Sasmita Mohanty

Tragedy

3  

Sasmita Mohanty

Tragedy

ଖଲି ମାଉସୀ

ଖଲି ମାଉସୀ

5 mins
11.9K



ବାଦାମବାଡିରୁ ରାଣୀହାଟକୁ ଗଲାବେଳେ ଠିକ୍ ଦୋଳମୁଣ୍ଡାଇ ଛକ ପୂର୍ବରୁ ବାମ ପଟେ ପଡେ ବାବା ସାଗର ଦାସ ବିଦ୍ଯାପୀଠ।ସେଇ ସ୍କୁଲ ପଡିଆରେ ବର୍ଷ ସାରା ଚାଲିଥାଏ ଖାଦ୍ଯ ମହୋତ୍ସବ।ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ କେବଳ ଦହିବରା ଆଳୁଦମ୍ ଓ ଗୁପଚୁପ୍ ବାଲା ଥାଆନ୍ତି।କିନ୍ତୁ ଅପରାହ୍ନ ପରେ ଖୋଲିଥାଏ ପାଓଭାଜି,ଚାର୍ଟ,ଭଳିକିଭଳି ଚପ୍ ଓ ପକୋଡା,ଚାଓମିନ୍, ବିରିଆନୀ ଇତ୍ୟାଦି ଫାଷ୍ଟଫୁଡ ଦୋକାନ ସାଙ୍ଗକୁ ବିଭିନ୍ନ ପ୍ରକାରର ଥଣ୍ଡାପାନୀୟ,ମିଲ୍କସେକ୍,ଆଇସକ୍ରୀମ୍ ଓ କୁଲଫି ଏମିତି କେତେ ଦୋକାନ।ସେହି ରାସ୍ତା ଦେଇ ଗଲାବେଳେ ଚଟପଟି ଖାଦ୍ଯର ବାସନାରେ ନଚାହିଁଲେ ମଧ୍ୟ ଟାଣି ହୋଇଯାଏ ମଣିଷ।ସେ ଭିଡ ଭିତରେ ସ୍କୁଲଟି କୁଆଡେ ହଜିଯାଏ।


    ସେଦିନ ମୁଁ ଓ ମୋର ଝିଅ ସେହିବାଟ ଦେଇ ଯାଉଥିଲୁ।ଝିଅ କହିଲା ମମି !! ବହୁତ ଭୋକ ହେଲାଣି।ଚାଲନା କଣ ଟିକିଏ ଖାଇବା।ମୋ ସମ୍ମତି ପାଇବାରୁ ସେ ବାଟ ଭାଙ୍ଗି ସ୍କୁଟି ଗଡେଇଲା ସ୍କୁଲ ପଡିଆକୁ।ମୋର ସେଦିନ କାହିଁକି କେଜାଣି ଆଦୌ ଖାଇବାକୁ ଇଛା ହେଲାନାହିଁ।ମୁଁ ତାକୁ ଖାଇବାକୁ କହି ସ୍କୁଲକୁ ଦେଖୁଥାଏ।ମୁଁ ଦିନେ ସେହି ସ୍କୁଲର ଛାତ୍ରୀ ଥିଲି।ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି।ସ୍କୁଲ ଛାଡିବା ଚାଳିଶି ବର୍ଷରୁ ଅଧିକ ହୋଇଗଲାଣି।କେତେଥର ଯେ ସେ ପଡିଆରେ ଖାଇଥିବି ତାର ହିସାବ ମୋ ପାଖରେ ନାହିଁ।କିନ୍ତୁ ସ୍କୁଲ ଭିତରକୁ ଯିବା କଥା କେବେ ମୋ ମନକୁ ଆସିନି।ସେଦିନ କାହିଁକି କେଜାଣି ମୋ ପାଦଦୁଇଟି ଆପେ ଆପେ ସ୍କୁଲ ଭିତରକୁ ଟାଣିହୋଇ ଯାଉଥାଏ।ଯିବି ନଯିବିର ଦୋଛକିରେ ଛିଡାହୋଇ ଭାବୁ ଥାଏ ମୁଁ। 


