STORYMIRROR

Lopamudra Parida

Drama Action Inspirational

3  

Lopamudra Parida

Drama Action Inspirational

ଜଙ୍କ୍

ଜଙ୍କ୍

6 mins
159


ମୁଁ ଗୋଟେ ଅଦ୍ଭୁତ ଜୀବ । ଆଉ ନୁହେଁ ତ କଣ ! ସକାଳୁ କାହାର କୋଉ କେତେ କାମ,ମୁଁ ଆଖି ଦିଟିକୁ ପିନ୍ଧି ଦେଇ ଚାଲିଗଲି ଛାତକୁ ହୋ ।କଣ କରିବାକୁ ପଚାରୁ ନ ଗପ ଖୋଜିବାକୁ ।ହେଲା ଗଲି ତ ଗଲି ମୁଣ୍ଡର ମସଲା ତକ ତଳେ ରଖିଗଲି ଏଇ ମ ଭାବିବାର, ଅନୁଭବିବାର, ଆପଣେଇବାର, ଶବ୍ଦ କୁ ସଜାଡିବାର ଇଚ୍ଛା ତକ । ହଉ ଯାଇ ତ ସାରିଲିଣି ଏବେ ଖୋଜିଲି ।ଚାରିଆଡକୁ ନଜର ଘୂରେଇ ଘୂରେଇ ଆରମ୍ଭିଲି ସ୍ଥିର ଦୃଷ୍ଟି ଓ ଫାଙ୍କା ମୁଣ୍ଡ ନେଇ ।

ନୀଳ ନୀଳରେ ସଫେଦ ବାଦଲ ପୁଳାଏ ହାତ ହଲେଇ ହସିଦେଇ ଆଗକୁ ଯାଉ ଯାଉ ମତେ ଚାହିଁ ହାତ ଠାରିଲେ ।ପନ୍ଝେ ଗେଣ୍ଡାଳିଆ ଇଂରାଜୀ ଅକ୍ଷର' ଭି' ପରି ପୁଣି ସ୍କୁଲ ପିଲାଏ ପିଟିମାଷ୍ଟର ଛାଟ ଡରରେ ପ୍ରାର୍ଥନା ସମାବେଶ ସାରି ଶ୍ରେଣୀକୁ ଧାଆଡି କି ଗଲା ପରି ଯାଉଥିଲେ, ମତେ ଚାହିଁଲେକି! ନା ତ ମୁଁ ଡାକିଲି, ହେ କୁଆଡେ ଉଡି ଯାଉଛରେ ମତେ ନବ ? ସବାଶେଷ ପିଲି ଗେଣ୍ଡାଳିଆଟା ଉଡୁ ଉଡୁ ପଛକୁ ଚାହିଁ କହିଲା, ଏଁ ତୁ ବା ମାଟି ଜୀବ ।ଭାରି ତ ଉଡିବାକୁ ମନ ।ମୁଁ ସେପଟ କୁ ବୁଲି ଗଲି ଆଉ ଦେଖିଲି ତିନିଟା ବର୍ଷ ଆଗରୁ ପୁରା ସବୁଜ ଦିଶୁଥିବା ଦୁରନ୍ତ ପ୍ରାନ୍ତର ସବୁ କେମିତି ରୋଲର୍ ସ୍କେଲ ପକା ଦିଆସିଲି ଡବା ଥାକ ଥାକ ହେଇ କଟା ହେଇଛି ଆଉ ଧଳା ରଙ୍ଗିଆ କୋଠା ସବୁ ଭାବୁଛନ୍ତି ଆକାଶକୁ ଛୁଇଁ ତ ଦେବେ ଆଉ ,ହେଇ ତ ଛୁଇଁଲି ଛୁଇଁଲି ।ଧେତ୍ ଏଇଟା କଣ ଏତେ ସହଜ ନା ଏତେ କଷ୍ଟ? ମାଟି ରୁ ତ ପାଦେ ଉପରେ ଆକାଶ ତେବେ ଏତେ ବେକ ଭଙ୍ଗା କାହିଁକି ଯେ ।କଙ୍କାଳ ମାଳ ମାଳ ପରି, ନା ପ୍ରଶାଖା ନା ଶାଖା ନା ପତ୍ର ନା ଫୁଲ ନା କଢଟେ । ସବୁଆଡେ ଖାଲି ଘର କାଚ ଦିଆ ଘର । ହେ ନା ମ କୋଠା କୋଠା କୋଠା । ଛଡା,ଗୋଡି, ସିମେଣ୍ଟ ସବୁକୁ ଡେରା ଭରା ଦେଇ ଉଠିବାର ଦମ୍ଭ ଦଉଥିବା ଛନ୍ଦାବନ୍ଧା କାଠର ଗଡ ।ଏଇଠି ବି ଗଛ ସେ ମଲା ଗଣ୍ଡି ଭିତରୁ ବି ତା ହସ ଶୁଭୁଥିଲା ,କହୁଥିଲା ମୋ ବିନା ଆନ ଗତି କାହିଁ ? ସାରି ଦଉନ ମତେ, ସାରୁଛ ନିଜକୁ ନିଜେ ।ମୁଁ ପଚାରିଲି କିଏ କହୁଛ? ସେ କହିଲା, ମୁଁ ଗଛ... ଗଛ ।ମତେ ଯେତେ କାଟିବୁ ତୁ ନିଜେ ସେତେ ନିର୍ଜୀବ ପଥର ହେଇଯିବୁ ଅପସରି ଯିବ କୋମଳତା ସବୁ ।ମୋ ଠି ଡେରିକି ଠିଆ ସବୁ ।ସମ୍ବେଦନଶୀଳତା କାଇଁ? ଜୀଇଁଛ କି ?

