ଖୁଚୁରା ଟଙ୍କା
ଖୁଚୁରା ଟଙ୍କା
କାଞ୍ଜିପାଣି ଘାଟି ରାସ୍ତା, ଅଙ୍କା ବଙ୍କା ରାସ୍ତାଟିରେ ଗାଡ଼ି ନିଜେ ଚଲେଇ ଯାଉଛନ୍ତି ପାର୍ଥ ସାରଥୀ। ଗୋଟେ ପଟେ ପାହାଡ଼ ଉପରେ ଖରା ପଡ଼ିଥିଲା ବେଳେ ଅନ୍ୟପଟେ ଛାଇ। ଏଇଦୃଶ୍ଯଟି ତାଙ୍କର ଭାରି ପ୍ରିୟ । ଶୀତର ଆରମ୍ଭରେ ଏଇ ମନୋରମ ଦୃଶ୍ୟ ଟିକୁ ଉପଭୋଗ କରନ୍ତି ପାର୍ଥ ସବୁଦିନ। ଖରାଟା ଅଳ୍ପ ଦୂର ପାହାଡ଼ ଉପରେ ଚକ୍ ଚକ୍ ମାରୁଛି। ଦୂରରୂ ବଡ଼ ବଡ଼ ଗଛ ଗୁଡ଼ିକ ଛୋଟ ପ୍ରତୀୟମାନ ହେଲେ ବି ସବୁଜ ଦିଶୁଛି। କାର୍ ଭିତରେ ମ୍ଯୂଜିକ୍ ବାଜୁଛି, ତାଙ୍କ ମନପସନ୍ଦର ଗୀତ। ଘର ଛାଡ଼ି ଆସିବାର ଦୁଃଖ ଟା ଲାଘବ କରିଦିଏ ଏଇଦୃଶ୍ଯରାଜି। କହିବାକୁ ଗଲେ ଏଇ କାର୍ ଯାତ୍ରାଟି ତାଙ୍କର ମନଖୁସି କରିଦିଏ। ସପ୍ତାହ ଯାକର କାମ କରିବା ପାଇଁ ଯୋଗେଇଦିଏ ଉତ୍ସାହ।
ଏଇ କାଞ୍ଜିପାଣି ଘାଟି ଅଳ୍ପ ଉଞ୍ଚ , ତେଣୁ ଖୁବ୍ ବେଶୀ ବୁଲାଣି ରାସ୍ତା ନଥିବାରୁ ସେତେ ବିପଦସଙ୍କୁଳ ନୁହେଁ। ସ୍ବଛ୍ଛନ୍ଦରେ ଗାଡ଼ି ଚାଳନା କରିହୁଏ। ବାଟରେ ପିଲାଟିଏ ଫୁଲମାଳ ବିକୁଛି। ହାତ ଦେଖେଇ ଅଟକେଇ କିଣିବାକୁ ଅନୁରୋଧ କରୁଛି। ଘାଟି ମୁଣ୍ଡରେ ଥିବା ଠାକୁରାଣୀଙ୍କ ପାଇଁ କିଛି ଲୋକ କିଣନ୍ତି। ପାର୍ଥ ସେ ଦିଗକୁ ଧ୍ଯାନ ନଦେଇ ଆଗେଇ ଗଲେ । ତାଙ୍କୁ ଦଶଟା ଆଗରୁ ପହଞ୍ଚି ଅଫିସ୍ କରିବାକୁ ପଡ଼ିବ। ଆରେ ଏ କଣ , ହଠାତ୍ ଗାଡ଼ିଟା ଅଟକି ଗଲା। ଆଉ ଚାଲୁନି ଯେ। ଷ୍ଟାର୍ଟ ବି ହେଉନି। କଣ କରିବେ କିଛି ବୁଝିବି ପାରିଲେନି। କିଛିତ କରିବାକୁ ହେବ, ଆଉ ତାଙ୍କୁହିଁ କରିବାକୁ ହେବ। ଆଉ କେହି ନାହାନ୍ତି ପାଖରେ। କାର୍ ର