Arabinda Rath

Comedy

2.5  

Arabinda Rath

Comedy

କନ୍ୟା ଦେଖା

କନ୍ୟା ଦେଖା

9 mins
14.6K


ଲେଖକ- ଅରବିନ୍ଦ ରଥ

ସଇତାନପୁରର ମକୁରୁ ମହାଜନ ଲଣ୍ଡା ମୁଣ୍ଡଟିକୁ ଆଉଁଷି ମଧ୍ୟସ୍ଥିକୁ ପଚାରିଲେ-- ହଇହୋ ମକ୍ରମ ପୁରୋହିତେ, ଏଥର ଝିଅ ଦେଖା ପର୍ବଟା ଭଲରେ ଯିବ ତ। ଗଲା ଥର ତ କେତେ ସପନ ଦେଖେଇଲେ, କିନ୍ତୁ କନ୍ୟା ବାପର ଧୋତି କିଣିବାକୁ ବି ପଇସା ଥିଲା ପରି ଲାଗିଲାନି। ସେ ଲୋକର ମୋ ଘରେ ହଳିଆ ହେବାର ଯୋଗ୍ୟତା ନାହିଁ, ସମୁଦି ହେବାର ସ୍ଵପ୍ନ ଦେଖୁଥିଲା କେମିତି ? ମୋ ସ୍ତ୍ରୀ ଆରପାରିକୁ ଗଲା ବୋଲି ସିନା ମୋତେ ଏତେ ହୀନସ୍ତା ହେବାକୁ ପଡୁଛି । ନୋହିଲେ ପୁଅ ପାଇଁ ବୋହୂ ଖୋଜା କାମଟା କଣ ମୋତେ ବଳେଇ ଯାଇଥାନ୍ତା ?

ପୋକ ଖିଆ ଦାନ୍ତ ନିକୁଟି ପୁରୋହିତ ମକ୍ରମ କହିଲା – ଆଜ୍ଞା କଣ କରିବି, ଏତେ ଆଡକୁ ନିଘା ନ ଥିଲା ବୋଲି ଭୁଲଟାଏ ସିନା କରିଦେଲି , ଏଥର ସେପରି ଭୁଲ ହେବ ନାହିଁ। ମୁଁ ସେ ଲୋକକୁ ହଜାର ଥର କହିଛି। ଆମ ମହାଜନେ ଏମିତି ସେମିତି ଲୋକ ନୁହଁନ୍ତି। ବାପ ଅଜା ଅମଳରୁ ଜମିବାଡି ସବୁ ପୋକ ମାଛି ପରି ତାଙ୍କ ପାଖେ ହାଉଜାଉ ହେଉଛନ୍ତି। ଜମିଦାରି ପ୍ରଥା ଚାଲିଗଲେ କଣ ହେବ, ଆମ ମହାଜନଙ୍କର ଜମିଦାରିଆ ଠାଣି ଆଜି ଯାଏ ସେମିତି କାଏମ ରହିଛି। ଘରେ ଚାକର ବାକର ହଳିଆ ମୂଲିଆ ବାଡଇ କୁଟି ହେଉଛନ୍ତି। ସୁନା ରୂପା ଗହଣା ଗାଣ୍ଠିର ହିସାବ ନାହିଁ। ଆଲମାରୀ ଗୁଡା ଓହଳି ପଡିଛି। ଯେତିକି ସୁନା ଚେନ ଆଲମାରୀରେ ସଜେଇ ରଖା ଯାଇଛି, ସେତିକି ବେକ ନାହିଁ ଝୁଲେଇବାକୁ। ଆଉ କିଛି କହିବାକୁ ମକ୍ରମ ପାଟି ମେଲା କଲାବେଳକୁ, ମହାଜନେ ଶହେ ଟଙ୍କିଆ ନୋଟ ଖଣ୍ଡିଏ ହାତ ଗୁଞ୍ଜି ଦେଇ କହିଲେ, ଯାହା ହେଉ ଯେତିକି କହିଛ ସେତିକିରେ ଗାଡି ଦଉଡିବ। କନ୍ୟା ଦେଖାର ଦିନ ତାରିଖ ଧାର୍ଯ୍ୟ କରି ମକ୍ରମ ଓଳଗି ହୋଇ ବିଦାୟ ନେଲା।

