Bismita Sahoo

Drama Others

5.0  

Bismita Sahoo

Drama Others

କସ୍ତୁରୀ ମୃଗ

କସ୍ତୁରୀ ମୃଗ

6 mins
2.0K


ଗଳ୍ପ -୪

କସ୍ତୁରୀ ମୃଗ

ନା ଆଉ ସହି ହେଉନି । ଏତେ ବେଖାତିର୍। ସିଏ ନିଜକୁ କଣ ଭାବୁଛି? ଐଶର୍ୟା ନା ପ୍ରିୟଙ୍କା ଚୋପ୍ରା। ଯାହା ତ ଦେଖା ଯାଉଛି । ମୁଣ୍ଡର ଅଧା ଚୁଟି ପାଚି ଗଲାଣି। ଆଖି ତଳେ ମୋଟା କଳା ଦାଗ। କଣ ପାଇଁ ତାର ଏତେ ଗର୍ବ? ଆରେ ସ୍ୱାମୀ ଆସିଲେ ଟିକେ ହସିକି ସ୍ୱାଗତ କରିବା, ଟିକେ ମିଠା କଥା କହିବା,ମୁହଁ ପୋଛିଵା ପାଇଁ ଟାୱେଲ ବଢ଼ାଇ ଦେବା। ନା ଘରକୁ ଆସିଲା ମାନେ ପୁରୁଣା ରେକର୍ଡ ବାଜି ଉଠିବ-- ଦେଖିଲ ରାଜାର ଜାମାଟା ପୁରୁଣା ହେଇ ଗଲାଣି ,ନୂଆ ଟେ ଆଣ,ଆଜି ରାଜାକୁ ସ୍କୁଲରେ ଡବଲ ଷ୍ଟାର ମିଳିଛି ତା ଇଂଲିଶ ଖାତାରେ,ରାଜାର କାଲି ବିଜ୍ଞାନ ପ୍ରକଳ୍ପ ଅଛି ଚାର୍ଟ ପେପର୍ ଆଣ.....।

ବାସ୍ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଣ ଏତିକି ସମ୍ପର୍କ । ସେ କଣ ବୁଝି ପାରୁନି ସ୍ୱାମୀଟିଏ ସ୍ତ୍ରୀ ପାଖରୁ କଣ ଚାହେଁ? ମିସେସ୍ ମିଶ୍ରଙ୍କୁ ଦେଖିଲେ ତାଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଯାଏ । ଅତି ସୁନ୍ଦର ନ ହେଲେ ମଧ୍ୟ ନିଜକୁ ଏପରି ଆକର୍ଷଣୀୟ କରି ରଖିଛନ୍ତି ଯେ ଛାଏଁ ଛାଏଁ ସଭିଙ୍କ ଆଖି ତାଙ୍କ ଠାରେ ଲାଗିଯାଏ । ଆଉ ତାଙ୍କ ସ୍ତ୍ରୀ ରାନୁ ଯିଏ କି ଦିନେ କଲେଜ କୁଇନର ଉପାଧି ପାଇଥିଲା ତାଙ୍କ ଆଗରେ ଛାରପୋକ ପରି ଲାଗେ । ନାଲିଆ ଶାଢ଼ୀରେ ନେଳିଆ ବ୍ଲାଉଜ ପିନ୍ଧିଥିବ । ମାସ ମାସ ଧରି ହାତର ଚୁଡ଼ି ବଦଳା ହେଇନଥିବ । ଖାଲି ସଦାବେଳେ ମୋ ପୁଅ ମୋ ପୁଅ କହି ପୁଅ ପଛରେ ଗୋଡାଉଥିବ । ସେ ଜାଣନ୍ତି ମା ହେଲା ପରେ ସ୍ତ୍ରୀ ଲୋକମାନେ ବଦଳି ଯାନ୍ତି । ଛୁଆକୁ ଗୁରୁତ୍ୱ ଦିଅନ୍ତି । ତା ବୋଲି ସ୍ୱାମୀର କଣ ଓଜନ ନାହିଁ । କାଲି ଖାଇଲା ବେଳେ ପୋଡା ରୁଟି ଧରେଇ କହୁଛି ,ଖାଇ ଦିଅ। ରାଜାକୁ ଶୁଆଉଛି । ଉଠି ପଡ଼ିବ । ଏମିତି ଗୋଟାଏ ଦିନ ହେଇଥିଲେ କିଛି ନାହିଁ । ସବୁଦିନ ଏପରି ଘଟୁଛି । ଅଫିସ୍କୁ ଗଲାବେଳକୁ କୋଉଦିନ ଟିଫିନ ରେଡି ହେଇନଥିବ ତ କୋଉଦିନ ପାଣି ବୋତଲ ନିଜେ ପୁରେଇବାକୁ ପଡ଼ିବ । ସେଦିନ ତ ସୀମା ପାର ହେଇଗଲା । ରାନୁ ରୁମାଲଟା ଆଣ କହିଲାରୁ ସେ ରୁମାଲ ଆଣିଲା ସତ କିନ୍ତୁ ମୋ ନାକଟା ଦୁର୍ଗନ୍ଧରେ ଫାଟି ପଡ଼ିଲା । ଏମିତି କଣ ଗନ୍ଧ ହେଉଛି କହିଲାରୁ କହିଲା ରାଜା ବାନ୍ତି କରି ଦେଲା ଯେ ଶାଢ଼ୀରେ ଟିକେ ପଡ଼ି ଯାଇଛି । ଧୋଇନି। ତା ପାଇଁ ଖାଇବା ତିଆରି କରୁଛି । ପରୀକ୍ଷା ଚାଲିଛି ତ ସେ ଜଲଦି ଆସିଯିବ।

