KRUTIBAS NAYAK

Children

4  

KRUTIBAS NAYAK

Children

ଖଟି ଖାଇବାର ମଜା

ଖଟି ଖାଇବାର ମଜା

6 mins
177



ବଳାରାମବାବୁ ଜଣେ ଧନୀଲୋକ । ତାଙ୍କର ସୁନ୍ଦର ପକ୍କାଘର ପାଖକୁ ଲାଗି ବିରାଟ ଫୁଲ ବଗିଚା, ଫଳ ବଗିଚା ରହିଛି । ଘର ଚାରିପାଖ ତାରବାଡ଼ ଦିଆଯାଇଛି । ତା' ପାଖେ ପାଖେ ନଡ଼ିଆ ଗଛ, ତାଳଗଛ, ଗୁଆଗଛ ଧାଡ଼ି ଧାଡ଼ିହେଇ ଠିଆ ହେଇଛନ୍ତି । ତାଙ୍କ ପୋଖରୀରେ ବର୍ଷଯାକ ମାଛ ଖେଳୁଥାଆନ୍ତି । ପୋଖରୀକୁ ଲାଗି ଯେଉଁ କୁକୁଡ଼ା ଫାର୍ମ ରହିଛି, ସେଥିରେ ଶହେ ଖଣ୍ଡ ଦେଶୀ କୁକୁଡ଼ା ରହିଛନ୍ତି । ସବୁଦିନ ପଚାଶ-ଷାଠିଏ ଅଣ୍ଡା ମିଳେ । ପାଞ୍ଚଟା ଜର୍ସିଗାଈ ତାଙ୍କୁ ବର୍ଷଯାକ କ୍ଷୀର ଦିଅନ୍ତି । ବଗିଚାରେ ସବୁ ପ୍ରକାର ପନି-ପରିବା ହୁଏ । କେତେ ପ୍ରକାର ଫୁଲ ଫୁଟି ବଗିଚାକୁ ସ୍ୱର୍ଗର ନନ୍ଦନକାନନ କରି ଦେଇଛନ୍ତି । ବଳାରାମବାବୁ କେବେ ବଜାରକୁ ଯାଆନ୍ତି ନାହିଁ । ବରଂ ତାଙ୍କର ସବୁ ଜିନିଷ ବଜାରକୁ ବିକ୍ରି ହେବାକୁ ଯାଏ । କେତେଜଣ ଲୋକ ତ ବାଡ଼ି-ବଗିଚାରେ କାମ କରନ୍ତି, ତଥାପି ସେ ନିଜେ ସାରାଦିନ ସେଇ ବଗିଚା କାମରେ ଲାଗି ରହନ୍ତି ।

ବଳାରାମବାବୁଙ୍କ ଘରବାଟଦେଇ ଯାଉଥିବା ଲୋକେ ସେ ବଗିଚାକୁ ଟିକେ ଚାହିଁଦେଇ ଖୁସି ହେଇଯାଆନ୍ତି । କେହିକେହି ତାଙ୍କୁ ପ୍ରଶଂସା ବି କରନ୍ତି । ଆଉ କେତେଜଣ ତାଙ୍କର ଫୁଲ, ଫଳ, ମାଛ, ଗାଈ, କୁକୁଡ଼ାଙ୍କୁ ଦେଖି ହାଇଁପାଇଁ ହୁଅନ୍ତି । କେହି କେହି ଲୋଭ ସମ୍ଭାଳି ନ ପାରି ସେଥରୁ କିଛି ନେଇଯିବାକୁ ଚେଷ୍ଟା ବି କରନ୍ତି । କିନ୍ତୁ ବଳରାମ ବାବୁ କାହାରିକୁ କେବେ କିଛି ବି ମାଗଣାରେ ଦିଅନ୍ତି ନାହିଁ । ବରଂ କହନ୍ତି- "ଯଦି କିଛି ନେବାକୁ ଚାହୁଁଛ, ତେବେ ଭିତରକୁ ଆସ । ଘଣ୍ଟାଏ ପରିଶ୍ରମ କରି ଘାସ ଉପାଡ଼ । ଦୁଇଟା ଚାରିଟା ଗାତଖୋଳି ଗଛ ଲଗାଅ । ଗଛରେ ପାଣି ଦିଅ । ତେବେ ଯାଇ ମୁଁ ତମକୁ କିଛି ଜିନିଷ ଦେବି ।"