ମକୁରୁ ମହାଜନଙ୍କ ପୁଅ କୁରୁପା ସେ ଅଞ୍ଚଳର ନାମଜାଦା ପିଲା। ସରସ୍ଵତୀଙ୍କୁ ବହୁତ ପୂଜା କରି ଯେତିକି ପାଠ ମିଳିଲା, ସେତିକି ବ୍ଯବହାର କରି କେବଳ ଦସ୍ତଖତ ଟିଏ କରି ଜାଣିଲା। ଗୋଟିଏ ଶ୍ରେଣୀରେ ବର୍ଷାଧିକ କାଳ ପାଠ ପଢିବା ପରେ, ଗାଁଆ ମାଷ୍ଟ୍ରଙ୍କ ସୁପାରିଶ କ୍ରମେ କୁରୁପାର ପାଠରେ ଡୋରି ବନ୍ଧାହେଲା। ମକୁରୁ ବି କହିଲେ, ଯେ ମହାଜନ ପୁଅ କଣ ଏତେ ଦିନ ଇସ୍କୁଲ ଯିବ। ପଇସା ଫିଙ୍ଗିଲେ ସରସ୍ଵତୀ ଦେବୀ ଆସି ପାଠ ବାଟି ପିଏଇ ଦେଇ ଯିବେ। ଏତିକି ଛାର କାମ ପାଇଁ ପିଲାଟା କଣ ପାଇଁ ବର୍ଷବର୍ଷ ଦହଗଞ୍ଜ ହେବ। ଗେଲବସରିଆ ଏକୋଇର ବଳା ବିଶିକେସନ କୁରୁପା ଧରାକୁ ସରା ମଣିଲା। ବୟସ ବଢିବା ସହ ବଦମାସୀ ବି ବଢିଲା। ମାରପିଟ୍ କରିବା, ଚୋରୀ କରିବା ଆଦି କାମ ରେ ସେ ଅଞ୍ଚଳରେ ବେଶ୍ ନାମ କମେଇଲା। ମହାଜନ ପୁଅ ବୋଲି କେହି ପାଟି ନ ଫିଟେଇ ତାକୁ ଆହୁରି ସାହାସୀ କରିଦେଇଥିଲେ। ଘରେ ପଇସା ଅଭାବ ନାହିଁ , ତେଣୁ ନିଶ୍ଚିନ୍ତ ହୋଇ କୁରୁପା ଚାରି ଦଉଡି କଟା ହୋଇ ଜୀବନ ବିତଉ ଥିଲା। କିନ୍ତୁ ମକୁରୁ ପରି କୃପଣ ଲୋକ ପୃଥିବୀରେ ଥିବେ କି ନାହିଁ ସନ୍ଦେହ। ଦିଆସିଲି କାଠିକୁ ବ୍ଲେଡ୍ ରେ ଦୁଇ ଫାଳ କରି ଜଳେଇବା ଲୋକ ସିଏ। କୃପଣ ଲୋକେ ତ ମାଛ ତେଲ ରେ ମାଛ ଛାଣନ୍ତି କିନ୍ତୁ ମକୁରୁ ମହାଜନ ତୁଚ୍ଛା ପାଣିରେ ମାଛ ଛାଣିଦେବା ଲୋକ।

ନିଜର ଏକମାତ୍ର ଯୋଗ୍ଯ ପୁତ୍ର ପାଇଁ କନ୍ୟା ଯୋଗାଡିବା ପାଇଁ ବିଚରା ଆଣ୍ଠୁ ଗଣ୍ଠି ଛିଡେଇ ଚେଷ୍ଟା ଚଲେଇଛି। କିନ୍ତୁ କୁରୁପା ଚରିତ୍ରର ତେଜ ଏତେ ଜୋର ରେ ଦାଉ ଦାଉ ଜଳୁଥିଲା ଯେ କନ୍ୟା ପିତା ମାନେ କନ୍ୟା ଦେବାକୁ ରାଜି ନ ଥିଲେ। ତଥାପି ମକ୍ରମ ପୁରୋହିତ ହାଡଗୋଡ ହଲେଇ କିଛି କନ୍ୟା ଯୋଗାଡ କରିଛନ୍ତି। କନ୍ୟା ଦେଖା ପର୍ବ ବି ସରିଛି। କିନ୍ତୁ ଯୌତୁକ ଅଙ୍କଟା ଛିଣ୍ଡୁନି ବୋଲି ବରଯାତ୍ରୀ ବାହାରିପାରୁନି । ମହାଜନିଆ ଠାଣିରେ ଚର୍ଚ୍ଚା ପାଇବା ଆଶାରେ ମକୁରୁ ବେଶ ଭୂଷା ହୋଇ ବାହାରେ ସିନା, କିନ୍ତୁ ସବୁ ଦିନ କପାଳ ଲେଖା ସମାନ ନ ଥାଏ। କେଉଁ ଥର କନ୍ୟା ଘର ବରା, ସିଙ୍ଗଡା, ଆଳୁଚପ୍, ମିଠାରେ ଭସେଇଲାଣି ତ କେଉଁ ଦିନ ଲେମ୍ବୁ ସରବତ ପିଇ ଫେରିବାକୁ ପଡିଛି। ତଥାପି ଚେଷ୍ଟା ଚାଲିଛି। କିଛି ଗୋଟେ ତ ହେବ ନିଶ୍ଚୟ। ଏଥର ମକ୍ରମ ପୁରୋହିତ, କୁକୁରପେଟା ଗ୍ରାମରେ କନ୍ୟା ଘରର ସନ୍ଧାନ ଦେଇଛି। ଝିଅଟି ସୁନ୍ଦର ନ ହେଲେ କଣ ହେବ, ପଇସା ପତ୍ରରେ ବରପାତ୍ରକୁ ପୋତି ଦେବ ବୋଲି ଶୁଣି ମକୁରୁ ମନଟା କୁଲୁକୁଲୁ ହୋଇଯାଉଛି।

