କରୋନାର କାହାଣୀ
କରୋନାର କାହାଣୀ
ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର।ସୁଟ୍ ଓ ଟାଇକୁ ସଜାଡି ଚତୁର୍ଦ୍ଦିଗରେ ଦୃଷ୍ଟି ପହଁରେଇ ଆଣିଲେ ମିଷ୍ଟର ଚିଂସୁ।ମୁହଁରେ ରହସ୍ୟମୟ ହସ ଧାରେ ଖେଳେଇ ବିମାନ ବନ୍ଦର ବାହାରକୁ ଆସିଲେ।ଅପେକ୍ଷାରତ ମିଷ୍ଟର ସୁଂପୋ ଏବଂ ମିଷ୍ଟର ମିଂହୋଂ ତାଙ୍କୁ ସ୍ବାଗତ ଜଣାଇ ଗାଡି ପର୍ଯ୍ୟନ୍ତ ପାଛୋଟି ନେଲେ।ନୀରବରେ ଗାଡିରେ ବସି ମିଷ୍ଟର ଚିଂସୁ ଉତ୍ସୁକ ନୟନରେ ଦିଲ୍ଲୀ ସହରକୁ ନିରୀକ୍ଷଣ କରିବାକୁ ଲାଗିଲେ।ଲୋକାରଣ୍ଯ ସହରଟିକୁ ଦେଖି ମନେ ମନେ ଖୁସି ହୋଇଗଲେ।ଏଠାରେ ତାଙ୍କର କାରବାର ସ୍ବଚ୍ଛନ୍ଦରେ ଚାଲି ପାରିବ।
ପଞ୍ଚତାରକା ହୋଟେଲ "ଭାଇରସ୍ ପ୍ଯାଲେସ୍" ସମ୍ମୁଖରେ ଗାଡି ରହିବା ପରେ ନିଜ ରୁମ୍ କୁ ଯାଇ ଫ୍ରେସ୍ ହୋଇ ମିଟିଂ ରେ ଯୋଗଦେଲେ।ପୂର୍ବରୁ ଭାରତ ଆସିଥିବା ସର୍ବେକ୍ଷଣ ଟିମ୍ ର ମୁଖ୍ୟ ମିଷ୍ଟର ତାଂସୁ ତାଙ୍କ ରିପୋର୍ଟ ଦାଖଲ କରି କହିଲେ ଭାରତ ଗୋଟିଏ ଜନବହୁଳ ଦେଶ।ତେଣୁ ଆମ ବ୍ଯବସାୟର ପ୍ରସାର ନିମିତ୍ତ ଏଠାରେ ପ୍ରଚୁର ସୁଯୋଗ ରହିଛି ।ଭାରତର ଅର୍ଥନୀତି ସୁଦୃଢ ନୁହେଁ।ଶିକ୍ଷାକ୍ଷେତ୍ରରେ ମଧ୍ୟ ଏଠାରେ ଯଥେଷ୍ଟ ପ୍ରସାର ଘଟିନାହିଁ।ଏହା ଏକ ଅନଗ୍ରସର ଦେଶ।ଅନେକ ଲୋକ ଗାଁ ଗହଳିରେ ଏବଂ ସହର ଉପକଣ୍ଠରେ ଥିବା ବସ୍ତି ଅଞ୍ଚଳରେ ବସବାସ କରୁଥିବାରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଦୁରୂହ ବ୍ଯାପାର।ପରିମଳ ବ୍ୟବସ୍ଥା ମଧ୍ୟ ଏଠି ବିପର୍ଯ୍ୟସ୍ତ।ତେଣୁ ଆମ ବ୍ଯବସାୟ ସୁଚାରୁରୂପେ ଚାଲି ପାରିବ।
ଏଥର ମିଷ୍ଟର ସାଂପୋ ତାଙ୍କ ବୟାନରେ କହିଲେ ଭାରତରେ ବିଭିନ୍ନ ଜାତି ଧର୍ମ ଓ ବର୍ଣ୍ଣର ଲୋକ ବାସ କରନ୍ତି।ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ଆମେ ଅନାୟସରେ ଆମ ସାମ୍ରାଜ୍ୟ ବୃଦ୍ଧି କରି ପାରିବା।
ମିସ୍ ପିଂଜିଂ କହିଲେ ଏଠି ଆମର ଖାଦ୍ଯ ସମସ୍ଯା ଆଦୌ ରହିବ ନାହିଁ।ବରଂ ଆମେ ବିଭିନ୍ନ ଧରଣର ଖାଦ୍ଯ ଖାଇବାକୁ ପାଇବା।ଏଠାରେ ଲୋକମାନେ ଉଭୟ ଶାକାହାରୀ ଓ ମାଂସାହାରୀ।କିଏ କେବଳ ମାଛ ଖାଏ ତ କିଏ ଦୁଗ୍ଧଜାତୀୟ ଖାଦ୍ଯ ଭଲପାଏ।ତେଣୁ ଖାଦ୍ଯପେୟରେ କୌଣସି ଅସୁବିଧା ହେବନାହିଁ।