- ହଁ ଠିକ୍ ଅଛି ଜଲଦି ସେ ଶାଢ଼ୀ ବଦଳାଅ।

ରୁମାଲଟା ନାକରେ ଗେଞ୍ଜି କହିଲି। କୌଣସି କଥାରେ ତାର ଆଗ୍ରହ ନାହିଁ। ରାନୁ ଫିଲିମ୍ ଯିବା କହିଲେ କହିବ-- ନାଇଁ ନାଇଁ ରାଜା ଆମର ଅନ୍ଧାରକୁ ଡରେ। ସେ ହଲରେ କାନ୍ଦିବ।ମୁଁ ଯିବିନି।

ବୁଲିଯିବା କହିଲେ କହିବ-- ନାଇଁ ନାଇଁ ଆସିଲା ବେଳକୁ ଡେରି ହେଇଯିବ। ମୋ ପୁଅଟା କଣ ଖାଇବ? ହୋଟେଲ ଖାଇବା ତା ଦେହରେ ଯାଏନା।

ଏମିତିଆ ସ୍ତ୍ରୀକୁ ନେଇ କଣ ସଂସାର କରିହେବ।

ତାକୁ ଏମିତି କେତେ ବର୍ଷ ହେଇଗଲା କି? ଜମା ବୟାଳିଶି। ଅଫିସ୍ ର କରବାବୁ ତ ୪୪ ବର୍ଷରେ ବାହାହେଲେ। ତାଙ୍କର କଣ ଖୁସି ବୋଲି କିଛି ନାହିଁ। କେତେ ସ୍ବପ୍ନ ଦେଖିଥିଲେ । ସୁନ୍ଦରୀ ସ୍ତ୍ରୀ ପାଇଛନ୍ତି ବୋଲି ପାଦ ମାଟି ରେ ପଡୁନଥିଲା । କେତେ ଗର୍ବ କରୁଥିଲେ। କେତେ ବଢ଼ିଆ ତାଙ୍କ ସଂସାର ଚାଲିଥିଲା। ଯେବେଠୁ ରାଜା ଆସିଲା ରାନୁ ପୁରା ବଦଳି ଗଲା। ରାଜା ହିଁ ତାର ସର୍ବସ୍ଵ ହେଇଗଲା। ରାଜା ଆସିଲା ବୋଲି ସେ ବି ବହୁତ ଖୁସି। ଗୋଟିଏ ବାପା ହିସାବରେ ସେ ବି ରାଜା କୁ ବହୁତ ଭଲ ପାଏ। ତାକୁ ନେଇ ପାର୍କ ବୁଲାଏ। ଆଇସ୍କ୍ରିମ୍ ଖୁଆଏ। ଖେଳନା ଆଣେ। ହେଲେ--------