କିନ୍ତୁ ସେ କୁକୁରପେଟା ଗାଁଆ ନାମଟା ଶୁଣିଲା ପରଠାରୁ ମନଟା ଟିକେ ବିଚିକୁଟିଆ ଲାଗୁଛି। ଦୁଇ ମାସ ତଳେ ସେଇ ଗାଆଁରେ ତା ମୁଣ୍ଡ ପଗଡି ଗଡିବା ଅବସ୍ଥାକୁ ପଳେଇ ଆସିଥିଲା। କନ୍ୟା ଦେଖିବାକୁ ଯିବା ଅବସରରେ, ଗାଁଆର ବିଖ୍ୟାତ ରାଢ ଗୁଡୁମ୍ ବଳିୟାରସିଂହ ଘରକୁ ଯାଇଥିଲା। ବାହାଘର କଥାଟା ଆରମ୍ଭ ହେବା ଆଗରୁ ମକୁରୁ, ଜାନି ଯଉତୁକ କଥାଟା ଛିଡେଇ ଦେବ ବୋଲି ଭାବିଲା ବେଳକୁ, ସେ କନ୍ୟାଟା କାଳିସୀ ମାଡିଲା ପରି ନାଚି ଦେଇ ଗଲା। କେତେ ଆଇନ କାନୁନ ପଢେଇ, ପୋଲିସ୍ କୁ ଖବର ଦେବାକୁ ବାହାରିଲା। କହିଲା କଣ ନା, ଯୌତୁକ ନେବା ଓ ଦେବା ଉଭୟ ଅପରାଧ। ମନରେ ବହେ ଗାଳି ଦେବାକୁ ଇଛା ହେଲେ ବି ମକୁରୁ ଜୋକ ମୁହଁରେ ଲୁଣ ଦେବା ପରି ଚୁପ୍ ହୋଇ ଠିଆ ହୋଇଥିଲା। ପୋଲିସ୍ କଥା ଶୁଣି ତା ଲଣ୍ଡା ମୁଣ୍ଡରୁ ଥପ ଥପ ଝାଳ ନିଗିଡି ଗଲା। ପାଟିରେ ଲୁଗା ବିଣ୍ଡା ଦେଇ ସେ ଜାଗାରୁ ଚମ୍ପଟ୍ ମାରିବାକୁ ତର ସହିଲାନି। ପୁଣି ସେଇ ଗାଁଆକୁ ଯିବାକୁ ହେବ।

ମାଆ ରାହାବଳୀଙ୍କୁ ଦେଶି କୁକୁଡାଟିଏ ଯାଚନା କରି ଘରୁ ବାହାରିଲା। ପୁଅ କୁରୁପା ଗାଁଆ ଟାଉଟରଙ୍କ ସହ ଗଞ୍ଜେଇ ସେବନରେ ବ୍ୟସ୍ତ ଥିବାର ଦେଖି ,ମକୁରୁ ନିଜ ସାଙ୍ଗରେ ମକ୍ରମ ମହାଜନଙ୍କୁ ନେଇ କନ୍ୟା ଦେଖା ପର୍ବ ପାଇଁ ପ୍ରସ୍ଥାନ ସ୍ତକଲା। ଗାଁଆ ଭିତରେ ଗାଡିଟି ପଶିଲା ବେଳକୁ ଦେଖିଲା କିଏ ଜଣେ ନାରୀ ଗଛ ଉହାଡରୁ ଲୁଚି ତାଙ୍କୁ ଦେଖୁଥିଲା। ମକ୍ରମକୁ ସେ ବିଷୟରେ ପଚାରିବାରୁ ସେ କହିଲା-- ମହାଜନେ, ଆପଣଙ୍କ ବୟସ ପରା ସେଇ ତିରିଶରେ ଅଟକି ଯାଇଛି। କିଏ ଦେଖିଲେ କହିବ କି, ଆପଣଙ୍କୁ ତିନି କୋଡି ପୁରିଲାଣି ବୋଲି। ସେଇ ଯୁବକ ପରି ରୂପ ଦାଉଁ ଦାଉଁ ହୋଇ ଜଳୁଛି। ଲୋକେ ଭାବୁଥିବେ ଆପଣ ବରପାତ୍ର ବୋଲି। ସୁନ୍ଦର ଫୁଲ ପାଖକୁ ମହୁମାଛି ଟାଣି ହୋଇ ଆସିଲା ପରି, ଗାଁଆର ଅଭିଆଡି ଝିଅ ମାନେ ଆପଣଙ୍କୁ ଦେଖି କୁତୁକୁତୁ ହୋଇ ଲୁଚି ଦେଖୁଥିବେ।