ମିଟିଂ ଶେଷ କରି ମିଷ୍ଟର ଚିଂସୁ ନିଜ ଆଇଫୋନ୍ ବାହାର କରି ଚୀନରେ ଥିବା ତାଙ୍କ ବ୍ଯବସାୟିକ ପାର୍ଟନର ତଥା ବନ୍ଧୁ ମିଷ୍ଟର ଠୁମ୍ପୁଙ୍କ ସହିତ ବିଚାର ବିମର୍ଶ କଲେ।
ମିଷ୍ଟର ଠୁମ୍ପୁ କହିଲେ ତୁମେ ତ ଜାଣିଛ ଚୀନରେ ଆମର କାରବାର ଆଗପରି ଚାଲୁନାହିଁ।ବ୍ଯବସାୟ ପୁରା ମାନ୍ଦା।ଚୀନ ସରକାର କଳେବଳେ କୌଶଳେ ଆମକୁ ଦମନ କରିବାକୁ ଚାହୁଁଛନ୍ତି।ଆମର ସମସ୍ତ ଉଦ୍ୟମ ପଣ୍ଡ କରିବାକୁ ସେ ବଦ୍ଧପରିକର।କରୋନା ପୀଡିତମାନଙ୍କ ପାଇଁ ଉନ୍ନତ ମାନର ସ୍ବତନ୍ତ୍ର ଧରଣର ଚିକିତ୍ସାଳୟ ଓ ରହିବା ପାଇଁ କ୍ବାରେଣ୍ଟିନ୍ ନିର୍ମାଣ କରିସାରିଲେଣି।ବିରାଟ ବିରାଟ ସୁଡଙ୍ଗ ଏବଂ ବିଶୋଧନାଗାର ତିଆରି କରି ଗାଡିଠାରୁ ଆରମ୍ଭ କରି ମଣିଷ ପର୍ଯ୍ଯନ୍ତ ସମସ୍ତଙ୍କୁ ବିଶୋଧନ କରୁଛନ୍ତି।ଶୁଣିବାକୁ ମିଳୁଛି ସେମାନେ କରୋନାର ମୁକାବିଲା କରିବା ପାଇଁ ଔଷଧ ଓ ପ୍ରତିଷେଧକ ଇଞ୍ଜେକସନ ମଧ୍ୟ ପ୍ରସ୍ତୁତ କରିସାରିଲେଣି।ସେମାନେ ଆମର କାରବାର ବନ୍ଦ କରିବା ସହ ଆମକୁ ସମୂଳେ ନିପାତ କରିବାକୁ ଚେଷ୍ଟାରତ।ଏମିତି ପରିସ୍ଥିତିରେ ଆମ୍ଭେମାନେ ଆଦୌ ନିରାପଦ ନୁହେଁ।
ସବୁ ଶୁଣିବା ପରେ ମିଷ୍ଟର ଚିଂସୁ ଘୋଷଣା କଲେ ଭାରତର ପରିବେଶ ଆମ ପାଇଁ ଅନୁକୂଳ ହେବ।ତେଣୁ ତୁମ୍ଭେମାନେ ଯଥାଶୀଘ୍ର ସପରିବାରେ ଭାରତ ଚାଲିଆସ।
ପ୍ରାୟ ଏକ ସପ୍ତାହ ମଧ୍ୟରେ ସମସ୍ତେ ନିଜ ନିଜର ଜ୍ଞାତି କୁଟୁମ୍ବଙ୍କୁ ଧରି ଭାରତରେ ପହଞ୍ଚିଲେ।ପୁନର୍ବାର ମିଟିଂ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଗଲା।ସେମାନେ ସମସ୍ତେ ଏକାଠି ନରହି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଭାରତର ଭିନ୍ନ ଭିନ୍ନ ପ୍ରାନ୍ତକୁ ଯାତ୍ରା କରିବେ।ଏହାଦ୍ବାରା ତାଙ୍କର କାର୍ଯ୍ୟକ୍ଷେତ୍ର ପ୍ରଶସ୍ତ ହେବ।ସେମାନେ ସମଗ୍ର ଭାରତ ବର୍ଷକୁ ଖୁବ୍ ଶୀଘ୍ର ନିଜ କବଜାକୁ ଆଣିବାରେ ସଫଳ ହେବେ ଓ ବ୍ଯବସାୟରେ ବୃଦ୍ଧି ଘଟାଇ ପାରିବେ।କି
