Satyabati Swain

Classics

2  

Satyabati Swain

Classics

କୋମଳ ଜିଜ୍ଞାସା

କୋମଳ ଜିଜ୍ଞାସା

4 mins
465


ମା ତା ପୁଅକୁ ଅପେକ୍ଷା କୃତ ଟିକେ ଅଧିକ ଭଲ ପାଏ। ସେଇ ପାଇଁ ତ କଥା କଥାକେ 'ବାବୁ' ଭାଇ ନାଁ ଧଇଲେ କି ତା କଥା ପଡିଲେ ମା ଆଖି ଏରୁଣ୍ଡି ଡେଇଁ ଲୁଣିଆ ପାଣି ଗୁଡା ଉବୁଟୁବୁ ହୁଅନ୍ତି। ସବୁରି ଅଲକ୍ଷେ ମା ଲୁଣା ପାଣି ଗୁଡା ପିଇଯାଏ,ନଲେ ପଣତ ଶୋଷିନିଏ। କିନ୍ତୁ ଲୁଣା ଜୁଆର ଆସିବା ଥୟ।


ଲାଗ ଲାଗ ତିନିଟି ପୁଅ ମରିବା ପରେ ବାବୁ ଭାଇ ଜନ୍ମ। ସେ ସଭିଙ୍କ ଆଖିର ଆଖି। ନାଁ ଦିଆଗଲା ହୃଦୟ। ଡାକିଲେ ବାବୁ। ସତେକି ମାର ସେ ପୁଅ ନୁହେଁ ତା ବାଁ ପଟ ଧକ୍ ଧକ୍। ମା ବାବୁ ଭାଇକୁ ହୃଦୟରେ ଜାକି କି ସୁଖ ସାଗରରେ ଡୁବେ କେଜାଣି ତା ଖୁସିରେ ମା କାନ୍ଦେ,ତା ଦୁଃଖରେ ବି। ମୁଁ ବୁଝି ପାରେନି ଏ ନିର୍ବୋଧ ଲୁହ ବୋହିବାର କାରଣ। ଖୁସିରେ ଝରୁଛି ପୁଣି ଦୁଃଖରେ ବି। ମୋତେ କିନ୍ତୁ ଏମିତି କାନ୍ଦି ଆସେନି। ମା କୁହେ ତୁ ବୁଝି ପାରିବୁ ନାହିଁ ବବି ମା ମନ। ତୋର ବୟସ ହେଲେ ଆପେ ଜାଣିବୁ। ଖାସ୍ କରି ତୁ ଯେବେ ମା ହେବୁ।


ମୁଁ ଜିଗର କରେ ମା ମୁଁ ମା ହେବି। ମୋତେ ମା କରିଦେ। ଘରେ ସମସ୍ତେ ହସି ହସି ଗଡି ଯାଆନ୍ତି। ମେଞ୍ଚେଡି ଗାଣ୍ଡିରୁ ଗୁହ ଛାଡିନି ମା ହେବ....ମା ହେବା ଏତେ ସହଜ ନୁହେଁ ଲୋ ବବି। ମା ହେଲେ ଖାଲି କଷ୍ଟ ଭୋଗିବୁ।


କଷ୍ଟ ସେଇଟା ପୁଣି କଣ

ଏତେ ତୁରୁ ତୁରୁ କିଆଁ ଲୋ ବବି ପାଞ୍ଚ ବର୍ଷ ହେଲାଣି,ଝିଅ ଗୁଡା ଅସୁରୁଣୀ ପରା। ଏଇ ହୁ ହୁ ବଢିଯିବୁ। ସବୁ ବୁଝିବୁ। ଏତେ ବ୍ୟସ୍ତ କାଇଁ


କେତେବେଳେ ବଡ଼ ହେବି। ମା ଶାଢ଼ୀ ଆଣି ଗୁଡେଇ ହୁଏ,ତା ଚୁଡି ପିନ୍ଧେ,ଟିକିଲି ଲଗାଇ କୁହେ ହେଇ ଦେଖ ମୁଁ ବଡ଼ ହୋଇଗଲି। ହେ ହେ....