   ଝିଅ ମୋ ମନକଥା ପଢିଲା ପରି କହିଲା ତୋର ସ୍କୁଲକୁ ଯିବାକୁ ଇଚ୍ଛା ହେଉଛି କି ? ଯିବୁ ଯଦି ଯାଉନୁ।


  ମନ ତ ହେଉଛି, ହେଲେ ସେଠି କିଏ ଚିହ୍ନିବ ମୋତେ ?


   ତୁ କହିବୁ ମୁଁ ସ୍କୁଲର ପୂର୍ବତନ ଛାତ୍ରୀ।


   ସେତିକିବେଳେ ମନେପଡିଲା ଖଲି ମାଉସୀ କଥା।ସାର୍ ଦିଦିମାନେ ରିଟାୟର୍ଡ କରି ପଳେଇଥିବ,ହେଲେ ଖଲି ମାଉସୀ ତ ଥିବ।ସେ ସ୍କୁଲ ପାଚେରୀକୁ ଲାଗିଥିବା ଆଜବେଷ୍ଟସ୍ ଘରେ ରହୁଥିଲା।ସେ ଏବେ ବୁଢୀ ହୋଇଯିବଣି।ତା ପୁଅ ମାନେ ସେଠି ନିଶ୍ଚୟ ରହୁଥିବେ।


   ଏଥର ଆଉ ଅପେକ୍ଷା ନକରି ଚାଲିଲି ସ୍କୁଲ ଭିତରକୁ।ସ୍କୁଲ ଛୁଟି ହୋଇସାରିଥାଏ।ସେଦିନ ଶନିବାର ଥିବାରୁ ସ୍କୁଲରେ କରାଟେ ଶିକ୍ଷା ଦିଆଯାଉଥାଏ।ଇଏ କଣ !! ଖଲି ମାଉସୀ ଘର ତ ଏଠି ନାହିଁ।ତା ଜାଗାରେ ସୁନ୍ଦର ବଗିଚାଟିଏ।ହୁଏତ ସେପଟକୁ ରହୁଥିବ।କିନ୍ତୁ ନାଁ କେଉଁଠି ବି ପାଇଲି ନାହିଁ।


   ସାଗର ଦାସ ନାମକ ଜଣେ ବାବାଜୀ ଦାନ୍ତ ଘଷା ପାଉଡର ବିକ୍ରି କରି ଏବଂ ଅନ୍ୟମାନଙ୍କର ଦାନ୍ତ ଭାଙ୍ଗି ଯାହା ଉପାର୍ଜନ କରୁଥିଲେ ସଂଚୟ କରି ରଖୁଥିଲେ। ବିଦ୍ୟାଳୟଟିଏ ଗଠନ କରିବା ପାଇଁ ସେ ସମସ୍ତ ସଂଚିତ ଅର୍ଥକୁ ମୃତ୍ୟୁ ପୂର୍ବରୁ ଦାନ କରିଦେଇ ଥିଲେ।ତାଙ୍କ ଇଛାକୁ ସମ୍ମାନ ଦେଇ ସେହି ଅର୍ଥରେ ଏହି ସ୍କୁଲଟି ନିର୍ମାଣ କରାଯାଇଥିଲା ଏବଂ ତାଙ୍କ ନାମରେ ନାମିତ ହୋଇଥିଲା।


