Sambit Srikumar

Classics Inspirational

4.3  

Sambit Srikumar

Classics Inspirational

କୋଡ଼ିଏ ଗୁଣ୍ଠିଆ

କୋଡ଼ିଏ ଗୁଣ୍ଠିଆ

3 mins
167



ଚାଷୀବନ୍ଦୀ ଘର ଆମର। ଘରୁଆ ଘର। ଜମି, ହଳ, ଲଙ୍ଗଳ, ବଳଦ, ମହୀ, ବିହନ, ଖତ, ସାର, ଦା, ଦାଇଲି, କୋଡ଼ି, କୋଦାଳରେ କାରବାର। ଧାନ, ପାନ, ମୀନ ସହିତ ବିଭିନ୍ନ ରକମର ପନିପରିବା ଓ ଅର୍ଥକାରୀ ଫସଲ ଚାଷ କରାଯାଏ ଆମର। କଥାରେ ନାହିଁ, "ଚାଷ ଅଛି ଯାହାର, କି ଆନନ୍ଦ ତାହାର!" ଦେବୀନଦୀର ଧୋୟା ଅଞ୍ଚଳରେ ଆମର ଘର। କେବେ ବନ୍ୟା କେବେ ମରୁଡି ସାଥିରେ ଆମର ଲଢ଼େଇ ଚାଲିଛି ଲଗାତାର। ଯେମିତି ଜମି ସହ ହଳ ଲଙ୍ଗଳର ଲଢ଼େଇ ଚାଲିଛି ଅନବରତ। ଏମିତି ଲଢ଼ି ଲଢ଼ି ଜୀଇଁବା ହିଁ ସାର୍ଥକ ଜୀବନ!

ଠାକୁରାଣୀ ପଡିଆ ପାଖରେ ଥିବା ସେ ଜମି ଖଣ୍ଡିକ ଜେଜେଙ୍କର ଅତି ପ୍ରିୟ ଥିଲା। ଜମିଟି ଏବେ ବି ଅଛି ଆଉ ଥିବ ବି ସେମିତି କିନ୍ତୁ ଜେଜେ ଆଉ ନାହାଁନ୍ତି ଏଇ ଇହଧାମରେ। ପରପାରିକୁ ଚାଲିଗଲେଣି ଏଇ କିଛି ବର୍ଷ ହେଲା। ଜମିଟିର ନାଁ କୋଡ଼ିଏ ଗୁଣ୍ଠିଆ କେମିତି ହେଲା କାହାକୁ ବି ଜଣା ନାହିଁ। ମାପରେ ଚାରି ପାଞ୍ଚ ଗୁଣ୍ଠ ଖଣ୍ଡେ ହେବ ବୋଧେ। ଦୋରସା ଦୋଫସଲି ଢିପ ଜମିଟା। ଶାରଦ ଧାନ ଆଉ ବାଦାମ ଚାଷ ହୁଏ ମୁଖ୍ୟତଃ ଏଥିରେ।


ପିଲାଦିନେ ଆମେ ଦୁଷ୍ଟାମି କଲେ ଜେଜେ କହୁଥିଲେ, "ଚାଲ୍ କୋଡ଼ିଏ ଗୁଣ୍ଠିଆକୁ! କେତେ ବଳ ତୋର ଅଛି ଦେଖିବା? ଓରେ ହଳ ଧରିଲେ ବଳେ ସାବାଡ ହୋଇଯିବୁ।" ସତେ ଯେମିତି ଆମ ଘରର ପ୍ରତିଷ୍ଠାର ଚିହ୍ନ କୋଡ଼ିଏ ଗୁଣ୍ଠିଆ। କ୍ଷୀର ନ ପିଇବାକୁ ଯିଦ୍ କଲେ ଜେଜେମାଆ ବାଁଆରେଇ ଦେଇ କହେ, "ପିଇ ଦେ ଧନ। କୋଡ଼ିଏ ଗୁଣ୍ଠିଆରେ ପରା ଲଢିବୁ!"


ମାଟି ସହ ଏକାକାର ହୋଇ ଲଢୁଥିବା ଚାଷୀ ହିଁ ବାସ୍ତବରେ ମାଟିର ମଣିଷ! ମାଟିର ମୂର୍ତ୍ତିକାର! ଅନ୍ନଦାତା, ଆଜନ୍ମ ବିପ୍ଳବୀ! ସେ ତମାମ ଜୀବନ କେବଳ ଲଢ଼େ। ତା'ର ଏଇ ଲଢେଇର ଅନ୍ତ ନାହିଁ। କେବେ ପ୍ରାକୃତିକ ଦୁର୍ବିପାକ ସହ ତ କେବେ ନିଷ୍ଠୁର ନିୟତି ସହ ଲଢେ। ତାର ଲଢେଇର ଫଳ ଖାଆନ୍ତି ସଭିଏଁ କିନ୍ତୁ କୃତଜ୍ଞତା ଜ୍ଞାପନ କରିବାକୁ ଭୁଲି ଯାଆନ୍ତି। ତାର କଠୋର ପରିଶ୍ରମକୁ କଡ଼ାଗଣ୍ଡାରେ ତଉଲେ ଏ ଦୁନିଆଁ। ଦଲାଲ ଲୁଟିଖାଏ ସବୁତକ ମୁନାଫା! ଚାଷୀ ଯେଉଁ ଅଭାବକୁ ସେଇ ଅଭାବରେ ଘାଣ୍ଟି ଚକଟି ହୁଏ ଅନବରତ ଜୀବନ ସାରା।

