Priyaranjan Biswal

Abstract Comedy Drama

3  

Priyaranjan Biswal

Abstract Comedy Drama

କରୋନାର ଭୟ

କରୋନାର ଭୟ

4 mins
12.1K



   ବର୍ତ୍ତମାନ ସମଗ୍ର ବିଶ୍ୱ ଏମିତି ଗୋଟିଏ ଅଦୃଶ୍ଯ ଶତୃ ବିରୋଧରେ ଲଢେଇ କରୁଛି, ଯାହା ବିଭିନ୍ନ ଉପାୟରେ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସେହି ଅଦୃଶ୍ଯ ଶତୃ ଆଉ କେହି ନୁହେଁ, ସେ ହେଉଛି ଏକ ଭୂତାଣୁ, ଯାହାର ନାମ କରୋନା। ସବୁଠାରୁ ବଡ ବିଡମ୍ବନାର ବିଷୟ ହେଉଛି ନିଜ ବିଜ୍ଞାନ, ପ୍ରଯୁକ୍ତିବିଦ୍ଯା ଓ ଜ୍ଞାନକୌଶଳକୁ ନେଇ ଗର୍ବ କରୁଥିବା ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଆଜି ଏହି ଭୂତାଣୁ ଆଗରେ ଅସହାୟ ହୋଇ ପଡିଛି, କାରଣ ନିଜର ସମସ୍ତ‌ ଜ୍ଞାନକୁ ବ୍ଯବହାର କରି ଆଜି ପର୍ଯ୍ଯନ୍ତ ସେହି ଭୂତାଣୁର ନିରାକରଣ କରିବା ପାଇଁ କୌଣସି ଉପାୟ ବାହାର କରିବାରେ ଅସମର୍ଥ ହୋଇପଡିଛି ସମଗ୍ର ମାନବ ସମାଜ। ତେବେ ଦିନକୁ ଦିନ କରୋନା ଭୂତାଣୁ କିନ୍ତୁ ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗି ପଡିଛି। ଲକ୍ଷ ଲକ୍ଷ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ସହ ପ୍ରାଣ ମଧ୍ଯ ହରାଇ ଚାଲିଛନ୍ତି। ତେବେ ମଣିଷ ଜାତିତ ଏତେ ସହଜରେ କାହା ଆଗରେ କେବେ ହାର୍ ମାନେନି, ତେଣୁ ନିଜର ବୁଦ୍ଧି ବଳରେ ସେ ଏପର୍ଯ୍ଯନ୍ତ ଲଢେଇ କରି ଚାଲିଛି ତାର ଏଇ ଅଦୃଶ୍ଯ ଶତୃ କରୋନା ଭୂତାଣୁ ସହ। ତେବେ ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସମଗ୍ର ବିଶ୍ୱର ଗୁରୁ ଭାବେ ଆମ ଦେଶ ଭାରତ ଦଣ୍ଡାୟମାନ ହୋଇ ଅଛି। ତେବେ ଆମ ଦେଶ ଭାରତର ସମସ୍ତ ରାଜ୍ଯ ମଧ୍ଯ ନିଜ ନିଜ ଅନୁସାରେ କରୋନା ଭୂତାଣୁର ମୁକାବିଲା କରିବାରେ ଲାଗିପଡିଛନ୍ତି। କିନ୍ତୁ କରୋନା ମୁକାବିଲା କ୍ଷେତ୍ରରେ ଆମ ରାଜ୍ଯ ଓଡିଶା ଯେଉଁଭଳି ପଦକ୍ଷେପ ଗ୍ରହଣ କରିଛି ଏବଂ ଏବେ ମଧ୍ଯ କରୁଛି ତାହା ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିବାରେ ସମର୍ଥ ହୋଇଛି।


      କରୋନାର ସଫଳ ମୁକାବିଲା ପାଇଁ ଓଡିଶା ସରକାର ପ୍ରତି ପଞ୍ଚାୟତରେ ବିଦ୍ଯାଳୟ ଓ ମହାବିଦ୍ଯାଳୟ ମାନଙ୍କରେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି। ଏହି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡିଆ, କରୋନା ଭୂତାଣୁ ସଂକ୍ରମିତ ହୋଇଥିବାର ସନ୍ଦେହରେ ଥିବା ବ୍ଯକ୍ତିମାନଙ୍କର ରହିବା, ଖାଇବା ଓ ଚିକିତ୍ସାର ବ୍ଯବସ୍ଥା କରାଯାଇଛି। ଏହି କ୍ରମରେ ମୋ ବଳରାମପୁର ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ର ମୋ ଗାଁ ବଳରାମପୁର ଗ୍ରାମର, ବଳରାମପୁର ଉଚ୍ଚ ବିଦ୍ଯାଳୟରେ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଅନେକ ବ୍ଯକ୍ତି ମଧ୍ଯ ରହିଛନ୍ତି। 


