲେଜ୍ ରେ ତାର ପୋଷ୍ଟିଂ ହେଲା।ନିହାର ଥରେ ମଧ୍ୟ କହିଲେନି ରହି ଯିବାକୁ !ସତେ ଯେପରି ସେ ରହୁ କି ନାହିଁ ତାଙ୍କର କିଛି ବି ଫରକ୍ ପଡିବନି


ବ୍ୟାଗ୍ ପ୍ୟାକ କରି ଅବିକା ଯିବାକୁ ବାହାରିଲା ବେଳେ ହଠାତ୍ ନିହାର କହିଲେ "ଅବିକା ମୁଁ ଷ୍ଟେରାଇଲ।ସନ୍ତାନ ଜନ୍ମ କରିବା ମୋ ପାଇଁ ସମ୍ଭବ ନୁହେଁ।କିନ୍ତୁ ଏ ସତ କଥା କାହାକୁ କେବେ ବି କହି ପାରିବିନି।ଏଣୁ ମୁଁ ଚୁପ୍ ରହିଛି।ଆଜି ତୁମେ ଚାଲି ଯାଉଛ।ଯଦି ଚାହିଁବ ହେଲେ ନୂଆ ଜୀବନ ଆରମ୍ଭ କରିପାର।ଦ୍ଵିତୀୟ ବିବାହ ମଧ୍ୟ କରିପାର।ମୋର ଆପତ୍ତି ନାହିଁ।କିନ୍ତୁ ତୁମକୁ ଆଜି ଏ ସତ କହିବା ପରେ ମୁଁ ତୁମକୁ କେବେ ଆଉ ଫେସ୍ କରି ପାରିବିନି।ମୋ ମା ମୋତେ ବହୁତ୍ ଭଲ ପାଏ।ସେ ଯେଉଁ ଧାରଣାରେ ଅଛି ତାକୁ ଏବେ ଆଉ ବଦଳେଇବିନି।କିନ୍ତୁ ଦ୍ୱିତୀୟ ବିବାହ ମୁଁ କଦାପି କରିବିନି।ସେଥିରେ କିଛି ଲାଭ ନାହିଁ ଆଉ।ସନ୍ତାନ ଜନ୍ମ ସମ୍ଭବ ନୁହେଁ ବୋଲି ଭାବନି ମୁଁ ତୁମ ଛଡା ଆଉ କାହାକୁ ମୋ ଲାଇଫ ପାର୍ଟନର କରି ପାରିବିନି।ବରଂ ଏମିତି ମା ସହିତ ହିଁ ବଳକା ଜୀବନ କାଟିଦେବି। ବିକଜ୍ ଆଇ ଲଭ ୟୁ ମୋର ଦ୍ୟାନ୍ ମାଇ ସେଲ୍ଫ।କିନ୍ତୁ ଅବିକା ମୋ ମନରେ ଥିବା ଗିଲ୍ଟ ତା ଠାରୁ ଢେର ଅଧିକା।ତେଣୁ ମୁଁ ତୁମ ରାସ୍ତା ଅଟକେଇବିନି ! ତୁମେ ତୁମେ ଆଜିଠାରୁ ସମ୍ପୂର୍ଣ୍ଣ ମୁକ୍ତ


ଅବାକ୍ ହୋଇ ଚାହିଁଥିଲା ଅବିକା।କଣ ସବୁ କହିଗଲେ ନିହାର।ଯଦି ସେ ଆଗରୁ ତାକୁ ସତ କଥା କହିଥାନ୍ତେ ତେବେ ଡାକ୍ତର ପାଖକୁ ଯାଇ ଯାଇ ଏତେ ଶାରୀରିକ ମାନସିକ ଆଘାତ ସେ ପାଇ ନ ଥାନ୍ତା।ତା ଛଡା ତା ଉପରେ ବାଂଝ ହେବାର ଏତେ ବଡ ଲାଞ୍ଛନ ବି ଲାଗି ନ ଥାନ୍ତା।ଏତେ ବଡ କଥା କଣ କେହି କେବେ ଲୁଚେଇ ରଖେ??ନିଜ ମା ମନ ଦୁଃଖ କରିବେ ବୋଲି କଣ ସେ ଅନ୍ୟ ସମସ୍ତଙ୍କ ମନ ସହିତ ଖେଳି ଚାଲିବେ ?ଆଉ ଏଇଟାକୁ ଫେରେ ସେ କହୁଛନ୍ତି ଭଲ ପାଇବା ?