ସେ ଏବେ ବି ସ୍ୱାମୀ। ସେ କଣ ଖାଲି ବାପା ହେଇଛି। ଏ ନିରସ ରାନୁକୁ ନେଇ ସେ କିପରି ଏତେ ବଡ଼ ସଂସାରରେ ରହିବ।

ଦିନକୁ ଦିନ ମହାନ୍ତି ବାବୁ ଅଣନିଶ୍ଵାସୀ ହେଇ ପଡୁଥିଲେ। ତାଙ୍କୁ ଲାଗୁଥିଲା ସାତ ତାଳ ପଙ୍କ ଭିତରେ ସାଇତି ରଖିଥିବା ଫରୁଆ ଭିତରେ ଛପିଥିବା ଭଅଁର ର ବେକ ରାଜକୁମାର ମୋଡ଼ିଲା ବେଳେ ବ୍ରହ୍ମ ରାକ୍ଷସ ଯେପରି ଗଁ ଗଁ ହେଉଥିଲା ଠିକ୍ ସେମିତି ତାଙ୍କ ଜୀବନ ର ସମସ୍ତ ସୁଖ ,ଆନନ୍ଦ,ଆକର୍ଷଣ,ଆଗ୍ରହ ସବୁ ଧୀରେ ଧୀରେ ତାଙ୍କ ଜୀବନରୁ ଅପସରି ଯାଉଛନ୍ତି ଆଉ ସିଏ ସେଇ ସାତ ତାଳ ପଙ୍କ ଭିତରେ ଅଧିକ ରୁ ଅଧିକ ଫସି ଯାଉଛନ୍ତି । ସେ ପଙ୍କ ତାଙ୍କ ଛାତି ଉପରକୁ ଉଠି ଆସିଲାଣି। ଓଃ କି କଷ୍ଟ !। ଏଇ ପଙ୍କରେ ବୁଡ଼ି ମରିଯିବା ପୂର୍ବରୁ ତାଙ୍କୁ ପ୍ରଥମେ ଏ ପଙ୍କର ଦୁର୍ଗନ୍ଧରୁ ବାହାରିବାକୁ ପଡ଼ିବ । ତାଙ୍କ ଜୀବନକୁ ଚନ୍ଦନ, କସ୍ତୁରୀର ବାସ୍ନାରେ ମହକେଇବାକୁ ପଡ଼ିବ।

ନା------ ସେ ଜାଣି ଜାଣି ନିଜ ଜୀବନକୁ ଏପରି ନଷ୍ଟ କରିବେନି। ଯଦି ରାନୁ ଭାବୁଛି ରାଜା ହିଁ ତାର ସବୁକିଛି ତେବେ ସେ ରାଜାକୁ ନେଇ ରହୁ। ଏଇ ଘରଟା ବି ସେ ରାନୁ ନାଁରେ କରିଦେବ। ତାକୁ ଘର,ସମ୍ପତ୍ତି କିଛି ବି ଦରକାର ନାହିଁ। ତାକୁ ଜୀବନରେ ଖୁସି ଦରକାର। ଭଲ ପାଇବା ଦରକାର।

