STORYMIRROR

Lopamudra Parida

Drama Action Inspirational

3  

Lopamudra Parida

Drama Action Inspirational

ଜଣେ ଚାଲିଗଲା ପରେ

ଜଣେ ଚାଲିଗଲା ପରେ

4 mins
166


ଜଣଙ୍କ ପ୍ରତି ଯେତେ ବିତୃଷ୍ଣା ଥିଲେ ବି କାଇଁ ସେ ସବୁଦିନ ପାଇଁ ଚାଲିଗଲା ପରେ ସେତିକି ତୃପ୍ତି ଟିକକ ତ ମିଳେନି ।ଓଲଟା ନିଜର ଏପରି ରୁଗ୍ଣ ମନୋଭାବ ଯୋଗୁଁ ଅନୁଶୋଚନା ଜାଗେ ।ମନ ଭାବେ ଆହାଃ! ଏବେ କଣ କରିବେ ତା' ପରିବାର ।ଦୟା ର ଆଦ୍ରତା ରେ ବିଗଳିତ ହୁଏ, ନିଜକୁ କିଛି ଅଂଶ ରେ ପଛେ ହେଉ ଦାୟୀ ଭାବେ ମନ ଏ ଏଇ ଅନ୍ଧାର ଭରା ରାଗ, ଘୃଣା ବା କେଉଁ ବି ଗୋଟେ ବଦଗୁଣ ପାଇଁ ।ହେଇପାରେ ମନରେ ଦମ୍ଭ କରି ଘର କରିଥିବା ସେ ଧାରଣା ଟି ମାତ୍ର ଏକ ପାଖିଆ, ହେଇପାରେ ବି ପ୍ରତି ପକ୍ଷ କୁ ନିଜର ପକ୍ଷ ରଖିବାକୁ ନ ଦେଇ ବାସ୍ ନିଜେ ନିଜ ମନ ମୁତାବକ ଗଢିନେଇଥିବା କିଛି ବଦ୍ଧମୂଳ ନିଷ୍ପତ୍ତି ଯାହା ଏକଚାଟିଆ, ବା ହେଇପାରେ କି ସତରେ ସେ ଲୋକଟାର ଦୁର୍ଗୁଣ ଭରିଥିଲା ଓ ସେ ଦଣ୍ଡ ପାଇବା କୁ ଶହେ ରୁ ଶହେ ହକଦାର ,ତେବେ ତା ପରିବାର ର ଦୋଷ ଟା ? କୋଉଠି  ? ଭାତ ମୁଠେ ତ ସେଇ ହାତ ରୁ ସେଇ ନିଷ୍ପାପ ଶିଶୁ ମୁହଁ କୁ ଯାଉଥିଲା ।ତେବେ ଆମେ କାଇଁ ନ ଚାହିଁ ବା ବିତସ୍ପୃହ ହୋଇ କେତେ ବେଳେ ବି ଏମିତି କିଛି କହିଥାଉ ଯାହା ପରେ ପଶ୍ଚାତାପ କରାଏ ? କଣ ଆମେ ଭୁଲିଯାଉ କି ଘୁରୁଛି ଏକ ତଥାସ୍ତୁ ଚକ୍ର ମଥା ଚାରିପଟେ ବଳୟ କରି ପୃଥି ସାରା ? ଆମେ କଣ ଭୁଲିଯାଉ ଯେ ଯିଏ ଯାହା କରୁ ତା ଫଳ ଦବାକୁ ଆମେ କିଏ ? କାହା ପାଇଁ କାହିଁକି ଏ ଜିଭ, ଏ ଚେତନା ହଜାରେ ସାବଧାନି ସତ୍ବେ କହିଦିଅନ୍ତି ଭାବିଦିଅନ୍ତି ଅଶୁଭରୁ କିଛି ? ମଣିଷ ର କଣ ଏତିକି ହିତାହତ ଜ୍ଞାନ ରହିବା ଅନିବାର୍ଯ୍ୟ ନୁହେଁ କି ? 


