Bibhu Samanta

Inspirational Drama

3  

Bibhu Samanta

Inspirational Drama

କ୍ଷମା ରୂପେଣ ସଂସ୍ଥିତା

କ୍ଷମା ରୂପେଣ ସଂସ୍ଥିତା

4 mins
404


ଅଳ୍ପ ଦିନର ଗଳ୍ପ:


ଅନ୍ଧାର ସାଙ୍ଗେ ସଂଗ୍ରାମ କରି ଦପଦପ ହୋଇ ଜଳୁଥିଲା ଲଣ୍ଠନ ଟା। ମାଟି ଚଟାଣରେ ଦରି ଟେ ପାରି ପାଠ ପଢି ବସିଥିଲା ଜୁଲି। ବହିରେ ମୁହଁ ମାଡି। ସାନ ଭାଇ ଟୁନା କେତେବେଳୁ ଶୋଇଗଲାଣି।ସଞ୍ଜ ହେଲେ ତାକୁ ନିଦ। ପାଖରେ ଚୁଲି ଜାଳୁଥିଲା ମା' ପାର। ଭାତ ଫୁଟିବାର ଶବ୍ଦ ଛଡା ପୁରା ନୀରବତାର ରାଜୁତି ଚାରିଆଡେ। ବଖୁରକିଆ ଚାଳ ଘରଟି ଏମିତି ଛାଇ ଆଳୁଅର ଖେଳରେ ବୁଡିଥିଲା। 


ବ୍ୟାଗ ଭିତରୁ ଅଙ୍କ ଖାତା ବାହାର କଲା ଜୁଲି। ଡ଼ଟପେନ ଟେ କାଢି ଅଙ୍କ କଷିବା ଆରମ୍ଭ କଲା ସେ। ପାର ଡାକିଲା , "ପାଣି ମୁନ୍ଦେ ଆଣିଦେଲୁ ପରିବା କାଟିବି। " ଜୁଲି କହିଲା, "ଟିକେ ରହ, ଅଙ୍କ ଟା ସାରିଦେଇ ଯାଉଛି। ପାର ବୁଲି ଚାହିଁଲା, କହିଲା ଆଲୋ ପୋଡାମୁହିଁ !ସକାଳେ କହୁଥିଲୁ କଲମ ନାଇଁ। ଏ କଲମ ପୁଣି କୋଉଠୁ ଆଣିଲୁ? ଡରିକି ମୁହଁ ପୋତିଦେଲା ଜୁଲି। ଜାଣିଲା ଆଜି ବୋଉ ପିଟିପିଟି ମାରି ଦେବ। ଗଲା ଥର ଯୋଉ ପଧାନ ବାରିରୁ ଆମ୍ବ ତୋଳିଥିଲା, ସେ ମାଡ଼ର ଦରଜ ଏଯାଏ ଯାଇନି। ଆଉ ଆଜି, କଣ ହେବ ତାର। ସେଇ କଥା ଭାବୁଥିଲା। ପାର ପାଟି କରି ପଚାରିଲା, ତୋତେ କଣ ଶୁଭୁନି? ପଚାରୁଛି ପରା ଏ କଲମ କୋଉଠୁ ଆଣିଲୁ। ୯ବର୍ଷର ଜୁଲି ମାଡରୁ ବଞ୍ଚିବାକୁ ଯାଇ ସତକଥା କହିଦେଲା। ଆଜି ସାହିତ୍ୟ ସାର ଖାତା ଦେଖୁଦେଖୁ, ତାଙ୍କ କଲମଟା ଛାଡି ଯାଇଥିଲେ, ଶେଷ ପିରିଅଡ଼ରେ। ଛୁଟି ହେଲା ବେଳେ ସେଇ କଲମଟା ଜୁଲି ପାଇ ଆଣିଛି। କାଲି ଫେରେଇଦେଇ ଥାନ୍ତା ବୋଧେ। ଏତିକି ଶୁଣି ପାର ର ମୁଖଭଙ୍ଗୀ ବଦଳିଗଲା। ତୁ ଶେଷରେ ଚୋରି କଲୁ, ମୁଁ ଦିନରାତି ହୋଟେଲରେ ବାସନ ମାଜେ ତୋତେ ମଣିଷ କରିବି ବୋଲି, ଆଉ ତୁ... ଆଜି ତୋତେ ମାରୁ ମାରୁ ମାରିଦେବି,ଅଲକ୍ଷଣି ।ଏତିକି କହି ସେ ଝପଟି ଆସି ଜୁଲିର ଚୁଟି ଝିଙ୍କି ମନ ଇଛା ମାରି ଚାଲିଲା। ବିଧା ଗୋଇଠା ଚାପୁଡ଼ା ଯାହା ପାରିଲା। ଜୁଲି କାନ୍ଦୁଥାଏ ନାଇଁ ବୋଉ ମାରେନି ମତେ, ଭୁଲ ହେଇ ଯାଇଛି ମୋର। ଆଉ ଏମିତି କରିବିନି। ଟିକେ ପୂର୍ବରୁ ଶ୍ମଶାନର ନୀରବତା କ୍ରନ୍ଦନ ଓ କୋଳାହଳରେ ବଦଳିଗଲା। କିଛି ସମୟ ପରେ ଶୁଭୁଥିଲା, ସୁଁ ସୁଁ ସ୍ୱର ଆଉ କିଛି ଚୁଡିର ଶବ୍ଦ।