କିଛି କହି ପାରିଲାନି ଅବିକା।ତାର ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା।ଇଚ୍ଛା ହେଉଥିଲା ପାଟି କରି କହିଦେବ ସମସ୍ତଙ୍କୁ ସବୁ ସତ କଥା।କିନ୍ତୁ ନିହାର ତା ହାତ ଧରି କହି ଉଠିଲେ"ତୁମକୁ ମୁଁ ନିଜ ଦ୍ୱାହି ଦେଇ କହୁଛି ଏ ସତ କେବେ ସାମ୍ନାକୁ ଆସିବାକୁ ଦେବନି। ତୁମ ସହ ବିତେଇଥିବା ଏହି ସ୍ମୃତି ସବୁ ନେଇ ଆଜୀବନ ବଞ୍ଚିଯିବି।କିନ୍ତୁ ପୁରୁଷ ହୋଇ ଏତେ ବଡ ଅପମାନ ସହି ପାରିବିନି ମୁଁ ବଂଚି ପାରିବିନାହିଁ ଯଦି ଏ ସତ କେହି ଜାଣି ଯିବେ ସୋ ପ୍ଲିଜ୍ ଏଭର୍ ଏଭର୍ ଲେଟ୍ ଦ ଟ୍ରୁଥ ବି ରିଭିଲ୍ଡ କେଜାଣି ସେତେବେଳେ କି ପ୍ରକାର ଭାବନା ଭରିଗଲା ଅବିକା ମନରେ ସେଇଟା ଘୃଣା ନା ସହାନୁଭୂତି ନା ଦୟା ନା କ୍ରୋଧ କିଛି ବୁଝି ପାରିଲାନି ସେ ! ଚୁପଚାପ୍ ବ୍ୟାଗ୍ ଧରି ଘରୁ ବାହାରି ଆସିଗଲା । ସନ୍ଧ୍ୟା ହୋଇଯାଇଥିଲା।ନିର୍ଦ୍ଧାରିତ ଭଡ଼ା ଘରେ ପହଞ୍ଚି ଚଟାଣ ଉପରେ ଲମ୍ବ ହୋଇ ପଡ଼ିଗଲା ସେ !ଝରକା ଆଡୁ ଗହୀରା ରାତିକୁ ଦେଖି ଭାବୁଥିଲା.."କଣ ତା ଜୀବନର ଘନ ଅନ୍ଧକାର କେବେ ଦୁର ହୋଇ ପାରିବ !କଣ ତା ମନ ରାତିର ବି କେବେ ସୂର୍ଯ୍ୟୋଦୟ ସମ୍ଭବ ହେବ?"

ସକାଳୁ ଭୋର୍ ରୁ ଉଠିବା ଅଭ୍ୟାସ ଥିଲା।ନୂଆ ଜାଗା..ନୂଆ ଘର ଆଉ ନୂଆ ଚାକିରୀ ଅବଶ୍ୟ କଲେଜ୍ କୁ ଆଉ ଦୁଇଦିନ ପରେ ଯିବା ପାଇଁ ଆଗରୁ ଆପ୍ଲିକେସନ୍ ଦେଇ ଦେଇଥିଲା ସେ।ଜିନିଷ ପତ୍ର କିଛି କିଣାକିଣି କରି ପ୍ରଥମେ ସେଟଲ ହେବାକୁ ତ ପଡିବ ନା ସେଇ ଜାନୁୟାରୀ ମାସ ସେଇ ଶୀତ କୋହଲା ସକାଳ।ଶଲ୍ ଘୋଡ଼ି ହୋଇ ବାହାରକୁ ଆସିଲା ଅବିକା।ଘର ଅନତିଦୂରରେ ଏଇ ପାର୍କକୁ ଦେଖି ଖୁସି ହୋଇଗଲା।ଆଉ ନୂଆ ପରିବେଶରେ ନିଜକୁ ଆବିଷ୍କାର କରିବାକୁ ଚେଷ୍ଟା କରି ଏଇ ବେଞ୍ଚ ଉପରେ ଆସି ବସି ପଡ଼ିଥିଲା।ଆଉ ହଠାତ୍