କୋଡ଼ିଏ ଗୁଣ୍ଠିଆ ବାଦ୍ କଇଁଖାଲ, କେଳେଇ ପରିଡା, ନଟ ମାଷ୍ଟ୍ର, ତଳବାରି, ସୁଆଁନ୍ତର ଏମିତି କେତେ କେତେ ମଜାଳିଆ ନାଁ ଥିଲା ଜମିମାନଙ୍କର। ମଟାଳ, ବାଲିଆ, ଦୋରସା ଆଦି ମାଟିର ପ୍ରକାର ନେଇ ଭିନ୍ନ ଭିନ୍ନ ଫସଲ ଫଳେ ଏଇ ବିଲମାନଙ୍କରେ। ଚକବନ୍ଦୀ ହେଇନି ଆମ ଗାଁରେ, ତେଣୁ ସେମାନଙ୍କର ପରିଚୟ ବି ହଜିନାହିଁ, ସଗୌରବେ ବଳବତ୍ତର ରହିଛି ଆଜି ଯାଏଁ। ଏଗୁଡ଼ିକ ଭୂମିର ଟୁକୁଡ଼ା ନୁହଁନ୍ତି ସତେ ଯେମିତି ପ୍ରାଣବନ୍ତ ମଣିଷ ଏମାନେ ଜେଜେଙ୍କ ପାଇଁ। ଅତି ଆଦରରେ ଏଇ ଜମିମାନଙ୍କୁ ଜେଜେ ଚିହ୍ନେଇ ଦେଉଥିଲେ ଆମକୁ କାନ୍ଧରେ ବସାଇ । ମୋର ପିଲାଟିଦିନରୁ ଦେଖୁଛି ସେଇ ଜମିମାନଙ୍କୁ। ବହୁବାର ଜମିରେ କାମ କରୁଥିବା ଲୋକଙ୍କ ପାଇଁ ଚାହା ଜଳଖିଆ ନେଇ କରି ଯାଏ ମୁଁ। ସବୁବେଳେ ଶାଗୁଆ ସବୁଜ ଅନୁଭବ। ଆଜି ସେଇ ଅନୁଭବ ହିଁ ଯାବତୀୟ ଜାଞ୍ଜାଳ ଭିତରେ ମୋ ପାଇଁ ଜୀବନ ଜୀଇଁବାର ଆଶାବାଡ଼ି!


ଆମ ଗାଁରେ ଦୁଇଟି ଧାନପାଟ। ଛିଣ୍ଡା ନଈ ଦି' ଭାଗ କରି ଦେଇଛି ଗାଁଟାକୁ ଆମର। ନଈ ଏପାରିରେ ଗୋଟିଏ ପାଟ, ଆରଟି ସେପାରିରେ। ଏପାରିରେ ଥିବା ପାଟଟି ଅପେକ୍ଷାକୃତ ଭାବେ ଛୋଟ, ନାଁ ତାର ପାଣି ମୁହାଁଣି। ପାଟ ମଝିରେ କାଚକେନ୍ଦୁ ପାଣିର ପ୍ରକାଣ୍ଡ ପୋଖରୀଟିଏ, ମଣିଷ ଠାରୁ ଆରମ୍ଭ କରି ଗୋରୁଗାଈ ପଶୁ ପକ୍ଷୀ ସଭିଙ୍କର ଶୋଷ ମେଣ୍ଟାଏ, ସେଇଥିପାଇଁ ନାଁ ତାହାର ପାଣି ମୁହାଁଣି । ସେପାରି ପାଟଟି ବହୁତ ବଡ଼, ଆମ ପଞ୍ଚାୟତର ସବୁ ଗାଁର ସୀମାରେଖାକୁ ଛୁଇଁଛି। ଫରକା ପାଟ ତାର ନାଁ। ଏଠି ବି ଗୋଟେ ବିରାଟ ପୋଖରୀ ଅଛି ହେଲେ ଏହାର ପାଣି ପଙ୍କୁଆ ଲାଗେ ବୋଲି କେହି ମଧ୍ୟ ପିଅନ୍ତି ନାହିଁ, ଫସଲରେ ମଡ଼ାଯାଇଥାଏ ଯାହା।


