ARUN MAHAPATRA

Classics

3  

ARUN MAHAPATRA

Classics

ଆତ୍ମ ଅଭିମାନ

ଆତ୍ମ ଅଭିମାନ

5 mins
172



 

  ଡହ ଡହ ଖରାବେଳ । ସନିଆ ( ସନାତନ ) ନିଜ କୁଡିଆ ବାହାରେ ଆମ୍ବଗଛ ମୁଳେ ଦଉଡିଆ ଖଟଟି ଉପରେ ଆରାମରେ ଶୋଇ ଥାଏ । କି ଆନନ୍ଦ ସେ ଖୋଲା ଆକାଶ ତଳେ । ସୁଲୁସୁଲିଆ ପବନରେ ତାକୁ ନିଦ ଆସି ଯାଇଥାଏ । ଏହା ତାର ସବୁ ଦିନିଆ ଅଭ୍ୟାସ । ଖରାବେଳେ କଣ ଦି’ଟା ଖାଇଦେଇ ଏଠାରେ ଗଡି ପଡେ । ଦିନେ ଦିନେ ନିଜ ଉପରେ ଅଭିମାନ କରେ । ଏ ପରିଣତ ବୟସରେ ନିଜ ହାତରେ କ’ଣ ଦି’ଟା ସିଜେଇ ଫୁଟେଇ ଖାଉଛି ସିଏ । ଆଗ ଆଗ କିଛି କାମ ଦାମ ପାଇଯାଉଥିଲା । ଏବେ କିନ୍ତୁ ତାର କାମର ସିଥିଳତା ତାକୁ ଆଉ ରୋଜଗାରକ୍ଷମ କରାଇ ପାରୁନାହିଁ । ଭାବେ କାହିଁକି ବା ସେ ଏ ବୟସରେ କାମ କରିଥାନ୍ତା ? ନିଜ କର୍ମର ଫଳ । ନିଜର ଭାବି ସ୍ତ୍ରୀ ପିଲା ସଂସାରରେ ସବୁ ବେଳେ ବୁଡି ରହିଲା । ସେ ଦୁନିଆର ସମସ୍ତଙ୍କ ଭଳି ଜୀବନର ସମସ୍ତ ଉପାର୍ଜନ ସେମାନଙ୍କ ଖୁସିରେ ଲଗାଇ ଦେଲା । ସମସ୍ତେ କରୁଥିବା ଭୁଲ ଭଳି ତାର ବି ଆଶା ଥିଲା ଦି ଦି’ଟା ପୁଅ ଥାଉ ଥାଉ ତାର ଆଉ ଦରକାର କଣ ? ସେମାନେ ଭଲରେ ରହିଲେ ତାର ଶେଷ ଜୀବନଟା ଯେମିତି ସେମିତି କଟିଯିବ । ସେ ସମୟରେ ସେ ନିଜର ଚାଷ ଜମି ଖଣ୍ଡିକକୁ ବି ପ୍ରଥମେ ବନ୍ଧକ ଓ ପରେ ବିକ୍ରି କରିବାକୁ ବି ପଛାଇ ନଥିଲା । ଯେନ ତେନେ ପ୍ରକାରେଣ ଦୁଇ ପୁଅକୁ ଭଲ ଭାବେ ମଣିଷ କରିଦେଇଛି । ତାର ଅର୍ଥ ନୁହେଁ ଯେ ସେମାନେ ଆଜି ସମାଜରେ ପ୍ରତିଷ୍ଠିତ , କିନ୍ତୁ ନିଜର ବା ନିଜ ପରିବାର ଭରଣ ପୋଷଣ ଯେ କରିପାରେବେ ସେ ବିଶ୍ବାସ ତାର ଅଛି । ସେଥିରେ ସେ ସନ୍ତୁଷ୍ଟ । ଜମି ରଖି ବା କଣ କରିଥାନ୍ତା ? ପରେ ସେ ପୁଅ ଦି’ଟା ତା ପରି ସେ ଜମିରେ ହଳ ଚଳାଇ କେବଳ ମୁହଁକୁ ପେଟକୁ କରିଥାନ୍ତେ ।