    ସ୍କୁଲଟି ଏ ଭିତରେ କେତେ ବଦଳି ଯାଇଛି।ଆମ ସମୟର ୟୁ ପି ସ୍କୁଲ ଏବେ ହାଇସ୍କୁଲରେ ପରିଣତ ହୋଇଛି।ମୋ ଆଖିରେ କିନ୍ତୁ ମୋ ପୁରୁଣା ସ୍କୁଲର ରୂପ ଭାସିଯାଉଥାଏ।ଖଲୀ ମାଉସୀର ମୁହଁ ଝାପ୍ସା ମନେପଡୁଥାଏ।ଗେଡା ହୋଇ କଳାରଙ୍ଗର ପତଳା ସ୍ତ୍ରୀ ଲୋକଟିଏ ଖଲି ମାଉସୀ।କେବେ ଠାରୁ ତା ସ୍ବାମୀ ମରିଯାଇଛି ଆମେ କେହି ଜାଣିନୁ।ସରୁ ନୀଳ ବା କଳାଧଡି ଥିବା ଧଳା ଶାଢୀକୁ ବୁଲେଇକରି ପିନ୍ଧେ ସେ।କେବେ ତାକୁ ଶାୟା ବ୍ଲାଉଜ ସହ କୁଞ୍ଚକରି ଶାଢୀ ପିନ୍ଧିବାର ଆମେ କେହି ଦେଖିନୁ।ସେ ସ୍କୁଲ ହତାଭିତରେ ପାଚେରୀ କୁ ଲାଗିଥିବା ବଖରାଏ ଆଜବେଷ୍ଟସ୍ ଘରେ ରୁହେ।ଖେଳ ଛୁଟିରେ ବୁଟଭଜା, ମଟର ଭଜା,ବାଦାମ, ଗୁଡମିଠେଇ,ଆଚାର ଓ ପେଡା ଇତ୍ୟାଦି ବିକ୍ରିକରେ।କେବେ କେମିତି ଖଟା କମଳା, କରମଙ୍ଗା ଓ ବରକୋଳି ମଧ୍ୟ ଆଣିଥାଏ।ଆମେ ଘରୁ ନେଇଥିବା ଦଶ କିମ୍ବା କୋଡିଏ ପଇସାରେ ତା ପାଖରୁ କିଣିକରି ଖାଉ।ତାର ଦୁଇ ପୁଅ।ବଡପୁଅ ଉଦୟ ତା ସହ ମିଶି ସ୍କୁଲରେ ବିକ୍ରି କରେ,ଘଣ୍ଟା ବାଡାଏ ଓ ସ୍କୁଲ ସଫା ସଫି କରିଥାଏ।ସାନପୁଅ ଶ୍ଯାମ ହାଇସ୍କୁଲରେ ପାଠ ପଢେ।ସେତେବେଳେ ଆଜିକାଲି ପରି ଅଟୋ ବା ସ୍କୁଲ ବସ ନଥିଲା।ପିଲାମାନେ ନିଜେ ନିଜେ କିମ୍ବା ଅଭିଭାବକଙ୍କ ସାଙ୍ଗରେ ସ୍କୁଲ ଆସୁଥିଲେ।ଖଲି ମାଉସୀ କିନ୍ତୁ କିଛି ପିଲାଙ୍କୁ ସ୍କୁଲକୁ ନବା ଆଣିବା କରୁଥିଲା।ସ୍କୁଲ ଛୁଟି ପରେ ସେହି ପିଲାମାନେ ଲାଇନ୍ କରି ଯାଆନ୍ତି ଓ ଖଲି ମାଉସୀ ହାତରେ ଛାଟ ଖଣ୍ଡେ ଧରି ତାଙ୍କ ସହିତ ଚାଲୁଥାଏ।ଏବେ ମଧ୍ୟ ସେହି ଦୃଶ୍ୟ ମୋର ବେଳେ ବେଳେ ମନେପଡେ।