ତାକୁ ଏପରି ସ୍ତ୍ରୀ ଟିଏ ଦରକାର ଯିଏ ସ୍ଵାମୀର ମନ ଜାଣି କିଛି କହିବା ଆଗରୁ ସବୁ ଫର୍ମାଇଶ୍ ପୁରା କରିଦେଉଥିବ। ଯିଏ ରମ୍ଭା ପରି ସୁନ୍ଦରୀ ଥିବ। ଯିଏ କଥା କହିଲେ ମଧୁ ଝରୁଥିବ। ଯାହାର ଚାଲିରେ ପଦ୍ମ ଫୁଟୁଥିବ। ତା ଆଖି ଆଗରେ ସେପରି ସୁନ୍ଦରୀ ଝିଅଟିଏ ର ମୁହଁ ନାଚି ଉଠିଲା। "କବିତା" ---- ସତରେ ସେ କବିତା ଟିଏ। ତାର ପୋଟଳ ଚିରା ଆଖି,ଗୋଲାପି ଓଠ,କୋକିଳ କଣ୍ଠ । ସେ ଜାଣିଛି ଅଫିସରେ ଜଏନ କରିବା ଦିନ ଠାରୁ କବିତା ତା ପ୍ରତି ମୋହସକ୍ତ ଅଛି । ତେଣୁ ସେ ଡେରି କରିବାଟା ଠିକ୍ ନୁହେଁ। ରାନୁକୁ ଛାଡପତ୍ର ଦେଇ ସେ କବିତାକୁ ବାହା ହେବ। ସେ ନିଜ କଳା ଧଳା ଜୀବନକୁ ରଙ୍ଗୀନ କରିଦେବ।

ଏହା ଭାବି ମହାନ୍ତି ବାବୁ ଛାଡପତ୍ର କଥା ବୁଝିବା ପାଇଁ ଓକିଲ ପାଖକୁ ଗଲେ। ଦୈଵାତ୍ କୌଣସି କାମରେ ଓକିଲ ବାବୁ ବାହାରକୁ ଚାଲି ଯାଇଥିଲେ। ମହାନ୍ତି ବାବୁଙ୍କ ଖୁସିରେ ଦିକ୍ ଦିକ୍ ଜଳୁଥିଵା ମନକୁ ସତେ ଯେମିତି କିଏ ପାଣି ପକେଇ ଲିଭେଇ ଦେଲା। ସେ ରାଗରେ ଗର୍ ଗର୍ ହେଇ ଘରକୁ ବାହାରିଲେ।

ଘରେ ରାନୁ କାହା ସହିତ ଫୋନ୍ ରେ ଗପୁଛି। ମହାନ୍ତି ବାବୁଙ୍କ ରାଗ ଚରମ ସୀମାରେ ପହଞ୍ଚି ଗଲା। ସ୍ୱାମୀ ପାଇଁ ଟିକିଏ ସମୟ ନାହିଁ। ଫୋନ୍ ରେ କଥା ହେବାକୁ ତାକୁ ଢେର୍ ସମୟ ମିଳି ଯାଉଛି।ଅଜବ ସ୍ତ୍ରୀ ଟା । ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି ତାର ସେଥି ପ୍ରତି ନିଘା ନାହିଁ। ରାନୁ ଗପୁଥାଏ।

