ଦୁଃଖ ଦେଇଗଲ ଦରଦୀ ବନ୍ଧୁ
ଦୁଃଖ ଦେଇଗଲ ଦରଦୀ ବନ୍ଧୁ


ଚାକିରୀର କଲ ଲେଟରଟା ପାଇ ହଠାତ୍ କିଛି ଭାବି ପାରିନଥିଲା ଅମିତ୍। ତଥାପି ତାକୁ ଯିବାକୁ ପଡ଼ିବ। ଘରର ବଡ ପୁଅ ହିସାବରେ ଦାୟୀତ୍ବ ଗ୍ରହଣ କରିବାର ସୁଯୋଗ ସେ ହାତ ଛଡା କରିବାକୁ ଚାହୁଁ ନଥିଲା । କିନ୍ତୁ ଆସି ପହଞ୍ଚିବା ପରେ ଅମିତକୁ ସବୁ କିଛି ନୂଆ ନୂଆ ଲାଗୁଥିଲା। ଗତକାଲି ବାହାରିଥିଲା ଘର ପରିବାରକୁ ଛାଡ଼ି। ପ୍ରଥମ ଥର ନହେଲେ ବି ଘରୁ ଏତେ ଦୂରକୁ ଯିବା ତା ପାଇଁ ପ୍ରଥମ। ବସଷ୍ଟାଣ୍ଡରେ ଓହ୍ଲେଇ ଚିନ୍ତା କଲା କଣ କରିବ? କେଉଁଠି କି ଯିବ? ଧୂ ଧୂ ଖରାବେଳଟାରେ ପଚାରିବା ପାଇଁ ବି କେହି ନାହାନ୍ତି। ଟିକେ ଏପଟ ସେପଟ ଦେଖିଲା ବେଳକୁ ତା ନଜର ପଡିଲା ଦୂରରେ ଥିବା ଏକ ଛୋଟ ପାନ ଦୋକାନ ଉପରେ। କଳା ମଚମଚ ବଳିଷ୍ଠ ଶରୀର ଥିବା ଏକ ଯୁବକ ତାକୁ ଅନାଇ ରହିଥିଲା। ଶକ୍ତି ସଞ୍ଚୟ କରି ତା ପାଖରେ ପହଂଚି ଧିର ସ୍ଵରରେ ପଚାରିଲା ଆଜ୍ଞା, ଗେଷ୍ଟ ହାଉସ ଯିବା ରାସ୍ତାଟା ଟିକେ କହି ପାରିବେ କି? ଯୁବକ ଜଣକ ଉପରୁ ତଳ ପର୍ଯ୍ୟନ୍ତ ଥରେ ଦେଖି ନେଇ କହିଲେ ,' କାଲିର ଇଣ୍ଟର୍ଭ୍ୟୁ ପାଇଁ ଆସିଛ?'
ହଁ, କହିଲା ଅମିତ୍।
ଠିକ୍ ଅଛି, ଆସ ମୋ ସହିତ। ଟିକେ ଟିକେ ଭୟ ଲାଗୁଥିଲେ ବି ତାଙ୍କ ସହ ଗାଡ଼ିରେ ଯିବାକୁ ପ୍ରସ୍ତୁତ ହୋଇଗଲା। ଗେଷ୍ଟ ହାଉସ ପାଖରେ ପହଂଚି କହିଲା, ' ଏଇଟା ଗେଷ୍ଟ ହାଉସ, ମୋ ନାଁ ସତ୍ୟ, ସତ୍ୟ କିଶୋର। ତୁମ ନାଁ?