  ଦିନକର କଥା, ମୁଁ ତୃତୀୟ କି ଚତୁର୍ଥ ଶ୍ରେଣୀରେ ପଢୁଥାଏ।ସ୍କୁଲ ଛୁଟି ବେଳକୁ ଅଚାନକ ମେଘ ଘୋଟି ଆସିଲା।ଚାରିଆଡ ଅନ୍ଧାର ଦିଶିଲା।ବହୁତ ଜୋରରେ ପବନ ବହିବା ସାଙ୍ଗକୁ ବିଜୁଳି ଓ ଘଡଘଡି ମାରିବାକୁ ଲାଗିଲା।ପିଲାମାନେ କେତେବେଳୁ ନିଜ ନିଜ ଘରକୁ ଚାଲି ଗଲେଣି।ମୁଁ ଏକୁଟିଆ ଛିଡା ହୋଇଥାଏ।ଆମ ଘର ସ୍କୁଲଠାରୁ ଦୂର ହୋଇଥିବାରୁ ଏବଂ ବସଷ୍ଟାଣ୍ଡ ଅତିକ୍ରମ କରି ଯିବାକୁ ପଡୁଥିବାରୁ ମୁଁ ଏକା ଯିବା ଆସିବା କରେ ନାହିଁ।ବାପାଙ୍କ ଅଫିସର ପିଅନ ଜୟରାମ ଦାଦା କିମ୍ୱା ମୋ ମାମୁଁ ମତେ ସ୍କୁଲକୁ ନେବା ଆଣିବା କରିଥାନ୍ତି।କିନ୍ତୁ ସେଦିନ ମୋତେ ନେବାକୁ କେହି ଆସି ନଥିଲେ।ବର୍ଷା ଦେଖି ସାର୍ ଓ ଦିଦିମାନେ ତରବର ହୋଇ ଯିବାକୁ ବାହାରିଲେ।ମୋତେ ଏକୁଟିଆ ଦେଖି କହିଲେ ବ୍ଯସ୍ତ ହଅନି ଅପେକ୍ଷା କର ଘରୁ କେହିହେଲେ ଆସି ପହଞ୍ଚିଯିବେ।ଏହି ସମୟରେ ବହୁତ ଜୋରରେ ଘଡଘଡି ମାରିଲା ଓ ଲାଇନ୍ ଚାଲିଗଲା।ଚାରିଆଡେ କିଟି କିଟି ଅନ୍ଧାର।କେହି କୋଉଠି ନଥାନ୍ତି।ମୋତେ ବହୁତ ଡର ଲାଗିଲା।ପାଣି ଛାଟରେ ଅଧା ଓଦା ହୋଇ ସାରିଲିଣି।ମନେ ମନେ ଠାକୁରଙ୍କୁ ଡାକି ଅଫିସ ପାଖ ଶ୍ରେଣୀ ଗୃହ ଭିତରକୁ ପଶି ଗୋଟିଏ କୋଣରେ ଛିଡା ହେଲି।ଡର ଲାଗିବା ସହିତ ଘର କଥା ମନେପଡିଲା ଓ ମୁଁ କାନ୍ଦିବାକୁ ଲାଗିଲି।


    କେତେବେଳ ହେବ କେଜାଣି ଖଲି ମାଉସୀ ପିଲାମାନଙ୍କୁ ଘରେ ଛାଡ଼ି ଫେରିଲା।ହାତରେ ଟର୍ଚ୍ଚ ଖଣ୍ଡିଏ ଧରି ଶ୍ରେଣୀ ଗୃହର ଝରକା କବାଟ ବନ୍ଦ କରିବାକୁ ଆସି ମୋ କାନ୍ଦ ଶୁଣି ପଚାରିଲା କିଏ ସେଠି ?


   ମୁଁ କିଛି ନକହି ଆହୁରି ଜୋରରେ କାନ୍ଦିବାକୁ ଲାଗିଲି।ସେ ପାଖକୁ ଆସି ମୋତେ ଦେଖି କହିଲା ତୁ ଘରକୁ ନଯାଇ ଏତେବେଳ ଯାଏଁ ଏଠି କଣ କରୁଛୁ ?


