Satyabati Swain

Drama Tragedy

3  

Satyabati Swain

Drama Tragedy

ଖୁସିର ଜହ୍ନ

ଖୁସିର ଜହ୍ନ

5 mins
463


କୁଳାଙ୍ଗର ! ଭେଣ୍ଡିଆଟିଏ ହେଲୁଣି,ରୋଜଗାରର ନାଁ ଧରୁନୁ।ଘରେ ବସି ବସି ଗେମ୍ଫା ମାରୁଛୁ।ଭଲ ହଳକୁ ହଳ ପିନ୍ଧିବି,ମଗମ ଖାଇବି।ନୂଆ ନୂଆ ଫୋନ୍ ଏ ପକେଟ ସେ ପକେଟରେ ପୁରାଇ ଟହଲ ମାରିବି।ରାତି ନାଇଁ ଦିନ ନାଇଁ ସେ ଫୋନ୍ ରେ ଖାଲି ଟପ୍ ଟପ୍ କରିବି।ହଇରେ ଛତରଖିଆ! ବୋପାଟା ଖଟି ଖଟି ବଙ୍କା ହୋଇ ଗଲାଣି ;ତୋତେ କଣ ଦିଶୁଛି?ଈଶ୍ୱର ହାତ ଗୋଡ଼ ଦିଟା ଦେଇଛନ୍ତି।କର୍ମ କୁଢ଼ି ପରି ଘର କଣେ ବସିଲେ କେମିତି ହେବ।କିଛି ହେଲେ ଗୋଟେ ଧନ୍ଦା କର।ବୟସ କଣ ବଇଚି?ଚାକିରୀ ବାକିରି ଖଣ୍ଡେ ନ କଲେ କିଏ ଗୋଟେ ଝିଅ ଦେବ ଭଲା।ଘର ସଂସାର ପୁଣି ହେବ ନା ନାହିଁ।କଣ ଓଥରା ହୋଇ ବସିଥିବୁ?ଘର ଛାଡି ପାରିଲେ ସିନା ହେବ।କୁନି ଛୁଆ ହୋଇଛି ବୋଉ କାନି ଧରି ଚାଲୁଛି।ଆରେ ହେ 'ମଣ୍ଟା' ଶୁଭୁଛି ମୋ କଥା ନାଇଁ??

   ପ୍ରତିଦିନ ଜେଜେ ଏମିତି ଛେଳି ପରି ପାଟି ବୁଲାନ୍ତି।ବଧିରଙ୍କ ପରି ମୁଁ ଏ କାନରେ ପୁରାଇ ସେ କାନରେ ବାହାର କରିଦିଏ।ନିତି ଦିନିଆଁ ଏ ଗେଜେରେ ଗେଜେରେ ମୋ ଦେହ ସୁହା ହୋଇ ଗଲାଣି।ମୁଁ ବି ନର୍ଲଜ୍ଜଙ୍କ ପରି ଏ ଗୁଡା ଶୁଣି ଶୁଣି ହଜମ କରିବା ଶିଖି ଗଲେଣି।