ମୁଁ ପୁଣି ଗପ ଖୋଜିଲି ମୋ ଗପ ଗଳିରେ ।ଗପ କୁହା ଝର୍କା ସେପାଖକୁ ଉଙ୍କିଲି ।ଗପ ସବୁ ଚଲା ବୁଲା କରୁଥିଲେ ।ଚିତ୍ର ତୋଳା ଆଖି ରେ ଛବି ହେଇ ସାପ ପରି କୁଣ୍ଡଳୀ ମୋଡି ମାଡି ଯୋଡି ଯାଡି, ଅଧା ହଜି, ଅଧା ଭିଜି, ଖଞ୍ଜା ଖଞି କରି ବୁଣାଳୀ ତାରରେ ଗୁନ୍ଥାଗୁନ୍ଥି କରି ଉଡୁଥିବା ଶବ୍ଦ ସବୁକୁ ପଚାରିଲି, ଏଇ ତମେ ସବୁ ଗପଟି! ସେମାନେ ବି ହସିଲେ କହିଲେ ଗପ କୋଉଠି ନାହିଁ ଯେ ।ଖୋଲୁନୁ ମନ ଭିତରର ସେଇ ଅଧାବୁଜା ଆଖିଟା ଦିଶିବ ।

ସାମ୍ନାକୁ ଝୁଙ୍କିଲି ପାରାଫିଟ୍ ରୁ କାଳେ ଦିଶିଯିବେ ଗୋଟେ ଦିଟା ଗପ ।ରାସ୍ତା ପୁରା ଗପମୟ ।ଏତେ ଗପ ହାତ ଗୋଡ ଅଛି ଚଲା ବୁଲା କରୁଛନ୍ତି ମୁଁ କାବା ହେଲି ।ଭାବୁଛି ତ ନିମତ୍ନଣ ଦେବି ଗପ ମାନଙ୍କୁ ଛାତକୁ ଧାଇଁ ଧାଇଁ ସିମୁନ ଆସିଲା ଆଉ ଧଇଁ ସଇଁ ହେଇ କହିଲା , ବଡମାମା, ବଡ ମାମା ମୁଁ ଗୋଟେ ପିଜା ଖାଇପାରିବି କି ? ମାମା ମନା କରୁଛି କହୁଛି ଜଙ୍କ୍ ଫୁଡ୍ ଖାଇଲେ ପେଟ ଖରାପ ହବ ।ପ୍ଲିଜ୍ ବଡମାମା ମୋର ସବୁ ଫ୍ରେଣ୍ଡସ୍ କେମିତି ଖାଉଛନ୍ତି ।ମାମା ଟା ଖାଲି ଡରୁଛି ।

