ଜନ୍ମଦିନ
ଜନ୍ମଦିନ


ନିଖିଳେଶ ଭାରି ବ୍ୟତିବ୍ୟସ୍ତ ହୋଇ ପଡିଥାଏ, ନିଜ ଆସବାବ ପତ୍ରର ଅବସ୍ଥାକୁ ଦେଖି । ମୂଷାଗ଼ୁଡାକ ପ୍ରତିଦିନ କିଛି ନା କିଛି କାର୍ଯ୍ୟକଳାପ କରି ଦେଇଥାନ୍ତି, ସେ ଶୋଇ ଉଠିଲା ବେଳକୁ । ସତେ ଯେମିତି ସେମାନେ ତା’ରି ରୁମଟିକୁ ହିଁ ବାଛି ନେଇଛନ୍ତି ନିଜର କର୍ମଭୂମି ଭାବରେ । ମନେ ମନେ ଭାବେ ଯଦି ବେଳ ଥାଉ ଥାଉ ସେ କିଛି ଗୋଟାଏ ନ କରେ, କିଏ ଜାଣେ କୋଉ ଦିନ ତାର କିଛି ଦରକାରୀ କାଗଜପତ୍ର ବି ସେମାନଙ୍କର ଖେଳଣାର ବିଷୟବସ୍ତୁ ବନି ଯାଇଥିବ ।
ଆଜି ସେ ପୁରା ପୁରି ମନସ୍ଥ କରିଛି କି ସେମାନଙ୍କୁ ଧରିବାର ବ୍ୟବସ୍ଥା କରିବ । ରାତିରେ ଖ଼ାଇସାରି ମୂଷାଧରା ଯନ୍ତ୍ରଟିକୁ ସାବଧାନର ସହ ପରଖିନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥାର ସହ ନିଜ ରୁମରେ ରଖି ଶୋଇ ପଡିଲା ।
x x x x x
ହଠାତ୍ ସେ ଶୁଣିବାକୁ ପାଇଲା ଯେ ମୂଷା ମୂଷିକୁ କହୁଛି, “ ଶୁଣ ! ଏ ବର୍ଷ ଯେ କୌଣସି ପ୍ରକାରେ ତୋର ଜନ୍ମଦିନ ପାଳିବା । ପ୍ରତିବର୍ଷ କିଛି ନା କିଛି ଅସୁବିଧାବଶତଃ ଆମେ ତୋର ଜନ୍ମଦିନ ପାଳି ପାରୁ ନାହାଁନ୍ତି । କାଲି କିନ୍ତୁ ନିଶ୍ଚୟ ତୋ ଜନ୍ମଦିନ ପାଳନ ହେବ । “
“ହଁ, ଏ କଥା ଶୁଣି ଶୁଣି ମୋର କେତେ ଜନ୍ମଦିନ ଚାଲି ଗଲାଣି ତାର ହିସାବ ନାହିଁ । ଦେଖା ଯାଉ, କାଲି ପୁଣି ଆସୁଛି କି ନାହିଁ ।“ ମୂଷି କହିଲା ।
“ନା...! ମୁଁ ଆଜିଠାରୁ ଯୋଗାଡରେ ଲାଗିଯିବି ।“ ମୂଷା ବ୍ୟସ୍ତ ହୋଇ ସକାଳ ହେବା ଆଗରୁ ସବୁ ଯୋଗାଡ କରିବା ନିଶାରେ ବାହାରି ଗଲା । ରୋଷେଇ ଘର ଥାକରୁ ଚାରି ଖଣ୍ଡ ପାଉଁରୁଟି ପାଇ ଭାରି ଆଗ୍ରହରେ ଆଣି ମୂଷି ପାଖରେ ଉପର ଉପର କରି ରଖି ପୁଣି ଚାଲିଗଲା । ଘର ଭିତରୁ ଯୋଗାଡ କରି କିଛି କାଜୁ, କିସମିସ୍, ଚେରି ନେଇ ଆସି ଦୁହେଁ ମିଶି ପାଉଁରୁଟି ଖଣ୍ଡକୁ ସଜାଇବାରେ ଲାଗିଲେ । କି ଆନନ୍ଦ ! ସତ ସତିକା ନହେଲେ ବି ସେମାନେ ତାକୁ ନେଇ ଭାରି ଆନନ୍ଦ ପ୍ରକାଶ କରୁଥାନ୍ତି ।
