Rabinarayan Senapati

Abstract Drama Children

4.1  

Rabinarayan Senapati

Abstract Drama Children

କହ ଜୟ ଶ୍ରୀରାମ

କହ ଜୟ ଶ୍ରୀରାମ

6 mins
213



ଇର୍ଫାନ ଘରକୁ ଫେରିଥିଲା ବାର୍ଷିକ ଦୁଇମାସ ଛୁଟି ନେଇ। ସୈନ୍ୟବାହିନୀରେ କାମ କରେ। ରାମ ତା ହାତରେ କିଛି ଜିନିଷ ପଠାଇଛି ତାଙ୍କ ଘରେ ଦେବାକୁ, ସେ ନିଜେ ମଧ୍ୟ କେତେ ଜାତିକା ଶୁଖିଲା ଖାଦ୍ୟ ସଂଗ୍ରହ କରିଛି ରାମଘରେ ପାଳିତ ତା ପ୍ରିୟ ଶୁଆଟି ପାଇଁ। ପଡୋଶୀ ଗାଁ ବାହାବଳପୁରରେ ରାମର ଘର। ଦୁହେଁ ଭାରି ସାଙ୍ଗ। ସାଥିରେ ପଢୁଥିଲେ, ସାଥିରେ ନିଷ୍ପତ୍ତି ନେଲେ ସୈନ୍ୟବାହିନୀରେ କାମ କରିବେ। ଉଭୟଙ୍କ ଘରେ ଜାଣିଥିଲେ ସେମାନେ କେତେଦିନ ବୁଲି ବାହାରିଛନ୍ତି କଲେଜ ଛୁଟିରେ, କାଳେ ଘରେ ଅରାଜି ହେବେ ସୈନିକ ହେବାକୁ। ପିତାଙ୍କ ସ୍ବାକ୍ଷର ଜଣେ ଅନ୍ୟ ଜଣଙ୍କ ପାଇଁ କରିଦେଲା। ବାସ୍, ଉଭୟ ଏକା ବିଭାଗରେ ଏକା ପ୍ରଶିକ୍ଷଣ କଲେଜରେ ଭର୍ତ୍ତି ହୋଇଗଲେ। ଘରକୁ ଖଣ୍ଡେ ଖଣ୍ଡେ ଚିଠି ଲେଖିଦେଲେ ଓ ପରେ ଦରମା ପାଇ କିଛି କିଛି ମନିଅର୍ଡର କଲେ। ଏ ବନ୍ଧୁତା ଅତୁଟ।

 ଗତବର୍ଷ ରାକ୍ଷୀ ପୂର୍ଣ୍ଣିମାର କଥା। ରାମକୁ ଛୁଟି ମିଳିନଥାଏ। ଇର୍ଫାନ ଛୁଟିରେ ଥିଲା। ପହଞ୍ଚି ଗଲା। ମଲ୍ଲି ସବୁବର୍ଷ ବାନ୍ଧିଥାଏ ତା ହାତରେ। ସେଥର ବାନ୍ଧିଥିଲା ଦୁଇଟା। ଗୋଟେ ତାପାଇଁ ଆଉ ଗୋଟେ ରାମପାଇଁ। 


ଇର୍ଫାନର ମନେପକାଉଥିଲା, କାଲିଭଳି କଥା, ଷଷ୍ଠ ଶ୍ରେଣୀରେ ଗଢିଉଠେ ବନ୍ଧୁତା ଯେବେ ସେ ବାହାବଳପୁର ମାଇନର ସ୍କୁଲକୁ ଆସିଲା ନିଜଗାଁ ଗୁଲାବପୁରରେ ପ୍ରାଥମିକ ଶିକ୍ଷା ସମାପ୍ତ କରି।


ସେତେବେଳେ ରାମଘରେ ଥାଏ ଏକ ଶୁଆ, କେତେ ବର୍ଷରୁ। କଥାକୁହା ଚନ୍ଦନୀ ଶୁଆ। ବାଳକ ରାମ ତାକୁ ଶିଖାଇଥିଲା କଥା।