ଜେଜିମା ମୋ ଗାଲ ଚିପି ଦେଇ କୁହେ,ସୁନ୍ଦରୀ ତାରାଟେ ହୋଇଛି ଏ ଟୋକି ଟି। ବଡ଼ ହେଲେ କେତେଙ୍କର ନିଦ ହଜେଇବୁ ଲୋ ବବି।


ଛାଡ଼.....ମୁଁ ଟାଣି ଓଟାରି ହୁଏ। ଜେଜିମା ମୋତେ କୋଳରେ ପୁରାଇ ଥୁ ଥୁ କରି ତିନିଥର ଛିପ ମୋ ଦେହରେ ପକାଇ କୁହେ " କୁହନ୍ତି ପରା ନିଜ ମା ଡାହାଣୀ ଦେଖୁନ ମୋ ଆଖି ଆଗ ଫୁଟି ଯାଉଛି"।

ମୋ ସୁନା ଟା ରାଣୀ ପରି। ଦେହ ମୁଣ୍ଡ ତୋର ନୀରୋଗ ରହୁ ଲୋ ଗେଲ୍ଲୀ। ମୋ ଗାଲରେ ଚୁମା ଦେଇଦିଏ। ମୋତେ ତା ଲାଲ ଭଲ ଲାଗେ ନାହିଁ। ପୋଛି ପକାଏ।


ପୁଣି ଖୋଜେ ନୀରୋଗ। ଏଇ ପିଲା ବୟସ ଟା ସବୁ କଥା ଜାଣିବାକୁ,ବୁଝିବାକୁ ଏତେ ତତ୍ପର କଣ ପାଇଁ ଯେ। ସବୁବେଳେ କଣ,କାହିଁକି,କେମିତି ପ୍ରଶ୍ନ ନେଇ ବ୍ୟସ୍ତ ନିଜେ ହେବା ସହ ଅନ୍ୟକୁ ହଗେଇ,ମୁତେଇ ଦିଏ। ବିସ୍ମୟରେ ବଡ଼ ବଡ଼ ହୋଇଯାଏ ଆଖି।


ବାବୁ ଭାଇ ଘରେ ନାହିଁ। ସେଇଥିପାଇଁ ମା ମନ ଭଲ ବି ନାହିଁ। ପାଞ୍ଚ ମାସ ହେବ ବାବୁ ଭାଇ ଘରୁ ଦୁରେ। ତା ପାଖେ ବାପା ଅଛନ୍ତି। ମା,ଜେଜିମା ଓ ମୁଁ ଘରେ। ଭାଇକୁ ଛାଡି ମା ଗାଁରେ ରହିବାକୁ ବାଧ୍ୟ। ଆଶା କର୍ମୀ ମା। ତାର ସେଇ ସ୍ୱଳ୍ପ ରୋଜଗାର ହିଁ ଆମ ବଞ୍ଚିବାର ଏକମାତ୍ର ସମ୍ବଳ। ବାପା ମଜୁରୀ ଲାଗନ୍ତି। କିନ୍ତୁ ସେ ଏବେ ବାବୁ ଭାଇ ପାଖେ,ଦିଲ୍ଲୀରେ। ମା ମାସେ ଛୁଟି ନେଇ ତା ପାଖେ ଥିଲା। ଛୋଟ ମୋଟ ଚାକିରିଆଙ୍କ ଜୀବନ ଭାରି ଦୁଃସହ। ସଭିଙ୍କ ନାତ ସହିବାକୁ ବାଧ୍ୟ। ବାପା ଭାଇ ପାଖେ ରହିଲେ,ମା ଘରକୁ ଆସିଲା।


ଆମର ଗୋଟିଏ ଫୋନ୍ ;ସେଇଟା ପୁଣି ବାପାଙ୍କ ପାଖେ। ଦାଦାଙ୍କ ଘର ଫୋନ୍ ରେ ମା ଭଲ ମନ୍ଦ ବୁଝେ,ବାପାଙ୍କ ସହ କଥା ହୁଏ। ଭାଇ କଥା ପଚାରେ।

ଆମେ ଲୁଣ ଭାତ ଖାଇ ଯାହା ଯେମିତି ପଇସା ପତ୍ର ଯୋଗାଡ଼ କରି ଦିଲ୍ଲୀ ପଠାଉ ବାପାଙ୍କ ପାଖକୁ। ବହୁତ କଷ୍ଟରେ ଆମେ ଚଳୁ। ସବୁ ଦିନ ଆଳୁ ଚକଟା ଭାତ ଖାଇ ଖାଇ ମୋତେ ଚିଟା ଲାଗେ।


 ବାବୁ ଭାଇ ପାଇଁ ସମସ୍ତେ ବ୍ୟସ୍ତ। ଛୁଆଟା,କିନ୍ତୁ


କିନ୍ତୁ କଣ ଯାହାକୁ ପଚାରିଲେ ବି କୁହନ୍ତି ତୁ ଯା ଖେଳିବୁ। ମା କିନ୍ତୁ ସବୁବେଳେ କାନ୍ଦେ। ଭାରି ଇଚ୍ଛା ତାର ଫୋନ୍ ଟିଏ ହୁଅନ୍ତା କି ବାବୁ ଭାଇକୁ ସବୁବେଳେ ଦେଖନ୍ତା,ଯେମିତି ଦାଦା ଦିନେ ଦିନେ ଡାକି ଦେଖାନ୍ତି ମୋ ଜେଜିମା,ମା ଓ ମୋତେ।


