ଜଳନ୍ତା ସ୍ମୃତି
ଜଳନ୍ତା ସ୍ମୃତି
ଜୀବନ ଈଶ୍ୱର ରଚିତ ଏକ ସୁପରିକଳ୍ପିତ କାହାଣୀ ଟିଏ।କାହାଣୀର ମୁଖ୍ୟାଂଶରେ ଥାଏ ସ୍ମୃତି।ଫର୍ଦ୍ଦ ଫର୍ଦ୍ଦ ସ୍ମୃତିର ସମାହାର ରେ ଜୀବନ କାହାଣୀ ରେ ବାକଚାତୁରୀ ଭରିଯାଏ।ଜୀବନର ପ୍ରତ୍ୟେକ ଘଟଣା ସ୍ମୃତି ହୋଇନଥାଏ।କିଛି ଘଟଣା ଏପରି ରହିଥାଏ ଯାହା ମଣିଷକୁ ଏକ ଅଭୁଲା ମୁହୂର୍ତ୍ତ ସହ ସାକ୍ଷାତକାର କରାଇଥାଏ।ସେହି ସ୍ମୃତି ହସିଥିବା ଦିନ ଗୁଡ଼ିକୁ ମାନସ ପଟରେ ଚଳଚଞ୍ଚଳ କରାଇ ଆଖିରେ ଲୁହର ଲହଡ଼ି ଆଣିଦିଏ ତ କେବେ କାନ୍ଦିଥିବା ଦିନଗୁଡିକୁ ନେଇ ହସାଇ ହସାଇ ବେଦମ କରିଦିଏ।ଏହି ସ୍ମୃତି ବ୍ୟତୀରକେ ମଣିଷ ଏକ ଯନ୍ତ୍ରମାନବ ଅଟେ।କିଛି ସ୍ମୃତି କାହାକୁ ଭାଙ୍ଗିଦିଏ ତ କାହାକୁ ଗଢିତୋଳେ ପୁଣି କାହାର ନିସଙ୍ଗ ଜୀବନକୁ ବଞ୍ଚିବାର ରାହା ଯୋଗାଏ।
ପୂଜା ନାମ୍ନୀ ସରଳ ଝିଅଟିଏ।ନିମ୍ନ ମଧ୍ଯବିତ୍ତ ପରିବାରରେ ବଢିଥିବାରୁ ଆଖିରେ ଅସୁମାରୀ ସ୍ବପ୍ନଥିଲା।ସ୍ବପ୍ନଥିଲା ଜୀବନରେ କିଛି କରିବାର।ସ୍ବପ୍ନ ଥିଲା ସ୍ୱାବଲମ୍ବୀ ହେବାର।ସ୍ବପ୍ନ ଥିଲା ବାପା ମା ଙ୍କ ବୃଦ୍ଧ ସମୟରେ ତାଙ୍କୁ ଚିନ୍ତାମୁକ୍ତ କରିଦେବାର। ସ୍ବପ୍ନ ପୂରଣପାଇଁ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିଲା।କେତେଯେ ବିନିଦ୍ର ରଜନୀ ପାହିଥିଲା ତା'ର କୌଣସି ହିସାବ ନିଜ ପାଖରେ ମଧ୍ଯ ନଥିଲା।ଧୀରେ ଧୀରେ ପୂଜା କୈଶୋରୀ ଅବସ୍ଥାରେ ପଦାର୍ପଣ କଲା।ତା ନିଜ ଅଜାଣତରେ କେତେବେଳେ ଯେ ନିଜ ପାଦ ଖସାଇଦେଇଥିଲା ନିଜେ ମଧ୍ୟ ସେଥିପ୍ରତି ସମ୍ପୂର୍ଣ୍ଣ ଅଜଣା ଥିଲା।ଏକ ଶାଶ୍ଵତ ପ୍ରେମର ପ୍ରାରମ୍ଭ ହୁଏ କାହ୍ନା ଓ ପୂଜା ମଧ୍ଯରେ।ଏ ସବୁ ସତ୍ତ୍ୱେ ପୂଜା ଲକ୍ଷ୍ୟଭ୍ରଷ୍ଟ ହୋଇନଥିଲା।ଦୁଃଖର କଷଟି ପଥରରେ ଯିଏ ବାରମ୍ବାର ଘଷି ହୋଇଛି ସେ କି ତା'ର ଜାଜ୍ୱଲତା ହରାଏ।
