କୃଷ୍ଣ ଚରିତରୁ ପୃଷ୍ଠାଟିଏ
କୃଷ୍ଣ ଚରିତରୁ ପୃଷ୍ଠାଟିଏ
କୋଇଲି ଲୋ କେଶବ ଯେ ମଥୁରାକୁ ଗଲା ........।
" ମାତଃ , ଭବତୀ ଭିକ୍ଷାଂ ଦେହୀ ।"
ବ୍ରହ୍ମଚାରୀ କୃଷ୍ଣ ଭିକ୍ଷା ଯାଚନାର୍ଥେ ମାତା ଯଶୋଦାଙ୍କ ସମ୍ମୁଖରେ ଦଣ୍ଡାୟମାନ , ଲଣ୍ଡିତ ମସ୍ତକ ଚନ୍ଦନ ଚର୍ଚ୍ଚିତ ଶ୍ରୀଅଙ୍ଗ ନେଇ । ଅପୂର୍ବ ଅଲୌକିକ ମୂଖକାନ୍ତି । ବଙ୍କିମ ଅଧରରେ ଲୀଳାମୟୀ ସ୍ମିତହାସ୍ୟ । ସୁଲଳିତ କଣ୍ଠରେ ଗୁଞ୍ଜାୟମାନ ଭିକ୍ଷା ଯାଚନା ।
ମଥୁରା ରାଜଭବନର ବିଶାଳ ପ୍ରାଙ୍ଗଣରେ ଅପାର ଜନ ସମାଗମ । ସମ୍ପୂର୍ଣ୍ଣ ଜମ୍ବୁ ଦ୍ଵିପର ବିକ୍ଷାତ ଶାସକଗଣ ଗୋଟିଏ ପାର୍ଶ୍ଵରେ ଉପବିଷ୍ଟ । ଗୋପପୁରର ପ୍ରଜାଜନ ଅନ୍ୟ ଏକ ପାର୍ଶ୍ଵରେ ଉତ୍କଣ୍ଠିତ ହୋଇ ଉପଭୋଗ କରୁଛନ୍ତି ଏ ସ୍ଵର୍ଗୀୟ ସମାରୋହକୁ । ଆଜି ଯେ କୃଷ୍ଣ ବଳରାମଙ୍କ ଉପନୟନ ସଂସ୍କାର ।
କଂସବଧୋପରାନ୍ତେ ଉଗ୍ରସେନଙ୍କ ରାଜ୍ୟାଭିଷେକ ଉତ୍ତାରୁ ଗୁରୁ ସାନ୍ଦିପନୀ କୃଷ୍ଣ ଓ ବଳରାମଙ୍କୁ ବିଦ୍ୟାଦାନର ଏ ମହାନ୍ ସୌଭାଗ୍ୟ ଲାଭ ନିମନ୍ତେ ବିଶେଷ ଲାଳାୟିତ । ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରିବା ପୂର୍ବରୁ ଉପନୟନ ସଂସ୍କାର ନିତାନ୍ତ ଆବଶ୍ୟକ ।
ହୋମଯଜ୍ଞ ଓ ନାନାଦି କର୍ମକାଣ୍ଡ ପରେ କୃଷ୍ଣ ଶୁଭେଚ୍ଛୁ ମାନଙ୍କ ନିକଟକୁ ଯାଇ ଭିକ୍ଷାଯାଚନା କରିବା ବିଧେୟ । ସେ ମୂହୁର୍ତ୍ତେ ସ୍ଥିର ହୋଇ ଦୃଷ୍ଟି ପକାଇଲେ ସମ୍ପୂର୍ଣ୍ଣ ସଭାମଣ୍ଡପ ଉପରେ , କିଏ କିଏ ଶୁଭେଚ୍ଛୁ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଅଛନ୍ତି । ଉଗ୍ରସେନଙ୍କ ପାର୍ଶ୍ଵସ୍ଥିତ ସୁସଜ୍ଜିତ ମଞ୍ଚକ ମାନଙ୍କରେ ପିତା ବସୁଦେବ ଓ ଗର୍ଭଧାରିଣୀ ମାତା ଦେବକୀ ଉପବିଷ୍ଟ । ଦେବକୀଙ୍କ ଉତ୍ଫୁଲ୍ଲିତ ମୂଖମଣ୍ଡଳର ଆଭାରେ ଆତ୍ମବଡି଼ମା ଓ ଅଭିମାନ ସ୍ଵତଃ ପ୍ରସ୍ଫୁଟିତ । ସେ ଯେ ଜଗତ୍ ଉଦ୍ଧାରକ , ପାପବିନାଶକ , ଚମତ୍କାରୀ ଶ୍ରୀକୃଷ୍ଣଙ୍କ ଜନନୀ । ସେ ନିଶ୍ଚିନ୍ତ ଆଶାୟୀ ଯେ କୃଷ୍ଣ ସର୍ବ ପ୍ରଥମ ଭିକ୍ଷା ତାଙ୍କ ଠାରୁ ହିଁ ଗ୍ରହଣ କରିବେ ।
