STORYMIRROR

Sasmita Mohanty

Others

3  

Sasmita Mohanty

Others

ଧନତେରାସ୍

ଧନତେରାସ୍

5 mins
721


ପଟ୍ଟନାୟକ ବାବୁ ଅଫିସ୍ ରୁ ଫେରୁ ଫେରୁ ଚା କପ୍ ଟି ବଢେଇ ଦେଇ ଶ୍ରୀମତୀ ଗପ ଯୋଡିଲେ, ବୁଝିଲ ଆଜି କଲୋନୀର ସମସ୍ତେ ଆମ ଘରକୁ ଆସିଥିଲେ।


    ଆଶ୍ଚର୍ଯ୍ଯ ହୋଇ ସେ ପଚାରିଲେ ସମସ୍ତେ ମାନେ ?


   ଏଇ ମହାପାତ୍ର ବାବୁ, ବିଶ୍ବାଳ ବାବୁ, ପଣ୍ଡା ବାବୁ, ଦାସ ବାବୁ ସମସ୍ତଙ୍କ ମିସେସମାନେ ଆସିଥିଲେ।ଆଗରୁ ତ ଗୋଟେ ଲେଡିଜ୍ କ୍ଲବ ଥିଲା।କିନ୍ତୁ ଘର ଛାଡି ସବୁଦିନେ ତ ଯାଇହେଉନି, ତେଣୁ ସେମାନେ ଗୋଟିଏ ହ୍ବାଟସଆପ୍ ଗ୍ରୁପ ଖୋଲିଛନ୍ତି।ଘରେ ବସି ପରଷ୍ପର ମଧ୍ଯରେ ଗପସପ, ହସଖୁସି କରୁଛନ୍ତି ଓ ଭବିଷ୍ଯତରେ ମଧ୍ଯ କିଛି ଉନ୍ନତିମୂଳକ କାର୍ଯ୍ଯ କରିବେ ବୋଲି ଯୋଜନା କରୁଛନ୍ତି।


     ଟିକିଏ ରହି ପୁଣି କହିଲେ, ମତେ ଗୋଟେ ସ୍ମାର୍ଟଫୋନ୍ ଆଣି ଦିଅନା ପିଲାମାନେ ସ୍କୁଲ ଓ ତୁମେ ଅଫିସ୍ ଗଲା ପରେ ମୁଁ ଅଯଥାରେ ଘରେ ବସି ବୋର୍ ହୁଅନ୍ତିନି।ସେମାନଙ୍କ ସହ ଟାଇମ୍ ପାସ କରନ୍ତି।


    ସବୁ ଶୁଣି ପଟ୍ଟନାୟକ ବାବୁ ଭାବିଲେ ତାଙ୍କ ସ୍ତ୍ରୀ କେବେ କୌଣସି ଜିନିଷ ପାଇଁ ଅଳି କରନ୍ତନି।ଏମିତିରେ ବି ମୋବାଇଲ୍ ଫୋନଟା ପୁରୁଣା ହୋଇଗଲାଣି।ମନ କରିଛନ୍ତି ଯେତେବେଳେ ଦରମା ପାଇଲେ ତାଙ୍କୁ ଗୋଟିଏ ସ୍ମାର୍ଟ ଫୋନ କିଣିଦେବେ।