କଥାଟା ମକୁରୁ ମହାଜନର ଠିକ୍ ମର୍ମରେ ବାଜିଲା। ପାଉଁରୁଟି ପରି ଫୁଲିଲା ଗାଲ ଦୁଇଟାରେ ହାତ ବୁଲେଇ ଟିକେ ଲାଜ ମିଶା ସ୍ବରରେ କହିଲା- ବୁଝିଲ ପୋରୋହିତେ, ତୁମେ ଆଉ ହବନି । କଥା କୁହାରେ ତୁମକୁ କିଏ ପାରିବ କହିଲ।

ଗାଡିଟି ଯାଇ କନ୍ୟା ଘର ଦୁଆରେ ଲାଗିଲା। ତରତର ହୋଇ ମକୁରୁ ଘରେ ପଶିଗଲା, କାଳେ ଗୁଡୁମ୍ ବଳିୟାରସିଂହ କାନରେ କଥାଟା ପଡିଯିବ ବୋଲି। କନ୍ୟାପିତା ସସମ୍ମାନେ ଦୁଇଜଣଙ୍କୁ ଘରକୁ ପାଛୋଟି ନେଲେ। ସୋଫାରେ ବସିଲା ବେଳକୁ ସେ ଦେଖିଲା ଟେବୁଲ୍ ରେ ଭଳି କି ଭଳି ଜଳଖିଆ ଅତି ଯତ୍ନରେ ମୁଣ୍ଡ ଟୁଙ୍ଗାରି ଅନେଇଛନ୍ତି। ତିନି ଚାରି ଜାତି ର ମିଠା ଓ ବରା, ସିଙ୍ଗଡା, ଆଳୁଚପ୍ ମାନେ ଦୁଇ ଧାଡି ଦାନ୍ତ ମଝିରେ ପେଶୀ ହୋଇଯିବା ଆଶାରେ ଅପେକ୍ଷାରତ। ଆମ୍ବରସ ଦୁଇ ଢୋକ ପିଇ ମକୁରୁ ଗଳା ଝାଡି କହିଲା-- ଆଜ୍ଞା, ମୋ ଘର ବିଷୟରେ ମକ୍ରମ ପୁରୋହିତେ ଉଣା ଅଧିକେ ବଖାଣି ଥିବେ। ତେଣୁ ସେ ବିଷୟରେ କହି ସମୟ ସାରିବା କଣ ପାାଇଁ। ଝିଅକୁ ଡାକିଲେ ଟିକେ ଦେଖି ଦିଅନ୍ତେ। ଏତିକି କହି ସାରିବା ବେଳକୁ ଟେବୁଲରେ ସଜା ହୋଇଥିବା ଜଳଖିଆରୁ ଦୁଇଟା ସିଙ୍ଗଡା କମି ସାରିଥିଲେ।

– ଆଜ୍ଞା, ଆପଣଙ୍କ ବିଷୟରେ ମୁଁ ସବୁ ଶୁଣିଛି। ବହୁତ ବଡ ଲୋକ ଆପଣ। ମୁଁ ଆଜ୍ଞା ଗରୀବ ଲୋକ। ଝିଅଟି ମୋର କଲେଜ ରେ ପାଠ ପଢୁଛି। ଘର କାମ ସବୁ ଜାଣିଛି। ସମସ୍ତଙ୍କ ମନ ଜିଣିବାରେ ତାକୁ କେହି ପରିବେନି। ଭଲ ଗୀତ ବି ଗାଏ। କିନ୍ତୁ ରୂପରଙ୍ଗ ଟିକେ ଉଣା ବୋଲି ମନଟି ସଦାବେଳେ ଉଦାସିଆ କରି ରଖୁଛି। ତା ସାଙ୍ଗ ସାଥି ମନେ ହାତକୁ ଦି ହାତ ହୋଇ ପିଲା ଖେଳେଇଲେଣି, କିନ୍ତୁ ମୋ ଝିଅ......ଏତିକି କହି କନ୍ୟା ପିତା ଟିକେ ସୁକୁସୁକୁ ହୋଇ କାନ୍ଦି ପକେଇଲେ। କାନ୍ଧରେ ହାତ ପକେଇ ମକୁରୁ କହିଲେ-- ସେ କଥା ଛାଡନ୍ତୁ, ଟିକେ ଝିଅକୁ ଦେଖିସାରି ମୁଁ ସାଙ୍ଗେସାଙ୍ଗେ ବାକି କଥା ବିଚାର କରିବି ।