ସାଧାରଣ ପ୍ରଜାଜନଙ୍କ ଗହଣରେ ଚାରୋଟି ଆକୁଳ କାକୁସ୍ଥ ନୟନର ବାତ୍ସଲ୍ୟ ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗରେ ସତେକି ଶୀତଳ ଚନ୍ଦନ ଲେପନ କରୁଛି । ରହି ରହି ଦୃଷ୍ଟି ତାଙ୍କର ସେହି ଚାରୋଟି ଆଖି ଉପରେ ନିବଦ୍ଧ ହୋଇ ରହି ଯାଉଛି । ସ୍ଵତଃ ତାଙ୍କର ପଦଯୁଗଳ ଅଗ୍ରସର ହେଉଛି ସାଧାରଣ ଜନତାଙ୍କର ମଣ୍ଡପ ଦିଗକୁ । କିଛି କ୍ଷଣ ଉପରାନ୍ତେ ସେ ନିଜକୁ ଆବିଷ୍କାର କରୁଛନ୍ତି ମମତାମୟୀ ଜନନୀଶ୍ରେଷ୍ଠା ମାତା ଯଶୋଦାଙ୍କ ସମ୍ମୁଖରେ । ଭିକ୍ଷାଥଳୀ ଦେଖାଇ ଅନୁନୟ କରୁଛନ୍ତି ,
" ମାତଃ , ଭବତୀ ଭିକ୍ଷାଂ ଦେହୀ ।"
ମାତା ଯଶୋଦାଙ୍କ କୃଷ୍ଣପ୍ରେମ ପିପାସୁ ନୟନରୁ ଅଜସ୍ର ଅଶ୍ରୁବାରି ଝରି ପଡୁଛି ଭିକ୍ଷାଥଳୀ ଭିତରେ । ମାତା ନିଜକୁ ଆଉ ସମ୍ଭାଳି ପାରୁ ନାହାନ୍ତି । ବିଦଗ୍ଧ ହୃଦୟ ଆନ୍ଦୋଳିତ ,
ଆଲୋଡି଼ତ । ମାତୃବାତ୍ସଲ୍ୟ ବିଳାପ କରୁଛି , - କାହ୍ନୁରେ , ତୁ ମୋର ସନ୍ତାନ । ମୁଁ ନହୋଇ ପାରେ ତୋର ଗର୍ଭଧାରିଣୀ , କିନ୍ତୁ ତୁ ମୋରି ପୁତ୍ର । ଜଗତଜନଙ୍କ ସକାଶେ ତୁ ହୋଇ ଥାଇପାରୁ ଈଶ୍ବରଙ୍କ ଅବତାର । କିନ୍ତୁ ମୋ ପାଇଁ ତୁ ମୋର ସେହି ବାଳୁତ ପୁତ୍ର କାହ୍ନା ।
ମନେ ପଡୁଛି , ଥରେ ଦୈବାତ ସେ ଉଦ୍ଧବ ସମ୍ମୁଖରେ ନିଜର ହୃଦୟ ଫେଡି଼ ଆକୁଳ କ୍ରନ୍ଦନ କରି ଖୋଲି ଦେଇଥିଲେ ଅନ୍ତରତମ ଉଚ୍ଛ୍ଵାସ ।
" ଛାଡ଼ ସେ ବିଷୟ ନକର ସଂଶୟ ଗୋବିନ୍ଦ ଡଗର
ବ୍ରହ୍ମ ବ୍ରହ୍ମ ବୋଲି କେତେ ବୋଲ ତାକୁ ସେ ମୋର କୁମର । "
'" ମଥୁରା ମଙ୍ଗଳ "'
ଯଶୋଦାଙ୍କର ମନେ ପଡି ଯାଉଛି ସେହି ମର୍ମନ୍ତୁଦ ଅମଙ୍ଗଳ ମୁହୂର୍ତ୍ତ । ନନ୍ଦଙ୍କ ମୂଖରୁ ନିର୍ଗତ ସେହି କେତୋଟି ନିଷ୍ଠୁର ପଦ , ଯାହା କୃଷ୍ଣଙ୍କୁ କରିଦେଲା ଏକାନ୍ତ ଅପରିଚିତ । ଆଜି ମଧ୍ୟ ସେହି ଅଭିଶପ୍ତ କ୍ଷଣ କେତୋଟିକୁ ବିସ୍ମରି ଦେଵାକୁ ଚାହୁଁଛନ୍ତି ସେ ।
ସେ ଏକ ଭୟଙ୍କର ସ୍ଵପ୍ନ ଥିଲା ଯେପରି ...