    ତେବେ ଦିନେ ସେହି ସଙ୍ଗରୋଧ କେନ୍ଦ୍ର ପାର୍ଶ୍ୱବର୍ତ୍ତୀ ରାସ୍ତାରେ ମୋର କିଛି ବ୍ଯକ୍ତିଗତ କାର୍ଯ୍ଯ ସମ୍ପାଦନ ନିମନ୍ତେ ଚାଲିଚାଲି ଯାଉଥିବା ସମୟରେ ହଠାତ୍ କିଛି ପ୍ରବାସୀ ଓଡିଆଙ୍କୁ ନେଇ ଏକ ବସ ସେହି ସଙ୍ଗରୋଧ କେନ୍ଦ୍ରକୁ ଆସୁଥିବା ସମୟରେ, ସଙ୍ଗରୋଧ କେନ୍ଦ୍ର ଠାରୁ ଅନତୀ ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଗଲା। ମାତ୍ର କରୋନା ଭୟରେ କେହି ଜଣେ ବି ସେଠାକୁ ସାହାଯ୍ଯ କରିବାକୁ ଆସିଲେ ନାହିଁ। ପ୍ରଥମେ ମୁଁ ବି ମୋ ବାଟରେ ଆଗକୁ ଯିବାକୁ ନିଷ୍ପତି ନେବା ପରେ, ହଠାତ ମୋ ବିବେକ ମତେ ବାଧା ଦେଲା। ଆଉ ମାନବିକତା ଦୃଷ୍ଟିକୋଣରୁ ମୁଁ ଯାଇ ସେହି ବସର ଯାତ୍ରୀ ମାନଙ୍କୁ ସାହାଯ୍ଯ କରି ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚାଇବାର କାର୍ଯ୍ଯ କଲି। ସବୁ ଠିକଠାକ୍ ସରିବା ପରେ ମୁଁ ଜାଣିବାକୁ ପାଇଲି ଉକ୍ତ ବସରେ ସୁରତରୁ କିଛି ପ୍ରବାସୀ ଏହି ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଆସିଥିଲେ। ଏହା ଶୁଣିବା ପରେ ଏକ ଅଜଣା ଭୟ ମୋ ହୃଦୟକୁ ଅସ୍ଥିର କରିବାକୁ ଆରମ୍ଭ କରିଦେଲା। କାରଣ ଏବେ ଅଧିକାଂଶ ସୁରତ ଫେରନ୍ତା ପ୍ରବାସୀ ଓଡିଆଙ୍କ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମିତ ଥିବା ଦେଖିବାକୁ ମିଳୁଛି। ଏହି କଥା ମୋ ମନରେ ଅନେକ ପ୍ରଶ୍ନ ଠିଆ କଲା। ମତେ ଅସଂଖ୍ଯ ରାସ୍ତା ଯାଇଥିବା ଏକ ଏମିତି ଛକରେ ଠିଆ କରାଇ ଦେଲା ଯେ କୌଣସି ଗୋଟିଏ ସଠିକ୍ ରାସ୍ତା ବାଛିବା ମୋ ପାଇଁ କାଠିକର ପାଠ ହୋଇଗଲା। ମତେ ଲାଗିଲା ଯେମିତି ମୁଁ କୌଣସି ଚୋରା ବାଲିରେ ଫସି ଯାଇଛିେଉଁଠି ଅଳ୍ପ ସମୟ ମଧ୍ଯରେ ସେ ଚୋରାବାଲି ରୂପୀ ଦାନବ ମତେ ସମ୍ପୂର୍ଣ୍ଣ ଗ୍ରାସ କରିନେବ। ପୁଣି କେତେବେଳେ ଅନୁଭୂତ ହେଉଥିଲା ଯେମିତି ମୁଁ ଏକ ବିରାଟବଡ ବୁଢିଆଣୀ ଜାଲରେ ଫସିଯାଇଛି, ଆଉ ସେଠାରୁ ଉଦ୍ଧାର କରିବାକୁ ମୋ ଆଖପାଖରେ କେହି ମଧ୍ଯ ନାହାଁନ୍ତି। ବୁଢୀଆଣୀ ମୋ ଶରୀରର ଅନେକ ସ୍ଥାନରେ ଧିରେଧିରେ କ୍ଷତ କରି ମତେ ଖିନଭିନ୍ କରି ଧିରେଧିରେ ନିଜର ଖାଦ୍ଯରୂପେ ଖାଇଚାଲିଛି ଆଉ ମୋ ଆତ୍ମା ଏହି କଷ୍ଟକୁ ସହ୍ଯ ନକରିପାରି ଇଶ୍ୱରଙ୍କ ନିକଟରେ ମୃତ୍ଯୁର ଭିକ୍ଷା ମାଗୁଥାଏ।