ହଠାତ୍ ଗୋଟିଏ କଅଁଳିଆ ଶିଶୁର କ୍ରନ୍ଦନ ଶୁଣି ସେ ଚମକି ପଡି ଦେଖିଲା ବେଞ୍ଚର ଆର ପଟରେ ଜଣେ ମଧ୍ୟବୟସ୍କ ପୁରୁଷ କାନ୍ଦୁଥିବା ସଦ୍ୟଜାତ ଶିଶୁଟିକୁ ଧରି ବିକଳ ହୋଇ ଏପଟ ସେପଟ ଚାହୁଁଥିଲେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖି ପାଖକୁ ଆସି ପଚାରିଲା ଅବିକା"କଣ ହୋଇଛି ଛୁଆଟି କାନ୍ଦୁଛି କାହିଁକି ଭୋକ ଲାଗୁଥିବ ବୋଧେ ତା ମା କାହିଁ ଆଉ ସେମିତି ପଚାରି ପଚାରି ଯନ୍ତ୍ରବତ୍ ସେ କେତେବେଳେ ଛୁଆଟିକୁ ହାତରେ ତୋଳି ନେଇଥିଲା ସେକଥା ନିଜେ ମଧ୍ୟ ଜାଣି ପାରିଲାନି"ଅଭାଗୀ ଛୁଆଟା ମା ୟାକୁ ଜନ୍ମ ଦେଉ ଦେଉ ତା ମା ମରିଗଲା।ମୁଁ ମ୍ୟୁନିସିପାଲିଟିର ଜଣେ ସଫେଇ କର୍ମଚାରୀ।କେତେଦିନ ହେବ ଗୋଟିଏ ଗର୍ଭବତୀ ପାଗଳୀକୁ ସହର ଭିତରେ ଦେଖୁଥିଲି।ଦୟା ଆସୁଥିଲା ମା ତାକୁ ଦେଖି।ବୋଧେ କାହାର ଖରାପ୍ ନଜର ତା ଉପରେ ପଡ଼ିଥିବାରୁ ପେଟରେ ଛୁଆ ଧରି ସେ ବୁଲୁଥିଲା।ରାସ୍ତା କଡ଼ରେ ତାକୁ ଦେଖିଲେ କେତେବେଳେ କେମିତି ମୁଁ ପାଉଁରୁଟି ଖଣ୍ଡେ କି ବିସ୍କୁଟ ଦି ଖଣ୍ଡ ଦେଇଦିଏ।ହେଲେ ମା..ସେଥିରେ କଣ ତା ପେଟ ପୁରୁଥିବ କି?ଦିନସାରା ଏପଟ ସେପଟ ବୁଲୁଥିଲା ସେ ପେଟ ପୁରେଇବାକୁ।ସେ ବୋଧେ ଜାଣି ବି ନ ଥିଲା ତା ପେଟରେ ଆଉ ଗୋଟିଏ ଜୀବନ ଅଛି ବୋଲି।ହେଲେ କିଏ କଣ କରି ପାରିବ ?ଆଉ ଆଜି"କଣ ହେଲା ଆଜି ?"ଶିଶୁଟିକୁ ବାହୁରେ ଝୁଲେଇ ଝୁଲେ଼ଇ ପ୍ରଶ୍ନ କଲା ଅଵିକା। "ଆଜି ସକାଳୁ ସହର ରାସ୍ତା ସଫା କଲା ବେଳେ କାହାରି ଯନ୍ତ୍ରଣା ଭରା ଧୀର ସ୍ଵରଟେ ଶୁଭିଲା।