Satyabati Swain

Drama Tragedy

3  

Satyabati Swain

Drama Tragedy

କଳଙ୍କିନୀ

କଳଙ୍କିନୀ

8 mins
214



ସେ ଶବ କି ମଣିଷ ବୁଝିବା ମୁସ୍କିଲ।


ଯାହା ପଚାରିଲେ ଶୁଖିଲା ହସ ଟିଏ ଅବଜ୍ଞାରେ ଫୋପାଡି଼ ଦିଏ।


କାହାକୁ ଖାତିରି ନାହିଁ କି କାହାକୁ ଅଶ୍ରଦ୍ଧା ନାହିଁ।


ତା ସେଲ୍ ରେ ଥିବା କଏଦୀ ମାନେ ତା ପାଟିରୁ ପଦେ କଥା ବାହାରିବା କେହି ଶୁଣିନି ଏଯାଏ।


କିନ୍ତୁ ତା ଜୀବନ ଚର୍ଚ୍ଚା ଖୁବ୍ ଶୃଙ୍ଖଳିତ। ଘଣ୍ଟା କୌଣସି କାରଣରୁ ଖରାପ ହୋଇ ବିଶ୍ରାମ ନେଇ ପାରେ।ସୂର୍ଯ୍ୟ ମେଘ ଢଙ୍କା ପାଇଁ ହୁଏତ ଘଣ୍ଟାଏ ଦି ଘଣ୍ଟା ପରେ ସକାଳ ହେଲା କହି ମୁହଁ ଦେଖାଇ ପାରନ୍ତି: କିନ୍ତୁ ସେ ଏତେ ସମୟାନୁବର୍ତ୍ତି ଯେ ତାର ଗାଧୋଇବା,ଫୁଲ ତୋଳିବା,ମାଳ କରି ତା ମୁଣ୍ଡ ପାଖେ ଥୋଇଥିବା ଶ୍ରୀକୃଷ୍ଣ ଙ୍କ ଫଟୋ ତଥା ଜେଲରେ ଥିବା ଗଣେଶ ଙ୍କ ମୂର୍ତ୍ତୀରେ ଦେବାରେ କେବେ ବ୍ୟତିକ୍ରମ ଦେଖା ଯାଇନି।


ନୂଆ ନୂଆ ଚାକିରି।ଅନୁଭୂତି ବି ସେମିତି ରୋମଞ୍ଚକର।


ମୁଁ ଏଠି ନୂଆ ଚାକିରି ଜାଏନ୍ କରିଛି।ଏଠାରେ ଦୁଇ ବର୍ଷ ହେବ ଜେଲର ଅଫିସରୁ ନିଯୁକ୍ତି ପାଇଛି।ଛବିଶି ବର୍ଷର ଯୁବକ ମୁଁ।ମୋ ହୃଦୟରେ ସମସ୍ତ କଏଦୀଙ୍କ ପାଇଁ ଗୁଡାଏ ଅନୁକମ୍ପା।ଅନ୍ୟ ଜେଲରଙ୍କ ପରି ମୋର ଆଚରଣ କି ଉଚ୍ଚାରଣ ନୁହେଁ।ମୁଁ ଖୁବ୍ ସ୍ନେହୀ ପ୍ରକୃତିର। ଭାରି ଇଚ୍ଛାହୁଏ ପ୍ରତି କଏଦୀଙ୍କ ଜୀବନ ବିଷୟରେ ଜାଣିବାକୁ।ଲେଖା ପଢ଼ା ମୋର ଭାରି ପସନ୍ଦ।କମ୍ପିଟେଟିଭ୍ ପରୀକ୍ଷା ବି ଦେଉଛି ଅନ୍ୟ ଜବ୍ ପାଇଁ।


ଏ ଜେଲର୍ ଅଫିସର୍ ହେବାକୁ ମୋର ଇଚ୍ଛା ନାହିଁ।ପ୍ରତିଦିନ କେହି ନା କେହି ଅପରାଧୀ ଦେଖିବାକୁ ମୋ ଆତ୍ମା ସ୍ୱୀକୃତି ଦିଏନି। ସବୁଠୁ ବଡ଼ କଥା ଦୋଷ ନ କରି ବି ଅନେକ କଏଦୀ ଏଠି ସଜ୍ଜା ଭୋଗନ୍ତି।ମୁହଁ ଦେଖି ପଢି ହୋଇଯାଏ ସେମାନଙ୍କ ଭିତର।