ଏହିପରି ଗୁଡେ ଅଡୁଆ ତଡୁଆ କଥାରେ ବିବେକ ଛନ୍ଦୁଥିଲା ଛନ୍ଦାଙ୍କୁ ।

ଆଜି ସକାଳୁ ଯେବେ ସେ ଫୋନଟା ଖେଳଉ ଖେଳଉ ସେଇ ଲୋକଟାର କୁନି ପରୀ ଭଳିଆ ଦଶ ବର୍ଷିଆ ଝିଆରି ଟିର ୱାଟ୍ସଅପ୍ ଷ୍ଟାଟସ୍ ରେ ଦେଖିଲେ ଲେଖାଥିବା କେତୋଟି ହୃଦୟ କୁ ଭେଦି ପାରୁଥିବା ଲୁହର ଶବ୍ଦ ସବୁ ।ହତବୁଦ୍ଧି ହୋଇଗଲେ ।ହତବାକ୍ ଅବସ୍ଥା ରେ କଣ ପଢିଲେ ବୋଲି ଚାରିଥର ପଢିଲେ ପୁଣି ପୁଣି କରି 


_ ମୁଁ ଆଉ ତୁମକୁ କେବେ ବି ଦେଖିପାରିବିନି ନା ଦାଦା ।ତୁମେ କାଇଁ ଆମକୁ ଛାଡି ଚାଲିଗଲ ଯେ ? ତୁମେ କଣ ଆଉ କେବେ ବି ସତରେ ଫେରିବନି ।ବାବା ଆଉ ମା ତ ଯାଇସାରିଥିଲେ ହି ଏବେ ତୁମେ ବି ।ମୁଁ ଆଉ ସାନ' ମା ପୁରା ଏକା ହେଇଗଲୁ ।ସେ ତ ଖାଲି କାନ୍ଦୁଛନ୍ତି, ତୁମେ କଣ ଶୁଣିପାରୁନ କି ? ଆଛ୍ଛା ସେଠୁ ଆସିବାର କଣ କିଛି ବାଟ ନାହିଁ ।।ମତେ ବି ଜୋର୍ କାନ୍ଦ ଲାଗୁଛି ।


ଅନେକ ଗୁଡାଏ ଫଟୋ ସେ ଲୋକଟିର ବି ଯୋଡା ହେଇଛି ଦୁରଭାଷ ପରଦାଟିରେ ।ପ୍ରତିଫଳିତ ହୋଇ ସେ ଛବିରେ ଯେମିତି ତାଚ୍ଛଲ୍ଯ କରୁଛି ।


********

ମନେ ପଡୁଥିଲା ସେ କେତେ ନିନ୍ଦା ଗୋଟେଇ ଥିଲା ଜୀବନ ରେ ।ଭଲ ଆମାୟିକ ବ୍ଯବହାର ଛଳନାରେ କେତେ କଣ କାଣ୍ଡ ଭିଏଇଥିଲା ।ତାକୁ ଡରୁଥିଲେ ଗୁଡେ ଲୋକ ।ମିଶିବାକୁ ବାରଣ ଥିଲା ତାଙ୍କ ଘର ସହ ସାହିରେ ।ଆଡେଇ ଯାଉଥିଲେ ଲୋକେ ଯେମିତି ନିଜେ ସବୁ ତୁଳସୀ ରେ ଧୁଆ ।ଲୋକ ବୁଝିବା ଅପେକ୍ଷା ବୁଝେଇବାରେ ମାହିରତା ହାସଲ କରିଥାନ୍ତି ସାଧାରଣତଃ ।ଯାହା ବୁଝିଥାନ୍ତି ସେଇଟା ହି ବନେଇ ଚୁନେଇ ଥାପି ଦିଅନ୍ତି ଅନ୍ଯ ମନରେ ।ସେ ଲୋକ ଟା କଣ କରୁଥିଲା, କଣ ଥିଲା ତାର ରୋଜଗାର ପନ୍ଥା କାହାକୁ ବି ସଠିକ୍ ଜଣା ନଥିଲା ।ଲୋକେ ନିଜ ନିଜର କାହାଣୀ କଳ୍ପି ବେଢି ବାନ୍ଧି ବସିଥିଲେ ଆଉ ସାହି ସାରା ଚିଙ୍ଗାରୀ ନିଆଁ ପରି ବ୍ଯାପିଥିଲା ସେ ଭୟଟି ।ସେ ବହୁତ ହାଉ ହାଉ କରି କଥା କହୁଥିଲା, ଟୋଲ କି ନାଲିପାଣି ଟାଙ୍କୁଥିଲା, ତା ଘରୁ ଅନାବନା ଶବ୍ଦ ଶୁଭୁଥିଲା ,ସିଏ ପରନାରୀ ଙ୍କୁ ନାଳଉଥିବା ନାଷ୍ଟି ପୋକ ଥିଲା ଆଉ ଆଉ ସବୁ କଣ କଣ ଚାରିଆଡେ ତା ନାଁ ରେ ଫିଙ୍ଗି ହେଇଥିଲେ କଣ୍ଟା ଶୂଳ ପରି ବିଛାଡି ହେଇ ।