     ନୂଆ ଫୋନ୍ ପାଇ ଶ୍ରୀମତୀ ପଟ୍ଟନାୟକ ଓରଫ ପଲ୍ଲବୀଙ୍କ ଖୁସି କହିଲେ ନସରେ।ତୁରନ୍ତ "ସହେଲୀ" ଗ୍ରୁପ୍ ରେ ସାମିଲ ହୋଇଗଲେ।ପ୍ରଥମେ ପ୍ରଥମେ ଚାଟିଂ କରିବାକୁ ଟିକେ ଅଡୁଆ ହେଉଥିଲା।ଆସ୍ତେ ଆସ୍ତେ କିନ୍ତୁ ସବୁ ଶିଖିଗଲେ।ଚାଟିଂ, ମେସେଜ, ବିଭିନ୍ନ ପ୍ରକାର ଫଟୋ, ନୂଆ ନୂଆ ରୋଷେଇର ରେସିପି, ହସକଥା, କବିତା ଓ ସାୟରୀ ସେୟାର କରିବାରେ ସେ ଏମିତି ମଜ୍ଜିଗଲେ ଯେ ତାଙ୍କୁ ରାତିଦିନ କିଛି ଅଣ୍ଟୁ ନଥିଲା।ସବୁବେଳେ ଫୋନ୍ ଧରି ବସିରହିଲେ ସେ ରୋଷେଇବାସ, ଘରକାମ ବା ପିଲାଙ୍କ ପଢାପଢି କୁଆଡେ ଆଉ ନଜର ନଥିଲା।କିଏ କୁଆଡେ ବୁଲିଗଲା,କଣ କିଣିଲା ବା କୋଉ ନାମୀଦାମୀ ହୋଟେଲରେ ଖାଇଲା ସବୁ ଖବର ନିମିଷକେ ପହଞ୍ଚି ଯାଉଥିଲା।ସେ ମନେ ମନେ ନିଜକୁ ଅନ୍ଯମାନଙ୍କ ସହ ତଉଲୁଥିଲେ।ସମସ୍ତେ କେତେ ଖୁସିରେ ଅଛନ୍ତି !! ସବୁବେଳେ ବୁଲୁଛନ୍ତି, ବାହାରେ ଖାଉଛନ୍ତି, ଗାଡି ଚଢୁଛନ୍ତି, କେତେ ଡିଜାଇନ୍ ର ଶାଢୀ ଓ ଗହଣା ପିନ୍ଧୁଛନ୍ତି, ମଲ୍ ରୁ କେତେ ପ୍ରକାରର ନୂଆ ଜିନିଷ କିଣୁଛନ୍ତି।ତାଙ୍କ ସ୍ବାମୀଙ୍କର ସ୍ବଳ୍ପ ଦରମାକୁ ବଡ ପୁଅ ହିସାବରେ ଗାଁ, ଘର ଓ ବନ୍ଧୁ ବେଭାର ସବୁ ଦେଖୁ ଦେଖୁ ଦରମାଗଣ୍ଡାକ କେତେବେଳେ ଯେ ଶେଷ ହୋଇଯାଉଛି ଜଣାପଡୁନି।ଏ ଦୁନିଆରେ ତାଙ୍କୁ ଛାଡି ସମସ୍ତେ ସୁଖୀ।ପାର୍ଲର ଯାଇ ଫେସନ କରି, ଭଳି କି ଭଳି ଡ୍ରେସ୍ ପିନ୍ଧି ସ୍ବାମୀ ସହ ବିଭିନ୍ନ ଭଙ୍ଗୀରେ ସେଲ୍ଫି ଉଠେଇ ଗ୍ରୁପ୍ ରେ ଛାଡୁଛନ୍ତି।ଡ୍ରେସ୍ ପିନ୍ଧିବା ତ ଦୂରର କଥା ଫଟୋଟିଏ ଉଠେଇବାକୁ କହିଲେ ସ୍ବାମୀ ତାଙ୍କର ନାକ ଟେକନ୍ତି।ଏଣୁ ସେ ମନକଥା ମନରେ ମାରି ଚୁପ୍ ରୁହନ୍ତି।ଦଶହରାରେ ସମସ୍ତେ ବିଭିନ୍ନ ପ୍ରକାର ପାଟ, ମଠା ଏବଂ ସିଲ୍କ ଶାଢୀ କିଣି ଫଟୋ ଛାଡିଲେ।ସେ ରାକ୍ଷୀରେ ଭାଇ ଦେଇଥିବା ସିଫନଶାଢୀରେ କାମ ଚଳେଇଲେ।


     ଆଗକୁ ଧନତେରାସ୍ ଓ ଦୀପାବଳୀ।ଏଇ ପାଞ୍ଚ ସାତ ବର୍ଷ ହେଲା ଧନତେରାସ୍ ଆମ ସମାଜରେ ଧସେଇ ପଶିଗଲାଣି।ସମସ୍ତେ ନୂଆ ନୂଆ ଡିଜାଇନର ଗହଣା କିଣିବାରେ ବ୍ଯସ୍ତ,କଣ ନା ଘରକୁ ଲକ୍ଷ୍ମୀ ଆସିବେ।ତା ସାଙ୍ଗକୁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଗହଣା ଦୋକାନୀର ବିଭିନ୍ନ ପ୍ରକାରର ମନଲୋଭା ଅଫର ସୁନା ନକିଣିବା ଲୋକକୁ ବି କିଣିବାକୁ ବାଧ୍ଯ କରୁଛି।ସେ କେବେ ସୁନା କିଣନ୍ତିନି ଧନତେରାସ୍ ରେ।ଏଥର କିନ୍ତୁ ଯାହାହେଲେ ବି କିଛି କିଣିବାକୁ ପଡିବ।ନହେଲେ ଗ୍ରୁପ୍ ରେ ତାଙ୍କ ସମ୍ମାନ ରହିବନି।ଆଗରୁ ସମସ୍ତେ କହିଲେଣି ଏଥର ଯିଏ ଯାହା କିଣିବ ଫଟୋ ଗ୍ରୁପ୍ ରେ ପଠେଇବ।