ସମୟ ଗଡିଚାଲିଲା ତା ରାସ୍ତାରେ।ଦୁହେଁ ମହାବିଦ୍ୟାଳୟର ଶିକ୍ଷା ସମାପନ କରିଲେ।ଦୁହେଁ ନିଷ୍ପତ୍ତି କରିଥିଲେ ଯେ ଉଭୟ ସ୍ୱାବଲମ୍ବୀ ହେବାପରେ ଘରେ ନିଜ ସମ୍ପର୍କ ସମ୍ବନ୍ଧରେ ଅବଗତ କରାଇବେ।କାନ୍ହା ଓ ପୂଜାର ସମ୍ପର୍କ କିଛି ଖଳ ପ୍ରବୃତ୍ତି ଲୋକଙ୍କ ଦୃଷ୍ଟିକଟୁ ହୁଏ।ତେଣୁ କେହି ଜଣେ ଯାଇ ପୂଜାର ଘରେ ପୂଜା ଓ କାହ୍ନର ସମ୍ପର୍କ କୁ ଜଣାଇଦେଲା।
ପୂଜାର ବାପା ମା ନିଜର ମିଥ୍ୟା ଅହଂକାର ଏବଂ ଲୋକଲଜ୍ଜା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ।ଏହି ଖବରଟି ସେମାନଙ୍କର ସମ୍ବେଦନଶୀଳତା କୁ କୁଠାରଘାତ କରିଥିଲା।ତେଣୁ ସେମାନେ ପୂଜାର ବିବାହ ନିମିତ୍ତ ପାତ୍ର ଖୋଜିବା ଆରମ୍ଭ କରିଦେଲେ।ପୂଜା ଘର ମଧ୍ୟରେ ଆବଦ୍ଧ ରହିଥିବାରୁ ତା'ର କୌଣସି ପ୍ରକାରେ କାହ୍ନା ସହ ଯୋଗାଯୋଗ ହୋଇପାରିନଥିଲା।
ଏହି ସମୟଟି ପୂଜାକୁ ଜୀବନ ସହିତ ଅତି ନିକଟରୁ ପରିଚୟ କରାଇଥିଲା।ଯେଉଁ ବାପା ମାଙ୍କୁ ନେଇ ତା'ର ସ୍ୱପ୍ନ ଗଢିଉଠିଥିଲା ତାହା କ୍ଷଣ କୁ କ୍ଷଣ ଭାଙ୍ଗିବାରେ ଲାଗିଥିଲା।ଅଲିଅଳି ଝିଅଟିକୁ ନିଜ ପରିବାରରୁ ଅନେକ ଭର୍ତ୍ସନା ଶୁଣିବାକୁ ପଡ଼ୁଥିଲା।ଅତି ନିଜର ମନେକରୁଥିବା ଲୋକମାନେ ତା ଠାରୁ ମୁହଁ ଫେରାଇ ନେଉଥିଲେ।କେହି ଜଣେ ମଧ୍ୟ ପୂଜାର ସ୍ବପ୍ନ ପ୍ରତି ଥିବା ନିଷ୍ଠାକୁ ସମର୍ଥନ କରିନଥିଲେ।ଅନ୍ୟ ପାର୍ଶ୍ଵରେ ଇପ୍ସିତ ପୁରୁଷର ବିଛ୍ଛେଦ।ବିପଦ ସମୟରେ ସେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲା।