ପରଦା ଆଢୁଆଳରୁ କନ୍ୟାର ମୁହଁଟି ଦିଶିଲା। ତାକୁ ଦେଖିଲା ପରେ ମକୁରୁ ମନେ ମନେ କହିଲା-- ଆରେ ଇଏ ତ କୁରୁପା ମାଆ ଠୁ ଢେର ସୁନ୍ଦର। ରଙ୍ଗ ଟିକେ କମ୍ ହେଲେ କଣ ହେବ ଗଠଣ ଭଲ ଅଛି। କୁରୁପା ର ଅର୍ଘାସୁରିଆ ରୂପ ସହ ଏ କନିଆର ଯୋଡି ବେଶ୍ ମାନିବ। କନ୍ୟାର ବ୍ଯବହାର ବି ଉତ୍ତମ। ଗୋଡ ତଳେ ମୁଣ୍ଡିଆ ମାରି ହାତ ଯୋଡି ମକୁରୁ ଆଗରେ ଛିଡା ହେଲା। ଯାହା ହେଲେ ପାଠ ଶାଠ ପଢିଛି, ବ୍ୟବହାର ନ ଜାଣିବ କେମିତି।

କହିବାକୁ ଗଲେ ମକୁରୁ ମନକୁ କନିଆଟି ବେଶ୍ ପାଇଲା। ପ୍ଲେଟ୍ ରେ ଥବା ଶେଷ ରସଗୋଲାକୁ ଚାକୁଳାଇଲା ବେଳକୁ କହିଲା-- ଯାହା ହେଉ ଏତେ ଦିନ ପରେ ମୋ ଘରକୁ ଯୋଗ୍ୟା ବାହୂଟିଏ ମିଳିଲା। ମକ୍ରମ ପୁରୋହିତ ପାଣିପାଗ ଦେଖି ଜାଣି ପାରିଲା ଯେ କନ୍ୟାଟି ପସନ୍ଦ ହୋଇଛି। ସବୁଠାରୁ ବଡ କଥା ହେଲା ସେମାନେ ପୁଅ ବିଷୟରେ କିଛି ପଚାରିଲେନି। ସେମାନେ ଜାଣିଛନ୍ତି ମହାଜନର ଅଚଳାଚଳ ସମ୍ପତ୍ତି। ବସି ଖାଇଲେ ବି ସରିବନି। ପୁଅ ରୋଜଗାର କରୁ କି ବେକାର ବସୁ ପରବାୟ ନାହିଁ। କନ୍ୟା ପିତା ବି ଝିଅ ବୋଝ ଉତ୍ତାରିବାରେ ବ୍ୟସ୍ତ, ତେଣୁ ପୁଅ ବିଷୟରେ ବେଶି କିଛି ଛାନଭିନ୍ କଲେ କାଳେ ମହାଜନେ ହାତରୁ ଖସିଯିବେ, ସେଇ ଭୟରେ ତୁନି ପଡି ବସିଲେ।

କନ୍ୟାକୁ ଘର ଭିତରକୁ ବିଦା କରିଦେଇ ମକୁରୁ ଅସଲ ଆଲୋଚନା କୁ ପାଦ ବଢେଇଲା। ଝିଅର ପିତାମାତା ଓଦା ବିଲେଇ ପରି ଜୁଳୁଜୁଳୁ ହୋଇ ତାଙ୍ ମୁହଁକୁ ଚାହିଁ ବସିଥାନ୍ତି।

– କନ୍ୟାଟି ପସନ୍ଦ ହେଲା, କିନ୍ତୁ ଦେବା ନେବା ବିଷୟରେ କିଛି କହିଲେନି ଯେ। ମକୁରୁ ଜମିଦାରିଆ ଠାଣିରେ ପଚାରିଲା।

– ଯାହା କହିବେ ସବୁ ଦେବି ଆଜ୍ଞା। ଗୋଟିଏ ବୋଲି ଝିଅ। ଟଙ୍କା ତିନି ଲକ୍ଷ ସାଙ୍ଗକୁ ସୁନା ଗହଣା,ଗାଡି, ଖଟ,ପଲଙ୍କ, ଟିଭି, ଫ୍ରିଜ୍ ଓ ସବୁ ଘରକରଣା ଜିନିଷ ବି ଦେବି।

ଫାଶରେ ମାଛଟି ଭଲରେ ପଡିବା ଦେଖି ମକୁରୁ ମନେମନେ କୁହାଟ ମାରିବା ଆରମ୍ଭ କରି ଦେଇଥିଲା । କୁରୁପା ପରି ଅଳସୁଆ, ଗଞ୍ଜୋଡ, ନିକମ୍ମା ପିଲା ପାଇଁ ଏମିତି ଝିଅ ଓ ଯୌତୁକ ଢେର ଅଧିକା ଥିଲା। ତଥାପି ମନରୁ ଲୋଭ ଛାଡୁଛି କୁଆଡୁ। ମୁହଁଟାକୁ ଟିକେ ବିଚିକୁଟିଆ କରି କହିଲା – ଆଜ୍ଞା, ଜମିଦାର ଘରେ ବନ୍ଧୁ ବାନ୍ଧିବେ। ଦର ଟିକେ ବଢେଇଲେ ସିନା ହେବ। ଏତେ କମ୍ ଟଙ୍କାରେ କଣ ଶାଗ ସିଝିବ?

