ଖରାବେଳ
ଖରାବେଳ
ତାକୁ ସମସ୍ତେ କୁହନ୍ତି ଟିଣମୁଣ୍ଡିଆ, ତା' ମୁଣ୍ଡ ରେ କିଛି କାଳେ ପଶେନି ବୋଲି । ସେ କିନ୍ତୁ ଜାଣେ ତାର ପୁରା କାଚମାର୍କା ମୁଣ୍ଡ , ସବୁ ଏପଟେ ପଶି ସେପଟେ ବାହାରିଯାଏ, ଆରପାର୍ । ରଖିପାରେନି ଧାପେ ।
ନାଁ କିଶୋର, 'କିଶୁ ' । ପାଖ ' 'ରେହମାନ ଗ୍ଯାରେଜ୍ '! ଜାଣ ? ହଁ ସେଇଠି ସେ କାମ କରେ । ମାନେ କାମ ଶିଖେ । ଦଶମ ଫେଲ୍ । ପଢାଲେଖା ଜାଣେ । ବର୍ଷଟେ ପୁରିନି ଗାଁ ରୁ ଏଠି ଆସି ଖଟିବା । ଚାଚା ଭଲ ଲୋକ । ପୁଅ ମାଫିକ ରଖେ ।
ଗଳିମୁଣ୍ଡ ପଡିଆରେ ଗ୍ଯାରେଜ୍ । ଏପାଖକୁ ଗୋଟେ ଘର, ବାକି ଧାଡିମୂଳିଆ ଘର ତକ ପଚାଶପାଦ ଛାଡି ।ଏ ଘରଟାରେ କିଏ ରହେ କେଜାଣି ? କେହି ଦିଶନ୍ତିନି ।
କିଶୁର ନଜର ବରାବର ସେପଟକୁ ଥାଏ ।ଘର ଲୁହା ଗ୍ରୀଲ୍ ର ଲଟାଲଟିଆ କୁନ୍ଦକାମଟା ତା' ମନଟାଣେ ।ଦୋତାଲା ଉପର ଟେରାକୋଟା ମାଠିଆ ଡିଜାଇନ ଦିକଡର କୁଣ୍ଡ ରୁ ଲଟେଇ ମନିପ୍ଲାଣ୍ଟ ଲଟା ତକ ନିଜ ନିଜ ଭିତରେ ଛନ୍ଦି ହେଇ ମୁକୁଳି ନପାରି ଭିତର ଦୃଶ୍ୟ କୁ ନଜର _ବନ୍ଦ କଲା ପରି ଲାଗେ ରାଗରେ ।
ବନ୍ଦୀ ଜୀବନ କାହାର ଭଲା ପ୍ରିୟ କି ?
ଖୋଲା ପଡିଆର ଆମ୍ବଗଛର ସବୁଠୁ ଡେଙ୍ଗା ଡାହିରୁ କିଶୁ ପାଦଟେକେ, ନିରେଖି ଚାହେଁ ତା'ଭିତରର କିଛି ରହସ୍ୟମୟ ଗପକୁ ଧରିବା ପାଇଁ ନିତି ଟିକେ ବେଳ ଓର ଉଣ୍ଡି ଦିହିପହରିଆ ।କିଛି ଦିଶିଯିବ କି ସତେ ?
ମସ୍କା ଡାଳଟେ କଟକଟ କରେ ପାଦତଳେ । ଓହ୍ଲାଇ ଆଣେ ସତର୍କତା ।
ଦିନେ ଦିନେ ଦିଶେ ସେ ଛନ୍ଦି ଛନ୍ଦି ଲଟା ତଳୁ ଏକ ଛାଇ ପରି କିଛି ।ଝୁଲନ୍ତ ଆରାମ ଚେୟାର ଟେ ବୋଧେ ।
ଦିନେ ........