ନିକିତା ତା 'ପଛେ ପଛେ ଲୁଗା ବାଲଟିଏ ଶୁଖେଇବାକୁ ଛାତକୁ ଆସିଲା ଆଉ କହିଲା, ଦେଖିଲ ଅପା ଏ ଟୋକାକୁ ଆସିକି ତମକୁ ଫେରାଦ ହଉଛି ଟି ମୋ ନାଁ ରେ ।ଚୁଡାସନ୍ତୁଳା କରିଛି ଖାଆନ୍ତାନି ଟିକେ ଜିଦ୍ ଲାଗିଛି ।ନାଇଁ ପିଜା ଭିଜା ରେ ମନ ।ଏ ଗୁଡା କି ଖାଇବା କୁହନି ।ସକାଳୁ ସେମିତି ବୁଲୁଛି ପେଟ ଗରମ ଧରିବ, ସେଇଠୁ ଦୋଷ ମୋର ।

ମା ପୁଅ ଙ୍କ କଥା ଭିତରେ ମୋ ଗପ ସବୁ ପଳେଇଲେ ।ଯା ।ମୁଣ୍ଡ ଭିତର ଧୁଆପଖଳା ସେମିତିରେ ତ ସେମାନେ ଧରା ଦିଅନ୍ତିନି ଚଟ କି ପଶନ୍ତି ଆଉ ତା ଠୁ ବି ଶିଘ୍ର ବାହାରନ୍ତି ।

_ ହଉ ,ଏଇଠି ଖେଳୁଥା କି ।ମାମା ଲୁଗା ଶୁଖଉଛି, ମୁଁ ତୋ ପାଇଁ ପିଜା କରିକି ଆଣୁଛି ।

_ କିନ୍ତୁ ଅପା ?

_ ର ,ତୁ ବ୍ଯସ୍ତ ହନା ।

_ ୟେ ୟେ ।ବଡ ମାମା ତମେ ଘରେ ବନେଇ ପାରିବ ପିଜା? ୱାଓ ।ହୋମମେଡ?

_ ତୁ ଖେଳ୍ ।ମାମା କୁ ଚିଡେଇବୁନି ।ନହେଲେ

_ ନୋ ନୋ ପକ୍କା ।

ମୁଁ ଓଲ୍ହେଇ ଆସିଲି ଯୋଉ ବାଟେ ବାଟେ ଯାଇଥିଲି ସେଇ ବାଟେ ବାଟେ ।

_ ନେ ତୋ ଗରମାଗରମ ପିଜା ।ଫିନିଶ୍ ହବ ଯେମିତି ।

ଆରାମରେ ଆଙ୍ଗୁଳି ଚାଟି ଚାଟି ଛାତ ପାହାଚରେ ବସି ନିଜେ ଖାଇଲା, ଗୋଡେଇ ଗୋଡେଇ ଖୋଇବାକୁ ପଡୁଥିବା ସିମୁନ ଟା ।

_ ଅପା? ଆଖି ରେ ପ୍ରଶ୍ନ ନେଇ ନିକିତା ।

_ ଆଲୋ ସେଇ ତୋରି ଚୁଡା ସନ୍ତୁଳାକୁ ଚକଟି ରୁଟି ସ୍ଟଫିଙ୍ଗ୍ ରେ ଉପରେ ଟିକେ ବଟର,ଚିଜ୍ , କାକୁଡି, ଟମାଟୋ କୁଡୁ କୁଡୁ ବା ।

ହସି ହସି ସେ ମୁଣ୍ଡରେ ହାତ ଦେଲା ।କହିଲା ,ବିଧାତା ରେ ! ଏ ପିଲା ଏଡେ ବୋକା ।ସେଇୟାକୁ କରିବ ଏଡେ ଫୁଲେଇ ।ଢମ କାଢୁଛି ସେତେବେଳୁ ।ହଉ ମୁଁ ତଳକୁ ଯାଉଛି ତମେ ତାକୁ ଆଣିକି ଆସ ।କଣ ତରକାରୀ ହବ ରାନ୍ଧିବା ।

_ ହୁଁ ।ତୁ ଯା ।ମୁଁ ଆସୁଛି ।ତୁ କଣ ଖାଇଲୁଣି?