ଡୋର୍ ଖୋଲି ବାହାରକୁ ବାହାରିଲେ। ଗଡାଣିରେ ଗାଡ଼ି ଥିବାରୁ କାର୍ ଚକର ପଛପଟେ ପଥର ଢେରା ଦେଲେ ଗାଡ଼ି ନଗଡିବା ପାଇଁ । ଚାରିଆଡ ଚାହିଁଲେ। ସେ ରାସ୍ତାଦେଇ କିଛି ଗାଡି ମଟର ଯାଉନି, ଯାହାରକି ସାହାଯ୍ୟ ସେ ନେଇପାରିବେ। ପାଖ ଆଖରେ କାହାକୁ ବି ଦେଖିପାରୁ ନାହାନ୍ତି ସେ। ମନେ ପଡିଗଲା ସେଇ ଫୁଲ ବିକାଳୀ ପିଲାଟି କଥା । ତେଣୁ ଗାଡ଼ି ଚାବିପକେଇ ଚାଲି ଚାଲି ପଛକୁ ଗଲେ। କିଛିବାଟ ଗଲାପରେ ପିଲାଟିକୁ ଦେଖିପାରିଲେ। ବେଶୀ ଦୂରରେ ନଥିଲା ପିଲାଟି। ପାଖରେ ପହଞ୍ଚି କିଛି କହିବା ଆଗରୁ, ପିଲାଟି ଆଶାୟି ଦୃଷ୍ଟିରେ ଚାହିଁ ପଚାରିଲା,ବାବୁ ଫୁଲ ନେବେ ?
ପାର୍ଥ ତାର ଉତ୍ତର ନଦେଇ ପଚାରିଲେ ଏଇ ପାଖରେ କେହି କାର୍ ମେକାନିକ୍ କି ଗ୍ୟାରେଜ ଅଛିକି ? ମୋ ଗାଡିଟା ଖରାପ ହେଇଯାଇଛି।
ପିଲାଟି ଟିକିଏ ଭାବି କହିଲା ହଁ ଆଗରେ ଅଛିଯେ ହେଲେ କେମିତି ଯିବେ ? ସାତ ଆଠ କିଲୋମିଟର ହେବ।ପାର୍ଥ କହିଲେ ସାଇକେଲରେ ଯାଇହେବ କି?ପିଲାଟି ପୁଣି ଭାବି କହିଲା, ଗାଁରୁ କାହାକୁ ଯାଉଛି ଡାକିବି। ଆପଣ ଏଇଠି ବସି ଥାଆନ୍ତୁ।
ଏତିକି କହି ପିଲାଟି ସେ ଜଙ୍ଗଲ ଭିତରେ ଚାଲିଗଲା। ପ୍ରାୟ ଅଧଘଣ୍ଟା ଭିତରେ ସେ ଜଣଙ୍କ ସହ ସାଇକେଲରେ ବସି ଆସିଲା। ତାପରେ କହିଲା , "ଇଏ ମୋର ଦାଦା।"
ତାଙ୍କ ସାଇକେଲରେ ସେ ଯିବେ କି ପିଲାଟିର ଦାଦା ଯାଇ ଡାକି ପାରିବେ ଏହିଭାବ ନେଇ ଦ୍ବନ୍ଦରେ ଥିଲେ ପାର୍ଥ ସାରଥୀ। ସେହି ବିଷୟରେ କଥାବାର୍ତ୍ତା ହେଲାପରେ ପିଲାଟି କହିଲା, "ଆପଣ ଗାଡ଼ି ପାଖରେ ରୁହନ୍ତୁ, ଦାଦା ଓ ମୁଁ ଯାଇ ସେ ମେକାନିକ୍ କୁ ଡାକି