ଚେନାଏ ସ୍ମୃତି
ଚେନାଏ ସ୍ମୃତି
ଉତ୍ସବର ନଗରୀ କଟକ। ଦଶହରା ନସରୁଣୁ ସମସ୍ତଙ୍କ ସ୍ବପ୍ନରେ ଆସିଯାଏ ବାଲିଯାତ୍ରା। ସତରେ ଏ ବାଲିଯାତ୍ରାର ଆକର୍ଷଣ ନିଆରା।ଯେତେ ଦେଖିଲେ ବି ମନ ପୁରେ ନାହିଁ ପୁଣି ଯିବାକୁ ଇଚ୍ଛା ହୁଏ।
ଏବର୍ଷ ମୁଁ ଓ ମୋ ଝିଅ ନେହା ଯାଇଥିଲୁ ବାଲିଯାତ୍ରା ଦେଖିବାକୁ।ତଳ ପଡିଆରେ ବୁଲୁ ବୁଲୁ ଗାନ୍ଧୀ ସ୍ମୃତି ବଜାରର ଗେଟ୍ ପାଖରେ ଗୋଟିଏ ଦୋକାନ ଆଗରେ ନେହା ହଠାତ୍ ଅଟକି ଗଲା ଓ କହିଲା ---
ମମି ଦେଖିଲ ମାଟିରେ ତିଆରି ତାଳ,ନଡିଆ,ଆମ୍ବ,ପଣସ,ବାଇଗଣ,କଖାରୁ ଇତ୍ୟାଦି ଘଡି କେଡେ ସୁନ୍ଦର ହୋଇଛି।ଚାଲ ଏଥିରୁ ଦୁଇ ତିନିଟା ନେବା, ଘର ବି ସଜେଇ ହେବ ଓ ତା ଭିତରେ ଆମେ କଏନ୍ ମଧ୍ୟ ରଖି ପାରିବା।
ତା କଥା ଶୁଣି ମୁଁ ମୋ ପିଲାଦିନକୁ ଫେରିଗଲି।ପୂର୍ବ କାଳରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧବ ପୁଅମାନେ ବୋଇତରେ ବିଭିନ୍ନ ପଦାର୍ଥ ଧରି ବାଣିଜ୍ୟ କାରବାର ପାଇଁ ଦୂର ଦେଶକୁ ଯାଉଥିଲେ ।ତେଣୁ ପ୍ରତିବର୍ଷ ଏହି ଦିନ କଟକ ସହରର ମହାନଦୀ କୂଳରେ ଗଡଗଡିଆ ଘାଟଠାରେ ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଛିି।ପିଲା ଦିନରୁ ପ୍ରତ୍ୟେକ ବର୍ଷ ଆମେ ଭାଇଭଉଣୀ ବାପା ବୋଉଙ୍କ ସହ ବାଲିଯାତ୍ରା ଦେଖିବାକୁ ଆସୁଥିଲୁ। ବୁଲାବୁଲି କରି ଖାଇପିଇ ଫେରିଲା ବେଳକୁ ଏମିତି ଘଡି କିଣୁଥିଲୁ।ସେତେବେଳେ କିନ୍ତୁ ଏମିତି ସୁନ୍ଦର ସୁନ୍ଦର ବିଭିନ୍ନ ଆକୃତିର ରଙ୍ଗବେରଙ୍ଗ ଘଡି ମିଳୁ ନଥିଲା। ପୋଡା ମାଟିରେ ତିଆରି ଗୋଲାକାର ଘଡି କିଣି ନେଇ ଆମେ ଭାଇଭଉଣୀ ତିନିହେଁ ସେଥିରେ ଆମକୁ ମିଳୁଥିବା ପଇସାରୁ କିଛି କିଛି ସଞ୍ଚୟ କରି ରଖୁଥିଲୁ। ଆମ ପିଲାବେଳେ ଆଜିକାଲି ପରି ପାଞ୍ଚଟଙ୍କିଆ କି ଦଶଟଙ୍କିଆ କଏନ୍ ନଥିଲା କି ଆମକୁ ବି ଏତେ ପଇସା କେହି ଦେଉ ନଥିଲେ। ଆମେ ସେଥିରେ ଦଶ, କୋଡିଏ, ପଚିଶ କି ପଚାଶ ପଇସା ଓ କେବେ କେମିତି ଏକ ଟଙ୍କିଆ କଏନ୍ ଗଳେଇ ରଖୁଥିଲୁ।