ତିନି ତୁଣ୍ଡରେ ନୁହେଁ କୋଡିଏ ପଚାଶ ସରିକି ତୁଣ୍ଡ ଏକାପରି କଥା ମସଲା ଦେଇ ତା ପର କୁ ପର କହିବା ଭିତରେ ଛନ୍ଦା ମନରେ ବି କୋଉବାଟିଆ ସେଇ ଏକା କଥାଟା ଘର କରିଗଲା।ଡରର ମଞ୍ଜି ଟେ କୁ କଣ ଯତ୍ନ ଲୋଡେ କି ଲଟେଇ ମାଡିଯାଏ ।ଚଢିଯାଏ ଚିନ୍ତା ଶକ୍ତି କୁ ଦୁର୍ବଳ କରି ।


ତା ଘରେ ଅଘଟଣ ଟେ ହେଲେ ସମବେଦନା ବଦଳରେ ସବୁ କହୁଥିଲେ ତା ପାପ କର୍ମ କୁ ବିଚରା ଅନ୍ଯ ମାନେ ଭୋଗିଲେ ।ସେ ନିରୁତ୍ତର ରହେ ।କାହାକୁ କାମୁଡି ଗୋଡାଏନା ।ସାନ ପିଲାଙ୍କୁ ଦେଖିଲେ ମିଠେଇ, ଲଜେନ୍ସ ଯାଚେ,ସଭିଏଁ କିନ୍ତୁ ତା'ଠୁ ଲୁଚାନ୍ତି ପିଲାଙ୍କୁ, ଆକଟନ୍ତି ତା ପାଖ ନ ମାଡିବାକୁ ।ଭୟ ଟା ଗୋଟେ ଅଦେଖା ନିଆଁ ...... ପାଦ ତଳୁ ତଳୁ ତଳିପା ଯାଏଁ ପୋଡିପକାଏ ବିନା ଟେର୍ ଦେଇ ।


ବାହା ହେଲା ଲୋକଟି, ଖୁସି କମ ଦୟା କଲେ ବେଶୀ ନବବଧୂ ଟିକୁ ସମସ୍ତେ ।ଆହା ରେ ବିଚାରୀ ଝିଅ ଟି ।କେଜାଣି ଯଦି ଏବେ ବଦଳିଯିବ ଅସୁର!! ବଦଳୁଥିଲା ସେ ନିଃଶବ୍ଦ ରେ ।ପୁଣି ଚାପା ଶୁଭିଲା, ହୁଅନ୍ତା କି ଅସୁର କନ୍ୟା ସନ୍ତାନ ର ଜନକ ତେବେ ବୁଝନ୍ତା, ସୁଧୁରନ୍ତା ।ବଡ ଭାଇ ର ଝିଅ ଟିକୁ ଝିଅ କରିନେଇ ଥିଲା ସେ ।ସମସ୍ତେ ପୁଣି ଜୋଡିଲେ, ଯା ହଉ ବାଟକୁ ବାଗେଇଲାଣି ଲୋକଟା ।ସମୟ କଣ ନ କରେ, କଲ୍ଯାଣୀ ଝିଅ ଟି ।ମଣିଷ କରିଦେଲା ସନ୍ତାନ ସୁଖ ।ସୁନା ହାତ ଟି ।


ଗହଳି ର ତୁଣ୍ଡ ରେ ତୁଣ୍ଡି ବାନ୍ଧିବ କିଏ ! 