ଖାଇବାକୁ ତ ପଇସା ନାହିଁ ବଡ଼ ଫୋନ୍ ଟିଏ କେଉଁଠୁ ଆସିବ?ମୋ ବାବୁ ଭାଇ ନାହିଁ ବୋଲି ମୋତେ ବି ଭଲ ଲାଗୁନି। ମା ପାଖେ କିଏ ଶୋଇବ,ମା କାହା ଆଡକୁ ମୁହଁ କରିବ,ଅଣ୍ଡା କିଏ ଗୋଟେ ଖାଇବ,କାହା ପାଇଁ ନୂଆ ଖାତା ଆସିବାର କଳି ଗୋଳ ଆଉ ଆମ ଘରେ ହେଉ ନାହିଁ। ମାମୁଁ କହିଛନ୍ତି ଏଇ ନୂଆ ବର୍ଷରେ ମାକୁ ଗୋଟେ ଫୋନ୍ ଦେବେ। ମା ଦିନ ଗଣୁଛି। ନୂଆ ବର୍ଷ ଏ ଥର ଯେମିତି ଡେରି କରି ଆସୁଛି,ଲାଗୁଛି ମାକୁ।


ଅପେକ୍ଷା ,ଘଣ୍ଟା ଧୀରେ ଚାଲୁଛି ଭାବେ। ଦିନ ଓ ରାତି ବଡ଼ ହୋଇ ଯାଏ ତା ସହ ମାସକ ତିରିଶି ଦିନ ପରିବର୍ତ୍ତେ ତିନିଶହ ଦିନ ଲାଗେ,ଅପେକ୍ଷା ଯଦି ଥାଏ କେଉଁ ମଣିଷ ହେଉ କିବା ଫୋନ୍ କୁ। ମୋତେ ବି ସେମିତି ଲାଗେ ମାମୁଁ ଆସିବା କହିଥିବା ଦିନ ବହୁତ ବଡ଼ ହୋଇଯାଏ ମୋ ପାଇଁ। ବାରମ୍ବାର ଦାଣ୍ଡ ଦୁଆର ମୁହଁକୁ ଯାଇ ଅନାଏ ମାମୁଁ ଆସିଲେଣି କି ନାହିଁ। ମାମୁଁ ନୁହେଁ ସତେକି ଖୁସିର ପସରା ଆସେ। ସମସ୍ତଙ୍କ ପାଇଁ କିଛି ନା କିଛି ଆଣିଥାନ୍ତି। ବେଶୀ କରି ପନି ପରିବା,ବିସ୍କୁଟ,ମିକଶ୍ଚର୍,ଡାଲି,ପାମ୍ପଡ଼ ଆଣିଥାନ୍ତି।

କିଛିଦିନ ଭଲ ଖାଇବା ହୁଏ ମାମୁଁ ଆସିଲେ ଆମ ଘରକୁ।


ମା ଏଥରକ ମୋ ପରି ହେଉଛି। ମୋତେ ପଚାରୁଛି ଦିନରେ ହଜାର ଥର ଆଜି କେତେ ତାରିଖ ବବି। ମାମୁଁ ବା ବଡ଼ଦିନ,ପଚିଶି ତାରିଖରେ ଆସିବେ। ମା ଠିକ୍ ଜାଣେ କେଉଁ ଦିନ କେଉଁ ତାରିଖ। କିନ୍ତୁ ମୋତେ ପଚାରେ କାଳେ ସେ ଭୁଲ୍ ଜାଣିଥିବ। କାଳେ ଡିସେମ୍ବର ପଚିଶି ଆସିବା ଆଉ ଅଳ୍ପ ଦିନ ଥିବ।