ଖୋଜି ଦେଖେ ତ ଗୋଟିଏ ବୁଦା ମୂଳେ ସେହି ପାଗଳି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା।ତାକୁ ଉଠେଇ ମୋ ଅଳିଆବୁହା ଟ୍ରଲିରେ ହସପିଟାଲ ଆଣିବାକୁ ଚେଷ୍ଟା କଲି ହେଲେ ତା ଦେହସାରା ରକ୍ତରେ ଭିଜି ଯାଇଥିଲା।ଆଉ ଏ ଅଭାଗୀ ଝିଅଟା ସେଇଠି ଜନ୍ମ ହେଇଗଲା।ସକାଳ ସମୟ।ଏତେ ସକାଳୁ ସହରରେ କିଏ ବା ସେଇଠି ଥାଆନ୍ତା? ଏକୁଟିଆ ମୁଁ ଡରିଗଲି ଆଉ ଝିଅକୁ ସେଇ ଅପରିଷ୍କାର ଜାଗା ଭିତରୁ ଉଠେଇ ହାତରେ ଧରି ଦୌଡିଗଲି କାହାକୁ ସାହାଯ୍ୟ ପାଇଁ ଡାକିବାକୁ।ଆଉ ଦୁଇଜଣ ସଫେଇ କର୍ମଚାରୀଙ୍କ ସହ ଆସି ଦେଖିଲା ବେଳକୁ ପାଗଳୀଟା ଦେହରେ ପ୍ରାଣ ଆଉ ନ ଥିଲା। ମୋ ହାତରେ କିନ୍ତୁ ତାର ଏଇ ଝିଅଟା ରହିଗଲା।ଆମେ ସାଙ୍ଗ ହୋଇ ସେଇ ପାଗଳୀର ଶବକୁ ନେଇ ଅଳିଆ ଗଦାରେ ପୋତି ଆସିଲୁ।ଆଉ ଏଇ ଝିଅଟି ପାଇଁ ଟିକେ କ୍ଷୀର ଯୋଗାଡ଼ କରି ପିଏଇଲୁ।ସେମାନେ ତା ପରେ ତାଙ୍କ କାମ ପାଇଁ ଗଲେ।ୟାକୁ କେଉଁ ଅନାଥ ଆଶ୍ରମରେ ଦେଇଦେବାକୁ ଆମେ ଭାବୁଛୁ।ଟିକେ ଏଇଠି ବସି ଥକ୍କା ମାରିବା ପରେ କେଉଁ ଅନାଥ ଆଶ୍ରମ ଖୋଜିବାକୁ ଯିବି ମା "ଏକ ନିଃଶ୍ୱାସରେ କହିଗଲା ସେ ଲୋକଟି ତାକୁ କି ଉତ୍ତର ଦେବ ବୁଝି ପାରୁ ନ ଥିଲା ଅବିକା ତୃଷାର୍ତ୍ତ ଆଗରେ କେହି ଜଣେ ଯଦି ଖୋଳା ହୋଇଥିବା ଜଳାଶୟ ବନ୍ଦ୍ କରିବାକୁ ଯତ୍ନ କରିବ..କିମ୍ବା କ୍ଷୁଧାର୍ତ୍ତ ଆଗରେ ଅନ୍ନଛତ୍ର ଭାଙ୍ଗି ଦିଆଯିବାକୁ ପ୍ରୟାସ କରିବ ହେଲେ ଯେଉଁ ପ୍ରକାର ଅନୁଭବ ହେବ ଠିକ୍ ସେପରି ଲାଗୁଥିଲା ତାକୁ।