                ପୁଅ ଦି’ଟାର ବାହାଘର ଶକ୍ତି ମୁତାବକ କରିଥିଲା । ବୋହୁ ଦି’ଟା ବି ଅସୁନ୍ଦର ନୁହଁନ୍ତି । କିନ୍ତୁ ଗୁଣରେ ? କେମିତି ବା ଦେଖିଥାନ୍ତା ? ସେ କିନ୍ତୁ ସବୁବେଳେ ଦୋଷ ଦିଏ ନିଜ ପୁଅଙ୍କୁ । ସେମାନେ ପର ଘର ଝିଅ । ଯେମିତି ଶିଖାଇଲେ ସେମିତି ଶିଖିବେ ଆମ ଘରର ଚଳଣି । କେମିତି ଚଳିଥିଲା ପୁଣି ପୁନି ? ତା ପାଇଁ ଶାଶୁ ନଣନ୍ଦଙ୍କ ଠାରୁ କେବେ ବି କିଛି ଶୁଣିନାହିଁ ସନିଆ । ଭାଗ୍ୟ ଭଲ ନିଜ ଭିଟା ମାଟି ଖଣ୍ଡିକ ନିଜ ନା’ରେ ଥିଲା । ହାତ ଗୋଡ ଚଳୁଥିବା ପର୍ଯ୍ୟନ୍ତ ନିଜ କାମ ନିଜେ କରୁଥିଲା । ଆଜିକାଲି ଶରୀର ଟିକେ ଭାରୀ ହୋଇ ଗଲାଣି । ତଥାପି ନିଜର ଆତ୍ମ ସମ୍ମାନକୁ ଆଜି ବି ସେ ଯାବୁଡି ଧରିଛି ।    

ସ୍ତ୍ରୀଟା ବି ତାକୁ ଛାଡି ଚାଲିଗଲା । ଆଶାଥିଲା କେହି ନ ହେଲେ ପୁନି ତ ଅଛି । ଦୁହେଁ ଦୁହିଁକୁ ଦେଖି ଦିନ କାଟିଦେବେ । ଏକ ଅଜଣା ବିମାରୀରେ ପୁନିର ଦେହାନ୍ତ ହୋଇଗଲା । ତାପରେ ସନିଆ ଆହୁରି ଭାଙ୍ଗିପଡିଲା । ପୁଅ ମାନେ ଭିଟା ମାଟିଟିକୁ ଆପଣାଇବା ଚେଷ୍ଟାରେ ବି ପଛ ଘୁଞ୍ଚା ଦେଇ ନାହାନ୍ତି । ମନରେ ବହୁତ ବିତୃଷ୍ଣା ଆସେ , କାହା ପାଇଁ ଆଉ ବଞ୍ଚିବ ? 

