Sasmita Mohanty

Inspirational

4.8  

Sasmita Mohanty

Inspirational

ଭାଲେଣ୍ଟାଇନ ଡେ

ଭାଲେଣ୍ଟାଇନ ଡେ

4 mins
770


ସୁଲଗ୍ନା ସବୁ କାମ ସାରି ଶୋଇବାକୁ ଆସି ଦେଖିଲା ହାତରେ ବହି ଖଣ୍ଡେ ଧରି ପଢୁପଢୁ ସିମୁନ୍ ନିଦରେ ଶୋଇପଡିଛି।ତା ହାତରୁ ବହିଟି ନେଇ ଟେବୁଲରେ ରଖିଲା ବେଳକୁ ନଜର ପଡିଲା ଏକ କାର୍ଡ ଉପରେ।କୌତୁହଳବଶତଃ କାର୍ଡକୁ ଆଣି ଦେଖିଲା।ତା ଉପରେ ସୁନ୍ଦର ଅକ୍ଷରରେ ଲେଖା ହୋଇଛି ହାପି ଭାଲେଣ୍ଟାଇନ ଡେ।କାଲି ତ ଭାଲେଣ୍ଟାଇନ ଡେ,ଆଜି ସିମୁନ୍ କୁ ଏ କାର୍ଡ କିଏ ଦେଇଛି ?ଭଲକରି ଦେଖିବାରୁ ଜାଣିଲା ସିମୁନ୍ ହିଁ କାର୍ଡଟି ତିଆରି କରିଛି।କିନ୍ତୁ ଭିତରେ କିଛି ଲେଖା ହୋଇନି।କାହାକୁ ଦେବାକୁ ସିମୁନ୍ ଏଇଟିକୁ ତିଆରି କରିଛି ?ସେ ଚିନ୍ତାରେ ପଡିଗଲା।

ସିମୁନ୍ କୁ ବାର ବର୍ଷ।ସେ ସ୍ଥାନୀୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢେ।ପାଠରେ ସବୁ ବେଳେ ଆଗୁଆ।ଝିଅ ତାଙ୍କର ଏ ଭିତରେ ଏତେ ବଡ ହୋଇଗଲାଣି !! କାହାକୁ ମନ ଦେଇ ସାରିଲାଣି !!ଯୁଗ ବଦଳୁଛି।କୈଶୋର ଅବସ୍ଥାରେ ପ୍ରେମ କରିବା ଏକ ସାଧାରଣ କଥା ହୋଇ ଗଲାଣି।ତଥାପି ମାଆ ମନ ଏକଥା ମାନିବାକୁ ରାଜି ନୁହେଁ।

ତାଙ୍କ ସମୟ କଥା ଭିନ୍ନ ଥିଲା।ଏବେ ଛୁଆ ଓଳିଆରୁ ପଡି ଗଜା।ଏ ଇଣ୍ଟରନେଟ ଯୁଗର ଛୁଆଙ୍କୁ ସବୁ ମାଲୁମ।ତାଙ୍କୁ ସତର୍କ ରହିବାକୁ ହେବ।ସେ ଯେମିତି ଅବାଟରେ ନଯାଏ।ଭଲ ମନ୍ଦ ବୁଝିବାର ବୟସ ସିମୁନ୍ ର ହୋଇନି।ତାକୁ ନେଇ ସେମାନଙ୍କର କେତେ ଆଶା କେତେ ସ୍ବପ୍ନ।ମନଟା ଭାରାକ୍ରାନ୍ତ ହୋଇଗଲା।

ଏତିକି ବେଳକୁ ଶାଶ୍ଵତ ଘରେ ନାହାନ୍ତି।ଅଫିସର ମିଟିଂ ଥିବାରୁ ସପ୍ତାହେ ପାଇଁ ଦିଲ୍ଲୀ ଯାଇଛନ୍ତି।ତିନି ଦିନ ପରେ ଫେରିବେ।ସେ ଥିଲେ ଅବା କିଛି ବାଟ ବତେଇ ଥାଆନ୍ତେ।ଭାବିଲା ଶାଶ୍ଵତଙ୍କୁ ଫୋନ୍ କରି ସବୁ କଥା କହିବ।ପୁଣି ଚିନ୍ତା କଲା ଏତେ ରାତିରେ ତାଙ୍କୁ କାହିଁକି ଅଯଥା ଟେନସନ ଦେବ।ବରଂ ସେ ଫେରିଲେ ତାଙ୍କୁ ଜଣେଇବା ଠିକ ହେବ।

ତାକୁ ଆଶ୍ଚର୍ଯ୍ୟ କରି ମୋବାଇଲ ଟି ବାଜି ଉଠିଲା।ସେପଟୁ ଶାଶ୍ଵତଙ୍କ ସ୍ବର

-- କଣ କରୁଛ ? ଶୋଇନ ?