 -କହ ରାମ, ସେ କହେ -କହ ରାମ। - କହ ହରି, ସେ କହେ କହ ହରି। ଛୋଟପିଲା ରାମ ବୁଝି ପାରୁନଥିଲା ଯେ "କହ" କାଟିକି କହିଲେ ସେ ବି ଶିଖନ୍ତା ରାମ ଓ ହରି କହିବାକୁ। ପରେ ପରେ ସେ ଶିଖିଗଲା କହ ଶ୍ରୀରାମ, କହ ଶ୍ରୀକୃଷ୍ଣ। ମଜାକଥା ହେଲା, ଏଣିକି ମଜା ଦେଖିବାକୁ ସମସ୍ତେ ତାକୁ କହିଲେ, କହ ରାମ, କହ ହରି, କହ ଶ୍ରୀରାମ, କହ ଶ୍ରୀକୃଷ୍ଣ। ପୁଣି ଆଉ ପଦେ ଯୋଡି ମିଟୁ ଶିଖିଲା, -କହ ଜୟ ଶ୍ରୀରାମ। ଏହାପରେ ଏହି ପଦକ ହେଲା ତା ପରିଚୟ। ଯଦିଓ ବାପା, ବୋଉ, ଭାଇ, ଦେଈ, ଦାଦା, ଖୁଡୀ ଓ ଇତ୍ୟାଦି ଘରୋଇ ଡାକ ଓ ପିଲାମାନଙ୍କ ନାମ ସେ କହି ପାରୁଥିଲା କିନ୍ତୁ -କହ-ଜୟ-ଶ୍ରୀରାମ ଥିଲା ତାର ପ୍ରିୟ ଡାକ। ତୋ ନା କଣ ପଚାରିଲେ ସେ କହୁଥିଲା,-କହ-ଜୟ-ଶ୍ରୀରାମ। ରାମ ଘର ସଭିଏଁ ଭାବୁଥିଲେ କେଉଁ ଜନ୍ମର ରାମଭକ୍ତଟିଏ ତାଙ୍କ ଘରେ ଆଶ୍ରୟ ନେଇଛି। କହିବା ବାହୁଲ୍ୟ ତା ପିଞ୍ଜୁରୀର ଦ୍ବାର ସେ ନିଜେ ଖୋଲି ଉଡିଯାଏ ଆକାଶକୁ ଓ ପୁଣି ସଂଧ୍ୟା ହେଲେ ଫେରିଆସେ। ନିଜେ କିନ୍ତୁ ଦ୍ବାରଟି ବନ୍ଦ କରିପାରେ ନାହିଁ। କେଜାଣି କାହା ଡରରେ ରାମ ସବୁରାତି ତା ଦ୍ବାର ବନ୍ଦ କରିବାକୁ ଭୁଲେନାହିଁ। ଅବଶ୍ୟ ଡରିବାର କାରଣ କିଛି ନଥିଲା। କୁକୁର ଟିପୁ, ବିଲେଇ ଶଙ୍ଖୀ ଓ ବାଛୁରୀ ବଉଳା ସମସ୍ତେ ତାର ସାଙ୍ଗ। ସମସ୍ତଙ୍କ ପିଠିରେ ବସେ, ସେମାନଙ୍କ ସହ ଖେଳେ। ଟିପୁ ପାଟିରେ ସେ ମୁଣ୍ଡ ପୁରାଇ ଦିଏ। ଶଙ୍ଖୀ ତାକୁ ମିଛି ମିଛିକା ରାମ୍ପୁଡା ରାମ୍ପୁଡି କରେ। କହ-ଜୟ-ଶ୍ରୀରାମ କେତେ ଜାତିକା ଫଳ ଫୁଲୁରି ଆଣି ବଉଳା ପାଟିରେ ଦିଏ। ସେ ତା'ର ଏ ତିନି ସାଙ୍ଗଙ୍କୁ ଶିଖାଏ, - କହ ଜୟ ଶ୍ରୀରାମ। ଜଣେ କହେ -ଭୋ ଭୋ, ଆଉ ଜଣେ କହେ -ମ୍ୟାଉଁ ଓ ବଉଳା ବାଛୁରୀ କହି ଉଠେ -ହମା ହମା। ମିଟୁ ସମସ୍ତଙ୍କୁ ନକଲ କରି ଡାକ ଛାଡେ, ଭୋ ଭୋ, ମ୍ୟାଉଁ, ହମା ହମା କିନ୍ତୁ ସେମାନଙ୍କ ଦ୍ବାରା "କହ ଜୟ ଶ୍ରୀରାମ" ଉଚ୍ଚାରିତ ହୋଇ ପାରେନି। ତା ମନରେ ଏତିକି ଦୁଃଖ। ସେ ନୂଆ ମଣିଷ ଆସିଲେ ସେମାନଙ୍କୁ ଶିଖାଏ, - କହ ଜୟ ଶ୍ରୀରାମ। ଗାଁ ଲୋକେ ସବୁ ଜାଣିଲେଣି ଏଣୁ ରାମଘରକୁ ପଶିଲେ କହନ୍ତି, - କହ ଜୟ ଶ୍ରୀରାମ। ଯଦି କିଏ ନକହିଲା ମିଟୁ ତାକୁ ନକୁହାଇ କି ଛାଡେ?

