ଗୁରୁ- ଏକ ଦିଗଦର୍ଶକ
ଗୁରୁ- ଏକ ଦିଗଦର୍ଶକ


ସେତେବେଳେ ମୁଁ ସପ୍ତମ ଶ୍ରେଣୀର ଛାତ୍ର। ଆଗକୁ ବୋର୍ଡ ପରୀକ୍ଷା। ଅର୍ଦ୍ଧ ବାର୍ଷିକ ପରୀକ୍ଷା ସରିଗଲା। ପରୀକ୍ଷା ଖାତା ଧରି ପ୍ରଧାନ ଶିକ୍ଷକ ଆସି ଶ୍ରେଣୀରେ ପହଞ୍ଚି ଗଲେ। ଆଙ୍ଗୁଠି ଦେଖାଇ ଆମ ପାଞ୍ଚ ଛଅ ଜଣକୁ ଠିଆ କରିଦେଲେ। ଆମେ ପରସ୍ପରକୁ ନିରୀହ ଭାବେ ଚାହିଁ ଥାଉ। କାରଣ ପ୍ରଧାନ ଶିକ୍ଷକ ପ୍ରଧାନ ସାର୍ କହିଲେ ଛାତ୍ର ତ ଦୂରର କଥା ଅନ୍ୟ ଶିକ୍ଷକ ମାନେ ବି ଭୟରେ ତାଙ୍କ ସାମ୍ନାରେ ଠିକ୍ ଭାବେ ଠିଆ ହୋଇ ପାରନ୍ତି ନାହିଁ। କଣ ଆମର ଭୂଲ୍? ଠିଆ ହୋଇଥିବା ସମସ୍ତେ ଶ୍ରେଣୀରେ ଭଲ ପାଠ ପଢୁଥିବା ଛାତ୍ର।
ସାର୍ କିଛି ନ କହି ଆମର ଉତ୍ତର ଖାତା ଗୁଡ଼ିକୁ ବାଛି ବାଛି ବାହାର କଲେ । " ତୁମ କାହାର ବି ଗଣିତରେ ୧୦୦ ରୁ ୧୦୦ ନମ୍ବର ଆସିନାହିଁ କାହିଁକି? " ସମସ୍ତେ ନିରୁତ୍ତର। ପୁଣି ସେହି ପ୍ରଶ୍ନ। ତାପରେ ଜଣ ଜଣ କରି ଉତ୍ତର ଖାତା ଦେଇଦେଲେ। ମୁଁ ଦେଖିଲି ୯୯/୧୦୦ । ଏକ ସାଧାରଣ ଗୁଣନ ପ୍ରକ୍ରିୟାର ଭୁଲ୍ ଯୋଗୁଁ ୧ ମାର୍କ କଟି ଯାଇଥିଲା। " ଏଭଳି ଖାମଖିଆଲି ମନୋଭାବ ଯୋଗୁଁ ଆମ ସ୍କୁଲର ନାଁ ମାଟିରେ ମିଶିଯିବ। ତୁମେମାନେ ଆସନ୍ତାକାଲି ଠାରୁ ଏକ ନିର୍ଦ୍ଧଷ୍ଟ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସ୍କୁଲକୁ ଆସିବ। ଖାଇବା ଛୁଟିରେ ମୋ ଅଫିସରେ ଦେଖାକର।" ସାର୍ ଚାଲିଗଲେ। ସେ ଖୁବ୍ କମ୍ କଥା କୁହନ୍ତି।
ଆମେ ସମସ୍ତେ ସାରଙ୍କ କହିବା ମୁତାବକ ଖାଇବା ଛୁଟିରେ ସାରଙ୍କ ଅଫିସରେ ପହଞ୍ଚି ଗଲୁ।