    ଧନତେରାସ୍ ଆଉ ଦୁଇଦିନ ବାକି ଅଛି।ଆଜିଠୁ ଅଫର ସବୁ ଆରମ୍ଭ ହୋଇଗଲାଣି,ତା ସାଙ୍ଗକୁ ଗହଣା ଦୋକାନରେ ନାହିଁ ନଥିବା ଭିଡ।ମିସେସ୍ ମହାପାତ୍ର ପ୍ରଥମେ ଦୁଇଟା ମଗରମୁହାଁ ବାଲା କିଣି ଗ୍ରୁପରେ ଫଟୋ ପଠେଇଲେ।ତା ପଛକୁ ପ୍ରତିଯୋଗିତା କଲାପରି ଅନ୍ଯମାନେ କିଏ ହୀରା ସେଟ୍ ତ କିଏ ମଙ୍ଗଳସୂତ୍ର ସହ ମ୍ଯାଚିଂ କାନଫୁଲ,ଚୁଡି, କଙ୍କଣ ଏମିତି କେତେ କଣ ଫଟୋ ପଠେଇ ଚାଲିଛନ୍ତି।ପଲ୍ଲବୀଙ୍କ ମନ ଆଉ କୋଉଠି ଲାଗୁନି।ନା ଆଜି ଯେମିତି ହେଉ ପଟ୍ଟନାୟକ ବାବୁ ଅଫିସ୍ ରୁ ଆସିଲେ ସେ ବଜାର ଯାଇ ହଳେ କାନଫୁଲ କି ମୁଦି କିଣି ଆଣିବେ।ସମସ୍ତେ କଣ କିଣିଲୁ ବୋଲି ପଚାରୁଛନ୍ତି,କେତେ ଆଉ ସଫେଇ ଦେବେ।


     ରାତିରେ ନିଜ ମନକଥା କହିବାରୁ ପଟ୍ଟନାୟକ ବାବୁ କହିଲେ ତମେ କଣ ପାଗଳ ହେଲ !ଏବେ ତ ଦଶହରା,କୁମାର ପୂର୍ଣମୀ ଗଲା କେତେ ଖର୍ଚ୍ଚ,ତାପରେ ବୋଉ ପୁରୀ ଗଲା ହବିଷ କରିବାକୁ।ପୁଣି ଆରମାସକୁ ପ୍ରଥମାଷ୍ଟମୀ, ଭଣଜା ଭାଣିଜୀଙ୍କ ପାଇଁ ଲୁଗାପଟା ପଠେଇବାକୁ ପଡିବ। ତମେ ତ ସବୁ ଜାଣିଛ।


    ଗର୍ଜି ଉଠିଲେ ସେ ସବୁ ଜାଣିଛି ବୋଲି ମୋର କଣ କିଛି ଇଛା ନାହିଁ ?ସବୁବେଳେ ଅନ୍ଯମାନଙ୍କ ପାଇଁ କରି କରି ଅଧା ଜୀବନ ଗଲାଣି।


     ଏଥର ତାଙ୍କ କଥା ଶୁଣି ପଟ୍ଟନାୟକ ବାବୁ କହିଲେ ମୁଁ ତ ଆଉ ଟଙ୍କା ଗଛ ଲଗେଇନି ଯେ ଯେତେବେଳେ ଦରକାର ହଲେଇ ଦେଲେ ଟଙ୍କା ଗଳି ପଡିବ।ତାଛଡା ଧନତେରସ୍ ଆମ ପର୍ବ ନୁହେଁ।ଅପେକ୍ଷା କର ଆଉ କିଛି ଦିନ ଯାଉ।


      ରାତି ସାରା ତାଙ୍କୁ ନିଦ ହେଲାନି।ସକାଳ ହେଉ ହେଉ ଧନତେରାସ୍ ର ଶୁଭକାମନା ସହ ସୁନା,ରୂପା ଓ ହୀରା ଅଳଙ୍କାର କ୍ରୟ କଲେ ଲକ୍ଷ୍ମୀ ପ୍ରଶନ୍ନ ହୁଅନ୍ତି ବୋଲି ପୁଣି ମେସେଜ୍ ଆସିଲା।ପଲ୍ଲବୀ ବଡ ଚିନ୍ତାରେ ପଡିଲେ।ଏଇ ସମୟରେ ତାଙ୍କ ଘରେ କାମ କରୁଥିବା ମାଳତୀ ଆସି ପଚାରିଲା,"ମାଆ! ଏଇ ଧନତେରାସ୍ ଟା କଣ କି ?"


