Pranati Mahapatra

Action Inspirational

3  

Pranati Mahapatra

Action Inspirational

ଜୟ ମାଆ ଦୁର୍ଗେ ଦୁର୍ଗତି ନାଶିନୀ

ଜୟ ମାଆ ଦୁର୍ଗେ ଦୁର୍ଗତି ନାଶିନୀ

4 mins
175


ସୃଷ୍ଟିର ପ୍ରଥମ ଉଚ୍ଚାରଣ ମା’ । ସେ ଗର୍ଭଧାରିଣୀ ଲାଳନପାଳନ କର୍ତ୍ତ୍ରୀ ତଥା ତ୍ୟାଗ,ଦୟା,ଦୟା, କ୍ଷମା ଓ ମମତାର ପ୍ରତୀକାତ୍ମକ ରୂପ ।


ଦୁର୍ଗା ଦୁର୍ଗତିନାଶିନୀ ମାଆ। 


ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବ୍ଲିଚ୍ଚେ


ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ମାଆ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ଚଣ୍ଡୀ’ରେ କୁହାଯାଇଛି ଭଗବତୀ ଚଣ୍ଡିକା ମହାମାୟା ଏବଂ ସନାତନୀ ଦେବୀ ହୋଇଥିଲେ ହେଁ ବିଶ୍ୱର କଲ୍ୟାଣ ପାଇଁ ସେ ବାରମ୍ବାର ଆବିର୍ଭୂତା ହୋଇଥାନ୍ତି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଆଦ୍ୟାଶକ୍ତି କୁଳକୁଣ୍ଡଳିନୀ ରୂପେ ବିରାଜିତା । ଅସ୍ତ୍ରତ୍ରିଶୂଳ, ଖଣ୍ଡା, ନାଗପାଶ, ଶଙ୍ଖ, ଚକ୍ର, ଗଦା, ଅଙ୍କୁଶ, ଧନୁ ତାଙ୍କର ଆୟୁଧ।

ମହିଷାସୁରମର୍ଦ୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣିତ। ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ ।

ଦୁର୍ଗା: ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମହିଷାସୁର (ମହିଷ ଆକୃତି ଥିବା ଏକ ରାକ୍ଷସ) ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଅତ୍ୟାଚାର କଲା, ଫଳରେ ଦେବଗଣ ଭୀତଗ୍ରସ୍ତ ହୋଇ ବ୍ରହ୍ମାଙ୍କ ନିକଟରେ ନିଜର ଦୁଃଖ ଜଣାଇଲେ । ସର୍ବସମ୍ମତି ପରେ ବ୍ରହ୍ମା ଓ ଶିବ ଦେବତାମାନଙ୍କୁ ନେଇ ବିଷ୍ଣୁଙ୍କ ନିକଟରେ ଉପସ୍ଥିତ ହୋଇ ଦେବଗଣଙ୍କ ଦୁର୍ଦ୍ଦଶା ଜଣାଇଲେ ‌। ଦେବତାମାନଙ୍କର ଦୁର୍ଦ୍ଦଶା ଶୁଣି ଉଭୟ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧ ପ୍ରକାଶ କଲେ ଏବଂ କ୍ରୋଧରେ ଉଭୟଙ୍କ ମୁଖ ମଣ୍ଡଳ ଲାଲ୍ ହୋଇଗଲା । ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଭ୍ରୂକୁଟୀ କୁଟିଳ ହେବାରୁ, ସେହି ତିନିଦେବତାଙ୍କ ମୁଖରୁ ଗୋଟିଏ କାଳାନଳ ସଦୃଶ ତେଜ ପ୍ରକାଶ ହେଲା । ତତ୍ ସହିତ ଇନ୍ଦ୍ର ଓ ସମଗ୍ର ଦେବଗଣଙ୍କ ମୁଖରୁ ମଧ୍ୟ ତେଜ ନିର୍ଗତ ହେଲା । ସମସ୍ତ ତେଜ ଧିରେ ଧିରେ ଆକାଶରେ ସମ୍ମିଳିତ ହୋଇ ଏକାକାର ହୋଇଗଲା । ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଶିବଙ୍କ ତେଜରେ ସେହି ଦିବ୍ୟନାରୀର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ଭୁଜ, ଚନ୍ଦ୍ରଙ୍କ ତେଜରୁ ଦୁଇସ୍ତନ, ଇନ୍ଦ୍ରଙ୍କ ତେଜରୁ ମଧ୍ୟଦେଶ, ବରୁଣଙ୍କ ତେଜରୁ ଜଙ୍ଘ ଓ ଉରୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ଚରଣ, ସୂର୍ଯ୍ୟଙ୍କ ତେଜରୁ ଚରଣର ଆଙ୍ଗୁଠି, ବସୁଗଣଙ୍କ ତେଜରୁ ହସ୍ତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ନବପ୍ରଜାପତିଙ୍କ ତେଜରୁ ଦନ୍ତାବଳୀ, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର ସୃଷ୍ଟି ସମ୍ଭବ ହୋଇଥିଲା । ସନ୍ଧ୍ୟାଙ୍କ ତେଜରୁ ଭ୍ରୂକୁଟୀ, ପବନଙ୍କ ତେଜରୁ କର୍ଣ୍ଣ, ଅନ୍ୟାନ୍ୟ ଦେବତାଗଣ ଓ ବିଶ୍ୱକର୍ମାଙ୍କ ତେଜରୁ ଦେବୀଙ୍କର ସମଗ୍ର ଶରୀର ସୃଷ୍ଟି ହୋଇଥିଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ତେଣୁ ସମଗ୍ର ଦେବତା ସେହି ଦିବ୍ୟନାରୀର ନାମ ରଖିଲେ ‘ଦୁର୍ଗା’ । ତା’ପରେ ଦେବଗଣ ନିଜ ନିଜର ଦିବ୍ୟାସ୍ତ୍ର ଦେବୀଦୁର୍ଗାଙ୍କୁ ପ୍ରଦାନ କଲେ ।ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ।