   ବାପା ଆଜିକାଲି ଖୁବ୍ ଚୁପ୍ ଚାପ୍।ବିଲରେ ଖଟି ଖଟି ବତା ପରି ଦୋହଳୁଛନ୍ତି।ପରିଶ୍ରମ ଲାଘବ ପାଇଁ ଗଞ୍ଜେଇ ଚିଲମର ସାହାରା ନେଉଛନ୍ତି।ମୋ ବାପା ଆଗରୁ ଚା ଟୋପେ ବି ପିଉ ନଥିଲେ।ଏବେ ନିଇତି ସୋଡ଼କାଏ ଗଞ୍ଜେଇ ଧୂଆଁ ପେଟ ଭିତରକୁ ନ ନେଲେ ହୁଏ ନାହିଁ।ଯେଉଁଥିପାଇଁ ବାପାଙ୍କ ଉପରେ ବୋଉ ରାଗ ଗର ଗର ହୁଏ।ପ୍ରାୟତଃ ବୋଉ କାନ୍ଦି କାନ୍ଦି କୁହେ କାହିଁକି ସେ ନିଆଁ ଗିଲା ଗଞ୍ଜେଇ ଫାନ୍ଦରେ ପଡୁଛ??ମୋ ସଂସାର ଉଚ୍ଛନ୍ନ ହେବ ଜାଣ।ଡାଲି ଦିଟା କିଣିବାକୁ ପଇସା ଗୋଟେ ନାହିଁ;ତୁମେ ଧୂଆଁରେ ଉଜାଡ଼ି ଦେଉଛ କେତେ ପଇସା!!!ବାପା ସବୁ ଶୁଣନ୍ତି;କିନ୍ତୁ ନିରୁତ୍ତର ରୁହନ୍ତି।ଏଇ କିଛି ନ କହିବା ଟା ବୋଉକୁ ଭାରି ବାଧେ।

   ଘରେ ମୋ ଉପରେ ଭଉଣୀ।ବିବାହ ହୋଇ ପାରୁନାହିଁ।ବିବାହ ବୟସ ଅତିକ୍ରାନ୍ତ ହେବାକୁ ବସିଲାଣି।ସେ ୟା ଘର ତା ଘର ବୁଲି ଟିଉସନ କରୁଛି।ମୋ ପରି ବାପା ମାଙ୍କ ଉପରେ ବୋଝ ହୋଇନି ହାତ ଖର୍ଚ୍ଚ ପାଇଁ।ମୋତେ ଟିଉସନ ଭଲ ଲାଗେନାହିଁ।ମୋବାଇଲ,ଟିଭି ,ପଙ୍ଖା ଯାହାର ଖରାପ ହୁଏ ମୋତେ ଡାକନ୍ତି ସଜାଡ଼ିବାକୁ।ଲୋକଙ୍କ ସେବା ରେ ଥାଏ ମୁଁ।ଖୁସିରେ କେହି ପଚାଶ ଶହେ ଦେଲେ ବରା ତରକାରୀ ଘରକୁ ନେଇ ଆସେ।ପେଟ ଭରି ସମସ୍ତେ ଖାଉ,କେବଳ ବୋଉକୁ ଛାଡି।ବୋଉ ଆମ ଖୁସିକୁ ପିଇଯାଏ,

ଯେତେବେଳେ ମୋ 'ଲିଜୁ ଦେଈ'ବରା ତରକାରୀ ଖାଇ ସାରି ହେକୁଡି ଟିଏ ମାରେ ଏଉଡି କହି।ଜେଜେ ନାଳେଇ ନାଳେଇ ଗିଳି ପକାନ୍ତି ଦି ତିନିଟା ବରା।ବାପାଙ୍କ ପାଇଁ ବି ରୁହେ କିଛି।ବୋଉ କିନ୍ତୁ କୌଣସି ଦିନ ଖଣ୍ଡେ ବରା ପାଟିକୁ ନିଏନି।ବୋଉର କଣ ଖାଇବାକୁ ଇଚ୍ଛା ହୁଏନି।ନା ଇଚ୍ଛା ମାନଙ୍କୁ ନିଜ ଭିତରେ ଯିଏ ମାରି ପାରନ୍ତି ତା ନାଁ ବୋଉ!!!