-- ଦେଖ୍ ସେମିତି କହନା। ମୁଁ କଣ କରିବି। ତୁ ତ ଜାଣିଛୁ ମୁଁ ତୋ ପରି ଏତେ କାମିକା ନୁହେଁ । ତୁ ସିନା ପାଞ୍ଚ ପାଞ୍ଚଟା ଛୁଆଙ୍କ ଯତ୍ନ ନେବା ସହିତ ଜେଜେବାପା, ଜେଜେମାଁଙ୍କର ସେବା ସୁଶ୍ରୁଶା ବି କରୁଥିଲୁ। ବାପାଙ୍କର ଗୋଡ଼ରୁ ମୁଣ୍ଡ ଯାଏ ମାଗିବା ଆଗରୁ ସବୁ ଜିନିଷ ଖଞ୍ଜି ଦେଉଥିଲୁ। ମୁଁ କିନ୍ତୁ ପାରୁନି। ଏ ଗୋଟେ ଛୁଆରେ ପରା ଘୋରି ହେଇ ଗଲିଣି। କାଲି ତ ଡାଲିରେ ଲୁଣ ପକୀବାକୁ ଭୁଲି ଯାଇଥିଲି ଯେ ଇଏ ଆମର ଅଲଣା ଡାଲି ଖାଇ ଅଫିସ୍କୁ ଗଲେ। ରାଜା ଚକ୍କର୍ ରେ କୋଉ ଦିନ ରୁଟି ପୋଡ଼ି ଗଲାଣି ତ କୋଉ ଦିନ ତରକାରୀ ଲୁଣିଆ ହେଲାଣି। ଆଉ କିଏ ହେଇଥିଲେ ମୋତେ ଏ ଘରୁ ବାହାର କରି ଦିଅନ୍ତାଣି। କିନ୍ତୁ ମୁଁ କୋଉ ଜନ୍ମରେ କି ତପସ୍ୟା କରିଥିଲି ଯେ ଭଗବାନ ମୋତେ ଏତେ ଭଲ ବର ଦେଇଛନ୍ତି। ରୂପ ଯେମିତି ଗୁଣ ବି ସେମିତି। ପୋଡ଼ାରୁଟି ଖାଇ ଚୁପ୍ ଚାପ୍ ଚାଲି ଯାଉଛନ୍ତି। କେବେ ବି ଟିକିଏ କଡ଼ା କରି କଥା ଦି ପଦ କହୁ ନାହାନ୍ତି। ନା ତାଙ୍କର ମୁଁ ଜୋତା ପଲିସ୍ କରି ଦେଉଛି ନା ତାଙ୍କ ସହିତ ଟିକିଏ କେତେବେଳେ ମୁଁ ଖୁସି ଗପ ହେଉଛି। ଏଇ ରାଜାଟା କେବେ ବଡ଼ ହେବ, ନିଜ କାମ ନିଜେ କରିବ। ମୋତେ ଟିକେ ଫୁରୁସତ୍ ମିଳିଲେ ମୁଁ ମୋ ସ୍ୱାମୀଙ୍କ କଥା ବୁଝିବି। ମୋର ଖାଲି ସେଇ ଗୋଟିଏ ଚିନ୍ତା। ଆଉ ତୁ ମା ମୋତେ କହୁଛୁ ମୁଁ ମୋ ସ୍ୱାମୀ,ଛୁଆ ପାଇଁ ତୋତେ ଭୁଲି ଗଲିଣି। ଏଇଟା କଣ କେବେ ସମ୍ଭବ? ତୁ ମା ମୋତେ ଜନ୍ମ ଦେଇଛୁ, କୋଳେଇ କାଖେଇ ବଡ଼ କରିଛୁ। ଆଉ ସିଏ ମୋ ସ୍ୱାମୀ। ଯାହାର ହାତ ସାତ ଜନ୍ମକୁ ଧରିଛି। ଯିଏ ମୋ ଇହକାଳ ପରକାଳ ର ଦେବତା। ଆଉ ରହିଲା ରାଜା। ତାକୁ ମୁଁ ଜନ୍ମ ଦେଇଛି। ତୁମେ ତିନିହେଁ ମୋ ପାଇଁ ଅମୂଲ୍ୟ। ମା, ନା ମୁଁ ତୋତେ କେବେ ଭୁଲି ପାରିବି, ନା ମୋ ସ୍ୱାମୀଙ୍କୁ, ନା ମୋ ରାଜାକୁ।

