କଳା ଧୂଆଁ
କଳା ଧୂଆଁ


ଝରକା ବାହାରେ ଫ୍ୟାକ୍ଟ୍ରିର ଚି଼ମ୍ନିରୁ ଧୂଆଁ ବାହାରି ଆକାଶର ମେଘ ଗୁଡ଼ିକୁ କଳା କରି ସାରିଲାଣି I କିନ୍ତୁ ଏମିତି କୃତିମ ରଙ୍ଗରେ କଳା ହୋଇଥିବା ମେଘରୁ କଣ କେବେ ବର୍ଷା ହୁଏ? ଆଉ ଯଦି ହୁଏ, ତାହା ପୃଥିବୀଟିକୁ ଜାଳି ଦେଲା ଭଳି ଲାଗେ ! ଏ ବର୍ଷ ମଧ୍ୟ ବର୍ଷା ଡେରି ହେବ ଭଳି ଲାଗିଲାଣି I ଦିନକୁ ଦିନ ମାଟି ଅଧିକ ଶୁଖିବାକୁ ଲାଗିଛି I ଆଗ ଭଳି ଆଉ ଫସଲ ହେଉନି I କାରଖାନା ହେବା ଯୋଗୁଁ ଅନେକ ଗଛ ଆଉ ଜଙ୍ଗଲ ସଫା ହୋଇ ଯାଇଥିଲା I କାରଖାନାରେ ଚାକିରୀ କିମ୍ବା ମଜୁରୀ କରି ଗାଆଁର ଅଧିକାଂଶ ଲୋକ ଧୀରେ ଧୀରେ ଚାଷବାସ ଛାଡି ଯାଇଛନ୍ତି I କିନ୍ତୁ କୁଳର ବେଉଷା ଛାଡ଼ିବାକୁ ନାରାଜ ଡ଼ମୁରୁ I ମାଣେ ହେଉ କି ପୋଷେ ହେଉ ଯାହା ଫସଲ ହୁଏ ଚାଷ କରେ ବର୍ଷରେ ଗୋଟିଏ ଧାନ ଫସଲ ଆଉ ବାକି ସମୟରେ କେବେ ମୁଗ କି ବିରି I ବଢୁଥିବା ଉତ୍ତାପରେ ଆଉ କମୁଥିବା ଜଳ ସ୍ତରରେ ଚାଷ କରିବାକୁ ଆଉ ଆଗ୍ରହ ରହୁନି କିନ୍ତୁ ଡ଼ମୁରୁ କରିବ ଅବା କଣ? କାରଖାନରେ ଥିବା କ୍ୱାଟରରେ ଦୁଇ ବଖରା ଘରେ ପୁଅ ତା ସ୍ତ୍ରୀ ପିଲାକୁ ନେଇକି ରହୁଛି I ପାଞ୍ଚ କିଲୋମିଟର ଦୂରରେ ଫାକ୍ଟ୍ରି କିନ୍ତୁ ଲାଗୁଛି ପାଞ୍ଚ ଶହ କୋଶର ଦୂରତାରେ ତାହାର ପୁଅ ଆଉ ବୋହୁ ! କାମର ବ୍ୟସ୍ତତା ଦେଖେଇ ଛଅ ମାସରେ ଥରେ ଆସେ, ଖରା ଛୁଟିରେ ସପ୍ତାହଟିକ ପାଇଁ ଆଉ ପୂଜା ଛୁଟିରେ ସପ୍ତାହଟିକ ପାଇଁ I କାହାର ଜୀବନ କେତେ ଯାଏଁ ଗଢ଼ିଥିବ କେଜାଣି, କାରଖାନାଟି ଡ଼ମୁରୁର ସଂସାରକୁ ଭାଙ୍ଗି ଦେଇଛି ସତରେ ! ତଥାପି ପୁଅ ଆଉ ତାହାର ପରିବାର ଖୁସିରେ ରୁହନ୍ତୁ ଭାବି ନିଜ ମନକୁ ସାନ୍ତ୍ଵନା ଦେଇ ରହିଛି I ନିଜର ବଂଶଜ ଖୁସିରେ ରହିଥିଲେ ଆଉ କଣ ଅଧିକ ଚାହିଁବ ମଣିଷଟିଏ ? ଆଉ ସେମିତିରେ ମଧ୍ୟ ନାଲିସ୍ କରିବାର କାରଣ ନାହିଁ, ପୁଅ ପ୍ରତି ମାସରେ କିଛି ଟଙ୍କା ପଠେଇ ଦେଉଛି I କିନ୍ତୁ ସେ ଟଙ୍କା ସିଏ ପ୍ରାୟ ଖର୍ଚ୍ଚ କରେନି, ସାଇତି ରଖିଦିଏ I ପୁଅର ପଇସାରେ ବଞ୍ଚିବାର କୌଣସି ଇଛା ନାହିଁ ଡ଼ମୁରୁର I ଯଦି କେବେ ଖର୍ଚ୍ଚ କରେ ଫସଲ ଅମଳ ହେଲା ପରେ ସେଥିରୁ ଫେରେଇ ଦିଏ I
କିଛି ଭାବିକି ନିଜ ପୁରୁଣା ସିନ୍ଦୁକକୁ ଖୋଲିଲା ଡ଼ମୁରୁ I କନାର ଥଳୀଟିକୁ ଖୋଲି ଦେଖିଲା I ପୁଅ ଫ୍ୟାକ୍ଟ୍ରିରେ କାମ କଲା ଦିନରୁ ଟଙ୍କା ଯୋଗାଡ଼ କରି ରଖିଛି I ନଅ ବର୍ଷର ସଞ୍ଚୟ I ବର୍ଷକୁ ଥରେ ବ୍ୟାଙ୍କରେ ଖାତରେ ନେଇକି ଜମା କରେ I ବେଳ ଅବେଳରେ କାମ ଆସିବ ନିଶ୍ଚୟ ପୁଅର I ଭଲରେ ନ ହେଲେ ମନ୍ଦରେ ତ ଟଙ୍କା ନିଶ୍ଚୟ କାମକୁ ଆସିବ I ଘରଣୀ କେତେ ଥର କହିଛି ସୁନା ଟିକେ କଲେ ହୁଅନ୍ତା ନାହିଁ? ନାତି ନାତୁଣୀ ଦିଟା ହେଲେଣି I କିନ୍ତୁ ଡ଼ମୁରୁ ସିଧା ମଣିଷ I ଟଙ୍କା ଥିଲେ ସାଙ୍ଗେ ସାଙ୍ଗେ କାମରେ ଲାଗିବ I କେହି କଣ କେବେ ସୁନା ବିକିକି ସମସ୍ୟାର ସମାଧାନ କରିଛି କି? ସୁନା ବିକିଲା ବେଳକୁ ପରା ଅଧିକ ଭାବେ ମଣିଷଟିଏ! ଯେତେବେଳ ଦରକାର ସୁନା କିଣା ଯିବ ଟଙ୍କା ଥିଲେ ହେଲାI
ଦରଜା ପାଖରେ କାହାର ଶବ୍ଦ ଶୁଣି ଦେଖିଲା ବେଳକୁ ସୋମୁ ଠିଆ ହୋଇଛି I ଚମକି ପଡିଲା ଡ଼ମୁରୁ I ଏମିତି ଅବେଳାରେ ସୋମୁ ନ କହି ଆସିବା କାହିଁକି ଅଡୁଆ ଲାଗିଲା I ତଥାପି ମୁରୁକି ହସି ଦେଇ ନିଜ ଭାରିଜାକୁ ଡାକିଲା, ପୁଅ ଲାଗି ମଧ୍ୟ ଖାଇବା ବାଢିବାକୁ I ତା ପରେ ନଜର ପଡ଼ିଲା ସୋମୁର ହାତରେ ଥିବା ଟିଣ ବାକ୍ସଟି ଉପରେ ଆଉ ପ୍ରଶ୍ନଭରା ଆଖିରେ ଚାହିଁଲା ସୋମୁ ଆଡକୁ I "ମୋର ଚାକିରୀ ଆଉ ନାହିଁ ଲୋ ବାଆ I ମୋ ଦେହ ଖରାପ ହେବାରୁ ବାହାର କରି ଦେଲେ I ଫୁସଫୁସ ରୋଗାକ୍ରାନ୍ତ I ମୋତେ ଆଉ ସେଠାରେ ରହିବାକୁ ସୁବିଧା ହେଲାଣି ତେଣୁ ଚାଲି ଆସିଲି ," ସୋମୁ କହିଲା I ଆଉ କିଛି କହିବା ପୂର୍ବରୁ କାଶିବାକୁ ଲାଗିଲା I