     ମୋତେ ଛବିଶି ବର୍ଷ ପଶିଲାଣି।ପାଞ୍ଚ ବର୍ଷ ହେବ ଏ ପରୀକ୍ଷା ସେ ପରୀକ୍ଷା ଦେଉଛି କେଉଁଠି ହେଲେ ବାଜୁ ନାହିଁ।ବି ଏ ସି ପାସ୍ ଟିଏ କରିଛି।ଏମ ଏ ସି ପଢି କେକ୍ଚରଟିଏ ହେବାକୁ ଇଚ୍ଛା କରିଥିଲି ଯେ ନେଟ୍ କ୍ଲିଅର୍ କରି ପାରିଲି ନାହିଁ ତିନି ଚାରି ଥର ଦେଲେ ବି। ଗାଁ କଲେଜରୁ ନାଁ କୁ ମାତ୍ର ବି ଏ ସି ପାସ୍।ଜ୍ଞାନ ଗାରିମା କିଛି ନାହିଁ।ନ ବୁଝି ପାରିଲେ ବୁଝାଇ ଦେବାକୁ କେହି ନାହିଁ।ସାର୍ ମାନେ କୋଚିଂ କ୍ଲାସ୍ ଉପରେ ଧ୍ୟାନ ଦେଇ କ୍ଲାସରେ ପଢ଼ାଉ ନାହାନ୍ତି।ମୋ ଭଳି ଜଣେ ସାଧାରଣ ଚାଷୀର ପୁଅ କେଉଠୁ ଏତେ ଟଙ୍କା ଆଣିବ ଯେ ଡୋନେସନ ଦେଇ ପଢି ପାରିବ ଏଣ୍ଟ୍ରାନ୍ସ ନ ପାଇଲେ ବି।କେବଳ ପେପର୍ ଦେଖା ପରୀକ୍ଷା ପରେ ପରୀକ୍ଷା ଦେବା ସାର ହେଉଛି।

     ବେଳେବେଳେ ଇଚ୍ଛା ହୁଏ ଘର ଛାଡି ପଲେଇବା ପାଇଁ।ଆଉ ଦେଖି ପାରିବ ନାହିଁ ବାପାଙ୍କ ଗମ୍ଭୀର ଭାଵ,ବୋଉର ଶୁଖିଲା ହାଡୁଆ ମୁହଁ,ନାନୀର ଅସହାୟ ବେଦନା ପୂର୍ଣ୍ଣ ହତାଶିଆ ଆଖି।କି ଶୁଣି ପାରିବ ନାହିଁ ଜେଜେଙ୍କ ଝିଙ୍ଗାସ।କିନ୍ତୁ ଯିବି କୁଆଡେ......

     କାହିଁକି ବଡ଼ ହେଉଥିଲି ଭାବେ।ନିକମା ପଣ ମୋ ମନ ଭାଙ୍ଗିଦିଏ।ବେରୋଜଗାରିଆ ପୁଅକୁ କେହି ଆଦର କରନ୍ତି ନାହିଁ।କୁଆଡେ ଗଲେ ପଚାରନ୍ତି ନାହିଁ କେତେବେଳେ ଆସିବୁ।ହଁ..... ଯାଇଥାଉ.... ବଳେ ଭୋକ ହେଲେ ଆସିବ ନାହିଁ;କୁଆଡେ ଯିବ।ସବୁରି ଅଲୋଡ଼ା,ଅଖୋଜା ଏଇ ଚାକିରି ଖୋଜୁଥିବା ଯୁବକ ମାନେ।ଯେଉଁ ମାନେ ମୋ ପରି ପ୍ରତି ମୁହୂର୍ତ୍ତରେ ନିଜକୁ ଭାଜନ୍ତି ଅଶାନ୍ତି,ଅସୁଖ,ଅଭାବୀ ନିଆଁରେ।କେହି ଆଦର କରନ୍ତି ନାହିଁ।ସାଙ୍ଗ ମାନେ କରଛଡ଼ା ଦିଅନ୍ତି।ଅଖାପକା ମୁହଁ କରି ବଂଚିନ୍ତି ଏମାନେ।ସବୁ କଥାରେ ଶୁଖିଲା ହସ ହସି ଦିଅନ୍ତି।ଏପରିକି ଚୁନି ଯିଏ କି ମୋତେ ଜୀବନ ଦେଇ ଭଲ ପାଏ ବୋଲି କହୁଥିଲା ସେ ବି ଚାକିରି ମିଳୁ ନାହିଁ ବୋଲି ଅନ୍ୟତ୍ର ବିବାହ କରି ଗଲା।