ଇର୍ଫାନ ଏତେ କଥା ଜାଣି ନଥିଲା ପ୍ରଥମ ଦେଖାରେ। ତାକୁ ବୁଝିବାକୁ ଘଣ୍ଟାଏ ଲାଗିଲା। ତାପରେ ବହେ ହସିଲା ଓ କହିଲା, -ଜୟ ଶ୍ରୀରାମ। 

- ନା ନା, କହ ଜୟ ଶ୍ରୀରାମ।

- କହୁଛି ପା ଜୟ ଶ୍ରୀରାମ।

- ନା ନା, କହ ଜୟ ଶ୍ରୀରାମ।

- ଓ ହୋ, ହେଲା ବାବା, କହ ଜୟ ଶ୍ରୀରାମ।

- ନା ନା, କହ ଜୟ ଶ୍ରୀରାମ।

- କହ ଜୟ ଶ୍ରୀରାମ।

ମିଟୁ କହିଲା, -ସାବାସ।


ଜୀବଜନ୍ତୁ ମାନଙ୍କ ସାଙ୍ଗ ସରିସା ଦେଖିବାକୁ କେତେ ପିଲା ରାମ ଘରକୁ ଆସନ୍ତି, ଇର୍ଫାନ ପ୍ରାୟ ସବୁଦିନ ଆସେ।


ଏମିତି ଭାବେ ଇର୍ଫାନ ଓ ରାମର ବନ୍ଧୁତା ଗଢିଉଠେ।


ଏହା ମଧ୍ୟରେ ଅନେକ ବର୍ଷ ବିତିଗଲାଣି। ଟିପୁର ମୃତ୍ୟୁ ହୋଇ ସାରିଛି। ଯତ୍ନ ନେବାକୁ କେହି ଲୋକ ମିଳୁନାହାନ୍ତି ବୋଲି ବଉଳା ସମେତ ସମ୍ପୂର୍ଣ୍ଣ ଗୋସମ୍ପଦ ବିକ୍ରି ହୋଇ ଯାଇଛନ୍ତି। ଶଙ୍ଖୀର ନାତୁଣୀ ଏବେ ଘର ବିଲେଇ, ସେ ନିଜେ ଅଛି କି ମଲାଣି କେହି ଜାଣନ୍ତି ନାହିଁ, କାରଣ ସେ ଦିନେ ହଠାତ କୁଆଡେ ପଳାଇଗଲା।


ଗାଁ ପରିବେଶ ମଧ୍ୟ ଅନେକ ବଦଳିଗଲାଣି। ସମସ୍ତେ ବ୍ୟସ୍ତ। କାହିଁକି ଯେ ବ୍ୟସ୍ତ ସେକଥା କେହି ଗଭୀର ଭାବେ ଚିନ୍ତା କରେନି। ସମସ୍ତେ ଦୌଡୁଛନ୍ତି, ଗନ୍ତବ୍ୟ ସ୍ଥଳ ଅଜଣା। ସାମାନ୍ୟ ଏକ ମିଠୁ ପାଇଁ କିଏ ସମୟ ଦେବ। କିଏ ତା ସହ ରାମନାମ ଜପ କରିବ