ଜନ୍ମଦିନ ଶବ୍ଦଟା ଭାରି ଭଲ ଲାଗେ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଜନ୍ମଦିନରେ ଅନ୍ତତଃ ଟିକେ ଅଭିବାଦନ ମିଳିଲେ ଭାରି ଖୁସି ହୁଅନ୍ତି । ମନର ନିଭୃତ କୋଣରେ କୋଉଠି ନା କୋଉଠି ଏ ଇଚ୍ଛା ଉଙ୍କି ମାରୁଥାଏ । ପ୍ରାୟତଃ ସମସ୍ତେ ଭାବନ୍ତି କି ଏଥର ଜନ୍ମଦିନଟା ଟିକେ ଭଲରେ ମନାଇଥାନ୍ତି । ଆଜିକାଲି ଜନ୍ମଦିନ ଗୁଡାକ ପାଶ୍ଚାତ୍ୟ ଢଙ୍ଗରେ ବେଶୀ ପାଳନ ହୁଏ ।
ମୂଷା କହିଲା, “ଦେଖ, ସବୁ ଯୋଗାଡ ହୋଇଗଲା । କେବଳ ରାତି ବାରଟାକୁ ଅପେକ୍ଷା । ଠିକ ବାରଟା ବାଜିଲେ ଆମେ ଏଥର ଏହି କେକ୍କୁୁ କାଟି ଜନ୍ମଦିନ ପାଳନ କରିବା ।
ବହୁଦିନପରେ ନିଜ କାମେରେ ସଫଳ ହୋଇଥିବାରୁ ମୂଷି ମୂଷାକୁ ବହୁତ ପ୍ରସଂଶା କରୁଥାଏ । ଦୁହେଁ ବହୁତ ବ୍ୟଗ୍ର ହୋଇ କେବଳ ଘଣ୍ଟାକୁ ଦେଖୁଥାନ୍ତି । “ ଦେଖ, ଆଉ ମାତ୍ର ଅଳ୍ପ ସମୟ ପରେ ବାରଟା ବାଜିବ । “
“ ମିଆଉଁ ..... ମିଆଉଁ,,,,!”
ନିଖିଳେଶର ନିଦ ଭାଙ୍ଗିଗଲା । ଦେଖିଲା ତାଙ୍କର ପୋଷା ବିଲେଇଟା ମୂଷାଧରା ଯନ୍ତ୍ରଟିକୁ ବହୁ ଆଶାୟୀ ନଜରରେ ଚାହିଁ ବସିଛି ।
ନିଖିଳେଶ ପ୍ରକୃତିସ୍ଥ ହୋଇ ଭାବିଲା, କ’ଣ ଏହା ସ୍ୱପ୍ନ ଥିଲା । ଦେଖିଲା ମୂଷା ଦୁଇଟି ଜନ୍ତା ଭିତରୁ ବହୁତ ନିରୀହ ଭାବେ ବାହାରକୁ ଚାହିଁ ରହିଛନ୍ତି । ଆଉ ପୋଷା ବିଲେଇଟା ତା’ ଦେହରେ ଘଷି ହୋଇ ଯେମିତି କହୁଛି, ଆଜି ତାକୁ ଆହରର ମଜା ନେବାରେ ଡେରି କର ନାହିଁ ।
ସକାଳର ସୁନେଲୀ କିରଣକୁ ଚାହିଁ ସେ ଭାବୁଥାଏ, ପ୍ରକୃତରେ ସେ କାହାକୁ ପରବ ବନେଇବାରେ ସେ ସହଯୋଗ କରିବ ? କାହାର ଆଜି ଜନ୍ମଦିନ ? ସତରେ କ’ଣ ମୂଷା ମୂଷି ଜନ୍ମଦିନର ଅପେକ୍ଷାରେ ଅଛନ୍ତି ? ସେ ସମାଧାନ ଖୋଜି ପାଉନଥିଲା ।