ମୁଁ କଏଦୀ ମାନଙ୍କ ପାଇଁ ପ୍ରତିଦିନ କିଛି କାର୍ଯ୍ୟକ୍ରମ କରିଛି।ଏମିତିରେ କେହି ତ ବସନ୍ତି ନାହିଁ।ଖଟିବାକୁ ପଡେ ଏମାନଙ୍କୁ।କିନ୍ତୁ ସନ୍ଧ୍ୟାରେ ସମସ୍ତ କଏଦୀ ଗଣେଶ ଠାକୁରଙ୍କ ପାଖେ ଏକାଠି ହୁଅନ୍ତି।ସମବେତ ପାର୍ଥନା କରା ଯାଏ। ତାପରେ ରୁଚି ଅନୁଯାୟୀ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲେ ରାତ୍ରୀ ଭୋଜନ ପର୍ଯ୍ୟନ୍ତ।ପ୍ରାତଃ ସମସ୍ତେ ଅଧ ଘଣ୍ଟାଏ ଲେଖା ଯୋଗ କରନ୍ତି।ପ୍ରତି ରବିବାର ଯୋଗ ପ୍ରାଣାୟମ ସହ ନିଜ ନିଜ ଜୀବନର ଅଭୁଲା ସ୍ମୃତି ମନେ ପକାଇ ଗୀତ, ସଙ୍ଗୀତ, କଥା

,କବିତା,ଗପ ,ମନୋଆକ୍ଟିଂଗ,ଚିତ୍ର ,ସଂଳାପ ,ଏକାଙ୍କିକା ମଧ୍ୟରେ ପରିବେଷଣ କରନ୍ତି ହଲ୍ ରେ।


ମୁଁ ଅନୁଭବ କରେ କିଛି କଏଦୀ ଏଇଟା ଗୋଟେ ତୁଚ୍ଛା ଫାର୍ଶ ଭାବନ୍ତି।କିନ୍ତୁ ହାତ ଗଣତି କେଇ ଜଣ ପ୍ରକୃତ ଅସାମାଜିକଙ୍କୁ ଛାଡିଦେଲେ ଅନ୍ୟ ମାନେ ରବିବାର ଟିକୁ ଚାତକ ପରି ଅନେଇଁ ରହିଥାନ୍ତି ନିଜକୁ ପ୍ରକାଶ କରିବାକୁ।ଜେଲର ଚାରିକାନ୍ଥ ପୃଥିବୀ ଭିତରେ ଅଣ ନିଃଶ୍ଵାସୀ ଜୀବନରୁ ଟିକେ ମୁକ୍ତ ହୋଇ ଖୁସି ହୋଇ ହାଲକା ହେବାକୁ।ଏହା ଭିତରେ ଅନେକ ବନ୍ଧୁ ହୋଇ ଗଲେଣି।କିଏ କବିତା ସଂଳାପ ଲେଖୁଛନ୍ତି ତ କିଏ ତାକୁ ଏକାଙ୍କିକା ମାଧ୍ୟମରେ ପରିବେଷଣ କରୁଛନ୍ତି।କିଏ ଚିତ୍ର କି ଗପ ମାଧ୍ୟମରେ ନିଜ ଲୁକାୟିୟ ପ୍ରତିଭା ପ୍ରଦର୍ଶନ କରି ଖୁବ୍ ଖୁସି ଗୋଟାଉଛନ୍ତି।


ସବୁଠାରୁ ବଡ଼ କଥା ଆସ୍ତେ ଆସ୍ତେ ଏସବୁ ଭିତରେ ସେମାନେ ନିଜ ଅପରାଧୀ ପ୍ରବଣ ମାନସିକତାରୁ ମୁକ୍ତ ହେଉଛନ୍ତି।


କଏଦୀ ଜୀବନ ସେମାନଙ୍କୁ ବୋଝ ଲାଗୁନାହିଁ।ବରଂ ଏ ବି ଗୋଟେ ଦୁନିଆଁ ଏଠି ବି କିଛି କରିହେବ ଏ ଭାବରେ ସମସ୍ତେ ବଞ୍ଚୁଛନ୍ତି।ମାସିକ ପତ୍ରିକାଟିଏ ବହାରୁଛି ଏଇ ଜେଲରୁ।ପ୍ରତ୍ୟେକ କଏଦୀ ଙ୍କ ପ୍ରତିଭାର ଦିଗ ଉନ୍ମୋଚିତ ହେଉଛି ଏ ପତ୍ରିକା ମାଧ୍ୟମରେ। କିନ୍ତୁ ବାଇଶି ନମ୍ବର କଏଦୀ ଜଣଙ୍କ ଏଥିରେ ବ୍ୟତିକ୍ରମ।ହଲ୍ କୁ ଆସନ୍ତି ଜେଲରଙ୍କ ଆଦେଶ ବୋଲି।ସେମିତି ମାଟିଗଦା ପରି କାନ୍ଥକୁ ଆଉଜି ବସନ୍ତି ଓ ଚାଲି ଯାଆନ୍ତି।


କି ଧକ୍କା ତାଙ୍କୁ ଏଇ ନିଃସଙ୍ଗ ମୁକ ଜୀବନ ଟି ଦାନ ଦେଇଛି ,ଜାଣିବାକୁ ମୋ ଭିତରେ ଖୁବ୍ ଗୋଟେ ଝୁଙ୍କ୍।କିନ୍ତୁ ତାଙ୍କର ତ କୌଣସି କାର୍ଯ୍ୟରେ ଆଗ୍ରହ ହିଁ ନାହିଁ।