ଅମିତ୍, ଉତ୍ତର ଦେଲା ଅମିତ୍।
ଠିକ୍ ଅଛି । ଏ ଆଗରେ ଦେଖାଯାଉଥିବା ନାଲି ଘର ଗୁଡ଼ାକ ମଧ୍ୟରୁ ଗୋଟିଏ ମୋର। ଘର ନମ୍ବର ୨୩୪, କିଛି ଅସୁବିଧା ହେଲେ ନିସଙ୍କୋଚରେ ଆସିପାର।
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
ଚାଲିଗଲା ସତ୍ୟ।
ଗେଷ୍ଟ ହାଉସ ଭିତରେ ପହଂଚି ରୁମ୍ ଟିଏ ପାଇସାରିବା ପରେ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲା । ଭାବିଲା ଆରମ୍ଭ ଶୁଭ ଅଛି। ଈଶ୍ୱର ତାର ସାଙ୍ଗରେ ଅଛନ୍ତି।
ପରଦିନ ଅଫିସରେ ସବୁ ଆନୁସଙ୍ଗିକ କାର୍ଯ୍ୟ ସାରିବା ପରେ ଇଂଟର୍ଭ୍ୟୁ ବି ଭଲରେ ସରିଗଲା। ଖବର ମିଳିଲା ଫଳାଫଳ ସମ୍ବନ୍ଧରେ ପରେ ଜଣାଇ ଦିଆଯିବ।
କିଛି ଦିନ ପରେ ଚାକରୀ ପାଇଁ ଡାକରା ଆସିଲା। ଜୟନ୍ କଲା ପରେ ସବୁ ଠିକ୍ ଠାକ୍ ଚାଲିଥାଏ। ହଠାତ୍ ଦିନେ ରାସ୍ତାରେ ଦେଖା ହୋଇଗଲା ସତ୍ୟ କିଶୋର । ଅମିତ୍ ନମସ୍କାର ଜଣାଇ ପୁଣି ଧନ୍ୟବାଦ ଜଣାଇଲା। ଧୀରେ ଧୀରେ ସତ୍ୟ ତାର ଲୋକାଲ ଗାର୍ଡିଆନ୍ ବନିଗଲା। ସବୁ ସୁବିଧା ଅସୁବିଧାରେ ସେ ସାହାଯ୍ୟ କରେ। ସେ ନିଜକୁ ତା ଠାରୁ ଅଲଗା କରି ପାରୁ ନ ଥାଏ।
ଦୀର୍ଘ ଆଠ ବର୍ଷ ହୋଇ ଗଲାଣି ତାର ଚାକିରୀ ଜୀବନ। ହଠାତ୍ ସତ୍ୟ ସହ ମିଶି ପାଖ ସହରକୁ ଯାଇ ଗାଡ଼ିଟିଏ କିଣିବା ପାଇଁ ମନସ୍ଥ କଲେ। ସବୁ ଯୋଗାଡ଼ କରି ଦୁହେଁ ପହଞ୍ଚିଲେ ପାଖ ସହରର ଏକ ଶୋ ରୁମରେ । ଅମିତ୍ ବହୁତ ଆନନ୍ଦିତ ଥିଲା। ନୂଆ ଗାଡ଼ିଟି କିଣିସାରି ଦୁହେଁ ପାଖ ରେଷ୍ଟାରୁଣ୍ଟ୍ ରେ ମନ ଭରି ଖାଇଲେ । ପ୍ରାୟ ଅପରାହ୍ନ ଚାରିଟା ବେଳକୁ ଗାଡ଼ି ଧରି ଘରକୁ ବାହାରିଲେ। ହଠାତ୍ ଏକ କଳାମେଘ ଘୋଟି ଆସିଲା। ଘଡଘଡି ସହିତ ବିଜୁଳୀ ଆଖି ଝଲସି ଉଠୁଥିଲା। ସତ୍ୟ ଗାଡ଼ିର ବେଗ ଧିର କଲା । କଣ କରିବେ? କିଛି ଉପାୟ ନ ପାଇ ପାଖରେ ଥିବା ଏକ ଛୋଟ ମନ୍ଦିର ପ୍ରାଙ୍ଗଣରେ ଆଶ୍ରୟ ନେବାକୁ ଭାବି ଗାଡ଼ି ରଖିଦେଲେ ରାସ୍ତା କଡ଼ରେ। ଅମିତ୍ ଆଗ ଦଉଡି ପଲାଇ ଗଲା। ସତ୍ୟ ଗାଡ଼ିକୁ ଷ୍ଟାଣ୍ଡରେ ରଖିବାକୁ ଚେଷ୍ଟା କରୁଥିଲା।
ଅମିତ୍ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ତୀବ୍ର ଏକ ବିଜୁଳୀ ଚମକରେ ତାର ଆଖି କିଛି ସମୟ ପାଇଁ ବନ୍ଦ ହୋଇଗଲା ଆଉ ଆଖି ଖୋଲିଲା ବେଳକୁ ଦେଖିଲା ସତ୍ୟର ଶରୀର ଲୋଟି ଯାଇଛି ରାସ୍ତା କଡ଼ରେ । ସଙ୍ଗେ ସଙ୍ଗେ ଆମ୍ବୁଲା୍ସ ଡକାଇ ଡାକ୍ତରଖାନା ନେଇ ନିଜ ଜୀବନର ସବୁଠାରୁ ବଡ଼ କ୍ଷତି ବିଷୟରେ ଜାଣିବାକୁ ପାଇଲା। ତାର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ ଓ ମାର୍ଗଦର୍ଶକକୁ ହରାଇଥିଲା। ଘଟିଯାଇଥିବା ଘଟଣାବଳୀକୁ କେବଳ ବାରମ୍ବାର ରୋମନ୍ଥନ କରି ମନେ ମନେ କଇଁ କଇଁ ହୋଇ କାନ୍ଦୁଥିଲା।