ତାଙ୍କକଥା ଶୁଣିସାରି ଠକ ଅଳସୁଆମାନେ ତାଙ୍କୁ କିଛି ନ କହି ଧୀରେ ସେଇଠୁ ଖସି ପଳାଇ ଯାଆନ୍ତି । ସେମାନେ ବାହାରେ ଯାଇ କହନ୍ତି-" ବଳରାମ ବାବୁଙ୍କ ଭଳି କୃପଣଲୋକ ଆଉ କେହି ସଂସାରରେ ନ ଥିବ । ବୁଢା ବୟସରେ ଦିନରାତି ଖଟୁଛି । ମାଗିଲେ କାହାକୁ ଦିହର ମଳି ବି ଟିକେ ଦେବନାହିଁ । ସକାଳୁ ତା' ମୁହଁ ଚାହିଁଲେ ଖାଇବାକୁ ମିଳିବ ନାହିଁ ।"

ସେହି ଗାଆଁରେ ଆଉ ଜଣେ ଧନୀଲୋକ ଥାଆନ୍ତି । ସେ ଲୋକମାନଙ୍କୁ ଟଙ୍କା କରଜ ଦିଅନ୍ତି । ସୁଧ-ମୂଳ ବାବଦକୁ ଦୁଇଗୁଣ ଟଙ୍କା ତାଙ୍କଠାରୁ ଆଦାୟ କରନ୍ତି । ନିଜକୁ ଦାନୀ, ଦୟାଳୁ ଲୋକ ବୋଲି ଜଣାଇବା ପାଇଁ କେତେଜଣ ଠକ-ଅଳସୁଆଲୋକଙ୍କୁ ଚାହା-ପାନ ଯାଚନ୍ତି । କରଜଖିଆମାନକୁ ମଝିରେ ମଝିରେ ଖୁସି କରାଇବା ପାଇଁ ଜଳଖିଆ ବି ଖୁଆନ୍ତି । କେହି ଭିକାରି ଆସିଲେ, ତାକୁ ପାଞ୍ଚ-ଦଶ ଟଙ୍କାଦେଇ ଖୁସି କରାଇ ଦିଅନ୍ତି । ତେଣୁ ତାଙ୍କୁ କେତେଜଣ ଭାରି ପ୍ରଶଂସା କରନ୍ତି ।

ଏ'ସବୁକଥା ବଳରାମବାବୁଙ୍କ କାନରେ ପଡ଼େ, କିନ୍ତୁ ତାକୁ ସେ ମୋଟେ ଖାତିରି କରନ୍ତି ନାହିଁ । ସେ କହନ୍ତି-" ମୁଁ ପଇସା ଖର୍ଚ୍ଚ କରୁଛି । ନିଜେ ବି ପରିଶ୍ରମ କରୁଛି । ନିଜର ଉନ୍ନତିରେ ମୁଁ ଲାଗି ରହିଛି । ଏଠୁ ମୋତେ ଧନ ସହିତ ସୁଖ-ଶାନ୍ତି ବି ମିଳୁଛି । ମୁଁ ତ କାହାରି କିଛି କ୍ଷତି କରୁନାହିଁ । ବରଂ ହାଟ-ବଜାରକୁ ଜିନିଷ ପଠାଇ ଲୋକଙ୍କୁ ଖାଇବାକୁ ଯୋଗାଇ ଦେଉଛି । କାହା କଥାରୁ ମୋତେ କ'ଣ ମିଳିବ ?"