ଅମା ଅନ୍ଧାର ରଜନୀ । ପଲ୍ୟଙ୍କରେ ଘୁମନ୍ତ କୃଷ୍ଣଙ୍କ କମନୀୟ ମୂଖରେ ଦୃଷ୍ଟି ନିବଦ୍ଧ କରି ବସିଛନ୍ତି ଯଶୋମତୀ । ଗବାକ୍ଷରୁ ନିଷ୍ପ୍ରଭ ଜ୍ୟୋତ୍ସ୍ନାଲୋକ ପଡି଼ କୃଷ୍ଣଙ୍କ ମୂଖକୁ କରି ତୋଳୁଛି ରହସ୍ୟମୟ । ଦୁଷ୍ଟ ପବନ ଦଲକାଏ ପଶି ଆସି ଚୁମ୍ବନ କରୁଛି କୃଷ୍ଣଙ୍କ କୁଞ୍ଚିତ ଘନ କେଶରାଶିକୁ , ଯଶୋଦାଙ୍କ ବାତ୍ସଲ୍ୟ ସହ ପ୍ରତିଯୋଗିତା କରି । ତାଙ୍କ ନୟନ କୋଣରେ ଅଶ୍ରୁ । କାଲି କାହ୍ନୁ ମଥୁରା ଗମନ କରିବ । ଅକ୍ରୁର ଆସିଛି କଂସର ଚିଟାଉ ନେଇ । ସମ୍ପୂର୍ଣ୍ଣ ଗୋପପୁର ଶୋକାଭିଭୂତ । ଯଶୋଦା ବ୍ୟାକୁଳ , କିପରି ଛାତିକୁ ପଥର କରିବେ । କାହ୍ନାକୁ ନଦେଖି କିପରି ଶରୀର ଧାରଣ କରି ଦିନ କାଟିବେ । ମତିଭ୍ରମ ଘଟିବନି ତ ତାଙ୍କର ?
ସ୍କନ୍ଧଦେଶରେ କାହାର ମୃଦୁ କରସ୍ପର୍ଶ । ଓହୋ , ନନ୍ଦରାଜ ! ଆଖିରେ ଅନେକ ପ୍ରଶ୍ନବାଚୀ ଓ ମୂଖରେ କିଞ୍ଚିତ ଅସାମଞ୍ଜସ୍ୟର ଭାବ ! ସେ ମଧ୍ୟ ଶୋକାଭିଭୂତ । ନୀରବରେ ଯଶୋଦାଙ୍କ ହସ୍ତ ଧରି ସେ ତାଙ୍କୁ ନେଇଗଲେ ତାଙ୍କର ଶୟନ କକ୍ଷକୁ ।
ନନ୍ଦଙ୍କ ମନରେ ଅନେକ ବିଡ଼ମ୍ବନା । କେମିତି ଉନ୍ମୋଚିତ କରିବେ ସେ ରହସ୍ୟର ଗ୍ରନ୍ଥି । କେଉଁ ପ୍ରକାରେ ସେ କହିବେ ଯଶୋଦାଙ୍କୁ ଏ ନିରାଟ ନିଷ୍କରୁଣ ସତ୍ୟ । କିନ୍ତୁ ଆଉ ତାକୁ ପ୍ରଚ୍ଛନ୍ନ ରଖିବା ମଧ୍ୟ ନିଷ୍ପ୍ରୋୟଜନ । ଏହି ମୂହୁର୍ତ୍ତରେ ହିଁ ତାଙ୍କୁ ଉଦ୍ଘାଟିତ କରିବାକୁ ହେବ ଏ ସମୟ ସାପେକ୍ଷ ରହସ୍ୟ ।
ନନ୍ଦରାଜ ପଚାରିଲେ , " ଯଶୋମତୀ , ନିଦ୍ରା ହେଉ ନାହିଁ କି ? "
ଯଶୋଦା ଦେଖିଲେ , ମହାରାଜ ମଧ୍ୟ ବ୍ୟସ୍ତ ବିବ୍ରତ । ସେ ମଧ୍ୟ ଏଯାବତ ବିନିଦ୍ର । ନିଜର ଶୋକକୁ ଗୋପନ ରଖିବା ପାଇଁ ଯଶୋଦାଙ୍କ ଅନିଦ୍ରାର ଆଶ୍ରୟ ନେଇଛନ୍ତି । ଯଶୋଦା ସ୍ଵଗତଃ ଚିନ୍ତା କଲେ , - ଯାହାର ପୁତ୍ର ଆସନ୍ତା କାଲି କଂସ ନଗରୀ ମଥୁରା ଗମନ କରିବ ତାକୁ ବା ନିଦ୍ରା ହେବ କେମିତି ? ଆଉ ମହାରାଜ ବି ତ ଚିନ୍ତିତ ।
ପ୍ରକାଶ୍ୟରେ କହିଲେ ,
" କୁମ୍ଭାଟୁଆ ପ୍ରତ୍ୟୁଷ ହେବାର ସୂଚନା ଦେଲାଣି ତ । ତେଣୁ କାହ୍ନୁକୁ ଉଠେଇବାକୁ ଆସିଥିଲି । କିନ୍ତୁ ମହାରାଜ , ଆପଣଙ୍କ ନୟନରେ ମଧ୍ୟ ଅନିଦ୍ରାର ଚିହ୍ନ , କାରଣ ଜାଣି ପାରେ କି ?"