ଝିଅ ଅବସ୍ଥାରେ ବାଇଶି ନମ୍ବର କଏଦୀ ଜଣଙ୍କ ଅସାମାନ୍ୟ ସୁନ୍ଦରୀ ହୋଇଥିବେ, ଏହା ନିଃସନ୍ଦେହରେ ବର୍ତ୍ତମାନ ରୂପ ଦେଖି କହିହେବ।ଜୀବନରେ ଜେଲରୁ ଜେଲ ବୁଲି ବୁଲି ଏଇ ଜେଲରେ ରହିଲେଣି ଅନେକ ବର୍ଷ ଜେଲ ରେକର୍ଡ ଯାହା କହୁଛି।ଆଜୀବନ ଜେଲ ଦଣ୍ଡ ହୋଇଛି ପୁଣି ନିଜ ଭାଇକୁ ପନିକି ରେ ହାଣି ହାଣି। 


ବୟସ ତାଙ୍କର ଷାଠିଏ।


ମୋ ବାବାଠାରୁ ବି ବଡ଼ ହେବେ। ଏଇ ନହକା ଅପୂର୍ବ ସୁନ୍ଦରୀ ମହିଳା ଜଣଙ୍କ ନିଜ ଭାଇକୁ ମାରିଥିବେ ! ମୋର ସନ୍ଦେହ ହୁଏ।ଯଦି ବା ମାରିଥିବେ ସେମିତି ଜବରଦସ୍ତ କାରଣଟିଏ ଥିବ ନିଶ୍ଚୟ। କିନ୍ତୁ କଣ ସେ କାରଣ !! ହଁ ଏମିତି ହୋଇଥିବେ ବୟସ ଓ ସମୟ କ୍ରମେ ଅପରାଧୀ ମାନେ ବଦଳି ଯାଉଥିବେ। ସେମାନଙ୍କ ଭିତରୁ ବାଇଶି ନମ୍ବର କଏଦୀ ଟି ଜଣେ ହୋଇପାରେ।ଏମିତି ହୋଇଥିବ ଭାବି ଭାବି ପହଞ୍ଚି ପାରେ ନାହିଁ କୌଣସି ନିଷ୍କର୍ଷ ରେ।ଦୀର୍ଘଶ୍ଵାସ ଟିଏ କେବଳ ବାହାରେ ମୋ ଭିତରୁ।


ନୂଆ ଚାକିରି ,ଅପରାଧୀଙ୍କ ଗହଣ ଆଉ ମୋ ଯୁବ ସୁଲଭ ପ୍ରାଣ ,ମୋତେ ଆକ୍ତା ମାକ୍ତା କରନ୍ତି। କେଜାଣି ସେଇ ବାଇଶି ନମ୍ବର ପରି ସରଳ ଗୁମ୍ ସୁମ ନିରୀହ କଏଦୀମାନଙ୍କୁ ଦେଖିଲେ ମୋ ଭିତରେ ଗୋଟେ ଆଲୋଡନ ସୃଷ୍ଟି ହୁଏ। ଜେଲ ର ଷ୍ଟାପମାନେ କଏଦୀଙ୍କୁ ସେମାନଙ୍କ ନମ୍ବର ଅନୁସାରେ ଡାକନ୍ତି, ଯେଉଁଟା ମୋର ପସନ୍ଦ ନୁହେଁ। ମୁଁ ନାଁ ଅନୁସାରେ ଡାକେ।


ଏଣୁ ବାଇଶି ନମ୍ବର କଏଦୀଙ୍କୁ ଡାକେ ସୁଧା ମା।


ମୁଁ ଲକ୍ଷ୍ୟ କରିଛି ସୁଧା ମା କେମିତି ଅଛ, ପଚାରିଦେଲେ ତାଙ୍କ ଆଖି ଖୁସିରେ ଭର୍ତ୍ତୀ ହୋଇଯାଏ।ସେ ଟିକେ ସ୍ମାଇଲ ଦିଅନ୍ତି।ତାଙ୍କ ପଢିବା ଆଗ୍ରହ ଦେଖି ତାଙ୍କୁ ପ୍ରାୟତଃ ନୂଆ ନୂଆ ବହି ମୁଁ ନେଇ ଦିଏ।


ହଠାତ୍ ଦିନେ ଗୋଟିଏ ମାଗାଜିନର ଗପ ଦେଖି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ।ମୁଁ ଆଚମ୍ବିତ ହୋଇଗଲି ! ମାଗାଜିନ୍ ଏଗାର ପୃଷ୍ଠାଟି ଧରି ଏମିତି କାନ୍ଦୁଛନ୍ତି କଣ? ମୋତେ ଆଶ୍ୱସ୍ତ ଟିକେ ଲାଗିଲା ଏତେ ଦିନ ପରେ ତାଙ୍କ କାନ୍ଦ ହେଉ ପଛେ ଶବ୍ଦ ତ ଶୁଣି ହେଲା ! 