_ ନାଇଁ ଆସ ମିଶିକି ଖାଇବା ।

_ ଚାଲ ।

ସେ ଖୁସିରେ ଖାଉଥିଲା ।ମୁଁ ତା ପାଖକୁ ଯାଇ ଠିଆହେଲାରୁ କହିଲା, ବଡ ମାମା ୟମି ।ମୁଁ ତା ମୁଣ୍ଡ ସାଉଳେଇ ଦେଇ ପଚାରିଲି ଗପ ମାନଙ୍କୁ ଦେଖିବୁ?

ସିଏ କହିଲା, ଶୁଣିବି ନା... ଦେଖନ୍ତି କେମିତି ।

ଏବେ ପୁଣି ମତେ ଦିଶିଲେ ଗପ ସବୁ ଚଳପ୍ରଚଳ କରୁଥିବାର ।ଆଉ ଗୋଟେ ଛାତରେ ହଳେ ବାପା ପାଦ ଉପରେ ହଳେ ଚଲାଶିଖୁଥିବା ପାଦ ଥାପି ଥାପି ଅନୁସରଣ କରୁଥିଲା ପାଦ କୁ ପାଦ, ଆର ଛାତରେ ଚାରି ପାଞ୍ଚୋଟି ଆଠ ଦଶ ବର୍ଷିଆ ପୁଅ ଗୁଡି ମାଞା ଦିଆ ସୂତା କୁ ପବନ ସାଙ୍ଗେ ମିତ ବସଉଥିଲେ ଖିଆଲି ମନ ହଳି ଦିଟା କଣ ଟୁପୁରୁ ଟାପୁରୁ ଚଲେଇଥିଲେ ,ପଚିଶି ଲିଟରିଆ ପାଣି ବୋତଲ ମୁଣ୍ଡରେ ଅଣ୍ଟାରେ ସବୁଜ ପ୍ଲାଷ୍ଟିକ୍ ଗରା ଆଉ ହାତରେ ଓହଳା ବ୍ଯାଗ୍ ସାହାରା ଦଉଛି ମୁଣ୍ଡ ବୋତଲକୁ ।କେମିତି ପାରନ୍ତି କେଜାଣି ଏମାନେ ଏତେ ଓଜନ ଟେକି ବକଟେ ବେଳୁ ଅଭ୍ଯାସ ନେଇ ହାଡ ତିଆରେ ବୋଧେ ସ୍ରଷ୍ଟା, ଫୁଲ ଗୁନ୍ଥୁ ଥିବା ବୁଢୀ କୋଳରେ ଝାମ୍ପିରୀ ନାତୁଣୀ ର ଅଳି ଏଇ ଟିକକ ତ ସରଗ ଆଉ ବିଚିତ୍ର ଫୁଲପକା ଗାଢା ବମ୍ବେ ମିଠେଇ ରଙ୍ଗିଆ ମେକ୍ସିରେ ଚୁମୁକି ଓଢଣୀ ପକା ସେ ଝିଅଟା ତା ଠୁ କନ୍ଟ୍ରାଷ୍ଟ କଲର ପିନ୍ଧା ଆଉ ଗୋଟେ ଝିଅ ସାଙ୍ଗେ ମୁଣ୍ଡ ଯୋଡାଯୋଡି ହେଇ ଉଙ୍କୁଣି ଦିଆ ନିଆ ହଉଛନ୍ତି, ସ୍କୁଲ ବାରିରେ ଟେଣ୍ଟ ବାଲାର ପାଲ, ଜେବେରା ପ୍ରିଣ୍ଟ ପିନ୍ଧା ଗୋଲାପି ଟି_ ସାର୍ଟ ପରେ ଗୋଟେ ଝିଅ ପିଲା ପୋନି ପାରି ତଲ୍ଲିନ୍ନ ଫୋନରେ ସେ ଷ୍ଟାଇଲି ଚଷମା ଦିଆ ଟୋକାଟା ବାସନ ବାଲା,ସର୍ କି ଧୂଳି ଉଡେଇ ଭଁ ଶବ୍ଦ କାରୀ ବୁଲେଟ୍, ଟେରା ପାନ ଦୋକାନୀ ଏମିତି ଏମିତି ଏସବୁ ଗପ ନା ,ଗପ ର ନାଁ ?ଜଙ୍କ୍ ମୁଣ୍ଡ ।