ଦିନେ ସକାଳେ ବଳରାମବାବୁ ଆରାମ ଚେୟାରରେ ବସି ଚାହା ପିଉଥାଆନ୍ତି । ବାର-ତେର ବର୍ଷ ବୟସର ଜଣେ ବାଳକ ଆସି ତାଙ୍କ ପାଖରେ ପହଞ୍ଚିଲା । ଜଣା ପଡୁଥିଲା, ପିଲାଟା ଭଲ ଘରର ପୁଅ । କିଛି ଗୋଟାଏ ଅସୁବିଧାରେ ପଡ଼ି ମୋ ପାଖକୁ ଆସିଛି । ତାକୁ ପଚାରିବାରୁ ପିଲାଟି କହିଲା-" ମଉସା ! ବହୁତ ଦୂରରେ ଆମଘର । ମୋ ବାପା-ମାଆ ଦୁହେଁ ଗୋଟାଏ ଦୁର୍ଘଟଣାରେ ମରି ଯାଇଛନ୍ତି । ତାଙ୍କୁ ଚିକିତ୍ସା କରୁକରୁ ସବୁ ସରିଗଲା । ଘରଡିହ ବି ବନ୍ଧା ପଡ଼ିଥିଲା । ଶେଷରେ ତାକୁ ଗାଁ' ମହାଜନ ନେଇଗଲା । ଆମର ଘରଦ୍ୱାର କିଛିନାହିଁ । ପାଠପଢ଼ା ବି ଛାଡ଼ି ଦେଇଛି । ମୁଁ ଅନାଥହେଇ ଭିକ୍ଷା ମାଗି ବୁଲୁଛି । ଘରେ ମୋର ଆଉକେହି ନାହାନ୍ତି । ଆପଣଙ୍କ ଗାଆଁର ମହାଜନ ମୋତେ କାଲି ରାତିରେ ପେଟେ ଭାତ-ମାଛ ତରକାରୀ ଖାଇବାକୁ ଦେଲେ । ତାଙ୍କ ପିଣ୍ଡାରେ କାଲି ରାତିରେ ଶୋଇଥିଲି । ସେ ମୋ ହାତରେ ଶହେ ଟଙ୍କାଦେଇ କହିଲେ-" ସେଇ ବଡ଼ବଗିଚା ମାଲିକ ବଳରାମବାବୁଙ୍କ ପାଖକୁ ଯା; ସେ ଆମ ଅଞ୍ଚଳର ସବୁଠାରୁ ବଡ଼ ଧନୀଲୋକ । ତୋତେ ବହୁତ କିଛି ସାହାଯ୍ୟ କରି ପାରିବେ । ସେହି ଆଶାରେ ମୁଁ ଆପଣଙ୍କ ପାଖକୁ ଆସିଛି ।"

ବଳରାମବାବୁ ଜାଣିଗଲେ, ମୋତେ ଅପମାନିତ କରିବା ପାଇଁ ସେ ମହାଜନ ପିଲାଟାକୁ ମୋ ପାଖକୁ ପଠାଇଛି । ସମସ୍ତେ ଜାଣନ୍ତି, ମୁଁ ମାଗଣାରେ କାହାରିକୁ କିଛି ଦିଏନାହିଁ । ଭିକାରିକୁ ମଧ୍ୟ ମୁଁ ଉତ୍ସାହିତ କରିବା ପାଇଁ ଭିକ ଦିଏନାହିଁ । ସମସ୍ତଙ୍କୁ କାମ କରିବାକୁ କହେ । ଏ' ଛୋଟପିଲାଟା କ'ଣ ବା କାମ କରିପାରିବ ? ଏଠିକି ଆସିଛି ।"

ସେ ପଚାରିଲେ-" ଆଚ୍ଛା ହଉ, ତମର ନାମ କ'ଣ ? ତମେ ମୋଠାରୁ କ'ଣ ଆଶା କରୁଛ କୁହ ।"

ପିଲାଟି କହିଲା- "ମୋ ନାମ ସୁଦର୍ଶନ । ମୁଁ ଆପଣଙ୍କଠାରୁ ଶହେ କି' ଦୁଇଶହ ଟଙ୍କା ପାଇବି ବୋଲି ଆଶା ରଖିଛି ।"