ହାତ ବଢ଼େଇ ଠିଆ ହୋଇଥିଲା ଲୋକଟି ଝିଅଟିକୁ ନେବା ପାଇଁ ଆଉ ଅବିକା ବାହୁରେ ଶାନ୍ତିରେ ଶୋଇ ଯାଇଥିଲା ଶିଶୁଟି

"ଥାଉ ତୁମେ ଯାଇପାର।ମୁଁ ଦେଖୁଛି କଣ କରିବାକୁ ହେବ ଏହି ଝିଅଟିର କେଜାଣି କେମିତି ଗୋଟିଏ ତାଗିଦ୍ କରିବା ଢଙ୍ଗରେ କହିଲା ଅବିକା..!!ଲୋକଟି ତାକୁ ଅବାକ୍ ହୋଇ ଟିକେ ଚାହିଁଲା ଆଉ ତା ପରେ ମୁହଁ ବୁଲେଇ ଚାଲିବାକୁ ଆରମ୍ଭ କଲା।କିନ୍ତୁ ହଠାତ୍ ପଛକୁ ବୁଲିପଡ଼ି କହିଲା.."ମା..ମୁଁ ଜାଣିନି ଆପଣ କିଏ ଆଉ କଣ କରିବାକୁ ଯାଉଛନ୍ତି। ଏ ଝିଅ ମୋର କି ମୋ ପରିଚିତ କାହାର ବି ନୁହେଁ।କିନ୍ତୁ ଏଇ କିଛି ସମୟ ୟାକୁ କୋଳରେ ମୁଁ ଧରିଥିଲି।ଏଣୁ ଏତିକି କହିବି ଯାହା କରିବେ ଭାବିଚିନ୍ତି କରିବେ "ଆଉ ଲୁଚିଗଲା ସକାଳର କୁହୁଡି ଭିତରେ

ଲୋକଟି ଚେତାବନୀ ଦେଇ ଗଲା ନା ଉପଦେଶ ଦେଲା ସେକଥା ଭାବିବାକୁ ସମୟ ନ ଥିଲା ଅବିକା ପାଖରେ।ଝିଅଟିକୁ ସେମିତି ନିଜ ଶାଲ ଭିତରେ ଘୋଡେଇ ଦେଇ ଯତ୍ନ ସହିତ ନିଜ କ୍ୱାର୍ଟରକୁ ଆସିଗଲା ନୂଆ କରି ଆସିଥିବା ଅବିକାମ୍ୟାଡମଙ୍କର କୁନି ଝିଅଟିଏ ଅଛି।ସେହି ଆଖପାଖ ଲୋକେ ଆଉ କଲେଜରେ ମଧ୍ୟ ସମସ୍ତେ ଜାଣିବାକୁ ପାଇଲେ।ତା ନିରାଶ ପୂର୍ଣ୍ଣ ଜୀବନରେ ଶାନ୍ତି ଆଉ ପ୍ରାପ୍ତିର ସୁଗନ୍ଧ ଭରି ଦେଇଥିବା ଏହି ଶିଶୁଟିର ନାଁ ହେଲା "କସ୍ତୁରୀ"

ଚନ୍ଦ୍ରକଳା ପରି ବଢ଼ି ଚାଲିଥାଏ ସେ। ଅବିକା ଘର କାମ କରିବା ପାଇଁ ଗୋଟିଏ ସହାୟିକା ମଧ୍ୟ ରଖି ଦେଇଥିଲା ସେହି ଦିନଠାରୁ।ଦିନତମାମ କସ୍ତୁରୀ ତା ପାଖରେ ରୁହେ।ଏପରିକି କଲେଜକୁ ମଧ୍ୟ ନେଇ ଯାଏ ସେ ତାକୁ ସାଙ୍ଗରେ।କିନ୍ତୁ