– ମହାଜନେ, ଏତିକି ଦେଲା ବେଳକୁ ମୋର ଦଫାରଫା ଶେଷ ହୋଇଯିବ। ଜମିବାଡି ବିକି ଏତିକି ଯୋଗାଡ କରି ପାରିବି। ଆପଣ ଟିକେ ଦୟା କଲେ ମୋ ପରି ଅକିଞ୍ଚନଟି ଉପକୃତ ହୁଅନ୍ତା। କନ୍ୟା ମାତା ମଧ୍ୟ ଆଖିରୁ ଲୁହ ଝରେଇ ଦୁଃଖ ପ୍ରକାଶିବାରେ ଅବହେଳା କଲେନି। ବହୁତ ନେହୁରା ହୋଇ ବିଚରା ଦୁଇଟି ମକୁରୁ ଗୋଡ ତଳେ ପଡିଗଲେ। ତଥାପି ମକୁରୁ ନିଜ ଜିଦ୍ ରେ ଅଟଳ। ମକ୍ରମ ମଝିରେ ଟିକେ ଭଦ୍ରଲୋକି ଦେଖେଇବାକୁ ବାହାରିଲା ବେଳକୁ, ମକୁରୁର ନାଲିଆଖି ଦେଖି ଚୁପ୍ ହୋଇ ବସିଲା। ଶେଷରେ ମକୁରୁ ରୋକଠୋକ୍ ଶୁଣେଇଦେଲା-- ଟଙ୍କା ପାଞ୍ଚ ଲକ୍ଷ ନ ହେଲେ ହବନି। ଯଦି ହଁ କରିବ, ଏଇ ମାସରେ ବାହାଘର ସାରିଦେବି।

ସେତିକି ବେଳେ ଘର ଭିତରକୁ ଝିଅଟିଏ ମୁଣ୍ଡରେ ଓଢଣା ଦେଇ ପଶିଲା। ମକୁରୁ ପ୍ରଶ୍ନିଳ ଆଖିରେ ଦେଖିବାରୁ କନ୍ୟାପିତା କହିଲେ-- ଝିଅର ସାଙ୍ଗ ଆସିଛି।

କଥା ଟାକୁ ନିହାତି ଗୁରୁତ୍ବହୀନ ମନେକରି ମକୁରୁ ଦରକଷାରେ ଲାଗିଲା। ବହୁତ ଅନୁନୟ ବିନୟ ହେବା ପରେ ସାଢେ ଚାରି ଲକ୍ଷ ଟଙ୍କାରେ କଥା ଛିଡିଲା। କାନ୍ଦିକାନ୍ଦି ଫୁଲିଯାଇଥିବା ଆଖି ଚାରିଟିରେ ଟିକେ ଖୁସିର ଝଲକ ଦେଖିବାକୁ ମିଳିଲା। ସେତିକି ବେଳକୁ ଝିଅର ଡାକରେ ପିତାମାତା ଭିତରକୁ ଗଲେ। ବିଜୟସୂଚକ ହସରେ ମକ୍ରମ ଆଡକୁ ଦେଖିଲେ ମହାଜନେ। ଭକ୍ତିରେ ମକ୍ରମର ଦୁଇ ହାତ ଯୋଡି ହୋଇଗଲା । କନ୍ୟାପିତା ଆସି କହିଲେ-- ଆଜ୍ଞା, ଝିଅ ଅଳି କରୁଛି। ଆପଣ ମାନେ ଆଜି ଆମ ଘରେ ଖାଇକରି ଯିବେ। ସେତିକି ଶୁଣି ମକୁରୁ ଛାତି ଭିତରଟା ଖୁସିରେ କୁରୁଳି ଉଠିଲା। ଝିଅଟା ସବୁ ଗୁଣରେ ପାରଙ୍ଗମ ଜଣା ପଡୁଛି। ତା ଘରର ବୋହୂ ହେବା ପାଇଁ ଯୋଗ୍ୟତମ ପ୍ରାର୍ଥୀନୀ ପରି ଲାଗିଲା ତାକୁ।

ଝିଅର ମାଆ କହିଲେ -- ନିଜ ହାତରେ ରୋଷେଇ କରି ପରଷି ଦେବାକୁ ଝିଅର ମନ ବ୍ୟାକୁଳ ହୋଇ ଉଠିଛି। ଅଳ୍ପ ସମୟରେ ରୋଷେଇ ସାରିଦେବ। ଅରୁଆ ଭାତ, ଖାସି ମାଂସ ଝୋଳ, ବିଲାତି ବାଇଗଣ ଖଟା ଓ ପାମ୍ପଡ। କ୍ଷିରି କରିବାରେ ମୋ ଝିଅକୁ କେହି ପାରିବେନି। କେତେ ଯତନରେ କ୍ଷିରି ବି ତିଆରି କରୁଛି। ଆପଣ ଟିକେ କଷ୍ଟ କରି ବସିବା ହେଲେ ଆମେ ସମସ୍ତେ ଖୁସି ହୁଅନ୍ତୁ।