ମହାନ୍ତି ବାବୁ ଏସବୁ ଶୁଣି ସ୍ତବ୍ଧ ହେଇଗଲେ। ସେ ନିଜକୁ ବିଶ୍ୱାସ କରି ପାରିନଥିଲେ। ଯୋଉ ସ୍ତ୍ରୀ ତାଙ୍କ ପ୍ରତି ଅବହେଳା କରୁଛି ବୋଲି ସେ ଭାବୁଛନ୍ତି ତାଙ୍କ ପ୍ରତି ତାର ଏତେ ଭଲ ପାଇବା,ଏତେ ବିଶ୍ୱାସ। ସେ କଣ ଏଡ଼େ ସ୍ୱାର୍ଥପର। ନିଜ ସ୍ଵାର୍ଥ ରେ ଅନ୍ଧ ହେଇ ସେ ନିଜ ସ୍ତ୍ରୀର ସ୍ନେହ,ମମତା,ତା ଆବେଗ କୁ ଦେଖି ପାରିଲେନି। ତାଙ୍କୁ ଖାଲି ଦେଖାଗଲା ବାନ୍ତିରେ ଭିଜିଥିବା ଶାଢ଼ୀ ,ଦେଖା ଗଲାନି ଗୋଟିଏ ମା’ର ପୁଅ ପ୍ରତି ଅନାବିଳ ସ୍ନେହ। ଦେଖାଗଲା ମୁଣ୍ଡରେ ପାଚି ଯାଇଥିବା କେଶ, ଦେଖାଗଲାନି ବିଗତ ଦିନର କଲେଜ କୁଇନ୍ ନିଜ କର୍ତ୍ତବ୍ୟ ପାଇଁ ନିଜ ପ୍ରତି କରୁଥିବା ହତାଦର ଭାବ। ପାଖରେ ଏତେ ଗୁଣବତୀ, ସ୍ନେହୀ ସ୍ତ୍ରୀ ଥାଇ ସେ ଖୋଜୁଛନ୍ତି ସୁନ୍ଦରୀ ସ୍ତ୍ରୀକୁ। ସୁନ୍ଦରୀ ସ୍ତ୍ରୀ କିଏ? ରୂପରେ ସୁନ୍ଦରତା ନଥାଏ। ଥାଏ ମନରେ, ଥାଏ ହୃଦୟରେ। କୃଷ୍ଣସାର ମୃଗ ଯେମିତି କସ୍ତୁରୀର ବାସ୍ନାରେ ବିମୋହିତ ହୋଇ ଚାରିପାଖ ଘୁରିବୁଲେ ବାସ୍ନା ର ସନ୍ଧାନରେ । ଜାଣି ପାରେନି ବାସ୍ନାଟି ଆସୁଛି ତାର ନାଭିରେ ଥିବା କସ୍ତୁରୀରୁ । ଠିକ୍ ସିଏ ବି ଏତେ ଗୁଣବତୀ ସ୍ତ୍ରୀ ପାଖରେ ଥାଇ ଘୁରି ବୁଲୁଛି ଅନ୍ୟ ଏକ ସ୍ତ୍ରୀର ସନ୍ଧାନରେ।

ମହାନ୍ତି ବାବୁ ଖୁସିରେ ରାନୁକୁ କୁଣ୍ଢେଇ ପକେଇ କହିଲେ -- ଚାଲ ଟିକିଏ ପାର୍କ ଆଡ଼େ ବୁଲି ଆସିବା।

ରାନୁ ତାର ଚିରାଚରିତ ଶୈଳୀରେ କହିଲା

-- ନାଇଁ ଥାଉ। ମୁଁ ରାଜା ପାଇଁ ଖୀରି କରିବି। ସେ କହିଛି ଖାଇବ।

----ରାଜା ଆସିବାକୁ ଆହୁରି ଦୁଇ ଘଣ୍ଟା ବାକି ଅଛି।ଅଧ ଘଣ୍ଟାରେ ବୁଲି ଆସିବା । କେବେଠୁ ଯାଇନେ। ଆସିଲେ ଦିହେଁ ମିଶି ଖାଲି ଖିରୀ କାହିଁକି କାକରା, ପୁରୀ ସବୁ କରିବା। ଆଜି ବହୁତ ଖୁସିର ଦିନ।

---ଆଜି କଣ ହେଲା କି ଯେ ଏତେ ଖୁସି। ହଉ ମୁଁ ଶାଢ଼ୀ ବଦଳେଇ ଆସୁଛି। ଶାଢ଼ୀରେ ରୋଷେଇ କଲାବେଳେ ହଳଦୀ ଲାଗି ଯାଇଛି।

--- ନାଇଁ ଚଳିବ। ଏଥିରେ ତୁମେ ବହୁତ ସୁନ୍ଦରୀ ଦେଖା ଯାଉଛ।

ମହାନ୍ତି ବାବୁ କହିଲେ। ଆଜି ତାଙ୍କୁ ଲାଗୁଥିଲା ସତେ ଯେମିତି ସେ ନୂଆଁ ବାହା ହେଇଛନ୍ତି ଆଉ ରାନୁ ତାଙ୍କ ଘରେ ନୂଆ କରି ପାଦ ଥାପିଛି।


Rate this content
Log in

Similar oriya story from Drama