ନନ୍ଦ ଚାହିଁଲେ ଯଶୋଦାଙ୍କୁ । ଜାଣି ପାରୁଥିଲେ ଯେ ତାଙ୍କ ମୂଖରୁ ଶବ୍ଦ ସ୍ଫୁରିବା ମାତ୍ରେ ଯଶୋଦାଙ୍କ ହୃଦୟ ଶତ ବିଦୀର୍ଣ୍ଣ ହୋଇ ଯିବ । କିନ୍ତୁ କଠୋର ହୋଇ ତାଙ୍କୁ କହିବା ବିନା ଅନ୍ୟ ଉପାୟ ନାହିଁ ।
" ଗୋଟିଏ ଦୁସମ୍ବାଦ ଅଛି ଯଶୋଦା ! " ଅତ୍ୟନ୍ତ କାକୁସ୍ଥ ହୋଇ ଅତି ସନ୍ତର୍ପଣରେ ସାହସ ସଞ୍ଚୟ କରି ନନ୍ଦ କହିଲେ - " ହର୍ଷ ଉଲ୍ଲାସର ସମୟ ବୋଧେ ଆମଠାରୁ ଚିରକାଳ ପାଇଁ ବିଦାୟ ଘେନି ଚାଲି ଯାଉଛି ।"
ଅବନତ ମୂଖରେ ଅଶ୍ରୁ ଲୁଚାଇ ଦୃଢ଼ ସ୍ଵରରେ କହିଲେ ଯଶୋଦା , " ଆପଣ ଏ କଣ କହୁଛନ୍ତି , ମୁଁ ତ ଜାଣିଛି , ଅକ୍ରୁର ସହ କୃଷ୍ଣ ଧନୁଯଜ୍ଞ ଉତ୍ସବରେ ଯୋଗ ଦେବାକୁ ମଥୁରା ଯିବ , ପୁଣି କଣ ବାହୁଡି଼ ଆସିବନି କି ? ମୁଁ ମାତା , ତେଣୁ ଏହି ଆଠ ଦଶ ଦିବସ ତାକୁ ଝୁରିବି । କିନ୍ତୁ ପୁରୁଷ ହୋଇ ଏ ନିରାଶା ଭାବ କଣ ଉଚିତ ମହାରାଜ ?
" ନା ଯଶୋଦା , ଆମ କୃଷ୍ଣ ହୁଏତ ଫେରି ନପାରେ । ଅଦୃଷ୍ଟ ଆମ ସହ ଉପହାସ କରୁଛି । ମୁଁ ଶୁଣିଛି , କଂସର ଏ ନିମନ୍ତ୍ରଣ ନୁହେଁ , ଏକ ଷଡ଼ଯନ୍ତ୍ର । ଧନୁଯଜ୍ଞ ଆଳରେ କୃଷ୍ଣ ବଳରାମଙ୍କୁ ସେ ବଧ କରିବାକୁ ଚାହୁଁଛି । ଚାଣୁର , ମୁଷ୍ଟିର ଭଳି ଦୁର୍ଦ୍ଦାନ୍ତ ମଲ୍ଲ ଯୋଦ୍ଧାଙ୍କୁ ବିନିଯୋଗ କରିଛି । କୁବଳୟାପୀଡ଼ ନାମକ ମାରାତ୍ମକ ହସ୍ତୀକୁ ମଧ୍ୟ ତାଙ୍କ ସମ୍ମୁଖରେ ଛାଡ଼ି ଦେଇ ପାରେ । "
" କିନ୍ତୁ କାହିଁକି , କୃଷ୍ଣ , ବଳରାମ ଭଳି ଅବୋଧ ଶିଶୁ କଣ ତାର ଶତୃ ?"