ଛାତି ଭିତରେ କିଛି ଜାଗା ଆହୁରି ଶୂନ୍ୟ କାହିଁକି କେଜାଣି ଲାଗେ ସେ ଭାବେ ନିହାରଙ୍କୁ ଏ ବିଷୟରେ ସବୁ କହିବା ଉଚିତ୍ ହେବ କି ନାହିଁ ଶାଶୁ ଆଉ ନିହାର କେମିତି ରିଆକ୍ଟ କରିବେ ନ କହି କଣ ଏମିତି ସାରା ଜୀବନ ରହି ହେବ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ କସ୍ତୁରୀ ଆସି ତା ବେକରେ ଓହଳି ପଡ଼ିଲେ ସେ ପୁଣି ସବୁକିଛି ଭୁଲିଯାଏ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଅବିକା ଯେଉଁ ଦିନ ତା ଟ୍ରାନଷ୍ଫର ପୁଣି ସେହି ସହରକୁ ହୋଇଥିଲା ଯେଉଁଠି ସେ ଆଉ ନିହାର ଘର କରି ରହୁଥିଲେ ଓଃ କଣ କରିବ ସେ ଏଥର ନିହାରଙ୍କ ସାମ୍ନାକୁ ଗଲା ବେଳେ କସ୍ତୁରୀକୁ ସେ ଭଲା କେଉଁଠି ଲୁଚେଇବ?କସ୍ତୁରୀକୁ ଯେତେ ଲୁଚେଇଲେ ବି ତା ବାସ୍ନା ତ ଚହଟି ଉଠିବ ନା ଏମିତି ଭାବୁ ଭାବୁ କେତେବେଳେ ସେ ନିହାରଙ୍କ ଫୋନରେ ମେସେଜ ଦେଇ ପକେଇଥିଲା ଏଠାକୁ ଆସି ତାକୁ ଦେଖା କରିବାକୁ ସେକଥା ଆଉ ଜାଣି ପାରିଲାନାହିଁ। ପୁଣି ହାତ ଘଣ୍ଟାକୁ ଦେଖିଲା ଅବିକା ଆଉ ପାଞ୍ଚ ମିନିଟ ନିହାର ସମୟର ଭାରି ପକ୍କା ଅଟନ୍ତି।ଯଦି ଠିକ୍ ସମୟରେ ଆସିବେନି ତେବେ ଆଉ ଜମାରୁ ଆସିବେନି ଆଜି ଆସିବେ ତ ସେ ? ଅବିକା ଦେଖୁଥିଲା ସେଇ କୃଷ୍ଣଚୂଡ଼ା ଗଛକୁ।ଯେଉଁ ଗଛ ଚାରି ପାଖରେ ଛୋଟିଆ ପାଦ ପକେଇ ଟଳମଳ ହୋଇ ଚାଲେ କସ୍ତୁରୀ ଆଉ ଲୁଚି ଯାଇ ଡାକେ.."ମାମା ମୋତେ ଖୋଜି ପାଲିବୁ"ଓଠରେ ହସ ଆସି ଯାଉଥିବା ବେଳେ ହଠାତ୍ ସାମ୍ନାରେ ନିହାରଙ୍କୁ ଦେଖି ପାଟି ଶୁଖି ଆସିଲା ଅବିକାରସେଇ ସିମେଣ୍ଟ ବେଞ୍ଚରେ ବସି ନିହାର ପଚାରିଲେ କାହିଁକି ସେ ତାଙ୍କୁ ଆସିବାକୁ କହିଛି? ନିଜ ବଦଳି ହୋଇଥିବା କଥା ଜଣେଇ ଦେଲା ଅବିକା।ଖୁସି ହେଲେ ନିହାର। "କେବେ ଆସିବ"?ପଚାରିଲେ


ଅବିକା କିଛି ସମୟ ଚୁପ୍ ରହି କହିଲା.."ମୁଁ କିନ୍ତୁ ଏକା ଯିବିନି। ସାଥିରେ ମୋ ଝିଅ ମଧ୍ୟ ଯିବ


"ଝିଅ !ମାନେ ?ୟୁ ଗଟ ମ୍ୟାରିଡ ଏଗେନ୍?"


"ନୋ ବଟ ଆଇ ବିକେମ୍ ମଦର୍


"କେମିତି ଅବିକା ?କିଏ ଏଇ ଝିଅ


"ଝିଅ ମୋର କସ୍ତୁରୀ..ଯାହା ମହକ ମୋ ଜୀବନ ମହକାଇ ଦେଇଛି !"


"ଆଡପ୍ଟ କରିଛ କି..?"


"ନିହାର ଲେଟ୍ ମି ବି ଫ୍ରାଙ୍କ.।ମୁଁ ଏ ବିଷୟରେ କିଛି ବି କହିବିନି ଭାବି ନିଅ ତୁମ ପୁଋଷତ୍ୱର ପ୍ରଶ୍ନ ପାଇଁ ମୋ ମାତୃତ୍ଵ ଆଜି ଉତ୍ତର ଦେଇଛି।"