ତାଛଡା ଏତେ ବର୍ଷ ଚୁପ୍ ରହିଲେଣି,କାନ୍ଦନ୍ତୁ ଉଶ୍ୱାସ ଲାଗିବ।ନଚେତ କେଉଁଦିନ ଛାତି ଫାଟିଯିବ।କଏଦୀ ଟିଏ ମଲେ କାହାର କଣ କ୍ଷତି ହେବ କି? ଘୃଣା ଅଲୋଡା ସମାଜର ଅନିଷ୍ଟକାରୀ ଜୀଵ ଗୁଡା।ମରନ୍ତୁ। କାହା ଭିତର ପଢିବା ପାଇଁ ଆଖି,ମୁହଁ କି ଲୁହ ବି ଯଥେଷ୍ଟ। ମୁଁ ଯେମିତି ବାଇଶି ନମ୍ବର କଏଦୀ ପଛରେ ପଡି ଯାଇଥିଲି।ତାଙ୍କ ଅତୀତ ଜାଣିବାକୁ ମୋ ଭିତରେ କେହି ଉସ୍କାଉଥିଲା। ତେବେ ମାଗାଜିନ୍ ଗପଟି ଦେଖି ତାଙ୍କର ଏ ରିୟାକ୍ସନ କାହିଁକି? ତେବେ ଗପ ନାଁ ଟା ସହ କଣ ତାଙ୍କର ସମ୍ବନ୍ଧ !


କଳଙ୍କିନୀ ଥିଲା ଗପଟିର ନାଁ।


ଏଇ କଳଙ୍କିନୀ ଶବ୍ଦ ସହ ସୁଧା ମାଆଙ୍କର କିଛି କନେକ୍ସନ ଅଛି ଏ କଥା ମୁଁ ସିଓର୍ ହୋଇଗଲି।


ତାପର ଦିନ ଭୋର ଚାରିଟାରୁ ଜଣେ ଷ୍ଟାପ ଫୋନ୍ କଲେ ତୁରନ୍ତୁ ଆସନ୍ତୁ ସାର୍।ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜେଲରେ ଚାପା ଉତ୍ତେଜନା। ଗହଳି ବି। କଣ ହୋଇଛି ? ଜେଲରେ ଏମିତି ଅସ୍ୱାଭିକ ପରିସ୍ଥିତି ! ବାଇଶି ନମ୍ବର କଏଦୀ ଚିଲେଇ ,ମୁଣ୍ଡ ବାଡେଇ ବାଡେଇ ଫେଟେଇ ଦେଇଛି।ଏବେ ତ ଦେହରେ ଆଉ ବଳ ନାହିଁ।ନିସ୍ତେଜ ହୋଇ ଜେଲ କୋଠରୀରେ ଚାରିକାତ ଳମ୍ବେଇ ପଡିଛି।ଧୀରେ ଧୀରେ କହୁଛି ମୁଁ ବଂଶର କଳଙ୍କ ନୁହେଁ। ମୁଁ ଗାଁର କଳଙ୍କ ନୁହେଁ।ମୁଁ କଳଙ୍କିନୀ ନୁହେଁ। ଖୁବ୍ କଷ୍ଟ ଲାଗିଲା ମୋତେ କାହିଁକି ମାଗାଜିନ୍, ପେପର୍ ଓ ବହି ସମସ୍ତଙ୍କୁ ପଢିବାକୁ ଦେଉଥିଲି ! ମୁଁ ସୁଧା ମାଙ୍କ ସେଲ ଭିତରକୁ ଗଲି।ଅନ୍ୟ ମାନେ ବାରଣ କରୁଥିଲେ ଯାଆନ୍ତୁନି ସାର୍ ସେ ପାଗେଳି ହୋଇ ଯାଇଛି।ତା ପାଖକୁ ଯିଏ ଗଲେ କାମୁଡି ପକାଉଛି।ଚଣ୍ଡି ହୋଇ ଯାଇଛି ସେ। ମୁଁ କିନ୍ତୁ ଗଲି।ତାଙ୍କ ମୁଣ୍ଡରେ ଯେମିତି ହାତ ମାରି କହିଛି ତୁମେ କଳଙ୍କିନୀ ନୁହଁ ସୁଧା ମା।


ଓଃ ସେ ଶତ ସିଂହର ବଳ ନେଇ ଉଠିବାକୁ ଚେଷ୍ଟା କଲା ମୋତେ ଆକ୍ରମଣ କରିବାକୁ।ଏତେ ଶାନ୍ତ ସ୍ୱଭାଵ ଧୀର ସ୍ଥିର ମହିଳା ଜଣକ ଉଠି ପଡି ମୋତେ ପୁଳା ପୁଳା କାମୁଡି ଥିଲେ। ମୁଁ ମୋର ସମସ୍ତ ବଳ ପ୍ରୟୋଗ କରି ତାଙ୍କୁ ଅକ୍ତିୟାର କରି ଠାଏ ଠାଏ ଚାପୁଡ଼ା ଦିଟା କଷି ଦେଇ ତାଙ୍କୁ ଛାତିରେ ଜାବୁଡି ଧରି କହିଲି ତୁମେ କଳଙ୍କିନୀ ନୁହଁ । ତୁମେ କଳଙ୍କିନୀ ହୋଇ ପାରନା।