ନନ୍ଦରାଜ କିଞ୍ଚିତ ପଦଚାରଣ କରି କହିଲେ ," ଯଶୋଦା , ବଳରାମ ରୋହିଣୀ ଓ ଵସୁଦେବଙ୍କ ପୁତ୍ର ବୋଲି ତୁମର ଧାରଣା । କିନ୍ତୁ ପ୍ରକୃତରେ ସେ ଦେବକୀଙ୍କ ପୁତ୍ର ।ତାଙ୍କୁ ଭୃଣାବସ୍ଥାରେ ସଂକର୍ଷଣ କ୍ରିୟା ଦ୍ଵାରା ଦେବକୀଙ୍କ ଗର୍ଭରୁ ଆଣି ରୋହିଣୀ ଗର୍ଭରେ ରୋପିତ କରାଯାଇଥିଲା , କଂସ ଭୟରେ ।"
ଯଶୋଦା ବିମୂଢ଼
ଅବସ୍ଥାରେ ଅପଲକ ଦୃଷ୍ଟିରେ ଅନାଇ ରହିଲେ ।
" ହେ ଭଗବାନ ! ଆପଣ ଏ ରହସ୍ୟକୁ ମୋଠାରୁ ଗୋପନ ରଖିଛନ୍ତି ? କିନ୍ତୁ କାହିଁକି ? "
ନନ୍ଦ ଯଶୋଦାଙ୍କ ସ୍କନ୍ଧଦେଶରେ ଦୁଇ ହସ୍ତ ଥାପି କହିଲେ , " ମୁଁ ତ ତୁମଠାରୁ ଆହୁରି ଏକ ହୃଦୟ ବିଦାରକ ସତ୍ୟ ଗୋପନ ରଖିଛି ଯଶୋମତୀ । ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ । କଦାଚିତ ଏ ସତ୍ୟ ଉଦ୍ଘାଟିତ ହୋଇଥିଲେ ତୁମର ବ୍ୟବହାର ସାମାନ୍ୟ ରହି ପାରି ନଥାନ୍ତା । ତୁମେ ନିଜକୁ ପ୍ରକୃତିସ୍ଥା ରଖି ପାରି ନଥାନ୍ତ । ଯଦ୍ୱାରା ଆମ କାହ୍ନାର ଜୀବନ ବିପନ୍ନ ହୋଇ ପଡ଼ି ଥାଆନ୍ତା । "
ଯଶୋଦା ଭୟଙ୍କର ଭାବରେ ଆଶଙ୍କିତା ହୋଇ ପଡ଼ିଲେ । କମ୍ପିତ ସ୍ଵରରେ ପଚାରିଲେ , " ଆଉ କି ରହସ୍ୟ ଆପଣ ଗୋପନ ରଖିଛନ୍ତି ମହାରାଜ ? ମୋର ପ୍ରାଣ ଛାଡ଼ି ଯିବ । ଅନୁକମ୍ପା କରି ଆଉ ଗୌରଚନ୍ଦ୍ରିକା କରନ୍ତୁ ନାହିଁ ।"
ଅନାୟାସେ ନନ୍ଦଙ୍କ ମୂଖରୁ ନିସୃତ ହେଲା ଏକ ଦାରୁଣ ସତ୍ୟ
" କୃଷ୍ଣ ... ଦେବକୀ ବସୁଦେବଙ୍କ ଅଷ୍ଟମ ସନ୍ତାନ ।"
ନନ୍ଦଙ୍କ ବାଣୀ ବାରମ୍ବାର ପ୍ରତିଧ୍ବନିତ ହୋଇ ଉଭୟଙ୍କୁ ଆକ୍ରମଣ କଲା । ନନ୍ଦ ଦୃତ ଗତିରେ ଦ୍ଵାର ଦିଗକୁ ଅଗ୍ରସର ହେଲେ , ଯେମିତି ସେଠାରେ ରହିଲେ ସେ ନିଜର ସମ୍ବିତ ହରାଇ ବସିବେ , କିମ୍ବା ଯଶୋଦାଙ୍କ ମାତୃ ହୃଦୟର ତପ୍ତ ହଳାହଳ ସମ ଦୀର୍ଘଶ୍ଵାସ ତାଙ୍କର ଅସ୍ତିତ୍ୱକୁ ଜାଳି ପୋଡ଼ି ଭସ୍ମୀଭୂତ କରି ଦେବ ।
ଯଶୋଦାଙ୍କ ମସ୍ତକରେ ସତେ କି ବଜ୍ରପାତ ହେଲା । ସମଗ୍ର ବ୍ରହ୍ମାଣ୍ଡ ଅନ୍ଧକାର ଦେଖାଗଲା । ପଦତଳେ ବସୁଧା ସପ୍ତଖଣ୍ଡ ହୋଇଗଲା । ତଡି଼ତ ପ୍ରାୟ ସେ ଉନ୍ମାଦିନୀ ପରି ଲମ୍ଫ ମାରି ନନ୍ଦଙ୍କ ସମ୍ମୁଖରେ ଛିଡ଼ା ହୋଇଗଲେ । ତାଙ୍କର ପ୍ରତିଟି ଲୋମ ଚିତ୍କାର କରି ଉଠିଲା ।