    ଏମିତି ଅନେକ ଦୁଃଶ୍ଚିନ୍ତା ମଧ୍ଯରେ ମୁଁ ନିଜ ଘରକୁ ଫେରିବାକୁ ଆରମ୍ଭ କଲି।


   ମୁଁ ଘରେ ଆସି ପହଞ୍ଚିଗଲି, ମାତ୍ର ମୋର ଦୁଃର୍ଭାଗ୍ଯ ମୁଁ ଘରେ ପହଞ୍ଚିବା ବେଳକୁ ଘରେ କେହି ନଥାନ୍ତି। ସମସ୍ତେ ବୋଧେ ନିଜ କାମରେ ବ୍ଯସ୍ତ ଥାଆନ୍ତି ଓ ଘରୁ ବାହାରକୁ ଯାଇଥାନ୍ତି। ବାହାରେ ବହୁତ ସମୟ ଅପେକ୍ଷା କରିବା ପରେ କେହି ନଆସିବାରୁ ବାଧ୍ଯହୋଇ ଘର ଭିତରକୁ ପ୍ରବେଶ କଲି। ନିଜର ପୋଷାକ ଆଣି ବଦଳାଇବା ପାଇଁ। କବାଟ ଖୋଲି ଘରକୁ ଯିବା ପରେ ଦେଖିଲି ଥାକରେ ଏକ ନୂଆ ସାନିଟାଇଜର୍ ଥୁଆ ହୋଇଛି। ତେଣୁ ସେଇଥିରେ ହାତକୁ ସାନିଟାଇଜର କରିବା ପରେ ଟାୱେଲ୍ ଧରି ଗାଧୋଇବାକୁ ବାହାରିଲି। କିନ୍ତୁ ଘରର ଯେଉଁ କବାଟ ମୁଁ ଖୋଲିଥିଲି ସେଇଟା ଆପେ ଆପେ ବନ୍ଦ ହୋଇଯାଇଥାଏ। ତାକୁ ହାତରେ ଧରି ଖୋଲିଥିଲି, ଏବେ ସାନିଟାଇଜରରେ ହାତ ଧୋଇ ପୁଣି ସେ କବାଟକୁ ଛୁଇଲେ ବାର ବର୍ଷର ତପସ୍ଯା ଶୁଖୁଆ ଝୋଳରେ ଚାଲିଯିବ। ତେବେ କେମିତି ଖୋଲିବି କବାଟ? ଟିକିଏ ଚିନ୍ତା କରିବା ପରେଭାବିଲି ସାନିଟାଇଜରଟା ନେଇଆସେ, କବାଟ ଖୋଲିବା ପରେ ନିଜ ହାତ ସହ କବାଟକୁ ବି ସାନିଟାଇଜ କରିଦେବି। ଠିକ୍ ଏହି ସମୟରେ ବାହାର ପାଖରୁ କେହିଜଣେ କବାଟଟିକୁ ଯୋର୍ ରେ ଧକ୍କା ଦେବାରୁ କବାଟଟି ସିଧା ମୋ ମୁଁହଁରେ ଢୋ କରି ପିଟି ହେଲା, ଆଉ ସେହିଠାରେ ହିଁ ମୁଁ ଯନ୍ତ୍ରଣାର ସହ ଟଳିପଡିଲି। ଆଉ ବଡ ଜୋର୍ ରେ ଚିତ୍କାର କରିବାକୁ ଲାଗିଲି। ମୋ ଚିତ୍କାର ଶୁଣି ଆମ ଘର ଲୋକ ସବୁ ଦୌଡି ଆସିଲେ। ବୋଉ ପଚାରିଲା କଣ ହେଲା? ମୁଁ ଉଠିବା ପରେ ଜାଣିବାକୁ ପାଇଲି ଯେ ମୁଁ ଘରେ ଶୋଇ ଏସବୁ ସ୍ୱପ୍ନ ଦେଖୁଥିଲି। କବାଟ ମୋ ମୁଁହଁରେ ବାଜି ନଥିଲା, ବରଂ ମୋ ବଡ ଭାଇଙ୍କ ସାଢେ ତିନିବର୍ଷର ପୁଅ ଗୁଡୁଲ୍ ନିଜର କ୍ରିକେଟ୍ ବ୍ଯାଟ୍ ରେ ମୋ ମୁଁହଁକୁ ଦେଇଥିଲା ଏକ ନିର୍ଘାତ ପ୍ରହାର। 


    ମୋର ସ୍ୱପ୍ନ ସିନା ଭାଙ୍ଗିଗଲା କିନ୍ତୁ ଏହି ସ୍ୱପ୍ନ ମତେ ଅନେକ କଥା ଚିନ୍ତା କରିବାକୁ ବାଧ୍ଯ କରିବା ସହ ନିଜକୁ ଭଲରୂପେ ତର୍ଜମା କରିବାର ଏକ ବିରାଟ ଖୋରାକ ଯୋଗାଇଲା। ତେବେ ଯଦି ବାସ୍ତବରେ ଆପଣଙ୍କ ଆଖି ସାମ୍ନାରେ ଯଦି କେହି ପ୍ରବାସୀ ଓଡିଆ, ଶ୍ରମିକ, ଅବା କରୋନା ସନ୍ଦିଗ୍ଧ ଅସୁବିଧାରେ ପଡିଥିବାର ଆପଣ ଦେଖନ୍ତି ତେବେ ଆପଣମାନେ କଣ କରିବେ? ମତାମତ ନିଶ୍ଚିତ ଦେବେ। ଆପଣମାନଙ୍କ ମତାମତ ଅପେକ୍ଷାରେ, ରହୁଛି ନମସ୍କାର।




Rate this content
Log in

Similar oriya story from Abstract