   ମୋତେ ନେବାକୁ କେହି ଆଜି ଘରୁ ଆସି ନାହାନ୍ତି।ମୁଁ ଏକୁଟିଆ ଅନ୍ଧାର ରାତିରେ କେମିତି ଘରକୁ ଯିବି ମାଉସୀ ?ମୋ ବୋଉ ବହୁତ ବ୍ଯସ୍ତ ହେଉଥିବ।

  

   ସେ ମୋ ମୁଣ୍ଡକୁ ସ୍ନେହରେ ଆଉଁସି ଦେଇ କହିଲା ଏଇ କଥା ପାଇଁ ଏତେ କାନ୍ଦୁଛୁ।ଦେଖୁଛୁ ତ କେତେ ଜୋରରେ ବର୍ଷା ପବନ ହେଉଛି।ଏଥିରେ କିଏ କେମିତି ଆସିବ ଭାବିଲୁ।ତୁ ଆଦୌ ବ୍ଯସ୍ତ ହଅନି।ବର୍ଷା ପବନ ଟିକିଏ ଛାଡୁ ମୁଁ ନେଇ ତୋତେ ଘରେ ଛାଡ଼ି ଆସିବି।ତୁ ଘରକୁ ରାସ୍ତା ଜାଣିଛୁ ?ସବୁ ଶ୍ରେଣୀ ଗୃହ ବନ୍ଦ କରି ସ୍କୁଲ ଗେଟ୍ ତାଲା ପକେଇ ମାଉସୀ ମୋତେ କହିଲା ଆ ମୋ ଘର ଭିତରେ ବସିବୁ।ମୁଁ ପୁରା ଓଦା ହୋଇ ଯାଇଛି।ଚା ଢୋକେ ପିଇଲେ ଭଲ ଲାଗିବ।


    ସେ ଘର ଭିତରକୁ ଯାଇ ଲଣ୍ଠନ ଜଳେଇ ପିଢାଟିଏ ଦେଇ ବସିବାକୁ କହିଲା।ଗୋଟିଏ ଥାଳିଆରେ ପାଉଁରୁଟି ଓ ଅଧଗିନାଏ ପାଣିରେ ଚିନି ଟିକିଏ ପକେଇ ମତେ କହିଲା ତୋତେ ଭୋକ ହେଉଥିବ,ନେ ଏ ଚିନିପାଣିରେ ପାଉଁରୁଟି ବୁଡେଇ ଖାଇଦେ।ଘରେ ଆଉ କିଛି ନାହିଁ।ମୁଁ ନାଲି ଚା ଟିକିଏ କରୁଛି।


    ମୋତେ ପ୍ରବଳ ଭୋକ କରୁଥିଲା।ମୁଁ ଚଟାପଟ୍ ଖାଇଦେଲି। ଯଦିଓ ମୁଁ ପାଉଁରୁଟି ଖାଏନି ସେଦିନ ସେ ପାଉଁରୁଟି ମୋତେ ଅମୃତ ଭଳିଆ ଲାଗିଲା।ଖଲି ମାଉସୀ ଚା ପିଉ ପିଉ ମୋ ସାଙ୍ଗରେ କେତେ କଥା ଗପୁଥାଏ।ସେ ମଝିରେ ମଝିରେ ବାହାରକୁ ଯାଇ ଦେଖି ଆସୁଥାଏ।ମୋତେ କହୁଥାଏ ତୁ ବ୍ଯସ୍ତ ହଅନି।ଆଉ ଟିକିଏ ବର୍ଷା କମିଯାଉ ମୁଁ ନେଇ ଘରେ ଛାଡ଼ି ଦେଇ ଆସିବି।