ସିମୁନ କହିଲା, ବଡ ମା ଇଏ କି ଗପ ସବୁ ଯେ ବୋରିଂ । ଦେଖ ଏପଟକୁ, ସେଇଟା , ସିଏ କିଏ ? ଆରେ ସତେ ତ ।

କେତେ ଦିନରୁ ପାନିଆ ବାଜିନି କି ବଜେଇନି କେଜାଣି ଜଟ ବାନ୍ଧି ଗଲାଣି କମର ତଳ ଯାଏ ।ଦୁଆର ସଫା କରେ ,ଚିତା ଆଙ୍କେ ଧଳା ମୁରୁଜରେ ।ପଲେ ମେଣ୍ଢା ତାର ତାଙ୍କୁ ଗାଧେଇ ଦିଏ ବଡ ଘାମଲାରୁ ପାଣି ନେଇ ।ପିଲାଙ୍କ ପରି ପୋଛିପାଛି ଗେଲା କରେ ।ଘାସ ବୃଛ ତୋଳିକି ଦିଏ ଚାକୁଳାନ୍ତି ।ହଳଦୀ ସିନ୍ଦୁର ଗୋଳି ସମସ୍ତଙ୍କ ମୁଣ୍ଡରେ ମାରେ ।ସବୁ ମେଣ୍ଢା ନାଲି ଦିଶନ୍ତି ।ସଂଜ ହେଲେ ଗୋଟେ ଟିଣିଆ ଘରେ ପୁରାଏ ଯୋଉଠି ଗୋଟେ ମାନ୍ଧାତା ଅମଳର ହଳଦିଆ ବଲବ୍ ଜଳୁଥାଏ ମିଞି ମିଞିଆ ଛାଇ ଅନ୍ଧାର ଦିଶୁଥାଏ ।ଅଖା ପାରିଥାଏ, ଝୁଣା ଦିଏ ,ବଡ ଚାରିକୋଣିଆ ଜାଗାରେ ପାଣିଦେଇ ଉଭାନ ହୁଏ ।ଆଉ ଦୁଶେନି ତା ଆର ଦିନ ସକାଳ ଯାଏ ।ସିନ୍ଦୁରା ଫାଟେ ଜଟାବୁଢୀ ଦିଶେ ।ଲାଗିଥାଏ ଅହର୍ନିଶି ।ତା ମେଣ୍ଢା ଭଲ ତ ସିଏ ଭଲ ।

ସନ୍ଧି ପୂଜା ସରିଲାଣି ଚାରିଦିନରୁ ।

ପରେ ମେଁ ହେଁ ହେଁ ଚାଲିଛି ।

ତଳେ ବନ୍ଧା ଏକ ଦୁଇ ତିନି

ସଂଖ୍ୟା ବଢୁଥିଲା ।

କିଏ ଗୋଟେ ମୁଣ୍ଡରେ ବୋଝେ ଲାଲି ମାରି ଟେକି ଧରୁଥାଏ କୁକୁଡା, ଗଞ୍ଜା, ମାନଙ୍କୁ ଆକାଶ ଆଡକୁ କଳା କଳା ହାତ ଖାଲି ଦିଶୁଥାଏ ।ତା ପରେ କେଁ କେଁ ଶବ୍ଦ ସ୍ତବ୍ଧ ।ଜଙ୍କ୍ ଭକ୍ତି ।