ବାଲିଯାତ୍ରା ପୂର୍ବ ଦିନ ସେହି ଘଡିକୁ ଭାଙ୍ଗି ଯାହା ପଇସା ବାହାରୁ ଥିଲା ତାକୁ ଆଣି ଯାତ୍ରାରେ ଖର୍ଚ୍ଚ କରୁଥିଲୁ। ଆମକୁ ମଧ୍ୟ ଘରକୁ ଆସୁଥିବା ବନ୍ଧୁ ବାନ୍ଧବଙ୍କ ଠାରୁ କିଛି ପଇସା ଯାତ୍ରା ଖର୍ଚ୍ଚ ହିସାବରେ ମିଳୁଥିଲା। ବାପା ଆମକୁ ଘଡି କିଣିଦେଇ ଭବିଷ୍ୟତ ପାଇଁ ସଞ୍ଚୟ କରିବା ଶିଖଉ ଥିଲେ। ବାପା ଆମକୁ ବୁଝଉଥିଲେ ଯାହା ପଇସା ମିଳୁଛି ସବୁ ଖର୍ଚ୍ଚ ନକରି ସେଥିରୁ କିଛି କିଛି ସାଇତି ରଖିଲେ ଦରକାର ବେଳେ କାମରେ ଆସିବ।ବାପାଙ୍କ ଉପସ୍ଥିତିରେ ଆମ ତିନି ଭାଇ ଭଉଣୀଙ୍କ ଘଡି ଭଙ୍ଗାଯାଇ ପଇସା ଗଣା ହେଉଥିଲା।ଯାହାର ଅଧିକ ପଇସା ହେଉଥିଲା ବାପା ତାକୁ ବାଲିଯାତ୍ରାରେ ଖର୍ଚ୍ଚ କରିବାକୁ ଦୁଇ ଟଙ୍କା ପୁରସ୍କାର ଦେଉଥିଲେ।ଏଇ ପୁରସ୍କାର ପାଇଁ ଆମେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଥିଲୁ।ଏହାଦ୍ବାରା ଆମେ ଅଧିକ ରୁ ଅଧିକ ପଇସା ସଂଚୟ କରୁଥିଲୁ ଏବଂ ଅଜାଣତରେ ଆମଭିତରେ ପ୍ରତିଯୋଗୀ ମନୋଭାବ ଉତ୍ପନ୍ନ ହେଉଥିଲା ଯାହା ପରୋକ୍ଷ ଭାବରେ ଆମକୁ ଆଗକୁ ବଢିବା ପାଇଁ ସାହାଯ୍ୟ କରୁଥିଲା।
ସେତେବେଳେ ବାଲିଯାତ୍ରା ମାତ୍ର ତିନିଦିନ ପାଇଁ ହେଉଥିଲା।କେବଳ ଉପର ପଡିଆରେ ଯାତ୍ରା ହେଉଥିଲା।ଆଜି ପରି ଏତେ ଦୋକାନ ବଜାର ମଧ୍ୟ ପଡୁନଥିଲା କି ଏତେ ପ୍ରକାର ଦୋଳି ନଥିଲା।କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବଂ ଠୁଙ୍କାପୁରି ଖାଇବାକୁ ଦୂର ଦୂରାନ୍ତରୁ ଲୋକମାନେ ଆସୁଥିଲେ।କଂସା ପିତଳ ବାସନଠାରୁ ଆରମ୍ଭ କରି କୁଲା ଛାଞ୍ଚୁଣି ପର୍ଯ୍ୟନ୍ତ ସବୁ ଜିନିଷ ଏଠାରେ ମିଳେ। ଆମେ ଯାତ୍ରା ବୁଲି ଦହିବରା ଆଳୁଦମ୍, ଚାର୍ଟ, ପାମ୍ପଡ ଭଜା, ଠୁଙ୍କାପୁରି ଛେନା ତରକାରୀ ଖାଇ ଚକ୍ରୀଦୋଳିରେ ବସି ବୁଲୁଥିଲୁ। ମାଟି କଣ୍ଢେଇ, ଘଡି,କାଗଜ ତିଆରି ଚକ୍ରୀ ଏବଂ ଗ୍ଯାସ ବେଲୁନ୍ କିଣି ମନ ଖୁସିରେ ରିକ୍ସାରେ ବସି ଘରକୁ ଫେରୁଥିଲୁ। ପୁଣି ମନେ ମନେ ଅପେକ୍ଷା କରୁଥିଲୁ ଆରବର୍ଷ ବାଲିଯାତ୍ରାକୁ।
ନେହାର ଡାକରେ ପ୍ରକୃତିସ୍ଥ ହେଲି, ସେ ଆଶ୍ଚର୍ଯ୍ୟହୋଇ କହୁଥିଲା ମମି ତମେ ସୁନା ଗହଣା କି ଶାଢୀ କିଣିବାପରି ଏଇ ମାଟି ଜିନିଷଗୁଡିକ କିଣିବାକୁ ବି ଏତେ ଭାବୁଛ ? ମୋ ମନକଥା ମନରେ ରଖି ହସିଦେଇ କହିଲି ପଚାରୁଛୁ କଣ ତୋର ଯାହା ଇଚ୍ଛା ହେଉଛି ନେ।