ଖରାବେଳିଆ ଖାଇବାକୁ ପଠେଇଲା ଚାଚା । ବାଟରେ ସେ ଘରଟା ଅଦୃଶ୍ୟ ନିମନ୍ତ୍ରଣ ଦେଲା ପରି ସେ ମୁହେଁଇଲା ସେ କଡକୁ । ଖୋଲିଗଲା କବାଟଟା ବିନା ଶବ୍ଦ ରେ ହାତ ମାରୁ ମାରୁ ଯେମିତି ତାରି ପାଇଁ ହି ଅପେକ୍ଷା ଥିଲା । ପାଦ ଆପେ ଟାଣି ଚଢୁଥିଲେ ପାହାଚ ପରେ ପାହାଚ । ସେଇ ବାରଣ୍ଡା, ସେଇ ଆରାମ ଚୌକି .... ସେମିତି ଝୁଲନ୍ତ । କିଏ ଜଣେ ବସିଥାନ୍ତି । ଜାଣିବାର ଦୁର୍ବାର ଆଗ୍ରହ ଭେଦିଥିବା ଡରକୁ ଚିରିପକେଇଲା । କଣ କରିବ ସେ ବୁଝିବା ଆଗରୁ ଶବ୍ଦ ଥରେଇଲା ତା' ଅନ୍ତରକୁ ।
_ ଆ......ବସ । କେବେଠୁ ଏଇଠୁ ଚାହିଁଛି । କହିବାର ଅଛି ଢେର୍ ଖରା ଗପ । ଆ....ଶୁଣ୍ । ଦିଗନ୍ତ, ଉପାନ୍ତ ସେପାରିର ଗପ । ସବୁ ଅନ୍ତ ଭେଦି ସୁହାଇଲା ପରି ।
ସମ୍ମୋହିତ ପରି ଟାଣି ହେଇଗଲା । ବସିଲା ଚକାପାରି ତାଙ୍କ ପାଦ ତଳକୁ । ବୟସର ଛାପ ସ୍ପଷ୍ଟ, ଆଖି ରେ ଅନେକ ଗହୀର ଅକୁହା କଥା ,ଓହଳ ଓହଳ ଶୁଶ୍ରୁ ।
ତା' ଚପଳତା ଥମକି ଯାଇଥିଲା ଯେମିତି ଚାଲୁନଥିବା କାନ୍ଥ ଘଡିଟେ ପରି । ସେ ବଶ ହେଲାପରି ଖାଲି ଶୁଣୁଥାଏ ଆଁ କରି । ରେଞ୍ଚି ବୁଲେଇବା ହାତ ତାର ,ନଟ୍ ବୋଲଟ୍ ସିନା ଟାଇଟ୍ କରିପାରେ .... ଅବୋଧ୍ଯ ସବୁକୁ ଖାଲି ଶୁଣିପାରେ । ସେ ଛାତକୁ ଚାହିଁ କହୁଥାନ୍ତି ,
_ ଏମିତି ଖରାବେଳ ହେଇଥାଏ ସେଦିନ । ମୋ ଚେର ମାଟି ଜାବୁଡି ମେଲିଥାଏ କାହିଁ କୋ' ଯାଏ । ଶାଖା ଶାଖା ଶୁଖିଲା । ସେ କାହିଁ ଥିଲା ଆସି ମୋ ମୂଳରେ ବସିଲା ଠିକ୍ ତୋ ପରି । ଝାଳ ମାରିଲା । ତା' ମୁହଁ କାନ୍ଦୁରା ଦିଶୁଥିଲା ।ମୁଣ୍ଡ କୋଢି ହେଲା ୠଣ ଋଣ କହି ଧିମା ସ୍ବର ରେ ।ବେକର ଗାମୁଛାଟା ମୋ ଡାହିରେ ବାନ୍ଧି ଦେଇ ଝୁଲିପଡିଲା । ମୁଁ କଣ କହିପାରିଥାନ୍ତି, କରିପାରିଥାନ୍ତି ? ମୋ ଚେର ତ ଅତଳେ ଆଉ ଡାଳ ସବୁ ତ ଆକାଶ ମୁହାଁ ।ରଖିପାରିଲିନି ତାକୁ।ତା' ଲୁହ ବିନ୍ଦୁ ନିଆଁ ପରି ତତଲା ଥିଲା, ମୋର ଶେଷ ପତ୍ର ଟି ବି ଜଳିଗଲା ।
ଏମିତି ସବୁଦିନେ ଆସିବୁ ' କିଶୁ ' ।ମୁଁ କହିବି ତତେ କଥା ଦର୍ପଣ ପଛର ।
କିଶୁକୁ ତା' ବାପର ଝୁଲୁଥିବା ପାଦ ହଳୁଟେ ଦିଶିଲା ଓହଳ ମଝିଦେଇ ।
କେମିତି ଜାଣିଲେ ସିଏ ତା' ନାଁ ? ସେ ତ କହିନି ପଦେ ବି ।ଗେଟ୍ ବାହାରେ ମୁଣ୍ଡ ରେ ପଶିଲା ।କିଛି କଥା ପବନ ଜଣେଇଦିଏ ତରଙ୍ଗାୟିତ କରି ।
ଏବେ ନିତିକିଆ ନାଗୁଆ ଗରାଖ ପରି ସେଠି ଖରାବେଳିଆ ଆପେ ଯାଇ ଢୁକୁଥିଲା ସେ ।ତା' ହାବୁଡିବାକୁ ବୁଢା ଉଜ୍ବଳ ଦିଶିବା ଆରମ୍ଭିଲେ । ଅବୁଝା ଗପପେଡି ମେଲିଲେ ।ନବୁଝିପାରିଲେ ବି ଶୁଣିଲା ।
ବାଣ୍ଟିହେବାକୁ,ହାଲୁକା ହେବାକୁ କିଏ ବା ନ ଚାହେଁ ।କିଏ ବା ନ ଚାହେଁ ଉତ୍ତାରିଦେବାକୁ ଜଭର ଟାଣ ଖୋଳପାରୁ ଗୁଡେ । ଦୁର୍ବୋଧ୍ଯ ପ୍ରାଚୀର ଭୁଷୁଡିପଡୁ ବୋଲି କିଏ ନ ଖୋଜେ?
