କମିସନ୍
କମିସନ୍
" ପ୍ଲିଜ୍ ସେଭ୍ ମାଇଁ ବାପା .. ... ଅଜା. ପ୍ଲିଜ୍ " ,ଏତିକି ହି ଲେଖିପାରିଥିଲି ସେଇ କିଲିବିଲି ମୂହୁର୍ତ୍ତ ଟିରେ ।
ହଁ, ସେମିତି ହି ତ ଲାଗୁଥିଲା ଯେମିତି ଏହିକ୍ଷଣି ମୋ ମୁଣ୍ଡ ଫାଟି ଦଶ ଖଣ୍ଡ ହେଇ ଭୂପତିତ ହେବ ଅଚିରେ । ରାତି ଦୁଇ ,ସାଢେଦୁଇ ବାଜିଥାଇପାରେ ..... ଏ ମେଡିକାଲ ବଖରା ଟିରେ ଡାକ୍ତରଖାନା କାଠ ଚୌକି ଟିକୁ ଡେରା ଦେଇ ମୁଁ ଝୁଲିଥାଏ ଅଧା ନିଦ ଅଧା ଭୟରେ । ଏକ ରହସ୍ୟମୟ ଅନ୍ଧାରର କୁହେଳିକା ବଖରା ସାରା ଖେଳେଇ ହେଇ ଘୁରୁଥାଏ ,ଡିମ୍ ପାୱାର୍ ଡୁମ୍ ହଳଦିଆ ବଲବ୍ ଟିଏ ଜଳୁଥିବା ସତ୍ବେ । ସର୍ବନିମ୍ନ ସେତିକି ଯଥେଷ୍ଟ ମନରେ ଘର କରିଥିବା ଗୋଡ ନଥିବା ଡର ସବୁକୁ ଜୀଏଁଇଦବା ପାଇଁ, ଚଲେଇବା ପାଇଁ ଆଖି ପାଖରେ ମୁହଁ ନଦିଶିଲା ପରି ।
ସଁ ସଁ ସଁ ସଁ ଅଅଁ ..... ଶବ୍ଦ ରେ ଚମକି ପଡି ଝଟକାଏରେ ଉଠିପଡି ଦେଖେ ମେଡିକାଲ ବେଡ୍ ଉପରେ ବାପା ନଇଁ ପଡିଛନ୍ତି ଆଉ ତାଙ୍କ ଉପର ତଳ ଓଠ ଦୁଇଟି ବାହାରକୁ ଓହଳି ପଡି ଗଳଗଳ ନାଳ ଗଳେଇ ସଁ ସଁ ସଁ ସଁ ଶବ୍ଦ ଟି ଡରଉଛି ।
ପାଦତଳୁ ମାଟି ଖସିଗଲା କିଛି ନ ଜଣେଇ । ପଚାରିଲାନି ବି କି ,ଖସୁଛି ଠିଆ ହେଇ ପାରିବୁ ତ ??
_ ବାପା, ବାପା, ବାପା କଣ ହଉଛି ବାପା ,ବାପା ବାପା । ହେ ଜଗନ୍ନାଥେ ମୁଁ କଣ କରିବି?? ବାପା ବାପା । ଆଉଜି ପଡିଥିଲେ ବାପା ମୋ କୋଳକୁ ,ଲାଗୁଥିଲା ଅତଳ ଶିଉଳି ପାଣି ଭିତରେ ମୁଁ କାନ୍ଦୁଣୁମାନ୍ଦୁଣୁ ।
ବାହାର ଚେୟାର ରେ ଘୁମେଇପଡିଥିବା ମୋ ମାମୁଁ ଆଉ ସାନ ଭାଇ ଧାଇଁ ଆସିଲେ । ଦୀର୍ଘ ମାସେ ପାଖାପାଖି ହେଲାଣି ଏଇଟି ଆମର ଘର ହେଇଛି । ପଡିଛୁ ଏଇଠି, ବାପା ଶାରିରୀକ ଆଉ ଆମେ ମାନସିକ ଭାବେ । ତାଙ୍କ କାନ୍ଧରେ ବାପାଙ୍କୁ ଅଣେଇଦେଇ ଦଉଡିଲି ନର୍ସିଂହୋମ ଯାକ ଏମୁଣ୍ଡୁ ସେମୁଣ୍ଡ , ବାଡେଇଦେଇ ଗଲି ଗୋଟି ଗୋଟିକି ଉପର ଫ୍ଲୋର୍ ରେ ଥିବା ନର୍ସ ଦିଦି ମାନଙ୍କ କବାଟ । ଆଖି ମଳି ମଳି ଜଣେ ଅଧାମେଲା କବାଟ ପଛରୁ ଚିଡଚିଡା ଫୋପାଡି ପଚାଥିଲା ,
_କେତେ ନମ୍ବର ରୁମ୍?????