ଗତ ରାକ୍ଷୀ ବେଳକୁ ଏକଥା ସବୁ ମଲ୍ଲି କହୁଥିଲା। ଇର୍ଫାନର ମନେହେଲା କହ-ଜୟ-ଶ୍ରୀରାମ ଯେମିତି ଖୁବ୍ ଦୁଃଖରେ ଅଛି। ଇର୍ଫାନ ସହ ଖେଳିବାକୁ, କାବୁରୁ କାବୁରୁ ହେବାକୁ, ରାମନାମ ଜପିବାକୁ ତା'ର ଯେମିତି ଇଛା ନାହିଁ। ଆଗର ଉତ୍ସାହ ଆଉ ନାହିଁ। ଇର୍ଫାନ ତାକୁ କହ-ଜୟ-ଶ୍ରୀରାମ କହିଲେ ଅବଶ୍ୟ ସେ ଉତ୍ତର ଦେଉଥିଲା। ଖାଇବାକୁ ଦେଲେ ଆଗଭଳି ହାତରୁ ଛଡାଇ ନେଉନଥିଲା। ସେଥିପାଇଁ ଇର୍ଫାନ ଏଥର ଆଣିଛି ମିଠୁପାଇଁ ଅନେକ ପ୍ରକାର ନୂଆ ନୂଆ ବିଦେଶୀ ଖାଦ୍ୟ।


ଇର୍ଫାନ ପହଞ୍ଚିଲା। ମଲ୍ଲି ବଡ ବିଷର୍ଣ୍ଣ ଦିଶୁଥିଲା। କହ-ଜୟ-ଶ୍ରୀରାମ, କହ-ଜୟ-ଶ୍ରୀରାମ କହିଲା ବେଳକୁ କିଛି ଉତ୍ତର ମିଳିଲା ନାହିଁ। ପିଞ୍ଜୁରୀ ଖୋଲାମଲା ଯେମିତି ଅପେକ୍ଷା କରିଛି।

- କି ଲୋ ମଲ୍ଲି, ରାମଭକ୍ତ ଦେଖା ଯାଉନି ଯେ।

ବିଦୁଷୀ ମଲ୍ଲି କାନ୍ଦି ପକାଇଲା। ମାଉସୀ ବଡ ଦୁଃଖରେ କହିଲେ ସେ କଣ ଆଉ ଅଛି?

- ମାନେ? 

ମଲ୍ଲି ନିଜକୁ ସମ୍ଭାଳି କହିଲା, - ଏମିତି ତ ତା ବନ୍ଧୁମାନେ ଗଲାପରେ ସେ ଆଉ ସୁଖରେ ନଥିଲା। ସତେ ଅବା ସେ ନିଜ ଆୟୁଷକୁ ନିନ୍ଦୁଥିଲା ଯେମିତି କ୍ରମଶଃ ନିସଙ୍ଗ ଦୀର୍ଘାୟୁ ବୃଦ୍ଧ ଅବା ବୃଦ୍ଧା ନିନ୍ଦନ୍ତି; ସମସ୍ତଙ୍କୁ ମରଣ ହେଉଛି ମୋତେ ଯାହା ଯମ ନେଉନି। ଯେଉଁ ମଣିଷ ମାନେ ତା ସହ ଥଟ୍ଟା ମଜା ହୁଅନ୍ତି ସେମାନଙ୍କର ଏପାଖକୁ ଆସିବାକୁ ସମୟ ନାହିଁ। ଆଜିର ପିଲାଏ ଗଛରେ ଗଛେ ପିଜୁଳି ପାଚି ଝଡିଲେ ମଧ୍ୟ ସେ ଆଡକୁ ଅନାଉ ନାହାନ୍ତି, ଆଉ ଏ ସାମାନ୍ୟ ଏକ ପ୍ରାଣୀ ସହ ସେମାନେ ଖେଳିବେ। ଯେଉଁ କଥା ଥିଲା ଦିନେ ଆମ ଘରର ଆକର୍ଷଣ, ସେହି କଥା ଆଜି ବିପରୀତ ହୋଇଛି। ଗାଁ ପିଲାଏ କହନ୍ତି କିଏ ଯାଉଛି ମଲ୍ଲି ଅପା ଘରକୁ ଯେ ତାଙ୍କ ମିଠୁ ଜବରଦସ୍ତ କରିବ ଏମିତି କହ ସେମିତି କହ ବୋଲି। କଣ ବା ସେ କହେ! ସେହି ଗୋଟିଏ ବୋଲି, - କହ ଜୟ ଶ୍ରୀରାମ। ସେ ବି ବଡ ଜିଦିଆ ହୋଇଯାଇଥିଲା। ଯେ ତା କଥା ନଶୁଣୁଥିଲା ତାକୁ ଖୁମ୍ପି ପକାଉଥିଲା। ଏକ ନିନ୍ଦା ତା ନାରେ ଚାଲିଲା ଯେ ସେ ଦୁଷ୍ଟ ମିଠୁ। ସେପାଇଁ ଘରକୁ ମଣିଷଟିଏ ଆସିଲେ ତା ପିଞ୍ଜୁରୀରେ ଏକ ତାଲା ଲଗାଇବାକୁ ପଡିଲା। ସେ ଏକଥା ଆଦୌ ପସନ୍ଦ କରୁନଥିଲା।