ସେ କାନରେ ହାତ ଦେଇ ଚିତ୍କାର କଲେ ମୁଁ କଳଙ୍କନୀ ନୁହେଁ।ନା ନା ମୁଁ କଳଙ୍କିନୀ ନୁହେଁ। ସେ ମୋ କଥା ଶୁଣି ପାରୁ ନଥିଲେ।କେବଳ ତିନୋଟି ଅକ୍ଷର ସୁଧା ମାଙ୍କ କାନରେ ପ୍ରତିଧ୍ୱନିତ ହେଉଥିଲା।


ଓଃ ଏତେ ଶକ୍ତି ଏ ଶବ୍ଦରେ ! କାନ ନୁହେଁ ଛାତିକୁ ଫଟେଇ ଦେଉଥିଲା ଯେମିତି।ସୁଧା ମା ମୁଁ କଳଙ୍କିନୀ ନୁହେଁ କହି କାନ୍ଥରେ ଠୋ କରି ମୁଣ୍ଡ ବାଡେଇ ଦେଲେ।ତଳେ ବସି ପଡ଼ି ଚଟାଣକୁ ବାଡେଇ କହୁଥିଲେ ମୁଁ କଳଙ୍କିନୀ ନୁହେଁ କହି କାନ୍ଥକୁ ବାଡ଼ଉ ବେଚେତା ହୋଇ ତଳେ ପଡି ଯାଉ ଯାଉ ମୁଁ ଧରି ନେଲି। ଅନେକ ବର୍ଷ ଧରି ସାଇତି ରଖିଥିବା ଲୁହ ଗୁଡା ଚଟାଣ ଭିଜେଇ ଦେଇଥିଲେ।ମୁଁଣ୍ଡ ଫାଟି ସର୍ ସର୍ ରକ୍ତ ବୋହି ଚଟାଣ ଲହୁରେ ମିଶି ଯାଉଥିଲା।ବେହୋସ୍ ସୁଧା ମାଙ୍କୁ ଆମ୍ବୁଲାନ୍ସ କୋଳେଇ ନେଇ ଦୌଡୁଥିଲା ହସ୍ପିଟାଲ୍।


ମୁଁ ବି ଇଞ୍ଜେକ୍ସନ ନେଲି।ମଣିଷ କାମୁଡା ନା।


ହସ୍ପିଟାଲ ବେଡ୍ ରେ ସେ ଶୋଇଥିଲେ ନିଶ୍ଚଳ ହୋଇ। ମୁଁ ଓ ଦୁଇ ଜଣ ଷ୍ଟାପ ଆମେ ବେଡ୍ ଧାରାରେ ବସି ଥିଲୁ।ସୁଧା ମାଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲା ଯନ୍ତ୍ରଣା ଓ ଅସନ୍ତୋଷର ଛବି। ମୁଁ ଘରକୁ ନ ଫେରିବାରୁ ବାବା ବ୍ୟସ୍ତ ହୋଇ ହସ୍ପିଟାଲ୍ ଆସିଲେ କେଉଁ ଅପରାଧୀ ପାଇଁ ମୋର ଏତେ ଆନୁଗତ୍ୟ ,ବ୍ୟସ୍ତ ବିବ୍ରତ ଓ ଦରଦ ଭାଵ ଦେଖିବାକୁ।ବେଡ୍ ରେ ସୁଧା ମା ଙ୍କୁ ଦେଖି ବାବା ଟିକେ ବିଚଳିତ ହୋଇ ପଡିଲେ।ମୋ ପୋଲିସିଆ ଆଖି ଧରି ନେଲା ବାବାଙ୍କ ଭାଵ।


ଆପଣ କଣ ୟାଙ୍କୁ ଚିହ୍ନନ୍ତି ବାବା ?


ଖନି ମାରିଗଲା ବାବାଙ୍କ ପାଟି।ଟିକେ ଗମ୍ଭୀର ହୋଇ କହିଲେ ଇଏ ଖୁସି ପୁରର ସୁଧାମୟୀ ମିଶ୍ର କି !


ହଁ ବାବା ,ଆପଣ କେମିତି ଜାଣିଲେ ?


ଆଜକୁ ଠିକ୍ ଛବିଶି ବର୍ଷ ତଳେ ତୋ ମା ଯେଉଁ ମେଡ଼ିକାଲ ରେ ପ୍ରସବ ବେଦନାରେ ଛଟ୍ ପଟ୍ ହେଉଥିଲେ ଏ ସୁଧାମୟୀ ସେଇ ମେଡ଼ିକାଲ ରେ ଠିକ୍ ଏକା ସମୟରେ ପ୍ରସବ ବେଦନା ଭୋଗୁଥିଲେ। ଏକାଦିନେ ତୋ ମା ଓ ଏ ସୁଧାଙ୍କର ପିଲା ଜନ୍ମ ହେଲା। ତୋ ମା ର ପେଟ କଟା ହୋଇ ମଲା ପୁଅଟିଏ ଜନ୍ମ ନେଇଥିଲା।


ମଲା ପୁଅ !