ପାର ଟା ସବୁବେଳେ ଏମିତି। ଅନ୍ୟାୟକୁ ପ୍ରଶୟ ଦିଏନି। ମୁହଁରେ ଜବାବ ଦିଏ ସେ, ହକ୍ କଥା କହେ ସେଥିପାଇଁ କୋଉ ଘରେ ବେଶିଦିନ କାମ କରିପାରେନି। ଭାରି କଷ୍ଟରେ ଏଇ ବାସନ ମଜା କାମଟେ ପାଇଛି। ହୋଟେଲର ବଳକା ଖାଇବା ମିଳି ଯାଉଛି ତାକୁ।ଆଉ ଦରମା ଅଲଗା। ଏଇ ଗୁଣ ପାଇଁ, ସେ ନିଜ ସ୍ୱାମୀକୁ ଛାଡିନି। ମଦ ପିଇବ ବୋଲି କାହା ସାଇକେଲଟେ ଚୋରି କରିଥିଲା ଯେ ପାର ନିଜେ ତାକୁ ପୁଲିସ ଜିମା ଦେଇଥିଲା। ସେ ଏବେ ଜେଲରେ। ଅନେକ ଥର ବୁଝେଇଛି, ଭୂଲ୍ ବାଟକୁ ନଯିବାକୁ। ଶେଷରେ ଆଉ ସହିପାରିଲାନି । ଆଉ ଆଜି ଜୁଲି ଏମିତି କଲା, କେମିତି ସହିଥାନ୍ତା। ରାତିସାରା ଜୁଲିକୁ ଧରି ଲୁହ ଗଡେଇଛି ନୀରବରେ। ଅଭାବେ ସ୍ବଭାବ ନଷ୍ଟ। ନିଅଣ୍ଟିଆ ସଂସାର ଭିତରେ ଲୋଭରେ ପଡି ଜିନିଷ ଚୋରି କରିବା କିଛି ବ୍ୟତିକ୍ରମ ନୁହେଁ। ତଥାପି କାହିଁକି କେଜାଣି ପାର ଭିତରେ ଥିବା ବିବେକ ତାକୁ ଅଟକେଇ ଦିଏ। ସେ ଜମା ବରଦାସ୍ତ କରି ପାରେନି। ସ୍ୱାଭିମାନର ପ୍ରଶ୍ନ ହୋଇ ପଡେ ତା ପାଇଁ। ସତରେ ଭାରି ବିଚିତ୍ର। ଲୁଗା କାନିରେ ପିଲା ଯୋଡିକୁ ବିଞ୍ଚି ଦଉଦଉ ଢୁଳେଇ ପଡେ ତାଙ୍କ ପାଖେ।