-- ନାଁ ଏମିତି ......

-- କଣ ହୋଇଛି,(ତାର ଅନ୍ଯମନସ୍କତାକୁ ସେ ଠିକ୍ ଧରି ନେଲେ) ମୋତେ କହିବନି ?

-- ନିଦ ହେଉନି।

-- ନିଦ ହେଉନି ? ମୋତେ ମିସ୍ କରୁଛ ?

-- ମୁଁ କାହିଁକି ମିସ୍ କରିବି ? ତୁମର ସବୁ ବେଳେ ସେଇ କଥା।

-- ସତ କହୁଚ ?

-- ହୁଁ

-- ହଉ ଶୁଣ ମୋର କାଲି ମିଟିଂ ଶେଷ ହୋଇ ଯାଉଛି।ମୁଁ ରାତି ଦଶଟା ସୁଦ୍ଧା ଘରେ ପହଞ୍ଚି ଯିବି।ଏବେ ଖୁସି ତ ?ଏଥର ସତ କୁହ କଣ ହୋଇଛି ?

ଆଉ ଚୁପ୍ ହୋଇ ରହିପାରିଲାନି ସେ।ସବୁ କଥା ଗପି ଗଲା।

-- ଓଃ ତୁମେ ସବୁ କଥାରେ ଏତେ ଅଧୈର୍ଯ୍ଯ କାହିଁକି ହୁଅ କହିଲ ?ସିମୁନ୍ ବଡ ହେଉଛି।ଆଉ ପ୍ରେମ ତ ସ୍ବାଭାବିକ,ତୁମେ ଚାହିଁଲେ ଅଟକେଇ ପାରିବନି।ଟିନଏଜର ଝିଅର ମାଆ ହେବାକୁ ଯାଉଛ ତୁମେ।ନିଜ ଉପରେ କାବୁ ରଖିବା ଶିଖ ଏବଂ ଝିଅ ଉପରେ ଭରସା ଓ ବିଶ୍ବାସ ରଖ।ତା ସହ ବନ୍ଧୁ ଭଳି ମିଶ।ତେବେ ଯାଇ ସେ ସବୁ କିଛି ତୁମ ସହ ଖୋଲାଖୋଲି ଭାବରେ ଆଲୋଚନା କରିବ।ବ୍ଯସ୍ତ ହୁଅନି।ମୁଁ ତ କାଲି ଯାଉଛି।ଯାଅ ଅଯଥା ଚିନ୍ତା ନକରି ଶୋଇ ପଡ,ରାତି ବହୁତ ହେଲାଣି।

ସୁଲଗ୍ନାକୁ କିନ୍ତୁ ରାତି ସାରା ନିଦ ହେଲାନି।ସକାଳ ହେଲା।ସିମୁନ୍ ଉଠି ନିତ୍ଯକର୍ମ ଶେଷ କରି ସ୍କୁଲ ଗଲା।

ସିମୁନ୍ ଯିବା ପରେ ସୁଲଗ୍ନା ଦେଖିଲା ଟେବୁଲ ଉପରେ କାର୍ଡଟି ନାହିଁ।ସେ ଖାତା ବହି ସବୁ ଝାଡିଲା,ଟେବୁଲ ଡ୍ର ଭିତର ଭଲକରି ଦେଖିଲା କିନ୍ତୁ କେଉଁଠି ହେଲେ କାର୍ଡ ନଥିଲା।ମନେ ମନେ ଭାବିଲା କିଏ ସେହି ପିଲା ଯାହାପାଇଁ ଏତେ ଯତ୍ନରେ ସିମୁନ୍ କାର୍ଡ ତିଆରି କରିଛି।ତା ସାଙ୍ଗ ନା ସିନିୟର ନା ଅନ୍ୟ କେହି ?ସୁଲଗ୍ନାର ମନ କେଉଁ କାମରେ ଲାଗୁ ନଥାଏ।ରୋଷେଇ ବାସ ଶେଷ କରି ସିମୁନ୍ ର ଫେରିବା ବାଟକୁ ଅପେକ୍ଷା କରିବା ଛଡା ଅନ୍ୟ ଉପାୟ ନଥିଲା।