ବଳରାମବାବୁ ତାକୁ କହିଲେ- "ଶୁଣ ସୁଦର୍ଶନ ! ତମେ ଏବେ ନାବାଳକ । ଏହି ବୟସରେ ଭିକ ମାଗି ଖାଇଲେ, ଅମଣିଷ ହେଇଯିବ । ତମର ଭବିଷ୍ୟତ ଅନ୍ଧକାର ହେଇଯିବ । ଥରେ ମାଗି ଖାଇବାର ମଜା ପାଇଗଲେ, ତମେ ଆଉ ପରିଶ୍ରମ କରିବାକୁ ଇଚ୍ଛା କରିବ ନାହିଁ । କୁହାଯାଏ-ଭିକ ମାଗିବାଠାରୁ ହୀନକାମ ଆଉ କିଛିନାହିଁ । ଯେଉଁମାନେ ତୁମଭଳି ଅନାଥ ପିଲାଙ୍କୁ କିଛି ଖାଇ ବାକୁ ଦିଅନ୍ତି, କିମ୍ବା କିଛି ଟଙ୍କା ଦେଇପକାନ୍ତି, ସେମାନେ ଭାବନ୍ତି, ଆମେ ଦୟାକରି ବହୁତ ପୁଣ୍ୟ ଅର୍ଜନ କଲୁ । କିନ୍ତୁ ସେମାନେ ତା'ର ଭବିଷ୍ୟତକୁ ନଷ୍ଟ କରିଦେଉଛନ୍ତି, ସେକଥା ଜାଣି ପାରନ୍ତି ନାହିଁ । ତମଭଳି ଛୋଟ ପିଲାକୁ ଘରେରଖି କାମ କରାଇବା ବି ଆମ ପାଇଁ ଅପରାଧ ହେବ । ପୁଲିସ ଆସି ଆମକୁ ହଇରାଣ କରିବେ । ଏଣେ, ତମେ ଯଦି ଅନାଥ ହେଇ ବୁଲିବ, ତେବେ ଅନେକ ଅସାମାଜିକ ଲୋକ ଅଛନ୍ତି, ସେମାନେ ତମକୁ ଭୁଲ କାମରେ ଲଗାଇ ଶେଷରେ ଜେଲରେ ପୂରେଇ ଦେବେ । ଜୀବନଟା ତମର ମାଟି ହେଇଯିବ । ତମେ ନିଜେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟାକର । ପ୍ରଥମେ ତ ବହୁତ କଷ୍ଟ ସହିବାକୁ ପଡ଼ିବ କିନ୍ତୁ ତମେ ଜଣେ ସ୍ୱାଭିମାନୀ ଆଉ ଭଲମଣିଷ ହେଇପାରିବ । ଅନ୍ୟର ଦୟାରେ ବଞ୍ଚିଲେ, ମଣିଷ ଅକର୍ମା ହେଇଯାଏ । ଜାଣିରଖ, ଦୁନିଆରେ କୌଣସି କାମ ଛୋଟ କି ବଡ଼ ନୁହେଁ । ତମର ଏଇ ଛୋଟ ହାତରେ ବହୁତ ବଡ଼କାମ ହେଇପାରିବ, ଏ' ବିଶ୍ୱାସ ମୋର ଅଛି । ଏଥିପାଇଁ ଉପଯୁକ୍ତ ପରାମର୍ଶ ଆଉ ସହଯୋଗ ଦରକାର । ସେ କାମଟା ମୁଁ କରିବି । ତମେ ନିଜେ ଅଳ୍ପ କିଛି ରୋଜଗାର କରି ଆତ୍ମନିର୍ଭରଶୀଳ ହେଇପାରିବ । ଏବେ କୁହ, କିଛି କାମକରି ଅଳ୍ପ ରୋଜଗାର କରିବା ଭଲ ନା' ଭିକମାଗି ବୁଲିବା ଭଲ ?"

ସୁଦର୍ଶନ ଏକ ଲୟରେ ତାଙ୍କ କଥାକୁ ଶୁଣୁଥିଲା । ସେ କହିପକାଇଲା-" ମଉସା ! ମୁଁ କଷ୍ଟ ପରିଶ୍ରମ କରିବାକୁ ପ୍ରସ୍ତୁତ ଅଛି । ଆପଣ ମୋତେ ଯାହା କହିବେ, ମୁଁ ସେ କାମ କରିବି । ଆଜିଠାରୁ ଆଉ ଭିକ ମାଗିବାକୁ କୁଆଡ଼େ ଯିବିନାହିଁ । ମୋର ତ ବୁଦ୍ଧିନାହିଁ କି ମୋ ପାଖରେ ପଇସା ନାହିଁ । ମୋତେ ଆପଣ କିଛି ଉପାୟ ବତେଇ ଦିଅନ୍ତୁ ।"