_ଛ ନମ୍ବର । । । ଟିକେ ଜଲ୍ଦୀ ଆସନ୍ତୁ ଦିଦି ପ୍ଲିଜ୍ । ବିକଳ ହେଲି ।
_ତଳେ ଅଛନ୍ତି ତମ ନର୍ସ । ତାଙ୍କୁ ଡାକ । ସବୁବେଳେ ଏମାନେ ଖାଲି ଛାନିଆ । ମରିବ ତ ମରିବ, ବଞ୍ଚିଆର ଥିଲେ ବଞ୍ଚିବ । ଏତେ କାଉଳା କିଆଁ ।
ଧଡ୍ କି ମୁହଁ ରେ ଦୁଆର ପଡିଗଲା ।
ପୁଣି ଧାଇଁଲି ଚାରିତାଲା ରୁ ତଳକୁ ,ଖୋଜି ଖୋଜି ପାହାଚ ତଳ ଛୋଟିଆ ରୁମ୍ ଟିରେ କରାଘାତ କଲି । ଧମ୍ ଧମ୍ ଧମ୍ ।
ଶହେ ଡାକ ପରେ ଫିଟିଲା ପହଡ । ନିଧଡକ ଟିମିଣି ଦିଦି ଟି ଏକରକମ ଖେଙ୍କାରିଲା ।
_ କଣ ହେଲା??? ରାତି ଅଧିଆ ବାଉଳିଚାଉଳି କାଇଁ ହେଲ??? କଣ ଛ ନମ୍ବର???
_ହଁ ଦିଦି ଟିକେ ଶିଘ୍ର ଆସ । କଣ ହେଇଯାଉଛି ମୋ ବାପା ଙ୍କର । ଶିଘ୍ର ଟିକେ ।
ମୁଁ ଯେତେ ବିବ୍ରତ, ସେ ବିପରୀତ ଶହେ ରୁ ଶହେ ସେତେ ଅସହ୍ଯ ଭାବେ ଥଣ୍ଡା ପ୍ରତିକ୍ରିୟାଶୀଳ । ଆଶ୍ଚର୍ଯ୍ୟ । ବୋଧେ ସବୁଦିନିଆ ବୋଲି ଦେହସୁହା .... କିନ୍ତୁ ମୋର ତ ତଣ୍ଟିଠି ଜୀବନ ଅଟକିଲା ପରି ବୋଧ ହେଉଥାଏ ।
_ ହଁ ଚାଲ । ଆସୁଛି । ସେମିତି ହେଲେ କଣ ହବ ??? ଡାକ୍ତର ତ ଦେଖିକି ଯାଇଥିଲେ । ଟାଇମ୍ ରେ ଟାବ୍ଲେଟ୍ ଦେଇଛ ।
_ସବୁ କରିଛି । ତମେ ଶିଘ୍ର ଚାଲ ।
ମୋର ଯଦି କିଛି ଅଦୃଶ୍ୟ ଓ ଅସାଧାରଣ ଶକ୍ତି ଥାନ୍ତା ତାକୁ ଉଠେଇ ଆଣି ପହଞ୍ଚେଇ ଦେଇ ପାରନ୍ତି । ଈଶ୍ବର ବି ବିବଶ କରିଖିଛନ୍ତି ଅସରନ୍ତି ସିମୀତତା ଭିତରେ ଗଣ୍ଠି ପକେଇଦେଇ ।
ପାହାଚ ଏମିତି ଚଢୁଥାଏ ଯେମିତି କାଲି ପହଞ୍ଚିଲେ ବି ଅଡୁଆ ନାହିଁ । ଅଣନିଶ୍ବାସୀ ଲାଗୁଥାଏ ମତେ ।
ମୋ ସାନଭାଇ ବି ମତେ ଖୋଜିବାକୁ ତଳକୁ ଆସୁଥାଏ । ମାମୁଁ ବ୍ଯସ୍ତ ବିବ୍ରତ । ସବୁ ଦିଅଁ ଦେବତାଙ୍କୁ ଡାକୁଥାନ୍ତି ଠିକ୍ ବୋଉ ପରି ।