ଦିନେ ଫେରିବଲାଟିଏ ଆସିଲା। କେତେ ଜାତିକା ମନୋହରି ଜିନିଷ ଥାଏ ତା ପସରାରେ, ଚୁଡିର ଅନେକ କିସମ। ମୁଁ ତାକୁ ଡାକିଥାଏ। ତାଲା ପକାଇବାକୁ ଭୁଲି ଯାଇଥାଏ। ଏ ଖଣ୍ଡିକ ବାହାରି ଆସି ଲଗାଇଲା ଗୋଳ। ଫେରିବାଲାଟି କେଉଁ ଦୂର ଦେଶରୁ ଆସିଥାଏ, ଭଲକି ବୁଝୁନଥାଏ ଓଡ଼ିଆ। ଆମ ଏପାଖରେ ସେ ଏହିମାତ୍ର କେତେଦିନ ହେଲା କାରବାର କରୁଥିଲା ସେ। କେଜାଣି କେଉଁ ଜାତିର? ଇର୍ଫାନ ଭାଇ, ସେ ବୋଧେ ତୁମ ଧର୍ମର ଥିଲା କିନ୍ତୁ ହିନ୍ଦୀ ବା ଉର୍ଦ୍ଦୁମିଶା କଥା କହୁନଥିଲା। ବଙ୍ଗଳା ମିଶା ଖଣ୍ଡି ଓଡ଼ିଆ କହୁଥିଲା। ସେ କାହୁଁ ବୁଝିବ ଆମ ମିଠୁ କଥା।

ସେ କହିଲା ନାହିଁ, କହ-ଜୟ-ଶ୍ରୀରାମ। ମିଠୁର ଜିଦ୍ ବଢିଲା। ମୁଁ ଫେରିବାଲାକୁ ବୁଝାଇବାକୁ ଚେଷ୍ଟା କଲି ମିଠୁର ଇଛା ଓ କଥା। ସେ ବୁଝିଲା କି ନାହିଁ କେଜାଣି କିନ୍ତୁ ସେ ଆଦୌ କହିଲା ନାହିଁ। ମିଠୁ ତାକୁ ଖୁମ୍ପି ପକାଇଲା। ସେ କଣ କରିବ ବୁଝି ପାରୁନଥାଏ। ମିଠୁ ତା ଗାଲରୁ ରକ୍ତ ବାହାର କରିଦେଲା। ମୁଁ ତାକୁ ଆୟତ୍ତ କରିପାଲି ନାହିଁ। ବାଡି ଉଠାଇ ଘଉଡାଇଲି। ସେ ଉଡିଗଲା ତ ଯାଇଛି। ଫେରିବାଲାକୁ ଚିକିତ୍ସା ବ୍ୟବସ୍ଥା କଲେ ସାହି ପିଲାଏ। ଭାବିଥିଲି ମିଠୁ ଫେରିଆସିବ ସଂଧ୍ୟାବେଳକୁ। କିନ୍ତୁ ତାହାର ଦେଖାନାହିଁ ସେହିଦିନୁ। ବାପା ବୋଉ କହିଲେ, ସେ ଦିନେ ଫେରିବ। ସେଇ ଆଶାରେ ଆଛୁ।

- ଆମକୁ ଖବର ଦେଲୁନି କାହିଁକି? 