ଆଣବୁ"। ଅଗତ୍ୟା ସେମାନଙ୍କ କଥାକୁ ମାନି କହିଲେ, "ତୁମ ଦାଦା ଯାଆନ୍ତୁ, ତୁମେ ଥାଅ। ଆଉ ମୋ ଫୋନ୍ ନମ୍ବର ନିଅ ଆସିବା ଆଗରୁ ମେକାନିକକୁ କହିବ ମତେ କଲ୍ କରିବ "। ପିଲାଟିର ଦାଦା ଗଲାପରେ ପାର୍ଥ ସାରଥି ପିଲାଟିକୁ ଗାଡ଼ି ପାଖକୁ ଡ଼ାକିନେଇ ତାର କାର୍ଯ୍ଯ କୁ ଲକ୍ଷ କରୁଥୁଲେ। ଜଙ୍ଗଲର କିଛି ଜଙ୍ଗଲି ଫୁଲ, ମନ୍ଦାର, ଟଗର କନିଅର ଫୁଲକୁ ମିଶେଇ କଳାତ୍ମକ ଢଙ୍ଗରେ ସୁନ୍ଦର ମାଳ ସେ ତିଆରି କରିଛି। ସେଦିନ ସେ ପାଞ୍ଚୋଟି ଫୁଲମାଳ ଧରିଥିଲା। ସକାଳୁ ଗୋଟେ ବି ତାର ବିକ୍ରି ହେଇନଥିଲା। ପିଲାଟିର ନାଁ ଥିଲା ଗୋଲକ। ତାର ଘରେ ଆଉ ଜଣେ ବଡ ଭଉଣୀ ଓ ଜଣେ ସାନ ଭାଇ। ମା ଅଛନ୍ତି, ବାପା ନାହାନ୍ତି। ପିଲାଟି ପଞ୍ଚମ ଶ୍ରେଣୀରେ ପଢୁଛି ବୋଲି ଜଣେଇ ଥିଲା।
କଥାବାର୍ତ୍ତା ରେ ସମୟ ବିତୁଥିଲେ ବି ମନଭିତରେ ପାର୍ଥଙ୍କର ଆଶଙ୍କା ଓ ଉଦବିଗ୍ନତା ବଢୁଥିଲା।
ଏବେ କିଛି କିଛି ଗାଡି ମଟର ଯିବା ଆସିବା କଲାଣି ସେଇ ରାସ୍ତାରେ। ପ୍ରତିଥର କେହି ଲୋକ ବା ଗାଡ଼ିଟେ ସେଇବାଟେ ଆସିଲେ, ପିଲାଟି ଦୌଡ଼ି ଯାଉଥିଲା ରାସ୍ତା ମଝିକୁ, ଯେପରିକି ତାର ଫୁଲମାଳଟି ଦୃଷ୍ଟିଗୋଚର ହେବ, ସେ ବାଟୋଇ ଙ୍କୁ। ସବୁଥର ସେ ଫେରିଆସେ ମାଳଟିଏ ବିକ୍ରି କରିନପାରି। ଫୁଲମାଳଟିର ଦାମ୍ ଦଶଟଙ୍କା ମାତ୍ର। କିନ୍ତୁ କେହି କିଣୁନଥାଆନ୍ତି। ଆଉ କ'ଣ ସବୁ ସେ ବିକ୍ରି କରେ ବୋଲି ପଚାରିଲାରୁ, କେନ୍ଦୁ, ଛତୁ, କୁସୁମ କୋଳି ଇତ୍ୟାଦି ତା ମା ଓ ସେ ବିକନ୍ତି ବୋଲି ଜଣାଇଲା। କିନ୍ତୁ ଦିନ ଭିତରେ କେବେ ତାଙ୍କର ଶହେ ଟଙ୍କା ବି ରୋଜଗାର ହୁଏନାହିଁ ବୋଲି ଜାଣିବାକୁ ପାଇଲେ ସେ।