****** 

ସେ ମେଡିକାଲ ରେ କୁଆଡେ ହାଉ ହାଉ ହେଇ ପାଟିତୁଣ୍ଡ କରୁଥିଲା ଆଗପରି, ଠେଲାପେଲା କରୁଥିଲା ଡାକ୍ତର ନର୍ସ ଙ୍କୁ ।ତା ଦେହର ସବୁ ଅଂଗ ଅକାମୀ ହେଇସାରିଥିଲେ କୁଢ କୁଢ ଅଭିଶାପରେ ।ସେ ଶେଷ ନିଶ୍ବାସ ଛାଡିଦେଲା କରୋନା ହାସପାତାଳରେ ।ଗଲା ଆଗରୁ ତା 'ଝିଅ କୁ ଖୋଜିଥିଲା ।


ଏବେ ସମସ୍ତେ ଆହା ଚୁ ଚୁ କରଥିଲେ ।କଣ ଥିଲା ସେଇ ଭାବନା ସବୁ କେଜାଣି!! ଜଣଙ୍କ ପ୍ରତି ଯେତେ ବିତୃଷ୍ଣା ଥିଲେ ବି କାଇଁ ସେ ସବୁଦିନ ପାଇଁ ଚାଲିଗଲା ପରେ ନିଜକୁ ମାଡି ମାଡି ବସେ ଅନୁଶୋଚନା ଛନ୍ଦା ଭାବୁଥିଲେ ।ମନେ ପକଉଥିଲେ, ସେ ବି ଅନ୍ଯାୟ କରିଛନ୍ତି ।କାଇଁ କେବେ ବି ତ ସେ ଲୋକଟି ତାଙ୍କୁ ସେମିତି ଲାଗିନି ତେବେ ସେ ସେମିତି କଣ ଖାଲି ଶୁଣା କଥା ରେ ଭଳିକି କହିଥିଲେ ଯେ ଏମିତି ଲୋକ ସବୁ ପୃଥିବୀ ର ଭାର ।ତେବେ ଆଜି ତାଙ୍କ ମନ ଏତେ ଭାରି କାହିଁକି, କୋଉ ଦୋଷ ରେ ଦୋଷୀ ଲାଗୁଥିଲା ।କେତେ ମିନତୀ ଭରା କଥା ସେ କହିଥିଲା ସେଦିନ, ଆପଣ ଆମ ଝିଅ ଟିର ପଢା ଦାୟିତ୍ୱ ନିଅନ୍ତି ଯଦି ଉପକାର ହନ୍ତା ଆଜ୍ଞା ।ଗୋଟିଏ ବୋଲି ପିଲା ଆମର ମଣିଷ ହେଇଯାନ୍ତା ।ଆପଣଙ୍କ ନଜର ରେ ସେ ପଢା ପଢି କରୁ ।ଯା 'ଯେତେ ପଇସା ଲାଗିବ ମୁଁ ରକତ ପାଣି କରିଦେବି ପଛେ କମି କରିବିନି ।ସେ ସେଦିନ ବାପା ଟିଏ ହିଁ ଥିଲା, ଖାଲି ବାପା ଟିଏ ।ବିସ୍ମୟାବୋଧ ରେ ଛନ୍ଦି ହୋଇଥିଲେ ଛନ୍ଦା ।ଶୁଣିଥିବା ଗୁଜବ କି ସତ ନ ଜାଣି ଅଣଦେଖା କରିଥିବାର ଅବଶୋଷ ବିଦାରୁ ଥିଲା ମନ ତଳ କୁ ଖଣ୍ଡ ବିଖଣ୍ଡିତ କରି ।ଅନୁତପ୍ତ ଥିଲା ଆଖି ।ଆଉ କ ଣ ବା କରିବାର ଥିଲା ।।।


ଫୋନ୍ ଉଠେଇ କୁନି ଝିଅ ଟିକୁ ଫୋନ୍ କଲେ ।ଖାଲି ଏତିକି କହିଲେ, ମା ରେ ତୁ ବ୍ଯସ୍ତ ହବୁନି ।ମୁଁ ଅଛି .... ଆଜିଠୁ ତୋର ସମସ୍ତ ପଢା ଦାୟିତ୍ୱ ମୋର ।


ଶ୍ରଦ୍ଧାଞଳୀ ବୋଲି ଭାବୁଥିଲେ ଛନ୍ଦା ଏଇ ଦାୟିତ୍ୱ ଟି ନେଇ ।କେତେ ସମୀଚିନ ଥିଲା ତାଙ୍କ ନିଷ୍ପତ୍ତି ଏବେ ପୁଣି ତାର ହିସାବ ଲୋକ ମୁହଁ ରେ ।



Rate this content
Log in

Similar oriya story from Drama