Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sasmita Mohanty

Romance Others

4  

Sasmita Mohanty

Romance Others

ରୋଜ୍ ଡେ

ରୋଜ୍ ଡେ

3 mins
23.6K



କବାଟ ଖୋଲୁ ଖୋଲୁ ଦୁମ୍ ଦୁମ୍ ହୋଇ ଗୋଡ କଚାଡି ଘର ଭିତରକୁ ପଶି ଆସିଲା ଆରା।କିଛି କଥାବାର୍ତ୍ତା ନକରି ହାତରେ ଧରିଥିବା ଫୁଲ ଓ କାର୍ଡଟିକୁ ନିଜ ରୁମ୍ ର ଟେବୁଲ ଉପରେ ଫୋପାଡି ଦେଇ ବୋତଲରୁ ଦି ଢୋକ ପାଣି ପିଇଲା।ସେ ଜୋରେ କବାଟଟିକୁ ବନ୍ଦକରି ଖଟ ଉପରେ ଗଡି ପଡିଲା।ଝଡ ପୂର୍ବର ଥମ୍ ଥମ୍ ଭାବ ତା ମୁହଁରେ।ତାକୁ ଦେଖି ତା ମନର ଭାବନାକୁ ଠିକ୍ ବୁଝିପାରିଲେ ନିର୍ମଳା।ଅଲିଅଳୀ ନାତୁଣୀ କୁ କିଛି ନକହି କଫି ତିଆରି କରିବାକୁ ଲାଗିଲେ। 


   ଆରା ତାଙ୍କର ଏକମାତ୍ର ପୁଅ ଆଲୋକର ଝିଅ।ପୁଅ ବୋହୂ ଦୁହେଁ ଚାକିରୀ କରିଛନ୍ତି।ତେଣୁ ଛୁଆଦିନୁ ଆରାର ଲାଳନ ପାଳନ ଦାଇତ୍ବ ନିର୍ମଳାଙ୍କ ଉପରେ।ଆରା ଏବେ ବଡ ହେଲାଣି ।ସ୍କୁଲ ଛାଡି କଲେଜ ରେ ପାଦ ଦେଲାଣି।ଦୁନିଆକୁ କିଛି କିଛି ବୁଝିଲାଣି।


   ନିର୍ମଳା ଏବଂ ଆରା ପରସ୍ପରର ବନ୍ଧୁ ହୋଇଯାଇଛନ୍ତି।ଆରା ତାଙ୍କୁ ବହୁତ ଭଲ ପାଏ।ନିଜର ଟିକିନିଖି ସବୁକଥା ତାଙ୍କ ସହିତ ବାଣ୍ଟି ଥାଏ।ନିର୍ମଳା ଗୋଟିଏ ଟ୍ରେରେ ଦୁଇ କପ୍ କଫି ଓ ବିସ୍କୁଟ ଧରି ଆରାର ରୁମ୍ କୁ ଆସିଲେ।ଆରା ମୁହଁ ମାଡି ଶୋଇଥିଲା।ନିର୍ମଳା ତା ପାଖରେ ବସି ତା ମୁଣ୍ଡକୁ ସାଉଁଳାଇ ଦେଲେ।ଆରା ତାଙ୍କ କୋଳରେ ମୁଣ୍ଡ ରଖି କାନ୍ଦି ଉଠି କହିଲା


--- ଜାଣିଛ ଜେଜେମା, ଅନ୍ବେଷ ମୋତେ ଆଦୌ ଭଲପାଏନି।ମୁଁ ବି ତାକୁ ହେଟ୍ କରେ।


--- କଣ ହୋଇଛି ମାଆ ? ମୋତେ ଖୋଲିକି କହ।ମୁଁ କିଛି ବୁଝି ପାରୁନି।


--- ତୁମକୁ ଆଗରୁ ଅନ୍ବେଷ ବିଷୟରେ କହିଥିଲି।ଆମେ ପରସ୍ପରକୁ ଭଲ ପାଉଥିଲୁ।କିନ୍ତୁ ଆଜି ଜାଣିଲି ସେ ମୋତେ ଜମା ଭଲପାଏନି।


--- କେମିତି ?


--- ଆଜି ହେଉଛି ରୋଜ୍ ଡେ।ଆଜିଠାରୁ ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୁଏ।ତେଣୁ ଆଜି ପୁଅ ମାନେ ଗାର୍ଲ ଫ୍ରେଣ୍ଡଙ୍କୁ ରୋଜ୍ ଦିଅନ୍ତି।କିନ୍ତୁ ଆଜି ସେ ମୋତେ ରୋଜ୍ ନଦେଇ ଏଇ ଜିନିଆ ଫୁଲ ଦୁଇଟି ଏବଂ କାର୍ଡ ଦେଇଛି।


  କାର୍ଡଟି ଉଠେଇ ଆଣି ଦେଖିଲେ ନିର୍ମଳା।ସୁନ୍ଦର ସୁନ୍ଦର ଅକ୍ଷରରେ "ସରି" ଲେଖା ଯାଇଛି।

--- ହେଲେ ଏଥିରେ ସେ ସରି ଲେଖିଛି।ଅସୁବିଧା କେଉଁଠି ରହିଲା ?


