Sasmita Mohanty

Tragedy

4  

Sasmita Mohanty

Tragedy

ରାକ୍ଷୀ

ରାକ୍ଷୀ

3 mins
35


ଆଜି ରାକ୍ଷୀ ପୂର୍ଣ୍ଣିମା।ଏବର୍ଷ କରୋନା ପାଇଁ ଉତ୍ସବର ମାହୋଲ ଟିକିଏ ଫିକା ପଡିଯାଇଛି।ତଥାପି ଘରେ ଘରେ ଆନନ୍ଦର ଲହରୀ।ପିଠାପଣା ଖିରୀପୁରୀ ତିଆରି ଚାଲିଛି।ଭାଇର ଶୁଭ ମନାସି ବନ୍ଦାପନା କରି ମିଠା ଖୁଆଇ ଭଉଣୀଟି ଭାଇ ହାତରେ ରାକ୍ଷୀ ବାନ୍ଧୁଛି। ବିପଦ ଆପଦରୁ ଭାଇ ରକ୍ଷା କରିବ ବୋଲି ତାର ବିଶ୍ୱାସ ଅଛି।ପ୍ରତ୍ୟେକ ଭାଇ ଭଉଣୀଙ୍କ ପାଇଁ ଏହି ଦିନଟି ଖୁସିର ଦିନ।କିନ୍ତୁ ଭଗବାନ ତା ଖୁସି ଛଡେଇ ନେଇଛନ୍ତିି।ନିଜର ଶୂନ୍ୟ ହାତକୁ ଦେଖି ଦୁଇ ଟୋପା ଲୁହ ଝରି ପଡିଲା ରାଜାର ଆଖିରୁ।ମୋବାଇଲରୁ ପୂର୍ବବର୍ଷ ରାକ୍ଷୀ ପୂର୍ଣ୍ଣିମାର ଫଟୋ ବାହାର କରି ଦେଖିଲା।ରୋଜି ତା ମଥାରେ ତିଳକ ଲଗେଇ ରାକ୍ଷୀ ବାନ୍ଧୁଛି।ଆଜି ସବୁ ସ୍ମୃତି।ତାକୁ ଆଉ କେହି ରାକ୍ଷୀ ବାନ୍ଧିବେ ନାହିଁ।ଏଥର ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ତା ହାତ ଖାଲି ରହିବ।


ଆଜିକୁ ତିନି ଦିନ ହେଲାଣି ରାଜା ଓଠରୁ ହସ ଲିଭି ଯାଇଛି।ତା ବାବା ସ୍ଥାଣୁ ପାଲଟି ଯାଇଛନ୍ତି ଓ ମାମା ଆଖିରୁ ଲୁହ ଶୁଖୁନି।ସେମାନଙ୍କ ଆଦରର ରୋଜି କରୋନା ଯୁଦ୍ଧରେ ସହିଦ ହୋଇଯାଇଛି।ଶେଷ ମୁହୂର୍ତ୍ତରେ ତାକୁ ଟିକିଏ ଦେଖିବାର ସୁଯୋଗ ମଧ୍ୟ ସେମାନେ ପାଇଲେ ନାହିଁ।ଯେଉଁ ହସ୍ପିଟାଲରେ ସେ ଚାକିରୀ କରୁଥିଲା ସେମାନେ ଫୋନ୍‌ରେ ଜଣେଇ ଦେଇ ନିଜ କର୍ତ୍ତବ୍ୟ ଶେଷ କରିଦେଲେ।ଦାହ ସଂସ୍କାର ସବୁ କାମ ସରକାର କରିବେ।


ରୋଜି ଭଲ ପାଠ ପଢୁଥିଲା।ବଡହେଲେ ଜଣେ ଡାକ୍ତର ହେବ ବୋଲି ପିଲାଦିନୁ ସ୍ୱପ୍ନ ଦେଖୁଥିଲା।ଯୁକ୍ତ ଦୁଇ ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ ମଧ୍ୟ ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ଦୁଇ ଦୁଇ ଥର ଅକୃତକାର୍ଯ୍ଯ ହେଲାପରେ ପରିବାରର ବିରୋଧକୁ ଭୃକ୍ଷେପନକରି ଜିଦି କରି ନର୍ସିଂ ଟ୍ରେନିଂ ନେଲା।ସେ କହୁଥିଲା ଯଦି ଡାକ୍ତର ହୋଇ ନପାରିଲି ତେବେ ନର୍ସଟିଏ ହୋଇ ଲୋକଙ୍କ ସେବା କରିବି।