“ଏଇଟା ତା ତୋର ଘର I ରହିବାର ଅସୁବିଧା କଣ କିନ୍ତୁ ବୋହୁ ଆଉ ପିଲା ଦିଟା?" ଡ଼ମୁରୁ ପଚାରିଲା I
"ସିଏ ଚାକିରିଟିଏ ପାଇଲା, ବଡ ବାବୁ ତାକୁ ପିଲା ଦୁଇଟାକୁ ପାଳିବାକୁ ଅସୁବିଧା ହେବ ବୋଲି ଚାକିରୀ ଖଣ୍ଡେ ଦେଲେ," ସୋମୁ କହିଲା I
"ତାହା ହେଲେ ତୁ ଚାଲି ଆସିଲୁ କାହିଁକି?" ଡ଼ମୁରୁ ପଚାରିଲା I
" ବଡ଼ବାବୁ କହିଲେ, ଆଉ ଆମକୁ ଘର ମିଳିବନି I ସିଏ ଦୟା କରିକି ତାଙ୍କ ଘରେ ରହିବାକୁ ଦେଇଛନ୍ତି ସମସ୍ତଙ୍କୁ I ତାଙ୍କର ସ୍ତ୍ରୀ କିଛି ବର୍ଷ ତଳେ ପରଲୋକ ହୋଇଗଲେ I ଛୁଆ ପିଲା କେହି ନାହାନ୍ତି I କହିଲେ କମଳା ଘରେ କାମ କରିବ ଆଉ ବେଳେ ବେଳେ ଅଫିସରେ ମଧ୍ୟ I ମୁଁ ଯଦି ଭଲ ହେଇଯାଏ ପୁଣି ଚାକିରୀ ଦେବେ ଆଉ ଯେତେ ଦିନ ଯାଏଁ ସିଏ ଅଛନ୍ତି କମଳାର କୌଣସି ଅସୁବିଧା ହେବନି," ସୋମୁ କହିଲା I
"କିନ୍ତୁ କମଳା ରାଜି ହେଇଗଲା କେମିତି I ତାକୁ ତ ଭାବିବାର ଥିଲା,ଲୋକେ କହିବେ କଣ?" ଡ଼ମୁରୁ କହିଲା I
"ସିଏ ତ ଖୁସି ଅଛି I କହିଲା, ବଡ ବାବୁ ଭଲ ଲୋକ I ସେ କୁଆଡେ କ୍ବାଟରକୁ ଆସନ୍ତି ବେଳେ ବେଳେ ଆଉ ପିଲା ମାନଙ୍କ ପାଇଁ ଖେଳନା ଆଉ କମଳା ପାଇଁ ମଧ୍ୟ ବହୁତ ଜିନିଷ ଆଣି ଥାଆନ୍ତି,"ସୋମୁ କହିଲା I
"ମାନେ କଣ, ସିଏ କଣ ତାହାର ସ୍ତ୍ରୀ ହେଇଗଲା ନ କଣ?" ତୋତେ ପରା ବାହା ହେଇଛି ! ତୋର ସୁଖ ଦୁଃଖରେ ସାଙ୍ଗରେ ରହିବା କଥା," ରାଗିକି ଡ଼ମୁରୁ କହିଲା I
"ସୁଖରେ ତ ଥିଲା ମୋ ସାଙ୍ଗରେ I ତୁମେ ଯାହା ବୁଝିପାର," ସୋମୁ ଚାଲିଗଲା ମୁଁହ ହାତ ଧୋଇବାକୁ I ଡ଼ାମୁରୁ ଦେଖିଲା ପାଖରେ ଠିଆ ହେଇଛି ତାହାର ସ୍ତ୍ରୀ, ଯେମିତି ସବୁଦିନେ ଠିଆ ହୁଏ ଖାଇବାକୁ ଡାକିବାକୁ I