ହଁ ମଲା ପୁଅ।ମୁଁ ଖୁ ଆକୁଳ ହୋଇ କାନ୍ଦୁଥିଲି।ତୋ ମା ର ଚେତା ନଥିଲା।ପାଖ ବେଡ୍ ରେ ଏ ସୁଧା ଆମକୁ ଲକ୍ଷ୍ୟ କରୁଥିଲେ। ସେ ମୋତେ ହାତ ଠାରି ପାଖକୁ ଡାକି ତାଙ୍କ ପୁଅଟିକୁ ମୋ ହାତରେ ଦେଇ କହିଲେ,ସାର୍ ଏ ପୁଅଟିକୁ ନିଅନ୍ତୁ।


କିନ୍ତୁ ...ମାମଙ୍କର ହୋସ୍ ନାହିଁ।ହୋସ୍ କୁ ଆସିଲେ ମଲା ପୁଅକଥା ଶୁଣି ହୁଏତ ସହି ନପାରନ୍ତି।କହୁଥିଲେ ଏଇ ଆପଣଙ୍କ ପ୍ରଥମ ଓ ଶେଷ ପିଲା ହେବ।ମାମଙ୍କ କଣ ଅସୁବିଧା ଅଛି।ଏହା ପରେ ପିଲା ଜନ୍ମ ସମ୍ଭବ ନୁହେଁ। ଏ ଦୁର୍ଘଟଣା କଣ ସହି ପାରିବେ ନାହିଁ ସେ ?


ଏ କେମିତି ହେବ? ଆପଣଙ୍କ ପୁଅ ମୁଁ କେମିତି ଏତେ ସ୍ୱାର୍ଥପର ହୋଇ ନେଇ ପାରିବି ?


ମୋର ଏଥିରେ ଲାଭ ଅଛି ସାର୍।


ଲାଭ ! ହଁ ଏ ପୁଅଟି ବଞ୍ଚି ଯିବ।


ମାନେ !


ମୋ ମଥା ସିନ୍ଦୁର ଓ ହାତର ଏ ପାଣି ଚୁଡି କେବଳ ଏଇ ପିଲାଟିକୁ ଜନ୍ମ ଦେବାକୁ। ମୁଁ ଗୋଟିଏ କୁଆଁରୀ ମା।ପୁଣି ନିଜ ଦାଦା ପୁଅ ଭାଇର ଵଳତ୍କାର ଶିକାର ହୋଇ ଏ ପିଲାଟି ଦୁନିଆଁକୁ ଆସିଛି। କୁଆଁରୀ ଝିଅ ମା ହେବାରେ ଘୋର ଆପତ୍ତି ଆମ ସମାଜର। ଏଣୁ ମୁଁ ମିଛି ମିଛିକା ବିବାହିତ ଝିଅ ହୋଇଥିଲି। 


ତୁମ ଭାଇ ! ସେ ଚଣ୍ଡାଳ କି !


ତା ଠାରୁ ମାରାତ୍ମକ। ପିଲାଦିନେ ବାପାଙ୍କୁ ହରାଇ ଆମେ ତିନି ଭାଇ ଭଉଣୀ ସଂଘର୍ଷ କରୁଥିଲୁ ବଞ୍ଚିବା ପାଇଁ।ମୁଁ ସବୁଠାରୁ ବଡ଼ ।ତେର ବର୍ଷ ବୟସରେ ବାପାଙ୍କ ଉପରେ ଘଡ଼ ଘଡି ପଡି ଅକାଳ ମୃତ୍ୟୁ ବରଣ କଲେ।ବାପାଙ୍କ ମରଣ ଆମକୁ ଦାଣ୍ଡର ଭିକାରୀ କରିଦେଲା। ଦୁଇ ଭାଇଙ୍କୁ ମଣିଷ କରିବା ପାଇଁ ମା ଓ ମୁଁ ମଜୁରୀ ଲାଗିଲୁ। ମୋ ପାଠରେ ଡୋରି ବନ୍ଧା ହେଲା।ବିଲ କାମଠାରୁ ଆରମ୍ଭ କରି ବାଲି ସିମେଣ୍ଟ ଫେଣ୍ଟା କାମ ବି ମୁଁ କଲି।ବୟସ ବଢ଼ୁଥିଲା ମୋର।ତା ସହ ଲୋଭିଲା ଆଖି ଘୁରୁଥିଲା ମୋ ଚାରି ପାଖେ।ରୂପ ଗରିବ ଝିଅ ପାଇଁ କାଳ।


ରୂପ ମୋ ପାଇଁ ଅଭିଶାପ ହେଲା। କାମ କଲା ବେଳେ ବୁଢ଼ା ହେଉ କି ଟୋକା ଜାଣି ଜାଣି ମୋ ଦେହରେ ଦେହ ଘଷିଲେ। 