ବି ପି ମନିଟରିଂ ମେସିନ୍ ଟି ବାଁ ପଟ ହାତରେ ଗୁଡେଇ ଦେଇ ପମ୍ପ ଭରିଲା ମୁଠା ମୁଠା କି । ଆଉ ଥରେ । ଆଉ ଥରେ । ଆମେ ସବୁ ଜଡ ପରି ଚାରିପଟେ ଯୋଡହସ୍ତ । ସତେକି ସେ ଦେବୀ ଓ ଏଇ ମୂହୁର୍ତ୍ତ ଟିରେ ସେ ହିଁ ଜୀବନଦାତ୍ରୀ । ସିଧା ମୁହଁ ଟେକିକି କହିଲା,
_ ୬୦୵୫୦ ଏମିତି କେମିତି ହେଲା । ଲୁଣ ଲେମ୍ବୁ ପାଣି କରି ଦିଅ । ଡେରେଇକି ବସାଅ । ଆଉ ଅଧଘଣ୍ଟା ରେ ଉ ଥରେ ମାପିବା ।
ସେ ବି ଡରିଯାଇଥିଲା ଏବେ ଠିକ୍ ମୋ ପରି । ତାକୁ ବି ତା ବାପା ମନେ ପଡିସାରିଥିଲେ । ସେ ହିଁ ଲୁଣ ଲେମ୍ବୁ ପାଣି କରି ଆଣିଲା, ମୁଁ ପେଇଦେଲି ଧିରେ ଧିରେ । ଜଗିରହିଲୁ ଚାରିହେଁ ରଜନୀ ଶେଷ ପ୍ରହର ଯାଏ ।
ସେମିତି ନିଶ୍ଚଳ, ହୁଁ ଚୁଁ ନାହିଁ ବସିଥାନ୍ତି .....ମୋ ସଦା ଚଞ୍ଚଳ ଓ ହସୁଥିବା ବାପା ।
*************************************
ଭୋର ଅନ୍ଧାରୁ ସାଇକେଲ ଛୁଟେଇ ପହଞ୍ଚିଲି ଭାରତର ପ୍ରସିଦ୍ଧ ଡଃ ଭବାନୀଶଙ୍କର ଦାସ ( ମୁଖ୍ଯ ଓ ଡାରେକ୍ଟର,ନିୟୁରୋଲୋଜି ଓ ନ୍ଯିରୋସର୍ଜରୀ ,ନିମ୍ହାନ୍ସ, ବାଙ୍ଗାଲୋର) ଙ୍କ ସୁଦୃଶ୍ଯ ମନୋରମ ଠିକ୍ ଆମ ଘରସାମ୍ନା ଅଟ୍ଟାଳିକା ପାଖରେ । ଯୋଗକୁ ସେ କଟକରେ ଥାନ୍ତି । ମୁଁ ଜାଣିଥାଏ। ଠାକୁର କୃପା ରୁ ମିଳିଗଲେ ।
ତାଙ୍କ ଆଲ୍ସିସିଆନ୍ 'ସ୍ପାଇସି 'ଘୁମନ୍ତ ଅବସ୍ଥା ରେ ମତେ ଆବିଷ୍କାର କରି ଆଗେ ଡାହାଳ ହାଉ ହାଉ କରି ଭୁକିଉଠିଲା । ପରେ ଚିହ୍ନା ମୁହଁ ଟି ଠଉରାଇ ପୁଣି ଜୁକିଜାକି ହୋଇ ଫେରିଗଲା ତା ସ୍ବପ୍ନ ର ଅଧାଚଟା ହାଡଖଣ୍ଡ ପାଖକୁ ।