ଶତାକ୍ଷୀ: ଦୁର୍ଗା ଦୁର୍ଗମ ଅସୁରକୁ ବିନାଶ କରିଥିଲେ । ହିରଣାକ୍ଷ ବଂଶରେ ଦୁର୍ଗମ ଦୈତ୍ୟ ଜନ୍ମ ହୋଇ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇଥିଲା । ଦୈତ୍ୟର ଆସୁରିକ ପ୍ରଭାବରେ ସଂସାରର ଧାର୍ମିକ କ୍ରିୟା ନଷ୍ଟ ହେଲା । ଦେବତାଙ୍କ ଯାଗଯଜ୍ଞାଦି ବନ୍ଦ ହେବାରୁ ମର୍ତ୍ତ୍ୟରେ ଏକଶତ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲାନାହିଁ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିଲୋକରେ ହା ହା କାର ଖେଳିଗଲା । ସେ ସ୍ୱର୍ଗ ଅଧିକାର କଲା । ଦେବତାଗଣ ଦୁର୍ଗମର ଅତ୍ୟାଚାରରେ ଅତିଷ୍ଠ ହେଲେ । ଭୟରେ ସ୍ୱର୍ଗ ତ୍ୟାଗ କରି ହିମାଳୟ ପର୍ବତରେ ପହଞ୍ଚିଲେ ଏବଂ ଶକ୍ତିମୟୀ ଦେବୀଙ୍କୁ ସ୍ମରଣ କଲେ । ଦେବୀ ତତ୍ କ୍ଷଣାତ ଆବିର୍ଭାବ ହେଲେ । ଦୈତ ପ୍ରଭାବରେ ତ୍ରିଲୋକରେ ଏପରି ବ୍ୟାକୁଳତା ଭରିଯାଇଥିଲା ଯେ ପରିସ୍ଥିତି ଦେଖି କୃପାମୟୀ ମା’ଙ୍କ ଆଖିରେ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା । ବେଦନାକୁ ଧୋଇଦେବା ପାଇଁ ମା’ଙ୍କ ମୁଖମଣ୍ଡଳରେ ପ୍ରକାଶିତ ହେଲା ନେତ୍ର । ସେହି ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଲା, ସତେ ଯେପରି ହିମାଳୟ ବକ୍ଷରୁ ସ୍ରୋତସ୍ୱିନୀ ଗଙ୍ଗାର ପ୍ରବାହ । ମା’ଙ୍କ ନାମ ହେଲା ‘ଶତାକ୍ଷୀ’ ।