   ତା କଥା ଶୁଣି ମୁଁ ନିର୍ଭୟରେ ବସି ଗପ ଶୁଣୁଥାଏ।ଏହି ସମୟରେ ଖୁବ୍ ଜୋରରେ ପାଟିତୁଣ୍ଡ ଶୁଣାଗଲା।ଖଲି ମାଉସୀ ବାହାରକୁ ଆସି ଦେଖିଲା ରାସ୍ତା ଉପରେ କିଛି ଲୋକ ଛିଡା ହୋଇ ପାଟିକରି କାହାକୁ ଡାକୁଛନ୍ତି।ଆମେ ଗେଟ୍ ପାଖକୁ ଆସିଲୁ।ମୋ ବାପା ମାମୁଁ ଓ ଆମ କଲୋନୀର କିଛି ଲୋକ ଛିଡା ହୋଇଥିବାର ଦେଖି ମୁଁ ପାଟିକରି ଉଠିଲି।ସେତେବେଳକୁ ବାପାଙ୍କ ଅଫିସ୍ ର ପିଅନ ଦୁଇ ଥର ଆସି ମୋତେ ନପାଇ ଫେରିଯାଇ ଥାଆନ୍ତି।ସେମାନେ ଭାବୁଥାନ୍ତି ଏ ମେଘ ଅନ୍ଧାର ରାତିରେ ମୁଁ ବୋଧେ ଭୁଲ୍ ରେ ଶ୍ରେଣୀ ଗୃହ ଭିତରେ ରହିଯାଇଛି।ମୋତେ ଦେଖି ସମସ୍ତେ ବହୁତ ଖୁସି ହୋଇଗଲେ।


   ଖଲି ମାଉସୀ କହିଲା ଏତେ ବର୍ଷା ପବନ ଦେଖି ମୁଁ ତାକୁ ମୋ ଘର ଭିତରେ ରଖିଥିଲି।କେମିତି ଛୁଆଟାକୁ ଏକୁଟିଆ ଅନ୍ଧାରରେ ଛାଡି ଥାଆନ୍ତି ?ବର୍ଷା ପବନ କମିଗଲା ପରେ ମୁଁ ନିଜେ ନେଇ ଘରେ ଛାଡିଦେଇ ଆସିଥାଆନ୍ତି।ଖୁସି ହୋଇ ବାପା ତାକୁ ଚା ପିଇବାକୁ ଟଙ୍କା ଦେଲେ।ସେ କିନ୍ତୁ ଟଙ୍କା ନନେଇ କହିଲା ବାବୁ କେବେ ଦିନେ ସୁବିଧା ଦେଖି ଆପଣଙ୍କ ଘରକୁ ଯାଇ ଚା ପିଇବି ଓ ମାଆଙ୍କୁ ଦେଖାକରି ଆସିବି।ବାପା ମୋତେ ଧରି ଫେରି ଆସିଥିଲେ।ସେଦିନ ମୋ ପିଲା ମୁଣ୍ଡରେ କିଛି ପଶି ନଥିଲା।କିନ୍ତୁ ଆଜି ଭାବିଲେ ଖଲି ମାଉସୀ ପ୍ରତି ମୋ ହୃଦୟରେ କୃତଜ୍ଞତା ଭରି ଯାଉଛି।


   ଭାବନା ରାଜ୍ୟରୁ ଫେରି ଆସି ଖଲି ମାଉସୀ କଥା ପଚାରିଲି।କିନ୍ତୁ ବହୁତ ଡେରି କରି ଦେଇଥିଲି ମୁଁ।ଖଲି ମାଉସୀ ପୁଅ ଦୁହିଁଙ୍କର ଅକାଳ ମୃତ୍ୟୁ ଘଟିଥିଲା ଓ ପୁଅମାନଙ୍କୁ ଝୁରି ଝୁରି ସେ ମଧ୍ୟ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲା।ତାପରି ସ୍ନେହୀ ଓ ଦରଦୀ ମଣିଷଟିକୁ ଆଉ ଭେଟିବାର ଅବକାଶ ମୋର ନଥିଲା।ହୃଦୟଭର୍ତ୍ତି କୋହ ଓ ମନଭର୍ତ୍ତି ଅବଶୋଷ ନେଇ ଧୀରେ ଧୀରେ ଫେରି ଆସିଲି ମୁଁ।





Rate this content
Log in

Similar oriya story from Tragedy