ସେ ଗତ ରାତିରେ ମୋ ସନ୍ଦେଶ ଟି ପାଇ ବ୍ଯସ୍ତ ହୋଇପଡିଥିଲେ ଯେ କିଏ ଏପରି ଲେଖିଛି। ମତେ ଦେଖି ବୁଝିଗଲେ । କହିଲେ ଚାଲ୍, ଚାଲ୍ । ଗାଡିରେ ବସ୍ । ବାପା କୋଉଠି???? ମୁଁ କହିଲି ଆଇଡିଆଲ୍ ନର୍ସିଂ ହୋମ୍ ରେ । ରାଣୀହାଟ । ରାସ୍ତା ରେ ରାତିର ସବୁ ବିବରଣୀ ସବିଶେଷ ରେ ଦେଇଦେଲି ଆଉ କିଛି ବାଟ ନ ପାଇ ଆପଣଙ୍କୁ ଏମିତି ଲେଖିଦେଲି ବୋଲି ଜଣେଇଲି ।
ଯଥାଶିଘ୍ର ପହଞ୍ଚି ସାରିଥିଲୁ, ବାପା ହାତ ଯୋଡି ସ୍ବାଗତ କରୁଥିଲେ ଡଃ ଅଜାଙ୍କୁ ।
_ କେମିତି ଅଛନ୍ତି??? ଏବେ ଭଲ ଲାଗୁଛି ଟିକେ?? ଦେଖି ରେ କଣ ରିପୋର୍ଟ, ମେଡିସିନ୍ ସବୁ । କିଏ ଦେଖୁଛନ୍ତି ଏବେ????
ହାତକୁ ବଢେଇଦେଲି ।
ଦେଖିସାରି କହିଲେ ,ଏଇ ଟାବ୍ଲେଟ୍ ଟା ଦିଆଯିବନି । କିଏ କହିଛି??? କାହିଁକି ???? ଆଉ ଏ ରିପୋର୍ଟ ପୁରା ଓଲଟା .... ରାଇଟ୍ କୁ ଲେଫ୍ଟ କରି ଇସିଜି କଲା କିଏ ???? କେମିତି ଜାଣି ପାରିଲେନି କାର୍ଡିଓଲୋଜିଷ୍ଟ????ଏମିତି କରି ହଇରାଣ କରୁଛନ୍ତି ।
ନାଲି କଲମ ପକେଟ ରୁ କାଢି ଭୁଲ୍ ଯାଗା ରେ ଗୋଲ ବୁଲେଇଦେଲେ, ପିଲାଙ୍କ ଭୁଲ୍ ଧରିଲାପରି । ଆମେ ସେ ଝିକ୍ଝିକିଆ ତଳଉପର ବିଜୁଳି ଗାରରୁ କଣ ବୁଝିବୁ ଭଲା ।
ଅସନ୍ତୋଷ ଭିତରେ ସଂପୃକ୍ତ ଡାକ୍ତରଙ୍କୁ ଫୋନ୍ କରି ଜେରା ବି କଲେ ,ଓ ସବୁ ମେଡିସିନ୍ ବଦଳାଇ ତୁରନ୍ତ ଡିସ୍ଚାର୍ଜ ବ୍ଯବସ୍ଥା କଲେ । କହିଲେ ,ଆଉ ଦି ଦିନେ ଘରକୁ ନେଇଚାଲ୍। ମୁଁ ଆସିବି ଅବ୍ଜର୍ବେସନ୍ ପାଇଁ । ଅଜଥା ରେ ଏଠି ମାସେ ହେଲା କାଇଁ ପଡିଛୁ ??? ଆଗରୁ କାହିଁକି ଜଣେଇଲୁନି । ଘରେ ଜତ୍ନ ରେ ରଖ । ଯାହା ଟ୍ରିଟ୍ମେଣ୍ଟ ହବା କଥା ସରିଛି । ଏବେ କେବଳ ରେଷ୍ଟ,ପଥି, ବାୟାମ ଓ ଔଷଧ ସମୟାନୁଯାୟୀ ।