ସେ ପୁଣି କହିଲେ ଗର୍ଭିଣୀ କନ୍ଯା କୁ ଗର୍ଭିଣୀ କଲା କିଏ ଆଉ ତାଙ୍କ ଡାଳରେ ଏଇ ଧୁ ଧୁ ଖରାବେଳେ ଟାଙ୍ଗି ଅପମୃତ୍ଯୁ ଘୋଷିତ କଲା କିଏ ,ସେ କେମିତି ଏକା ହେଲେ, ସହର କାଇଁ ଆଁ ମେଲେଇ ଗାଁ କୁ ଗିଳି ଗିଳି ଗଲା, ସେଥିପାଇଁ ପ୍ରକୃତଦାୟୀ କିଏ,ଆଉ ଶହେ ବର୍ଷ ରେ ଖରା କେତେ ହବ ,ବାଘ କିଆଁ ଭୋକିଲା,ଛେଳି କାଇଁ ଦୁର୍ବଳ , ଖରାବେଳିଆ ନଈ ତୁଠ ଗପଠୁ ରାଜରାସ୍ତା ରେ ଛାଇଛାଇଆ ଲରି ଚକତଳ ମରିଚିକା ଯାଏ ସବୁ ଗପ ସେ କହୁଥିଲେ ଗୋଟି ଗୋଟି ।
ମୁଣ୍ଡ ଉପର ପଙ୍ଖାଟି ବୁଲୁଥାଏ ସିଁ ସିଁ ।ପିଲାଦିନେ ତାଙ୍କର କାଳେ ପଙ୍ଖା ନଥିଲା ।
ଟାଣ ମୁଣ୍ଡଫଟାଖରା ବେଳଟାରେ କମସେକମ୍ ଲୋଡା ପଙ୍ଖାଟେ ।ସେତିକି ପାଇଁ ସେ ଦାଦନ ଖଟିଲେ ।
ଶୁଣୁଥିଲା କିଶୁ ।ତାକୁ ଦିଶୁଥିଲା ତା' ଝୁମ୍ପାର ସରଳ ମୁହଁ, ବୋଉ ବେକର ଦୋସରି ମାଳ ବିକା, ତା' ସାଙ୍ଗ ସୁକାରୀ ର ଘାଆ , ଆଉ ସେଇ ଟ୍ରକ ଯୋଉଥେରେ ସିଏ ଆସିଥିଲା ଏଠିକି ।ତା' ଦେହରେ ବାଜୁଥିଲା ଝାଞି ଦହ ।ଶୋଷରେ ତଣ୍ଟି ଅଠା ଲାଗୁଥିଲା ।ଏ ଖରା କାଇଁ ଏତେ ଫୁଟେ କେଜାଣି?
ସେ ସେଠା ମାଟିରୁ ମୁଠେ ମୁଠେଇଲା ।
ମାଟି ଚିରଦିନ ମାଆ ।ଶୀତଳ ।ଏଇ ତ ତାଙ୍କ ଚେର ବି ତ ଏବେ ଯାଏ ତା' ଗର୍ଭରେ । ଫାଟି ଆଁ କରିଥିଲା, ମରୁଡିଆ ଦିଶୁଥିଲା ନିଦାଘ ଛୁଆଁ ରେ ।
_କି'ରେ ତୁ ୟା ଭିତରୁ କଣ ବାହାରୁଛୁ ? ଏ ଅରମାରେ କାଇଁ ପଶିଥିଲୁ ?
ସାମ୍ନାରେ ଥିଲେ ଚାଚା ।ଘରେ କିଶୁକୁ ନ ପାଇ ଖୋଜୁଥିଲେ ଏଠି ସେଠି।
_ ସେ ବୁଢା .......
_ କୋ' ବୁଢା । ସେଠି ତ ଖାଲି ଗୋଟେ ବିରାଟ ପୁରୁଣା ଝାଙ୍କା ବରଗଦ୍ ।
ଫେରିଚାହିଁଲା କିଶୁ । ସେ କାନ୍ଦୁରା ଦିଶୁଥିଲେ । ତାଙ୍କର ଆହୁରି ଅନେକ ଗପ ବାକି ଥିଲା ।
କିଶୁ ସେ ମୁଠାକ ମାଟି ମୁଣ୍ଡ ରେ ବୋଳିଲା ।ଏବେ ତାତି ଟିକେ ଢଳୁଥିଲା ।
ମାଟି ଯେତେ ହେଲେ ମାଟି ନା ।