     ସେ ଚିଡିଉଠି କହିଲେ କହିଲେ କାହିଁ ତୁ ବି ସୁନା କିଣିବାକୁ ଯିବୁ ନାଁ କଣ ?

  

     ମାଳତୀ ବିଚାରୀ ମୁହଁ ସୁଖେଇ କହିଲା ମାଆ ସେସବୁ ଆମ ଭାଗ୍ଯରେ କାହିଁ ?ବାରଘରେ ପାଇଟି କରି ଯାହା ଆଣୁ ପେଟକୁ ନିଅଣ୍ଟ।ଆମର ଏଇ ରୋଲଗୋଲ ଗହଣା ଭଲ।କଲୋନୀର ସବୁ ମାଆମାନେ କଥା ହେଉଥିଲେ ବୋଲି ମୁଁ ପଚାରିଦେଲି।


      ମାଳତୀ ଚାଲିଗଲା ପରେ ପଲ୍ଲବୀଙ୍କ ମନକୁ ଗୋଟେ ଉପାୟ ଆସିଲା।ଆଜିକାଲି ବଜାରରେ ବିଭିନ୍ନ ଡିଜାଇନ୍ ର ଇମିଟେସନ୍ ଗହଣାସବୁ ମିଳୁଛି।ସେ ଇମିଟେସନ୍ ଗହଣା କିଣି ତାର ଫଟୋ ପଠେଇ ଦେଲେ କିଏ ବା କେମିତି ଜାଣିବ ? ସେ ଆଉ ବିଳମ୍ବ ନକରି ବଜାର ଯାଇ ଗୋଟେ ସୁନ୍ଦର ଡିଜାଇନ୍ ର ହାର କାନଫୁଲ ସେଟ୍ କିଣିଆଣି ଫଟୋ ଉଠେଇ ଗ୍ରୁପ୍ ରେ ପଠେଇ ଦେଲେ।ଯାହାହେଉ କଲୋନୀର ସାଙ୍ଗମାନଙ୍କ ପାଖରେ ଇଜ୍ଜତ ବଞ୍ଚିଗଲା।ସମସ୍ତେ ତାଙ୍କ ପସନ୍ଦର ଗହଣାକୁ ବହୁତ ପ୍ରଶଂସା କଲେ।ନକଲି ଗହଣା ହେଉ ପଛେ ତାଙ୍କ ମନ ଖୁସିରେ ପୁରିଉଠିଲା।


    ଚାରିଦିନ ପରେ ନୂତନ ସମସ୍ଯା ଦେଖାଦେଲା ଯେତେବେଳେ ସ୍ବୟଂ ଆଡମିନ୍ ମହୋଦୟା ସମସ୍ତଙ୍କୁ ମେସେଜ୍ କଲେ ଆସନ୍ତା ରବିବାର ଦିନ ସଂଧ୍ଯାବେଳେ ତାଙ୍କଘରେ ଗୋଟିଏ ଟି ପାର୍ଟିର ଆୟୋଜନ କରିଛନ୍ତି ଓ ସମସ୍ତେ ନିଜ ନିଜର ନୂଆ ଗହଣା ଲଗେଇ ସେଠିକୁ ଯିବେ।ଆଜିକାଲି ଚୋର ଭୟରେ ସୁନା ଗହଣା ପିନ୍ଧି ବାହାରକୁ ଯିବା କଷ୍ଟକର ହୋଇପଡିଲାଣି।ଯେହେତୁ କଲୋନୀ ଭିତରେ ପାର୍ଟି ତେଣୁ ଚୋର ଭୟ ନାହିଁ।ତାଛଡା ନୂଆ ଗହଣା ଲଗେଇବାର ସୁଯୋଗ ମଧ୍ଯ ସମସ୍ତଙ୍କୁ ମିଳିବ।ପଲ୍ଲବୀ କଣ କରିବେ ଚିନ୍ତାକରି ପାରିଲେ ନାହିଁ।ଇମିଟେସନ୍ ଗହଣା ଲଗେଇ ଗଲେ ସମସ୍ତେ ଜାଣିଦେବେ ଓ ସେ ଉପହାସର ପାତ୍ରୀ ହେବେ।ଏଇ ଚିନ୍ତାରେ ତାଙ୍କ ପାଟିକୁ ଦାନା ରୁଚିଲା ନାହିଁ।ଆଖିରୁ ମଧ୍ଯ ନିଦ ହଜିଗଲା।ହେ ଭଗବାନ !! ସେ କାହିଁକି ଏମିତି କରୁଥିଲେ ?ତାଙ୍କୁ କିଛି ବୁଦ୍ଧିବାଟ ଦିଶିଲା ନାହିଁ।ଉପାୟଶୂନ୍ଯ ହୋଇ ସେ ଭଗବାନଙ୍କୁ ଡାକିବାକୁ ଲାଗିଲେ।