ରୋଜି ନର୍ସିଂ ପାଶ୍ କରିବା ପରେ ଦୁଇ ବର୍ଷ ହେଲାଣି କଲିକତାରେ ଏକ କର୍ପୋରେଟ ହସ୍ପିଟାଲରେ ଚାକିରୀ କରୁଛି।ରୋଗୀ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ନିଜକୁ ନିୟୋଜିତ କରିଛି।ଏଇ କରୋନା ସମୟରେ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି କାମ କରୁଛି।କଲିକତାର ପରିସ୍ଥିତି ଆଦୌ ଭଲ ନୁହେଁ।ପ୍ରତିଦିନ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି।ଦିନକୁଦିନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ଏହା ଦେଖି ମାମା ଓ ବାବା ରୋଜିକୁ ଫୋନ୍ କରି ଚାକିରୀ ଛାଡିବାକୁ ପରାମର୍ଶ ଦେଲେ।ରୋଜି କିନ୍ତୁ ନମ୍ରତାର ସହ ସେମାନଙ୍କୁ ବୁଝେଇଥିଲା।କହିଥିଲା ତୁମ ଝିଅ ଭୀରୁ ନୁହେଁ ବାବା।ନର୍ସିଂ ପଢିବା ଦିନରୁ ମୁଁ ମୋ ଜୀବନକୁ ରୋଗୀ ସେବା ପାଇଁ ଉତ୍ସର୍ଗ କରିସାରିଛି।ପ୍ରତିଦିନ ହଜାର ହଜାର ଲୋକ କରୋନା ଦ୍ବାରା ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଲୋକ ମୃତ୍ୟୁ ମୁଖରେ ପଢୁଛନ୍ତି।ଏ ଦୁର୍ଦ୍ଦିନ ସମୟରେ ରୋଗୀମାନଙ୍କୁ ସାହାଯ୍ୟ ଓ ସେବା କରିବା ମୋର କର୍ତ୍ତବ୍ୟ।ତାହା ନକରି ମୁଁ ଘରେ ବସିପାରିବି ନାହିଁ ବାବା।ଏପରି କରିବାକୁ ନିଜ ବିବେକ ମୋତେ ବାଧା ଦେଉଛି। ଏମିତି କଲେ ମୁଁ ନିଜକୁ କଦାପି କ୍ଷମା କରିପାରିବି ନାହିଁ।ମାମା ତୁ ଆଦୌ ବ୍ଯସ୍ତ ହଅନି।ତୋ ଝିଅର କିଛି ହେବନି।ସେ ଜଣେ କରୋନା ଯୋଦ୍ଧା। ତୁ ଠାକୁରଙ୍କୁ ପ୍ରାର୍ଥନା କର ତୋ ଝିଅ ଯେପରି ଏହି କରୋନା ଯୁଦ୍ଧରେ ଲୋକମାନଙ୍କ ସେବା କରି ସେମାନଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିବ।ଏ ପରିସ୍ଥିତି ବେଶୀ ଦିନ ରହିବ ନାହିଁ।ପରିସ୍ଥିତି ସୁଧୁରିଗଲେ ମୁଁ ଛୁଟି ନେଇ ନିଶ୍ଚୟ ଘରକୁ ଯିବି।


ଏ ଭିତରେ ରାଜା ହାଇଦ୍ରାବାଦରୁ ଘରକୁ ଚାଲି ଆସିଥିଲା ଓ ଘରେ ରହି ଅନଲାଇନ୍ କାମ କରୁଥିଲା।ରୋଜି ବିନା ଘରଟା ଖାଲି ଖାଲି ଲାଗୁଥିଲା।ରୋଜି ହସ୍ପିଟାଲରୁ ଫେରି ସବୁଦିନେ ସେମାନଙ୍କ ସହିତ କଥା ହୁଏ।ଦିନେ କହିଲା ତାକୁ ଦୁଇ ଦିନ ହେବ ଜ୍ବର ହେଲାଣି।ତା ପରଦିନ ତୁରନ୍ତ କୋଭିଡ ଟେଷ୍ଟ କରିବା ପାଇଁ ବାବା ଓ ସେ ପରାମର୍ଶ ଦେଲେ।ରୋଜିର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା ଓ ସେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲା।କିନ୍ତୁ କ୍ରମେ ତାର ସ୍ବାସ୍ଥ୍ୟାବସ୍ଥା ଖରାପ ଆଡକୁ ଗତି କଲା।ତିନି ଦିନ ଭେଣ୍ଟିଲେଟରରେ ରହିଲା ପରେ ସେ ସବୁଦିନ ପାଇଁ ଆଖି ବୁଜିଦେଲା।ହସ୍ପିଟାଲ କର୍ତ୍ତୃପକ୍ଷ ଟେଲିଫୋନ୍ ମାଧ୍ୟମରେ ଘରକୁ ଖବର ଦେଲେ।କରୋନା ଜନିତ ମୃତ୍ୟୁ ଯୋଗୁଁ ତାର ଶେଷ ଦର୍ଶନରୁ ମଧ୍ୟ ସେମାନେ ସମସ୍ତେ ବଞ୍ଚିତ ହେଲେ।ଘରେ ଶୋକର ଛାୟା ଖେଳିଗଲା।