- ତୁମେ ସବୁ ମନଦୁଃଖ କରିଥାନ୍ତ, ତା ଛଡା ତଥାପି ଆଶା ଥିଲା ତୁମେ କେହି ଆସିବା ପୂର୍ବରୁ ସେ କାଳେ ଆସିଯିବ।

ଇର୍ଫାନ ମିଠୁ ପାଇଁ ଆଣିଥିବା ଖାଦ୍ୟଦ୍ରବ୍ୟର ପୁଡିଆଟିକୁ ଭୂମିରେ କଚାଡି ଦେଲାବେଳକୁ ସେ ପିଲାବେଳେ ପଢିଥିବା ବୁଢାଶଙ୍ଖାରୀ ଗପଟି ମନେ ପଡି ଯାଉଥିଲା। ମଲ୍ଲି ସେସବୁ ସଜାଡି ରଖିଲା। କହିଲା, - ସେ ନିଶ୍ଚିତ ଫେରିବ।


ଛୁଟିରେ ଅନେକ ବ୍ୟକ୍ତିଗତ କାମ ଥାଏ ଇର୍ଫାନର। ଯୋଜନା ଥିଲା ଝିଅ ଦେଖା, ବାହାଘର। ସବୁ ଯୋଗାଡ ବେଳକୁ ରାମ ଆସିଯିବ ଛୁଟି ନେଇ। ହେଲେ ମଣିଷ ଇଛାକରେ, ଭାଗ୍ୟର ବରାଦ ଭିନ୍ନ ଥାଏ। ପରଦିନ ଦେଖାଗଲା ଇର୍ଫାନ ଏକ ସାଇକେଲ ଧରି ବାଚାଳ ଭଳି ଇତସ୍ତତଃ ବୁଲୁଛି, ଚିତ୍କାର କରି ଡାକୁଛି, -କହ-ଜୟ-ଶ୍ରୀରାମ, କହ-ଜୟ-ଶ୍ରୀରାମ। ଯେଉଁ ଯେଉଁ ଗଛରେ ଆଗରୁ ମିଠୁ ବସେ ବା ବସିବାର ସମ୍ଭାବନା ଥାଏ ସେଇଠି ପହଞ୍ଚି ଡାକେ, କହ-ଜୟ-ଶ୍ରୀରାମ। ତା ସୈନିକ ପ୍ରଶିକ୍ଷଣ ବଳରେ ବଣ ପାହାଡର ଦୁର୍ଗମ ଅଞ୍ଚଳକୁ ଯାଇ ଡାକେ। 

ଏତେବଡ ଦୁନିଆରେ ଏକ ଚଢେଇକୁ ଠାବ କରିବା କଣ ସହଜ। ତାଙ୍କ ସାହି ଲୋକେ ତାକୁ ବାରଣ କରନ୍ତି, ଅବଶ୍ୟ ବାରଣର ଧର୍ମୀୟ ଚିନ୍ତାଧାରାକୁ ଗୋପନ ରଖି ତାକୁ ବୁଝାନ୍ତି ଯେ ସେ ପରା କନିଆ ଦେଖିଥାନ୍ତା। ସେ ତ ପାଗଳ ହୋଇଯାଇଥାଏ। ତାହାର ଏ ଦୟନୀୟ ଅବସ୍ଥା ଦେଖି ପୁରୁଣା ସାଙ୍ଗ ସାଥୀ ଓ କିଛି ଉଦ୍ୟମୀ ଯୁବକ ମଧ୍ୟ ଏ କାମରେ ଯୋଗ ଦେଇଥାନ୍ତି।

ସେପଟେ ରାମର ଛୁଟି ମଞ୍ଜୁର ହୋଇଥାଏ। ସେ ଆସି ପହଞ୍ଚିବାର ଠିକ୍ ଆଗଦିନ, ଆଉ କେହି ନୁହେଁ, ଖୋଦ ଇର୍ଫାନ ସଫଳ ହେଲା। ଏକ ବିଶାଳ ଶାଳଗଛର ଅଗ୍ରଭାଗରୁ ସେ ପ୍ରତ୍ୟୁତ୍ତର ପାଇଲା, କହ ଜୟ ଶ୍ରୀରାମ। ଇର୍ଫାନ ନୀରବ ହୋଇଗଲା। ଖୁସିରେ ତା ଛାତି କୁଣ୍ଢେ ମୋଟ। ସେ ବଞ୍ଚିଛି। ତେଣିକି ତା ଇଛା, ଆସିଲେ ଆସୁ, ମୁକ୍ତ ଆକାଶର ବିହଙ୍ଗ, ନଆସିଲେ ବି ନଆସୁ। ଥରେ ଦେଖା ଦେଲାଣି ମାନେ ଆଉ କଷ୍ଟନାହିଁ ତାକୁ ପାଇବା। ଇର୍ଫାନର ନୀରବତା ମନେହେଲା ତାତ୍ପର୍ଯ୍ୟପୂର୍ଣ୍ଣ। ମିଠୁ ତା ପୂର୍ବ ପ୍ରକୃତି ଅନୁସାରେ ଦାବିକଲା ପ୍ରତ୍ୟୁତ୍ତର। ପାଖକୁ ପାଖକୁ ଆସିଲା। ଇର୍ଫାନ ଉତ୍ତର ଦେଲାନି। ମିଠୁ କହିଲା, -କହ-ଜୟ-ଶ୍ରୀରାମ। ଇର୍ଫାନ ନୀରବ। ଶେଷରେ ତା କାନ୍ଧରେ ବସିଲା ବିହଙ୍ଗଟି। ଇର୍ଫାନ ନୀରବରେ ବାହୁଡି ଆସିଲା। ମଲ୍ଲିକୁ ଦେଖି ପୁଣି ଥରେ ପକ୍ଷୀଟି କହିଲା, -କହ-ଜୟ-ଶ୍ରୀରାମ। ମଲ୍ଲି ଉତ୍ତର ଦେଲା, -କହ-ଜୟ-ଶ୍ରୀରାମ। ସେ ଉଡିଯାଇ ମଲ୍ଲି କାନ୍ଧରେ ବସିଲା।