ଏମିତି ଅଚାନକ ସୁଖାଦ୍ୟର ବର୍ଷାରେ ଭିଜିବେ ବୋଲି ମକୁରୁ ଓ ମକ୍ରମ ସ୍ବପ୍ନରେ ବି ଭାବି ନ ଥିଲେ। ଖାସି ଝୋଳ କଥା ଶୁଣିଲା ବେଳ ଠୁ ମକୁରୁ ମହାଜନର ଦାନ୍ତ କୁଣ୍ଡେଇ ହେବା ଆରମ୍ଭ ହୋଇଯାଇଥିଲା। ଥଟ୍ଟା କରି ମକ୍ରମକୁ ପଚାରିଲେ-- କିହୋ ପୁରୋହିତେ, ଆପଣ ତ ଆମିଷ ଖାଇବେନି। ନିରାମିଷରେ ଚଳେଇ ଦେବେ, ନା କଣ? ମକ୍ରମ ଭୀଷଣ ପ୍ରତିବାଦ କରି କହିଲେ-- କାହିଁକି ଯେ, ମୁଁ କଣ ହୋମ କରୁଛି ନା ଯଜ୍ଞ ଯେ ଆଇଁଷ ଖାଇବିନି। ଆମର ଭବିଷ୍ୟତରେ ବୋହୂ ମାଆ ରାନ୍ଧଣା ରାନ୍ଧିବେ ଆଉ ମୁଁ ଖାଇବିନି? ସେମିତି କଦାପି ହେବନି, ବିଷ ଦେଲେ ବି ଖାଇଦେବି। ସବୁ ଏକା ସାଙ୍ଗରେ ହସି ଉଠିଲା ବେଳକୁ ରୋଷେଇ ଶାଳରେ କନ୍ୟା ଓ ତାର ସାଙ୍ଗ କିଛି ଗୋଟେ ଗମ୍ଭୀର ଆଲୋଚନାରେ ବ୍ୟସ୍ତ ଥିଲେ।

କିଛି ସମୟ ଭିତରେ ଟେବୁଲରେ ଖାଦ୍ୟ ପରଶା ଗଲା। ନଅଙ୍କ ଦୁର୍ଭିକ୍ଷିଆଙ୍କ ପରି ଦୁଇ ଜଣ କାଡୁମାଡୁ କରି ସବୁ କିଛି ଚୋବେଇ, କାମୁଡି ସଫା କରିଦେଲେ। ଖାଇବା ଅନ୍ତେ କ୍ଷିରିର ଶେଷ ବିନ୍ଦୁ ଚାଟିସାରି ହସହସ ମୁହଁରେ ମକୁରୁ କହିଲେ-- ଏବେ ପୁଣି ଦେଖା ହେବ ବିବାହ ବେଦୀରେ। ଯେତିକି କହିଲେ ସେତିକିରୁ ପାହୁଲାଏ ଯେମିତି ଉଣା ନ ହୁଏ। ନୋହିଲେ ମଙ୍ଗୁଳା ଝିଅଟିକୁ ଘରେ ଧରି ବସିବେ ଆପଣ ମାନେ। ଥଟ୍ଟାରେ କହିଥିବା କଥାର ଗୁରୁତ୍ଵକୁ କନ୍ୟା ପିତା ମାତା ଭଲରେ ଜାଣି ସାରିଥିଲେ, କେବଳ ମୁଣ୍ଡ ହଲେଇ ହଁ କଲେ।

ମକୁରୁ ଓ ପୁରୋହିତଙ୍କୁ ବିଦା କରି କନ୍ୟାପିତା ଲଥ୍ କରି ସୋଫାରେ ବସି ପଡିଲେ। ସେତେ ବେଳକୁ ରୋଷେଇ ଘରୁ ହସର ବନ୍ୟା ଭାସି ଆସୁଥିଲା। କାନ ଡେରିବାରୁ, କଣ ଶୁଣିଲେ କେଜାଣି ସେ ବି ହସି ହସି ବେଦମ୍ ହୋଇଗଲେ।