     ଆଃ ଚୁନି!ଚୁନି ମୋ ପାଇଁ ମୁଠାଏ ଜହ୍ନ ଆଲୁଅ ଥିଲା।କେତେ କଥା ଦେଇଥିଲା ସାଙ୍ଗ ହୋଇ ଉଡିବା ପାଇଁ।ସବୁଥର ପରୀକ୍ଷା ଯିବା ପୂର୍ବରୁ ମା ଜାଗୁଳେଇଙ୍କୁ ମୋ ପରୀକ୍ଷା ଭଲ ହେବା ପାଇଁ ମାନସିକ କରୁଥିଲା।ମୋତେ ଚାକିରି ମିଲୁ ବୋଲି ଭୋଗ ଦେଉଥିଲା।କିନ୍ତୁ ଯେତେଥର ମୋଠୁ ଶୁଣିଛି "ନାଁ ଏଥର ବି ହେଲା ନାହିଁ" ସେବେ ତା ହସିଲା ମୁହଁଟି ଝାଉଁଳି ଯାଉଠିଲା।ସେ ଏକାମୁହାଁ ହୋଇ ଦଉଡ଼ି ପଳାଉଥିଲା।

   ଦିନେ ଆସି ଚୁନି କହିଲା ମଣ୍ଟାଇ ତୁମ ଚାକିରିକୁ ଚାହିଁ ଚାହିଁ ଆଉ କେତେ ଦିନ ଅପେକ୍ଷା କରିବି?ମୋ ତଳେ ଆହୁରି ଦୁଇଟି ଝିଅ।ବାପା ଭାରି ଜିଗର କଲେଣି ମୋ ବାହା ଘର ପାଇଁ।ମୁଁ ତୁମ ଚାକିରିକୁ ଅନାଇଁ ଅନାଇଁ ତୁମ ଲିଜୁ ଦେଈ ପରି କଣ ବୁଢ଼ୀ ହେବି!!!ଏଇ ଡିସେମ୍ବର ଛଅ ତାରିଖରେ ମୋ ବାହା ଘର ସ୍ଥିର ହୋଇଯିବ ବୋଧେ,ଯାହା ଘର ଲୋକଙ୍କ କଥା ବାର୍ତ୍ତାରୁ ଜାଣି ପାରୁଛି।ତୁମେ କୁହ ମଣ୍ଟାଇ ମୁଁ କଣ କରିବି??

   ମୁଁ ମଣ୍ଟୁ ପ୍ରଧାନ ଟିକେ ଅନାଇଁଲି ଚୁନି ମୁହଁକୁ।ଇସ୍ କି ଆକୁଳ ବିକଳ ହୋଇ ମୋ ଉତ୍ତର ଅପେକ୍ଷାରେ ଥିଲା?ମୁଁ କହିଲି ଚୁନି ତୁ ତୋର ଘର ଲୋକଙ୍କ କଥାରେ ରାଜି ହୋଇଯା।କେତେ ଦିନ ଅପେକ୍ଷା କରିବୁ।ମୁଁ ଯେ ଆଉ କେଉଁ ଚାକିରି ପାଇବି ସେ ବିଶ୍ୱାସ ମୋର ନାହିଁ।ମୋ ପାଇଁ ତୁ କାହିଁକି ଦୁଃଖ ଭୋଗିବୁ।ଯା ଚିନୁ ତୋ ଭାଗର ଜୀବନ ଜୀଇଁ।

   ଚିନୁ ସେଦିନ ମୋତେ କୁଣ୍ଢାଇ ପକାଇ କହିଲା "ମଣ୍ଟାଇ ଚାଲ ଆମେ ଘର ଛାଡି ପଳାଇବା"