ଦୁର୍ଗାଙ୍କ ପ୍ରିୟ ରଙ୍ଗ ଲାଲ। ଲାଲ ରଙ୍ଗ ସବୁଠୁ ପ୍ରଖର ଓ ଶକ୍ତି ସମନ୍ୱିତ।ମଙ୍ଗଳ ଗ୍ରହର ପ୍ରତିକ ଲାଲ।ଦେବ ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ଚାଲୁଥିବା ବେଳେ ମଙ୍ଗଳ ଗ୍ରହ ଶକ୍ତିରୂପୀ ଦୁର୍ଗାଙ୍କୁ ସହଯୋଗ କରି ସଂହାରକ ଶକ୍ତି ପ୍ରଦାନ କରିଥିଲେ।ଦାନବଙ୍କୁ ନିରନ୍ତର ସଂହାରକରି ଦୁର୍ଗାଙ୍କ ଆଖି,ସୀମନ୍ତ,ବସ୍ତ୍ର,ଅସ୍ତ୍ରଶସ୍ତ୍ର ସବୁ ରକ୍ତରଞ୍ଜିତ ଅର୍ଥାତ ଲାଲ ରଙ୍ଗ ହେଇଯାଇଥିଲା। ଦେବୀଙ୍କୁ ଲାଲ ରଙ୍ଗର ବସ୍ତ୍ର, ରୋଲି, ଚନ୍ଦନ, ସିନ୍ଦୂର, ଲାଲ ଓଢ଼ଣୀ ଓ ଆଭୂଷଣ ଅର୍ପଣ କରାଯାଇଆସୁଛି। ନବରାତ୍ରି ଅବସରରେ ସର୍ବପ୍ରଥମେ ନବଦୁର୍ଗାଙ୍କୁ ଲାଲ ବସ୍ତ୍ର ଅର୍ପଣ କରାଯାଇଥାଏ। ପୂଜାର୍ଚ୍ଚନା ପୂର୍ବରୁ କଳସରେ ଲାଲ କପଡା ଉପରେ ନଡ଼ିଆ ରଖାଯାଏ। ପୂଜାର୍ଚ୍ଚନାର ସମସ୍ତ ସାମଗ୍ରୀ ଲାଲ୍। ପୂଜାନୁଷ୍ଠାନରେ ମଙ୍ଗଳ ଗ୍ରହଙ୍କ କୃପା ଓ ଅନୁକୁମ୍ପା ଲାଭ ପାଇଁ ଦେବୀଦୁର୍ଗାଙ୍କଠାରେ ଲାଲ ରଙ୍ଗ ଚଢାଯାଇଥାଏ।


   ମାଆ ସର୍ବଂସହା, ଦୁଷ୍ଟ ବିନାଶ କରିବାକୁ ମାଆ ବିଭିନ୍ନ ରୂପ ଧାରଣ କରି ଜଗତରେ ଶାନ୍ତି ପ୍ରତିଷ୍ଠା କରିଥାନ୍ତି।ମାଆ ସନ୍ତାନ ପାଇଁ ମଙ୍ଗଳକାମନା କରିଥାଏ।


ଅନୁଭୂତିରୁ ପଦେ ରଖିବି ଯେ,


    ଏଗାର ବର୍ଷ ତଳର କଥା।ପାରିବାରିକ ଅସୁବିଧା କାରଣରୁ ଘରଠାରୁ ଦଶକିଲୋମିଟର ଦୂରରେ ଭଡାଘରେ ରହିଲି।ତାଙ୍କ ଘରେ ମାଆଙ୍କ ପୂଜା ସକାଳ ସନ୍ଧ୍ୟାରେ ହୁଏ।ତାଙ୍କ ପାଇଁ ସ୍ଵତନ୍ତ୍ର ମନ୍ଦିର ହୋଇଥାଏ।ଆମ ଘରର ମୁଖ୍ୟ ଦରଜା ଆଗରେ ମାଆର ମନ୍ଦିର।ମୁଁ ସେ ସ୍ଥାନରେ ନୂଆ।ଆମ ଭଡାଘରକୁ ଲାଗି ମୁସଲିମ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି।ତେଣୁ ନୂଆ ଜାଗାରେ ବହୁତ ଭୟ ଲାଗୁଥିଲା।ବାବୁ ସେଦିନ କଟକ ପଳେଇଥିଲେ।ତେଣୁ ସନ୍ଧ୍ୟା ୬ଟା ପରଠାରୁ ଘରକବାଟ ବନ୍ଦ କରି ମାଆ ପୁଅ ରହିଲୁ।ପୁଅ ମାତ୍ର ଦେଢ଼ ବର୍ଷର। ମୋତେ ନିଦ ଲାଗୁ ନ ଥାଏ।ରାତି ସେତେବେଳକୁ ବାରଟା ପଚିଶ ପାଖାପାଖି ହେବ। ଝରକା, କବାଟ ଫାଙ୍କରେ ମହମହ ଅଗରୁ ଗୋଗଳ ବାସ୍ନା ଭାସି ଆସିଲା।ତା ସହ ଘୁଙ୍ଗୁର ପାଉଁଜିର ଶବ୍ଦ ବି ।ମୁଁ ଆହୁରି ଡରିଗଲି।ମୋତେ ଲାଗୁଥାଏ ଆମ ଘରର ମୁଖ୍ୟ ଦରଜା ପାଖରେ ଯେମିତି ଦୁଇ ତିନି ଜଣ ବସି ଖୁସି ଗପରେ ମାତିଛନ୍ତି।