ହାତ ଯୋଡି ମୁହଁ ପୋତି ବସିଥାଏ ବୁଢୀ ଠାକୁରାଣୀ ବେଢାର ଗୋଟେ କୋଣ କୁ ।

ମେଣ୍ଢା ଘରୁ ମେଣ୍ଢା ଖାଲି ।ବୁଢୀ ଆଉ କବାଟ ଫିଟଉ ନଥିଲା ।ସକାଳୁ ସକାଳୁ ତା ମେଣ୍ଢା ରୁହା ଘର ପରିଷ୍କାର କରି ଦୁଆର ମୁଦି ଦଉଥିଲା ।

କଣ କରୁଥିଲା କେଜାଣି ଭିତରେ ଏକା ।

ଭାବନାରୁ ଟାଣି ଆଣି ସିମୁନ ପଚାରିଲା,ବଡମାମା ମୋ ପାଇଁ ୱାନ୍ ମୋର୍ ପିଜା ପ୍ଲିଜ୍ ।

ହଉ ତଳୁକୁ ଚାଲ ।ସେ ଦଉଡିକି ପଳେଇଲା ପାହାଚ ସବୁ ଖପ୍ ଖାପ୍ ଡେଇଁ ।

ମୁଁ ଆଉ ଟିକେ ଠିଆ ଠିଆ ହେଲି, ତଳ ପିଜା ଦୋକାନ ପାଖରେ ନଜର ପଡିଲା କାଇଁ ଏବେକା ପିଲା ଏ ଜଙ୍କ୍ ବାଉଳି କେଜାଣି? ଦୁଇ ବାନ୍ଧବୀ ବରାଦ କରି ବୋଧେ ଅପେକ୍ଷା ରେ ।ହଠାତ୍ ଆଖିପିଛୁଳାକେ ଗୋଟେ କାର ଆସିଲା, ଦୁଇଟି ମୁଖାପିନ୍ଧା ପିଲା ବାହାରି ଆସି ଝିଅ ଟି ସାଙ୍ଗେ କଣ କଥା ହେଲା ପରେ ତା ' ଅନିଚ୍ଛା ସତ୍ତ୍ବେ ତାକୁ ଟଣା ଘୋସରା କଲେ ।

ମୁଁ ଭାବିଆସୁଛି ଯେ ହେ ଇୟେ କି କାଣ୍ଡ ରାସ୍ତା ମଝିରେ କେହି ରୋକୁନି କାଇଁ କି ।ଆଜିକାଲିକା ପିଲେ ସଂଠଣା ବୋଲି କିଛି ଶିଖିଲେନି ।ଜଙ୍କ୍ ପ୍ରେମ ।ବିତୃଷ୍ଣା ରେ ଫେରିଆସିଲି ।

ଢୋ କି ଶବ୍ଦ ହେଲା , କାର୍ ଚାଲିଗଲା ।ଶବ୍ଦ ଘରଭିତରକୁ ଶୁଭିଲା।ସବୁ ଢୋ ଶବ୍ଦ ପରି ୟାକୁ ବି ଇଗନୋର କରାଗଲା ।

ଝିଅଟି ଟଳିପଡିଲା କ୍ଷଣକରେ ।ଆକୁଳ ହେଉଥିଲା ଏକୁଟିଆ ବାନ୍ଧବୀ ଟି ।ଟିଭିରେ ସଂଧ୍ୟା ସମ୍ବାଦ ରେ ଦେଖି ଏମିତି ଲାଗିଲା ଯେମିତି ମୋ ଚାରିପଟ ମାଟି ଫାଟି ଯାଇଛି ।ମରୁଡିଗ୍ରସ୍ଥ ପରି ଦିଶୁଛି ।ଆଉ ମୋର ପାଦ ନାହିଁ ମୁଁ ୱିଲ୍ ଚେୟାର ରେ ବସିଛି ।

ନିଜେ ଗୋଟେ ଗପ ହେଇଯାଉଛି ଯାହାର ଶୀର୍ଷକ

" ଜଙ୍କ୍ "



Rate this content
Log in

Similar oriya story from Drama