                କାଲି ଗାଁ ମୁଣ୍ଡ ଚା’ ଦୋକାନରେ ଲୋକେ କଥା ହେଉଥିଲେ ଏଥର ବି ସେ ଜଗୁ ଦାଦା ଏମ ଏଲ ଏ ହୋଇଯିବ । ଭାରୀ ପଇସା ଖର୍ଚ୍ଚ କରୁଛି । ସରକାରୀ ଦଳ । ପଇସାର ଅଭାବ ନାହିଁ । ସନିଆ କିନ୍ତୁ ସବୁବେଳେ ତାକୁ ବିରୋଧ କରି ଆସିଛି । ଆଜି ପର୍ଯ୍ୟନ୍ତ ତା ବିରୋଧରେ ଠିଆ ହୋଇଥିବା ବ୍ୟକ୍ତି ଜଣକ ଉଚ୍ଚଶିଖିତ ପ୍ରତ୍ୟକ୍ଷ ବା ପରୋକ୍ଷରେ ସେମାନଙ୍କ ପାଇଁ କିଛି କାମ କରିଛନ୍ତି । ଜଗୁ କେବଳ ପାର୍ଟୀ ବ୍ୟାନରରେ ଭୋଟ ପାଇ ଆସିଛି । ଜଗୁ ବି ଜାଣେ କେବଳ ସନିଆର ବିରୋଧରେ ଏହି ଗାଁରୁ ତାର ଭୋଟ କମି ଯାଉଛି । କାରଣ ସମ୍ପତ୍ତି ନଥିଲେ ବି ଲୋକଙ୍କୁ ସାହାଯ୍ୟ କରିବାରେ ସେ ସିଦ୍ଧହସ୍ତ । ଏଥର କିନ୍ତୁ ଜଗୁ ଏକ ଭିନ୍ନ ମାନସାଙ୍କ ଧରି ସନିଆ ପାଖରେ ପହଞ୍ଚିଛି । ସେଥିପାଇଁ ସେ ନିଶ୍ଚୟ କରିଛି ନିଜେ ଯାଇ ଜଗୁକୁ ପ୍ରଲୋଭିତ କରିବ । ତାର ଅଭାବୀ ପଣର ଫାଇଦା ନେଇ ଭୋଟ ହାସଲ କରିବ । ଆଜି ତ ଆଉ ତା ପାଖରେ ବୋଧେ ସେ ପୂର୍ବ ଟାଣ ନଥିବ । ଶରୀର ଅବଶ ହୋଇ ଗଲାଣି ।         ହଠାତ୍‍ ସନିଆ…. ସନିଆ ଡାକ ଶୁଣି ତାର ଭାତ ନିଦଟା ଭାଙ୍ଗିଗଲା । ଅବଶ ଶରୀରଟାକୁ ଧିରେ ଧିରେ ଉଠାଇବାକୁ ଚେଷ୍ଟା କଲା ସନିଆ । କିଏ ଏ ଅବେଳରେ ? କେବଳ ଗାଁର କିଛି ସାମୁହିକ କାମରେ ହାତ ଦେବାପାଇଁ ହିଁ ତାକୁ ଡକାଯାଏ । କାରଣ ଗାଁ ର ନିୟମ । ଘରୁ ଘରୁ ଜଣେ ଯିବାକୁ ପଡିବ । ତାର କିନ୍ତୁ କଥାରେ ଓଜୋନ ଥାଏ । ଲୋକେ କହନ୍ତି ,ସନିଆଟା ଭାଙ୍ଗିଯିବ ପଛେ ନଇଁବ ନାହି । ଆଜି ପର୍ଯ୍ୟନ୍ତ କେତେ ଲୋକ କେତେ ପ୍ରଲୋଭନ ଦେଖାଇଛନ୍ତି ତାକୁ ,କିନ୍ତୁ ତା ଉପରେ କୌଣସି ପ୍ରଭାବ ନାହିଁ ।