ଶେଷରେ ପୂଜାର ବିବାହ ହୁଏ ତା ଠାରୁ ବୟସରେ ଖୁବ୍ ଅଧିକ ହୋଇଥିବା ଜଣେ ବ୍ୟକ୍ତିଙ୍କ ସହ।କାହ୍ନାକୁ ଛାଡି ଯେପରି ଅନ୍ୟ କୌଣସି ପୁରୁଷକୁ ଚାହିଁ ନଥିବା ପୂଜା ପାଇଁ ଅନ୍ୟ ସବୁ ପୁରୁଷ ସମାନ ଥିଲେ।ତେଣୁ ଵିଵାହ ପୂର୍ବରୁ ସେ ତା ହେବାକୁ ଯାଉଥିବା ପତି ସହ ବିଶେଷ କଥା ହୁଏନାହିଁ।
ଯଥା ସମୟରେ ପୂଜାର ବିବାହ ସମାପନ ହେଲା।କମ୍ ବୟସରେ ପୂଜାର କାନ୍ଧରେ ପରିବାର ଚଳାଇବାର ଗୁରୁ ଦାୟିତ୍ୱ ରଖାଯାଇଥିଲା ।ସେ ଏବେ ଦୁଇଟି ଛୁଆର ମାଆ।ତଥାପି ହୃଦୟର କେଉଁ ଏକ କୋଣରେ ରହିଯାଇଛି କାହ୍ନା।ନିରୋଳା ପାଇଗଲେେ ଖୁବ୍ ଖୋଜେ କାହ୍ନାକୁ ନିଜ ହୃଦୟରେ।ଅନୁଭବ କରେ ସେ ଶାଶ୍ବତ,ସ୍ୱର୍ଗୀୟ ସମ୍ପର୍କକୁ ,ଯାହା ତା ଜୀବନ ବଳୟରୁ ବହୁ ଦୂରରେ।ଖୋଜିହୁଏ ତା ଭଙ୍ଗା ସ୍ୱପ୍ନକୁ।ଅତୀତର ସେହି ଦୁଃସହ୍ୟ ମୁହୂର୍ତ ତାକୁ ଅଶାନ୍ତ କରାଏ।ବିବାହ ପୂର୍ବରୁ ମନର ମଣିଷଠାରୁ ଦୁରେଇଯିବା ର କଷ୍ଟ ,ସ୍ବପ୍ନ ଭାଙ୍ଗିବାର କଷ୍ଟ,ଆପଣାର ଲୋକଙ୍କ ଭର୍ତ୍ସନା ...ଏସବୁ ଯେପରି ତା ପାଇଁ ଜଳନ୍ତା ସ୍ମୃତି ପାଲଟିଛି।ବୋଧ ହୁଏ ଏହି ଜଳନ୍ତା ସ୍ମୃତି ତା ଶରୀର ଜଳନ୍ତା ଜୁଇରେ ସମାପ୍ତ ନହେବା ପର୍ଯ୍ୟନ୍ତ ତାକୁ ଜଳାଇ ଚାଲିଥିବ।ନିଷ୍ଠୁର ଦୁନିଆକୁ ନିରିଖେଇ ଦେଖିବାପାଇଁ ବାଧ୍ୟ କରୁଥିବ ।ପ୍ରତି କ୍ଷଣ ତା ହୃଦୟତନ୍ତ୍ରୀ କୁ ବିଦାରିତ କରୁଥିବ ।
ପୂଜା ପରି ଅନେକ ଝିଅ ଏପରି ଖଳଲୋକଙ୍କ ପ୍ରପଞ୍ଚରେ ,ସମାଜର ମିଥ୍ୟା ଲୋକଲଜ୍ଜାରେ ,ମିଥ୍ୟା ଅହଂକାରରେ ଦଗ୍ଧୀଭୂତ ।ସମସ୍ତେ ବାଧ୍ୟ କରିଦିଅନ୍ତି ନିରିହ ପ୍ରାଣଟିକୁ ସାରା ଜୀବନ ଏକ ଅକୁହା ବେଦନାରେ ସନ୍ତୁଳି ହେବାକୁ।