ସ୍କୁଲରୁ ଫେରିବା ସମୟ ହୋଇ ଗଲାଣି।କିନ୍ତୁ ସିମୁନ୍ ର ଏପର୍ଯ୍ୟନ୍ତ ଦେଖା ନାହିଁ।ଏଇ ବର୍ଷଠୁ ସେ ସାଇକେଲରେ ସ୍କୁଲ ଯାଉଛି।କେବେ ତ ଏତେ ଡେରି କରେନି।ତା ମନକୁ ପାପ ଛୁଇଁଲା।ଏବେ ବେଳକାଳ ଯାହା ହେଲାଣି। ଆଜି ପୁଣି ଭାଲେଣ୍ଟାଇନ ଡେ।ଏ ଭିତରେ ଘଣ୍ଟାଏ ଡେରି ହୋଇଗଲାଣି।ସେ ସିମୁନ୍ ର ତିନି ଚାରି ଜଣ ସାଙ୍ଗଙ୍କୁ ମଧ୍ୟ ଫୋନ୍ କରି ସାରିଲାଣି।ସମସ୍ତଙ୍କର ସେଇ ଗୋଟିଏ ଉତ୍ତର ଆଣ୍ଟି ମୁଁ ବସରେ ଘରକୁ ଫେରେ।ସେ ସାଇକେଲରେ ଆସୁଥିବ।ତାଙ୍କ ମନ କୋଉଠି ଲାଗୁ ନଥାଏ।ସିମୁନ୍ କେଉଁ ପିଲା ସାଙ୍ଗରେ ଭାଲେଣ୍ଟାଇନ ଡେ ପାଳନ କରିବାକୁ ଯାଇନାହିଁ ତ ?ସିମୁନ୍ ସହ କିଛି ଅଘଟଣ ଘଟିଲା କି ?ହେ ଭଗବାନ ଯେଉଁଠି ଥାଉ ପଛେ ଝିଅ ମୋର ସୁରକ୍ଷିତ ଅବସ୍ଥାରେ ଥାଉ।ଶାଶ୍ଵତଙ୍କର ଫୋନ୍ ମଧ୍ୟ ଅପହଞ୍ଚ ଦୂରତାରେ ଅଛି ବୋଲି କହୁଛି।କଣ କରିବ ଭାବି ଘର ବାହାର ହେଉଛି, ସିମୁନ୍ ଆସି ପହଞ୍ଚିଲା।

ସରି ମାମା !! ମୋର ଟିକିଏ ଲେଟ ହୋଇ ଗଲା।ରାସ୍ତା ବହୁତ ଭିଡ ଥିଲା।

ସେ ଭୀଷଣ ରାଗିଯାଇ ଥିଲେ ବି ସିମୁନ୍ କୁ କିଛି କହିଲା ନାହିଁ। ମନେ ମନେ ଈଶ୍ବରଙ୍କୁ ଧନ୍ୟବାଦ ଜଣେଇ ରୋଷେଇ ଘରକୁ ଯାଇ ଖାଇବା ଜିନିଷ ଗରମ କରିବାକୁ ଲାଗିଲା।ସିମୁନ୍ ଖାଇ ସାରୁ।ତାପରେ ମାଆ ଝିଅ ଆରାମରେ ବସି କଥା ହେବେ।ତାଙ୍କୁ ବି ବହୁତ ଭୋକ ଲାଗିଲାଣି।ଆଜିର ଏ ପିଲାଙ୍କୁ କଣ ବା ଭରସା ଅଛି ?ଆକଟ କରି ପଦେ ବାପା କି ମାଆ କହିଲେ ଘର ଛାଡି ଚାଲି ଯାଉଛନ୍ତି କିମ୍ବା ଆତ୍ମହତ୍ୟା କରିବାକୁ ପଛଉ ନାହାନ୍ତି।ଏଇ ଦୁଇ ମାସ ତଳେ ସପ୍ତମ ଶ୍ରେଣୀରେ ପଢୁଥିବା ଗୋଟିଏ ପୁଅକୁ ତା ମାଆ ବେଶୀ ରାତି ପର୍ଯ୍ଯନ୍ତ ମୋବାଇଲ୍ ରେ ଗେମ୍ ନ ଖେଳି ଶୋଇବାକୁ କହିଲେ।ପିଲାଟି ନଶୁଣିବାରୁ ତାକୁ ଗାଳି ଦେଇ ମୋବାଇଲ ଛଡେଇ ନେଲେ।ଏତିକି କଥାରେ ପିଲାଟି ରାଗିଯାଇ ଫ୍ଯାନରେ ଝୁଲି ଜୀବନ ଦେଇ ଦେଲା।ବିଚରା ବାପାମାଆଙ୍କ ଅବସ୍ଥା ନକହିବା ଭଲ।ଟିଭିରେ ଏଇ ଘଟଣା ଦେଖି ତା ଆଖିରେ ଲୁହ ଆସିଗଲା।ପିଲାମାନେ କିଛି ବୁଝୁ ନାହାନ୍ତି।