--- ଧେତ୍ ତୁମେ କିଛି ବୁଝି ପାରୁନ।ଅନ୍ବେଷର ଡେରି ହୋଇ ଯିବାରୁ ଦୋକାନରୁ ସବୁ ରୋଜ୍ ସରିଗଲା।ତେଣୁ ମୋ ପାଇଁ ସେ ତାଙ୍କ ଗାର୍ଡେନରୁ ଜିନିଆ ଫୁଲ ଦୁଇଟି ନେଇ ଆସିଛି।ରୋଜ୍ ଡେରେ ମୋତେ ରୋଜ୍ ଟିଏ ଦେଇ ପାରି ନଥିବାରୁ ସେ ଅତ୍ୟନ୍ତ ଦୁଃଖିତ।ସେଥିପାଇଁ ଏ କାର୍ଡ ଦେଇଛି।ଆଜି ପରି ଦିନରେ ସେ ମୋତେ ଗୋଟିଏ ରୋଜ୍ ଦେଇ ପାରୁନି ପରେ ଆଉ କଣ ଦେବ ?ମୋ ପାଇଁ ତାର ଜମା କେୟାର ନାହିଁ।ମୋ ସାଙ୍ଗମାନେ କହୁଛନ୍ତି ସେ ବହୁତ କଞ୍ଜୁସ୍ ।ଆଜି ବଜାରରେ ରୋଜ୍ ଦାମ୍ ଅଧିକ।ତେଣୁ ସେ ରୋଜ୍ ନକିଣି ନିଜ ଗାର୍ଡେନରେ ଫୁଟିଥିବା ଫୁଲ ଆଣିଛି ଓ ମୋତେ ମିଛ କହୁଛି।ଏକଥା ଶୁଣି ମୋତେ ବହୁତ ଖରାପ ଲାଗିଲା।ମୁଁ ରାଗରେ ଅନ୍ବେଷକୁ କିଛି ନକହି ଚାଲି ଆସିଲି।


  ଆରାର କଥା ଶୁଣି ନିର୍ମଳାଙ୍କର କିଛି କଥା ମନେପଡିଗଲା ଓ ସେ ଫିକ୍ କରି ହସିଦେଲେ।


    ଏଥର ତୁମକୁ କିଛି ବି କହିବିନି ଜେଜେମା। ତୁମେ ହସିକି ମୋର ମଜାକ୍ ଉଡଉଛ।


   ଦୂର ପାଗଳୀ ଏଇ କଥାରେ ଏମିତି ରାଗନ୍ତି ?ମୋର କିଛି ପୁରୁଣା କଥା ମନେପଡିଯିବାରୁ ମୁଁ ହସିଲି।ଏବେ ତୁମେମାନେ ସାରା ବର୍ଷ ବିଭିନ୍ନ ଡେ ପାଳନ କରୁଛ।ଆମବେଳେ ଏସବୁ ନଥିଲା।କେତେ କାଇଦା କଟକଣା ଥିଲା ଝିଅମାନଙ୍କ ପାଇଁ।ତଥାପି ମଧ୍ୟ ଲୁଚାଛପାରେ ପ୍ରେମ ଚାଲିଥିଲା।ଚିଠି ପତ୍ର ଓ ଫୁଲ ଦିଆନିଆ ଚାଲିଥିଲା।ସେତେବେଳେ ଫୁଲ ବିକ୍ରି ହେଉ ନଥିଲା।ବାଡିରେ ଫୁଟୁଥିବା ମଲ୍ଲୀ ଗୋଲାପ ଚମ୍ପା ଫୁଲ ପ୍ରାୟ ପୁଅମାନେ ଝିଅମାନଙ୍କୁ ଦେଉଥିଲେ।ଅନେକ ମଧ୍ୟ ବଉଳ ଫୁଲ ଦେଉଥିଲେ।ମୋର ଗୋଲାପ ଫୁଲରେ ଭାରି ସଉକ ବୋଲି ତୋ ଜେଜେ ମୋ ପାଇଁ ବେଳେ ବେଳେ ଗୋଲାପ ଫୁଲ ଆଣିଥାଆନ୍ତି।ମୁଁ ତାକୁ ବହୁତ ଖୁସିରେ ମୁଣ୍ଡରେ ଲଗାଏ।ଦିନେ କଣ ମନ ହେଲା କେଜାଣି ସୂର୍ଯ୍ୟମୁଖୀ ଫୁଲଟିଏ ଆଣିଦେଲେ।ଫୁଲଟି ଦେଖିବାକୁ ବହୁତ ସୁନ୍ଦର।ହେଲେ ସେ ଅନ୍ୟ ଫୁଲ ପରି ସୁଗନ୍ଧଯୁକ୍ତ ନୁହେଁ କିମ୍ବା ମୁଁ ତାକୁ ମୁଣ୍ଡରେ ଲଗାଇ ପାରିବି ନାହିଁ।ତେଣୁ ମୋ ମନ ଦୁଃଖ ହୋଇଗଲା।ସେ ମୋ ମୁହଁ ଦେଖି ସବୁ ବୁଝି ଗଲେ ଓ ଘର ଭିତରକୁ ଟାଣି ନେଇ କହିଲେ ଏ ଫୁଲ ତୁମର ପସନ୍ଦ ହୋଇନି।ତେଣୁ ତୁମେ ମନ ଦୁଃଖ କରୁଛ।ଫୁଲ ହେଉଛି ପ୍ରେମର ପ୍ରତୀକ।ଈଶ୍ବରଙ୍କ ସୃଷ୍ଟିରେ ସବୁ ଫୁଲର ମହତ୍ତ୍ଵ ରହିଛି।ସୂର୍ଯ୍ୟମୁଖୀ ଫୁଲର କାହାଣୀ ଶୁଣିଲେ ତୁମେ ତାର ପ୍ରେମନିଷ୍ଠତା ବିଷୟରେ ଜାଣିଲେ ତୁମେ ବି ତାକୁ ଭଲପାଇ ବସିବ।