ଏ ଜୋସ କିନ୍ତୁ ଦିନେ ଦୁଇଦିନରେ ଉଭେଇ ଗଲା। ମନେହେଲା ମିଠୁ ଏବେ ବୃଦ୍ଧ। ସେ ଭଲକି ଖାଉନଥିଲା, ତାର ଚଞ୍ଚଳତା ଅନେକ କମିଯାଇଥିଲା। ଇର୍ଫାନ ଆଣିଥିବା ଭଳିକି ଭଳି ଖାଦ୍ୟ, କିସମିସ, ଛଡା ଅଖରୋଟ, ନାନା କିସମର ଚଣା, ବାଜରା, ଅନ୍ୟାନ୍ୟ ଶସ୍ୟ, ଓ ଅନାମିକା ଅନେକ ଖାଦ୍ୟ; କେଉଁଥିରେ ତା ଆଗ୍ରହ ନଥାଏ। ଇର୍ଫାନ ପ୍ରମାଦ ଗଣିଲା। 

ରାମ ପହଞ୍ଚିଗଲା। ସମସ୍ତ ପରିସ୍ଥିତି ଦେଖି ଚିନ୍ତିତ ହୋଇପଡିଲା। ରାମକୁ ଦେଖି କହ-ଜୟ-ଶ୍ରୀରାମ କିଛି ସମୟ ଖୁସି ହେଲା କିନ୍ତୁ ପୁଣି ଅବଶ ହୋଇପଡିଲା। ପ୍ରାଣୀ ଚିକିତ୍ସକ କହିଲେ ତା ବୟସ ହୋଇଗଲାଣି। ସେମିତି କିଛି ରୋଗନୁହେଁ ଯେ ଚିକିତ୍ସା ହୋଇପାରିବ।  


ଦୁଇବନ୍ଧୁ ଏକ ଭିନ୍ନ ବିଚାର କଲେ। ଇର୍ଫାନ ତା ଜେଜେବାପାଙ୍କ ଜପାମାଳି ଆଣିଲା। ଗଣି ଗଣି ସେମାନେ କହିଲେ, -କହ-ଜୟ-ଶ୍ରୀରାମ। ଦୁର୍ବଳ ମିଠୁ ଉତ୍ତର ଦେଲା, -କହ-ଜୟ-ଶ୍ରୀରାମ। ଏକ, ଦୁଇ, ତିନି, ଶହେ ପାଞ୍ଚ, ଶହେ ଛଅ, ଶହେ ସାତ ଓ ଶହେ ଆଠ। ତାପରେ ଉଭୟ ପକ୍ଷ ନୀରବ। ରାମନାମ ସତ୍ୟ ହେ। -କହ-ଜୟ-ଶ୍ରୀରାମ ଧ୍ବନିରେ ବାହାବଳପୁର ପ୍ରକମ୍ପିତ ହୋଇଉଠିଲା। ଦୁଇବନ୍ଧୁ ଓ ମଲ୍ଲି ମନରେ ଭରିଯାଇଥିଲା ପ୍ରଶାନ୍ତି।


Rate this content
Log in

Similar oriya story from Abstract