ଫେରିଗଲେ ।
ପରେ ଶିଖେଇଥିଲେ ଅନେକ ଅଜଣା ତଥ୍ଯ ଓ ବାୟାମ ବ୍ରେନ୍ ଷ୍ଟ୍ରୋକ କୁ ନେଇ । ଚିରକୃତଜ୍ଞ ତାଙ୍କ ଠି ।
********
ବାପା ଙ୍କର କାମ ସାରି ମାମୁଁ ଙ୍କୁ ବାପା ଙ୍କ ପାଖରେ ଛାଡି ଭାଇ ଗଲା ଘରକୁ .... ଆଉ ମୁଁ ଗଲି ସେ ଡାଇଗୋନିଷ୍ଟିକ ସେଣ୍ଟର କୁ ଇସିଜି ରିପୋର୍ଟ ସହ । ମାମୁଁ ବାହାରୁଥିଲେ ଦିଟା ଉତ୍ତମ ମଧ୍ୟମ ଦବା ଉଦ୍ଦେଶ୍ୟ ରେ । ବାପା ରୋକିଲେ । କହିଲେ ଯାହା ହବାର ତ ହେଲାଣି, ଗଣ୍ଡଗୋଳ କରି କଣ ଲାଭ?? ପୁଣି ଏ ବେଳରେ । ଥାଉ ।
ଇଛ୍ଛା ତ ଥିଲା କଣ ବୋଲି କଣ କହିବାକୁ କିନ୍ତୁ ଏତିକି ପାରିଲି ।
ଖାଲି କହିଲି ତୁମ ରିପୋର୍ଟ ଯୋଗୁଁ ମୋ ବାପା ଚାଲିଯାଇଥିଲେ । ଦୟାକରି ଏ ସବୁ ବନ୍ଦ କର । ପେସେଣ୍ଟ ମାନଙ୍କ ଭରସାରେ ବିଷ ଦିଅନା । ମୋ ଶ୍ବାସରୁଦ୍ଧ, ବାକ୍ ରୁଦ୍ଧ ହୋଇ କୋହ ଫାଟି ପଡିବା ଆଗରୁ ସେ ଭଙ୍ଗାଭୁଲ୍ ରିପୋର୍ଟ ଟି ଫୋପାଡି ତା ଟେବୁଲ ରେ ମୁହଁ ବୁଲାଇ ଫେରିଆସିଲି ଘୃଣାରେ ।
କାନରେ ପଡିଲା ସେ କହୁଛି, ତମ ପଇସାଟା ନେଇଯାଅ ।
ଆଉ ସଂପୃକ୍ତ ଡାକ୍ତରଙ୍କ ଉକ୍ତି ହେଲା, ନୂଆ ଟେକ୍ନିସିଆନ୍ ପିଲା ତ । ବୋଧେ ଜାଣିପାରିନି । ହଉ ତମର ତ ଆମ ସାର୍ ଚିହ୍ନା । ଆଉ କଣ ଅସୁବିଧା ।
ବିଚିତ୍ର ସଫେଇ । ବାଃ ।
**********
ଘରେ କିନ୍ତୁ ବାପା କହିଲେ ସେଦିନ ରାତିରେ ସେ ଶରୀର ରୁ ବାହାରି ସାରିଥିଲେ କି ମୋ ସ୍ବର୍ଗତ ଜେଜେବାପା ଆସି ତାଙ୍କୁ ଜଗିବସିଲେ ଆଉ ମୁଣ୍ଡ ଆଉଁସି ଆଉଁସି କଷ୍ଟ ରୁ ରକ୍ଷା କଲେ ।
ବିଶ୍ବାସ ର କଥା ।