" ନା , ଏହା ସତ୍ୟ ହୋଇ ନପାରେ । କସ୍ମିନ କାଳେ ନୁହେଁ । କୃଷ୍ଣ ଆଉ କାହାରି ପୁତ୍ର ନୁହେଁ । ତାର ଗର୍ଭଧାରିଣୀ ମୁଁ ।"
ଯଶୋଦା କାଳେ ବିକ୍ଷିପ୍ତା ହୋଇ ପଡ଼ିବେ ବୋଲି ନନ୍ଦ ଆଶଙ୍କିତ ହୋଇ ପଡ଼ିଲେ । ସମ୍ବେଦନା ଜଣାଇବା ଉଦ୍ଦେଶ୍ୟରେ ସେ ତାଙ୍କୂ ନିଜର ଦୃଢ଼ ବାହୁ ବନ୍ଧନରେ ଆବଦ୍ଧ କଲେ । ଯଶୋଦା ନିଜକୁ ତତ୍ କ୍ଷଣାତ୍ ମୁକୁଳିତ କରି ପ୍ରଚଣ୍ଡ କ୍ରୋଧରେ ଗର୍ଜନ
କଲେ । " ଆପଣ କଣ କଂସ ସମ ରାକ୍ଷସ ? ବନ୍ଧୁ ପ୍ରେମରେ ଅନ୍ଧ ହୋଇ ମାତାଠାରୁ ତାର ପୁତ୍ରକୁ ବିଚ୍ଛିନ୍ନ କରିବାକୁ ଚାହୁଁଛନ୍ତି ? ନିସନ୍ତାନ ବସୁଦେବଙ୍କ ହସ୍ତରେ ସମର୍ପି ଦେବାକୁ ଚାହୁଁଛନ୍ତି ମୋ କାହ୍ନାକୁ ? "
ନନ୍ଦରାଜଙ୍କ ମୂଖରୁ ବାଣୀ ସ୍ଫୁରିଲା ନାହିଁ । ଅସ୍ଥିର ଶୋକ ନିମଗ୍ନା ଯଶୋଦାଙ୍କୁ ସାନ୍ତ୍ଵନା ଦେବାକୁ ଯାଇ ତାଙ୍କ କେଶରେ ହସ୍ତ ସଞ୍ଚାଳନ କଲେ ଆବେଗରେ , ମୌନ ଭାବରେ । କିଛି କ୍ଷଣ ଉତ୍ତାରୁ ସ୍ଵୟଂ ସାମାନ୍ୟ ପ୍ରକୃତିସ୍ଥା ହେଲେ ଯଶୋଦା । ଅଶ୍ରୁଧୌତ ମୂଖତ୍ତୋଳନ କରି ପଚାରିଲେ , - "କୃଷ୍ଣ ଯଦି ମୋର ଜନ୍ମିତ ସନ୍ତାନ ନୁହେଁ , ତେବେ କାହିଁ ମୋର ଜନ୍ମିତ ସନ୍ତାନ । ଆଉ ଏ କୃଷ୍ଣ ମୋ କୋଳକୁ ଆସିଲା କେଉଁ ପ୍ରକାରେ ? "
ନନ୍ଦ ଉତ୍ତର ଦେଲେ ," ଭାଦ୍ରବର ସେହି ବର୍ଷଣମୁଖର ରାତ୍ରିଟି ସ୍ମରଣ ଅଛି ନା ଯଶୋଦା ? ଅସ୍ଥିର ମେଘରୁ ଝରି ପଡୁଥିଲା ଅବାରିତ ବାରିଧାରା । ବିଜୁଳି , ଘଡ଼ଘଡି଼ରେ କମ୍ପି ଉଠୁଥିଲା ମେଦିନୀ । ବନ୍ୟା ଜଳ ଭାରରେ ଅଶାନ୍ତ ଯମୁନା କରାଳ ରୂପ ଧାରଣ କରି ସମଗ୍ର ଗୋପପୁରକୁ ଜଳନିମଗ୍ନ କରିଥିଲା । ଗର୍ଭ ବେଦନାରେ ତୁମେ ବ୍ୟାକୁଳ ହେଉଥିଲା ବେଳେ ମୁଁ ବୈଦ୍ୟଙ୍କୁ ଡାକିବାକୁ ମଧ୍ୟ ନିଜକୁ ଅସମର୍ଥ ପାଇଥିଲି ଏପରି ଭୟାବହ ପରିସ୍ଥିତିରେ । ଠିକ ସେହି ସମୟରେ ତୁମେ ଏକ ସନ୍ତାନକୁ ଜନ୍ମ ଦେଇ ଅତିଶୟ ବେଦନାରେ ସଂଜ୍ଞାହୀନା ହୋଇ ପଡ଼ିଥିଲ । ତୁମେ ଜାଣି ନଥିଲ ଯେ ସେ ଏକ କନ୍ୟା ସନ୍ତାନ ଥିଲା । ହଠାତ ଦ୍ଵାରସମୀପରୁ କରାଘାତ ଶୁ ଣାଗଲା । ମୁଁ ଆଶ୍ଚର୍ଯ୍ୟ ଚକିତ ହେଲି , ଏ ଭୟଙ୍କର ସମୟରେ କିଏ ସେ ଆଗନ୍ତୁକ ! ଦେଖିଲା ବେଳକୁ ଗୋଟିଏ ମଞ୍ଜୁଷାରେ ସଦ୍ୟଜାତ କୃଷ୍ଣଙ୍କୁ ଧରି ଠିଆ ହୋଇଥିଲେ ବସୁଦେବ । ଚିନ୍ତା କର ତୁମେ କୃଷ୍ଣର ଚମତ୍କାର । ଏମିତି ପ୍ରବଳ ବର୍ଷାରେ , ଏ ଅମା ଅନ୍ଧକାରରେ , ବନ୍ୟା କବଳିତ ଯମୁନା ଅତିକ୍ରମ କରି ,କାରାଗାରରେ ସମସ୍ତ ରକ୍ଷୀଙ୍କ ଆଖିରେ ଧୂଳି ପକାଇ ମଥୁରାରୁ ଗୋପପୁର ପର୍ଯ୍ୟନ୍ତ ଦୀର୍ଘ ପଥ ଅତିକ୍ରମ କରିଥିଲେ ବସୁଦେବ ! ଆଶ୍ଚର୍ଯ୍ୟର କଥା ବସୁଦେବଙ୍କ ବସ୍ତ୍ର ସୁଦ୍ଧା ସିକ୍ତ ହୋଇ ନଥିଲା ! "
ମନ୍ତ୍ର ମୁଗ୍ଧା ଯଶୋଦା ବ୍ୟାକୁଳ ହୋଇ ପଚାରିଲେ , " ତେବେ , ଆମର କନ୍ୟା କାହିଁ ? "
" ସାରା ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଓ ଅବତାରୀ କୃଷ୍ଣଙ୍କ ଜୀଵନ ରକ୍ଷା ସକାଶେ ମୋତେ ହୃଦୟ ହୀନ ହେବାକୁ ପଡ଼ିଥିଲା ଯଶୋଦା । ମୁଁ କୃଷ୍ଣ ପରିବର୍ତ୍ତେ ଆମର କନ୍ୟାକୁ ବସୁଦେବଙ୍କ ହସ୍ତରେ ସମର୍ପଣ କରିଥିଲି । ନଚେତ କଂସ ସନ୍ଦେହ କରିଥାନ୍ତା ।"
ଭୟାକୁଳ କଣ୍ଠରେ କହିଲେ ଯଶୋଦା ," ତେବେ କଣ କଂସ ଆମର କନ୍ୟାକୁ ହତ୍ଯା କଲା ।'
" ନା ଯଶୋମତୀ , " ଆତ୍ମଲୀନ ଧୀର ଗମ୍ଭୀର ସ୍ଵରରେ କହିଲେ ନନ୍ଦ , " କନ୍ୟା ଆମର ଥିଲା ଯୋଗମାୟାଙ୍କ
ଅବତାର । ହତ୍ଯା କରିବା ପୂର୍ବରୁ ସେ ଆକାଶ ମଣ୍ଡଳକୁ ଲମ୍ଫ ଦେଲା ଓ ଭବିଷ୍ୟତ ବାଣୀ ଶୁଣାଇଲା ଯେ କଂସର ମୃତ୍ୟୁଦାତା ଜନ୍ମ ନେଇ ସାରିଛି ।"
ଯଶୋଦା ଆଶ୍ଵସ୍ତ ହେଲେ କିନ୍ତୁ ତତ୍ କ୍ଷଣାତ୍ ତାଙ୍କ ମନରେ ଅନ୍ୟ ଏକ ଆଶଙ୍କା ଦେଖାଦେଲା ।
" ମୋ କାହ୍ନା କ'ଣ କଂସର ଏ କୁଚକ୍ରାନ୍ତରୁ ବର୍ତ୍ତିଵ ମହାରାଜ ? "
ଈଷତ ହସି ନନ୍ଦ କହିଲେ ," ତୁମେ କାହିଁକି ଭୂଲି ଯାଉଛ ଯଶୋଦା ଯେ କାହ୍ନା ସାଧାରଣ ବାଳକ ନୁହେଁ । କେତେ କେତେ ବିପତ୍ତିରୁ ସେ ବର୍ତ୍ତି ଆସିଛି ଓ ସକଳ ବ୍ରଜବାସୀଙ୍କୁ ମଧ୍ୟ କେତେ ସଙ୍କଟରୁ ରକ୍ଷା କରିଛି । କଂସ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ କରି ନାହିଁ ଯେ ତାର ମୃତ୍ୟୁକୁ ନିମନ୍ତ୍ରଣ କରିଛି । କିନ୍ତୁ ମୁଁ ମଧ୍ୟ କୃଷ୍ଣ ବିଚ୍ଛେଦରେ ମ୍ରିୟମାଣ ଯଶୋଦା । କେମିତି ତା ବିନା ଆମେ ଦିନ ବଞ୍ଚିବା ? ଯଦି ବା ଆମର ଆଉ ସନ୍ତାନ ଥାଆନ୍ତେ ତେବେ ହୁଏତ ଆମର ଦୁଃଖ ଟିକିଏ ଲାଘବ ହୋଇ ଥାଆନ୍ତା "