            ଧିରେ ଧିରେ ସେ କବାଟ ପାଖରେ ପହଞ୍ଚିଲା । କବାଟ ଖୋଲିଲା ପରେ ତାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏ କଣ ଦେଖୁଛି । ନିଜ ଜନ୍ମ କଲା ପୁଅ ଆଜି ତାର ଦ୍ବାର ସମ୍ମୁଖରେ । ସେ ଆଉ ସ୍ବପ୍ନ ଦେଖୁ ନାହିଁ ତ? ତାକୁ ଦେଖି ଯେ କେତେ ବର୍ଷ ବିତି ଗଲାଣି ତାର ଆଉ ମନେ ନାହିଁ । ସେ କେବେ ବାପା ବୋଲି ଦେଖିବାକୁ ସମୟ ପାଇନାହିଁ । ଆଜି ହଠାତ୍‍ ଏଠି କାହିଁକି ? କିଛି ଅଘଟଣ ଘଟି ନାହିଁ ତ ? ବାପାର ଅନ୍ତରରେ ଆନ୍ଦୋଳନ ସୃଷ୍ଟି ହେଲା । ତାର ଭାବନାରେ ପୂର୍ଣ୍ଣଛେଦ ଦେଇ ତାର ସାମ୍ନାକୁ ଆସି ଠିଆ ହେଲା ଜଗୁ । କହିଲା, “ ସନିଆ, ଏବର୍ଷ ତୋ ପୁଅ ଆମ ପାର୍ଟୀରେ । ତୁ ଟିକେ ସମର୍ଥନ କଲେ ମୋ ଜିତିବା ପରେ ତୋ ପୁଅର ଭବିଷ୍ୟତ ବହୁତ ଉଜ୍ଜଳ । ସେ କାହିଁ କେଉଁଠି ପହଞ୍ଚି ଯିବ । ତୋର ବି ଆଉ କିଛି ଅଭାବ ରହିବ ନାହିଁ । ତୋ ପାଇଁ ବହୁତ କିଛି ବନ୍ଦୋବସ୍ତ କରିଦେବି । ବର୍ତ୍ତମାନ ପାଇଁ ଏ କିଛି ଟଙ୍କା ରଖିଥା । ବାକି ସବୁ ବନ୍ଦୋବସ୍ତ ପରେ ।

       ସନିଆର ମୁଣ୍ଡଟା ଟାଇଁ ଟାଇଁ କଲା । ନିଜ ପୁଅଟାକୁ କଣ ଏ ସଂସ୍କାର ଦେଇଥିଲି । ଏ ନମକ ହାରାମ୍‍ଟାର ଚାମ୍‍ଚା ବନିଗଲା । ପୁଣି ତାକୁ ଧରି ମୋର ଆତ୍ମସମ୍ମାନକୁ ବାଧା ଦେବା ପାଇଁ ଆଗଭର । ବାପାର ମଲା ଗଲା ଖବର ରଖିବାକୁ ଯାହାକୁ ସମୟ ନଥିଲା , ସେ ଆଜି ବାପାକୁ କିଣିବାକୁ ପହଞ୍ଚିଯାଇଛି । ଶୁଣ୍‍ ଜଗୁ, ତୁ ଯଦି ଭାବୁଛୁ ଯେ ପଇସା ଦେଇ ମୋତେ କିଣି ଦେବୁ ତେବେ ତା ତୋର ଭୁଲ ଧାରଣା । ମୁଁ ମରିଯିବି ପଛକେ ତୋତେ ସମର୍ଥନ କରିବି ନାହିଁ ବା ସମର୍ଥନ ପାଇଁ ଅନ୍ୟ କାହାକୁ ପ୍ରବର୍ତ୍ତାଇ ପାରିବି ନାହିଁ । “ ମୁଁ ଚାହୁଁ ନ ଥିଲେ ବି ତୁମର ମରିବାର ଇଚ୍ଛା ପୂରଣ ହୋଇଯିବ । ବୋଧହୁଏ ଏଥିରେ ସମସ୍ତଙ୍କ ମଙ୍ଗଳ ।“ କହି ଚାଲିଗଲା ଜଗୁ ।  