"ଆଉ ମା କୁ କଣ କହିବ?ସୋସାଇଟିକୁ କେମିତି ବୁଝେଇବ

"ମୁଁ ଏଠାକୁ ଆସି ଦୁଇ ବର୍ଷ ହେଲା।ଆଉ କସ୍ତୁରୀ ମଧ୍ୟ ଦୁଇ ବର୍ଷର।ୟୁ କ୍ୟାନ୍ ସେ ମୁଁ ଏଠାକୁ ଆସିବା ବେଳେ କ୍ୟାରିଂ ଷ୍ଟେଜରେ ଥିଲି।"

"ହଁ ସେଇଟା ବରଂ ଠିକ୍ ହେବ।ତଥାପି ମୁଁ ଜାଣିବା ଆବଶ୍ୟକ ନା କିଏ ସେହି ଝିଅ?ତା ପିତାମାତା କିଏ?କଣ ତା ପରିଚୟତମେ କେମିତି ତାକୁ ପାଇଲ ।

"ସେ ଝିଅ ମୋର ,ମୁଁ ତା ମା ଆଉ ତୁମେ ଚାହିଁଲେ ତା ବାପା ହେବାର ପରିଚୟ ନେଇ ପାରିବ ନିହାର।"

"ଆଉ ଯଦି ମୁଁ ନ ଚାହେଁ

"ମୁଁ ତା ମା।ସେଇ ପରିଚୟରେ ରହିବି।ତୁମେ ତାକୁ ନିଜ ନାମ ନ ଦେଲେ ମୋତେ ତୁମ ପରିଚୟ ଠାରୁ ଦୂରରେ ରହିବାକୁ ହେବ ଆଖିରେ ଲୁହ ନେଇ କହିଲା ଅବିକା।

"ତୁମେ ମୋ ଇନକ୍ୟାପାବିଲିଟି ବିଷୟ କାହାକୁ ନ ଜଣେଇ ନିଜ କଥା ରଖିଛ ଅବିକା।ମୁଁ ବି କସ୍ତୁରୀ କଥା କେବେ ପଚାରିବିନି। ଚାଲ ଏଥର ଆମେ ଆମ ଘରକୁ ଯିବା.."

କହି ହାତ ବଢେଇ ଦେଲେ ନିହାର।ଥରିଲା ହାତରେ ତାଙ୍କ ହାତ ଧରିଲା ଅବିକା ଆଉ କହିଲା"ଲଭ୍ ୟୁ ଏ ଲଟ ତୁମ ବିନା ମୁଁ ଯାଇ ଅଧାରୁ ତା ପାଟି ବନ୍ଦ୍ କରି ନିହାର କହିଲେ ୟୁ ମେଡ୍ ମି କମ୍ପ୍ଲିଟ ଅବିକା ଧନ୍ୟବାଦ୍ ଦେବାକୁ ଅବିକା ମଧ୍ୟ ତାଙ୍କ ଓଠ ଉପରେ ହାତ ରଖିଦେଲା ଦୁଇ ମନର ଅକୁହା କଥାର ସାକ୍ଷୀ ଥିଲେ ସେହି ସିମେଣ୍ଟ ବେଞ୍ଚ ଆଉ ସେହି କୃଷ୍ଣଚୂଡ଼ା ଗଛ


କସ୍ତୁରୀକୁ କୋଳରେ ଧରି ନିହାର ସହିତ ଘରକୁ ଆସିବା ପରେ ଶାଶୁ ବନ୍ଦାପନା କରି ସ୍ବାଗତ କରିଥିଲେ ସମସ୍ତଙ୍କର ଘର ପୁରି ଉଠୁଥିଲା ପ୍ରେମ ଆଉ ସ୍ନେହର ଅପୂର୍ବ ମହକରେ ସେ ବାସ୍ନା ଆସୁଥିଲା ଅବିକା ମନର ନିଭୃତ କୋଣରୁ ଯେଉଁଠି ସବୁଦିନ ପାଇଁ କିଛି ଅନାହୁତ ସତ୍ୟ ଗୋପନ ହୋଇ ରହି ଜୀବନରେ କେବଳ ଖୁସିର ସୁଗନ୍ଧ ହିଁ ଭରି ଚାଲିଥିଲେ ।


Rate this content
Log in

Similar oriya story from Classics