   ଗ୍ରୀସ୍ ରେ କ୍ଲାଇଟି ନାମକ ଜଣେ ଜଳପରୀ ଥିଲେ।ସେ ମନେ ମନେ ସୂର୍ଯ୍ୟ ଦେବତା ବା ଆପୋଲୋଙ୍କୁ ବହୁତ ଭଲ ପାଉଥିଲେ।କିନ୍ତୁ ଆପୋଲୋ ତାଙ୍କୁ ଆଡ ଆଖିରେ ମଧ୍ୟ ଚାହୁଁନଥିଲେ କାରଣ ସେ ଅନ୍ୟ ଜଣଙ୍କୁ ପ୍ରେମ କରୁଥିଲେ।କ୍ଲାଇଟି ଯେତେବେଳେ ଏକଥା ଜାଣିଲେ ମନ ଦୁଃଖରେ ନଖାଇ ନପିଇ ତାଙ୍କୁ ଏକଲୟରେ ଚାହିଁ ରହିଲେ।କେହି ତାଙ୍କୁ ଏଥିରୁ ନିବୃତ୍ତ କରିପାରିଲେ ନାହିଁ।ତାଙ୍କର ଭଲପାଇବାର ନିଷ୍ଠା ଦେଖି ସ୍ବର୍ଗର ଦେବତାମାନେ ଦୟାପରବଶ ହୋଇ ତାଙ୍କୁ ଏକ ଫୁଲରେ ପରିଣତ କରିଦେଲେ।ସେହି ଦିନଠାରୁ ସୂର୍ଯ୍ୟ ଯେଉଁ ଆଡକୁ ଗତି କରନ୍ତି ଫୁଲଟି ସେହି ଆଡକୁ ମୁହଁ କରି ଚାହିଁ ରହିଥାଏ।ତେଣୁ ତାର ନାଁ ସୂର୍ଯ୍ୟମୁଖୀ ଫୁଲ।ଏହି ଫୁଲକୁ ପ୍ରେମର ଫୁଲ ଭାବରେ ଗଣନା କରାଯାଏ।ତୋ ଜେଜେଙ୍କ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା।ସୂର୍ଯ୍ୟମୁଖୀ ଫୁଲର ମୂଲ୍ୟ ବୁଝିପାରି ମୁଁ ଫୁଲଟିକୁ ବହୁତ ଦିନ ପର୍ଯ୍ୟନ୍ତ ଯତ୍ନରେ ସାଇତି ରଖିଥିଲି।  


  ଟିକିଏ ରହି ପୁଣି କହିଲେ ତୁ ପିଲା ଲୋକ ବୁଝି ପାରୁନୁ।ପରସ୍ପର ପ୍ରତି ସ୍ନେହ ମମତା ସମ୍ମାନ ଓ ବିଶ୍ବାସ ଥିଲେ ପ୍ରେମ ତିଷ୍ଠି ରୁହେ।ପ୍ରେମରେ ଟଙ୍କା ପଇସା,ଦେବା ନେବା ବା ରୂପ ରଙ୍ଗର କୌଣସି ଗୁରୁତ୍ୱ ନଥାଏ।ଯେକୌଣସି ଜିନିଷ ଶ୍ରଦ୍ଧାର ସହ ଦେଲେ କିମ୍ବା ଗ୍ରହଣ କଲେ ତାର ମୂଲ୍ଯ ବଢିଯାଏ।


    ଜେଜେମାଙ୍କ କଥା ଶୁଣି ଆରା ଖୁସିରେ ଆତ୍ମହରା ହୋଇ ତାଙ୍କୁ କୁଣ୍ଢେଇ ପକେଇଲା।ଜିନିଆ ଫୁଲ ଦୁଇଟିକୁ ଆଣି ଟିକିଏ ଆଉଁସି ଦେଇ ଓଠରେ ଛୁଆଁଇଲା ଏବଂ ମୋବାଇଲ୍ ଆଣି ଫୋନ୍ ଲଗେଇଲା।



Rate this content
Log in

More oriya story from Sasmita Mohanty

Similar oriya story from Romance