          ସନିଆ ଜଗୁର ଧମକକୁ ଠିକ୍‍ ଭାବେ ଠଉରେଇ ନେଇଥିଲା । ତାର ବୁଝିବାରେ ଡେରି ନଥିଲା ଯେ ଶାସକ ଦଳ ପାର୍ଥୀ ଭାବେ ଜଗୁ କଣ କରିପାରେ । ସନିଆ ମନେ ମନେ ସ୍ଥିର କଲା ଏ ମଣିଷ ଖିଆ ବଣୁଆ ପଶୁଙ୍କ ହାତରେ ନିଜର ଜୀବନ ଦେଲେ ପ୍ରାଣଦାତାଙ୍କ ଅସମ୍ମାନ ହେବ । ନିଜର ଆତ୍ମ ସମ୍ମାନ ଆଗରେ ଏ କୁକୁର ଗୁଡାକର ରଡି କିଛି ନୁହେଁ । କଣ ବା ଆଉ ପାଇବି । ଏହା ପରେ ବୋଧେ ନିଜ ପୁଅର ଭବିଷ୍ୟତ ବି ଅନ୍ଧକାର । ସେ ଯେତେବେଳେ ଏମାନଙ୍କର କବଳରେ କଳୁଷିତ ତେବେ ନିଜେ କାହିଁକି ତାର ବାଧକ ସାଧିବ ? ଏମିତି ବି ପୁଅ ବଡ ହେବାପରେ ବାପା ମାନେ ସେମାନଙ୍କର ଶତୃ ହୋଇଯାଆନ୍ତି ।                                   

          ସେ ନେଇଥିବା ନିଷ୍ପତି ତାର ଶେଷ ନିଷ୍ପତି । ଆଜି ତାର ଆଉ ଜୀବନ ଉପରେ ମୋହ ନାହିଁ । ଯେଉଁ ଗାଁ ଲୋକେ ତାର କଥାକୁ ରଖୁଥିଲେ ଆଜି ଗୋଲାପୀ ନୋଟର ମୋହରେ ଧିରେ ଧିରେ ବାଟ ହୁଡିଲେଣି । ଘରେ ଘରେ ବଣ୍ଟା ଯାଇଥିବା ଭୋଟ କାଗଜ ଖଣ୍ଡେ ଆଣି ନିଜ ସମର୍ଥୀତ ପ୍ରାର୍ଥୀର ଚିହ୍ନ ଉପରେ ହାଣ୍ଡି କଳାର ଏକ ଟିପ ଚିହ୍ନ ଦେଇ କାଗଜକୁ ଠିକ୍‍ ଭାବେ ଭାଙ୍ଗି ମୁଣ୍ଡ ତଳେ ରଖିଲା ।


            ତା ପରଦିନ ସକାଳ ଆଉ ସନିଆ ଦେଖିନାହିଁ । ଲୋକମାନେ ଶବ ସତ୍କାର ପାଇଁ ଆସି କାଗଜ ଖଣ୍ଡଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଭୋଟ ପାଖେଇ ଆସୁଥିଲା । ଗାଁରୁ ସହର ସବୁଆଡେ ଛାଇ ଯାଇଥିଲା ପୋଷ୍ଟର ଆଉ ବ୍ୟାନର। ସନାତନର ଚାଳ ଛପର ଘର ଉପରେ ବି ଉଡୁଥିଲା ତିନିଟି ଦଳର ରଙ୍ଗିନ ପତାକା । ପତାକାର ମଝିରେ ଥିବା ଚିହ୍ନମାନେ ସନାତନକୁ କହୁଥିଲେ , ‘ତୋ ଅଭିମାନ ଆଗରେ ଆମେ ହାରି ଯାଉଛୁରେ ସନାତନ ।‘ ରାମ୍‍ ନାମ୍‍ ସତ୍ୟ ହେ । ହରି ନାମ୍‍ ସତ୍ୟ ହେ । ଶବ୍ଦ ଗୁଡାକ ଧିରେ ଧିରେ ଆକାଶରେ ମିଳେଇ ଯାଉଥିଲା । କିଛି ଲୋକ କେବଳ କହିବାର ଶୁଣା ଯାଉଥିଲା, ଧନ୍ୟରେ ସନିଆ। ଆତ୍ମ ଅଭିମାନରେ ବଞ୍ଚିବା ଦେଖିଥିଲୁ ହେଲେ ଶେଷରେ ଚାଲିଗଲୁ ସେଇ ଆତ୍ମ ଅଭିମାନକୁ ସମ୍ମାନ ଦେଇ ।   


Rate this content
Log in

Similar oriya story from Classics