ଆମର ଦି' ପାଟରେ ଜମି। କିନ୍ତୁ ହଳେ ବଳଦ, ସବୁ ଜମି ଚାଷ କରିବା ସମ୍ଭବ ନୁହେଁ ଆମ ପକ୍ଷରେ। ଅଧିକାଂଶ ଜମି ଭାଗଚାଷୀମାନେ ଚାଷ କରନ୍ତି। ଧାନ, ମୁଗ, ବିରି, କୋଳଥ, ବାଦାମ, ପନିପରିବା ଯାହା କିଛି ହୁଏ ଅଧା ଆଣି ଆମ ବାରି ପାଖ ଖଳାରେ ଗଦେଇ ଦେଇ ଯାଆନ୍ତି କଣ୍ଟ ମୁତାବକ। ସେସବୁକୁ ଦେଖି ଦେଲେ ଜେଜେଙ୍କ ମନ କୁଣ୍ଢେମୋଟ ହୋଇଯାଏ। ତଥାପି ମନରେ ଟିକେ ହାଲୁକା ଦୁଃଖ ରହେ ଯେ, ନିଜେ ଚାଷ କରିଥିଲେ ହୁଏତଃ ପୁରା ଫସଲ ଆମର ହୋଇଥାନ୍ତା!

ଆଜିକାଲି ତ ସଭିଏଁ ସହର ମୁହାଁ, ସେଥିରୁ ଆମେ ଭାଇମାନେ ବି ବାଦ୍ ପଡିନାହୁଁ। ପଛରେ ଯାହା ରହି ଯାଇଛି ଆମର ଗାଁ, ଜମି ଆଉ ଭିଟାମାଟି। ପ୍ରବାସରେ ବେଳ ଅବେଳରେ ମନେ ପଡେ ସେଇ ଶାଗୁଆ ସବୁଜ ଧାନ କ୍ଷେତ, ବିଶେଷ କରି କୋଡ଼ିଏ ଗୁଣ୍ଠିଆ! ଜେଜେଙ୍କ ହସ ହସ ସରସ ମୁହଁଟା ଭାସି ଉଠେ ଅନ୍ତର୍ମନରେ! ଛାତିଟା ବିଦାରି ହୋଇଯାଏ ଅସହ୍ୟ ବେଦନାରେ।


ଆଜି ବି ହେଉଛି ଚାଷବାସ, ଫଳୁଛି ଫସଲ କିନ୍ତୁ ନାହିଁ ସେହି ଆତ୍ମୀୟତା ମାଟି ସହ ମଣିଷର । ମାଟି ସହ ମଣିଷ ଏବେ ଆଉ ଏକାକାର ହେବାର ନାହିଁ। ଉପରଠାଉରିଆ ଭାବେ ଚାଲିଛି କର୍ଷଣ। ଯାନ୍ତ୍ରିକ ଉପକରଣର କୋଳାହଳ ଓ ରାସାୟନିକ ପଦାର୍ଥର ପ୍ରୟୋଗରେ ହଜିଯାଇଛି ମାଟିର ମହକ! ଯାହା କିଛି ବି ଫଳୁଛି ଓ ଆମେ ଖାଉଛେ ସବୁ ବିଷ ହିଁ ବିଷ! ନିରୁତା ବିଶୁଦ୍ଧ ବିଷ! ବିଷମୟ ହୋଇଯାଇଛି ଏ ସମଗ୍ର ପୃଥିବୀ!


ଛାତିରେ ମୋର ଭରିଯାଏ ଅସହ୍ୟ କୋହ କିନ୍ତୁ ନିରୁପାୟ ଅସହାୟ। ହାଇଟେକ୍ ହାଟର ଜଗୁଆଳ ମୁଁ, ଚୌକିଦାର! ନିଜ ଚୌକି ସମ୍ଭାଳିବାକୁ ପ୍ରତି ମୂହୁର୍ତ୍ତରେ ବଳ କଷାକଷି ସମୟ ଆଉ ମୋ ଭିତରେ। ହଳ ଲଙ୍ଗଳ ମୋର କମ୍ପୁଟରର ମନିଟର ଆଉ କିବୋର୍ଡ଼୍। ସମୟ ସହିତ କର୍ଷଣରେ ହଜିଯାଇଛି ମୋ ବାଲ୍ୟ ଚପଳତା। ପଛକୁ ଫେରି ଚାହିଁବାକୁ ବେଳ ନାହିଁ। ସ୍ମୃତିରେ ବଞ୍ଚି ରହିଛି ମୋ ଗାଁ, ମୋ ଭିଟାମାଟି, ମୋ କୋଡ଼ିଏ ଗୁଣ୍ଠିଆ !



Rate this content
Log in

Similar oriya story from Classics