ଜୁଲି ଫେରେଇ ଦେଇଥିଲା ସାହିତ୍ୟ ସାରଙ୍କ କଲମ। ଆଉ ସାର ଖୁସି ହୋଇ ତା ହାତରେ ଚକଲେଟ ଟିଏ ଦେଇଥିଲେ। ସେ ନଖାଇ ଟୁନାକୁ ଦେଇଦେଲା। ପାର ଏକଥା ଜାଣି ଭାରି ଖୁସି ହେଲା। ପିଲାମାନେ ଖେଳିବାକୁ ଗଲାପରେ ପାର ଗଲା ନଳକୁଅ ପାଖକୁ । ଗାଧୋଇ ଆସି ଲୁଗା ବଦଳିଲା। ସିନ୍ଦୂର ନାଇଲା ବେଳକୁ ଦର୍ପଣରେ ଦେଖିଲା, ଘର ଗୋଟେ କୋଣରେ କିଏ ଗୋଟେ ବସିଛି। ଜାକି ହୋଇ। ଡରିଗଲା ସେ। ବୁଲିପଡ଼ି ପଚାରିଲା କିଏ ସେଠି? ଠିଆ ହେଲା ଲୋକ ଟା। ଆରେ! ଇଏ ତ ଗୁଲିଆ ଦାଦି ପୁଅ, ସୁରୁଜା। ପାର ଟିକେ ଚଢା ଗଳାରେ ପଚାରିଲା," ତୁ ଏଠି କଣ କରୁଛୁ? ଅଭଦ୍ର ତୋ ବାପାକୁ କହୁଛି ରହ"। ସେ କାନ୍ଦ କାନ୍ଦ ହୋଇ କହିଲା , "ନୂଆଉ, ମତେ ବଞ୍ଚା।ସେମାନେ ମତେ ମାରିଦେବେ"। ପାର ପଚାରିଲା," କିଏ?" "ସେଇ ସାହୁକାର ମୋ ପାଇଁ ପୋଲିସ ପଠେଇଛି?" ସୁରୁଜା କହିଲା। ପାର ଦୃଢ ସ୍ୱରରେ ପଚାରିଲା "କାହିଁକି? ସତ କହ କଣ କରିଛୁ ତୁ?" "ନା ,ମୁଁ କିଛି କରିନି ,ସୁରୁଜା କହିଲା। ତାହେଲେ? ରହ ମୁଁ ଡାକି ଦଉଚି ସେମାନଙ୍କୁ। ପାର କହିଲା। ସୁରୁଜା ପାର ଗୋଡ଼ ଧରି କଇଁ କଇଁ ହୋଇ କାନ୍ଦିଲା। କାନ୍ଦି କାନ୍ଦି କହିଲା ମୁଁ ତାଙ୍କ ଘରେ କାମ କରୁ କରୁ କାନ ଫୁଲଟେ ପାଇଲି। ସେଇଟା କୁଆଡେ ସାହୁକାର ଝିଅର। ମୁଁ ମୋ ପାଖେ ରଖିନେଲି। ସାହୁକାର ମୋ ଜାଣିପାରି ମୋ ଠୁ ନେଇଗଲା ଆଉ ମତେ ବହୁତ ମାରିଲା, ଥାନାକୁ ଫୋନ କଲା। ସେମାନେ ଆସିବା ଆଗରୁ ମୁଁ ସେଠାରୁ ଦୌଡ଼ି ପଳେଇ ଆସିଛି। ନୂଆଉ ମୋର ଭୁଲ ହେଇଚି ମୁଁ ଆଉ କେବେ ପର ଜିନିଷକୁ ଅନେଇବିନି। ମୋ ବୋଉ ରାଣ ଖାଉଛି। ଆଉ ଏମିତି ଭୁଲ କେବେ ହେବନି। କାନ ଧରୁଛି, ମତେ ଏଇ ଥର ବଞ୍ଚେଇ ଦେ। ପୁଲିସ ମତେ ମାରି ଦେବ।" ସବୁ ଶୁଣୁଥିଲା ପାର। ଦେଖୁଥିଲା ପଶ୍ଚାତପର ଲୁହ। ଯାହା ତା ସ୍ବାମୀ ଆଖିରେ କେବେ ଦେଖିନି।ବୁଝୁଥିଲା ଆଜି ଯଦି ସୁରୁଜାକୁ କ୍ଷମା ନ କରେ? ତେବେ ହୁଏ ତ ସେ ଆହୁରି ଗୋଟେ ଅନ୍ୟାୟ କରିବ। ନିର୍ଦୋଷଟେ ଦଣ୍ଡ ପାଇଲେ ଅପରାଧିର ଜନ୍ମ ହୁଏ। ଆଉ ସେ ଆଉ ଗୋଟେ ଅପରାଧୀ ବୃଦ୍ଧି ହେବାକୁ ଦେବନି। ଏମିତି ତ ଏଇ ବସ୍ତି ବାସୀ ବଦନାମ। ଯାହା କିଛି ହେଲେ ଏଇଠୁ ଦି ଚାରିଟାଙ୍କୁ ନେଇ ଜେଲ ପଠେଇ ଦିଅନ୍ତି। ଦଫା ପରେ ଦଫା ଲଗେଇ ଦିଅନ୍ତି। ସେ କିନ୍ତୁ ସୁରୁଜାକୁ ଭଲ ମଣିଷ ହେବାକୁ ସୁଯୋଗ ଦେବ। ଏତିକି ବେଳେ କବାଟ ଠକଠକ ହେଲା। ପାର ଗଲା କବାଟ ପାଖକୁ। ଦେଖିଲା ଦି ଜଣ କନେଷ୍ଟବଳ। ଲୁଚିଗଲା ସୁରୁଜା କବାଟ ପାଖ କାନ୍ଥକୁ ଲାଗି। ପାର ପଚାରିଲା କଣ ହେଲା ସାର? କେହି ଜଣେ ବାହାର ଲୋକ ଆସିଛି ତମ ଘରକୁ? ପାର ମନା କଲା, "ନାଇଁ ତ, ଆଜ୍ଞା।ଏଠି ତ ମୁଁ ଆଉ ମୋ ପିଲା ମାନେ ରହୁ" । ପୋଲିସ ଦେଖି ଜୁଲି ଆଉ ଟୁନା ବି ଘରକୁ ଆସି ସାରିଥିଲେ। ସେମାନେ ଘରେ ଟିକେ ନଜର ପକେଇ ଚାଲିଗଲେ। ଘରେ ସୁରୁଜାକୁ ଦେଖି ଜୁଲି ଚାହିଁ ରହିଥିଲା ପାର କୁ ବଡ଼ବଡ଼ ଆଖିରେ। ସେ ଦେଖୁଥିଲା ପାର ଭିତରେ ଭିନ୍ନ ଏକ ରୂପକୁ, ଯେ ପୋଷଣ କରିପାରେ, ଦଣ୍ଡ ଦେଇପାରେ ଆଉ କ୍ଷମା ମଧ୍ୟ କରିପାରେ। 


Rate this content
Log in

Similar oriya story from Inspirational