     ଶନିବାର ଦିନ ଖରାବେଳକୁ ତାଙ୍କ ବାମଆଖି ଟିକେ ଦରଜ ହୋଇ ବିନ୍ଧିବାକୁ ଆରମ୍ଭ କଲା।ଆସ୍ତେ ଆସ୍ତେ କଷ୍ଟ ବଢିଲା।ପଟ୍ଟନାୟକ ବାବୁ ଶୁଣି ବିରକ୍ତହୋଇ କହିଲେ ସବୁବେଳେ ମୋବାଇଲ୍ ଦେଖିଲେ ଆଖିରେ ପ୍ରେସର ପଡି ଏମିତି ହେବ।ସକାଳୁ ଉଠିଲା ବେଳକୁ ସେ ଆଖି ଖୋଲି ପାରିଲେ ନାହିଁ।ଆଖି ଲାଲ୍ ହୋଇ ଫୁଲିକି ଓହଳି ପଡିଲା ଓ ଅନବରତ ପାଣି ଗଡିବାକୁ ଲାଗିଲା।ସେ ତୁରନ୍ତ ଡାକ୍ତର ପାଖକୁ ଗଲେ।ଡାକ୍ତର ବିଭିନ୍ନ ପରୀକ୍ଷା ନିରିକ୍ଷା କରି କହିଲେ ଆପଣଙ୍କ ଆଖିରେ ଆଲୁଅ ଉଠିଥିଲା।ସେଇଟା ସଂକ୍ରମିତ ହୋଇ ଏପରି ହୋଇଛି।ମୁଁ ଔଷଧ ଲେଖିଦେଉଛି,ଭଲ ହୋଇଯିବ।କିନ୍ତୁ ଧୂଳି,ଧୂଆଁ ଓ ଖରାକୁ ଜଗିବେ।


     ଗେଟ୍ ଖୋଲୁ ଖୋଲୁ ଝିଅ କହିଲା,"ମମି ! ଆଖି କଣ ହୋଇଚି।ଡାକ୍ତର କଣ କହିଲେ ?"


     ସେ କହିଲେ,"ବ୍ଯସ୍ତ ହେବାର କିଛି ନାହିଁ, ଆଲୁଅ ଉଠିଛି।ଡାକ୍ତର ଔଷଧ ଦେଇଛନ୍ତି ଦୁଇ ତିନିଦିନ ଭିତରେ ଭଲ ହେଇଯିବ।" ମନେ ମନେ କିନ୍ତୁ ଖୁସିହେଲେ ଯାହାହେଉ ତାଙ୍କୁ ନଯିବାକୁ ବାହାନା ମିଳିଗଲା।ନିଜେ କଷ୍ଟ ପାଆନ୍ତୁ,ଡାକ୍ତର ଦେଖାରେ ଓ ଔଷଧ କିଣାରେ କିଛି ପଇସା ପଛେ ଖର୍ଚ୍ଚ ହେଉ,ସେ ଆସନ୍ନ ଅପମାନରୁ ରକ୍ଷା ପାଇଗଲେ।


     ଏତିକି ବେଳକୁ ପୁଅ କହି ଉଠିଲା, ମମି ! ତମେ କଣ ମିଛକଥା କହିଥିଲ କି ?ଜେଜେମା କହୁଥିଲେ ମିଛ କହିଲେ କୁଆଡେ ଆଖିରେ ଏମିତି ଆଲୁଅ ଉଠେ।"


    ପୁଅ କଥା ଶୁଣି ତାଙ୍କୁ ଲାଗିଲା କିଏ ଯେମିତି ତାଙ୍କ ଗାଲରେ ଶକ୍ତ ଚଟକଣିଟିଏ ଦେଲା। ସେ ଗାଲ ଆଁଉଶି ଘର ଭିତରକୁ ପଶିଗଲେ।


Rate this content
Log in