ସେ ଖାଇବା ଗରମ କରି ସାରି ବାଢିବାକୁ ଯାଉଛି, ସିମୁନ୍ ପଛପଟୁ କୁଣ୍ଢେଇ ଧରି କହିଲା, "ଲଭ ୟୁ ମାମା !!ପ୍ଲିଜ ଦେଖନା ମୁଁ କଣ ଆଣିଛି।"

ସେ ବୁଲି ପଡି ଦେଖିଲା ହାତରେ ଗୋଟିଏ କାର୍ଡ ଓ ଗିଫ୍ଟ ଧରି ସିମୁନ୍ ତାଙ୍କୁ ଚାହିଁ ହସୁଛି।

ମାମା !! ମୋ ଉପରେ ରାଗିଛ ?ପ୍ଲିଜ ମାମା କାର୍ଡଟା ଦେଖି କେମିତି ହୋଇଛି କୁହ ?ମୁଁ କେତେ ଯତ୍ନ କରି ଖାସ୍ ତୁମମାନଙ୍କ ପାଇଁ ତିଆରି କରିଛି। ଟିକିଏ ପଢ ମୁଁ କଣ ଲେଖିଛି।

ସିମୁନ୍ ର ଅନୁରୋଧରେ ସେ କାର୍ଡ ଖୋଲି ଦେଖିଲା।ଆରେ !!ଏଇଟା ତ ସେଇ କାର୍ଡ ଯାହାକୁ କାଲି ରାତିରେ ସିମୁନ୍ ର ଟେବୁଲ ଉପରେ ଦେଖି ଥିଲା।ଭିତର ଖୋଲି ପଢିଲା ବେଳକୁ ତା ଆଖି ଲୁହରେ ଭିଜିଗଲା।ସିମୁନ୍ ଇଂରାଜୀ ଭାଷାରେ ଯାହା ଲେଖିଛି ତାର ସାରମର୍ମ ହେଲା ---

"ଭାଲେଣ୍ଟାଇନ ଡେ କେବଳ ପ୍ରେମୀ ଯୁଗଳଙ୍କ ପାଇଁ ନୁହେଁ।ମୋ ମତରେ ଆମେ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉଦ୍ଦିଷ୍ଟ।

ତେଣୁ :ଧନ୍ୟବାଦ ତୁମ ଦୁଇଜଣଙ୍କୁ, ତୁମର ସ୍ନେହ ଏବଂ ଭଲ ପାଇବା ପାଇଁ।ଜୀବନର ପ୍ରତିଟି ମୁହୂର୍ତ୍ତରେ ମୋ ପାଖେ ପାଖେ ରହି ସାହାଯ୍ୟ ଓ ସହଯୋଗ କରିବା ପାଇଁ।ମୋର ଅତି ଆଦରର ବାବା ଓ ମାମାଙ୍କୁ ଭାଲେଣ୍ଟାଇନ ଡେ ର ଅନେକ ଅନେକ ଶୁଭେଚ୍ଛା।

ଆଜି ଆନ୍ତର୍ଜାତିକ ପୁସ୍ତକ ଦାନ ଦିବସ ହୋଇଥିବାରୁ ପ୍ରିୟଜନମାନଙ୍କୁ ବହିଟିଏ ଉପହାର ଦେଇ ଏଇ ଦିନ ଟିକୁ ଖୁସିରେ ପାଳନ କରିବା।"

ଏଥର ସିମୁନ୍ ସୁଲଗ୍ନାର ପ୍ରିୟ ଲେଖକ ଶ୍ରୀଯୁକ୍ତ ମନୋଜ ଦାସଙ୍କ "ଅମୃତ ଫଳ" ବହି ଟି ତା ହାତରେ ଧରେଇ ଦେଲା।

ସୁଲଗ୍ନା ଖୁସିରେ ସିମୁନ୍ କୁ କୁଣ୍ଢେଇ ପକେଇ ଗେଲ କଲାବେଳକୁ ଝିଅର ଉଚ୍ଚ ଚିନ୍ତା ଧାରା ପାଖରେ ନିଜକୁ ନିହାତି ଛୋଟ ମଣୁଥିଲା।

ସସ୍ମିତା ମହାନ୍ତି


Rate this content
Log in

Similar oriya story from Inspirational