   ମୁଁ ତାକୁ ମୋଠାରୁ ଛଡେଇ ଦେଇ କହିଲି ଯା ଚାଲି ଯା ମୋ ଆଗରୁ।ନଲେ ଠୋ କରି କଷି ଦେବି।ଏପରି କଥା ମୁହଁରେ ଧରୁଛୁ?ଛିଃ ତୋ ଦେହର ଭୋକ ଏତେ ଅଧିକ ଯେ ତୁ ଘର ଛାଡି ପଳାଇବାକୁ କହୁଛୁ???

   ସେଦିନ ଚିନୁ ଭୋ ଭୋ କାନ୍ଦି କାନ୍ଦି ପଳାଇ ନି ଯେ ମୁଁ ଯେତିକି ସୁକୁ ସୁକୁ ହୋଇ ବଞ୍ଚିଥିଲି ପୁରା ଶବ ପାଲଟି ଗଲି।


ଚିନୁ ବିବାହ କଲା ଡିସେମ୍ବର ଛଅରେ।

     

       ଆସ୍ତେ ଆସ୍ତେ ଜୀବନ ଟା ମୋତେ ବୋଝ ଲାଗିଲା।ଏତେ ପରୀକ୍ଷା ଦେଉଛି ଗୋଟିଏ ହେଲେ ବାଜୁ ନାହିଁ।ସମ୍ବଳ ଯୋଗାଡ଼ କରି ନ ପାରିବାରୁ ବାପା ଲିଜୁ ଦେଇକୁ ବିବାହ ଦେଇ ପାରୁନଥିଲେ।ବୟସ ବଢ଼ୁଥିଲା

ମରୁଥିଲା ସ୍ବପ୍ନ ମୋ ଦେଈର ଓ ମୋର।ମୋର ଚାକିରି ନ ହେବାର ଦୁଃଖ;ମୋ ଦେଈର ବିବାହ ହୋଇ ନ ପାରିବାର।ବୋଉକୁ ହେବି ଡାଇବେଟିସ ବାହାରିଲାଣି।ଜେଜେ ମଶାଣୀକୁ ଯିବାକୁ ଗୋଡ଼ କାଢ଼ିଲେଣି।ସବୁ ସମସ୍ୟା ଏକା ବେଳେ ବାପାଙ୍କ ମେରୁଦଣ୍ଡ ବଙ୍କା କରିଦେଲାଣି।ମୁଁ ନିହାତି ନାଚାର ଅଯୋଗ୍ୟ ପୁଅ।କେଉଁ କୂଳକୁ ନୁହଁ।

      ଦିନେ ମୋ ଲିଜୁ ଦେଈକୁ ଫୁସୁରୁ ଫୁସୁର ହୋଇ ଆମ ବାଡ଼ି ପଟ ଖତ ଗଦା ପାଖେ କାହା ସଂଗେ କଥା ହେବା ଶୁଣିଲି।ଯାଇ ଦେଖେତ ଆର ପାଖ ଗାଁର ବିଭୁତି ସହ ଗୋଟେ ଅସଂଯତ ଅବସ୍ଥାରେ ମୋ ଦେଈ।ଇଚ୍ଛା ହେଉଥିଲା ବଡ଼ ହେଉ ପଛେ ଠାଏ କରି ବଜେଇ ଦିଅନ୍ତି ଲିଜୁ ଦେଈ ଗାଲରେ।କିନ୍ତୁ ସବୁ ଜାଣି ନୀରବ ରହିଲି।ଲିଜୁ ଦେଈ ମୋତେ ଦେଖି ଅତି ଲାଜରା ହୋଇ ଗଲା।ମୋ ଗୋଡ଼ ଧରି ପକାଇଲା।ବାପା ବୋଉକୁ କହିବୁ ନାହିଁ ବୋଲି ନେହୁରା ହେଲା।