ୟାଭିତରେ ଘଣ୍ଟାଏ ଉପରେ ବିତିଗଲାଣି। ଗୋଲକର ଦାଦା ବା ମେକାନିକ୍ ର ଦେଖାଦର୍ଶନ ନାହିଁ। କାହାଠୁ ଫୋନ୍ ବି ଆସୁନି।
ଅଧୈର୍ଯ୍ୟ ହେଇ ପିଲାଟିକୂ ପଚାରିବାରୁ କହିଲା, ଏଠି ଫୋନ୍ ଲାଗେନି। ଆଉଥରେ ଜଣଙ୍କର ଦୁର୍ଘଟଣା ହେଇଥିଲା ଯେ , ଖବର ଦେଇନପାରିବାରୁ ପୋଲିସ୍ ଓ ଆମ୍ବୁଲାନ୍ସ ଆସୁ ଆସୁ ଜଣେ ମରିଗଲେ। ପାର୍ଥ ଟିକେ ଆଶଙ୍କିତ ହେଇ ପଡ଼ିଲେ। ତଥାପି ଆଶା ହୀନ ହେଇନଥାଆନ୍ତି ସେ। ପିଲାଟିର ନିଜକୁ ଓ ପରିବାରଟିକୁ ବଞ୍ଚେଇ ରଖିବାର ପ୍ରଚେଷ୍ଟା ତାଙ୍କୁ ଛୁଇଁ ଯାଇଥିଲା ଓ ଅନେକ ପ୍ରେରଣା ଯୋଗାଉଥିଲା। ସେ ବିଶ୍ଳେଷଣ କରି ଭାବୁଥିଲେ ଏଇ ମାଳତକ ବିକ୍ରି ହେଲେ ସେ ଜମାରୁ ପଚାଶ ଟଙ୍କା ପାଇବ। ଯଦି ସବୁଯାକ ବିକ୍ରି ନହେବ ତେବେ ଆହୁରି କମ୍ ଅବା କିଛିବି ନ ପାଇପାରେ।
ସେତିକିବେଳେ ଦେଖାଗଲା ଦୁଇଟି ମୁଣ୍ଡ। କ୍ରମଶଃ ମୁଣ୍ଡ ଦୁଇଟି ପାଖେଇ ଆସିଲା ଆଉ ସାକେଲ୍ ସହିତ ସମ୍ପୂର୍ଣ୍ଣ ଦୃଷ୍ଟି ଗୋଚର ହେଲା। ତାହେଲେ ଗୋଲକର ଦାଦା ଓ ମେକାନିକ୍ ଆସି ପହଞ୍ଚିଗଲେ।
ମରାମତି କାମ ସରିବାପରେ ପାର୍ଥସାରଥୀ ଗୋଲକକୁ ଧନ୍ୟବାଦ୍ ଦେଇ ବଢ଼େଇ ଦେଲେ ୫୦୦ ଟଙ୍କା। ପିଲାଟି କହିଲା "ଗୋଟେ ମାଳ ନେବେ ନା ଦୁଇଟା"
"ନା ମୋର ଫୁଲମାଳ ଦରକାର ନାହିଁ "
ଗୋଲକ ର ମୁହଁ ଶୁଖିଗଲା। ତାହେଲେ ଟଙ୍କା। ତା ମୁହଁରେ ପ୍ରଶ୍ନବାଚୀ।
ପୁଣି କହିଲା, " ଗୋଟିଏ ନିଅଁନ୍ତୁ। ଯଦି ଖୁଚୁରା ନାହିଁ, ଥାଉ ଆରଥରକୁ ଦେବେ"।
କେତେ ଶୀଘ୍ର ବିଶ୍ବାସ କରିଗଲା ପିଲାଟି ତାଙ୍କୁ। ଆରଥର ସେ ଆସିବେକି ନାହଁ କଣ ପିଲାଟି ଜାଣିଛି ?