ଭାବିଲି ଘର ମାଲିକଙ୍କର ରାତି ପାହିଲେ କିଛି ପୂଜା ହେବ ବୋଧହୁଏ।ସେଥିପାଇଁ ପ୍ରସ୍ତୁତି ଚାଲିଛି।ତାଙ୍କ ଘରେ ବି ମାଲିକାଣୀ,ତାଙ୍କ ଝିଅ ଓ କାମକରୁଥିବା ଝିଅ ମିଶି ତିନି ଜଣ ଅଛନ୍ତି।ଇତିମଧ୍ୟରେ କେତେବେଳେ ଶୋଇଛି ମୁଁ ଜାଣି ପାରି ନାହିଁ।ସକାଳକୁ ଉଠିଲା ବେଳକୁ ଆମ ଘରସାରା ରାତିର ସେହି ମଧୁର ବାସ୍ନା ବାସୁଥାଏ।ନିତ୍ୟକର୍ମ ସାରିବା ପରେ ମାଆଙ୍କୁ ପୂଜା କରିବାକୁ ନନା ଆସିଗଲେ।

ନନା ବି ଆଶ୍ଚର୍ଯ୍ୟ ,ଘରମାଲିକ ବି।ମୋତେ ପଚାରିଲେ ତୁମେ ଏଠାରେ ଧୂପ ଝୁଣା ଦେଇଥିଲ କି ? ମୁଁ ମନାକରି ରାତିର ଭୟଭୀତ ହେବା ସହ ଅନ୍ୟାନ୍ୟ ଘଟଣା କହିଲି ।ହଠାତ ଦେଖୁ ଦେଖୁ ମାଲିକାଣୀଙ୍କ ଦେହରେ ଦିବ୍ୟଶକ୍ତି ଆସିଗଲା ।ମଥାରେ ହାତ ଥୋଇ ଆଶୀର୍ବାଦ ଦେଇ କହିଲେ, ମୁଁ ପରା ସବୁବେଳେ ପିଲାଙ୍କୁ ପଣତରେ ଢାଙ୍କି ସୁରକ୍ଷା ଦିଏ।ତୋତେ କେମିତି ଭୁଲିଯିବି କହ ।ସନ୍ଧ୍ୟାରେ ମୋତେ ଧୂପ ଦେଇ ରକ୍ଷା କରିବାକୁ ଡାକିଲୁ ପରା।ଭକ୍ତିରେ ମୁଁ ବନ୍ଧା।

ମାଆଙ୍କ ଲୀଳା ଅବର୍ଣ୍ଣନୀୟ।

ଦୁଷ୍ଟ ନିବାଶି ସନ୍ଥ ପାଳେ 

ସେହି ହିଁ ମାଆ ,ଜଗଜ୍ଜନନୀ, ସର୍ବଂସହା, ମଙ୍ଗଳମୟୀ ମାଆ ବିଶ୍ୱକଲ୍ୟାଣୀ ଦୁର୍ଗେ ଦୁର୍ଗତି ନାଶିନୀ।

ଜୟ ମାଆ ଦୁର୍ଗା।କୋଟି କୋଟି ପ୍ରଣାମ ତୋ ପାଦପଦ୍ମେ ଏ ଅଧମ ଝିଅର।



Rate this content
Log in

Similar oriya story from Action