      ତାପର ଦିନ ଗାଁ ସାରା ଚହଳ ପଡିଲା ବିଶୁ ପ୍ରଧାନ ଝିଅ ଆର ଗାଁ ଦଳିତ ଜାତିର ପୁଅ ବିଭୁତି ସହ ପଳେଇଛି।

      ବାପା, ବୋଉ,ଜେଜେ ଦିନା କେତେ ଗୁମ୍ ମାରି ବସିଲେ।ଆମ ଘରେ କେହି ମରି ଗଲା ପରି ଲାଗିଲା।

      ମୁଁ କିନ୍ତୁ ଖୁସି ଥିଲି ବିକ୍ରମ କୋଟାରେ ଭଲ ସରକାରୀ ଚାକିରିଟିଏ କରିଛି।ଲୁଚି ଛପି ମିଶା ମିଶି ହେବେ କାହିଁକି।ମୁଁ ହିଁ ତାଙ୍କ ପଳେଇ ଯିବାରେ ସାହାଯ୍ୟ କରିଥିଲି।ରେଜେଷ୍ଟ୍ରି ମ୍ୟାରେଜ ବି କରେଇ ଦେଇଥିଲି।ଅନ୍ତତଃ ବଞ୍ଚିଯାଉ ଲିଜୁ ଦେଈ।

      ସେବେଠୁ ଆମ ଘରେ କେହି ହସିବା ଦେଖି ନାହିଁ।କିନ୍ତୁ ହଠାତ୍ ଦିନେ ମୁଁ ଷ୍ଟାପ୍ ସିଲେକ୍ସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରିଟିଏ ପାଇଗଲି।କଣ ଦେଖିବ ମୋ ଜେଜେଙ୍କ ପାକୁଆ ପାଟିର ହସ!!ବାପାଙ୍କ ଉଜ୍ଜ୍ୱଳ ମୁହଁର ଭାଷା!!!ସମସ୍ତେ ଖୁସିରେ ଫାଟି ପଡୁଥିଲା ବେଳେ ମୋ ବୋଉ କାନ୍ଦି ପକାଇ ଥିଲା ;ମଣ୍ଟୁ ମୋ ଧନ କହି।କେତେ କଷ୍ଟ ସହିଲାଣି ମୋ ରାଜାଟା......ଯା ଏଣିକି ଖୁସିର ଜୀବନ ଟିକେ ବଞ୍ଚ ବାପା.....

      ଚାକିରି ପାଇଲି ସତ,କିନ୍ତୁ ହରେଇ ସାରିଥିଲି ମୋ ଲିଜୁ ଦେଈର ଖୁସି,ଚିନୁର ପ୍ରେମ।ପ୍ରଥମ ମାସର ଦରମା ଟଙ୍କାଟା ବାପାଙ୍କୁ ଦେଲା ବେଳେ ଲାଗିଲା "ଖୁସିର ଜହ୍ନ "ଟା ମୋ ବାପାଙ୍କ ମୁହଁରେ ଆକାଶ ଛାଡି ଉଇଁଛି ଅବା।ବାପା ପାଞ୍ଚଶହ ଟଙ୍କା ଠାକୁରଙ୍କ ପାଖେ ଭୋଗ ଲଗେଇବେ ରଖି ଆଉ ସବୁତକ ଟଙ୍କା ମୋ ହାତରେ ଧରେଇ ଦେଇ କହିଲେ ତୋ ମନ ମୁତାବକ ଖାଇବା,ପିନ୍ଧିବା ତୋତେ ଦେଇ ପାରିନି;ବାବୁ।ତୋ ଇଚ୍ଛା ଅନୁସାରେ ଖର୍ଚ୍ଚ କର।

      ମୁଁ କୁଣ୍ଢେଇ ପକେଇ କହିଲି ବା... ପା।


Rate this content
Log in

Similar oriya story from Drama