ଗୋଲକ ସେ ୫୦୦ ଟଙ୍କିଆ ନୋଟ୍ ଟିକୁ ପରଖୁଥିଲା। ତାର ନଅବର୍ଷର ଜୀବନକାଳ ଭିତରେ ସେ ଏତେ ଟଙ୍କା ଦେଖିନଥିଲା ବୋଧେ।
ପାର୍ଥ କହିଲେ, "ମୋ ପାଖରେତ ଆଉ ଖୁଚୁରା ଟଙ୍କା ନାହିଁ, ତମେ ଏବେ ଏତକ ରଖିଥାଅ, ଆରଥର ଦେଖାହେଲେ ଫେରେଇବ"। ଗୋଲକ ଠାରୁ ପଇସା ଫେରିପାଇବାର ଉଦ୍ଦେଶ୍ୟ ନଥିଲା ତାଙ୍କର । ପିଲାଟି ଆଜି ତାଙ୍କୁ ଯୋଉ ସାହାଯ୍ୟ କରିଛି ଓ ମାନସିକ ସ୍ତରରେ ବଳ ଯୋଗେଇଛି , ତା ଆଗରେ ଏ ୫୦୦ ଟଙ୍କା କିଛି ନୁହେଁ। ତେଣୁ ଟିକେ ମିଛ କହିଲେ ପାର୍ଥ।
ଆଉ ପିଲାଟି ଜମା ରାଜିନୁହଁ ଖାଲି ଟଙ୍କା ରଖିବାକୁ। ପାର୍ଥ ଗୋଲକକୁ ଚାରିଟାଯାକ ମାଳ ଦେବାକୁ କହି, ଆଊ ଦୁଇଟା ମୋଟା ମାଳ ବରାତ ଦେଲେ। କହିଲେ ସେ ଦୁଇଦିନ ପରେ ଆସିବେ। ଆଉ ବାକି ଖୁଚୁରା ପଇସା ନେଇଯିବେ। ପିଲାଟି ଖୁସୀହେଲାପରି ଲାଗିଲା।
ଏଥର ଗାଡ଼ି ଷ୍ଟାର୍ଟ କଲେ ପାର୍ଥ। ଶୀଘ୍ର ଶୀଘ୍ର ଯିବାକୁ ହେବ , ନହେଲେ ବହୁତ ଫାଇଲ୍ ପଡ଼ିଯିବ ଓ କେତେ ଲୋକ ଅପେକ୍ଷା କରିଥିବେ। ୟାଭିତରେ ଗୋଟେ ସପ୍ତାହ ବିତିଗଲାଣି। ପାର୍ଥସାରଥୀ ନିଜ ଅଫିସ୍ କାମରେ ବ୍ୟସ୍ତ ଥାଆନ୍ତି। ସେଦିନ ଗୋଟେ ଅଜଣା ନମ୍ବରରୁ ଫୋନ୍ ଆସିଲା। ପ୍ରଥମେ ସେ ଉଠେଇଲେନି । ବାରମ୍ବାର କଲ୍ ଆସିବାରୁ କିଏ କରୁଛି ଦେଖିବା କହି ଉଠେଇଲା ରୁ ଶୁଭିଲା, "ସାର୍ ମୁଁ ଗୋଲକ କହୁଛି।" ମନେପଡ଼ିଗଲା ପାର୍ଥଙ୍କର, ସାତଦିନ ତଳର ଘଟଣା।
"କଣ କୁହ"
"ସାର୍ ଆପଣ ଦିଦିନ ପରେ ମୋଟା ଗଜରା ଫୁଲହାର ଦୁଇଟା ନେବେ ବୋଲି କହିଥିଲେ, ଆସିଲେନି ତ ? ଶୁଖିଯିବ ବୋଲି ମୁଁ ଘାଟି ଠାକୁରାଣୀ ଙ୍କୁ ପୂଜକଙ୍କୁ କହି ଆପଣଙ୍କ ନାଁ ରେ ପିନ୍ଧେଇ ଦେଇଛି। ବାକି ପଇସା ନେଇଯିବେ। କେବେ ଆସିବେ କହିଲେ ମୁଁ ସେଠି ଠିଆ ହେଇଥିବି।"
ଆଶ୍ଚର୍ଯ୍ୟ ହେଇ ଶୁଣୁଥିଲେ ପାର୍ଥସାରଥୀ
"ଆଉ ସାତଦିନ ସେପରି ଗୋଟିଏ ଲେଖାଏଁ ମୋଟା ଗଜରା ମାଳ କରି ଘାଟି ଠାକୁରାଣୀ ଙ୍କୁ ପିନ୍ଧେଇ ଦେଲେ ମୋର ଟଙ୍କା ଶୁଝି ହେଇଯିବ।" କହି ଫୋନ୍ ରଖିଲେ ପାର୍ଥ।