ଯଶୋଦା କିନ୍ତୁ ଦୃଢ଼ ଭାବରେ ଉତ୍ତର ଦେଲେ , " ନା , ଅନ୍ୟ କୌଣସି ସନ୍ତାନ ମୋ କାହ୍ନାର ସ୍ଥାନାପନ୍ନ ହୋଇ ପାରିବ ନାହିଁ । ଏହା ହୁଏତ ଦୈବୀ ଉଦ୍ଦେଶ୍ୟ , ଏହା ଅଦୃଷ୍ଟର ଲିଖନ । ନହେଲେ ବିବାହର ଏତେ କାଳ ପର୍ଯ୍ୟନ୍ତ ମୁଁ କାହିଁକି ଗର୍ଭଧାରଣ କଲି ନାହିଁ । କନ୍ୟା ଜନ୍ମ ପରେ ମଧ୍ୟ ଆଉ ଗର୍ଭଧାରଣ କରିନାହିଁ । କଦାଚିତ ଯୋଗମାୟାଙ୍କ ଅବତାର ମଧ୍ୟ ମୋ କାହ୍ନା ଉଦ୍ଦେଶ୍ୟରେ , ଯେ ମୁଁ ମୋ କାହ୍ନାକୁ ସ୍ଵଅମୃତ ପାନ କରାଇପାରେ । କୃଷ୍ଣର ଧାତ୍ରୀ ହୋଇପାରେ । ଏସବୁ ବିଧିର ବିଧାନ , ପୂର୍ବ ନିର୍ଦ୍ଧାରିତ । ମୋର ଆଉ କିଛି ଦୁଃଖ ନାହିଁ , କିଛି ଶୋକ ନାହିଁ ଯେ ମୁଁ ଆଜି ସନ୍ତାନହୀନା । କୃଷ୍ଣର ଧାତ୍ରୀ ହେବା ପାଇଁ ମୁଁ ଜନ୍ମଜନ୍ମାନ୍ତର ପାଇଁ ବନ୍ଧ୍ୟାତ୍ଵକୁ ଆଦରି ନେଇ ପାରେ ।ଆବଶ୍ୟକ ନାହିଁ ମୋର ଆଉ ସନ୍ତାନ ! ହେ ପ୍ରଭୂ ! କୃଷ୍ଣର ଧାତ୍ରୀ ହେବା ପାଇଁ ମୋତେ ଯୁଗ ଯୁଗ ଧରି ବନ୍ଧ୍ୟା ରୂପରେ ଜନ୍ମ ଦିଅ , ମୋତେ ନିଃସନ୍ତାନ କର ! ମୋତେ କୃଷ୍ଣର ଧାତ୍ରୀ କର ପ୍ରଭୂ ମୋତେ କୃଷ୍ଣର ଧାତ୍ରୀ କର !!! "
ଯଶୋଦାଙ୍କ ନୟନ ଯୁଗଳରୁ ଧାରାପ୍ରବାହ ଅଶ୍ରୁ ଜଳ ଝରି ପଡୁଥାଏ । ମୂଖରୁ ନିସୃତ ହେଉଥାଏ ଜପାମାଳି ସଦୃଶ୍ୟ
- " ମୋତେ କୃଷ୍ଣର ଧାତ୍ରୀ କର ପ୍ରଭୂ ପଛେ ମୋତେ ସନ୍ତାନ ବିହୀନା କର !! "
ଭାବଗ୍ରାହୀ କୃଷ୍ଣ ହୃଦୟଙ୍ଗମ କଲେ ମାତାଙ୍କର ଭାବ ବିହ୍ଵଳିତ ବାତ୍ସଲ୍ୟଭରା ହୃଦୟର ବିନୀତ ମୀନତିକୁ । କଣ୍ଠରେ ତାଙ୍କର ପୁନଶ୍ଚ ଝଂକୃତ ହେଲା ,
- " ମାତଃ , ଭବତୀ ଭିକ୍ଷାଂ ଦେହୀ !!"
କୃଷ୍ଣଙ୍କ ନୟନ ମଧ୍ୟ ଲୋତକ ପୂରିତ । ହୃଦୟରେ ତାଙ୍କର ମଧ୍ୟ ଅକୁହା ନୀରବ ଯାଚନା - " ଯୁଗ ଯୁଗ ପାଇଁ ହେ ମାତା , ତୁମେ ହିଁ ହୁଅ ମୋର ଜନନୀ , ଏହାହିଁ ହେବ ମୋ ପାଇଁ ସର୍ବୋତ୍କୃଷ୍ଟ , ସର୍ବଶ୍ରେଷ୍ଠ ଭିକ୍ଷା ।"