ବଳରାମବାବୁ ଜାଣିଗଲେ, ଏ' ପିଲାଟି ମାଗିଖିଆ ଭିକାରି କାମକୁ ପସନ୍ଦ କରୁନାହିଁ । ଭବିଷ୍ୟତରେ ଏ' ପିଲା ନିଶ୍ଚୟ ଜଣେ ଭଲମଣିଷ ହେଇପାରିବ । ଏଭଳି ପିଲାକୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ । ସେ ପିଲାଟିକୁ ବସାଇ କିଛି ଜଳଖିଆ ଖାଇବାକୁଦେଲେ । ତାକୁ ବୁଝେଇ କହିଲେ-" ମୁଁ ଆଗରୁ କହିଥିଲି, କୌଣସି କାମ ଛୋଟ କି ବଡ଼ନୁହେଁ । ଯାହାକୁ ଆମେ ଛୋଟ ଭାବିଥାଉଁ, ତାକୁ ଭଲଭାବରେ କରି ପାରିଲେ, ସେଇ କାମଟା ବଡ଼ ହେଇଯାଏ । ଦେଖ, ଗାଆଁଠାରୁ ସହର ସବୁଠି ଗାଈ-ମଇଁଷିଙ୍କ ଗୋବର ପଡ଼ିଛି । ଲୋକେ ଆଉ ତାକୁ ଆଗପରି କେହି ନେଉ ନାହାନ୍ତି । ତମେ ତାକୁ ଆଜିଠାରୁ ଗୋଟେଇ ଆଣି ଗୋଟିଏ ଜାଗାରେ ଜମା କରିବ । ସେଥିରେ ପାଣି ପକେଇ ଚକଟି ପିଠାପରି ତିଆରି କରି ଶୁଖେଇଦେବ । ତାକୁ ଘସିଫଡ଼ା କୁହାଯାଏ । ଦେଖିବ, ଲୋକେ ଆସି ତମଠାରୁ କିଣି ନେଇଯିବେ । ଏବେ ଖାଇବା ପିଇବା ଆମ ଘରେ କରିବ । ଆମ ଫାର୍ମ ହାଉସରେ ଶୋଇପଡ଼ିବ । ଘସି ବିକ୍ରି ଟଙ୍କାକୁ ସଂଚୟ କରି ରଖିବ । କିଛିଦିନ ପରେ ତମେ ତମର ସୁବିଧା ଦେଖି ଯୁଆଡ଼େ ଯିବ ।"

ସୁଦର୍ଶନ ସେହି ସମୟରେ ଝୁଡ଼ିଖଣ୍ଡେ ଧରି ନିଜ କାମରେ ବାହାରି ପଡ଼ିଲା । ସନ୍ଧ୍ୟା ସୁଦ୍ଧା ଦୁଇ-ତିନି ଝୁଡ଼ି ଗୋବର ଜମା ହେଇଗଲା । ତାକୁ ଚକଟି ଘସି ପାରିବା କାମ ନିଜେ ବଳରାମବାବୁ ତାକୁ ଶିଖାଇଦେଲେ । ଏମିତି କାମ ଚାଲୁ ଚାଲୁ ଲୋକେ ଘସି କିଣିବାକୁ ଆସିଲେ । ଧୀରେ ଧୀରେ ପଡ଼ିଆରେ ଘସିଗଦା ବି ତିଆରି ହେଇଗଲା । ଆଖ-ପାଖ ଅଞ୍ଚଳର ଲୋକେ ତାକୁ ଅଗ୍ରିମ ଟଙ୍କା ବି ଦେଇଗଲେ । ସୁଦର୍ଶନର ପରିଶ୍ରମ ଓ କର୍ମନିଷ୍ଠାକୁ ପ୍ରଶଂସା କଲେ । ସେଥିରେ ଉତ୍ସାହିତ ହେଇ ସୁଦର୍ଶନ ଅଧିରୁ ଅଧିକ ପରିଶ୍ରମ କଲା । ନିଜ ରୋଜଗାରରେ ଖାଇପିଇ ରହିଥାଏ । କିଛି ଟଙ୍କା ବି ସଂଚୟ କରି ପାରିଲା ।