ଗାଡି କିଛି ବାଟ ଗଡିଲା ପରେ ଫୁଢୁରୁ...... ଫୁଟ୍ ଫୁଟ୍ ହୋଇ କିଛି ଗୋଟେ ଆଓ୍ବାଜ୍ ଶୁଭିଲା। ମକୁରୁ ମହାଜନେ ବିରକ୍ତିରେ ମକ୍ରମ ଆଡକୁ ଦେଖନ୍ତେ ସେ ଦାନ୍ତ ନିକୁଟାଇ କହିଲା-- ଟିକେ ବେଶି ଖାଇ ଦେବାରୁ ବାୟୁଦେବ ନିମ୍ନଗାମୀ ହୋଇଛନ୍ତି। ରାସ୍ତାଟା ଧକଡ ଚକଡିଆ ଅଛି ତ ତେଣୁ ଆୟତ୍ତ କରି ହେଉନି। ସେତିକି ବେଳକୁ ଗାଡି ଭିତରଟା ଦୁର୍ଗନ୍ଧରେରେ ଫାଟି ପଡିଲା ପରି ଲାଗିଲା। ମକ୍ରମ ସ୍ପଷ୍ଟ ଶୁଣିଲା ମହାଜନଙ୍କ ଧୋତି ତଳୁ -- ଠୁର୍ ର୍ ର୍ ର୍ … ଟୁସ୍ ର ଶବ୍ଦ। ତା ପରେ ପରେ ଢୁଁ …....ଟୁକ୍ ଟୁକ୍ ପୁର୍ ର୍ ର୍ ର୍ । ଲାଗିଲା ଗାଡିର ଛାତଟା ଉଡିଯିବ। ପାଞ୍ଚ ଦିନରେ ବାସି ମଡା ପରି ଦୁର୍ଗନ୍ଧ। କିନ୍ତୁ ମହାଜନିଆ ଲୋକ, ସେମାନେ ବାୟୁ ଛାଡିଲେ ବି ଅତର ବାସିବାକୁ ବାଧ୍ୟ। ଭିତରୁ ଉକୁଟାଇ ଆସୁଥିବା ବାନ୍ତିଟାକୁ ଯାକିମାଡି ଭିତରେ ପୁରେଇଲା ବେଳକୁ ପୁଣି ଶୁଭିଲା..........ଖୁର୍ ଖୁର୍ ଖୁର୍ ଟୁକ୍ ଠୁକ୍ ଫାର୍ ର୍ ର୍ । ଏଥର ଗନ୍ଧଟା ଅସହ୍ୟ। ବିକଳରେ ଗାଡି ରଖିବାକୁ କହିଲା ମକ୍ରମ। ସେତେ ବେଳକୁ ଦୁଇ ଜଣଙ୍କ ପେଟ ଭିତରେ ଘଡଘଡି ମାରିବା ପରି ଧ୍ବନି ମାନ ଶୁଭିବାକୁ ଆରମ୍ଭ କରିଦେଲାଣି। ଉଭୟ ଜାଣି ସାରିଥିଲେ ଆଉ ବିଳମ୍ବ କଲେ, ପିନ୍ଧା ବସନ ପୀତ ରଙ୍ଗ ଧାରଣ କରିବାର ସମ୍ଭାବନାକୁ ଏଡେଇ ଦିଆ ଯାଇ ନ ପାରେ। ଏକ ରକମ ଗାଡି ଭିତରୁ ଲମ୍ଫ ପ୍ରଦାନ ପୂର୍ବକ, ଲୋକ ଦୁଇଟି ପୋଖରୀ ମୁହାଁ ହୋଇ ଦଉଡିଲେ। ପୋଖରୀ ଭିତରେ ପଶିବା ଓ ବାହାରିବା କାର୍ଯ୍ୟ ଅବାରିତ ଧାରାରେ ଚାଲିଥାଏ। କହିବା ବାହୁଲ୍ୟ, ପୋଖରୀ ପାଖରେ ଦୁଇଜଣ ମହାପୁରୁଷ ଅନ୍ୟ ଏକ ପୋଖରୀ ତିଆରିବାରେ ବ୍ୟସ୍ତ ଥିଲେ। ସେପଟରେ ଗୁଡୁମ୍ ବଳିଆର ସିଂହର ଝିଅ କନ୍ୟା କାନରେ କହିବାର ଶୁଣାଗଲା- ଆଲୋ ମିତ, ସେ ଜୁଲାପ ଶିଶିଟା ଫିଙ୍ଗିବୁନି। ପୁଣି କିଏ ଯୌତୁକ ଲୋଭୀ ରାକ୍ଷସ ଆସିଲେ କାମରେ ଆସିବ। ତେଣେ ମହାଜନ ଓ ପୁରୋହିତ ପିଚକାରୀ ମାରିବାରେ ନିଶ୍ଚୟ ବ୍ୟସ୍ତ ଥିବେ। ପୋଖରୀ ଭିତରେ ଶରୀରର ଅର୍ଦ୍ଧାଂଶ ବୁଡାଇ ଦୁଇଟି ବ୍ୟଥିତ ଆତ୍ମା ମନେମନେ ଭାବୁଥିଲେ, ଆଚ୍ଛା କନ୍ୟା ଦେଖା ହେଲା ଆଜି।


Rate this content
Log in

Similar oriya story from Comedy