ନ୍ତୁ ଗୋଟିଏ ସର୍ତ୍ତ ରହିଲା ଯିଏ ଯେଉଁଠି ରହିଲେ ମଧ୍ୟ ପରସ୍ପର ସହିତ ଯୋଗାଯୋଗ ରକ୍ଷା କରିବେ ଓ ଆଲୋଚନା କରି ଆଗାମୀ ଦିନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ।
ଯୋଜନା ଅନୁଯାୟୀ ସମସ୍ତେ ଭିନ୍ନ ଭିନ୍ନ ଅଞ୍ଚଳକୁ ଗସ୍ତ କରି ଗୋଟିଏ ଗୋଟିଏ ଇଲାକାରେ କାମ ଆରମ୍ଭ କରିଦେଲେ।ଧୀରେ ଧୀରେ କାର୍ଯ୍ୟଭାର ବଢିଲା ଓ ବ୍ଯବସାୟରେ ଉନ୍ନତି ପରିଲକ୍ଷିତ ହେଲା।ସମସ୍ତେ ଅଧିକ ପରିଶ୍ରମ କରି ବ୍ଯବସାୟର କାୟା ବିସ୍ତାର କରିବାକୁ ଆଗ୍ରହୀ ହେଲେ।କିନ୍ତୁ ଏବେ ଭିନ୍ନ ପରିସ୍ଥିତି ସୃଷ୍ଟି ହେଲା ଓ ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହେଲେ।ସେମାନଙ୍କ ପକ୍ଷେ କାମ କରିବା ଆଦୌ ସହଜସାଧ୍ୟ ନଥିଲା।ଭାରତରେ ବ୍ଯବସାୟର ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି କରିଥିବା ଆକଳନ ଧୀରେ ଧୀରେ ଅସମ୍ଭବ ମନେହେଲା।
ସେମାନେ ପ୍ରତିଦିନ ନୂତନ ସମସ୍ଯାର ସମ୍ମୁଖୀନ ହେଉଥିଲେ।ଭାରତୀୟ ମାନଙ୍କର ଆଚରଣ ସେମାନଙ୍କୁ ବ୍ଯସ୍ତ ବିବ୍ରତ କରୁଥିଲା।ବିଚିତ୍ର ଥିଲା ଭାରତର ସଂସ୍କୃତି ପରମ୍ପରା ଓ ପର୍ବପର୍ବାଣୀ।ଏଠାରେ ଘରକୁ ଅତିଥି ଆସିଲେ ଅବା କାହା ସହିତ ଭେଟ ହେଲେ ପରସ୍ପର ସହ କରମର୍ଦ୍ଦନ କିମ୍ୱା ଆଲିଙ୍ଗନ କରିବା ପରିବର୍ତ୍ତେ ଦୁଇ ହାତ ଯୋଡି ନମସ୍କାର କରୁଥିଲେ।ତେଣୁ ତାଙ୍କୁ କବଳିତ କରିବା କଷ୍ଟସାଧ୍ୟ ହେଉଥିଲା।ସଂପ୍ରତି ହୋଲି ପର୍ବ ପାଳନ ଅବସରରେ କୃତ୍ରିମ ରଙ୍ଗ ବ୍ୟବହାର ନକରି ପ୍ରାକୃତିକ ଅବିରରେ ଖେଳିବା ଦ୍ୱାରା
ଅବିରର ଔଷଧୀୟ ପ୍ରଭାବରୁ ଭାରତୀୟମାନଙ୍କ ଶରୀର ସହଜରେ ସଂକ୍ରମିତ ହୋଇ ପାରୁନଥିଲା।କେଉଁଠି ଲୋକମାନେ ତୁଳସୀପତ୍ର ଖାଉଛନ୍ତି ତ କେଉଁଠି ଗୋମୟ ଏବଂ ଗୋମୁତ୍ର ସେବନ କରୁଛନ୍ତି।ଘରର ଚତୁର୍ଦ୍ଦିଗକୁ ଗୋବର ପାଣି ପକେଇ ପବିତ୍ର କରୁଛନ୍ତି।ଦୁର୍ଗନ୍ଧରେ ନାକ ଫାଟି ଯାଉଛି।ସେମାନେ ନିର୍ବିକାର ଚିତ୍ତରେ ଏସବୁ କାମ କରୁଥିବା ବେଳେ ଆମେ ନିଃଶ୍ବାସ ନେଇ ପାରୁନୁ।କେଉଁଠି ବାବାଜୀ ମହାରାଜ ଆମକୁ ତଡିବା ପାଇଁ ତାବିଜ ଦେଉଛନ୍ତି ତ କେଉଁ ସ୍ଥାନରେ ସାଧୁ ସନ୍ଥମାନେ ଘିଅ ଝୁଣା ଇତ୍ୟାଦି ଆଣି ଯଜ୍ଞର ଆୟୋଜନ କରୁଛନ୍ତି।ଯଜ୍ଞକୁଣ୍ଡରେ ଅଗ୍ନିର ଲେଲିହାନ ଶିଖାରେ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡୁଛି।