ଖରା ତରାରେ କାମ କରିବି ଟୋକିଟା କି ସୁନ୍ଦର ହୋଇଛି କହି ଅଶ୍ଳୀଳ ଇଙ୍ଗିତ କଲେ।କେହି କେହି ବି କହିଲେ ରାତିକେ ବିଡାଏ ରୋଜଗାର ନ କରି ଏ ଖରାରେ ନିଜ ରୂପ ମଉଲନ ପକାଉଛୁ କାହିଁକି ଲୋ ସୁଧା।ତୋତେ ଈଶ୍ୱର ସାକ୍ଷାତ୍ ରତିଦେବୀ କରି ଜନ୍ମ ଦେଇଛନ୍ତି। ଗରିବ ଝିଅ ଓ ସ୍ତ୍ରୀ ସଭିଙ୍କ ଟାହି ଟାପରା ହଜମ କରିବାକୁ ଜନ୍ମ ହୋଇଥାନ୍ତି। ନ ଖଟିଲେ ଚଳିବୁ କେମିତି ? ଏଣୁ ଦାଣ୍ଡକୁ ଗୋଡ଼ କାଢ଼ିବାକୁ ପଡେ ଓ ସମସ୍ତ ହିଂସ୍ର ଆଖିର ଶିକାର ହେବାକୁ ବାଧ୍ୟ ଆମ ଜୀବନ। ଦିନେ ମୋତେ ଜର ହେବାରୁ ମା ଏକା କାମକୁ ଗଲା।ଭାଇ ଦୁଇଜଣ ସ୍କୁଲକୁ ଗଲେ।ମୋ ଦାଦା ପୁଅ ଏଇ ସୁଯୋଗ ଅପେକ୍ଷାରେ ଥିଲା ବୋଧେ।


"ସୁଧା କବାଟ ଖୋଲ; ଖୁଡି ତୋ ପାଇଁ କେକ୍ ପଠାଇ ଛନ୍ତି "କହି ଡାକିଲା।କବାଟ ଖୋଲିବାରୁ ଭିତର ପଟୁ ଜଞ୍ଜିର ଦେଇ ମୋତେ ଵଳତ୍କାର କଲା।ମୋ ଦେହ କି ପାଟିରେ ବି ବଳ ନଥିଲା ଡାକ ଛାଡିବାକୁ।ମା ଆସିବା ଯାଏ ମୁଁ ନିସ୍ତେଜ ହୋଇ ପଡି ଥିଲି। ମୋ ଅବସ୍ଥା ଦେଖି ମା ର ବି ହୋସ୍ ଉଡ଼ିଗଲା।


ମା ଲୁହ ଟଳମଳ ଆଖିରେ କହିଲା, ଚୁପ୍ ଚୁପ୍।


କିନ୍ତୁ ଛଅ ମାସ ପୁରି ସାତ ମାସ ହେଲା ବେଳକୁ ମା କାହାକୁ ଚୁପ୍ କରିବ ଭାବି ବିଷ ଖାଇ ନିଜେ ଚୁପ୍ ହୋଇଗଲା। ମୋ ଦାଦା ଓ ମୋତେ ବଳତ୍କାର କରିଥିବା ଦାଦା ପୁଅ ଘୋଷାଡି ଘୋଷାଡି ଦାଣ୍ଡକୁ ନେଇ କଳଙ୍କିନୀ କହି ମୋ ମୁହଁରେ ଚୂନ କାଳି ବୋଲି ଗାଁ ରୁ ବିଦା କରିଦେଲେ। ମୁଁ ଆମ ଗାଁ ର ଜଣେ ମଉସାଙ୍କ ପାଖକୁ ଚାଲି ଆସି ସବୁ କହିଲି।ସେ ମୋତେ ବିବାହିତ ବେଶ ହୋଇ ଗୋଟେ ଅଫିସ୍ ରେ ଘର ଓଳା କାମରେ ରଖି ଦେଲେ ଓ ମୋ ସ୍ୱାମୀ ମୋତେ କୁଆଡେ ପଳେଇଛି ବୋଲି ଅଫିସରେ କହିଲେ।


ଏତିକିରେ ମୋ ଦୁଃଖ ସହିଲା ନାହିଁ।ସେ ଅଫିସ୍ ର ଜଣେ ଅଫିସର ବି ମୋତେ ଵଳତ୍କାର ଉଦ୍ୟମ କଲା। ଵଳତ୍କାର ପ୍ରତି ମୋର ଡର ନଥିଲା।କରନ୍ତୁ ଯିଏ ଯେତେ ଵଳତ୍କାର। ମୋତେ କିନ୍ତୁ ପିଲାଟିକୁ ଜନ୍ମ ଦେବାର ଥିଲା।


ମୁଁ ବୁଝି ଯାଇଥିଲି ଝିଅଟିଏ କୌଣସି ଜାଗାରେ ବି ସୁରକ୍ଷିତ ନୁହେଁ।ନିଜ ଘରେ ଯେତେବେଳେ ସେ ଅସୁରକ୍ଷିତ ବାହାରେ ସୁରକ୍ଷିତ ଆଶା କରିବ କିପରି!!