ମାର ଦୁଃଖ ମୁଁ ଦେଖି ପାରେନି। କାଶ୍ ମୁଁ ବଡ଼ ହୋଇଯାଆନ୍ତି। ମାକୁ ଗୋଟେ ଆଗ ବଡ଼ ଫୋନ୍ ଦିଅନ୍ତି। ମୁଁ କେବେ ବଡ଼ ହେବି କି ଚୁପ୍ କରି ପଚାରେ ଠାକୁରଙ୍କୁ। ସେ କିନ୍ତୁ କିଛି କହନ୍ତି ନାହିଁ ସେ ଠାକୁର ଟା ସବୁବେଳେ ଚୁପ୍। ଅଥଚ ମା ଘଣ୍ଟା ଘଣ୍ଟା କଣ ସବୁ ଗପେ କେଜାଣି। କେବଳ ମା ନୁହେଁ ସବୁ ଲୋକ ଠାକୁରଙ୍କ ସଂଗେ କଥା ହୁଅନ୍ତି। ମୁଁ ବି ହୁଏ ସେ କିଛି କୁହନ୍ତି ନାହିଁ ବୋଧେ ମୋତେ ସାନ ଭାବି। ମୁଁ ବଡ଼ ହୋଇଗଲେ ସେ ବି ମୋ ସହ କଥା ହେବେ।


ଯଦି ସବୁ କଥା ବଡ଼ ହେଲେ ହେବ,ସିଧା ସଳଖ ଆମେ ବଡ଼ ହୋଇ ଜନ୍ମ ହେଉ ନାହିଁ କାହିଁକି। ଆଉ ଚିନ୍ତା ହୁଆନ୍ତି ନି ବଡ଼ ହେବାର। କିନ୍ତୁ ମୋ ଅନୁସାରେ କିଛି ହୁଏନି। ସେଇ ସବୁ ହୁଏ ଯାହା ହେବାର ଥାଏ।


ମାମୁଁ ବଡ଼ଦିନରେ ଆସିଲେ। ଗୋଡେ ବଡ଼ ଫୋନ୍ ଆଣିଥିଲେ। ଓଃ ମା ଫୋନ୍ ଟି ଧରି ଛାତିରେ ଲଗାଇଲା। କି ଖୁସି ମାମୁଁ ଶିଖାଇ ଦେଲେ କେମିତି ଡୁ ଓ କଲ୍ କରିହେବ। ଆମେ ଓହଳି ପଡ଼ିଲୁ ଯେମିତି ଫୋନ୍ ରେ। ମା ଦେଖିବା ସହ କଥା ହେଲା ବାବୁ ଭାଇ ସହ। ମୋ ସହ ବି କଥା ହେଲା ବାବୁ ଭାଇ। ଭାରି ଖୁସିଥିଲା। ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହେଲି ବାବୁ ଭାଇକୁ ଦେଖି। ତା ମୁଣ୍ଡରେ ପଟି!!!


ହେ ଭାଇ!ତୁ ସେଠୀ ବି କ୍ରିକେଟ ଖେଳୁଛି କି ତୋ ମୁଣ୍ଡରେ କଣ ପଟି!!!


ହୁଣ୍ଡି ମୋ ମୁଣ୍ଡ ବା ଅପେରେସନ୍ ହୋଇଛି....


ଅପେରେସନ୍

ହଁ କଟା ହୋଇଛି। ମୁଣ୍ଡ ଭିତରେ କାନ ଉପରକୁ ହାଡ଼ରେ ହାଡ଼ ଭାଜି ମୋତେ ଵେହୋସ କରୁଥିଲା। ସେଇଟା କାଟି ଦିଆ ଯାଇଛି।


ଆଁ

ତୁ କେବେ ଆସିବୁ ଭାଇ???


ଭଲ ହୋଇଗଲେ ଯିବି।


କେବେ ଭଲ ହେବୁ ମୋତେ ଏକା ଭଲ ଲାଗୁନି। ତୁ ଶୀଘ୍ର ଆସିବୁ,ଆଁ ମୁଁ କହିଲି।


ଭାଇ ମୁଣ୍ଡ ଟୁଙ୍ଗାରୀ କହିଲା ହଁ।


ଆମ ଭାଇ ଭଉଣୀଙ୍କ କଥା ଶୁଣି ମା ମୋତେ ତା କୋଳରେ ପୁରେଇ ଭୋ ଭୋ କାନ୍ଦୁଥିଲା।


ଫୋନ୍ ନଥିଲା କାନ୍ଦୁଥିଲା। ଫୋନ୍ ହେଲା କାନ୍ଦିଲା। ମା ଯେ ଭାଇ ପାଇଁ କାନ୍ଦୁଛି ଏଇଟି ସାନ ହେଲେ ବି ମୁଁ ବୁଝି ପାରୁଥିଲି।


ଚୁପ୍ କି ଠାକୁରଙ୍କୁ ଯାଇ ପଚାରିଲି ମୋ ଭାଇ ମୁଣ୍ଡରେ ହାଡ କିଏ ବଢ଼େଇଲା


Rate this content
Log in

Similar oriya story from Classics