ମିଷ୍ଟର ମିଂହୋଂ କହିଲେ ଏତିକିରେ ସେମାନଙ୍କ ମନ ଶାନ୍ତି ହେଉନି ଯେ ସ୍କୁଲ, କଲେଜ, ଅଫିସ୍, ପାର୍କ, ମଲ୍ ଓ ପାର୍ଟି ପିକନିକ୍ ସବୁ ବନ୍ଦ କରି ଆମକୁ ବିତାଡିତ କରିବା ପାଇଁ ମନ୍ଦିର, ମସଜିଦ,ଗୀର୍ଜା ଓ ଗୁରୁଦ୍ବାରରେ ପୂଜାର୍ଚ୍ଚନା କରିବା ସହ ଭଜନ କୀର୍ତ୍ତନ କରୁଛନ୍ତି।
ମିସ୍ ପିଂଜିଂ କହିଲେ ଇତିହାସରେ ବର୍ଣ୍ଣିତ ହୋଇଛି ପରାଧୀନ ଭାରତବର୍ଷକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବା ପାଇଁ ଭାରତୀୟମାନେ ଦେଶଭକ୍ତିମୂଳକ ଗୀତ ରଚନା କରି ବିଭିନ୍ନ ସ୍ଥାନରେ ଗୀତଗୁଡିକୁ ଗାନକରି ଇଂରେଜମାନଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରୁଥିଲେ।ଠିକ୍ ସେହିପରି ଆଜି ସେମାନେ ଆମ ନାଆଁରେ ଗୀତ ରଚନା କରି ଆମ ପ୍ରଭାବରୁ ଦେଶବାସୀଙ୍କୁ ମୁକ୍ତ କରିବା ପାଇଁ ଗୀତଗୁଡିକୁ ଗାଇବା ସଙ୍ଗେ ସଙ୍ଗେ ଗୀତର ତାଳେ ତାଳେ ନୃତ୍ୟ କରି ସଚେତନତା ସୃଷ୍ଟି କରୁଛନ୍ତି।
ଏହା ଶୁଣି ମିଷ୍ଟର ଚିଂସୁ ଏବଂ ମିଷ୍ଟର ଠୁମ୍ପୁ ବିଭିନ୍ନ ଅଞ୍ଚଳରେ ଥିବା ଅନ୍ୟମାନଙ୍କ ସହିତ ଭିଡିଓ କଲ କରି ପରିସ୍ଥିତି ଅନୁଧ୍ୟାନ କଲେ।ଶେଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜରୁରୀ କାଳୀନ ବୈଠକ ଡକାଗଲା।ପରସ୍ପର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇ ମିଷ୍ଟର ଚିଂସୁ ଘୋଷଣା କଲେ ଭାରତୀୟମାନଙ୍କ କାର୍ଯ୍ୟକଳାପ ଦ୍ୱାରା ସେମାନେ ଅତିଷ୍ଠ ହୋଇ ଗଲେଣି।ସମସ୍ତେ ପ୍ରତିକୂଳ ପରିସ୍ଥିତି ଭିତରେ ଗତି କରୁଛନ୍ତି।ସେମାନଙ୍କର ଜୀବନ ଓ ଜୀବିକା ଉଭୟ ଶଙ୍କଟାପନ୍ନ।ସମସ୍ତେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।ତେଣୁ ଅପେକ୍ଷା ନକରି ଯଥାଶୀଘ୍ର ଭାରତରୁ ଅନ୍ୟ ଦେଶକୁ ଚାଲିଯିବା ହିଁ ବୁଦ୍ଧିମାନର କାର୍ଯ୍ୟ।
ସର୍ବ ସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହେଲା ଏବଂ କାଳବିଳମ୍ବ ନକରି ସମସ୍ତେ ଅନ୍ୟ ଦେଶ ଅଭିମୁଖେ ପ୍ରସ୍ଥାନ କଲେ।