ଇଏ ସେଇ ପିଲା।ଆପଣ ନେଇ ଗଲେ ସେ ଗୋଟେ ପରିଚୟ ପାଇଯାଅନ୍ତା।ଆପଣଙ୍କ ପରିବାର ବି ହସନ୍ତା।


ମୁଁ ବି ଦେଖିଲି,ସୁଧା ଯାହା କହୁଛି ସତ।ତା ଛୁଆଟିକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ନିଜେ ପୁଅ କରି ନେଇ ଆସିଲି।ମୋ ସ୍ତ୍ରୀ ଏକଥା ଆଜିଯାଏ ବି ଜାଣିନି।


କିଛି ଦିନ ଗଲାରୁ ଶୁଣିଲି ସୁଧା ତା ବଳତ୍କାରୀ ଦାଦା ପୁଅକୁ ପନିକିରେ ହାଣି ତା ହାତ ଗୋଡ଼ ଟିକି ଟିକି କରି କାଟି ଗୋଟିଏ ବ୍ୟାଗ୍ ରେ ଭରି ଥାନାରେ କହିଲା, " ମୁଁ ବାଘ ଶିକାର କରି ଆଣିଛି।" ମୋ ନିଜ ଭାଇ ବଳତ୍କାରୀ କୁ ମାରି ନେଇ ଆସିଛି।କୁକୁର ବିଲୁଆଙ୍କୁ ଖୁଆଇବି। ମୋ ସହ ଆମ ଗାଁ ଆଉ ଚାରିଟି ଝିଅଙ୍କୁ ଏ ଦେହ ଖିଆ ବାଘ ଖାଇଛି।ଏପରି ମଣିଷ ମୁଖା ବାଘର ମାରିବା ନିହାତି ଦରକାର।


ମୋତେ ମୃତ୍ୟୁ ଦଣ୍ଡ ଦିଅନ୍ତୁ ଥାନା ବାବୁ।


କେହି ତ ସୁଧା ପାଇଁ ଲଢ଼ିବାକୁ ନ ଥିଲେ।ସତ୍ୟ କହି ଥିବାରୁ ମୃତ୍ୟୁ ଦଣ୍ଡ ନ ଦିଆ ଯାଇ ଆଜୀବନ ଜେଲ ଦଣ୍ଡ ହୋଇ ଯାଇଥିଲା ବିଚାରୀକୁ।ମୁଁ ଥରେ ଅଧେ ଦେଖା କରିଥିଲି ତାକୁ।ତା ପୁଅ ଫଟୋ ନେଇ ଦେଖାଏ। ସେ କିନ୍ତୁ ଦେଖେନି।କୁହେ ଆପଣଙ୍କ ପୁଅ ସେ।ମୁଁ କାଇଁକି ଦେଖି ଲୋଭ କରିବି।ଆପଣ ତାକୁ ନିଶ୍ଚୟ ଭଲରେ ରଖିଥିବେ ଏକଥା ଜାଣେ।


ଏଇତକ କହିଲା ବେଳକୁ ସେ ଲୁହରେ ଗାଧୋଇ ପଡେ।ଲୁଚେଇ ଫଟୋ ଦେଖେ।କିନ୍ତୁ ଦେଖିବାର ଲୋଭ ନାହିଁ ବୋଲି ମୋତେ ଦେଖେଇ ହୁଏ।


ହେଲେ ମା ଭାଵ କେଉଁଠି ଲୁଚେ କି !


ତାପରେ ତାକୁ ଆଉ କେଉଁ ଜେଲକୁ ନେଇଗଲେ ଯାହାର ଠିକଣା ମୋ ପାଖେ ନଥିଲା।


ତା ମାନେ ବାବା..


ହଁ ତୁ ଏଇ କଳଙ୍କିନୀର ପୁଅ।


ବାବା !!


ବାଇଶି ନମ୍ବର କଏଦୀ...


ଡାକ୍ତର ଡାକିଲେ ଜେଲର ସାହେବ ଆପଣଙ୍କ ପେସେଣ୍ଟ ସିରିଅସ୍, ବଞ୍ଚିବା ମୁସ୍କିଲ।ରାତିରୁ ତ ଯାହା ରକ୍ତ ଝରିଥିଲା।ପୁଣି ସକାଳେ ମୁଣ୍ଡଟି ଫାଟି ଅବସ୍ଥା ଶୋଚନୀୟ। ସବୁଠାରୁ ବଡ଼ କଥା ପେସେଣ୍ଟ୍ ଭିତରେ ବଞ୍ଚିବା ସ୍ପୃହା ହିଁ ନାହିଁ।ଏଣୁ ଆପଣଙ୍କ କଏଦୀ ବଞ୍ଚିବା ଆଶା କ୍ଷୀଣ।


ମୁଁ ବାଇଶି ନମ୍ବର ବେହୋସ୍ କଏଦୀ ମୁହଁକୁ ଆଉଁସି କହୁଥିଲି ସୁଧା ମା ତୁମେ କଳଙ୍କିନୀ ନୁହଁ ,ତୁମେ ମୋ ମା।


ମୋ ଆଖି ଲୁହରେ ଓଦା ହେଉଥିଲା ବାଇଶି ନମ୍ବର କଏଦୀ ଛାତି।



Rate this content
Log in

Similar oriya story from Drama