ପ୍ରଥମ ଥର ପାଇଁ ନୀରବରେ ଭୋଜନ ସରିଲା I ନଚେତ ଆଗରୁ କେତେ ସୁଖ ଦୁଃଖ ଭଲ ମନ୍ଦ ହେଉଥିଲେ ବାପା ପୁଅ ! ଏଥର କିନ୍ତୁ ଆଉ କିଛି କହିବାକୁ ମନ ହେଲାନି ଡାମୁରୁର I କିନ୍ତୁ ଶୋଇଲା ବେଳକୁ ଆଉ ସମ୍ଭାଳି ପାରିଲାନି ଡ଼ମୁରୁ I ପାଖରେ ଶୋଇଥିବା ସୋମୁକୁ କହିଲା, "ତୋର ଟଙ୍କା ସବୁ ସାଇତିକି ରଖିଛି I ତୁ ଚିନ୍ତା କରେନା I ଭଲ ଡାକ୍ତର ଦେଖେଇବା I”
"ପଇସାରେ କଣ ସବୁ ରୋଗ ଠିକ ହୁଏ କି ବାଆ?" ସୋମୁ ପଚାରିଲା I
"କଣ ହେଇଛି କି ଏମିତି? ଡ଼ମୁରୁ କହିଲା I
"ତୁ ବୁଝିବୁ ନି ବାଆ I ମୋର ଫୁସଫୁସକୁ କର୍କଟ ରୋଗ ହେଇଯାଇଛି I ଡ଼ାକ୍ତର କହିଲା ଏଠି ଚିକିତ୍ସା ହବନି, ଆଉ ବେଶୀ ବଢି ଯାଇଛି କୌଣସି ପ୍ରତିକାର ପାଇଁ କିନ୍ତୁ ମୁଁ ଭଲ ହେଲେ ମଧ୍ୟ ଆଉ ହେବ କଣ?" କାଶୁ କାଶୁ ସୋମୁ ଉତ୍ତର ଦେଲା I କିଛି କହି ପାରିଲାନି ଡ଼ମୁରୁ I ସ୍ତ୍ରୀ ଆଡକୁ ଚାହିଁଲା ଡ଼ମୁରୁ I ଦିନ ସାରା କାମ କରି ଶୋଇ ପଡିଛି ସବୁ ଦିନ ଭଳି I କମ କଥା କୁହେ ଆଉ ବେଶୀ କାମ କରେ ତାହାର ଘରଣୀ I ସୁଖ ଦୁଃଖରେ ସାଙ୍ଗରେ ରହିଛି, କେବେ ବି ଛାଡିକି ଯାଇନି! ପଇସା ଥାଉ କି ନ ଥାଉ, ଫସଲ ଅମଳ ହେଉ କି ନ ହେଉ I ଝରକା ବାହାରକୁ ଚାହିଁଲା ଡ଼ମୁରୁ I ସଞ୍ଜ ବେଳର ସୂର୍ଯ୍ୟକୁ ଯେମିତ ଘୋଡେଇ ଦେଇଥିଲ, ଠିକ ସେମିତି ପୂର୍ଣ୍ଣିମା ଜହ୍ନଟିକୁ ମଧ୍ୟ କଳା କରି ଚାଲିଥିଲା ଧୂଆଁର ଧାର I ଝାପ୍ସା ଝାପ୍ସା ପଡୁଥିବା ଜହ୍ନ ଆଲୁଅରେ ଆଉ ଥରେ ସୋମୁକୁ ଚାହିଁଲା ଡ଼ମୁରୁ I ଗୋରା ତକତକ ଭେଣ୍ଡା ପୁଅଟି ତାହାର କଳା ପଡି ଯାଇଥିଲା କାରଖାନର ଧୂଆଁରେ: ଠିକ ଆକାଶର ଧଳା ମେଘ କଳା ପଡିଲା ଭଳି I