କେତେ ସମୟ ଧରି ଫଟୋ ଦେଖୁଛି ରାଜାର ଖିଆଲ ନାହିଁ।ହଠାତ୍ ତାକୁ ଲାଗିଲା ରୋଜି କହୁଛି ଭାଇ, ଏତେ ଡେରି ହେଲାଣି କେତେବେଳେ ଆଉ ରାକ୍ଷୀ ବାନ୍ଧିବୁ ?ଏତିକି ବେଳେ ଡୋର ବେଲ୍ ବାଜି ଉଠିଲା।ଏ ଅସମୟରେ କିଏ ଆସିଥିବ ବୋଲି ଭାବି କବାଟ ଖୋଲିଲା ବେଳକୁ କୋରିଅରବାଲା ତା ହାତକୁ ଲଫାପାଟିଏ ବଢେଇ ଦେଲା।ପ୍ରେରକ ସ୍ଥାନରେ ରୋଜିର ନାଁ ଦେଖି ସେ ବିଶ୍ବାସ କରିପାରିଲା ନାହିଁ।କ୍ଷଣକ ପାଇଁ ତାକୁ ଲାଗିଲା ରୋଜି ବଞ୍ଚିଛି।ଲଫାପା ଚିରି ଦେଖିଲା ବେଳକୁ ସେଥିରେ ରୋଜି ତା ପାଇଁ ପଠେଇଥିବା ରାକ୍ଷୀ ଓ ଚିଠି ଥିଲା।ଡେରି ନକରି ଚିଠିଟି ସେ ପଢିବାକୁ ଲାଗିଲା।ଚିଠିଟି ଏଗାର ଦିନ ତଳେ ରୋଜି ଲେଖିଥିଲା।


ଭାଇ, 

   ଏବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ଯାଇ ପାରୁନି।ଆଜି ପର୍ଯ୍ୟନ୍ତ ସବୁ ରାକ୍ଷୀ ପୂର୍ଣ୍ଣିମା ଆମେ ସାଙ୍ଗହୋଇ ପାଳନ କରି ଆସିଛେ।ମୁଁ ତୋ ହାତରେ ପ୍ରତିବର୍ଷ ରାକ୍ଷୀ ବାନ୍ଧିଥାଏ।ଗତ ବର୍ଷ ତୋତେ ଛୁଟି ନମିଳିବିରୁ ମୁଁ ହାଇଦ୍ରାବାଦ ଯାଇଥିଲି।କିନ୍ତୁ ଏଥର ଏପରି ପରିସ୍ଥିତି ଯେ ନାଁ ମୁଁ ଯାଇପାରିବି କିମ୍ୱା ତୁ ଚାହିଁଲେ ଆସି ପାରିବୁ।ତେଣୁ ମନଦୁଃଖ କରିବୁ ନାହିଁ।ବାବା ମାମାଙ୍କୁ ଟିକିଏ ବୁଝେଇ ଦେବୁ।ମୋ ପାଖରେ ଥିବା ଲେସ୍ ଓ ମାଳିରେ ତୋ ପାଇଁ ଏଇ ରାକ୍ଷୀଟା ତିଆରି କରିଛି।ତୁ ରାକ୍ଷୀ ପୂର୍ଣ୍ଣିମା ଦିନ ବାନ୍ଧିବୁ।ଦେହଟା ଆଜି କାହିଁକି ଖରାପ ବହୁତ ଲାଗୁଛି।ଜ୍ୱର ମଧ୍ୟ ଅଛି।କାଲି ମୁଁ କୋଭିଡ ଟେଷ୍ଟ କରେଇଦେବି।ମତେ ଲାଗୁଛି ମୁଁ ସଂକ୍ରମିତ ହୋଇଛି।ମୋର ବୋଧେ ପଜିଟିଭ ଆସିବ।ଏ ରୋଗ କଥା କିଛି କହିହେବ ନାହିଁ।ଯେପର୍ଯ୍ୟନ୍ତ ଔଷଧ ନ ବାହାରିଛି ଏହାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ।ମୋର ଯଦି କିଛି ହୋଇଯାଏ ବାବା ଓ ମାମାଙ୍କ ଖିଆଲ ରଖିବୁ।ମୋ ପାଇଁ କେହି କାନ୍ଦିବ ନାହିଁ କାରଣ ମୁଁ ଜଣେ କରୋନା ଯୋଦ୍ଧା।ବହୁତ କଷ୍ଟ ହେଉଛି ଭାଇ।ଏତିକିରେ ରହୁଛି।

                     ଇତି

                    ରୋଜି 


ଚିଠିଟି ପଢିସାରି ନିଜ ଆଖିରେ ଟଳମଳ ହେଉଥିବା ଲୁହକୁ ତଳକୁ ଗଡିବାକୁ ଦେଲାନି ରାଜା।କୋହରେ ତା ଛାତି ଭିତର ରୁନ୍ଧି ହୋଇଯାଉଥିଲା।ନାଁ ସେ ଆଦୌ କାନ୍ଦିବନି, ସେ ଜଣେ ସହିଦର ଭାଇ।ନିଜକୁ ଯଥାସାଧ୍ୟ ସମ୍ଭାଳି ରାକ୍ଷୀଟି ଆଣି ଏକା ଏକା ବାନ୍ଧିବାକୁ ଚେଷ୍ଟାକଲା।



Rate this content
Log in

Similar oriya story from Tragedy