କିଛିଦିନ ପରେ ସେ ନିଜ ଗାଆଁକୁ ଯାଇ ସେ ଜମିଦାରଠାରୁ ନିଜ ଘରକୁ ମୁକୁଳେଇ ଆଣିଲା । ସେଇଠି ରହି ଘସି ତିଆରି କରି ଆଖ-ପାଖ ଲୋକଙ୍କୁ ଜାଳେଣି ଯୋଗାଇଲା । ଏଥିରେ ବଳାରାମବାବୁ ବହୁତ ଖୁସିହେଲେ ।

ଏହା ଭିତରେ କେତେବର୍ଷ ବିତିଗଲାଣି । ଥରେ ବଳରାମ ବାବୁ କିଛି ଗୋଟାଏ କାମରେ ବାହାରକୁ ଗାଡ଼ିରେ ଯାଉଥା'ନ୍ତି । ବାଟରେ ସୁଦର୍ଶନର ଗାଆଁ ପଡ଼ିଲା । ଗାଆଁ ଶେଷରେ ସେ ଗୋଟାଏ ସୁନ୍ଦର ବଗିଚା, କୁକୁଡ଼ା ଫାର୍ମ, ଜର୍ସି ଗାଈଫାର୍ମକୁ ଦେଖି ସେ ସେଇଠି ଅଟକିଗଲେ । ନିଜ ପସନ୍ଦର ଜିନିଷକୁ ଦେଖିବାକୁ ସେ ଫର୍ମ ଗେଟ ପାଖରେ ପହଞ୍ଚିଗଲେ । ଜଣେ ସ୍ତ୍ରୀଲୋକ ଆସି ତାଙ୍କୁ ପଚାରିଲେ-" ଆପଣ କ'ଣ ନେବାକୁ ଆସିଛନ୍ତି ?"

ବଳରାମବାବୁ କହିଲେ-"ଏଇ ବଗିଚାକୁ ଦେଖି ମୋର ମନଖୁସି ହେଇଗଲା ତ, ତାକୁ ଟିକେ ଦେଖିବାକୁ ଚାହୁଁଛି । ଏହା ଭିତରେ ସୁଦର୍ଶନ ଆସି ସେଇଠି ପହଞ୍ଚିଗଲା । ସେ ବାବୁଙ୍କୁ ଚିହ୍ନିପାରି ପାଦକୁ ଛୁଇଁ ପ୍ରଣାମ କଲା । ତା' ସ୍ତ୍ରୀକୁ ଚିହ୍ନାଇ ଦେଇ କହିଲା-"ଏଇ ବାବୁ ହେଉଛନ୍ତି- ମୋ ପାଇଁ ଭଗବାନ । ତାଙ୍କରି ଦୟାରୁ ଆଜି ମୁଁ ଏତେ ବାଟରେ ପହଞ୍ଚି ପାରିଛି । ତାଙ୍କ ଋଣ ମୁଁ ଜୀବନରେ କେବେ ବି ଶୁଝି ପାରିବି ନାହିଁ । "

ବଳରାମବାବୁ ବୁଝିଗଲେ-ସୁଦର୍ଶନ ଆଜି ସଂପୂର୍ଣ୍ଣ ଆତ୍ମ ନିର୍ଭରଶୀଳ ମଣିଷ ହେଇପାରିଛି । ଗାଆଁରେ ସୁନ୍ଦର ପକ୍କାଘରଟିଏ କରିପାରିଛି । ମୋ ବଗିଚା, ଫାର୍ମକୁ ଦେଖି ସେଇମିତି କରି ପାରିଛି । ସ୍ତ୍ରୀ ପିଲାଙ୍କୁ ଧରି ଏବେ ସେ ବହୁତ ଭଲରେ ଅଛି । ସେଦିନର ଅନାଥ ବାଳକ ଆଜି କେତେଲୋକଙ୍କୁ ଫାର୍ମରେ କାମରେ ଲଗେଇ ପାରିଛି । ଏସବୁ ନିଜ ଆଖିରେ ଦେଖି ସେ ଆନନ୍ଦରେ ଆତ୍ମହରା ହେଇପଡୁଥିଲେ ।


Rate this content
Log in

Similar oriya story from Children