" ତୁମେମାନେ ସ୍କୁଲ ସରିବା ପରେ ଘରକୁ ଯାଇ ପୁଣି ରାତି ପାଇଁ ଖାଇବା ଓ ଶୋଇବା ସରଞ୍ଜାମ ନେଇ ସନ୍ଧ୍ୟା ସୁଦ୍ଧା ସ୍କୁଲରେ ପହଞ୍ଚିବ। ରାତିରେ ଏଠି ପାଠପଢ଼ା ଓ ରାତି ଯାପନ। ପୁଣି ସକାଳୁ ଉଠି ପାଠ ପଢ଼ା ଏବଂ ତାପରେ ପୁଣି ଘରକୁ ଯାଇ ଖାଇପିଇ ମଧ୍ୟାହ୍ନ ଖାଇବା ନେଇ ଆସିବ। ଏହି ପ୍ରକ୍ରିୟା ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ ଚାଲିବ।"
ଆମେ କିଛି ବୁଝିବା ପୂର୍ବରୁ ଆମକୁ ଯିବା ପାଇଁ ନିର୍ଦ୍ଦେଶ ମିଳି ଯାଇଥିଲା।
ସବୁ କାର୍ଯ୍ୟ ସାରଙ୍କ କହିବା ମୁତାବକ ଚାଲିଲା। ରାତି ୯ ଟା ପର୍ଯ୍ୟନ୍ତ ଆମ ପାଖରେ ବସି ସବୁ ଅବୁଝା ପ୍ରଶ୍ନର ସମାଧାନ କରି ପୁଣି ସକାଳ ୫ ଟାରେ ଚାଲି ଆସନ୍ତି ଆମ ପାଖକୁ। ସେ ସମୟରେ ଖୁବ୍ ରାଗ ଆସୁଥିଲା ସାରଙ୍କ ଉପରେ। ଅବଶ୍ୟ କେତେ ଥର ଘରକୁ ଡ଼ାକିନେଇ ଭଲ ଭଲ ଖାଦ୍ୟ ବି ଖୁଆଇଥିଲେ। ଯେତେବେଳେ ବୋର୍ଡ ପରୀକ୍ଷାରେ ଖୁବ୍ ଭଲ ନମ୍ୱର୍ ରଖି କ୍ଲାସରେ ପ୍ରଥମ ହୋଇଥିଲି, ସବୁ ରାଗ ଆନନ୍ଦରେ ପରିବର୍ତ୍ତନ ହୋଇ ଯାଇଥିଲା। ସାରଙ୍କ ପାଦତଳେ ମୁଣ୍ଡିଆ ମାରି ଆଗାମୀ ଜୀବନ ପାଇଁ ଆଶୀର୍ବାଦ କରିବା ପାଇଁ କହିଥିଲି। ଗଣିତ ଓ ଇଂରାଜୀରେ ଥିଲା ତାଙ୍କର ଗଭୀର ଜ୍ଞାନ। କିଞ୍ଚିତ ପ୍ରସାଦ ପରବର୍ତ୍ତୀ ସମୟରେ କିଛି ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ମୋତେ ସାହାଯ୍ୟ କରିଥିଲା । ଶିକ୍ଷକତା ପେଶା ନହେଲେ ବି ନିଶା ହିସାବରେ ଗ୍ରହଣ କରି ମୁଁ ସୃଷ୍ଟି କରି ପାରିଥିବା କିଛି ଛାତ୍ରଛାତ୍ରୀ ଆଜି ବେଶ୍ ପ୍ରତିଷ୍ଠିତ।
ସେ ପୂଜ୍ୟପୂଜା ଦେବତୁଲ୍ୟ ଗୁରୁଙ୍କର ଆଶୀର୍ବାଦ ନିଶ୍ଚୟ ଥିଲା, ଯାହା ଆଜି ମୋର ଜୀବନ ଜୀବିକାରେ ପୂର୍ଣ୍ଣ ପ୍ରତିଫଳିତ।
ପବିତ୍ର ଗୁରୁ ଦିବସ ଅବସରରେ ମୋର ଜୀବନକୁ ସଫଳ କରିଥିବା ସମସ୍ତ ଗୁରୁ ଓ ଗୁରୁଜନଙ୍କୁ ଭକ୍ତି ପୂର୍ଣ୍ଣ ପ୍ରଣାମ।